BN

ସ୍ୱର୍ଗୀୟ ଗୃହ

 ସ୍ୱର୍ଗୀୟ ଗୃହ

କଲସୀୟ ୩:୧-୬

ପାର୍ଥିବ ବିଷୟରେ ଆସକ୍ତ ବା ନ ହୋଇ ଉର୍ଦ୍ଧ୍ବସ୍ଥ ବିଷୟରେ ଆସକ୍ତ ହୁଅ।   (କଲସୀୟ ୩:୨)


ଯୀଶୁଙ୍କର ଶିଷ୍ୟଭାବେ ମୋର ସ୍ୱର୍ଗୀୟ ଗୃହ ସହ ସଂଯୋଗ ରହିବା ଉଚିତ୍ ପାଉଲ କହନ୍ତି, "ଉର୍ଦ୍ଧ୍ବସ୍ଥ ବିଷୟ ପ୍ରତି ଆସକ୍ତ ହୁଅ" (କଲସୀୟ ୩:୧-୨) ଆମର ମାଣ୍ଡଳୀକ ସାମାଜିକ ଜୀବନର ନିୟନ୍ତ୍ରଣ କକ୍ଷ ସ୍ୱର୍ଗ ଅଟେ। ଜଣେ ସୈନିକ ଯୁଦ୍ଧ କ୍ଷେତ୍ରରେ ଯେପରି ସେନାଧ୍ୟକ୍ଷର ଆଦେଶ ପ୍ରତି ମନୋଯୋଗ କରେ, ଆମକୁ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଆଦେଶ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହେବ। ଜଣେ ଯୋଦ୍ଧା ସ୍ଵାଧୀନ ଚିନ୍ତାଧାରା ସମ୍ବଳିତ କାର୍ଯ୍ୟ ବା ନିଜ ପରିକଳ୍ପିତ  ଯୋଜନା କରି ନ ଥାଏ।

ସେ ଆପଣା ଉପରିସ୍ଥଙ୍କ ନିର୍ଦ୍ଦେଶ ପ୍ରତି ଅପେକ୍ଷା କରେ ଓ ତାଙ୍କ ନିର୍ଦ୍ଦେଶରେ ଅଗ୍ରସର ହୁଏ। ଯେହେତୁ ସେ ଜାଣେ ଯେ, ତାଙ୍କ ଆଦେଶ ବିନା ଅଗ୍ରସର ହେଲେ ସେ ଭୟଙ୍କର ବିପଦର ସମ୍ମୁଖୀନ ହେବ।

ଆମ ଜୀବନର ବିଫଳତା ପାଇଁ ଆମେ ଦାୟୀ। ଆମେ ନିଜର ଶାରୀରିକ ଅଭିଳାଷ ଓ ଚକ୍ଷୁର ଅଭିଳାଷ ଚରିତାର୍ଥ କରିବା ପାଇଁ ପ୍ରଭୁଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁ। ସମୟେ ସମୟେ ଆମେ ସଠିକ୍ ପଥ ଜାଣିଲେ ମଧ୍ୟ ଲୋକଭୟ ବା ଅନ୍ୟମାନଙ୍କର  ହସ୍ତକ୍ଷେପ ହେତୁ ସେହି ପଥରେ ଯାଇ ନ ଥାଉ। ତେବେ ସ୍ୱର୍ଗୀୟ ବିଷୟ ସକଳ ପ୍ରତି ଧ୍ୟାନ ଦେଲେ ଆମର ଆଚରଣରେ ଘୋର ପରିବର୍ତ୍ତନ ଆସିବ। ତେବେ ସ୍ୱର୍ଗରେ କେଉଁ ବିଷୟକୁ ପ୍ରାଧାନ୍ୟ ଦିଆଯାଏ ବା ସେଥିପାଇଁ ଆବଶ୍ୟକୀୟ ବିଷୟଗୁଡ଼ିକ କ'ଣ ତାହା ଆମେ ଜାଣିବା ଆବଶ୍ୟକ। ଆମେ ଜଗତରେ ଯେ ସକଳ କାର୍ଯ୍ୟରେ ବ୍ୟସ୍ତ ଓ ଚିନ୍ତାଗ୍ରସ୍ତ, ସ୍ବର୍ଗରେ ତାହାର କି ମୂଲ୍ୟ ଅଛି? ଯଦି ଆମେ ଆମର ନିୟନ୍ତ୍ରଣ କକ୍ଷ, ସ୍ୱର୍ଗର ଅଧିକାରୀ  ଯୀଶୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ଓ ତାହାଙ୍କ ବାକ୍ୟ ଦିବାରାତ୍ର ଧ୍ୟାନ କରିବା, ତା' ହେଲେ ଆମ ଜୀବନରେ କାହାକୁ ଅଗ୍ରାଧିକାର ଦେବା, ତାହା ଜାଣିପାରିବା। ତାଙ୍କ କର୍ତ୍ତୃତ୍ୱାଧୀନ ହେଲେ ଆମ ଜୀବନ ଆଶୀର୍ବାଦ ପାଇବ, ସେ ସେଥିରେ ଦୁଃଖ ଯୋଗ କରିବେ ନାହିଁ।

No comments:

Post a Comment

Kindly give your suggestions or appreciation!!!