BN

Showing posts with label Daily Devotional (Odia). Show all posts
Showing posts with label Daily Devotional (Odia). Show all posts

ସ୍ଥିର ବିଶ୍ଵାସ

 ସ୍ଥିର ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୬:୧-୨୫


ସବୁ ଅବସ୍ଥାରେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିବାକୁ ମୁଁ ଚେଷ୍ଟା କରୁଛି କି ?


ଦାଉଦ ଭୟଭକ୍ତି ସହିତ ସଦାପ୍ରଭୁଙ୍କୁ ପ୍ରେମ କରୁଥିଲେ । ତାଙ୍କର ଇଚ୍ଛାମତ ଜୀବନଯାପନ କରି ତାଙ୍କର ମନର ମତ ହୋଇପାରିଥିଲେ । କ୍ଳେଶ ଓ ତାଡ଼ନାର ସମ୍ମୁଖୀନ ହେବା ସମୟରେ ସେ ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କ ଶରଣାଗତ ହେବା ଉତ୍ତମ (ଗୀତ ୧୧୮:୮) ଜାଣି, କାର୍ଯ୍ୟ କରି ସଦାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ବାସ କରୁଥିଲେ । 


ମହାନ ବ୍ୟକ୍ତିତ୍ଵ :

ଶାଉଲ ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜା ଥିଲେ । ମାତ୍ର ସେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିଲେ ନାହିଁ । ନିଜକୁ ଅସୁରକ୍ଷିତ ମନେ କଲେ । ସଦାପ୍ରଭୁଙ୍କ ଆଜ୍ଞା ଅମାନ୍ୟ କରି ଦାଉଦଙ୍କୁ ବଧ କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ । ବନଛାଗର ଶୈଳ ସବୁରେ ତାଙ୍କୁ ଖୋଜୁଥିବା ସମୟରେ, ଗୋଟିଏ ଗୁମ୍ଫା ଭିତରେ, ସଦାପ୍ରଭୁ ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ସମର୍ପଣ କଲେ । ହେଲେ ଦାଉଦ ତାଙ୍କୁ ବଧ କରି ନ ଥିଲେ । ପୁନଃ ସିଫୀୟମାନଙ୍କ ଠାରୁ ସୂଚନା ପାଇଁ ସୀଫ୍ ପ୍ରାନ୍ତରରେ ଉପସ୍ଥିତ ହୋଇ ତିନି ସହସ୍ର ଯୋଦ୍ଧାଙ୍କ ସହିତ ହଖୀଲା ପର୍ବତରେ ଛାଉଣୀ ସ୍ଥାପନ କଲେ । ସେସମୟରେ ମଧ୍ୟ ସଦାପ୍ରଭୁ ଶାଉଲଙ୍କୁ ନିଦ୍ରାଗ୍ରସ୍ତ ଅବସ୍ଥାରେ ଦାଉଦଙ୍କ ହସ୍ତରେ ସମର୍ପି ଦେଲେ । ତଥାପି ଦାଉଦ, ସଦାପ୍ରଭୁଙ୍କର ଅଭିଷିକ୍ତଙ୍କ ପ୍ରତି ହସ୍ତ ଉଠାଇ ନ ଥିଲେ । ସେ ଜାଣିଥିଲେ, ସଦାପ୍ରଭୁ ତାଙ୍କୁ ସୁରକ୍ଷା ଦେବେ । ଶାଉଲଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରି, ଦାଉଦ ନିଜର ମହାନତା ପ୍ରକାଶ କରିଥିଲେ ।


ମହାନ୍ ବିଶ୍ଵାସ :

ଦାଉଦ ଜାଣିଥିଲେ ଯେ ସଦାପ୍ରଭୁଙ୍କ ପ୍ରତିକୂଳରେ ହସ୍ତ ଉଠାଇବା ଏକ ଅକ୍ଷମଣୀୟ ଅପରାଧ । କେବଳ ସଦାପ୍ରଭୁ ହିଁ ତାଙ୍କର ମୃତ୍ୟୁ କିପରି ହେବ, ତାହା ସ୍ଥିର କରି ଥା' ନ୍ତି । ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିଏ ଯାଏ, ସେ ଶାପଗ୍ରସ୍ତ ହୁଏ । ଆଉ ଯେକେହି ଅଭିଷିକ୍ତ ବ୍ୟକ୍ତିଙ୍କର ଜୀବନକୁ ବହୁମୂଲ୍ୟ ମନେ କରେ, ତାର ଜୀବନ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ ହୋଇଯାଏ । ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ଵସ୍ତତା ପ୍ରମାଣେ ଫଳ ଦିଅନ୍ତି । ଏସମସ୍ତ ବିଷୟ ଜାଣି, ଦାଉଦ ପରମେଶ୍ୱରଙ୍କ ଅଧିକାରକୁ ନିଜ ହାତକୁ ନେଇ ନ ଥିଲେ । 


କଥା ଏବଂ କାର୍ଯ୍ୟ ଉଭୟରେ ଦାଉଦ ସଦାପ୍ରଭୁଙ୍କୁ ଗୌରବ ଦେଇ ଆଶୀର୍ବାଦ ପ୍ରାପ୍ତ ହେଲେ ଓ ଶାଉଲଙ୍କୁ ସଦାପ୍ରଭୁ ପରିତ୍ୟାଗ କଲେ ।

ଅସଂଜତ ଜିହ୍ୱା

 ଅସଂଜତ ଜିହ୍ୱା

ଆଜିର ଚିନ୍ତା

୧ ଶାମୁୟେଲ ୨୫:୧-୨୨


ମୁଁ କଟୁଭାଷା ବ୍ୟବହାର କରି ଅନ୍ୟର ଦୁଃଖର କାରଣ ହୋଇଅଛି କି ?


ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ଜିହ୍ୱା, ସମସ୍ତ ଅଧର୍ମର ମୂଳଧାର ସ୍ୱରୁପେ ଅବସ୍ଥିତ ଅଟେ (ଯାକୁବ ୩:୬) । ତାକୁ ଆମେ ନିୟନ୍ତ୍ରଣରେ ନ ରଖୁ, ତେବେ ତାହା ଆମର ଅନିଷ୍ଟ ସାଧନ କରେ । ମିଷ୍ଟଭାଷୀ ଜିହ୍ୱା ମଧୁଚାକ ସଦୃଶ୍ୟ ଅଟେ । ତାହା ଆମ୍ଭମାନଙ୍କୁ ଆଶୀର୍ବାଦର ଅଂଶୀ କରାଏ । 


ସଂଜତ ଜିହ୍ୱା :

ନାବଲ ଜଣେ କଟୁଭାଷୀ, କୁକର୍ମକାରୀ ସମ୍ଭ୍ରାନ୍ତ ବ୍ୟକ୍ତି  ଥିଲେ । ଦାଉଦ ପର୍ବତ ପ୍ରାନ୍ତରରେ ଲୁଚି ବୁଲୁଥିବା ସମୟରେ, ତାଙ୍କର ହିତାକାଂକ୍ଷୀମାନେ ସେମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେଉଥିଲେ । ଲୋମଛେଦନ ଦିନ କରି ଏକ ଶୁଭ ଦିନରେ ଦାଉଦ ସମ୍ମାନ ଓ ସମଦର ସହିତ ୧୦ଜଣ ଯୁବାଙ୍କୁ ତାଙ୍କ ନିକଟକୁ ପଠାଇଲେ । ତାଙ୍କର  ମେଷପାଳକମାନଙ୍କ ପ୍ରତି କରିଥିବା ଉପକାର ସ୍ମରଣ କରାଇଥିଲେ । ନମସ୍କାର ସହିତ ଦୀର୍ଘ ଜୀବନର ଆଶୀର୍ବାଦ ଓ ମଙ୍ଗଳ କାମନା କରି କିଛି ଖାଦ୍ୟଦ୍ରବ୍ୟ ଦେବା ପାଇଁ  ଅନୁରୋଧ କରି କହି ପଠାଇଲେ, "ତୁମ୍ଭ ହସ୍ତରେ ଯାହା ଆସେ, ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ" । ଏଥିରୁ ଆମେ ଦାଉଦଙ୍କର କୋମଳ, ନିଷ୍ଠାଜନକ, ହିତକର ବାକ୍ୟକୁ ଉପଲବଧି କରୁଛୁ ।


ଅସଂଜତ ଜିହ୍ୱା : 

ନାବଲ ଧନ ଗର୍ବରେ ଅନ୍ଧ ହୋଇ, ଜିହ୍ୱାକୁ ବଶରେ ରଖି ନ ପାରି, ନିଜର ଅନିଷ୍ଟ ସାଧନ କରିଥିଲେ । ଦାଉଦଙ୍କ ଅନୁରୋଧର ଅପ୍ରୀତିକର ପ୍ରତ୍ୟୁତ୍ତର ଦାଉଦଙ୍କ ମନରେ ଗଭୀର ଆଘାତ ଦେଲା । ଫଳରେ ଦାଉଦ, ଆପଣାର ଚାରିଶହ ଲୋକଙ୍କ ସହିତ ଅସ୍ତ୍ରଶସ୍ତ୍ର ନେଇ ନାବଲର ବିପକ୍ଷରେ ଉଠିଲେ । କାହାରି ଉପକାର ବଦଳରେ ଅପକାର କଲେ, ଈଶ୍ୱରଙ୍କ କ୍ରୋଧର ପାତ୍ରପାତ୍ରୀ ହେବା । ଯେପରି ଏବ୍ରୀ ୧୩:୧୬ ପଦରେ ଲେଖାଯାଏ, ପରୋପକାର ଓ ଦାନ କରିବାକୁ ନ ପାସୋର; କାରଣ ଏପରି ବଳିରେ ଈଶ୍ୱରଙ୍କ ପରମ ସନ୍ତୋଷ । ଆମ୍ଭେମାନେ ଜାଗ୍ରତ ହେଉ, "ଯେପରି  ଆମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ" (ଏଫିସୀୟ ୪:୨୯) ।

କ୍ଷମା ଦେବାର ମନୋଭାବ

 କ୍ଷମା ଦେବାର ମନୋଭାବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୪:୧-୨୨

ମୁଁ ମୋ ' ଶତ୍ରୁକୁ କ୍ଷମା କରିପାରୁଛି କି?


ଶତ୍ରୁକୁ ପ୍ରେମ କର ବୋଲି କହିବା ସହଜ; କିନ୍ତୁ ବାସ୍ତବ ଜୀବନରେ ଏହା କରିବା କଷ୍ଟକର ହୋଇଥାଏ । ହୃଦୟର ସହିତ ଶତ୍ରୁକୁ କ୍ଷମା କରିପାରିଲେ ଯାଇ ଆମେ ତାକୁ ପ୍ରେମ କରିପାରିବା । ଯେପରି ଶାଉଲଙ୍କର ସମସ୍ତ ପ୍ରକାର ନିଷ୍ଠୁର ଓ ହୃଦୟହୀନ ବ୍ୟବହାର ସତ୍ତ୍ୱେ ଦାଉଦ ତାଙ୍କୁ କ୍ଷମା କଲେ ।


ଶତ୍ରୁ ପ୍ରତି ପ୍ରେମ : 

ଦାଉଦଙ୍କର ଅନ୍ଵେଷଣ କରୁ କରୁ ଶାଉଲ ଯେଉଁ ଗୁମ୍ଫାରେ ବିଶ୍ରାମ ନେଲେ, ଦାଉଦ ପୂର୍ବରୁ ତହିଁର  ଅନ୍ତଭାଗରେ ଥିଲେ । ସଦାପ୍ରଭୁ, ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ଦେଲେ; କିନ୍ତୁ ସେ ତାଙ୍କ ପ୍ରତିକୂଳରେ ହସ୍ତ ଉଠାଇଲେ ନାହିଁ । ପ୍ରମାଣ ପାଇଁ କେବଳ ବସ୍ତ୍ର ଧଡି କାଟି ଦେଲେ । ସେଥିପାଇଁ ମଧ୍ୟ ସେ ଅନ୍ତରରେ ଖେଦିତ ହେଲେ । ପରବର୍ତ୍ତୀ ସମୟରେ ଶାଉଲଙ୍କୁ ପଛପଟୁ 'ହେ ମୋହର ପ୍ରଭୁ' ବୋଲି ସମ୍ବୋଧନ କରି ଡାକି ଭୂମିଷ୍ଠ ପ୍ରଣାମ କଲେ । ନମ୍ରତାର ସହିତ କହିଲେ, ଆପଣ ମୋତେ ଧରିବା ପାଇଁ ଅନ୍ଵେଷଣ କରୁଥିଲେ ହେଁ, ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ  । ପିତା ବୋଲି ସମ୍ବୋଧନ କରି ସେ ଆପଣାକୁ ନିତାନ୍ତ ନତ କଲେ । ନିଜକୁ ମଲା କୁକୁରଠାରୁ ମଧ୍ୟ ଅଧିକ ତୁଚ୍ଛ ବୋଲି କହିଲେ  । ପୁଣି ସଦାପ୍ରଭୁ ବିଚାର କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ ବୋଲି କହିଲେ । ଶତ୍ରୁକୁ କ୍ଷମା କରିବା ତଥା ପ୍ରେମ କରିବା ଆମର କର୍ତ୍ତବ୍ୟ; ଆଉ ପ୍ରତିଶୋଧ ନେବା ସଦାପ୍ରଭୁଙ୍କ ଅଧିକାର (ରୋମୀ ୧୨:୧୯) । 


ଶାଉଲଙ୍କର ହୃଦୟର ପରିବର୍ତ୍ତନ :

 ଶାଉଲ ହୃଦୟଙ୍ଗମ କଲେ ଯେ, ଦାଉଦ ତାଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି । ସେଥିପାଇଁ ତାଙ୍କର ନିର୍ଦ୍ଦୟ ବ୍ୟବହାରକୁ ସହ୍ୟ କରୁଛନ୍ତି । ତାଙ୍କର କଠିନ ହୃଦୟ ତରଳି ଗଲା । ସେ ସ୍ଵୀକାର କଲେ ଯେ ଦାଉଦ ତାଙ୍କଠାରୁ ଅଧିକ ଧାର୍ମିକ । ମନ୍ଦ ପରିବର୍ତ୍ତେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି, ଶତ୍ରୁର ହୃଦୟକୁ ସେ ଜିଣିପାରିଲେ । ଧାର୍ମିକ ବ୍ୟକ୍ତି ହିଁ ଶତ୍ରୁକୁ କ୍ଷମା ଦେଇପାରେ ଓ ମଙ୍ଗଳ କାମନା କରିପାରେ ପୁଣି ସଦାପ୍ରଭୁ ତାଙ୍କୁ ସମସ୍ତ ସଙ୍କଟରୁ ଉଦ୍ଧାର କରନ୍ତି ।


ଆସନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟର ଅନୁଗାମୀ ହୋଇ ସବୁବେଳେ ସୁକ୍ରିୟାରେ କୁକ୍ରିୟାକୁ ପରାଜିତ କରି, ଶତ୍ରୁକୁ କ୍ଷମା ଦେଇ ନିଜର କରିବାର ପ୍ରୟାସ କରୁ ।

ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

 ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

ଆଜିର ଚିନ୍ତା 

୧ ଶାମୁୟେଲ ୨୨:୧-୨୩


ମୁଁ ପ୍ରତି କ୍ଷେତ୍ରରେ ଈଶ୍ୱରଙ୍କ ଆଦେଶକୁ ଅପେକ୍ଷା କରୁଛି କି ? 


ଦାଉଦ ପରମେଶ୍ବରଙ୍କ ଉପରେ ନିଜର ଚିନ୍ତାର ଭାର ସମର୍ପଣ କରିଥିଲେ । ରାଜା ଶାଉଲ କିନ୍ତୁ ଆପଣାର ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରି ଆଗେଇ ଚାଲିଲେ । 


ଈଶ୍ୱରଙ୍କ ନିର୍ଦ୍ଦେଶର ଅପେକ୍ଷା :

ଶାଉଲଙ୍କ କୋପରୁ ରକ୍ଷା ପାଇବା ପାଇଁ ଦାଉଦ ପଳାୟନ କଲେ । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଗୁମ୍ଫାରେ ଯାଇ ଲୁଚିଲେ । ଧୈର୍ଯ୍ୟର ସହିତ ପରମେଶ୍ୱରଙ୍କ ଇଚ୍ଛା ଜାଣିବାକୁ ଅପେକ୍ଷା କଲେ । ଅଦୁଲ୍ଲମ୍ ଗୁମ୍ଫାରେ ଆତ୍ମଗୋପନ କଲେ । ଏହି ଖବର ପାଇ ତାଙ୍କ ପରିବାରର ସମସ୍ତେ ତାଙ୍କ ନିକଟରେ ପହଞ୍ଚିଲେ । ଶାଉଲ ରାଜାଙ୍କ ଦ୍ଵାରା ତାଡ଼ିତ, ଋଣଗ୍ରସ୍ତ, ତିକ୍ତ ମନା ପ୍ରାୟ ଚାରିଶହ ଲୋକ ଆସି ଦାଉଦଙ୍କ ସହିତ ମିଳିତ ହେଲେ । ଦାଉଦଙ୍କର ଅନୁରୋଧକ୍ରମେ ମୋୟାବର ରାଜା ଦାଉଦଙ୍କ ପିତାମାତା ଓ ପରିବାରର ନିରାପତ୍ତା ତଥା ରକ୍ଷଣାବେକ୍ଷଣର ଭାର ବହନ କଲେ । ପରମେଶ୍ବର ଗାଦ୍ ଭବିଷ୍ୟତବକ୍ତାଙ୍କ ମାଧ୍ୟମରେ ଦାଉଦଙ୍କୁ, ଯିହୁଦା ଦେଶକୁ ଯାଇ ଜନସାଧରଣଙ୍କ ନିକଟରେ ଆତ୍ମପ୍ରକାଶ କରିବା ପାଇଁ କହିଲେ । ସଦାପ୍ରଭୁ ଯେ ତାଙ୍କର ସହବର୍ତ୍ତୀ ଏହା ଜାଣି ସେ ଆଉ ନିଜକୁ ଅସୁରକ୍ଷିତ ମନେ କଲେ ନାହିଁ । 


ଆତ୍ମ ନିର୍ଭରଶୀଳତା : 

ରାଜା ଶାଉଲ, ଦାଉଦ ଓ ତାଙ୍କର ସଙ୍ଗୀମାନଙ୍କ ବିଷୟରେ ସନ୍ଧାନ ପାଇଲେ ନାହିଁ । ଏହାପରେ ତାଙ୍କର ଦାସ ଦୋୟେଗ୍ ଠାରୁ ଶୁଣିଲେ ଯେ, ଯାଜକ ଅହୀମେଲକ ତାଙ୍କୁ ଖାଦ୍ୟ ଏବଂ ଗଲୀୟାତ ଖଡ୍ଗ ଦେଇଛନ୍ତି । ଏଥିରେ ଖୁବ୍ ରାଗିଯାଇ, ତାଙ୍କ ବଂଶର ୮୫ ଜଣ ଯାଜକ ଓ ନୋବ ନଗରର ସମସ୍ତ ପୁରୁଷ, ସ୍ତ୍ରୀ, ନିରୀହ ଶିଶୁ, ଗୃହପାଳିତ ପଶୁ ସମସ୍ତଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ । ଅହୀମେଲକ ଯାଜକଙ୍କର, ଅବିୟାଥର ନାମକ ଗୋଟିଏ ପୁତ୍ର ଖସି ପଳାଇ ଆସି, ଦାଉଦଙ୍କ ନିକଟରେ ଆଶ୍ରୟ ନେଲା । 


ପରଶ୍ରୀକାତରତା ଶାଉଲଙ୍କୁ, ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ରକ୍ତପାତ କରିବାକୁ ପ୍ରବର୍ତ୍ତାଇ ଥିଲା । ଅପରପକ୍ଷରେ ଦାଉଦଙ୍କର ନମ୍ରତା, ସହୁଷ୍ଣୁତା, ଧୈର୍ଯ୍ୟ ଓ ପରମେଶ୍ବରଙ୍କ ଇଚ୍ଛା ଉପରେ ନିର୍ଭରଶୀଳତା ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା ।  

ସଠିକ୍ ସିଦ୍ଧାନ୍ତ

 ସଠିକ୍ ସିଦ୍ଧାନ୍ତ

ଆଜିର ଚିନ୍ତା

୧ମ ଶାମୁୟେଲ ୨୧: ୧-୧୫


ମୁଁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଚିତ୍ ସିଦ୍ଧାନ୍ତ ନେଇପାରିଥାଏ  କି?


ଜୀବନ ଯାତ୍ରା ପଥରେ ଅଗ୍ରସର ହେଉ ହେଉ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ସେତେବେଳେ ବିଚଳିତ ହୋଇ ଆପଣା ସୁବିବେଚନା ଉପରେ ଆଉଜି ପଡୁ, ପୁଣି ଭୁଲ୍ ସିଦ୍ଧାନ୍ତ ମଧ୍ୟ ନେଇଥାଉ । ଦାଉଦ କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତିରେ କିପରି ସଠିକ୍ ସିଦ୍ଧାନ୍ତ ସବୁ ନେଇପାରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ଅଟେ । 


ଯୁକ୍ତିଯୁକ୍ତ ସିଦ୍ଧାନ୍ତ (୧) : 

ସଦାପ୍ରଭୁ ଦାଉଦଙ୍କର ସହିତରେ ଥିଲେ । ସମଗ୍ର ଇସ୍ରାଏଲ ଓ ଯିହୁଦା ତାଙ୍କୁ ପ୍ରେମ କରୁଥିଲେ । ସେ ବୁଦ୍ଧିମତ୍ତାର ସହିତ ସମସ୍ତ କାର୍ଯ୍ୟ କରିପାରୁଥିଲେ । ସେ ଚାହିଁଥିଲେ  ଶାଉଲଙ୍କ ବିରୁଦ୍ଧରେ  ଯୁଦ୍ଧ ଘୋଷଣା କରି ରାଜସିଂହାସନର ଅଧିକାରୀ ହୋଇପାରିଥା'ନ୍ତେ  । ମାତ୍ର ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜାଙ୍କୁ ବଧ ନ କରିବାକୁ ସେ ସ୍ଥିର କଲେ । ତାଙ୍କ ହୃଦୟରେ ରାଜସିଂହାସନର ଲୋଭ ନ ଥିଲା । ନିଜ ବନ୍ଧୁଙ୍କର ପିତା, ନିଜ ସ୍ତ୍ରୀଙ୍କର ପିତା ବିରୁଦ୍ଧରେ ଯିବା ପାଇଁ ସେ ଚାହିଁ ନ ଥିଲେ । ନିଜେ କଷ୍ଟ ସ୍ଵୀକାର କରି, ଅନ୍ୟତ୍ର ପଳାୟନ କରିବା ଶେୟସ୍କର ବୋଲି ସିଦ୍ଧାନ୍ତ ନେଲେ । ଏହା ଦାଉଦଙ୍କର ନମ୍ରତା ଓ ମହନୀୟତାକୁ ପ୍ରମାଣିତ କରେ । ଶାନ୍ତି ସ୍ଥାପନ ପାଇଁ ଏହା ଥିଲା ତାଙ୍କର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ।


ସିଦ୍ଧାନ୍ତ (୨) : 

ଦାଉଦଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ ପ୍ରେମ ଥିଲା । ତାଙ୍କ ସହିତ ଥିବା ଅନ୍ୟ ଯୁବାମାନଙ୍କ ପାଇଁ ସେ ଖାଦ୍ୟ ଖୋଜିବାକୁ ଗଲେ । ଅହୀମେଲକ ଯାଜକଙ୍କଠାରୁ ଦର୍ଶନୀୟ ରୋଟି ମାଗି ଆଣି ସେମାନଙ୍କୁ ଖୁଆଇଲେ ।  ସଦାପ୍ରଭୁ ତାଙ୍କ ସହିତ ଥିବାରୁ,ଏହା ସେ ପ୍ରାପ୍ତ ହୋଇପାରିଥିଲେ । ପୁଣି ତାଙ୍କର ସଙ୍ଗୀମାନଙ୍କର ପ୍ରାଣ ରକ୍ଷା ହୋଇପାରିଥିଲା ।


ସିଦ୍ଧାନ୍ତ (୩) :

 ଦାଉଦ ଆତ୍ମଗୋପନ କରି ପଲେଷ୍ଟୀୟମାନଙ୍କ ନଗର ଗାଥରେ ପହଞ୍ଚିଲେ । ଆଖୀଶଙ୍କର ଦାସମାନେ ତାଙ୍କୁ ଚିହ୍ନିପାରି ତାଙ୍କର ବିଷୟରେ ରାଜାଙ୍କ ସମ୍ମୁଖରେ ବ୍ୟାଖ୍ୟା କଲେ।  ଦାଉଦ ନିଜକୁ ଗୋପନ ରଖିବା ପାଇଁ ଚତୁରତାର ସହିତ ପାଗଳର ଅଭିନୟ କରି ସେଠାରୁ ଖସି ଆସିଲେ ।


ସଦାପ୍ରଭୁ ଯାହାର ଆଶ୍ରୟ ଓ ବଳ ସେ କେବେହେଁ ବିଚଳିତ ହେବ ନାହିଁ । ଯେତେ ପ୍ରତିକୂଳ ପରିସ୍ଥିତିହେଉନା କାହିଁକି, ପ୍ରଭୁଙ୍କ ଉପରେ ନିର୍ଭର ରଖି ସଠିକ୍ ସିଦ୍ଧାନ୍ତ ନେବାକୁ ଆମେ ଯତ୍ନବାନ୍ ହେଉ ।

ନିଃସ୍ୱାର୍ଥପର ବନ୍ଧୁ

 ନିଃସ୍ୱାର୍ଥପର ବନ୍ଧୁ

ଆଜିର ଚିନ୍ତା

୧ ଶାମୁୟେଲ ୨୦:୨୪-୪୨

ମୁଁ ସ୍ୱାର୍ଥ ଚିନ୍ତା ନ କରି, ସତ୍ୟର ସପକ୍ଷରେ ଠିଆ ହୁଏ କି ? 


ରାଜା ଶାଉଲଙ୍କର ସ୍ୱାର୍ଥପର ମନୋଭାବ ନିକଟରେ ଯୋନାଥନଙ୍କର ନିଃସ୍ୱାର୍ଥପର ବନ୍ଧୁତା ବିଜୟ ଲାଭ କରିଥିଲା ।

ସତ୍ୟର ସପକ୍ଷବାଦୀ ଯୋନାଥାନ :

ଦାଉଦ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ । ଶାଉଲଙ୍କ ବିରୁଦ୍ଧରେ କୌଣସି ପାପ କରି ନ ଥିଲେ । ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଦାଉଦଙ୍କୁ ଛିଡ଼ା କରାଇ ଇସ୍ରାଏଲ ନିମନ୍ତେ ମହାଉଦ୍ଧାର ସାଧନର ବ୍ୟବସ୍ଥା କରିସାରିଥିଲେ । ଏହା ଯୋନାଥାନ ସ୍ପଷ୍ଟଭାବେ ଜାଣିସାରିଥିଲେ । ସେଥିପାଇଁ ତାଙ୍କର ପ୍ରାଣ ଦାଉଦଙ୍କ ପ୍ରାଣରେ ସଂଲଗ୍ନ ହୋଇସାରିଥିଲା । ଶାଉଲ ସିଂହାସନ ହରାଇବା ସହିତ, ତାଙ୍କର ଉତ୍ତରାଧିକାରୀମାନେ ମଧ୍ୟ ତାହା ଭୋଗ କରିପାରିବେ ନାହିଁ, ଏହି ବିଷୟ ତାଙ୍କୁ ହିତାହିତ ଜ୍ଞାନଶୂନ୍ୟ କରି ଦେଇଥିଲା । ସଦାପ୍ରଭୁ ଦାଉଦଙ୍କୁ ମନୋନୀତ କରିସାରିଛନ୍ତି । ଏହା ଅନ୍ୟଥା ମଧ୍ୟ ହୋଇପାରିବ ନାହିଁ । ଶାଉଲ ରାଜସିଂହାସନର ଲୋଭରେ ଅନ୍ଧ ହୋଇସାରିଥିଲେ । ଯୋନାଥନ ଯେ ଦାଉଦଙ୍କ ସପକ୍ଷବାଦୀ ତାହା ମଧ୍ୟ ଜାଣିସାରିଥିଲେ । ଯୋନାଥନଙ୍କ ମନରେ ରାଜସିଂହାସନ ହରାଇବାର ଭୟ ଦେଖାଇ ଦାଉଦଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଶାଉଲ ପ୍ରବର୍ତ୍ତାଇଲେ । ନିଃସ୍ୱାର୍ଥପର ଯୋନାଥନ ସତ୍ୟ ଓ ନ୍ୟାୟର ସପକ୍ଷରେ ଠିଆ ହେବାକୁ ଭୟ କଲେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଜ୍ଞାନୁସାରେ, ଦାଉଦଙ୍କୁ ଲୁଚି ପଳାଇବାରେ ସାହାଯ୍ୟ କଲେ । ନିଜ ଜୀବନକୁ ପ୍ରିୟଜ୍ଞାନ ନ କରି ଦାଉଦଙ୍କ ସପକ୍ଷରେ ଆପଣା ପିତା ଶାଉଲଙ୍କ ନିକଟରେ ମନ୍ତବ୍ୟ ରଖିଥିଲେ । 


ବିଦାୟକାଳୀନ ଦୃଶ୍ୟ :

ଶେଷରେ ଯୋନାଥନ ଓ ଦାଉଦ ପରସ୍ପରଠାରୁ ବିଦାୟ ନେଲେ । ସେହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ମର୍ମାନ୍ତିକ ଥିଲା । ଏହିପରି ଜଣେ ପ୍ରେମିକ ନିଃସ୍ୱାର୍ଥପର ବନ୍ଧୁଙ୍କ ଆଗରେ ଦାଉଦଙ୍କର ମଥା ନମ୍ରତାର ସହିତ ନତ ହେଲା । ସେ ତିନିଥର ଆପଣା ବନ୍ଧୁଙ୍କୁ ଭୂମିଷ୍ଟ ପ୍ରଣାମ କଲେ । ସେମାନେ ପରସ୍ପରକୁ ଚୁମ୍ବନ କରି ରୋଦନ କଲେ । ଦାଉଦଙ୍କ ଚକ୍ଷୁରୁ କୃତଜ୍ଞତାର ଅଶ୍ରୁ ଝରିପଡ଼ିଲା । ଅତି ସୁନ୍ଦର ଭାବରେ ସେଥିପାଇଁ ଲେଖାଯାଏ, "ମାତ୍ର ଦାଉଦ ବଳି ପଡ଼ିଲେ" । ସେମାନେ ସଦାପ୍ରଭୁଙ୍କୁ ନିଜର ମଧ୍ୟବର୍ତ୍ତୀ ବୋଲି ସ୍ଵୀକାର କରିଥିଲେ । 


ସେହିପରି ଆମର ପରମ ବନ୍ଧୁ ଯେ ଖ୍ରୀଷ୍ଟ, ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ନିତ୍ୟ ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରିବା ପାଇଁ ନିବେଦନ ପ୍ରାର୍ଥନା କରିଆସୁଛନ୍ତି । ଆମେ ତାଙ୍କ ପାଖରେ କୃତଜ୍ଞ କି ? 

ଘନିଷ୍ଟ ବନ୍ଧୁ

 ଘନିଷ୍ଟ ବନ୍ଧୁ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୦:୧-୨୩


ଅନ୍ୟମାନଙ୍କ ସହିତ ମୋର ବନ୍ଧୁତା ଜାଗତିକ ସ୍ୱାର୍ଥ ଉପରେ ଆଧାରିତ କି? 


ପ୍ରକୃତ ବନ୍ଧୁତା, ପ୍ରେମର ନିବିଡତା ଓ ସରଳ ବିଶ୍ଵାସ ଉପରେ ଆଧାରିତ । ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ସେହିପରି ବନ୍ଧୁତା ଥିଲା  । ବର୍ତ୍ତମାନ ଜଗତରେ ଖ୍ରୀଷ୍ଟଙ୍କ ବିନା ସେପରି ବନ୍ଧୁ ଆଉ କେହି ନାହାଁନ୍ତି । ବିପଦ ସମୟରେ ଆମର ଅସହାୟତାର ହାତ କେବଳ ଆମର ପରମବନ୍ଧୁ ଖ୍ରୀଷ୍ଟ ହିଁ ଧରିଥା' ନ୍ତି । 


ଉତ୍ତମ ବନ୍ଧୁର ପରିଚୟ : 

ଦାଉଦ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଥିଲେ । ସଦାପ୍ରଭୁଙ୍କ ଉପରେ ତାଙ୍କର ନିର୍ଭର ଥିଲା ।  ଈଶ୍ଵର ଜଗତ କ୍ଷେତ୍ରରେ ତାଙ୍କୁ ଜଣେ ଉପଯୁକ୍ତ ବନ୍ଧୁ ଭାବରେ ଯୋନାଥନଙ୍କୁ ଯୋଗାଇଥିଲେ । ପଠିତ ଶାସ୍ତ୍ରାଂଶରେ ଆମେ ଯୋନାଥନଙ୍କ ଉପରେ ଦାଉଦଙ୍କର ବିଶ୍ଵାସ, ଭରସା ଓ ପ୍ରେମ ଦେଖିବାକୁ ପାଉଛୁ । ଦାଉଦ ସେଥିପାଇଁ ନିର୍ଭୟରେ ଶାଉଲଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ତାଙ୍କୁ ଜଣାଇବାକୁ ଭୟ କଲେ ନାହିଁ । ସେ ଯୋନାଥନଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ । ଆଉ ଯୋନାଥନ ତାଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, "ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି" । ଆମର ଛୋଟ ବଡ ସମସ୍ୟାସବୁକୁ ନେଇ, ଆମେ ଯେତେବେଳେ ଆମର ପରମବନ୍ଧୁ ଖ୍ରୀଷ୍ଟଙ୍କ ନିକଟକୁ ଯାଉ, ତାଙ୍କ ସହିତ କଥାବାର୍ତ୍ତା କରୁ, ସେ ସମସ୍ୟାର ସମାଧାନରେ ସହାୟକ ହୁଅନ୍ତି ।


ଉତ୍ତମ ବନ୍ଧୁର ମନୋଭାବ : 

ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ ମଙ୍ଗଳସାଧନ କରିବାରେ ନିହିତ ଥାଏ । ଯୋନାଥନ ରାଜପୁତ୍ର ହେଲେ ମଧ୍ୟ ନିଃସ୍ଵାର୍ଥପର ଭାବରେ ନିଜ ବନ୍ଧୁର ମଙ୍ଗଳ ସାଧନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ସଦାପ୍ରଭୁ ଯେପରି ତାଙ୍କର ପିତାଙ୍କର ସଙ୍ଗୀ ହୋଇଅଛନ୍ତି, ସେପରି ଦାଉଦଙ୍କର ସହବର୍ତ୍ତୀ ହେଉନ୍ତୁ ବୋଲି ମଙ୍ଗଳ କାମନା କଲେ । ଦାଉଦଙ୍କୁ ସେ ଆପଣା ପ୍ରାଣ ସମାନ ପ୍ରେମ କରୁଥିଲେ । ସେଥିପାଇଁ ଯଦି ସେ ତାଙ୍କ ପିତାଙ୍କର ଇଚ୍ଛା ନ ଜଣାଇବେ, ତେବେ ସେ ସଦାପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହେବେ ବୋଲି ଶପଥ କଲେ । ଦାଉଦଙ୍କ ନିକଟରେ ଯୋନାଥନ ମଧ୍ୟ ଆପଣାର ବିନତି ଜଣାଇଲେ ।


ସଦାପ୍ରଭୁ ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଆପଣାର ବନ୍ଧୁ ରୂପେ ଗ୍ରହଣ କରିଛନ୍ତି । ଆମ୍ଭମାନଙ୍କ ସହିତ ଆପଣା ପ୍ରତିଜ୍ଞା ରକ୍ଷା କରିବାରେ ସେ ସଦାବିଶ୍ଵସ୍ତ ଅଟନ୍ତି । ସେ ଆମ୍ଭମାନଙ୍କର ମୁକ୍ତିର ମୂଲ୍ୟ ସ୍ବରୂପ ହୋଇଅଛନ୍ତି ପୁଣି ଆମ୍ଭମାନଙ୍କର ନିରାପତ୍ତାର ଭାର ବହନ କରିଛନ୍ତି ।

ସଦାପ୍ରଭୁ ରକ୍ଷକ

 ସଦାପ୍ରଭୁ ରକ୍ଷକ

ଆଜିର ଚିନ୍ତା

୧ ଶାମୁୟେଲ ୧୯:୧-୨୪

ମୁଁ କ'ଣ ସଦାପ୍ରଭୁଙ୍କ ସୁରକ୍ଷା ଉପରେ ନିର୍ଭର ରଖେ ?


ଆଜିର ଶସ୍ତ୍ରାଂଶରେ ପ୍ରଭୁ ଯେ ଆମକୁ ସମସ୍ତ ଗତିରେ ସୁରକ୍ଷା ଦେବାକୁ ସମର୍ଥ ତାହା ଦାଉଦଙ୍କ ଜୀବନ ମାଧ୍ୟମରେ ପ୍ରକାଶ କରିଛନ୍ତି ।


ଘନିଷ୍ଟ ବନ୍ଧୁର ଆଚରଣ :

ଯୋନାଥନ ଦାଉଦଙ୍କ ଅତି ଅନ୍ତରଙ୍ଗ ବନ୍ଧୁ ଥିଲେ । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେ ଦାଉଦଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଡ଼ାଇଥିଲେ ଏବଂ ଏଥିପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ । ଈଶ୍ଵର ହେଉଛନ୍ତି ଆମର ଉତ୍ତମ ବନ୍ଧୁ । ସେ ଅବ୍ରାହମ୍ ଙ୍କ ବନ୍ଧୁ ଥିଲେ । ଗୀତ ରଚକ କହନ୍ତି "ଯେ ତୁମକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ….. କି ନିଦ୍ରା ଯିବେ ନାହିଁ"ଯୀଶୁ ଆମର ଘନିଷ୍ଟ ବନ୍ଧୁ, କାରଣ ସେ ଆମକୁ ପ୍ରେମ କରି ଆମ ପାଇଁ ନିଜର ପ୍ରାଣଦାନ କରି ବନ୍ଧୁର ପରିଚୟ ଦେଇଛନ୍ତି (ଯୋହନ ୧୫:୧୩-୧୪) । ମୁଁ ଯୀଶୁଙ୍କୁ ନିଜର ଘନିଷ୍ଟ ବନ୍ଧୁ ହିସାବରେ ମୋ ହୃଦୟରେ ଗ୍ରହଣ କରିପାରିଛି କି ?


ଜ୍ଞାନବତୀ ସ୍ତ୍ରୀର ଅବଦାନ : 

ଦାଉଦଙ୍କୁ ଶାଉଲଙ୍କ ହାତର ରକ୍ଷା କରିବା ଲାଗି ସର୍ବଦର୍ଶୀ ପରମେଶ୍ୱର ମିଖଲଙ୍କୁ ତାଙ୍କ ସ୍ତ୍ରୀ ଭାବେ ଯୋଗାଇଥିଲେ । ବାକ୍ୟରେ ଲେଖାଯାଏ "ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥାଇ" (ହିତ ୧୪:୧) । ଆହୁରି ମଧ୍ୟ ଲେଖାଯାଏ "ଯେଉଁ ଲୋକ ଭାର୍ଯ୍ୟା ପାଏ….ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ" (ହିତ ୧୮:୨୨) । ନିଜ ପାଇଁ ବିପଦ ଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ ନ କରି ମୀଖଲ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଶାଉଲଙ୍କ ଠାରୁ ଦାଉଦଙ୍କ ଜୀବନକୁ ରକ୍ଷା କରିଥିଲେ । ହେଲେ ଆଜିର ଜଗତ ସେପରି ସ୍ତ୍ରୀ ମାନଙ୍କୁ ଚାହିଁ ନ ଥାଏ । କେବଳ ଉଚ୍ଚ ଶିକ୍ଷା, ରୂପ ସୌନ୍ଦର୍ଯ୍ୟ, ପରିବାର ମର୍ଯ୍ୟାଦା ଆଦିକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ୧ ପିତର ୩:୩-୪ ରେ ଲେଖାଯାଏ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ଵଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ସ୍ତ୍ରୀ ମାନଙ୍କ ଅକ୍ଷୟ ଭୂଷଣ ହେଉ । ଆମେ ଯଦି ସୁରକ୍ଷା ପାଇବାକୁ ଚାହୁ, ତେବେ ସଦାପ୍ରଭୁଙ୍କ ଡେଣା ତଳେ ଆଶ୍ରୟ ନେବା । ଗୀତ ୩୨:୭ ରେ ଲେଖାଯାଏ ତୁମ୍ଭେ ସଙ୍କଟରୁ ମତେ ରକ୍ଷା କରିବ …. ।

ବିଜୟୀର ପୁରସ୍କାର

 ବିଜୟୀର ପୁରସ୍କାର

ଆଜିର ଚିନ୍ତା

୧ ଶାମୁୟେଲ ୧୮:୧-୧୬

ମୁଁ ଆଜି ପାପ ଉପରେ ବିଜୟ ଲାଭ କରିପାରିଛି କି ? 


ଦାଉଦଙ୍କୁ ଶାଉଲ ଏବଂ ତାଙ୍କ ଲୋକମାନେ ପ୍ରଥମେ ଭଲ ଭାବରେ ଜାଣି ନ ଥିଲେ କିନ୍ତୁ ଗଲୀୟାତକୁ ବଧ କଲା ଉତ୍ତାରେ ସମସ୍ତେ ତାଙ୍କୁ ଜାଣିଲେ ଓ ତାଙ୍କର ସୁଖ୍ୟାତି ଚାରିଆଡ଼େ ବ୍ୟାପିଗଲା । 


ବିଜୟ ସମ୍ମାନ ପ୍ରଦାନ କରେ :

ଗଲୀୟାତକୁ ବଧ କଲା ପରେ ଦାଉଦଙ୍କର ସମ୍ମାନ ଓ ଖ୍ୟାତି ବୃଦ୍ଧି ପାଇଲା l ଶାଉଲଙ୍କ ପ୍ରଶ୍ନ "ଏ ଯୁବା କାହାର ପୁଅ" ଇଙ୍ଗିତ କରେ ଯେ, ଦାଉଦଙ୍କ ସଫଳତାରେ ତାଙ୍କ ପିତାମାତା ମଧ୍ୟ ସମ୍ମାନ ଓ ଗୌରବର ଅଧିକାରୀ ହୋଇଥିଲେ । ଏଥି ସହ ଯୋନାଥାନଙ୍କ ପରି ଜଣେ ଉତ୍ତମ ବନ୍ଧୁଙ୍କୁ ପାଇଲେ, ଯେ ଦାଉଦଙ୍କୁ ଆପଣା ଚୋଗା, ବସ୍ତ୍ର, ଖଡ୍ଗ, ଧନୁ ଓ କଟିବନ୍ଧନ ଦେଇ ନିଜ ପ୍ରାଣଠାରୁ ଅଧିକ ପ୍ରେମ କଲେ । ଶାଉଲ ଯୋଦ୍ଧାମାନଙ୍କ ଉପରେ ଦାଉଦଙ୍କୁ ନିଯୁକ୍ତି ଦେଲେ ଏବଂ ଶେଷରେ ଶାଉଲଙ୍କର ସେ ସେନାପତି ହେଲେ । ସର୍ବୋପରି ସମସ୍ତ ଇସ୍ରାଏଲ ଓ ଯିହୂଦାର ଲୋକମାନେ ଦାଉଦଙ୍କୁ ପ୍ରେମ କଲେ ।


ଈର୍ଷା ଶତ୍ରୁତା ସୃଷ୍ଟି କରେ :

ପଲେଷ୍ଟୀୟମାନଙ୍କୁ ବଧ କରି ଫେରିବା ବେଳେ ସ୍ତ୍ରୀ ମାନଙ୍କ ପ୍ରଶଂସା "ଶାଉଲ….. ଦାଉଦ ବଧ କଲେ ଅୟୁତ ଅୟୁତ" ଶୁଣି ଶାଉଲ ଈର୍ଷାନ୍ଵୀତ ହୋଇ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କୁଦୃଷ୍ଟି ରଖିଲେ । ଶତ୍ରୁ ହୋଇ ନିଜର ବର୍ଚ୍ଛା ଦ୍ଵାରା ଦାଉଦଙ୍କୁ ଦୁଇଥର ଆକ୍ରମଣ କରିଥିଲେ । ମାତ୍ର ସଦାପ୍ରଭୁ ଦାଉଦଙ୍କୁ ରକ୍ଷା କରିଥିଲେ । ଏହି ଈର୍ଷା ମନୋଭାବ ଯୋଗୁଁ ଶାଉଲଙ୍କର ଅବନତି ଘଟିଥିଲା । ବାକ୍ୟରେ ଲେଖାଯାଏ "ଈର୍ଷା ହାଡ଼ର କ୍ଷୟ ସ୍ଵରୂପ" (ହିତ ୧୪:୩୦ଖ) । ଏହି ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି, ପ୍ରତିଶୋଧ ପରାୟଣ ନ ହୋଇ ଦାଉଦ ନିଜର କର୍ତ୍ତବ୍ୟ ଯଥାର୍ଥ ଭାବେ ସମ୍ପନ୍ନ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ମୁଁ କ'ଣ ଭାଙ୍ଗି ପଡ଼େ ନା ତା'ର ମୁକାବିଲା କରିବାକୁ ପ୍ରଭୁଙ୍କ ଦୟା ସିଂହାସନରୁ ଶକ୍ତି ସଂଗ୍ରହ କରି ଯଥାର୍ଥ କାର୍ଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ ରଖେ । 

ଅବିଶ୍ବାସ ଭୟ ଆଣେ

 ଅବିଶ୍ବାସ ଭୟ ଆଣେ 

ଆଜିର ଚିନ୍ତା

୧ଶାମୁୟେଲ ୧୭:୧-୨୭

ପ୍ରତିକୂଳ ପରିସ୍ଥିତିରେ ମୁଁ ଭୟଭୀତ ହୁଏ କି ?


ମନୁଷ୍ୟ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ଵାସ ନ କରିବା ହେତୁ ଆମେ ଭୟଭୀତ ଓ ପରାଜିତ ହୋଇଥାଉ । 


ଭୟଭୀତ ଇସ୍ରାଏଲ :

 ଗଲିୟାତର ଶାରୀରିକ ଗଠନ, ସାଜସଜ୍ଜା ଓ ଅସ୍ତ୍ରଶସ୍ତ୍ର ଦେଖି ପୁଣି ତା'ର ବିକଟାଳ ରଣହୁଙ୍କାର ଶୁଣି, ଶାଉଲ ଓ ସମସ୍ତ ଇସ୍ରାଏଲ ସୈନ୍ୟମାନେ ଅତିଶୟ ହତାଶ ଏବଂ ଭୟଭୀତ ହୋଇଥିଲେ । କାରଣ ଈଶ୍ୱରଙ୍କ ଦ୍ଵାରା ସାଧିତ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟକୁ ସେମାନେ  ଭୁଲି ଯାଇଥିଲେ । ସେମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ନିଜର ବାହୁବଳ ଉପରେ ନିର୍ଭର କରୁଥିଲେ, ଫଳରେ ଗଲିୟାତ ଚାଳିଶଦିନ ଧରି ପ୍ରାତଃକାଳରେ ଏବଂ ସନ୍ଧ୍ୟାକାଳରେ ସେମାନଙ୍କୁ ଉପହାସ କରିବାକୁ ସୁଯୋଗ ପାଇଥିଲା ଓ ଈଶ୍ଵର ଅଗୌରବାନ୍ଵିତ ହୋଇଥିଲେ ।


ସତ୍ ସାହସୀ ଦାଉଦ :

ପ୍ରଚୁର ଧନ, କନ୍ୟା ସହିତ ବିବାହ ଓ ତାହାର ପିତୃଗୃହକୁ ନିଷ୍କର କରିବା ଆଦି ଲୋଭନୀୟ ପୁରସ୍କାର ପାଇଁ ନୁହେଁ ବରଂ ନିଜ ଲୋକମାନଙ୍କର ପୁଣି ଜୀବିତ ପରମେଶ୍ୱରଙ୍କର ଅପମାନ ଦାଉଦଙ୍କୁ ଗଭୀର ଆଘାତ ଓ ଗଲୀୟାତ ସହ ଯୁଦ୍ଧ କରିବାକୁ ପ୍ରେରଣା ଯୋଗାଇଥିଲା । ଆଜି ଗଲୀୟାତ ପରି ଅନେକ  ବିଷୟମାନ ଆମ ଜୀବନରେ ଏପରି କଠୋର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ନିରାଶ ହତାସ କରିଥାଏ । ଏପରି ଘଡିସନ୍ଧି ସମୟରେ, ଭୟ ନ କରି ବିଶ୍ଵାସରେ ସ୍ଥିର ରହି ଶୟତାନର ପ୍ରତିରୋଧ କରିବା ଆମ ସମସ୍ତ ଖ୍ରୀଷ୍ଟିୟାନର କର୍ତ୍ତବ୍ୟ । କେବଳ ସଦାପ୍ରଭୁଙ୍କ ଉପରେ ବିଶ୍ଵାସ ଓ ପ୍ରାର୍ଥନାରେ ନିର୍ଭର ରଖିବା ଦ୍ଵାରା ହିଁ ଆମେ ଜୟଯୁକ୍ତ ହୋଇପାରିବା । ଇସ୍ରାଏଲୀୟମାନେ ଗଲୀୟାତର ଉଚ୍ଚତାକୁ ଦେଖୁଥିଲେ ମାତ୍ର ଜୀବିତ ଈଶ୍ୱରଙ୍କ ମହାନତାକୁ ନୁହେଁ, ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ପରମେଶ୍ୱର ଆମ୍ଭର ଆଶ୍ରୟ ଓ ବଳ ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ" (ଗୀତ ୪୬:୧) । ତେଣୁ ଆମ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଆମେ ଭୟ ନ କରି ପ୍ରଭୁ ଯୀଶୁଙ୍କଠାରେ ଭରସା ରଖିବା ଦ୍ଵାରା ବିଜୟୀ ହୋଇପାରିବା । ମୋ' ଜୀବନରେ ଏହା ଦେଖାଯାଏ କି ?

ଈଶ୍ୱରଙ୍କ ମନୋନୟନ

ଈଶ୍ୱରଙ୍କ ମନୋନୟନ 

ଆଜିର ଚିନ୍ତା

୧ଶାମୁୟେଲ ୧୬:୧-୨୩

ମୋ' ଅନ୍ତଃକରଣ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଅଟେ କି ?

ଈଶ୍ଵର ଶାମୁୟେଲଙ୍କୁ ଶାଉଲଙ୍କ ପାଇଁ ଆଉ ରୋଦନ ନ କରି ଇସ୍ରାଏଲ ନିମନ୍ତେ ମନୋନୀତ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଅଭିଷେକ କରିବାକୁ ଆଦେଶ ଦେଇଥିଲେ । 

ଅନ୍ତଃକରଣଦର୍ଶୀ ଈଶ୍ଵର :

ଏହି କାର୍ଯ୍ୟ ଶାମୁୟେଲଙ୍କ ନିମନ୍ତେ ଅତି ବିପଦପୂର୍ଣ୍ଣ ଓ କଷ୍ଟକର ଥିଲା । ମାତ୍ର ଈଶ୍ଵର ତାଙ୍କୁ ବେଥଲିହିମସ୍ଥ ଯିଶୀଙ୍କ ଗୃହକୁ ଯାଇ ଯଥାର୍ଥ ଭାବରେ ସେହି କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ଈଶ୍ୱରଙ୍କ ବାଧ୍ୟ ହେବା ଆମକୁ ଅନେକ ସମୟରେ କଠିନ ପରି ମନେ ହେଲେ ମଧ୍ୟ, ଆମେ ଯଦି ନିଜ ବା ଅନ୍ୟ ଉପରେ ନିର୍ଭର ନ କରି, ପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବା, ସେ ଆମକୁ ତାଙ୍କ କାର୍ଯ୍ୟ ସାଧନ କରିବାକୁ ଶକ୍ତି, ଜ୍ଞାନ ଓ ସାହସ ଦେବେ । ଶାମୁୟେଲ ଯିଶୀଙ୍କର ପୂତ୍ରମାନଙ୍କୁ ଦେଖିବା ସମୟରେ ଈଶ୍ଵର ସେମାନଙ୍କର ବାହ୍ୟରୂପକୁ ନ ଦେଖି ବିଚାର କରିବାକୁ କହିଥିଲେ ଓ ଦାଉଦଙ୍କୁ ରାଜାଭିଷେକ କରିବାକୁ ଆଦେଶ ଦେଇଥିଲେ । ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ଈଶ୍ଵର ଅନ୍ତଃକରଣକୁ ଦେଖିପାରନ୍ତି ଓ ବୁଝିପାରନ୍ତି । ତେଣୁ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସେହିଭଳି ହେବା ଉଚିତ୍ । ଈଶ୍ୱରଙ୍କ ପସନ୍ଦ ଯୋଗ୍ୟ ହେବା ସମୟରେ ନିମନ୍ତେ ଆମର ଅନ୍ତଃକରଣକୁ ପରିଷ୍କାର କରି ପବିତ୍ରତାର ସୌନ୍ଦର୍ଯ୍ୟରେ ସଜା ହେବା ଆବଶ୍ୟକ ।

ସୁଯୋଗର ସଦବ୍ୟବହାର :

ଅବାଧ୍ୟତା ହେତୁ ଈଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଛାଡ଼ି ଚାଲିଗଲେ ଓ ଏକ ମନ୍ଦ ଆତ୍ମା ତାଙ୍କ ଅନ୍ତରରେ ପ୍ରବେଶ କରି ତାଙ୍କୁ ବିରକ୍ତ କରିବାକୁ ଲାଗିଲା । ଏଣୁ ଶାଉଲଙ୍କ ସମ୍ମୁଖରେ ଠିଆ ହୋଇ ବୀଣାବାଦନ କରିବାକୁ ଜଣେ ନିପୁଣ ବୀଣା ବାଦକଙ୍କ ଅନ୍ୱେଷଣ କରାଗଲା ଓ ଦାଉଦଙ୍କୁ ଏଥି ନିମନ୍ତେ ବଛାଗଲା । ଶାଉଲ ତାଙ୍କୁ ନିଜର ଅସ୍ତ୍ରବାହକ ରୂପେ ନିଯୁକ୍ତି ଦେଇଥିଲେ । ଦାଉଦଙ୍କଠାରେ ସଦାପ୍ରଭୁଙ୍କ ଆତ୍ମା ବାସ କରୁଥିଲେ, ତେଣୁ ଦାଉଦଙ୍କ ସଙ୍ଗତି ପାଇଁ ଶାଉଲଙ୍କ ଶରୀରରୁ ମନ୍ଦ ଆତ୍ମା ଚାଲି ଯାଉଥିଲା । ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ସଦାପ୍ରଭୁଙ୍କ ଆତ୍ମା ଯାହାଠାରେ ଅଧିଷ୍ଠାନ କରନ୍ତି ସେ……... କ୍ଷତ ବାନ୍ଧି ପାରେ" (ଯିଶାୟ ୬୧:୧) । ସଦାପ୍ରଭୁ ଦାଉଦଙ୍କୁ ଜଣେ ସୁୁଶାସକ ହେବା ପାଇଁ ତାଲିମ୍ ଦେଇଥିଲେ । ଦାଉଦଙ୍କ ପରି ଆମେ ଯଦି ଆମର ପ୍ରତିଭାକୁ ତାଙ୍କ ପାଇଁ ବ୍ୟବହାର କରୁ ତାହା ଅନେକଙ୍କ ଆତ୍ମିକ ସୁସ୍ଥତା ଦିଗରେ ମହା ଔଷଧ ରୂପେ କାର୍ଯ୍ୟ କରିବ । 

ଉତ୍ତମ ଯୁଦ୍ଧରେ ପ୍ରାଣପଣ

 ଉତ୍ତମ ଯୁଦ୍ଧରେ ପ୍ରାଣପଣ

ଆଜିର ଚିନ୍ତା

ପ୍ରେରିତ ୨୮:୧୭-୩୧

ଜଗତର ଏହି ଶେଷ ସମୟରେ ମୁଁ ଈଶ୍ୱରଙ୍କ ମନରମତ ଜୀବନ କାଟୁଛି କି ?


ବନ୍ଦୀ ଅବସ୍ଥାରେ, ଦୀର୍ଘ ଦୀନ ଜଳଯାତ୍ରା ପରେ ପାଉଲ ରୋମ ସାମ୍ରାଜ୍ୟର ପ୍ରମୁଖ ଶକ୍ତି କେନ୍ଦ୍ରରେ ପହଞ୍ଚିଛନ୍ତି । ଏହି ସ୍ମରଣୀୟ ଯାତ୍ରା ସମୟରେ ସେ ନିର୍ଭୟରେ ଈଶ୍ୱରଙ୍କ ରାଜ୍ୟ ଓ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଥିଲେ (୩୧ପଦ) । ପାଉଲଙ୍କ ମତରେ, ବାକ୍ୟ ପ୍ରଚାରରେ ବାଧା ଯେମିତି ନିଶ୍ଚିତ, ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ସଫଳତା ମଧ୍ୟ ସେତିକି ସୁୁନିଶ୍ଚିତ । ଏହି ପୁସ୍ତକଟିର ଅଦ୍ଭୁତ ଭାବେ ପରିସମାପ୍ତି ଘଟିଛି । କାଇସରଙ୍କ ସହ ଦୀର୍ଘ ସମୟ ବାକ୍ୟ ବିନିମୟ ପରେ ମଧ୍ୟ ସେପରି କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିବାର ଉଲ୍ଲେଖ ନାହିଁ । ଏପରିକି ପାଉଲଙ୍କ ଶେଷ ଦଶା କ'ଣ ହେଲା, ସେ ରୋମ୍ ରେ ମୃତ୍ୟୁବରଣ କଲେ ନା ତାଙ୍କୁ ମୁକ୍ତ କରାଗଲା; ସେ ବିଷୟ ମଧ୍ୟ ଅସ୍ପଷ୍ଟ ।


ଅସମ୍ପୂର୍ଣ୍ଣ ସେବାକାର୍ଯ୍ୟ :

ମନେ ହୁଏ ଲେଖକ ଲୁକଙ୍କର ଏହା ଏକ ଇଚ୍ଛାକୃତ ସର୍ଜନା ଅବା ସାହିତ୍ୟିକ ଶୈଳୀ । ସେ ବାସ୍ତବରେ କାହାଣୀର ଅନ୍ତ ନ ଆଣି କିଛିଟା ବିରାମ ଆଣିଛନ୍ତି । ମୂଳ ବିଷୟ ହେଲା, ସେତେବେଳେ ରୋମ ପୃଥିବୀର କେନ୍ଦ୍ରସ୍ଥଳ ଥିଲା, ପ୍ରାନ୍ତ ନୁହେଁ (ପ୍ରେରିତ ୧:୮) । ଏଣୁ ସେବାକାର୍ଯ୍ୟ ଏବେ ମଧ୍ୟ ଶେଷ ହୋଇ ନାହିଁ । 


ଆମର ଦାୟିତ୍ବ :

ରିଲେ ବା ପାଳି ଦୌଡ଼ରେ ଜଣେ ଦୌଡ଼ଳି ତା' ନିମନ୍ତେ ନିର୍ଦ୍ଧାରିତ ସୀମାରେଖାରେ ତା'ର ପରବର୍ତ୍ତୀ ବ୍ୟକ୍ତିଙ୍କୁ ଯଷ୍ଟି ବଢ଼ାଇ ଏଥର ତୁମ ପାଳି ବୋଲି କହି ଦୌଡ଼ ଚାଲୁ ରଖିବାକୁ ଅନୁରୋଧ କରିଥାଏ । ଠିକ୍ ସେହିପରି ଏଠାରେ ଲେଖକଙ୍କର ମୁଖ୍ୟ ଅଭିପ୍ରାୟ ହେଲେ ପୃଥିବୀକୁ ସୁସମାଚାର ମାଧ୍ୟମରେ ପରିବର୍ତ୍ତିତ କରିବା ଓ ଅସାମାନ୍ୟ ଦାୟିତ୍ବ ଆମ୍ଭମାନଙ୍କ ଭଳି ପାଠକମାନଙ୍କ ଉପରେ ନ୍ୟସ୍ତ କରିବା । 


ସର୍ବୋକୃଷ୍ଟ ଆହ୍ଵାନ :

ଏହି ପୁସ୍ତକର ଅନ୍ତିମ ଅଂଶ କେବଳ ଆମର ଧ୍ୟାନ ଆକର୍ଷଣ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରତ୍ୟକ୍ଷଭାବେ ଆହ୍ଵାନ କରେ, ଯେପରି ପିତର ଓ ପାଉଲଙ୍କ ପଦାଙ୍କ ଅନୁସରଣ କରି, ଆମେ ସୁସମାଚାର ପ୍ରଚାର ଏବଂ ପ୍ରସାରରେ ନିଜ ନିଜକୁ ବିଶ୍ଵସ୍ତ ଭାବେ ନିୟୋଜନ କରିବା । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ, ତେଣୁ କାହାଣୀ ମଧ୍ୟ ଅସମ୍ପୂର୍ଣ୍ଣ । ସୁସମାଚାର ପ୍ରଚାର କାର୍ଯ୍ୟ କ୍ରମାଗତ ଭାବେ ଚାଲୁ ରଖିବା ବର୍ତ୍ତମାନ ଆମର ନିଜସ୍ଵ, ନିର୍ଦ୍ଦିଷ୍ଟ ତଥା ବ୍ୟକ୍ତିଗତ ଦାୟିତ୍ବ ।

ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

 ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

ଆଜିର ଚିନ୍ତା

ପ୍ରେରିତ ୨୮:୧-୧୬

ନିଜର ଅସମୟରେ, ମୁଁ ଅନ୍ୟକୁ ସାହାଯ୍ୟ କରିବାକୁ ପ୍ରୟାସ କରିଥାଏ କି ?


ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ସତ୍ତ୍ବେ, ପ୍ରାଣପଣ ଉଦ୍ୟମ କରି ଯାତ୍ରୀମାନେ ନିରାପଦରେ ମେଲିତୀ ଦ୍ଵୀପରେ ପହଞ୍ଚିଲେ । ସ୍ଥାନୀୟ ଅଧିବାସୀମାନେ ଯାତ୍ରୀମାନଙ୍କୁ ଅତଭୁତ୍ ପୂର୍ବ ସମ୍ବର୍ଦ୍ଧନା ଜଣାଇଲେ । ପୁଣି ନିଆଁ ଜଳାଇବା ସମୟରେ ଏକ ବିଷଧର ସାପ ପାଉଲଙ୍କ ହାତକୁ କାମୁଡ଼ି ଝୁଲି ରହିଲା । ମାତ୍ର ତାଙ୍କର କିଛି କ୍ଷତି ହେଲା ନାହିଁ । ବରଂ ତଦ୍ୱାରା ଖ୍ୟାତି ବଢ଼ିଗଲା । ପୁଣି ସେହି ଦ୍ଵୀପରେ ମୁଖ୍ୟ ପୁବ୍ଲୀୟଙ୍କ ପୀଡ଼ିତ ଓ ଶଯ୍ୟାଶାୟୀ ପିତାଙ୍କୁ ପାଉଲ ପ୍ରାର୍ଥନା କରି ସୁସ୍ଥ କଲେ । ଏହି ସମ୍ବାଦ ଦ୍ଵୀପରେ ବ୍ୟାପିଯିବାରୁ, ଅବଶିଷ୍ଟ ଅସୁସ୍ଥ ଲୋକମାନେ ମଧ୍ୟ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ । 


ସେବାକାର୍ଯ୍ୟର ଉପକାରୀତା :

ସେହି ଦ୍ଵୀପରେ ପାଉଲଙ୍କ ସେବାକାର୍ଯ୍ୟ ଚମକପ୍ରଦ ସଫଳତା ଲାଭ କରିଥିଲା । ଯଦ୍ଵାରା ସ୍ଥାନୀୟ ଅଧିବାସୀମାନେ ଆଗାମୀ ରୋମଯାତ୍ରା ନିମନ୍ତେ ଯାତ୍ରୀମାନଙ୍କର ସମସ୍ତ ଆବଶ୍ୟକୀୟ ବସ୍ତୁ ହୃଷ୍ଟଚିତ୍ତରେ ଯୋଗାଇ ଦେଇଥିଲେ । ସେମାନଙ୍କର ଏହି ମହାନୁଭବତା ପାଉଲଙ୍କର ପ୍ରଚାରିତ ସୁସମାଚାରର ପ୍ରଭାବ ପ୍ରମାଣ କରିଥାଏ । ମେଲିତୀ ଦ୍ୱୀପର ଅନୁଭୂତି ପାଉଲଙ୍କ ସମଗ୍ର ସେବାକାର୍ଯ୍ୟ ସମୟର ରଣନୀତି ସ୍ଥିର କରିବାରେ ଅତ୍ୟନ୍ତ ସହାୟକ ହୋଇଥିଲା । ପୁବ୍ଲୀୟଙ୍କ ଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଓ ବାକ୍ୟ ଦ୍ଵାରା ଏପରି ପ୍ରଭାବିତ କରିଥିଲେ ଯେ, ସେ ଉଭୟ ପାଉଲ ଓ ତାଙ୍କ ପ୍ରଚାରିତ ସୁସମାଚାରକୁ ସ୍ପଷ୍ଟ ସମର୍ଥନ ଓ ଅନୁମୋଦନ କରିଥିଲେ । ମେଲିତୀ ଦ୍ୱୀପରେ ପାଉଲଙ୍କ ତିନିମାସର ରହଣୀକାଳ ମଧ୍ୟରେ ସ୍ଥାନୀୟ ଅଧିବାସୀମାନେ ଆତ୍ମିକ ଭାବେ ପ୍ରଭାବିତ ହେବା ସହ ସାମାଜିକ ଭାବେ ମଧ୍ୟ ଉପକୃତ ହୋଇଥିଲେ । 


ଶକ୍ତିଯୁକ୍ତ ସେବାକାର୍ଯ୍ୟ :

ଏହି ଘଟଣା ସହିତ ପାଉଲଙ୍କ କରିନ୍ଥୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରର ଅନେକଟା ସମାନତା ରହିଛି । ପାଉଲ ଦୃଢ଼ତାର ସହ କୁହନ୍ତି, "ନିଜ ଜ୍ଞାନଗାରିମା ଅବା ମନୋହର ବାକ୍ୟ ଦ୍ଵାରା ସେମାନଙ୍କୁ ପ୍ରବର୍ତ୍ତାଇବାକୁ ନୁହେଁ ମାତ୍ର ପବିତ୍ର ଅତ୍ମାଙ୍କ ଶକ୍ତି ପ୍ରଦର୍ଶନ ହିଁ ତାଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା (୧କରିନ୍ଥୀ ୨:୧-୧୫) । ପରିଶେଷରେ ପାଉଲ ରୋମରେ ପ୍ରବେଶ କରନ୍ତେ ତାଙ୍କୁ ପୃଥକ ଭାବେ ଭଡ଼ାଘରେ ରହିବାକୁ ଅନୁମତି ପ୍ରଦାନ କରାଗଲା । ପାଉଲ ସେଠାରେ ବିଶ୍ବାସୀ ଭ୍ରାତାମାନଙ୍କ ସହ ମିଳିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ନିଶ୍ଚିତ ହେଲେ । ଆଜି ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରଭୁ ଆମକୁ ଯେଉଁ ସୁଯୋଗ ଦେଉଛନ୍ତି, ତାହା ଜାଣି ପ୍ରଭୁଙ୍କ ଶକ୍ତିରେ ଓ ତାହାଙ୍କ ଗୌରବ ନିମନ୍ତେ ସୁଯୋଗର ସଦ୍ ବ୍ଯବହାର କରୁ ।

ଧନ୍ୟବାଦ ଅର୍ପଣ

 ଧନ୍ୟବାଦ ଅର୍ପଣ

ଆଜିର ଚିନ୍ତା

ପ୍ରେରିତ ୨୭:୪୪

ଦୁଃଖ, ନିରାଶା, ବିଫଳତା ମଧ୍ୟରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଏ କି ?


ଧନ୍ୟବାଦ ଜ୍ଞାପନ ଏକ ଶକ୍ତିଶାଳୀ ସାକ୍ଷ୍ୟ :

ସମୁଦ୍ରରେ ଯାତ୍ରା କରିବା ସମୟରେ ପ୍ରଚଣ୍ଡ ପ୍ରତିକୂଳ ପରିବେଶରେ ଦୀର୍ଘ ୧୪ ଦିନ ଧରି ଜାହାଜର ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଉପବାସ ରହିଥିଲେ । ସେହି ଦୁର୍ବିସହ ପରିସ୍ଥିତିରେ ପାଉଲ କିଛି ଖାଇବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଲେ । ପୁଣି ରୋଟୀ ଘେନି ସର୍ବସାକ୍ଷାତରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଭୋଜନ କରିବାକୁ ଲାଗିଲେ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଉତ୍ସାହିତ ହୋଇ ଭୋଜନ କଲେ (୩୫,୩୬ ପଦ) । ତେବେ ସେହି ସମ୍ବେଦନଶୀଳ ପରିସ୍ଥିତିରେ, ସର୍ବ ସମକ୍ଷରେ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଭୋଜନ ଗ୍ରହଣ, ନିଶ୍ଚିତ ଭାବେ ତାଙ୍କର ଈଶ୍ୱରଙ୍କ ଠାରେ ଅଗାଧ ଅସ୍ଥା, ବିଶ୍ବାସର ଦୃଢ଼ ନିଦର୍ଶନ ଥିଲା । ସେହିଭଳି ସମ୍ବେଦନଶୀଳ ମୁହୁର୍ତ୍ତରେ ପାଉଲଙ୍କ ଆଚରଣ, ତାଙ୍କ ସୁସମାଚାର ପ୍ରଚାରକ ଅନନ୍ୟ ଶୈଳୀ ଯଥାର୍ଥ ଭାବେ ପରିପ୍ରକାଶ କରେ । ଏହି ଦୃଷ୍ଟାନ୍ତ ତାଙ୍କ ଜୀବନର ମୂଳ ଲକ୍ଷ୍ୟ, ଆଦର୍ଶ ଓ ମହାନ ସେବା କାର୍ଯ୍ୟର ପରିଚାୟକ (ଲୁକ ୨୨-୧୯) । 


ଅନନ୍ୟ ସାକ୍ଷୀ: 

ଦୂତଙ୍କ ପ୍ରଦତ୍ତ ପାଉଲଙ୍କ ବାର୍ତ୍ତା, "ଜାହାଜ କଠିଣ ଚଟାଣରେ ଲାଗି ନଷ୍ଟ ହେବ, ମାତ୍ର କାହାରି ହେଲେ ପ୍ରାଣନାଶ ହେବ ନାହିଁ," ଅବିକଳ ସାକାର ହେଲା  । ପାଉଲ ଯେ ନିଶ୍ଚିତ ଭାବେ ଐଶ୍ୱରୀକ ଶକ୍ତି  ଓ କ୍ଷମତାର ଅଧିକାରୀ ଏହା ସମସ୍ତଙ୍କର ଦୃଢ଼ ବୋଧ ହେଲା । ସର୍ବପ୍ରକାର ପ୍ରତିକୂଳ ପରିସ୍ଥିତିରେ, ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ ଜଣେ ଆଦର୍ଶ ଦୁଃଖଭୋଗୀ ସାକ୍ଷୀ ରୂପେ ଅକୁଣ୍ଠିତ ଚିତ୍ତରେ କାର୍ଯ୍ୟ କରିଥିଲେ । ଜୀବନର ଦୁଃଖ, ଦୁର୍ଦ୍ଦଶା, ନିରାଶା ବିଫଳତା ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିବା ଏକ ଶକ୍ତିଶାଳୀ ସାକ୍ଷ୍ୟ ଭାବେ ବିବେଚିତ ହୋଇଥାଏ ।


ଭରସାର ଉତ୍ସ :

 ଆଜିର ଏହି କଳୁଷିତ, ନୈତିକତାଶୂନ୍ୟ, ଭୀତିପୂର୍ଣ୍ଣ ମହାମାରୀ ଜନିତ ଆଶାହୀନ ଜାଗତିକ ପରିବେଶ ମଧ୍ୟରେ ଆମେ କିପରି ପାଉଲଙ୍କ ଭଳି,ଖ୍ରୀଷ୍ଟଙ୍କ ରାଜ୍ୟର ଗୌରବ ନିମନ୍ତେ ଅନେକଙ୍କ ପାଇଁ ଆଶା, ଶାନ୍ତି, ସାନ୍ତ୍ଵନା ଓ ଭରସାର ଦୃଢ଼ ଉତ୍ସ ହୋଇପାରିବା ତାହା ଚିନ୍ତା କରୁ ।

ଅସ୍ଥିରତା ମଧ୍ୟରେ ସୁସ୍ଥିରତା

 ଅସ୍ଥିରତା ମଧ୍ୟରେ ସୁସ୍ଥିରତା 

ଆଜିର ଚିନ୍ତା

ପ୍ରେରିତ ୨୭:୧-୨୬

ଆଜି ମୁଁ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚାର ଓ ପ୍ରସାରରେ ଉଦଯୋଗୀ କି ?


ପାଉଲ ବନ୍ଦୀ ଅବସ୍ଥାରେ ଜାହାଜରେ ରୋମ କୁ ଯାତ୍ରା କରିବା ସମୟରେ, ଆଦ୍ରିଆ ସମୁଦ୍ରରେ ୧୪ ଦିନ ଧରି ପ୍ରବଳ ଝଡ ବତାସର ସମ୍ମୁଖୀନ ହୋଇଥିଲେ । ଯାତ୍ରୀମାନେ ନିରାଶ, ଅବସନ୍ନ ହୋଇ ଜୀବନର ଆଶା ପରିତ୍ୟାଗ କରିଥିଲେ । ସେହିଭଳି ଭୀତିପ୍ରଦ ସମୟରେ ଜଣେ ଦୂତ ପାଉଲଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ଘୋଷଣା କଲେ, "ପାଉଲ ଭୟ କର ନାହିଁ, କାଇସରଙ୍କ ସମ୍ମୁଖରେ ତୁମକୁ ନିଶ୍ଚୟ ଠିଆ ହେବାକୁ ପଡ଼ିବ"..... (ପଦ ୨୪) । ପାଉଲଙ୍କର ଏହି ସମ୍ବାଦ ସେହି ସଙ୍ଗୀନ ମୁହୂର୍ତ୍ତରେ ନିତାନ୍ତ ଅବିଶ୍ୱାସ୍ୟ ମନେ ହେଉଥିଲେ ମଧ୍ୟ ସହଯାତ୍ରୀମାନଙ୍କ ଅନ୍ତରରେ ବଞ୍ଚିବାର କ୍ଷୀଣ ଆଶା ସଂଚାର କରିଥିଲା ।


ଆସ୍ଥା ଓ ନିର୍ଭରଶୀଳତା :

ଏଠାରେ ବର୍ଣ୍ଣିତ ଦୃଶ୍ୟର, ଯୀଶୁଙ୍କର ଝଡ଼ ଶାନ୍ତ କରିବା ଦୃଶ୍ୟ ସହ ଅନେକ ସାମଞ୍ଜସ୍ୟ ରହିଛି (ଲୁକ ୮:୨୨-୨୫) । ଯଦିଓ ପାଉଲ ନିଜେ ଏହି ଝଡ଼କୁ ଶାନ୍ତ କରି ନ ଥିଲେ, ତଥାପି ତାଙ୍କର ଆତ୍ମିକ ସ୍ଥିରତା ଓ ଈଶ୍ୱରଙ୍କଠାରେ ଦୃଢ଼ ଆସ୍ଥା ସକଶୁ, ଘୋର ସଙ୍କଟଜନକ ପରିସ୍ଥିତିରେ ସୁଦ୍ଧା ସେ ସହଯାତ୍ରୀ ମାନଙ୍କ ଅନ୍ତରରୁ ମୃତ୍ୟୁର ଆଶଙ୍କା ଦୂର କରି, ଆଶା ଓ ଉତ୍ସାହର ବାତାବରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ । 


ଈଶ୍ଵର ବିଶ୍ୱାସ୍ୟ :

ଜୀବନଯାତ୍ରାରେ ରୋଗ, ଦୁଃଖ, ସମସ୍ୟା ରୂପକ ସକଳ ଝଡ଼, ବତାସ ମଧ୍ୟରେ ଈଶ୍ଵର ଆମକୁ ତାଙ୍କର ଶାନ୍ତି, ସାନ୍ନିଧ୍ୟ, ସୁରକ୍ଷା ଓ କ୍ଷମତା ମଧ୍ୟ ପ୍ରଦାନ କରିଥାନ୍ତି । ସୁସମାଚାର ପ୍ରଚାର ନିମନ୍ତେ ଆଜି ଆମ ନିକଟରେ ଯେଉଁ ସୁଯୋଗ ଉପଲବ୍ଧ ଅଛି, ଆମେ ତାହାର ସଦବ୍ୟବହାର କରିପାରୁଛୁ କି ?


ଜୀବନର ମୁଖ୍ୟ ଉଦ୍ଦେଶ୍ୟ :

କାଇସରଙ୍କୁ ସୁସମାଚାର ଦ୍ଵାରା ପ୍ରଭାବିତ କରି ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ନିଶ୍ଚିତ ହୃଦବୋଧ କରାଇବା ପାଉଲଙ୍କର ଚରମ ଲକ୍ଷ୍ୟ ଥିଲା । ଈଶ୍ୱରଙ୍କ ଯୋଜନା ଓ ନିଜର ଅଧ୍ୟବସାୟ ଓ ରୋମୀୟ ବିଚାର ପଦ୍ଧତିରେ ଅତିରିକ୍ତ ବିଳମ୍ୱିତ ପ୍ରକ୍ରିୟା ସକାଶୁ ପାଉଲ ପରିଶେଷରେ କାଇସରଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେଲେ (ପ୍ରେରିତ ୨୫:୧୨,୨୬:୩୧-୩୨) ।


ଆଜିର ସମାଜରେ ଖ୍ରୀଷ୍ଟଙ୍କ ମହିମା ପ୍ରଚାର ଓ ପ୍ରସାର ନିମନ୍ତେ ଆମେ କେତେଦୂର ବିଶ୍ଵସ୍ତ ହୋଇପାରିଛୁ ।

ନିର୍ଭୀକ ନିବେଦନ

 ନିର୍ଭୀକ ନିବେଦନ

ଆଜିର ଚିନ୍ତା

ପ୍ରେରିତ ୨୫:୧-୨୨

ମୋର ପ୍ରତିଭା, ପ୍ରତିଷ୍ଠା ଓ ସାମର୍ଥ୍ୟକୁ ମୁଁ କିପରି ବ୍ୟବହାର କରିଥାଏ ?


ଦୀର୍ଘ ଦୁଇ ବର୍ଷ ବନ୍ଦୀତ୍ଵ ଅବସ୍ଥାରେ ଥାଇ ମଧ୍ୟ ପାଉଲଙ୍କର ଫେଲିକସ୍ ଙ୍କ ସହ ସମ୍ପର୍କ ଅତୁଟ ରହିଥିଲା । ଫେଲିକସ୍ ଙ୍କ ପରେ ଫେଷ୍ଟ ଅଧିପତି ପଦରେ ନିଯୁକ୍ତ ହେଲେ । ଫେଷ୍ଟ୍ ଜ୍ଞାନୀ, ବିଶ୍ଵସ୍ତ ଓ ଉତ୍ତମ ଶାସନକର୍ତ୍ତା ଥିଲେ । ସେ ସ୍ଥିର କଲେ, ନିଜେ ପାଉଲଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗ ଶୁଣିବେ ଓ ନିଜ ପକ୍ଷ ସମର୍ଥନ ପାଇଁ ତାଙ୍କୁ ଆଇନାନୁଯାୟୀ ସମସ୍ତ ସୁଯୋଗ ପ୍ରଦାନ କରିବେ । 


ବିଚକ୍ଷଣ ପ୍ରସ୍ତାବ :

ପାଉଲ ସ୍ପଷ୍ଟ ଅବଗତ ଥିଲେ ଯେ ଯିହୂଦୀମାନେ ତାଙ୍କ ପ୍ରାଣନାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ । ମାତ୍ର ସେମାନେ ତାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗମାନ ପ୍ରମାଣ କରିବାରେ ଅସଫଳ ହେଲେ । ପାଉଲ ନିଜ ବିଚକ୍ଷଣ ଧୀଶକ୍ତି ପ୍ରୟୋଗ କରି, ଅପ୍ରତ୍ୟାଶିତ ଭାବେ କାଇସରଙ୍କ ସମ୍ମୁଖରେ ବିଚରିତ ହେବା ନିମନ୍ତେ ଯୁକ୍ତି ସ୍ଥାପନ କଲେ । ଫେଷ୍ଟ୍ ତାଙ୍କ ଅନୁରୋଧକୁ ଅନୁମୋଦନ କଲେ । ଏଠାରେ ପାଉଲ ତାଙ୍କର ରୋମୀୟ ନାଗରିକତ୍ୱର ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇଅଛନ୍ତି । 


ଅପୂର୍ବ ଆକାଂକ୍ଷା :

କାଇସରଙ୍କ ଦ୍ଵାରା ବିଚାରିତ ହେବାର ଆକସ୍ମିକ ସମ୍ଭାବନାକୁ ପାଉଲ ଏକ ସୁବର୍ଣ୍ଣ ସୁଯୋଗର ଆହ୍ଵାନ ଭାବେ ଗ୍ରହଣ କରିଥିଲେ । ଦୁଃଖ, ଯାତନା ଓ ତାଡ଼ନାର ଏକ ଅସହ୍ୟ, ଅଭାବନୀୟ ପରିସ୍ଥିତିରେ ମଧ୍ୟ ଧର୍ଯ୍ୟହରା ନ ହୋଇ ଦୃଢ଼ ପ୍ରତ୍ୟୟର ସହ ସେ ସୁସମାଚାର ପ୍ରଚାର ଓ ପ୍ରସାରର ଏକ ଚରମ ସମ୍ଭାବନାକୁ ପରମ ସଫଳତାରେ ପରିଣତ କରିଥିଲେ।  


କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପାଉଲଙ୍କୁ ପଠାଇବା ପାଇଁ ଆବଶ୍ୟକତା ଦସ୍ତାବିଜ୍ ପ୍ରସ୍ତୁତି କାର୍ଯ୍ୟରେ ଫେଷ୍ଟ୍ ନିବିଷ୍ଟ ଥିଲେ । ସେହି ସ୍ପର୍ଶ କାତର ଅବସରରେ ରାଜା ଆଗ୍ରୀପା ଓ ବର୍ଣ୍ଣକୀ କସରିଆକୁ ଆଗମନ କରିଛନ୍ତି । ଫେଷ୍ଟ୍ ଙ୍କ ଠାରୁ ସବୁ ଅବଗତ ହୋଇ ମଧ୍ୟ, ଆଗ୍ରୀପା ସ୍ଵୟଂ ପାଉଲଙ୍କ ଠାରୁ ତାଙ୍କ  ବକ୍ତବ୍ୟ ପ୍ରତ୍ୟକ୍ଷ ଭାବେ ଶୁଣିବାକୁ ଅଗ୍ରାହାନ୍ଵୀତ ହୋଇଛନ୍ତି । ଏଠାରେ ଫେଷ୍ଟ ଓ ଆଗ୍ରୀପାଙ୍କ ମଧ୍ୟରେ ବ୍ୟକ୍ତିଗତ ଆଲୋଚନାର କେନ୍ଦ୍ର ବିନ୍ଦୁ ଥିଲେ "ଯୀଶୁ" ଓ ତାଙ୍କ ପ୍ରଚାରିତ 'ମଙ୍ଗଳ ସମାଚାର' ।


ଖ୍ରୀଷ୍ଟଙ୍କ ମରଣ ଓ ପୁନରୁତ୍ଥାନ, ଖ୍ରୀଷ୍ଟୀୟ ବିଶ୍ଵାସ ଓ ସମାଜର ମୁଖ୍ୟ ଉତ୍ସ । ପୃଥିବୀ ଇତିହାସରେ ଏହି ଘଟଣା, ସର୍ବୋତ୍କୃଷ୍ଟ ନିର୍ଣ୍ଣାୟକ ମୋଡ଼ ଭାବେ ପରିଗଣିତ ।

ସାକ୍ଷ୍ୟର ଶକ୍ତି

 ସାକ୍ଷ୍ୟର ଶକ୍ତି 

ଆଜିର ଚିନ୍ତା

ପ୍ରେରିତ ୨୪:୧-୨୭

 ସାଂପ୍ରତିକ ସମାଜରେ ମୁଁ ଖ୍ରୀଷ୍ଟଙ୍କ ସାକ୍ଷୀ ହୋଇ ପାରିଛି କି ?


ଯିରୂଶାଲମରେ ପାଉଲ ଦୃଢ଼ ସାହସ ଓ ନିର୍ଭୀକତାର ସହ ଜନସମୂହ ଓ ଯିହୁଦୀ ମହାସଭା ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ କାଇସରୀଆକୁ ସ୍ଥାନାନ୍ତର କରାଯାଇ ତାଙ୍କୁ ଫେଲିକସଙ୍କ କର୍ତ୍ତୁକ  ବିଚରତା ହେବା ପାଇଁ ନିମନ୍ତେ ଅଣାଗଲା । ଓକିଲ ତର୍ତ୍ତୁଲ ପାଉଲଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି, ସମ୍ରାଟଙ୍କ ବିରୋଧରେ ଜନତାଙ୍କୁ ପ୍ରବର୍ତ୍ତାଇବା ଓ ମନ୍ଦିର ଅଶୁଚି କରିବା ଭଳି ବିଭିନ୍ନ ଅଭିଯୋଗ ଆଣିଲେ । ମାତ୍ର ପାଉଲଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଯୁକ୍ତିଯୁକ୍ତ ଏବଂ ନ୍ୟାୟପରତାରେ ପୂର୍ଣ୍ଣ ଥିଲା ।


ଈଶ୍ଵରଙ୍କ ମାର୍ଗ :

 ପାଉଲଙ୍କ ସ୍ୱପକ୍ଷସମର୍ଥନ ଜନିତ ପ୍ରତିକ୍ରିୟା ମୁଖ୍ୟତଃ ସେ କିଏ, କ'ଣ କ'ଣ କାର୍ଯ୍ୟ କରିଛନ୍ତି, ବିଶେଷତଃ ଈଶ୍ଵର ତାଙ୍କ ମାଧ୍ୟମରେ କେଉଁ କେଉଁ କାର୍ଯ୍ୟ କରିଛନ୍ତି, ତାହା ବ୍ୟକ୍ତିଗତ ସାକ୍ଷ୍ୟ ଉପରେ ଆଧାରିତ ଥିଲା (୧୧-୨୧) । ସେ ଯେ ଈଶ୍ଵରଙ୍କ 'ମାର୍ଗ' ର ଜଣେ ବିଶ୍ଵସ୍ତ ଅନୁଗାମୀ ତାହା ମଧ୍ୟ ସ୍ପଷ୍ଟ କରିଥିଲେ । ଏହି ଅଂଶରେ ଆମେ ବ୍ୟକ୍ତିଗତ ସାକ୍ଷ୍ୟର ଅସୀମ, ଅଖଣ୍ଡ ଶକ୍ତିର ପ୍ରଭାବ ଦେଖିବାକୁ ପାଇଥାଉ । ଈଶ୍ଵର ଆମ ଜୀବନରେ କ'ଣ କରିଛନ୍ତି, ଆମ ମାଧ୍ୟମରେ କ'ଣ କରିଛନ୍ତି, ତାଙ୍କ ଆମ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି, ତାହାହିଁ ଆଜି ଆମ ପାଇଁ ଅର୍ଥପୂର୍ଣ୍ଣ ଅଟେ । ଆମର ଆତ୍ମିକ ଅନୁଭୂତି ଓ ଶିକ୍ଷା, ଆମେ ନିଃସଙ୍କୋଚରେ ଅନ୍ୟମାନଙ୍କୁ ଅଂଶୀ କରାଇବା ଆବଶ୍ୟକ । 


ଦୁଃସାହସିକ ଆବେଦନ : 

ଆତ୍ମ ସମର୍ଥନ ଜନିତ ନିଜ ବକ୍ତବ୍ୟ ଉପସ୍ଥାପିତ କରିବା ପରେ ପାଉଲ ଅନପେକ୍ଷିତ ଭାବେ ଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ଵାସ ସମ୍ପର୍କରେ, ଫେଲିକସଙ୍କ ସଙ୍ଗରେ ନିଭୃତରେ ଆଲୋଚନା ନିମନ୍ତେ ଅପୂର୍ବ ସୁଯୋଗ ପ୍ରାପ୍ତ ହୋଇଛନ୍ତି  । ଏଠାରେ ଏକ ଅସାଧାରଣ ତଥା ଦୁଃସାହସିକ ବିଷୟ ଉଲ୍ଲେଖ ଯୋଗ୍ୟ । ଫେଲିକସଙ୍କ ଉପରେ ନିଜର ଭବିଷ୍ୟତ ସମ୍ପୂର୍ଣ ନିର୍ଭର କରୁଥିବା ସତ୍ତ୍ୱେ ପାଉଲ ନିର୍ଭୟ ତଥା ଦୃଢତାର ସହ ତାଙ୍କୁ ଯୀଶୁଙ୍କ ଶିକ୍ଷା ଅବଗତ କରାଇଥିଲେ ।

ପ୍ରାୟତଃ ସରଳ ବ୍ୟକ୍ତିଗତ ଜୀବନର ଅନୁଭୂତିର ଶକ୍ତି ଓ ପ୍ରଭାବ, ଅନେକ ବିଦ୍ୱାନ ବ୍ୟକ୍ତିମାନଙ୍କର ଅସଙ୍ଗତ ଯୁକ୍ତି, ତ୍ରୁଟିପୂର୍ଣ୍ଣ  ଚିନ୍ତାଧାରା ଓ ମନୋଭାବକୁ ଆୟତ୍ତ ଓ ନିୟନ୍ତ୍ରଣ କରିବା ସହ ଦୂର କରିବାରେ ମଧ୍ୟ  ସମର୍ଥ ଓ ସହାୟକ ହୋଇଥାଏ । ଈଶ୍ଵରଙ୍କ ବାକ୍ୟ ହିଁ ସୁସମାଚାର, ଜୀବନ୍ତ, ତୀକ୍ଷ୍ମ ଓ ହୃଦୟର ପରିଭେଦକ (ଏବ୍ରୀ ୪:୧୨) ।


ଯୋଜନା ସଫଳକାରୀ ଈଶ୍ଵର

 ଯୋଜନା ସଫଳକାରୀ ଈଶ୍ଵର

ଆଜିର ଚିନ୍ତା

ପ୍ରେରିତ ୨୨:୨୨-୨୩:୧୧

ଈଶ୍ୱରଙ୍କ ଯୋଜନାକୁ ସଫଳ କରିବାକୁ ମୁଁ ଚେଷ୍ଟା କରୁଛି କି ?


ଈଶ୍ୱରଙ୍କ ଯୋଜନା ଅନୁସାରେ ବିଜାତୀୟମାନେ ପାଉଲଙ୍କ ଦ୍ଵାରା ସୁସମାଚାର ଶୁଣିବାର ସୁଯୋଗ ପାଇଲେ ।


ସୁରକ୍ଷାକାରୀ ଈଶ୍ବର :

ଲୋକମାନେ ପାଉଲଙ୍କ କଥା ଶୁଣି ଚିତ୍କାର କରି କହିଲେ, ଏହି ବ୍ୟକ୍ତି ବଞ୍ଚିବା ଉଚିତ୍ ନୁହେଁ? । ସେମାନେ ଆପଣା ଆପଣା ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ଫୋପାଡ଼ିବାକୁ ଲାଗିଲେ । ଏଣୁ ସହସ୍ର ସେନାପତି ତାଙ୍କୁ ଗଡ଼ ଭିତରକୁ ନେଇଗଲେ । ସେ ବିଦ୍ରୋହର ସଠିକ୍ କାରଣ ଜାଣିବା ନିହାତି ନିମନ୍ତେ ତାଙ୍କୁ କୋରଡ଼ା ପ୍ରହାର ଦ୍ଵାରା ପରୀକ୍ଷା କରିବାକୁ ଆଦେଶ ଦେଲେ । କୋରଡ଼ା ପ୍ରହାର ପାଇଁ ବାନ୍ଧିଲା ଉତ୍ତାରେ ପାଉଲ ଶତ ସେନାପତିଙ୍କୁ କହିଲେ, ବିଚାର ଦ୍ଵାରା ଦୋଷୀ ବୋଲି ପ୍ରମାଣିତ ନ କରି ଜଣେ ରୋମୀୟକୁ ବେତ୍ରାଘାତ କରିବା ନିୟମ ବିରୁଦ୍ଧ ଅଟେ । ପାଉଲ ଜନ୍ମରୁ ଜଣେ ରୋମୀୟ ବୋଲି ଜାଣି ଶାସକମାନେ ତାଙ୍କୁ ବେତ୍ରାଘାତ କରିବାରୁ ନିବୃତ୍ତ ହେଲେ । ଏପରି ହେଲା ଯେ ସେ ବନ୍ଧନ ମୁକ୍ତ ହେଲେ ଏବଂ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଡାକି ତାଙ୍କ ସମ୍ମୁଖରେ ତାଙ୍କୁ କଥା କହିବାକୁ ସୁଯୋଗ ଦିଆଗଲା । ପବିତ୍ର ଅତ୍ମାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କଲେ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତି ।


ସାହାଯ୍ୟକାରୀ ଈଶ୍ବର :

ପାଉଲ ଉପସ୍ଥିତ ସମସ୍ତଙ୍କୁ ଭ୍ରାତୃବୃନ୍ଦ ବୋଲି ସମ୍ବୋଧନ କରି ଈଶ୍ୱରଙ୍କ ସାକ୍ଷାତରେ ଯଥାର୍ଥ ଆଚାରବ୍ୟବହାର କରିଛନ୍ତି ବୋଲି କହିବାରୁ ମହାଯାଜକ ହାନାନ୍ ତାହାଙ୍କ ମୁଖରେ ଆଘାତ କରିବାକୁ ଲୋକମାନଙ୍କୁ ଆଜ୍ଞା ଦେଲେ । ମାତ୍ର ପାଉଲ ସାହସର ସହିତ ଉତ୍ତମ ବ୍ୟବହାର ଦେଖାଇ ନିଜକୁ ଜଣେ ଫାରୁଶୀ ବୋଲି କହି ଯାହା ଯଥାର୍ଥ ତାହା ଜଣାଇଲେ । ଫାରୂଶୀ ଏବଂ ସାଦ୍ଦୁକୀମାନଙ୍କ ମଧ୍ୟରେ ବିବାଦ ଘଟିଲା । କାରଣ ସାଦ୍ଦୁକୀମାନେ ପୁନରୁତ୍ଥାନ ନାହିଁ କିମ୍ବା ଦୂତ ଅବା ଆତ୍ମା ନାହିଁ ବୋଲି କହୁଥିଲେ, ମାତ୍ର ଫାରୁଶୀମାନେ ଉଭୟକୁ ସ୍ଵୀକାର କରୁଥିଲେ । ଫଳରେ ପରସ୍ପର ମଧ୍ୟରେ ବାକ୍ ଯୁଦ୍ଧ ହେଲା । କେତେକ ଶାସ୍ତ୍ରୀ କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁ, ବରଂ କୌଣସି ଆତ୍ମା ଅବା ଦୂତ ତାହା ସହିତ କଥାବାର୍ତ୍ତା କରିଛନ୍ତି । ତେଣୁ ମହା ବିବାଦ ଘଟିଲା । କାଳେ ଲୋକମାନେ ପାଉଲଙ୍କୁ ବଧ କରି ଦେବେ, ଏହି ଭୟରେ ତାଙ୍କୁ ଗଡ଼ ଭିତରକୁ ନିଆଗଲା । ଈଶ୍ଵର ସର୍ବଦା ସବୁ ବିଷୟକୁ ନିୟନ୍ତ୍ରଣ କରିବାକୁ ସମର୍ଥ ଅଟନ୍ତି 


ନିର୍ଭୀକ ସାକ୍ଷୀ

 ନିର୍ଭୀକ ସାକ୍ଷୀ

ଆଜିର ଚିନ୍ତା

ପ୍ରେରିତ ୨୧:୩୭-୨୨:୨୧

ମୁଁ ଅନ୍ୟମାନଙ୍କୁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଛି କି ?


ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ସମୟରେ ସେ ଗ୍ରୀକ୍ ଭାଷାରେ କଥା କହିବାରୁ ସେମାନେ ଜାଣିପାରିଲେ ଯେ ସେ ଜଣେ ଅଯଥା ଗଣ୍ଡଗୋଳକାରୀ ବ୍ୟକ୍ତି ନୁହନ୍ତି । ମାତ୍ର ସେ ଜଣେ ଯିହୁଦୀ ଅଟନ୍ତି । 


ସତ୍ୟତାକୁ ଘୋଷଣା କରିବା :

ପାଉଲ କାହାର ପ୍ରତିବାଦ କରିବା ପରିବର୍ତ୍ତେ ସେ ଜଣେ ଯିହୂଦୀ ପୁଣି ତା ନଗରର ଲୋକ ଅଟନ୍ତି ଏହା ସ୍ଵୀକାର କରି କହିଲେ, ଏହି ଲୋକମାନଙ୍କୁ କଥା କହିବାକୁ ମୋତେ ଅନୁମତି ଦେବାକୁ ନିବେଦନ କରୁଛି । ଅନୁମତି ପାଇଲା ପରେ ସେମାନେ ଯେପରି ବୁଝିପାରିବେ, ଏଥିପାଇଁ ପାଉଲ ଏବ୍ରୀ ଭାଷାରେ ଲୋକମାନଙ୍କୁ କହିବାକୁ ଲାଗିଲେ । ଏହାଦ୍ବାରା ସେ ଯେ ଜଣେ ନଇଷ୍ଠିକ ଯିହୂଦୀ ପୁଣି ଯିହୂଦୀମାନଙ୍କର ବ୍ୟବସ୍ଥା ଓ ପ୍ରଥାକୁ ସମ୍ମାନ ଦିଅନ୍ତି, ତାହା ସେମାନଙ୍କୁ ଜଣାଇ ଦେଲେ । ସଫଳତାର ସହ ସୁସମାଚାର ପ୍ରଚାର ନିମନ୍ତେ ଶ୍ରୋତାମାନଙ୍କର ଗ୍ରହଣୀୟ ଭାଷାରେ ଜ୍ଞାନ ମଧ୍ୟ ଆବଶ୍ୟକ ଅଟେ । ସେ ସାହସର ସହିତ ସେମାନଙ୍କୁ କହିଲେ, ମୁଁ ଜଣେ ଯିହୂଦୀ, ପୁଣି ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମନୁସାରେ ଗମଲୀୟଲଙ୍କ ଦ୍ଵାରା ଶିକ୍ଷାପ୍ରାପ୍ତ ଅଟେ । ଆପଣାମାନଙ୍କ ପରି ମୁଁ ମଧ୍ୟ ଉଦଯୋଗୀ ହୋଇ ଏଥିପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କ ମାର୍ଗରେ ଥିବା ଲୋକମାନଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି ।ଏହିସବୁ କଥା କହିବାରୁ ଶ୍ରୋତାଗଣ ଆଗ୍ରହରେ ତାଙ୍କ କଥା ଶୁଣିବାକୁ ଲାଗିଲେ । ଯୀଶୁଙ୍କ ବିଷୟରେ ପ୍ରଚାର କରିବା ପୂର୍ବରୁ ଉପସ୍ଥିତ ଶ୍ରୋତାମାନଙ୍କୁ ନିଜ ଜୀବନରେ ପରିଚୟ ଦେବା ଆବଶ୍ୟକ । 


ସାକ୍ଷ୍ୟ ଦେବା :

ଲୋକମାନେ ଦୋଷାରୋପ କରିବା ନିମନ୍ତେ ମନଦେଇ ତାଙ୍କର କଥା ଶୁଣୁଥିଲେ । ପାଉଲ ନିର୍ଭୀକ ଭାବରେ ତାଙ୍କ ଜୀବନର ସାକ୍ଷ୍ୟ ସେମାନଙ୍କୁ ଦେଲେ । ଈଶ୍ଵର କିପରି ଦମ୍ମେସକ ନିକଟରେ ତାଙ୍କୁ ଡାକି ତାଙ୍କର ପରିଚୟ ଦେଲେ ତାହା ପୂଙ୍ଖାନୁପୁଙ୍ଖ ଭାବରେ ସେମାନଙ୍କୁ କହିଲେ । ପୁଣି ଯିରୁଶାଲମ ମନ୍ଦିରରେ ପାଇଥିବା ଦର୍ଶନ ଏବଂ ଆଦେଶ ସମ୍ବନ୍ଧରେ ମଧ୍ୟ ଜଣାଇଲେ । ସେ କହିଲେ, ଦିନ ଥିଲା ମୁଁ ଖ୍ରୀଷ୍ଟ ବିଶ୍ବାସୀ ସ୍ତିଫାନଙ୍କର ମୃତ୍ୟୁ ସମୟରେ ସେଠାରେ ଠିଆ ହୋଇ ତାହାକୁ ସମର୍ଥନ କରିଥିଲି । କିନ୍ତୁ ଏବେ ପ୍ରଭୁ ମୋତେ ବିଜାତୀୟମାନଙ୍କ ନିକଟକୁ ଯାଇ ଏକମାତ୍ର ସତ୍ୟ ପ୍ରଭୁଙ୍କ ବିଷୟରେ ଜଣାଇବାକୁ ପ୍ରେରଣ କରିଛନ୍ତି । ଏହା ଶୁଣି ବିଦ୍ରୋହୀମାନଙ୍କର କ୍ରୋଧ ତାଙ୍କ ପ୍ରତି ପ୍ରଜ୍ଜ୍ଵଳିତ ହେଲା । ପ୍ରତିବାଦ ଓ ତାଡ଼ନା ସତ୍ତ୍ବେ ଆମେ ସତ୍ୟସାକ୍ଷୀ ହେଉ ବୋଲି ଈଶ୍ଵର ଚାହାଁନ୍ତି । 

ଉତ୍ତମ ବୁଝାମଣା

 ଉତ୍ତମ ବୁଝାମଣା 

ଆଜିର ଚିନ୍ତା

ପ୍ରରିତ ୨୧: ୧୭-୨୬

ମୁଁ ଉତ୍ତମ ବୁଝାମଣା ଯଥାର୍ଥ କାର୍ଯ୍ୟ କରିବାକୁ ଚେଷ୍ଟା କରେ କି ? 


ପାଉଲ ଯିରୁଶାଲମରେ ପହଞ୍ଚିଲେ । ପରଦିନ ସେ ଅନ୍ୟମାନଙ୍କ ସହ ଯୀଶୁଙ୍କର ଭାଇ ଯାକୁବଙ୍କ ଗୃହକୁ ଗଲେ । ସେ ଯିରୁଶାଲମ ମଣ୍ଡଳୀର ଜଣେ ନେତା ଥିଲେ । ସେଠାରେ ସେ ସମସ୍ତ ପ୍ରାଚୀନମାନଙ୍କ ସହିତ କଥାବାର୍ତ୍ତା ହେଲେ । 


ବିରୋଧାତ୍ମକ ଚିନ୍ତାଧାରା : 

ସେଠାରେ ମଣ୍ଡଳୀ ମଧ୍ୟରେ ଅଣ ଯିହୁଦୀ ବିଶ୍ବାସୀ ମାନଙ୍କ ନିମନ୍ତେ ସୁନ୍ନତ ବିଧି ପ୍ରଚଳନ ଥିଲା । ପାଉଲ ଏହି ବିଧି ଅନୁଯାୟୀ କାର୍ଯ୍ୟ ନ କରି ମୋଶାଙ୍କ ବ୍ୟବସ୍ଥାକୁ ପରିତ୍ୟାଗ କରିବାକୁ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି ବୋଲି ଜନରବ ହେଉଥିଲା । ମାତ୍ର ତାହା ସତ୍ୟ ନ ଥିଲା । ତେଣୁ ପାଉଲ ଯିହୁଦୀମାନଙ୍କର ପ୍ରଥାକୁ ବିରୋଧ କରୁନାହାନ୍ତି ବୋଲି ଜଣାଇବା ନିମନ୍ତେ ସେମାନଙ୍କର ଶୁଚିକରଣ ପ୍ରଥାକୁ ପାଳନ କରି ନିଜକୁ ଶୂଚି କଲେ, ଯେପରି ସୁସମାଚାର କାର୍ଯ୍ୟ ବାଧାପ୍ରାପ୍ତ ନ ହୁଏ । ଫଳରେ ମଣ୍ଡଳୀରେ ଶାନ୍ତି ସ୍ଥାପନ ହେଲା । ପାଉଲ ଜଣେ ଦୃଢ଼ ଖ୍ରୀଷ୍ଟ ବିଶ୍ବାସୀ ଥିଲେ, ତଥାପି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ନିମନ୍ତେ ସେ କେତେଗୁଡ଼ିଏ ନୀତି ନିୟମରେ ଆପଣାକୁ ସାମିଲ କଲେ (୧କର ୯:୧୯-୨୩) । ଆମେ କୌଣସିମତେ ଆମର ଯଥାର୍ଥ ବିଶ୍ଵାସମତକୁ ଭଙ୍ଗ କରିବା ଉଚିତ୍ ନୁହେଁ, ବରଂ ମଣ୍ଡଳୀ ମଧ୍ୟରେ ଶାନ୍ତି ରକ୍ଷା କରି ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା କରି ନିଷ୍ପତି ନେବା ଉଚିତ୍ ।


ଉତ୍ତମ ବୁଝାମଣା :

ଯିହୁଦୀମାନେ ଭାବୁଥିଲେ, ଯେଉଁମାନେ ପୂରାତନ ନିୟମରେ ଥିବା ନିୟମସବୁ ପାଳନ କରିବେ, ସେମାନେ ପରିତ୍ରାଣ ପାଇବେ । ପାଉଲ ଏହି ନିୟମକୁ ଅଗ୍ରାହ୍ୟ କଲେ । ସେ ଜଣାଇଦେଲେ, ଈଶ୍ଵର ମହାଅନୁଗ୍ରହରେ ଆମ୍ଭମାନଙ୍କୁ ବିନାମୂଲ୍ୟରେ ପରିତ୍ରାଣ ଦେଇଛନ୍ତି । ଆମେ କେବଳ ବିଶ୍ଵାସରେ ତାହା ଗ୍ରହଣ କଲେ, ପରିତ୍ରାଣ ପ୍ରାପ୍ତ ହେବା । କିନ୍ତୁ ନିୟମ ଆମକୁ ଆମର ଦୋଷ ଦେଖାଇ ଦିଏ, ମାତ୍ର ଆମକୁ ପରିତ୍ରାଣ ଦେଇପାରିବେ ନାହିଁ । ପୁରାତନ ନିୟମ ଯୀଶୁଖ୍ରୀଷ୍ଟଙ୍କର ଆସିବା ବିଷୟରେ ଶିକ୍ଷା ଦେଇଛି । ଯୀଶୁ ଜଗତକୁ ଆସି ବ୍ୟବସ୍ଥାକୁ ସଫଳ କଲେ ଏବଂ ପାପର ଦଣ୍ଡ ନିଜ ଉପରେ ନେଇ ଆମକୁ ଦଣ୍ଡମୁକ୍ତ ହେବାରେ ସୁଯୋଗ ଦେଲେ । ବ୍ୟବସ୍ଥା ଆମକୁ ଭଲମନ୍ଦର ଜ୍ଞାନ ଦିଏ ଓ ଉତ୍ତମ ଜୀବନଯାପନ କରିବାକୁ ଚାଳନା ଦିଏ । ବିନା ଯୁକ୍ତିତର୍କରେ, ପ୍ରେମରେ ଓ ସରଳ ଭାବରେ ସେ ଲୋକମାନଙ୍କୁ ବୁଝାଇବାରୁ, ସେ ସେମାନଙ୍କ ନିକଟରେ ସୁସମାଚାର ଦେଇପାରିଲେ ।