BN

ଅଭିଯୋଗ ନାହିଁ

 ଅଭିଯୋଗ ନାହିଁ 

ଗଣନା ୧୪:୧-୧୨


ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର । (ଫିଲୀପ୍ପୀୟ ୧:୧୪)


ଯଦି ଆମେ ଗୋଟିଏ ଦିନ ପାଇଁ ଆମ କଥାବାର୍ତ୍ତାର ଏକ ରେକର୍ଡିଂ ଶୁଣିବା, ତେବେ ଆମେ ଯେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା, ଏଥିରେ ସନ୍ଦେହ ନାହିଁ । ଆମେ କେତେ ବିରକ୍ତ ହୋଇଛୁ ଓ କେତେ ଅଭିଯୋଗ କରିଛୁ ତାହା ଶୁଣି ଆମେ ଆଚମ୍ବିତ ହେବା । 


ପିଲାମାନେ ଗୃହ କାର୍ଯ୍ୟ କିମ୍ବା ବାସନ ଧୋଇବା ବିଷୟରେ ଅଭିଯୋଗ କରନ୍ତି । ପରିବାରର ପ୍ରତ୍ୟେକ ଜଣଙ୍କ ପଛରେ ଏତେ ଅଧିକ ସମୟ କାଟୁଥିବାରୁ ମା' ଅଭିଯୋଗ କରନ୍ତି । ପିତା ଗୃହକୁ ଫେରି ନିଜର କର୍ତ୍ତା ଓ କାର୍ଯ୍ୟ ବିଷୟରେ କଟୁ ମନ୍ତବ୍ୟ ଦିଅନ୍ତି । ଆଉ ଏହିପରି ଦିନସାରା ଲାଗିରହେ ।


 ଆଜିର ବାଇବଲ ପାଠରେ, ଆମେ ମିଶରରୁ ବାହାରି ଆସିଥିବା ଇସ୍ରାଏଲ ସନ୍ତାନଗଣର ଅଭିଯୋଗ ଶୁଣୁ (ଗଣନା ୧୪:୨-୩) । ସେମାନଙ୍କ ନିମନ୍ତେ ଈଶ୍ଵର କରି ସାରିଥିବା ସମସ୍ତ କାର୍ଯ୍ୟପରେ ସେମାନେ କୃତଜ୍ଞ ରହିବା ଓ ତାଙ୍କର ଆଜ୍ଞପାଳନ କରିବା ଉଚିତ୍ ଥିଲା । ମାତ୍ର ସେମାନଙ୍କର ଅବିଶ୍ବାସ ଓ ଅବଧ୍ୟତା ଯୋଗୁ, ଗୋଟିଏ ସମଗ୍ର ପିଢ଼ୀ ପ୍ରତିଜ୍ଞାତ ଦେଶରେ  ପହଞ୍ଚି ପାରି ନ ଥିଲେ (୨୩ପଦ)


ଆଜି ମଧ୍ୟ, ଅଭିଯୋଗକାରୀମାନେ ଈଶ୍ଵରଙ୍କର ଆଶୀର୍ବାଦ ହରାଇ ସେମାନଙ୍କ ଚତୁଃପାଶ୍ୱସ୍ଥ ଲୋକମାନଙ୍କ ମଧ୍ୟରେ ନିରୁତ୍ସାହ ପ୍ରସାରଣ କରୁଛନ୍ତି । ସେହି ପ୍ରକାର ମନୋଭାବ ଜଣେ ଖ୍ରୀଷ୍ଟ ଅନୁଗାମୀ ପାଇଁ ଅନୁପଯୁକ୍ତ ଅଟେ । ଅଗ୍ରଣୀ ମିଶନାରୀ ହଡ୍ ସନ୍ ଟେଲର୍ କହିଥିଲେ, "ତୁମେ ଜଣେ ଖ୍ରୀଷ୍ଟିୟାନ ହେଲେ ମଧ୍ୟ ତୁମର ପିତା ଓ ମାତା, ତୁମର ଭଉଣୀ ଓ ଭାଇ, ହଁ ଏପରିକି ତୁମ ଗୃହରେ ଥିବା ବିଲେଇ ଓ କୁକୁର ସୁଦ୍ଧା ଯଦି ସୁଖୀ ନୁହଁନ୍ତି, ତେବେ ତୁମେ ବାସ୍ତବରେ ଖ୍ରୀଷ୍ଟିୟାନ ଅଟ କିମ୍ବା ନୁହଁ, ଏହା ଏକ ପ୍ରଶ୍ନ ଅଟେ।"


ଆମର ବାକ୍ୟ ପ୍ରଭୁଙ୍କୁ ଗୌରବ ଦିଏ କି ? ତାଙ୍କୁ ବିଶ୍ଵାସ କରି ତାଙ୍କର ବାଧ୍ୟ ହେବା ପାଇଁ ଆମେ ଆନନ୍ଦ ଓ  ଉତ୍ସାହ ପ୍ରସାରଣ କରୁ କି ? 

ଝର୍କାରେ ତାରକା

 ଝର୍କାରେ ତାରକା


ଏଫିସୀୟ ୨:୧-୧୦

କାରଣ ଈଶ୍ଵର ଜଗତକୁ ଏଡେ ପ୍ରେମ କଲେ ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦେଲେ...। (ଯୋହନ ୩:୧୬)


ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ, ଗୋଟିଏ ପରିବାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ପ୍ରଥା ଥିଲା ଯେ ଯାହାର ପୁତ୍ର ସୈନ୍ୟ ବାହିନୀରେ କାମ କରୁଥିଲା, ତାହାର ଗୃହର ଝର୍କାରେ ସମ୍ମୁଖଭାଗରେ ଗୋଟିଏ ତାରକା ଲଗାଇବାକୁ ପଡୁଥିଲା । ମାତ୍ର ଗୋଟିଏ ସ୍ଵର୍ଣ୍ଣ ତାରକା ଏହା ସୂଚାଉଥିଲା ଯେ ପୁତ୍ରଟି ନିଜ ଦେଶର ସ୍ବାର୍ଥ ରକ୍ଷା ପାଇଁ ମୃତ୍ୟୁବରଣ କରିଥିଲା । 

ବହୁବର୍ଷ ପୂର୍ବେ, ସାର୍ ହ୍ୟାରୀ ଲଡ଼ର୍ ଏହି ପ୍ରଥା ବିଷୟରେ ଏକ ହୃଦୟ ସ୍ପର୍ଶୀ କାହାଣୀ କହିଥିଲେ । ସେ କହିଥିଲେ ଯେ, ଦିନେ ରାତିରେ ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ପୁତ୍ର ସହିତ ନ୍ୟୁୟର୍କ ସହରର ଏକ ଗଳି ରାସ୍ତାରେ ଚାଲୁଥିଲେ । ସେହି ଛୋଟ ପିଲାଟି ଗୃହଗୁଡ଼ିକର ଉଜ୍ଜ୍ୱଳ ଭାବରେ ଆଲୋକିତ ଝର୍କାଗୁଡିକୁ ଦେଖି କୌତୁହଳ ହେଲା ଓ କେତେଗୁଡ଼ିଏ ଗୃହର ଝର୍କାରେ କାହିଁକି ତାରକା ଲାଗିଅଛି ବୋଲି ଜାଣିବାକୁ ଇଛା କଲା । ସେହି ପରିବାରଗୁଡ଼ିକରେ ଏପରି ଏକ ପୁତ୍ର ଥିଲା, ଯିଏ ଯୁଦ୍ଧରେ ଯୋଗ ଦେଇଥିଲା ବୋଲି ବାପା ବୁଝାଇ ଦେଲେ । ଏହାପରେ ଗୋଟିଏ ପରେ ଗୋଟିଏ ଝର୍କାରେ ତାରକା ଦେଖିବା ମାତ୍ରେ ପିଲାଟି ତାଳିମାରି ଚିତ୍କାର କରୁଥିଲା, " ବାପା, ଦେଖ, ଆଉ ଗୋଟିଏ ପରିବାର, ଯିଏ ନିଜ ଦେଶ ପାଇଁ ଗୋଟିଏ ପୁତ୍ରକୁ ଦେଇ ଦେଇଛି ।" 


ଶେଷରେ ସେମାନେ ଗୋଟିଏ ଶୂନ୍ୟ ଅଞ୍ଚଳକୁ ଆସିଲେ ଓ ଏହି ଅଞ୍ଚଳଟିରେ ଆଉ ଧାଡ଼ି ଧାଡ଼ି ଗୃହ ନ ଥିଲା । ଏହି ସ୍ଥାନରୁ ଆକାଶରେ ଗୋଟିଏ ତାରା ଚକ୍ ଚକ୍ କରୁଥିବାର ଦିଶୁଥିଲା । ଛୋଟ ପିଲାଟି ଅଣନିଶ୍ବାସୀ ହୋଇ କହି ଉଠିଲା, " ଓଃ, ବାପା, ସ୍ବର୍ଗର ଝର୍କାରେ ସେହି ତାରାଟିକୁ ଦେଖ ! ଈଶ୍ୱର ମଧ୍ୟ ତାଙ୍କର ପୁତ୍ରଙ୍କୁ ଦେଇଥିବେ।"


ହଁ, ବାସ୍ତବରେ ! ଈଶ୍ୱରଙ୍କ ଝର୍କାରେ ଗୋଟିଏ ତାରକା ଅଛି । ସେ ଆପଣଙ୍କ ପାଇଁ କ'ଣ କରିଥିଲେ, ତାହା ଆପଣ ଉପଲବ୍ଧ କରିଛନ୍ତି କି? ଆମ ପାଇଁ ଈଶ୍ଵରଙ୍କ ପ୍ରେମ ଯୋଗୁ, ସେ ତାଙ୍କର ପୁତ୍ରଙ୍କୁ ଦେଇଥିଲେ (ଏଫୀ ୨:୪)


ଇତିହାସରେ ବିଶ୍ଵାସର ଚେର

 ଇତିହାସରେ ବିଶ୍ଵାସର ଚେର

ଯୋହନ ୨୦:୧୯-୨୯

ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମର ବିଶ୍ଵାସ ନିଷ୍ଫଳ।

(୧ କର ୧୫:୧୭)


ଆମେରିକାର ପୂର୍ବତନ ପ୍ରେସିଡେଣ୍ଟ ଜନ୍ ଏଫ୍ କେନ୍ନେଡିଙ୍କ ଜୀବନୀ ଉପରେ ଆଲିଭର ଷ୍ଟୋନ ଏକ ଚଳଚ୍ଚିତ୍ର ନିର୍ମାଣ କଲେ। ସେଥିରେ ସେ ଏନେକ ତଥ୍ୟକୁ ଅତିରଞ୍ଜିତ କଲେ, ଆଉ ଏହାକୁ ସଠିକ୍ ପ୍ରମାଣିତ କରିବା ନିମନ୍ତେ ସେ ସେ ଐତିହାସିକ ତଥ୍ୟଗୁଡ଼ିକୁ ଯେଉଁ ଦୃଷ୍ଟିକୋଣରୁ ତର୍ଜ୍ଜମା କରିଛନ୍ତି ସେଥିରେ ଥିବା ଐତିହାସିକ ସଠିକତାର କୌଣସି ଗୁରୁତ୍ଵ ନାହିଁ ବୋଲି କହିଲେ।

ପ୍ରଥମ ଶତାବ୍ଦୀରେ କେତେକ ଧାର୍ମିକ ନେତା ଯୀଶୁଙ୍କ ପୁନରୁତ୍ଥାନର ଅବତାରଣା କରିବା ନିମନ୍ତେ ଠିକ୍ ଏହି ପ୍ରକାରର ପଦ୍ଧତି ଅବଲମ୍ବନ କରିଥିଲେ। ଯେଉଁ ଅନ୍ୟ ଧର୍ମଗୁଡ଼ିକ ଶାରିରୀକ ବାସ୍ତବତାକୁ ସଙ୍କୁଚିତ କରୁଥିଲେ,ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ସେମାନେ ଦାବୀ କଲେ ଯେ, ଯୀଶୁ ଶାରିରୀକ ରୂପେ ଉତ୍ଥିତ ନ ହୋଇ ବରଂ ଆତ୍ମିକ ରୂପେ ଉତ୍ଥିତ ହୋଇଥିଲେ।


ପ୍ରେରିତ ପାଉଲ ଏହାକୁ ମନଗଢା କାହାଣୀ କହିଲେ। ସେ କରିନ୍ତୀୟମାନଙ୍କ ନିକଟକୁ ସଠିକ୍ ଐତିହାସିକ ପ୍ରମାଣର ଗୁରୁତ୍ବ ବିଷୟରେ ଲେଖିଲେ। ସେ ସେମାନଙ୍କୁ ସ୍ମରଣ କରାଇଦେଲେ ଯେ, ଯୀଶୁ ପିତର, ଅନ୍ୟ ପ୍ରେରିତ, ଯାକୁବ ଏବଂ ୫୦୦ରୁ ଉର୍ଦ୍ଧ୍ବ ଅନ୍ୟ ଲୋକମାନଙ୍କୁ ଏକ ସମୟରେ ଦେଖା ଦେଇଥିଲେ (୧ କର ୧୫:୫-୮)। ଏହି ପ୍ରତ୍ୟକ୍ଷଦର୍ଶୀମାନଙ୍କ ମଧ୍ୟରୁ ଅଧିକାଂଶ ସେ ପର୍ଯ୍ୟନ୍ତ ଜୀବିତ ଥିଲେ। ଏଣୁ ଯୀଶୁଙ୍କ ପୁନଉତ୍ଥିତ ଶରୀର ଯେ ତାଙ୍କର ମୃତ୍ୟୁ ପୂର୍ବ ଶରୀର ସଦୃଶ୍ୟ ଥିଲା, ଏବଂ ଏହା ନୂତନ ଶକ୍ତି ଗୁଡ଼ିକରେ ପରିପୂର୍ଣ୍ଣ ଥିଲା, ଏହି ବିଷୟରେ ସେମାନେ ସେତେବେଳେ ସେମାନଙ୍କୁ ସାକ୍ଷ୍ୟ ଦେଇଥିଲେ।

ଖ୍ରୀଷ୍ଟିୟ ବିଶ୍ୱାସର ସତ୍ୟତା ନିମନ୍ତେ ଐତିହାସିକ ସଠିକତା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପପୁନଉତ୍ଥାନ ଯୀଶୁଙ୍କ ଇଶ୍ୱରତ୍ଵ, ତାଙ୍କର ମୁକ୍ତି ପ୍ରଦାନକାରୀ  ମୃତ୍ୟୁର ପୂର୍ଣ୍ଣତା, ଆଉ ଅନନ୍ତ ଜୀବନର ଆଶା ବିଷୟ ପ୍ରମାଣ ସିଦ୍ଧ କରେ। ଯୀଶୁ ଙ୍କ ଠାରେ ବିଶ୍ଵାସ ରଖିବା ଅର୍ଥ ସତ୍ୟକୁ ବିଶ୍ଵାସ କରିବା। କାରଣ ଏହି ସତ୍ୟ ଐତିହାସିକ।

ନେତୃତ୍ଵ ଶିକ୍ଷା

 ନେତୃତ୍ଵ ଶିକ୍ଷା

ଯିହୋଶୂୟ ୧:୧-୯

…...ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ବାସୀମାନଙ୍କର ଆଦର୍ଶସ୍ୱରୂପ ହୁଅ। 

(୧ ତିମଥି ୪:୧୨)

ଆପଣ ଜଣେ ନେତା ଅଟନ୍ତି । ହଁ, ଆପଣ ! ଆପଣ ହୁଏତ ରାଷ୍ଟ୍ରପତି କିମ୍ବା ଗୋଟିଏ  ଅନୁଷ୍ଠାନର ପରିଚାଳକ ହୋଇ ନ ପାରନ୍ତି।  ମାତ୍ର ଅନ୍ୟମାନଙ୍କର ନେତୃତ୍ଵ ନେବା ପାଇଁ ଅପଣଙ୍କୁ ଆହ୍ୱାନ କରାଯିବ। 


       ଆପଣ ବିଦ୍ୟାଳୟରେ ଶିକ୍ଷା ଦେଉଛନ୍ତି କି ? ତେବେ ଆପଣ ଜଣେ ନେତା । ଆପଣ ଜଣେ ପିତା କିମ୍ବା ମାତା ଅଟନ୍ତି କି? ତେବେ ଆପଣ ଜଣେ ନେତା । ଚାକିରୀ କରନ୍ତି କି? ଆପଣ ଜଣେ ନେତା । ଆପଣଙ୍କ ବନ୍ଧୁମାନେ ଅଛନ୍ତି କି ? ତେବେ ଆପଣ ଜଣେ ନେତା । ଆପଣ ଯାହା ହୋଇଥାନ୍ତୁ, ଅନ୍ୟମାନେ ଆପଣଙ୍କୁ ଦେଖୁଛନ୍ତି ଓ ଆପଣଙ୍କ ଦୃଷ୍ଟାନ୍ତ ଦ୍ଵାରା ପ୍ରଭାବିତ ହେଉଛନ୍ତି । କେହି ଜଣେ କହିଛନ୍ତି, "ଜଣେ ଉତ୍ତମ ନେତା ସେ ଅଟନ୍ତି, ଯିଏ ପଥ ଜାଣନ୍ତି, ସେହି ପଥରେ ଯାଆନ୍ତି ଓ ସେହି ପଥ ଦେଖାନ୍ତି ।"

ଯିହୋଶୂୟ ସେହିପରି ଥିଲେ। ସେ ପଥ ଜାଣିଥିଲେ ଓ ସଦାପ୍ରଭୁଙ୍କର ଆଜ୍ଞାବହ ହୋଇ ସେହି ପଥରେ ଯାଇଥିଲେ ଓ ଦାସ- ନେତୃତ୍ଵ ଯୋଗାଇବା ଦ୍ଵାରା ସେ ପଥ ପ୍ରଦର୍ଶନ କରିଥିଲେ । 

ଯିହୋଶୂୟଙ୍କୁ ଈଶ୍ଵର ଯାହା କହିଥିଲେ, ତା' ପ୍ରତି ଦୃଷ୍ଟିପାତ କରନ୍ତୁ-

  • ବଳବାନ୍ ଓ ସାହସିକ ହୁଅ (୬ପଦ) ।

  • ଜୀବନ ଯାପନ ପାଇଁ ଈଶ୍ଵରଙ୍କ ସମସ୍ତ ବ୍ୟବସ୍ଥା ପାଳନ କର (୭ପଦ)

  • ଈଶ୍ୱର ଯାହା କହିଛନ୍ତି, ସେ ବିଷୟରେ ପ୍ରାୟ ଚିନ୍ତା କର (୮ପଦ)

  • ଈଶ୍ୱର ତୁମର ସହବର୍ତ୍ତୀ ବୋଲି ମନେରଖ (୯ପଦ)


     ଆମେ ନେତୃତ୍ୱର ଏହି ସମସ୍ତ ଶିକ୍ଷାକୁ ମନ ମଧ୍ୟରେ ରଖିବା ଆବଶ୍ୟକ, କାରଣ ଲୋକମାନେ ଆମର ଦୃଷ୍ଟାନ୍ତ ଅନୁସରଣ କରୁଛନ୍ତି।ଯଦି ଆମେ ସେଗୁଡିକୁ ଉତ୍ତମ ଭାବେ ଶିକ୍ଷା କରିବା, ତେବେ ଆମେ ସେହି ମାର୍ଗ ଜାଣିବା, ସେଥିରେ ଗମନ କରିବା ଓ ଅନ୍ୟମାନଙ୍କୁ ଦେଖାଇବା, ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ - ପୁଣି ଆମେ ଉତ୍ତମ ନେତା ହୋଇପାରିବା ।

ଆପଣ କାର୍ଯ୍ୟ କରୁଅଛନ୍ତି କି?

 ଆପଣ କାର୍ଯ୍ୟ କରୁଅଛନ୍ତି କି ? 

ଏଫିସୀୟ ୪:୭-୧୬

……. ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ……(ଶରୀର) ନିଜର ବୃଦ୍ଧିସାଧନ କରୁଅଛି। (ଏଫିସୀୟ୪:୧୬)


ମୁଁ ଏପରି ଗୋଟିଏ ରାସ୍ତାରେ ଗାଡ଼ି ଚଳାଉଥିଲି, ଯେଉଁ ରାସ୍ତାରେ ପ୍ରାୟ କେହି ଯାତ୍ରା କରନ୍ତି ନାହିଁ । ହଠାତ୍, ମୋର ଗାଡ଼ି ଧୀର ହୋଇଗଲା, ଓ ଗୋଟିଏ ମୁହୂର୍ତ୍ତ ପାଇଁ ଫଟ୍ ଫଟ୍ ଶବ୍ଦ କରି ଗୋଟିଏ ଶେଷ ଝଟକା ସହିତ ବନ୍ଦ ହୋଇଗଲା। ସେଠାରେ ମୋ' ପାଖରେ କେବଳ ଗୋଟିଏ ପେଚକଷ ଓ ଗୋଟିଏ ପ୍ଲାସ ଥିଲା ଓ ଗୋଟିଏ ମରାମତି ମିସ୍ତ୍ରୀଠାରୁ ମୁଁ ମାଇଲ୍ ମାଇଲ୍ ଦୂରରେ ଥିଲି । ପୁଣି ମୁଁ କାର୍ ଇଞ୍ଜିନ୍ ବିଷୟରେ କିଛି ଜାଣି ନ ଥିଲି । 


ମୁଁ କାରର ହୁଡ ଟେକି ଚାରିଆଡ଼କୁ ଚାହିଁଲି, ମାତ୍ର ସବୁ କିଛି ଠିକ୍ ଥିଲା ଭଳି ଲାଗିଲା। ସେତେବେଳେ ସେହି ବାଟ ଦେଇ ମୋର ଜଣେ ବନ୍ଧୁ ଆସୁଥିଲେ । ସେ କାରର କାରବ୍ୟୁରେଟର ଖୋଲି କହିଲେ, "ଯଥେଷ୍ଟ ତେଲ ଅଛି ।" ଏହାପରେ ସେ ପେଚକଷକୁ କିଛି ବିଦ୍ୟୁତ୍ ଯୋଗାଯୋଗ ମଧ୍ୟରେ ରଖିଲେ ଓ କହିଲେ, "ଆହା - ବିଦ୍ୟୁତ୍ ପ୍ରବାହ ବିଚ୍ଛିନ୍ନ ହୋଇଛି । "ଅତି ଶୀଘ୍ର ସେ ଏପରି ଗୋଟିଏ ହୁଗୁଳା ତାର ଆବିଷ୍କାର  କଲେ, ଯାହା ମୋଟରର ଗତିକୁ ବନ୍ଦ କରି ଦେଇଥିଲା । 


ଠିକ୍ ଯେପରି ଇଞ୍ଜିନ୍ନର କ୍ଷୁୁଦ୍ର ଅଂଶଗୁଡିକ ଏହାକୁ  ଗତିଶୀଳ ରଖିବାରେ ଅପରିହାର୍ଯ୍ୟ ଅଟନ୍ତି, ସେହିପରି ଖ୍ରୀଷ୍ଟଙ୍କ ଶରୀରରର ଅର୍ଥାତ୍ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆପଣଙ୍କ କାର୍ଯ୍ୟ ସମ୍ପନ୍ନ କରିବାରେ ବିଫଳତା ହୁଏତ ସମଗ୍ର ଶରୀରକୁ ଯଥାର୍ଥଭାବେରେ କାର୍ଯ୍ୟକ୍ଷମ ହେବାରେ ବାଧା ଦେଇପାରେ ।ପ୍ରାର୍ଥନା କରିବାରେ ଆପଣଙ୍କ ବିଫଳତା  ହୁଏତ ଶକ୍ତି ହ୍ରାସର କାରଣ ହୋଇପାରେ । ସାକ୍ଷ୍ୟ ଦେବାରେ ଆପଣଙ୍କ ବିଫଳତା ଯୋଗୁ ହୁଏତ କେହି ଜଣେ ସୁସମାଚାର ଶୁଣେ ନାହିଁ । ମଣ୍ଡଳୀକୁ ଆପଣଙ୍କ ଅର୍ଥ ସହାୟତାରେ ବିଫଳତା ହୁଏତ ପ୍ରଚାର କାର୍ଯ୍ୟ କିମ୍ବା ସେବାକାର୍ଯ୍ୟକୁ ହ୍ରାସ କରିପାରେ । ଆପଣଙ୍କ କ୍ଷୁଦ୍ର ଭୂମିକାକୁ ଯଦି ଅବହେଳା କରାଯାଏ, ତେବେ ଏହା ବଡ଼ ବଡ଼  ସମସ୍ୟା ସୃଷ୍ଟି କରିପାରେ । ଆପଣ ନିଜର କାର୍ଯ୍ୟ କରୁଅଛନ୍ତି କି !

ଭୁଲ ନାମର ବ୍ଯବହାର

 ଭୁଲ ନାମର ବ୍ଯବହାର

ଯିଶାଇୟ ୫ : ୧୮-୨୫

ଯେଉଁମାନେ ମନ୍ଦ କୁ ଭଲ ଓ ଭଲ କୁ ମନ୍ଦ କହନ୍ତି…. ସେମାନେ ସନ୍ତାପର ପାତ୍ର।      (ଯିଶାଇୟ୫:୨୦)


ଗୋଟିଏ ସମ୍ବାଦ ପତ୍ରର ଲେଖକ ବିଜ୍ଞାପନରେ ସତ୍ୟକୁ ଯେପରି ଭାବରେ ସଂପ୍ରସାରଣ କରାଯାଏ, ସେଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବୋଷ୍ଟାନର ଗୋଟିଏ ଭୋଜନାଳୟରେ ଖାଦ୍ୟ ତାଲିକା ଦେଖି ସେ 'ସତେଜ ଫଳର ସାଲାଡ୍ ମାଗାଇଥିଲେ ବୋଲି ସ୍ମରଣ କରିଥଲେ। ମାତ୍ର ଯେତେବେଳେ ସେହି ଖାଦ୍ୟ ପରଷା ଗଲା, ସେତେବେଳେ ସେଥିରେ ସତେଜ ଫଳର ଚିହ୍ନବର୍ଣ୍ଣ ନ ଥିଲା । ଅଙ୍ଗୁର, ସପୁରୀ, ଚେରୀ ଇତ୍ୟାଦି ଫଳ ଗୁଡ଼ିକ ଟିଣ ଡ଼ବାରେ ଅନେକ ମାସ ବିତାଇ ନିଜ ନିଜର ରସ ସବୁ ନିଗାଡି ଦେଇଥିଲେ।' ସତେଜ' ଫଳ ସାଲାଡ୍ ର ଏପରି ଅବସ୍ଥା ବିଷୟରେ ଯେତେବେଳେ ପରିବେଷଣକାରୀ ମହିଳାଙ୍କୁ ପଚରା ଗଲା, ସେତେବେଳେ ସେ ଖୁସିରେ ଉତ୍ତର ଦେଇଥିଲେ, "ଓଃ, ପ୍ରିୟ ବନ୍ଧୁ, ସେମାନେ ଏହାକୁ ଏହିପରି ନାମ ଦେଇଛନ୍ତି ।" 

ଏହିପ୍ରକାର ପ୍ରତାରଣା କେବଳ ବିଜ୍ଞାପନରେ ଦେଖିବାକୁ ମିଳେ ନାହିଁ, ଏହା ସେତେବେଳେ ମଧ୍ୟ ଘଟେ, ଯେତେବେଳେ ଲୋକମାନେ ଈଶ୍ୱରଙ୍କ ସତ୍ୟ ଓ ଉତ୍ତମତାର ନିୟମରୁ ଦୂରେଇ ଯାଆନ୍ତି। ପ୍ରତାରଣା, ଭୁଲ୍ ନାମର ବ୍ଯବହାର ଓ ପ୍ରକାଶ୍ୟ ମିଥ୍ୟା ଗୋଟିଏ ଅନୈତିକ ବ୍ୟକ୍ତିର ବ୍ୟବସାୟିକ ଉପକରଣ ଅଟେ। ସ୍ୱାର୍ଥପର ଓ ଦୁଷ୍ଟ ଲୋକମାନେ ନିଜ ନିଜକୁ ଉଦାର ଓ ଉତ୍ତମ ବୋଲି କହନ୍ତି, ପାପର ଦାସମାନେ ନିଜ ନିଜକୁ ମୁକ୍ତ ବୋଲି କହନ୍ତି। ମୂର୍ଖମାନେ ନିଜ ନିଜକୁ ଜ୍ଞାନୀ ବୋଲି କହନ୍ତି। ପୁଣି ଲାଳସାରେପୂର୍ଣ୍ଣ  ଲୋକମାନେ ସେମାନଙ୍କର କାର୍ଯ୍ୟକୁ ପ୍ରେମ ବ୍ୟାପର ଭାବନାରେ ବର୍ଣ୍ଣନା କରନ୍ତି ଈଶ୍ୱର ଏପରି ଭୁଲ୍ ସଂଜ୍ଞା ଦ୍ଵାରା ପ୍ରତାରିତ ହୁଅନ୍ତି ନାହିଁ । ଯିଶାଇୟ ୫:୨୦ ରେ ସେ ସେହି ଲୋକମାନଙ୍କ ବିଷୟରେ ସତର୍କ କରିଦେଇଥିଲେ, ଯେଉଁମାନେ 'ମନ୍ଦକୁ ଭଲ, ଓ ଭଲ କୁ ମନ୍ଦ' ବୋଲି କହନ୍ତି। ଆମେ ସମସ୍ତ ସତ୍ୟ ସମ୍ବନ୍ଧରେ ଈଶ୍ୱରଙ୍କଠାରୁ ଆମର ସଂଜ୍ଞା ଗ୍ରହଣ କରିବା। ତାଙ୍କ ନିକଟରେ କୌଣସି ଭୂଲ୍ ନାମ କିମ୍ବା ସଂଜ୍ଞା ନାହିଁ।

ଚିକଣ କୁହା

 ଚିକଣ  କୁହା

ତିତସ୍ ୧:୫-୧୬

କିନ୍ତୁ ତୁମ୍ଭେ ହିତାଜନକ ଶିକ୍ଷାରେ  ଉପଯକ୍ତ କଥା କୁହ

(ତିତସ୍ ୨:୧)

 'ବାଗ୍ମୀତା,' ଅର୍ଥାତ୍ ବକୃତା ଦେବାର ଦକ୍ଷତା କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ବ୍ୟଙ୍ଗସୂଚକ ମନ୍ତବ୍ୟ ଦେଇ କହିଥିଲେ , "ଯଦି ଆପଣ କଳା କୁ ଧଳା କହନ୍ତି, ତେବେ ତାହା ମୂର୍ଖତା ଅଟେ । ମାତ୍ର ଯଦି ଆପଣ କଳା କୁ ଧଳା କହିବା ସମୟରେ ଗୋଟିଏ ବଳଦ ଭଳି ଗର୍ଜନ କରନ୍ତି, ଉଭୟ ହାତକୁ ମୁଠା କରି ମେଜ କୁ ଆଘାତ କରନ୍ତି, ଓ ମଞ୍ଚର ଗୋଟାଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବା ଆସିବା କରୁଥାନ୍ତି, ତେବେ ତାହା ବାଗ୍ମୀତା ଅଟେ। 

ଲୋକମାନେ ନିଜ ନିଜକୁ ଯେପରି ଭାବରେ ପ୍ରକାଶ କରନ୍ତି, ତଦ୍ୱାରା ଆମେ ଅତିଶୀଘ୍ର ଅଭିଭୂତ ହୋଇଯାଇପାରୁ, ଯଦିଓ ସେମାନଙ୍କ ବାର୍ତ୍ତା  ବିଷୟରେ ଆମ ମନରେ କିଛି ସନ୍ଦେହ ରହିଥାଏ। ଯିହୁଦା ସେହି  ଲୋକମାନଙ୍କ ବିଷୟରେ ଆମକୁ ସତର୍କ କରି ଦେଇଛନ୍ତି, ଯେଉଁମାନଙ୍କର 'ମୁଖ ବଡ଼ ବଡ଼ କଥା କୁହେ' (୧୬) ପଦ ଲୋକମାନେ, ପ୍ରାୟତଃ  ବିଷୟବସ୍ତୁ ଅପେକ୍ଷା ଶୈଳୀ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। 

ପାଉଲଙ୍କ ଅନୁସାରେ, ଏପରି ସମୟ ଆସିବ, ଯେତେବେଳେ ଲୋକମାନେ ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କେବଳ ସେହି ଲୋକମାନଙ୍କୁ ସହ୍ୟ କରିବେ, ଯେଉଁ ମାନେ ମଜାଳିଆ କଥା କହି ଲୋକମାନଙ୍କୁ ସନ୍ତୁଷ୍ଟ କରନ୍ତି (୨ ତିମଥି ୪:୩-୪)


ସେଥିପାଇଁ ଆମେ ଶୁଣୁଥିବା ପ୍ରତ୍ୟେକଟି  କଥା କୁ ଧର୍ମଶାସ୍ତ୍ରର

ଆଲୋକରେ ସାବଧାନତାର ସହିତ ବିଶ୍ଳେଷଣ ଓ ମୂଲ୍ୟାଙ୍କନ କରିବାକୁ ହେବ ଏପରିକି ଅତି ଦକ୍ଷ ବକ୍ତାମାନଙ୍କ ଶିକ୍ଷା କୁ ମଧ୍ୟ ପରୀକ୍ଷା କରିବାକୁ ହେବ । ସାଧାରଣ ବାଗ୍ମୀତା ଦ୍ଵାରା, ବିଶେଷ ଭାବରେ, ମଣ୍ଡଳୀ ଗୁଡ଼ିକରେ ପ୍ରଦତ୍ତ ଆଡମ୍ବର  ପୂର୍ଣ୍ଣ ବକୃତା ଦ୍ଵାରା ନିଜ ନିଜକୁ ଭସାଇ ନେବା ପାଇଁ ଆମେ ଅନୁମତି ଦେବା ନାହିଁ।

ଆପଣଙ୍କୁ ଦ୍ଵନ୍ଦଗ୍ରସ୍ତ କରିବା ପାଇଁ 'ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକମାନଙ୍କୁ  ଅନୁମତି ଦିଅନ୍ତୁନାଇ । ବାଗ୍ମୀତା ଆଦୌ ସତ୍ୟର ଏକ ପ୍ରତିବଦଳ ନୁହେଁ।



ସ୍ୱର୍ଗୀୟ ଗୃହ

 ସ୍ୱର୍ଗୀୟ ଗୃହ

କଲସୀୟ ୩:୧-୬

ପାର୍ଥିବ ବିଷୟରେ ଆସକ୍ତ ବା ନ ହୋଇ ଉର୍ଦ୍ଧ୍ବସ୍ଥ ବିଷୟରେ ଆସକ୍ତ ହୁଅ।   (କଲସୀୟ ୩:୨)


ଯୀଶୁଙ୍କର ଶିଷ୍ୟଭାବେ ମୋର ସ୍ୱର୍ଗୀୟ ଗୃହ ସହ ସଂଯୋଗ ରହିବା ଉଚିତ୍ ପାଉଲ କହନ୍ତି, "ଉର୍ଦ୍ଧ୍ବସ୍ଥ ବିଷୟ ପ୍ରତି ଆସକ୍ତ ହୁଅ" (କଲସୀୟ ୩:୧-୨) ଆମର ମାଣ୍ଡଳୀକ ସାମାଜିକ ଜୀବନର ନିୟନ୍ତ୍ରଣ କକ୍ଷ ସ୍ୱର୍ଗ ଅଟେ। ଜଣେ ସୈନିକ ଯୁଦ୍ଧ କ୍ଷେତ୍ରରେ ଯେପରି ସେନାଧ୍ୟକ୍ଷର ଆଦେଶ ପ୍ରତି ମନୋଯୋଗ କରେ, ଆମକୁ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଆଦେଶ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହେବ। ଜଣେ ଯୋଦ୍ଧା ସ୍ଵାଧୀନ ଚିନ୍ତାଧାରା ସମ୍ବଳିତ କାର୍ଯ୍ୟ ବା ନିଜ ପରିକଳ୍ପିତ  ଯୋଜନା କରି ନ ଥାଏ।

ସେ ଆପଣା ଉପରିସ୍ଥଙ୍କ ନିର୍ଦ୍ଦେଶ ପ୍ରତି ଅପେକ୍ଷା କରେ ଓ ତାଙ୍କ ନିର୍ଦ୍ଦେଶରେ ଅଗ୍ରସର ହୁଏ। ଯେହେତୁ ସେ ଜାଣେ ଯେ, ତାଙ୍କ ଆଦେଶ ବିନା ଅଗ୍ରସର ହେଲେ ସେ ଭୟଙ୍କର ବିପଦର ସମ୍ମୁଖୀନ ହେବ।

ଆମ ଜୀବନର ବିଫଳତା ପାଇଁ ଆମେ ଦାୟୀ। ଆମେ ନିଜର ଶାରୀରିକ ଅଭିଳାଷ ଓ ଚକ୍ଷୁର ଅଭିଳାଷ ଚରିତାର୍ଥ କରିବା ପାଇଁ ପ୍ରଭୁଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁ। ସମୟେ ସମୟେ ଆମେ ସଠିକ୍ ପଥ ଜାଣିଲେ ମଧ୍ୟ ଲୋକଭୟ ବା ଅନ୍ୟମାନଙ୍କର  ହସ୍ତକ୍ଷେପ ହେତୁ ସେହି ପଥରେ ଯାଇ ନ ଥାଉ। ତେବେ ସ୍ୱର୍ଗୀୟ ବିଷୟ ସକଳ ପ୍ରତି ଧ୍ୟାନ ଦେଲେ ଆମର ଆଚରଣରେ ଘୋର ପରିବର୍ତ୍ତନ ଆସିବ। ତେବେ ସ୍ୱର୍ଗରେ କେଉଁ ବିଷୟକୁ ପ୍ରାଧାନ୍ୟ ଦିଆଯାଏ ବା ସେଥିପାଇଁ ଆବଶ୍ୟକୀୟ ବିଷୟଗୁଡ଼ିକ କ'ଣ ତାହା ଆମେ ଜାଣିବା ଆବଶ୍ୟକ। ଆମେ ଜଗତରେ ଯେ ସକଳ କାର୍ଯ୍ୟରେ ବ୍ୟସ୍ତ ଓ ଚିନ୍ତାଗ୍ରସ୍ତ, ସ୍ବର୍ଗରେ ତାହାର କି ମୂଲ୍ୟ ଅଛି? ଯଦି ଆମେ ଆମର ନିୟନ୍ତ୍ରଣ କକ୍ଷ, ସ୍ୱର୍ଗର ଅଧିକାରୀ  ଯୀଶୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ଓ ତାହାଙ୍କ ବାକ୍ୟ ଦିବାରାତ୍ର ଧ୍ୟାନ କରିବା, ତା' ହେଲେ ଆମ ଜୀବନରେ କାହାକୁ ଅଗ୍ରାଧିକାର ଦେବା, ତାହା ଜାଣିପାରିବା। ତାଙ୍କ କର୍ତ୍ତୃତ୍ୱାଧୀନ ହେଲେ ଆମ ଜୀବନ ଆଶୀର୍ବାଦ ପାଇବ, ସେ ସେଥିରେ ଦୁଃଖ ଯୋଗ କରିବେ ନାହିଁ।

ଏକ ହତ୍ୟାର ଇତିହାସ

 ଏକ ହତ୍ୟାର ଇତିହାସ

ମାଥିଉ ୫:୨୧-୨୬

କଳିର ଆରମ୍ଭ ହେଉଛି (ବନ୍ଧ କାଟି) ଜଳ ଛାଡ଼ି ଦେବା ପରି, ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼ । (ହିତ ୧୭:୧୪)


ସମ୍ବାଦପତ୍ରରେ ଗୋଟିଏ ଦକ୍ଷିଣ ଆଫ୍ରିକୀୟ ଦେଶରେ ଘଟିଥିବା ହିଂସାତ୍ମକ ଦୁଃଖଦ ଘଟଣାର ସମ୍ବାଦ ଦେଇଥିଲା । ଗୋଟିଏ କୃଷକ ନିଜର ସର୍ବୋତ୍ତମ ବନ୍ଧୁଙ୍କ ସହିତ ରାଜନୈତିକ ମତଭେଦ ବିଷୟରେ ଯୁକ୍ତି ତର୍କ କରୁ କରୁ ତାଙ୍କୁ ହତ୍ୟା କରିଥିଲେ । ସେ ଏପରି କାହିଁକି କଲେ ବୋଲି ପ୍ରଶ୍ନ କରାଯିବାରୁ ସେ ପ୍ରୀତିଭଦ ବାକ୍ୟରେ ଉତ୍ତର ଦେଇଥିଲେ, "ଆମେ ଶାନ୍ତିରେ କଥାବାର୍ତ୍ତା ଆରମ୍ଭ କରିଥିଲୁ, ଓ ଏହାପରେ ଯୁକ୍ତିତର୍କ କରିଥିଲୁ। ଯେତେବେଳେ ସେ କଥା କହିବାର ସୀମା ଟପିଗଲା, ସେତେବେଳେ ମୁଁ ତାକୁ ହତ୍ୟା କଲି ।" 


ଏହି ଦୁଃଖଦ ଘଟଣା କ୍ରୋଧ ଓ ନରହତ୍ୟା ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ସମ୍ବନ୍ଧରେ ମାଥିଉ ୫ ପର୍ବ ରେ ଯୀଶୁଙ୍କ ଶିକ୍ଷା କୁ ମନେ ପକାଇଦିଏ । ପ୍ରଥମେ ସେ କ୍ରୋଧର ଗାମ୍ଭୀର୍ଯ୍ୟ ଉପରେ ଗୁରୁତ୍ବ ଦେଇଥିଲେ (୨୧-୨୨ପଦ) ନରହତ୍ୟା ସଦୃଶ୍ୟ, ଈର୍ଷାଜନିତ କ୍ରୋଧକୁ ଈଶ୍ଵର ଦଣ୍ଡ ଦେବେ ବୋଲି ସେ ସତର୍କ କରିଦେଇଥିଲେ । ଏହାପରେ ସେ ଜଣେ ବ୍ୟକ୍ତିର ଅନ୍ୟପ୍ରତି ଥିବା କ୍ରୋଧ ଭାବକୁ ଦୂର କରିବା ପାଇଁ ବ୍ୟବହାରିକ ଉପଦେଶ ଦେଇଥିଲେ (୨୩-୨୬ପଦ)


 ଆମେ ଆମର ଆଭ୍ୟନ୍ତରୀଣ କ୍ରୋଧ ପ୍ରତି ନିକଟରୁ ଦୃଷ୍ଟିପାତ କରିବା ଉଚିତ୍ । ଆମେ ଏହାକୁ ନିୟନ୍ତ୍ରଣ କରିପାରିବୁ ବୋଲି ଭାବିପାରୁ । ଦୂର୍ଭାଗ୍ୟବଶତଃ, ଆମର ଶତ୍ରୁତାଭାବ ଆମକୁ ପ୍ରାୟ ନିୟନ୍ତ୍ରଣ କରେ ଓ ଏପରି ବିଷୟ କରିବାକୁ ଆମକୁ ପ୍ରରୋଚିତ କରେ, ଯାହା ଆମେ ସ୍ପଷ୍ଟଭାବରେ ଚିନ୍ତା କରିବା ସମୟରେ ଆଦୌ କରି ନ ଥାନ୍ତୁ । ସେଥିପାଇଁ ଶାନ୍ତ ହୋଇ ନ ଥିବା କ୍ରୋଧକୁ ଏପରି ଏକ ସମୟ ବୋମା ଭାବରେ ଦେଖାଯିବା ଆବଶ୍ୟକ, ଯାହାର ବିସ୍ଫୋରଣ ଘଟିପାରେ ଓ ଆମକୁ ଧ୍ଵଂସ କରିବା ସଙ୍ଗେ ସଙ୍ଗେ ଏହା ଅନ୍ୟ ମାନଙ୍କର ଅପୂରଣୀୟ କ୍ଷତି କରିପାରେ । ଅବଶ୍ୟ, ସମସ୍ତ କ୍ରୋଧ ଭୁଲ୍ ନୁହେଁ । ମାତ୍ର ସମସ୍ତ ଭୁଲ୍ କ୍ରୋଧକୁ ସ୍ଵୀକାର କରାଯିବା ଓ ଏହା 'ହତ୍ୟା' ଦିଗକୁ କଢ଼ାଏ ନେବା ପୂର୍ବରୁ ଏହାକୁ ଦୂର କରିବା ଆବଶ୍ୟକ ଅଟେ । 

ଯଥାର୍ଥ କାର୍ଯ୍ୟର ଶେଷ ଫଳ

ଯଥାର୍ଥ କାର୍ଯ୍ୟର ଶେଷ ଫଳ

୨ କର ୪:୭-୧୮

ଆମ୍ଭେମାନେ ସର୍ବପ୍ରକାର କ୍ଲେଶ ଭୋଗ କରୁଅଛୁ, ତଥାପି ଅବରୋଧ ନୋହୁ, ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁ । ( ୨ କର ୪:୮)

ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ବିଚରା ଲୋକଟି ନିଜେ ବଡ଼ ଅସୁବିଧାରେ ପଡ଼ିଗଲା । ଲୋକଟି ଗୋଟିଏ ଗ୍ରାମରେ ବଢ଼ି ଉଠିଥିଲା ଏବଂ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଓ ଗାଡ଼ି ଚାଲକମାନଙ୍କୁ ସାହାଯ୍ୟ କରିବା ଥିଲା ତା'ର ଏକ ନୈତିକ ଦାୟିତ୍ୱ ଓ ଅଭ୍ୟାସ । ଥରେ ସେ ଏକ ମହାନଗରୀକୁ ଆସିଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଅଟକି ରହିଥିବା ଦେଖି, ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ପହଞ୍ଚିଲେ । କିନ୍ତୁ ସେ ଜାଣି ନ ଥିଲେ, ଯେ ସେହି ବ୍ୟକ୍ତି ଜଣକ ଥିଲେ ଜଣେ ଡକାୟତ । ଉକ୍ତ ବ୍ୟକ୍ତି ତାକୁ କ୍ଷତବିକ୍ଷତ କରି ତା' ଠାରୁ ସମସ୍ତ ଟଙ୍କା ପଇସା ଛଡେଇ ନେଇ ଚାଲିଗଲା। ସୌଭାଗ୍ୟକ୍ରମେ ଲୋକଟି ବଞ୍ଚିଗଲା ଏବଂ ସେ ସୁସ୍ଥ ହେବା ପରେ ଏହିପ୍ରକାର ମନ୍ତବ୍ୟ ଦେଇଥିଲା 'ଈଶ୍ୱରଙ୍କ ଉପରେ ମୋ' ର ବିଶ୍ଵାସ ଓ ଭରସା ଆହୁରି ଗଭୀର ହୋଇଛି ଏବଂ ମୁଁ ତ ତଥାପି ବିଶ୍ଵାସ କରେ, ଅନ୍ୟକୁ ସାହାଯ୍ୟ କରିବା ଏକ ଯଥାର୍ଥ କାର୍ଯ୍ୟ ।' 

ଏହି ଉଦାହରଣ ଦେବା ଦ୍ବାରା ମୁଁ ଯେ ଆପଣମାନଙ୍କୁ  ଅସୁବିଧାରେ ପଡ଼ିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଉଛି, ତାହା ନୁହେଁ । ସତର୍କତାର ସହିତ କାର୍ଯ୍ୟ କରିବା ନିଶ୍ଚିୟ ବୁଦ୍ଧିମାନର କାର୍ଯ୍ୟ। କିନ୍ତୁ ନୂତନ ନିୟମ ଆମ୍ଭମାନଙ୍କୁ ଦର୍ଶାଏ ଯେ, ଅନ୍ୟକୁ ସାହାଯ୍ୟ କରିବା ଦ୍ବାରା ଆମେ ନିଜେ ଅସୁବିଧାର ସମ୍ମୁଖୀନ ହେଉ। ସୁସମାଚାରର ସେବା ପାଇଁ କିମ୍ବା ଆମର ଉତ୍ତମ କାର୍ଯ୍ୟ ପାଇଁ, ଶ୍ରୀଘ୍ର ହେଉ ବା ବିଳମ୍ବରେ ହେଉ, ଆମ୍ଭେମାନେ ନିଶ୍ଚିୟ ବିରୋଧରେ ସମ୍ମୁଖୀନ ହେବୁ। ତଥାପି, ଏହି ବିରୋଧର ଶେଷଫଳ ଆନନ୍ଦଜନକ ହେବ ।

ଉଦାହରଣସ୍ୱରୂପ, ସାଧୁ ପାଉଲ ସୁସମାଚାର ସକାଶେ ନିର୍ଯ୍ୟାତିତ ହେଲେ, ଘୃଣିତ ହେଲେ, କ୍ଷତବିକ୍ଷତ  ହେଲେ ଏବଂ ନୌରାଶ୍ୟ ଜର୍ଜ୍ଜରିତ ହେଲେ। କିନ୍ତୁ ସେ ଏ ବିଷୟରେ ନିଃସନ୍ଦେହ ଥିଲେ ଯେ, ସେ ଯାହା କରୁଥିଲେ, ତାହା ଥିଲା ଯଥାର୍ଥ କାର୍ଯ୍ୟ । ଏହା ମଧ୍ୟ ସେ ଜାଣିଥିଲେ ଯେ, ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି ଶେଷ ଦିନ ପ୍ରଭୁ ନିଜେ ତାହାର ଅନନ୍ତ ମୂଲ୍ୟ ନିରୂପଣ କରିବେ  ଏବଂ ଅନ୍ୟମାନଙ୍କର ଆତ୍ମାଲାଭ ପାଇଁ ବର୍ତ୍ତମାନ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ଯେତେ କଷ୍ଟକର ହେଲେ ମଧ୍ୟ ଅନନ୍ତକାଳ ନିମନ୍ତେ ଲାଭଦାୟକ । 

ଆପଣ କିପରି ଶୁଣନ୍ତି ?

 ଆପଣ କିପରି ଶୁଣନ୍ତି ?

ଲୁକ ୮:୧୬-୧୮

…..କିପରି ଶୁଣୁଅଛ, ସେ ବିଷୟରେ ସାବଧାନ ହୁଅ । 

(ଲୁକ ୮:୧୮)


ଗୋଟିଏ ଛୋଟ ବାଳକ ଗୋଟିଏ ପ୍ରହେଳିକା ସମାଧାନ କରିବା ପାଇଁ ନିଜର ବାପାଙ୍କୁ କହିଲା । ସେ ପଚାରିଲା, "ଗୋଟିଏ କାଠ ଉପରେ ତିନୋଟି ବେଙ୍ଗ ବସିଥିଲେ । ସେଗୁଡ଼ିକ ମଧ୍ୟରୁ ଗୋଟିଏ ତଳକୁ ଡେଇଁବା ପାଇଁ ନିଷ୍ପତ୍ତି ନେଲା । ତେବେ ଆଉ କେତୋଟି ବେଙ୍ଗ ରହିଲେ ? "ବାପା ଉତ୍ତର ଦେଲେ, "ଅବଶ୍ୟ, ଦୁଇଟି" । ପିଲାଟି ଖୁସିରେ କହିଲା, "ତୁମେ ଭୁଲ୍ କହିଲ । ସେହି ତିନୋଟି ଯାକ ବେଙ୍ଗ ରହିଲେ । କାରଣ ଗୋଟିଏ ବେଙ୍ଗ ଡେଇଁବା ପାଇଁ କେବଳ 'ନିଷ୍ପତ୍ତି' ନେଇଥିଲେ, ମାତ୍ର ଡେଇଁ ନ ଥିଲା !" 


ଆପଣା କିପରି ଶୁଣୁଛନ୍ତି, ସେ ବିଷୟରେ ସାବଧାନ ହୁଅନ୍ତୁ । ଅନ୍ୟ ଜଣଙ୍କର  ମନ୍ତବ୍ୟକୁ  ବିଚାର କରିବା ପୂର୍ବରୁ, ସେ କ'ଣ କହିଥିଲା ଓ କ'ଣ କହିବାକୁ ଚାହୁଁଥିଲା, ଠିକ୍ ତାହା ଜାଣିବାକୁ ଚେଷ୍ଟା କରନ୍ତୁ । 


'ମୁଁ କାହିଁକି ଏହିବର୍ଷ ଯୀଶୁଙ୍କର ଦ୍ଵିତୀୟ ଆଗମନକୁ ଅପେକ୍ଷା କରୁଅଛି' ନାମକ ଗୋଟିଏ ରେଡ଼ିଓ ବାର୍ତ୍ତା ପ୍ରଚାର କରିଥିଲି । ମୁଁ ଅନ୍ୟାନ୍ୟ ଚିଠି ସହିତ ଜଣେ ଶ୍ରୋତାଙ୍କଠାରୁ ଏକ ତୀକ୍ଷ୍ମ ପତ୍ର ପାଇଲି । ଖ୍ରୀଷ୍ଟଙ୍କ ପ୍ରତ୍ୟାଗମନର ସମୟ ନିରୂପଣ କରି ଏହାକୁ ପୂର୍ବରୁ ଜଣାଇଥିବାରୁ ସେ ମୋତେ ନିନ୍ଦା କରିଥିଲେ । ମାତ୍ର ମୁଁ ସେହିପ୍ରକାର କିଛି କହି ନ ଥିଲି । ମୁଁ ଆସନ୍ତା ବର୍ଷ ଖ୍ରୀଷ୍ଟଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରୁଅଛି ବୋଲି କେବଳ କହିଥିଲି । ସେ ସେହିବର୍ଷ ଆସିବେ ବୋଲି ମୁଁ କହି ନ ଥିଲି, ମାତ୍ର ତାଙ୍କ ଆଗମନକୁ ମୁ ଅପେକ୍ଷା କରୁଅଛି ବୋଲି କହିଥିଲି । ପୁଣି ଯଦି ସେ ଏହିବର୍ଷ ଆସିବେ ନାହିଁ, ତେବେ ମୁଁ ଆସନ୍ତା ବର୍ଷ ତାଙ୍କ ଆଗମନକୁ ଅପେକ୍ଷା କରିବି । 


ଦାୟିତ୍ୱହୀନ ଭାବରେ ଶୁଣିବାର ପରିଣତି ଗୁରୁତର ଭୁଲ୍ ଅଟେ । ଏହା ବାଇବେଲ ସହିତ ସଂପୃକ୍ତିରେ, ବିଶେଷ ଭାବରେ ସତ୍ୟ ଅଟେ । କାରଣ ଗୋଟିଏ ଶବ୍ଦ ସମ୍ବନ୍ଧୀୟ ଭୁଲ୍ ବୁଝାମଣା ଗୋଟିଏ ଭୁଲ୍ ଅର୍ଥ ଉତ୍ପନ୍ନ କରିପାରେ ଓ ଆମେ ଯାହା କରୁ ବୋଲି ଈଶ୍ଵର ଚାହାନ୍ତି, ତାହା କରିବାଠାରୁ ଆମକୁ ଦୂରରେ ରଖିପାରେ । 

ତାଙ୍କ ନାମରେ ପୋଷକଟିଏ

 ତାଙ୍କ ନାମରେ ପୋଷକଟିଏ

ମାର୍କ ୧୦:୧୩-୧୬


ଯେ କେହି ମୋ' ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ……..(ମାର୍କ ୯:୩୭)


ଆମର ଛୋଟ ଗୀର୍ଜା ଘର ମଧ୍ୟରେ ଗୋଟିଏ ଶୀତ ଦିନ ସକାଳେ ସୁଣ୍ଡେସ୍କୁଲ ହେଉଥିବା ସମୟରେ ପାଳକଙ୍କ ଦୃଷ୍ଟି ଗୋଟିଏ ଛୋଟ ପିଲା ଉପରେ ପଡ଼ିଲା । ସେ କେବଳ ଗୋଟିଏ ଟି' ସାର୍ଟ ଓ ହାଫ୍ ପ୍ୟାଣ୍ଟ ପିନ୍ଧିଥିଲା । ଶୀତ ଦିନରେ, ଏପରି ଅଳ୍ପ ପୋଷାକରେ ପିଲାଟିକୁ ଦେଖି ପାଳକ ଆଶ୍ଚର୍ଯ୍ୟ ହୋଇଗଲେ ।  ସେ ଏହି ବିଷୟ ନିଜର ସ୍ତ୍ରୀଙ୍କ  ଦୃଷ୍ଟିଗୋଚରକୁ ଆଣିଲେ । 


ସୁଣ୍ଡେସ୍କୁଲ ପରେ, ପାଳକଙ୍କ ସ୍ତ୍ରୀ ସେହି ସାନ ପିଲାକୁ ନିଜ ଘରକୁ ନେଲେ । ମଣ୍ଡଳୀ ଦାନ ସୂତ୍ରେ ମିଳିଥିବା ବିଭିନ୍ନ ପୋଷାକ ମଧ୍ୟରୁ ଗୋଟିଏ ସ୍ୱେଟର୍ ବାଛି ତାକୁ ପିନ୍ଧାଇ ଦେଲେ । ତା'ପରେ ପାଳକ ଓ ତାଙ୍କ ସ୍ତ୍ରୀ ଏକତ୍ର ସେହି ସାନ ପିଲାକୁ ନେଇ ତା' ଘରେ ଛାଡ଼ିବାକୁ ଗଲେ । ସେହି ସାନ ପିଲା ଘରେ,  ତା' ର ମା' ତାକୁ ଗୋଟିଏ ସ୍ୱେଟର୍ ପିନ୍ଧିଥିବା ଦେଖି ପାଳକ ଦମ୍ପତ୍ତିଙ୍କୁ ଅନେକ ଧନ୍ୟବାଦ ଅର୍ପଣ କଲେ । ସାମାନ୍ୟ ଏହି କାର୍ଯ୍ୟ ହେତୁ, ସେହି ସାନ ପିଲାର ପିତାମାତା ନିୟମିତ ରୂପେ ଉପାସନା ସଭାକୁ ଆସିବାକୁ ଲାଗିଲେ। ଆମର ଆଖପାଖରେ ଏପରି ମୌଳିକ ଆବଶ୍ୟକତା ପୁରଣ କରିପାରୁ ନ ଥିବା କେହି ପିଲା ଅଛନ୍ତି କି? ଆମେ ହୁଏତ କହିପାରୁ ଯେ, ଏମିତି ସାହାର୍ଯ୍ୟ କରିଚାଲିଲେ, ଆମ ଉପରେ ସମସ୍ତେ  ମାଡ଼ି ପଡ଼ିବେ ବା ଆମେ ସମସ୍ତଙ୍କୁ ସାହାର୍ଯ୍ୟ କରିପାରିବୁ ନାହିଁ। କିନ୍ତୁ ଏହା ଦ୍ୱାରା ଆମେ ସେମାନଙ୍କ ଆତ୍ମା ହରାଇବୁ । ଯୀଶୁ ଶିଶୁମାନଙ୍କର ଜୀଵନକୁ ଅନେକ ଗୁରୁତ୍ଵ ପ୍ରଦାନ କରିଛନ୍ତି । ସେ ତାଙ୍କର ଶିଷ୍ୟମାନଙ୍କ କହିଥିଲେ, "ପିଲାମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ,

କାରଣ ଈଶ୍ୱରଙ୍କ ରାଜ୍ୟ ଏପରି ଲୋକମାନଙ୍କର" (ମାର୍କ ୧୦:୧୪) । ସେ ଆହୁରି ମଧ୍ୟ ସେମାନଙ୍କୁ କହିଥିଲେ,"ଯେ କେହି ମୋ ନାମରେ  ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ" (ମାର୍କ ୯:୩୭) । ଗୋଟିଏ ପୋଷାକ, ସାମାନ୍ୟ ଖାଦ୍ୟ, ଏକ ଦୟାପୂର୍ଣ୍ଣ କଥା ବା ଆଉ କିଛି ବିଷୟ ଯଦି ଯୀଶୁଙ୍କ ନାମରେ ପ୍ରଦାନ କରାଯାଏ, ତେବେ ତାହା ପ୍ରକୃତ ସେବାକାର୍ଯ୍ୟର ଏକ ଉପକରଣରେ ପରିଣତ ହୋଇଯାଏ । ଆମେ କ'ଣ ସେଗୁଡିକୁ ସେପରି ବ୍ୟବହାର କରୁଛୁ?




ସମାଧି ଉପରେ ବିଜୟ

 ସମାଧି ଉପରେ ବିଜୟ

ଯୋହନ ୧୧:୨୫-୪୪


ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ' ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ । (ଯୋହନ ୧୧:୨୫)


ମୃତ୍ୟୁ ସେହି ଲୋକମାନଙ୍କୁ ଆମଠାରୁ ହରଣ କରିନିଏ, ଯେଉଁମାନଙ୍କୁ ଆମେ ଭଲ ପାଉ, ମାତ୍ର ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କ ପାଇଁ ଏହି ବିଚ୍ଛେଦ୍ୟ କ୍ଷଣକାଳସ୍ଥାୟୀ ଅଟେ । ଯୀଶୁଙ୍କର ପୁନରୁତ୍ଥାନ ଆମକୁ ଏହି ଭରସା ଦିଏ ଯେ ମୃତ୍ୟୁ ଯେପରି 'ତାଙ୍କୁ' ଧରି ରଖିପାରି ନ ଥିଲା, ସେହିପରି ସମାଧି ଆମ ପୁର୍ବରୁ ମୃତ୍ୟୁବରଣ କରିଥିବା ପିଲାମାନଙ୍କୁ, ପିତାମାତାମାନଙ୍କୁ, ବନ୍ଧୁ ଓ ସାଥୀମାନଙ୍କୁ ଧରି ରଖିପାରିବ ନାହିଁ। ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଆମ ଭରସାର ମୂଳଦୁଆ ଅଟେ


ଆମରିକୀୟ ସୁସମାଚାର ପ୍ରଚାରକ ଡି.ଏଲ୍. ମୁଡ୍ଡି ( ୧୮୩୭- ୧୮୯୯) ଇଙ୍କେରମ୍ୟାନ ଯୁଦ୍ଧ (କ୍ରିମିଆ ଯୁଦ୍ଧ - ୧୮୫୪) ର ଜଣେ ସୈନ୍ୟଙ୍କ ବିଷୟରେ କହିଥିଲେ, ଯିଏ ଗୁଳିବିଦ୍ଧ ହେବାପରେ କୌଣସି ପ୍ରକାରେ ନିଜର  ତମ୍ବୁକୁ ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ ସମର୍ଥ ହୋଇଥିଲେ । ପରେ ଯେତେବେଳେ ତାକୁ ଆବିଷ୍କାର କରାଗଲା, ସେତେବେଳେ ସେ ମୁଖ ମାଡ଼ି ପଡ଼ିଥିଲେ, ତାଙ୍କ ସମ୍ମୁଖରେ ବାଇବଲ ଉନ୍ମୁକ୍ତ ହୋଇପଡ଼ିଥିଲା, ତାଙ୍କ ହାତ ତାଙ୍କ ରକ୍ତ ଦ୍ଵାରା ଗୋଟିଏ ପୃଷ୍ଠା ଉପରେ ଲାଖି ରହିଥିଲା ଓ ସେହି ପୃଷ୍ଠାଟି ରକ୍ତରଞ୍ଜିତ ହୋଇଯାଇଥିଲା । ତାଙ୍କ ହାତକୁ ଟେକିବା ସମୟରେ, ଛାପାପୃଷ୍ଠାର କିଛି ବାକ୍ୟ ଏଥିରେ ସ୍ପଷ୍ଟ ଭାବରେ ଦୃଶ୍ୟ ହେଉଥିଲା । ପଦଟି ଏହିପରି ଥିଲା, "ମୁଁ ପୁନରୁତ୍ଥାନ ଓ ଜୀବନ । ଯେ ମୋ' ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ବଞ୍ଚିବ" (ଯୋହନ ୧୧:୨୫) । ମୁଡ୍ଡି କହିଥିଲେ, "ମୁଁ ସେହିପରି ଏକ ଧର୍ମ ଚାହେଁ, ଯାହା ମୃତ୍ୟୁରେ ସୁଦ୍ଧା ମୋତେ ସାନ୍ତ୍ଵନା ଦେଇପାରେ ଓ ମୋର ପ୍ରିୟଜନଙ୍କ ସହିତ ମୋତେ ମିଳିତ କରିପାରେ ପୁନରୁତ୍ଥାନ ସମ୍ବନ୍ଧୀୟ ଗୌରବମୟ ମତବାଦ ନ ଥିଲେ ଏହି ଜଗତ ଉପରେ କିପରି ଦୁଃଖ ଓ ଅନ୍ଧକାର ରହିଥାନ୍ତା । "


ଯଦି ଆପଣ ଦୁଃଖ କରୁଛନ୍ତି, ତେବେ ଏଥିରେ ସାନ୍ତ୍ଵନା ପାଆନ୍ତୁ: ଯୀଶୁ ବଞ୍ଚିଥିବାରୁ, ଆମେ ମଧ୍ୟ ବଞ୍ଚିବା ।


ଈଶ୍ବରଙ୍କ ଯୋଗାଣ

 ଈଶ୍ବରଙ୍କ ଯୋଗାଣ


ଗୀତ ୧୪୫:୧୪-୨୧      

ସମସ୍ତଙ୍କ ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ….। (  ଗୀତ ୧୪୫:୧୫ )


ଦିନେ ସକାଳେ ମୁଁ ବଜାରରେ ସଉଦା କିଣୁଥିବାବେଳେ, ଜଣେ ଭଦ୍ର ମହିଳାଙ୍କର ସମ୍ମୁଖୀନ ହେଲି । ତାଙ୍କର କଥାବାର୍ତ୍ତାରୁ ସେ ଖ୍ରୀଷ୍ଟିୟାନ ବୋଲି ମୁଁ ଜାଣିବାକୁ ପାଇଲି । ତାଙ୍କ ସହିତ କଥାବାର୍ତ୍ତା ସମୟରେ ସେ ମୋତେ ଏପରି ଏକ ଘଟଣା ବର୍ଣ୍ଣନା କଲେ, ଯାହା ଈଶ୍ବରଙ୍କ ପ୍ରତି ମୋ 'ମନୋଭାବକୁ ସମ୍ପୂର୍ଣ ପରିବର୍ତ୍ତିତ କରିଦେଲା । ସେ କହିଲେ, "ମୋର  ଆୟ ଏତେ ଅଳ୍ପ ଯେ ତାହାର ପରିମାଣ କହିଲେ ଆପଣ ବିଶ୍ଵାସ କରିବେ ନାହିଁ। ଦିନେ ମୋ ପାଳକ ମୋତେ ପଚାରିଲେ ଯେ ଯଦି ମୋର କିଛି ଅଭାବ ରହିଛି, ସେହି ବିଷୟ ତାଙ୍କୁ ଜଣାଇଲେ, ସେ ସେଥିପାଇଁ ପ୍ରାର୍ଥନା କରିବେ । କିନ୍ତୁ ମୁଁ ତାଙ୍କୁ କହିଲି, ମୁଁ ଯେପରି ଖ୍ରୀଷ୍ଟଙ୍କୁ ଅଧିକ ଜାଣି ପାରିବି, ଏଥିପାଇଁ ପ୍ରାର୍ଥନା କରନ୍ତୁ, କାରଣ ତାଙ୍କ ଦ୍ଵାରା ହିଁ ମୁଁ ସମସ୍ତ ବିଷୟ ପାଇପାରିବି ।"


ଈଶ୍ବର ଯେ ଆମର ପ୍ରତ୍ୟେକ ଅଭାବର ଯୋଗାଣକର୍ତ୍ତା, ଏହା ସେହି ମହିଳା ପ୍ରକୃତ ରୂପେ ବୁଝି ପାରିଥିଲେ। ରାଜା ଦାଉଦ ଈଶ୍ବରଙ୍କ ପ୍ରଶଂସାରେ ଗୀତ ୧୪୫ ଅଧ୍ୟାୟ ଆରମ୍ଭ କଲେ (୧-୧୩ ପଦ) । ତା' ପରେ ସେ  ଆମର ପ୍ରକୃତ ଅଭାବ ସବୁ ବିଷୟ ଲେଖିଲେ ଏବଂ କିପରି ସେହି ଅଭାବ ସବୁ ଈଶ୍ବରଙ୍କ ପ୍ରଚୁର ଓ ମୁକ୍ତ ଯୋଗାଣ ଦ୍ୱାରା ପୂରଣ ହୁଏ, ତାହା ମଧ୍ୟ ଲେଖିଲେ (୧୪-୨୧ ପଦ ) ।


ଆମର ସମସ୍ୟା ହେଉଛି, ଆମେ ସର୍ବଦା  ଆତ୍ମ-ନିର୍ଭରଶୀଳ ଜୀବନଯାପନ କରିବାକୁ ଚାହୁଁ । କିନ୍ତୁ ଆମେ କଦାପି ଆତ୍ମ- ନିର୍ଭରଶୀଳ ହୋଇ ପାରିବୁ ନାହିଁ, ଏଣୁ ଏପରି  ଅନୁଭୂତି ମଧ୍ୟ ଦେଇ ଯିବା ଆମ ନିମନ୍ତେ ଅପରିହାର୍ଯ୍ୟ ,କାରଣ ଏହା ଆମକୁ ଈଶ୍ବରଙ୍କ ଉପରେ ନିର୍ଭରଶୀଳ ହେବାକୁ ଶିକ୍ଷା ଦିଏ । ସେ ଆଜି ଆପଣଙ୍କର  ପ୍ରତ୍ୟେକ ଅଭାବକୁ  ପୂରଣ କରିବା ଦାୟିତ୍ଵ ବହନ କରିବାକୁ ଇଚ୍ଛା କରନ୍ତି । ଆପଣ ସେହି ଦାୟିତ୍ଵ ତାଙ୍କୁ ଦେବେ କି ?

ବରଫ ତଳୁ ମାଛ ଧରିବା

 ବରଫ ତଳୁ ମାଛ ଧରିବା

ଗୀତ ୧୧୫:୧-୧୧


ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। (ଯାତ୍ରା ୨୦:୩)


ଟେକ୍ସାସ୍ ସହରରେ ଗୋଟିଏ ଦମ୍ପତି ଗୋଟିଏ  ଶୀତ ଦିନ ସକାଳେ ମାଛ ଧରିବା ନିମନ୍ତେ ବରଫାକୃତ ଏକ ଅଞ୍ଚଳରେ ପହଞ୍ଚିଲେ। ସେହି ଅଞ୍ଚଳରେ ବରଫ କାଟି ତା' ତଳୁ ମାଛ ଧରିବା ନିମନ୍ତେ ସେମାନେ ତାଙ୍କରଜାଲ ପ୍ରସ୍ତୁତ କଲେ। ଠିକ୍ ଏହି ସମୟରେ, ସେମାନେ ଏକ ଅଦ୍ଭୁତ ସ୍ଵର ଶୁଣିଲେ," ଏଠାରେ ବରଫ ତଳେ କୌଣସି ମାଛ ନାହିଁ"। ସେମାନେ ହତଚକିତ ହୋଇ ପଚାରିଲେ, ହେ ଈଶ୍ୱର ଏହା କ'ଣ ତୁମର ସ୍ଵର? ଉତ୍ତର ଆସିଲା "ନାହିଁ ମାତ୍ର ମୁଁ ଜାଣେ ଯେ ଏଠାରେ ବରଫ ତଳେ କୌଣସି ମାଛ ନାହିଁ। ଏହି ବରଫ ସ୍କେଟିଙ୍ଗ୍ ରୀଙ୍କ୍ ର ମାଲିକ।"


ଯେଉଁ ଲୋକମାନେ ଏକମାତ୍ର ସତ୍ୟ ପରମେଶ୍ଵରଙ୍କ ବ୍ୟତୀତ ଅନ୍ୟ ଦେବଦବୀମାନଙ୍କ ଉପାସନା କରନ୍ତି, ସେମାନେ ବରଫ ତଳୁ ମାଛ ଧରିବାକୁ ଚାହୁଁଥିବା ଏହି ଲୋକଙ୍କ ସଦୃଶ ଅଟନ୍ତି। ଯିଶାଇୟଙ୍କ ସମୟର ପ୍ରତିମା ପୂଜକମାନେ ସେମାନଙ୍କର ଧାର୍ମିକ ରୀତିନୀତି କରିବାକୁ ଅନେକ କଠିଣ ପରିଶ୍ରମ କରୁଥିଲେ। ନିଜ ଦ୍ବାରା ଖୋଦିତ ପ୍ରତିମଗୁଡ଼ିକୁ ଆଭୁସିତ କରିବା ପାଇଁ ସେମାନେ ଅନେକ ଅର୍ଥ ଖର୍ଚ୍ଚ କରି ସେଥିରେ ସୁନା ଓ ରୂପା ଛାଉଣୀ କରିଥଲେ। (ଯିଶାଇୟ ୪୦:୧୯-୨୦)। ସେମାନେ ନିଜ ହସ୍ତକୃତ ସ୍ଥାଣୁ ଓ ନିର୍ଜୀବ ପ୍ରତିମାଗୁଡ଼ିକର ପୂଜା ଓ ଉପାସନା କରୁଥିଲେ ଏବଂ ସେମାନଙ୍କ ସମ୍ମୁଖରେ ଆଣ୍ଠୁ ଭାଙ୍ଗୁଥିଲେ(ଗୀତ ୧୧୫:୪-୭)। ସେମାନେ ଈଶ୍ୱରଙ୍କ  ଉପାସନା କରୁଛନ୍ତି ବୋଲି ମନେ କରୁଥିଲେ, ମାତ୍ର ସେମାନଙ୍କର ଉପାସନା ଉପରୋକ୍ତ ମାଛ ଧରାଳିଙ୍କ ସଦୃଶ ବ୍ଯର୍ଥ ଥିଲା।


ଆମର ମହାନ୍ ପରମେଶ୍ବର କଦାପି ମନୁଷ୍ୟ ଦ୍ବାରା ନିର୍ମିତ ଏକ ପ୍ରତିକୃତିରେ ପରିଣତ ହୋଇପାରିବେ ନାହିଁ। ସେ 'ଅନନ୍ତ ପରମେଶ୍ବର ଓ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା' (ଯିଶାଇୟ ୪୦:୨୮)। ଆଉ ସେ ଚାହାନ୍ତି, ଯେପରି ଆମେ ଆତ୍ମାରେ ଓ ସତ୍ୟରେ ତାଙ୍କର ଉପାସନା କରୁ (ଯୋହନ ୪:୨୪)।

ଲଜ୍ଜିତ ନହେବା ପାଇଁ ତାହାଙ୍କଠାରେ ରୁହ

 ଲଜ୍ଜିତ ନହେବା ପାଇଁ ତାହାଙ୍କଠାରେ ରୁହ

୧ଯୋହନ ୨:୨୮-୩:୩

ତାହାଙ୍କଠାରେ ରୁହ, ଯେପରି… ତାହାଙ୍କ। ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ  ହୋଇ ସାହସ ପ୍ରାପ୍ତ ହେବା।  (୧ଯୋହନ ୨:୨୮)


ରାଜପଥରେ ସେଦିନ ଅସମ୍ଭବ ଜନଗହଳି ହୋଇଥାଏ। ମୋଟର ଗାଡିଗୁଡିକ ଲମ୍ବା ଧାଡ଼ି ଠିଆ ହୋଇଥା'ନ୍ତି। ଅନେକ ଜାଣି ନ ଥା'ନ୍ତି, କାହିଁକି ଏତେ ଜନଗହଳି ଏବଂ ଘଟଣା କ'ଣ ହୋଇଛି? କିନ୍ତୁ ଲୋକମାନଙ୍କ ମଧ୍ୟ ଏହି କଥା ପ୍ରଘଟ ହୋଇ ଯାଇଥାଏ ଯେ, ପାଖରେ ଥିବା ଏକ ଜଳାଶୟ ମଧ୍ୟରେ ଖ୍ରୀଷ୍ଟଙ୍କର ଛବି ପ୍ରତିଫଳିତ ହେଉଛି। ଅନେକ ଦେଖଣାହାରୀ ମତ ପ୍ରକାଶ କରି କହିଲେ ଯେ, ଏହି ଅପରିଷ୍କାର ଓ କଳଙ୍କିତ ଜଳାଶୟର ପୃଷ୍ଟ ଭାବାରେ ଏପରି ଏକ ପ୍ରତିଫଳିତ ସୃଷ୍ଟି ହୋଇଛି, ଯାହା କି ଯୀଶୁଙ୍କର ଆକୃତି ପରି ଦିଶୁଛି। ସେହି ଭିଡ଼ ଭିତରେ ଅଟକି ରହିଥିବା ଗୋଟିଏ ଗାଡି ଚାଳକର ମନ୍ତବ୍ୟ ସବୁଠାରୁ ଉଲ୍ଲେଖନୀୟ ଥିଲା। ଯେତେବେଳେ ସେ ନିଜ ଗାଡ଼ିର ଝରକା ବାଟେ ମୁଣ୍ଡ କାଢି ଅନ୍ୟ ଜଣେ ଲୋକକୁ ଘଟଣା କ'ଣ ବୋଲି ପଚାରିଲେ, ସେହି ଲୋକଟି ତା'ର ମୁଖକୁ ଅନେଇ କହିଲା, "ଯୀଶୁ ଏହିଠାରେ ଅଛନ୍ତି"! ଉକ୍ତ ଗାଡ଼ି ଚାଳକ ପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଲେ, "ପ୍ରଭୁ ଯୀଶୁ ଏହିଠାରେ ଅଛନ୍ତି" ଏହି କଥା ମୁଁ ପ୍ରଥମେ କିଛି ମୁହୂର୍ତ୍ତ ପାଇଁ ମୁଁ ଭୟଭୀତ ହୋଇ  ପଡ଼ିଲି। କାରଣ ଏତେ ଶୀଘ୍ର ବିଚାର ଦିନର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ନ ଥିଲି।"


ଉକ୍ତ ଗାଡ଼ି ଚାଳକଙ୍କର ପ୍ରତିକ୍ରିୟା ଆମ୍ଭମାନଙ୍କ ପାଇଁ ଅନେକ ପ୍ରଶ୍ନ ଉତ୍ଥାପନ କରେ । ପ୍ରଭୁ ଯୀଶୁ ଯେତେବେଳେ ବାସ୍ତବରେ ପୁନରାଗମନ କରିବେ, ଆମେ ସେତେବେଳେ କି ପ୍ରକାର ଅନୁଭବ କରିବୁ? ଆମ୍ଭେମାନେ ଆନନ୍ଦରେ ବିଭୋର ହେବୁ କିମ୍ବା ଭୟଭୀତ ହେବୁ? ପ୍ରେରିତ ଯୋହନ ତାଙ୍କ ପତ୍ରରେ ଦର୍ଶଯାଇଛନ୍ତି ଯେ, ଏହି ପ୍ରଶ୍ନ ଏକ ଭବିଷ୍ୟତର ପ୍ରଶ୍ନ ନୁହେଁ (୧ ଯୋହନ ୨:୨୮)। ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର କିପ୍ରକାର ସମ୍ପର୍କ ରହିଛି, ଏହି ପ୍ରଶ୍ନ  ତା' ସହିତ ଗଭୀର ଭାବେ ଜଡ଼ିତ। ଆମେ ବର୍ତ୍ତମାନ ତାହାଙ୍କୁ ପ୍ରେମ କରିବା, ତାହାଙ୍କ ଉପରେ ଭରସା ରଖିବା, ତାହାଙ୍କର ବାଧ୍ୟ ହେବା ଏବଂ ତାହାଙ୍କୁ ଅଗ୍ରାଧିକାର ଦେବା। ତା' ହେଲେ ତାହାଙ୍କ ଆଗମନ ସମୟରେ ଆମେ କେବେହେଲେ ଲଜ୍ଜିତ ହେବା ନାହିଁ।


ନିରବତାର ରବ

 ନିରବତାର ରବ

ଗୀତ ୪୬

କ୍ଷାନ୍ତ ହୁଅ  (ନିରବ ହୁଅ), ଆମ୍ଭେ ପରମେଶ୍ବର ଅଟୁ,ଏହା ଜାଣ । (ଗୀତ ୪୬:୧୦)


ଫେବୃୟାରୀ ୧୯୯୫ ରେ, ଆମେରିକାର ଡେନ୍ ଭର୍ ଆନ୍ତର୍ଜାତୀୟ  ବିମାନ ବନ୍ଦର ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉନ୍ମୁକ୍ତ  ହେବାର ତିନି ମାସ ପରେ ନିକଟବର୍ତ୍ତୀ ଅନ୍ୟ ଏକ ସହରର ହଜାର ହଜାର ଲୋକ ଏକତ୍ର ହୋଇ 'ନୀରବତା' ର ଏକ ଉତ୍ସବ ଆୟୋଜନ କଲେ  । କାରଣ ସେହି ସହର ଉପର ଦେଇଯାଇଥିବା ବିମାନ ପଥର ଦିଗ ପରିବର୍ତ୍ତନ ହୋଇଯାଇଥିଲା । ଏହା ଫଳରେ ବିମାନ ଇଞ୍ଜିନର ଅତି ଉଚ୍ଚ ଶବ୍ଦ ସେହି ଅଞ୍ଚଳରେ ଆଉ ଶୁଭୁ ନ ଥିଲା । ସେଠାରେ ନୀରବତା ରାଜତ୍ଵ କରୁଥିଲା ।


ସେଠାରେ ଉପସ୍ଥିତ ଜଣେ ଲୋକ କହିଲେ, "ମୋତେ ଲାଗୁଛି, ଯେପରି ମୁଁ ଆଉ ଏକ ସହରକୁ ଆସିଯାଇଛି l ଆଉ ଏଠାରେ ଆମେ ଅନାୟସରେ କଥାବାର୍ତ୍ତା କରିପାରୁଛୁ, ଟେଲିଭିଜନ ଦେଖିପାରୁଛୁ ଓ ନିଶବ୍ଦରେ ବଗିଚା କାମ କରିପାରୁଛୁ।"


ଆମେ ନିଜର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ଓ ପ୍ରାର୍ଥନା ସମୟକୁ ସାଧାରଣତଃ "ନିରବ ସମୟ" କହିଥାଉ । ପ୍ରତିଦିନ କିଛି ସମୟ, ଆମେ ସର୍ବଶକ୍ତିମାନଙ୍କ ରବ ଶୁଣିବା ନିମନ୍ତେ ଏ ଜଗତରେ ସମସ୍ତ ଶବ୍ଦ ପ୍ରତି ଆମର କର୍ଣ୍ଣରୁଦ୍ଧ କରିଥାଉ- "ନିରବ ହୁଅ, ଆମେ ପରମେଶ୍ବର ଅଟୁ, ଏହା ଜାଣ" (ଗୀତ ୪୬:୧୦) ।


ମାତ୍ର ଏହାପରେ ଆମେ ସେହି ଦିନର ଅବଶିଷ୍ଟ ସମୟ ଅନେକ ଅଯଥା କାର୍ଯ୍ୟରେ ମନିଯୋଗ କରି କାଟିଥାଉ । ଟି. ଏସ୍. ଏଲିୟଟ ଲେଖିଲେ, କେଉଁଠାରେ ସେହି ବାକ୍ୟ ମିଳିବ, କେଉଁଠାରେ ସେହି ବାକ୍ୟ ପ୍ରତିଧ୍ଵନିତ ହେବ? ଏଠାରେ ନୁହେଁ, ଏଠାରେ ତ ଯଥେଷ୍ଟ ନିରବତା ନାହିଁ।" 


ଆମେ ଏହି ଜଗତର ଜଞ୍ଜାଳକୁ ରୋକି ପରିବା ନାହିଁ। ମାତ୍ର ଈଶ୍ବରଙ୍କ ରବ ଯତ୍ନର ସହ ଆରାମରେ ଶୁଣିବା ନିମନ୍ତେ ଆମେ ଯେଉଁ ବିଷୟକୁ ବିରତ ରହିବା ଆବଶ୍ୟକ, ତାହା ଜାଣି ଆମେ ସେଥିରୁ ପ୍ରକୃତରେ ବିରତ ରହିଲେ, ଆମେ ତାହାଙ୍କ ରବ ଶୁଣି ଜ୍ଞାନ ପ୍ରାପ୍ତ ହେବା ଓ ତଦନୁଯାୟୀ କାର୍ଯ୍ୟ କରି ପ୍ରତ୍ୟେକ  ଆଶୀର୍ବାଦର ଭାଗୀ ହୋଇପାରିବା ।

  

ଅବତରଣ କଥା ଚିନ୍ତା କରନ୍ତୁ

 ଅବତରଣ କଥା ଚିନ୍ତା କରନ୍ତୁ

ଏବ୍ରୀ ୯:୨୩-୨୮


ମନୁଷ୍ୟମାନଙ୍କ ନିମନ୍ତେ ...ଥରେ ମାତ୍ର ମୃତ୍ୟୁ ,ଆଉ ତାହା ପରେ ବିଚାର ନିରୂପିତ ଅଛି...।(ଏବ୍ରୀ ୯:୨୭-୨୮)


ମୋ'ର ଜଣେ ବନ୍ଧୁ ବିମାନ ଚାଳନା ସମ୍ବନ୍ଧୀୟ ଗୋଟିଏ ବହି ଡାକ ଯୋଗେ ମଗାଇଥିଲେ । ବହିଟି ପାଇବ ପରେ ସେ ଦେଖିଲେ ଯେ, ସେଥିରେ ଉଡାଜାହାଜ ଚଳାଇବା ସମ୍ବନ୍ଧିତ ସମସ୍ତ ନିର୍ଦ୍ଦେଶାବଳୀ  ଅଛି, ହେଲେ କିନ୍ତୁ ତାହାକୁ କିପରି ନିରାପଦରେ ଅବତରଣ କରାଯିବ, ସେ ସମ୍ବନ୍ଧରେ କିଛି ହେଲେ ଉଲ୍ଲେଖ ନାହିଁ !  କଳ୍ପନା  କରନ୍ତୁ ତ, ଆପଣ ଗୋଟିଏ ଉଡାଜାହାଜର ଯାତ୍ରା କରିବାକୁ ଯାଉଛନ୍ତି । ତା' ପୂର୍ବରୁ ଘୋଷଣା କରାଯିବ ଯେ, ସେହି ଉଡାଜାହାଜର ପାଇଲଟ ଉଡାଜାହାଜକୁ ଅବତରଣ କରିବା ଜାଣନ୍ତି ନାହିଁ, କେବଳ ଚଳାଇବା ଜାଣନ୍ତି । ଆପଣ ସେହି ଉଡାଜାହାଜରେ ଯାତ୍ରା କରିବେ କି? କେବେ ନୁହେଁ! କିନ୍ତୁ ଆମ ମଧ୍ୟରୁ ଅନେକ ଲୋକ ଏହାହିଁ କରୁଛନ୍ତି । କେଉଁ ସ୍ଥାନରେ ସେମାନେ ପହଞ୍ଚିବେ ବା, ସେମାନଙ୍କ ପ୍ରତି କ'ଣ ଘଟିବ, ତାହା  ତିଳେମାତ୍ର ଚିନ୍ତା ନ କରି ସେମାନେ ଜୀବନ ପଥରେ ଆଗେଇ ଚାଲିଛନ୍ତି । ସେମାନେ ଭାବନ୍ତି ଯେ, ଏବେ କ'ଣ ମୋ'ର ମୃତ୍ୟୁ  ହେବ? ତାହା ଘଟିବାକୁ ତ ଅନେକ ଡେରୀ ଅଛି । କିନ୍ତୁ ପିଲା ହେଉ ବା, ବୃଦ୍ଧ, ମୃତ୍ୟୁ କାହାରିକୁ ଅପେକ୍ଷା କରେ ନାହିଁ। ପ୍ରତିଦିନ ଖବର କାଗଜ ଓ ଟି.ଭି ରେ ଆମେ ଦେଖୁଛୁ ଯେ, ଛୋଟ ଶିଶୁଠାରୁ ଆରମ୍ଭ କରି ଯୁବକ, ପ୍ରୌଢ଼ମାନଙ୍କର କିପରି ଅସମୟରେ ମୃତ୍ୟୁ ଘଟୁଛି? ତେଣୁ ଆମ ପ୍ରତ୍ୟେକଙ୍କୁ ଏହି କଥା ଚିନ୍ତା କରିବାକୁ ହିଁ ପଡ଼ିବ, କାରଣ ଏହି ସମୟ ଆମକୁ ଅନୁଗ୍ରହରେ ଦିଆଯାଇଅଛି (୨ କରିନ୍ତୀୟ ୬:୨)। ଆପଣ ଯଦି ଖ୍ରୀଷ୍ଟଙ୍କଠାରେ କେବେ ମଧ୍ୟ ବିଶ୍ବାସ କରି ନାହାନ୍ତି, ବର୍ତ୍ତମାନ ତାହା କରନ୍ତୁ। ତେବେ ଯେତେବେଳେ ଜୀବନର ଯାତ୍ରା ସରିଯିବ, ଆପଣ ନିଶ୍ଚିତ ଭାବରେ ନିରାପଦରେ ସ୍ଵର୍ଗରେ ଅବତରଣ କରିବେ। କାରଣ ଖ୍ରୀଷ୍ଟ ଆପଣଙ୍କର ପାଇଲଟ୍ ହେବେ । ଆଜି ହିଁ ଆପଣଙ୍କର ପାଇଲଟ୍ ଙ୍କୁ ଓ ନିଜର ଗନ୍ତବ୍ୟସ୍ଥଳକୁ ମନୋନୀତ କରନ୍ତୁ ।

ଏହା କହନ୍ତୁ

 ଏହା କହନ୍ତୁ

ପରମଗୀତ ୨: ୧୦-୧୪

ମୋ' ର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, ' ହେ  ମୋହର ପ୍ରିୟେ, ମୋହର ସୁନ୍ଦରୀ ଉଠ, ବାହାରି ଆସ'। (ପରମାଗୀତ ୨:୧୦)


ଆମେ ଯେଉଁମାନଙ୍କୁ ପ୍ରେମ କରୁ, ସେମାନଙ୍କ ପ୍ରତି ପ୍ରାୟ ଏତେ ଗୁରୁତ୍ବ ଦେଉ ନାହୁ। ହୁଏତ ଆମେ ଜୀବନଯାପନ ଓ କାର୍ଯ୍ୟର ଦୈନନ୍ଦିନ ପ୍ରକିୟାରେ ଆନନ୍ଦ ହୋଇ ଆମର ପ୍ରକୃତ ଆନ୍ତରିକ ଅନୁଭବକୁ ଜଣାଇବାରେ ଅବହେଳା କରୁ। ଆମେ ଆମ ନିଜ ନିଜକୁ କହୁ, "ମୁଁ ତାଙ୍କୁ ପ୍ରେମ କରେ ବୋଲି ସେ ଜାଣିଛନ୍ତି" ମାତ୍ର ଏ କଥା ଆମେ ଆଦୌ ଆମର ସାଥିଙ୍କୁ କହି ନ ଥାଉ ।


ହୁଏତ ଆପଣ ଏପରି ଏକ ପରିବାରରେ ବୃଦ୍ଧି ପାଇଛନ୍ତି, ଯେଉଁଠାରେ ସକାରାତ୍ମକ, ପ୍ରେମପୁର୍ଣ୍ଣ ଅନୁଭବକୁ  କଥାରେ ଆଦୌ ପ୍ରକାଶ କରାଯାଉ ନ ଥିଲା। ସେଥିପାଇଁ କଣ କହିବାକୁ ହେବ, ତାହା ଆପଣ ଜାଣନ୍ତି ନାହିଁ।


ଗୋଟିଏ ବିଜ୍ଞାପନରେ ଲେଖାଯାଇଛି, "ଏହାକୁ ଫୁଲର ସହିତ କୁହନ୍ତୁ"। ଆପଣଙ୍କର କୌଣସି ବିଶେଷ ପ୍ରିୟତମ ବ୍ୟକ୍ତିକୁ ସେପରି ଭାବାରେ ହିଁ ତାହା କୁହାଯାଇପାରିବ। କିମ୍ବା ଆପଣ ଏହାକୁ ଗୋଟାଏ ଉତ୍ତମଭାବେ ମନୋନୀତ କାର୍ଡ ସହିତ ମଧ୍ୟ କହିପାରିବେ। ମୋ' ର ସ୍ତ୍ରୀ କଳା ଚକୋଲେଟ ଭଲ ପାଆନ୍ତି, ସେଥିପାଇଁ ମୁଁ କୌଣସି ବିଶେଷ ଅବସରରେ ତାଙ୍କୁ ପ୍ରାୟ ଚକୋଲେଟ ଓ ଗୋଟିଏ କାର୍ଡ ଦିଏ। ସେ ପ୍ରେମର ଏହି ଚିହ୍ନଗୁଡ଼ିକୁ ଭଲ ପାଆନ୍ତି, ମାତ୍ର ବର୍ଷ ବର୍ଷ ଧରି ମୁଁ ଏହା ଶିକ୍ଷା କରିଛି ଯେ ମୁଁ ବାସ୍ତବରେ ଭିତରେ ଯାହା ଅନୁଭବ କରେ, ତାହା କରିବାର ସମସ୍ତ କାର୍ଯ୍ୟ କାର୍ଡ କିମ୍ବା ଉପହାରକୁ କହିବା ପାଇଁ ଅନୁମତି ଦେବା ଅନୁଚିତ୍। 'ମୁଁ ତୁମକୁ ପ୍ରେମ କରେ' ବୋଲି ମଧ୍ୟ କହିବା ମୋର ଆବଶ୍ୟକ ଅଟେ।


ପ୍ରତ୍ୟେକ ଜଣ ପ୍ରେମର କଥା ଶୁଣିବାକୁ ଭଲ ପାଆନ୍ତି । ପରମଗୀତରେ ପ୍ରେମୀଯୁଗଳ ପରସ୍ପର ସହିତ କଥା କହିବା ସମୟରେ ପ୍ରାୟ ପ୍ରେମପୂର୍ଣ୍ଣ ଶବ୍ଦ ବ୍ଯବହାର କରୁଥିଲେ। ଆଜି ହିଁ ଆପଣ ସେହି ବିଶେଷ ବ୍ୟକ୍ତିଙ୍କୁ କୁହନ୍ତୁ, 'ମୁଁ ତୁମକୁ ପ୍ରେମ କରେ ' କେବଳ ଚକୋଲେଟ କିମ୍ବା ଫୁଲ ସହିତ ନୁହେଁ, ମାତ୍ର ଆପଣଙ୍କ ମୁଖର କଥା ସହିତ।

ମୋ' ହୃଦୟ କେତେ ବଳିଷ୍ଠ

 ମୋ' ହୃଦୟ କେତେ ବଳିଷ୍ଠ

ଏବ୍ରୀ ୧୦:୧୧-୨୨

ଆସ,  ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ଵାରା କଳୁଷିତ ବିବେକରୁ ଶୂଚୀକୃତ…... ହୋଇ…. ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ ………  (ଏବ୍ରୀ ୧୦:୨୨)


ଆପଣଙ୍କୁ କୌଣସି ଡ଼ାକ୍ତର କ'ଣ କେବେ ତାଙ୍କର ଷ୍ଟେଥୋସ୍କୋପ ବ୍ଯବହାର କରିବାକୁ ଅନୁମତି ଦେଇଛନ୍ତି? ଆଉ ଆପଣ କ'ଣ ସେଥିରେ ନିଜର ହୃଦସ୍ପନ୍ଦନ ଶୁଣିଛନ୍ତି? ନିଜ ହୃଦୟର ସ୍ପନ୍ଦନ ଶୁଣିବା ଆମ ନିମନ୍ତେ ଏକ ଅଦଭୁତ ଅନୁଭବ ଆଣିଥାଏ। ଆମର ଜନ୍ମ ପୁର୍ବରୁ ସେହି ହୃଦୟ ସ୍ପନ୍ଦିତ ହେଉଥାଏ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ତାହାର ସ୍ପନ୍ଦନ ବନ୍ଦ ହୋଇଯାଇ ନ ଥାଏ।


ଆଶାଲତା ଏକ ହସ୍ପିଟାଲ୍ ର ଶିଶୁ ରୋଗ ବିଭାଗରେ କାର୍ଯ୍ୟରତ ଥିବା ସମୟରେ ଶିଶୁ ରୋଗୀମାନଙ୍କୁ ସେମାନଙ୍କର ହୃଦସ୍ପନ୍ଦନ ପ୍ରାୟ ଶୁଣାଇଥାନ୍ତି । ଦିନେ ସେ ନିତୁ ନାମକ ଜଣେ ଚାରି ବର୍ଷ ବୟସ୍କ ଝିଅର ସେବା କରୁଥିବା ବେଳେ ନିଜର ଷ୍ଟେଥୋସ୍କୋପରେ ତାହର ହୃଦସ୍ପନ୍ଦନ ତାହାର କାନରେ ଶୁଣାଇ  ତାକୁ ପଚାରିଲେ, "ଏହି ଶବ୍ଦକୁ ଶୁଣି କହିଲୁ" ଏଇଟା କି ଶବ୍ଦ? ଚାରି ବର୍ଷର ଝିଅ ନିତୁ ନିଜର ଭ୍ରୁକୁଞ୍ଚନ କରି କିଛି ସମୟ ଭାବି କହିଲା, "ଯୀଶୁ କ'ଣ ମୋ' ହୃଦୟ କବାଟ ବାଡାଉଛନ୍ତି?"


ଶରୀର ବିଜ୍ଞାନ କଥା ବର୍ତ୍ତମାନ ଭୁଲିଯାଆନ୍ତୁ, ଆଉ ନିତୁକୁ  ଆପଣଙ୍କର ଶିକ୍ଷକ କରନ୍ତୁ। ଆତ୍ମିକ ସ୍ଵାସ୍ଥ୍ୟ ଓ ଅନନ୍ତ ଜୀବନର ଦୃଷ୍ଟିକୋଣରୁ, ତାହାର ଉତ୍ତର ସମ୍ପୂର୍ଣ ଠିକ୍। ଯୀଶୁ ଖ୍ରୀଷ୍ଟ  ଆମର କୃଶାର୍ପିତ ତ୍ରାଣକର୍ତ୍ତା ଓ ପୁନରୁତ୍ଥିତ ଗୌରବମୟ ପ୍ରଭୂ। ସେ ପ୍ରକୁତରେ ପ୍ରତ୍ୟେକ ମନୁଷ୍ୟ ହୃଦୟର କବାଟ ବାଡ଼ାଉଛନ୍ତି। ଆମର ହୃଦୟ ହଉଛି, ଆମ ଶରୀରର ପ୍ରାଣକେନ୍ଦ୍ର ଓ ଆମର ମନୋନୟନ କରିବା ତଥା ନିଷ୍ପତ୍ତି ନେବାର ନିୟନ୍ତ୍ରଣ କକ୍ଷ (ପ୍ରକାଶିତ ୩:୨୦)


ଏଣୁ ମୁ କ'ଣ ତାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ହେବାକୁ ମୋ' ହୃଦୟ ମଧ୍ୟକୁ ଆନନ୍ଦରେ ନିମନ୍ତ୍ରଣ କରୁଛି? ତେବେ ସେ ମୋ' ପାପ ସବୁ କ୍ଷମା କରି ମୋ' ହୃଦୟକୁ ପରିଷ୍କାର କରିଦେବେ (ଯୋହନ ୩:-୧-୧୬, ଏବ୍ରୀ ୧୦:୨୨)।


ମୁଁ ତାଙ୍କୁ ମୋ' ଜୀବନର ପ୍ରଭୂ ରୂପେ ରାଜତ୍ଵ କରିବାକୁ ନିୟନ୍ତ୍ରଣ କଲେ, ସେ ମୋ'ର ନିଷ୍ପତ୍ତି ଓ କାର୍ଯ୍ୟ ସବୁ ପରିଚାଳିତ କରିବେ ସେ ମୋ ହୃଦୟ ମଧ୍ୟକୁ ଆସିବାକୁ ପ୍ରକୃତରେ ଅପେକ୍ଷା କରି ଦ୍ଵାରରେ ଆଘାତ କରୁଅଛି।

ଶାନ୍ତିକାରକମାନେ

 ଶାନ୍ତିକାରକମାନେ

ମାଥିଉ ୫:୧-୧୦

ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। (ମାଥିଉ୫:୯)


ସ୍କଟଲାଣ୍ଡର ଯେଉଁ ଦୌଡାଳୀ, ଏରିକ୍ ଲିଡେଲ୍ ଙ୍କର ଜୀବନକୁ 'ଅଗ୍ନିର ରଥ' ଚଳଚିତ୍ରରେ ଚିତ୍ରିତ କରାଯାଇଥିଲା, ସେ ୨୦ ବର୍ଷ ଧରି ଚିନରେ ଜଣେ ମିଶନାରୀ ଭାବରେ କାର୍ଯ୍ୟ କରିଥିଲେ ଓ ଶେଷ ଦୁଇ ବର୍ଷ ଦ୍ୱୀତୀୟ ବିଶ୍ଵଯୁଦ୍ଧ ସମୟରେ ଗୋଟିଏ ଜାପାନୀ ବନ୍ଦୀ ଶିବିରରେ କଟାଇ ଥିଲେ। ସେ ଶିବିର ମଧ୍ୟରେ ଜଣେ ଶାନ୍ତିକାରକ ଭାବରେ ପରିଚିତ ଥିଲେ କାରଣ ଯେତେବେଳେ ଶିବିରର ଚାପ ପୂର୍ଣ୍ଣ ପରିବେଶ ମଧ୍ୟରେ କ୍ରୋଧାଗ୍ନି ପ୍ରଜ୍ଵଳିତ ହେଉଥିଲା। ସେତେବେଳେ ସେ ବ୍ୟକ୍ତି ବ୍ୟକ୍ତି ଓ ଦଳ ଦଳ ମଧ୍ୟରେ ଶାନ୍ତି ସ୍ଥାପନ କରୁଥିଲେ ଲିଡେଲ୍ ଙ୍କର ଜୀବନ ସମସ୍ତଙ୍କ ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା।


ଦିନେ ଲିଡେଲ୍ କାହିଁକି ନାମ ଡକାଯିବା ସମୟରେ ଉପସ୍ଥିତ ନାହାନ୍ତି ବୋଲି ଜଣେ ଜାପାନୀ ପ୍ରହରୀ ପଚାରିବାରୁ, ଜଣେ ବ୍ୟକ୍ତି କହିଥିଲେ ଯେ, ଏରିକ୍ କିଛି ସମୟ ପୂର୍ବରୁ ଅନପେକ୍ଷିତ ଭାବରେ ମୃତ୍ୟୁବରଣ କରିଛନ୍ତି। ପ୍ରହରୀଟି କିଛି ସମୟ ଅଟକି ଯାଇ କହିଲା, "ଲିଡେଲ୍ ଜଣେ ଖ୍ରୀଷ୍ଟିୟାନ ଥିଲେ, ନୁହେଁ କି?


ଲିଡେଲ୍ ଜାପାନୀ ଭାଷା କହୁ ନ ଥିଲେ, ପ୍ରହରୀଟି ଇଂରାଜୀ କହୁ ନ ଥିଲା। ସେମମାନଙ୍କର ଏକମାତ୍ର ପ୍ରତ୍ୟକ୍ଷ ଯୋଗାଯୋଗ କେବଳ ଉପସ୍ଥାନ ନେବା ସମୟରେ, ଦିନକୁ ଦୁଇଥର  ଥିଲା। ଲିଡେଲ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ବୋଲି ପ୍ରହରୀଟି କିପରି ଜାଣିଲା? ସେ ନିଶ୍ଚୟ ଶିବିରରେ ଏରୀକ୍ ଙ୍କୁ କଳହ ସମାଧାନ କରୁଥିବା ଦେଖି ତାଙ୍କଠାରେ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରିଥିବ।


ଯୀଶୁ କହିଥିଲେ, "ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ" (ମାଥିଉ୫:୯) ଶାନ୍ତିକାରକମାନେ ନିଜେ ଈଶ୍ୱରଙ୍କ ଶାନ୍ତିରେ ପୂର୍ଣ୍ଣ ଅଟନ୍ତି, ଆଉ ଏହି ଗୁଣ ଦ୍ବାରା ହିଁ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। କଳହ ସମାଧାନ କରିବା ଅପେକ୍ଷା, ସେମାନେ ଖ୍ରୀଷ୍ଟଙ୍କଠାରେ ଇଶ୍ଵରଙ୍କର ମିଳନକାରୀ ପ୍ରେମର ଜୀବନ୍ତ ପ୍ରମାଣ ମଧ୍ୟ ଅଟନ୍ତି।

କିଏ ନିୟନ୍ତ୍ରଣକାରୀ?

 କିଏ ନିୟନ୍ତ୍ରଣକାରୀ?

ରୋମୀୟ ୮:୧-୧୪

ଯେଣୁ ଯେତେଲୋକ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଚାଳିତ ହୁଅନ୍ତି,ସେମାନେ ଈଶ୍ୱରଙ୍କ ସନ୍ତାନ (ରୋମୀୟ ୮:୧୪)

 

ସ୍ଵଭାବତଃ, ଆମ ସମସ୍ତଙ୍କଠାରେ ଆମ ଜଗତକୁ ନିୟନ୍ତ୍ରଣ କରିବାର ଏକ ଇଛା ରହିଛି। ବାଲ୍ୟକାଳଠାରୁ ଆମେ ଆମ ନିଜର ସ୍ଵାଧୀନ ମାର୍ଗ ପ୍ରତି ଫେରିଥାଉ ଓ ପରିବେଶକୁ, ଭବିଷ୍ୟତକୁ, ଲୋକମାନଙ୍କୁ ଏପରିକି ଈଶ୍ୱରଙ୍କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଉ। ଆମେ ଏହା କରିପାରୁ ନ ଥିବାରୁ, ଶେଷରେ ହତାଶ, ବିଦ୍ରୋହୀ ଓ ସମାଲୋଚକ ହୋଇଯାଉ।


ନିୟନ୍ତ୍ରଣ କରିବା ପାଇଁ ଆମର ଆବଶ୍ୟକତା ଅତ୍ୟଧିକ ଆତ୍ମ ପ୍ରେମରୁ ଉତ୍ପନ୍ନ ହୋଇଥାଏ। ଥରେ ଜଣେ ବାଇବଲ ଶିକ୍ଷକ କହିଥିଲେ, "ସାର କଥା ଏହି ଯେ, ଆମେ ନିଜ ନିଜକୁ ପାଗଳ ପ୍ରାୟ ପ୍ରେମ କରୁ।"


ରୋମୀୟ ୮ ରେ, ପ୍ରେରିତ ପାଉଲ ଏହାକୁ "ଶରୀର" ଆତ୍ମ କୈନ୍ଦ୍ରିକ ମନୋଭାବ ବୋଲି କହିଥିଲେ। ସ୍ଵଭାବତଃ, ଆମେ ଏପରି ବଞ୍ଚୁ, ଯେପରିକି ଆମେ ଶରୀରର ବାଧ୍ୟ ଅଟୁ। ପାଉଲ ଆମକୁ ୧୨ ପଦରେ ଏହା ସ୍ମରଣ କରାଇ ଦେଇଥିଲେ ଯେ ଏହା ସେପରି ନୁହେଁ। ସେ ଏହା ପରେ ଏକ ଫଳପ୍ରଦ ବିକଳ୍ପ ପ୍ରଦାନ କରିଥିଲେ। "ଆମେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ଵାରା ପରିଚାଳିତ ଓ ନିୟନ୍ତ୍ରଣ କରିବା ଭାର ଦେବା ପାଇଁ ଭୟ କରିପାରୁ, ମାତ୍ର ଆମେ ଭୟ କରିବା ଆବଶ୍ୟକ ନୁହେଁ। ମାନବ ନିୟନ୍ତ୍ରଣ ଆମକୁ ବନ୍ଧନଗ୍ରସ୍ତ କରେ, ଈଶ୍ୱରଙ୍କ ନିୟନ୍ତ୍ରଣ ଆମକୁ ସ୍ଵାଧୀନତା ଦିଏ। ମାନବ ନିୟନ୍ତ୍ରଣ ଆଶୁ ଫଳ ଉପରେ ଗୁରୁତ୍ବ ଦିଏ, ଈଶ୍ୱରଙ୍କ ନିୟନ୍ତ୍ରଣ ପରିବର୍ତ୍ତନର ଏକ ଜୀବନବ୍ୟାପି ପ୍ରକ୍ରିୟା ପାଇଁ ଅନୁମତି ଦିଏ।

ଆପଣ କ'ଣ ନିଜକୁ 'ପାଗଳ ପ୍ରାୟ ପ୍ରେମ' କରନ୍ତି? କାହିଁକି ଆପଣଙ୍କ ଜୀବନର ନିୟନ୍ତ୍ରଣ ଈଶ୍ୱରଙ୍କୁ ସମର୍ପଣ କରୁ ନାହାନ୍ତି? ଆପଣଙ୍କୁ ପରିବର୍ତ୍ତନ କରିବା ପାଇଁ ଓ ଅନ୍ୟମାନଙ୍କୁ ପ୍ରେମ କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ କହନ୍ତୁ।