BN

ଗୌରବ ବିହୀନ ଜୀବନ

 ଗୌରବ ବିହୀନ ଜୀବନ

ଆଜିର ଚିନ୍ତା

ଆମର ଗୌରବ ମୁକୁଟ ତଳେ ପଡ଼ିଯାଇଛି କି ? 


ଅତୀତରେ ରାଜା ମହାରାଜାମାନେ ସେମାନଙ୍କର ଗୌରବ କୀର୍ତ୍ତିକୁ ଅକ୍ଷୁୁର୍ଣ୍ଣ ରଖିବାକୁ ଯତ୍ନ କରି ଆସୁଥିଲେ । ପ୍ରକୃତରେ ପରାଜିତ ଜୀବନ ବେଦନାଯୁକ୍ତ । ଯିରିମିୟ ୧୩:୧୮ରେ ଲେଖାଯାଏ, ରାଜା ଓ ରାଜମାତାଙ୍କୁ କୁହ, ତୁମ୍ଭ ଗୌରବ ମୁକୁଟ ତଳେ ପଡ଼ିଅଛି । ଏଲି ଯାଜକ ଦୀର୍ଘ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ (୧୮ପଦ) ହେଲେ ବୃଦ୍ଧ ଓ ଗତବୟସ୍କ ଅବସ୍ଥାରେ ତାଙ୍କ ପରାଜୟକୁ ସେ ସହ୍ୟ କରିପାରିଲେ ନାହିଁ । 


ଗୌରବଯୁକ୍ତ ଇସ୍ରାଏଲ ପରାଜୟ : 

ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଶକ୍ତିଯୁକ୍ତ ହୋଇ ପରକ୍ରାନ୍ତ ବ୍ୟାଧ ସ୍ୱରୂପ ଶତ୍ରୁମାନଙ୍କୁ ପାଦତଳେ ଦଳିତ କରିଥିଲେ । କିନ୍ତୁ ସେମାନଙ୍କ ପାପ, ଅବାଧ୍ୟତା ସେମାନଙ୍କୁ ପରାଜୟର ପଥକୁ ଠେଲି ଦେଲା । ଗୀତ ୮୯:୩୨ରେ ଲେଖାଯାଏ, ଆମ୍ଭେ ଯଷ୍ଟି ଦ୍ଵାରା ସେମାନଙ୍କ ଅପରାଧର ଓ ପ୍ରହାର ଦ୍ଵାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା । ଆମର ଅପରାଧ, ଆମର ଅଧର୍ମ ଆମକୁ ଗୌରବ ବିହୀନ କରି ପକାଇଛି କି ? 


ଗୌରବ ମୁକୁଟର ପରାଜୟ : 

ଏଲି ଯାଜକଙ୍କ ମୃତ୍ୟୁ ହେଲା । ତାଙ୍କ ଦୁଇ ପୁତ୍ର ଏକ ଦିନରେ ମଲେ । ନିୟମ ସିନ୍ଦୁକ ବନ୍ଦୀତ୍ୱାବସ୍ଥାରେ ରହିଲା । ଏକଥା ପିନହସଙ୍କ ସ୍ତ୍ରୀ ସହ୍ୟ କରିପାରିଲେ ନାହିଁ । ସ୍ବାମୀ ହତ ହେବା ବିଷୟରେ ସେ ଚିନ୍ତିତ ନ ଥିଲେ, କିନ୍ତୁ ଈଶ୍ୱରଙ୍କ ଗୌରବ ଇସ୍ରାଏଲ ମଧ୍ୟରୁ ଚାଲିଗଲା ବୋଲି ସେ ବ୍ୟାକୁଳ ଓ ଶୋକୁତୁର ଥିଲେ । ସେ ତାର ନବଜାତ ପୁତ୍ରର ନାମ 'ହୀନ ଗୌରବ' ରଖିଲେ । 


ଆମେ ଆଜି ଈଶ୍ୱରଙ୍କୁ ପରିତ୍ୟାଗ କରି ଦୁଃଖ ଯନ୍ତ୍ରଣା ମଧ୍ୟରେ ଅଛୁ କି ? ଆମ୍ଭେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବ ସ୍ୱରୂପଙ୍କୁ ବଦଳ କରିଅଛୁ କି ?  (ଯିରିମିୟ ୨:୧୧) । 

ଦୁଷ୍ଟତାର ପ୍ରତିଫଳ

 ଦୁଷ୍ଟତାର ପ୍ରତିଫଳ

ଆଜିର ଚିନ୍ତା

୧ ଶାମୁ ୪:୧-୧୧

ଆମ ଜୀବନରେ ଦୁଃଖ ଓ ପରାଜୟ ଆସେ କାହିଁକି ? 


ପ୍ରାୟ ସତୁରୀ ଖ୍ରୀଷ୍ଟାବ୍ଦର କଥା । ରୋମୀୟ ବାହିନୀ ପବିତ୍ର ନଗରୀ ଯିରୁଶାଲମ ଆକ୍ରମଣ କଲେ, ନଗରକୁ ଦଗ୍ଧ କଲେ । ଯିହୁଦୀୟ ମାନଙ୍କୁ ହତ୍ୟା କଲେ । ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀୟାନମାନଙ୍କ ଉପରେ ପ୍ରବଳ ତାଡନା ଓ ନିର୍ଯାତନା କରାଗଲା । ହେଲେ ସେହି ରୋମ ସାମ୍ରାଜ୍ୟର ଖୁବ୍ ଶୀଘ୍ର ପତନ ହେଲା । ଦୁଷ୍ଟତାର ପ୍ରତିଫଳ ଶୀଘ୍ର ମିଳିଥାଏ । ଏହିପରି କାହିଁକି ହୁଏ ? 


ଈଶ୍ୱରଙ୍କ ଅନୁଗ୍ରହକୁ ଅପେକ୍ଷା : 

ଶାମୁୟେଲ ଯେ ଭବିଷ୍ୟତ ବକ୍ତା ହେବା ପାଇଁ ନିଯୁକ୍ତ ହୋଇଅଛନ୍ତି, ଏହା ସମସ୍ତ ଇସ୍ରାଏଲ ଜ୍ଞାତ ହୋଇଥିଲେ (୩:୨୦) ସାନ ଶାମୁୟେଲ ଯେ ଶିଲୋରେ ପୁନର୍ବାର ଈଶ୍ୱରଙ୍କ ଦର୍ଶନ ପାଇଛନ୍ତି, ଏକଥା ଭଲ ରୂପେ ଇସ୍ରାଏଲ ଜାଣିଥିଲେ (୩:୨୧) । ତଥାପି ପାଲେଷ୍ଟିୟ ମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ସଜାଇବା ସମୟରେ ଏଲି ଯାଜକ କିମ୍ବା ତାଙ୍କ ପୁତ୍ରମାନେ ଈଶ୍ୱରଙ୍କ ଇଚ୍ଛା ଲୋଡିଲେ ନାହିଁ । ଈଶ୍ୱରଙ୍କୁ ଓ ତାଙ୍କ ଭବିଷ୍ୟତବକ୍ତାକୁ ଉପେକ୍ଷା କରି  ଦୁଃଖ ଭୋଗୀଥାଉ ।


ଈଶ୍ୱରଙ୍କ ଉପସ୍ଥିତିକୁ ଉପେକ୍ଷା :

ସେ ସମୟରେ ନିୟମ ସିନ୍ଦୁକକୁ ପବିତ୍ର ରୂପେ ମାନ୍ୟ କରାଯାଉଥିଲା । ନିୟମ ସିନ୍ଦୁକର ଉପସ୍ଥିତି ଈଶ୍ୱରଙ୍କ ଉପସ୍ଥିତି ସହ ସମାନ ବିବେଚନା କରାଯାଉଥିଲା । ଈଶ୍ୱରଙ୍କ ଇଚ୍ଛାକୁ ନ ଲୋଡ଼ି ସେମାନେ ନିୟମ ସିନ୍ଦୁକ ଛାଉଣୀକୁ ନେଲେ । ଦୁଷ୍ଟ ଭାଇ ପବିତ୍ର ନିୟମ ସିନ୍ଦୁକ ସହ ରହିଥିଲେ । ପବିତ୍ର ଈଶ୍ଵର ଅପବିତ୍ର ସମାଜରେ ରହି ନ ଥା'ନ୍ତି । ଇସ୍ରାଏଲ ମୁଖରେ ମହା ଜୟଧନ୍ବୀ କରୁଥିଲେ, ମାତ୍ର ଈଶ୍ଵର ସେମାନଙ୍କ ମଧ୍ୟରେ ନ ଥିଲେ । 


ଦୁଷ୍ଟତାର ପରିଣତି : 

ଦୁଷ୍ଟତାର ପରିଣତି ଭୟଙ୍କର ପତନ ହୋଇଥାଏ  । ଇସ୍ରାଏଲ ର ଅସଂଖ୍ୟ ସୈନ୍ୟ ସେଦିନ ମୃତାହତ ହେଲେ । ସିନ୍ଦୁକ ବିଜାତୀୟ ମାନଙ୍କ ହସ୍ତକୁ ଗଲା । ଏଲିଙ୍କର ଦୁଷ୍ଟ ପୁତ୍ରମାନେ ହତ ହେଲେ । ଶତ୍ରୁମାନଙ୍କ ମଧ୍ୟରେ ସେମାନଙ୍କ ସତ୍ୟ ଈଶ୍ୱରଙ୍କ ସାକ୍ଷ୍ୟ ନଷ୍ଟ ହେଲା । ଆମ ଜୀବନରେ ଏପରି ପରିସ୍ଥିତି ଆସିଯାଇ ନାହିଁ ତ ? 

ଈଶ୍ୱରଙ୍କ ଆହ୍ଵାନ

 ଈଶ୍ୱରଙ୍କ ଆହ୍ଵାନ 

ଆଜିର ଚିନ୍ତା ୧ ଶାମୁ ୩:୧-୨୧

ଆମେ କଣ ଈଶ୍ୱରଙ୍କ ଆହ୍ୱାନର ଯୋଗ୍ୟ ଆଚରଣ କରୁଛୁ ? 


ସାଧୁ ସୁନ୍ଦର ସିଂ ଜଣେ ନୈଷ୍ଠିକ ଶିଖ୍ ଯୁବକ ଥିଲେ । ଯୁବା ଅବସ୍ଥାରେ ସେ ବାଇବଲକୁ ପୋଡ଼ି ପକାଇଲେ । କିନ୍ତୁ ସେ ଯେତେବେଳେ ସତ୍ୟ ଈଶ୍ଵର କିଏ, ଏହା ଜାଣିବାକୁ ଚାହିଁଲେ, ରାତ୍ର ସମୟରେ ପ୍ରଭୁ ଯୀଶୁ ନିଜେ ତାଙ୍କୁ ଦର୍ଶନ ଦେଲେ । ତାଙ୍କ ନାମ ଧରି ଡ଼ାକିଲେ । ସେ ଯୀଶୁଙ୍କର ପରିଚୟ ପାଇଲେ । ଭାରତ ଓ ତିବ୍ଦତ୍ ରେ ଜଣେ ଶକ୍ତିଶାଳୀ ମିଶନାରୀ ରୂପେ କାର୍ଯ୍ୟ କଲେ । 


ଏଲି ଯାଜକଙ୍କ ସମୟରେ ଈଶ୍ଵର କାହାରିକୁ ଏପରି ପ୍ରକାଶ୍ୟ ଦର୍ଶନ ଦ୍ଵାରା କଥା କହି ନ ଥିଲେ । କୌଣସି ଭାବବାଦୀ ମଧ୍ୟ ନ ଥିଲେ । ସାନ ବାଳକ ଶାମୁୟେଲଙ୍କୁ ସଦାପ୍ରଭୁ ଡ଼ାକିଲେ ଏବଂ ତାଙ୍କ ସହ କଥା ହେଲେ । ଶାମୁୟେଲଙ୍କ ଜୀବନରେ କ'ଣ ସ୍ଵତନ୍ତ୍ରତା ଥିଲା, ତାହା ଦେଖିବା । 


ସେବାର ଜୀବନ (୧୦ପଦ) :

ଶାମୁୟେଲଙ୍କ ମା ହାନ୍ନା ତାଙ୍କୁ ଈଶ୍ୱରଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଅତି ଛୋଟବେଳୁ ତାଙ୍କୁ ଈଶ୍ୱରଙ୍କ ସେବାକାର୍ଯ୍ୟ ପାଇଁ ମନ୍ଦିରରେ ଛାଡ଼ି ଦେଇଥିଲେ । ଶାମୁୟେଲ ମନ୍ଦିର ମଧ୍ୟରେ ରହି ବିଶ୍ଵସ୍ତ ସେବକ ଭାବେ ସେବାକାର୍ଯ୍ୟ କରୁଥିଲେ । ଆମ ଜୀବନକୁ ଉସର୍ଗୀକୃତ ସେବକଭାବେ ପ୍ରଭୁଙ୍କ ସେବାରେ ଲଗାଉଅଛୁ କି ? 


ଜାଗ୍ରତ ଜୀବନ (୩ପଦ) : 

ରାତ୍ରି କାଳରେ ସମସ୍ତେ ଶୋଇଯିବା ପରେ ଈଶ୍ଵର ଶାମୁୟେଲଙ୍କୁ ଡ଼ାକିଲେ । ସାନ ଶାମୁୟେଲ ଜାଣି ନ ଥିଲେ ଯେ କିଏ ତାଙ୍କୁ ଡାକୁଛନ୍ତି । ତଥାପି ସେ ତାଙ୍କ ଡାକ ଶୁଣିବା ମାତ୍ରେ ଉଠିଥିଲେ । ଯେତେଥର ପ୍ରଭୁ ତାଙ୍କୁ ଡାକିଛନ୍ତି, ସେତେଥର ସେ ତତକ୍ଷଣାତ୍ ଉଠିଛନ୍ତି ଓ ପ୍ରତ୍ୟୁତ୍ତର ଦେଇଛନ୍ତୁ, ମୁଁ ଏଠାରେ ଅଛିଆମ କଣ ଆଜି ପ୍ରଭୁଙ୍କ ରବ ପ୍ରତି ଜାଗ୍ରତ ଓ ମନୋଯୋଗୀ ହୋଇଛୁ ? 


ନମ୍ରତାର ଜୀବନ (୧୦ପଦ):

ଚତୁର୍ଥ ଥର ଡାକରେ ସେ ଅତି ସରଳ ଓ ନମ୍ର ଭାବରେ ଉତ୍ତର ଦେଲେ, କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି । ସେ ନମ୍ରଭାବେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଲେ ଓ ତାଙ୍କ ରବ ଶୁଣିଲେ । ଆମେ ଆଜି ଈଶ୍ୱରଙ୍କ ସମ୍ମୁଖରେ ଓ ମନୁଷ୍ୟମାନଙ୍କ ମଧ୍ୟରେ ନମ୍ରତାର ଜୀବନ କରୁଛୁ କି ? ନମ୍ର ଲୋକେ ଧନ୍ୟ କାରଣ ସେମାନେ ପ୍ରଥିବୀର ଅଧିକାର ହେବେ (ମାଥିଉ ୫:୫) ।

ଈଶ୍ୱରଙ୍କ ଗୌରବ

 ଈଶ୍ୱରଙ୍କ ଗୌରବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨:୨୭-୩୬

ଈଶ୍ୱର ସ୍ୱଗୌରବ ରକ୍ଷଣରେ ଉଦଯୋଗୀ ଅଟନ୍ତି  ।


ଈଶ୍ୱର ଏକ ଅନନ୍ୟ ବ୍ୟକ୍ତିତ୍ଵ । ସେ କାହା ସଙ୍ଗେ ତୁଳନୀୟ ନୁହନ୍ତି । ସେ ସୃଷ୍ଟିକର୍ତ୍ତା, ସର୍ବଜ୍ଞାତା, ସର୍ବଦର୍ଶୀ, ସର୍ବ ବିଦ୍ୟମାନ । ସେ ଆଦି ଓ ଅନ୍ତ । ସେ ମନ୍ତ୍ରଣାରେ ମହାନ୍ ଓ ଜ୍ଞାନରେ ଆଶ୍ଚର୍ଯ୍ୟ । ମନୁଷ୍ୟ ଧୂଳିମାତ୍ର ହେଲେ ମଧ୍ୟ ଅତିଶୟ ଗର୍ବୀ ଓ ଉଦ୍ଧତ୍ ସ୍ୱଭାବର ।


ଅବିଶ୍ୱସ୍ତ ସେବକ : 

ଏଲି ଯାଜକଙ୍କ ଦୁଇ ପୁଅ ଅବିଶ୍ୱସ୍ତ ଓ ଦୌରାତ୍ମ୍ୟକାରୀ ଥିଲେ । ସେମାନେ ଈଶ୍ୱରଙ୍କୁ ଅଗ୍ରାହ୍ୟ କଲେ । ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ । ଏଲି ଯାଜକ ପୁତ୍ରମାନଙ୍କୁ ଚେତନା ଦେଇ ବିପଥ ଗମନରୁ ଫେରାଇବା ପରିବର୍ତ୍ତେ ସେମାନଙ୍କର ଗୌରବ କଲେ । ପରୋକ୍ଷଭାବେ ପୁଅମାନଙ୍କର ଦ୍ଵାରା ହେଉଥିବା ନୈବେଦ୍ୟ ଚୋରୀରେ ଭାଗୀଦାର ଥିଲେ । ସେଥିପାଇଁ ଈଶ୍ୱର ଏହି ଅବିଶ୍ୱସ୍ତ  ସେବକମାନଙ୍କୁ, ଜଣେ ଭବିଷ୍ୟଦବକ୍ତାଙ୍କ ମୁଖ ଦ୍ଵାରା କଥା କହିଲେ । ଈଶ୍ୱର କିପରି ଭୟଙ୍କରଭାବେ ଦଣ୍ଡ ଦେବାକୁ ଯାଉଛନ୍ତି, ସେ ବିଷୟରେ ମଧ୍ୟ ଚେତନା ଦେଲେ ।


ବିଶ୍ୱସ୍ତ ସେବକ:

 ଈଶ୍ୱର ତାଙ୍କ ମନର ମତ ଏକ ଜଣ ବିଶ୍ୱସ୍ତ ସେବକ ଉତ୍ପନ୍ନ କରିବାକୁ ଚାହିଁଲେ । ଯେ କି ତାଙ୍କର ମନ ଓ ହୃଦୟ ଅନୁସାରେ କାର୍ଯ୍ୟ କରିବ । ସେ ସାନ ଶାମୁୟେଲ ଥିଲେ । ଈଶ୍ୱର ଚାହାଁନ୍ତି ତାଙ୍କ ସେବକମାନେ ତାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରନ୍ତୁ । ଭକ୍ତ ଦାଉଦ କହନ୍ତି, "ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ" (ଗୀତ ୪୦: ୮) ।


ଗୌରବମୟ ଈଶ୍ୱର: 

ଈଶ୍ୱର ସ୍ୱଗୌରବ ରକ୍ଷଣରେ ଉଦଯୋଗୀ ପରମେଶ୍ୱର । ସେ ତାଙ୍କର ଗୌରବ ଅନ୍ୟକୁ ଦିଅନ୍ତି ନାହିଁ (ଯିଶାଇୟ ୪୮ :୧୧ ଓ ୪୨:୮) । ଯେଉଁମାନେ ତାଙ୍କର ଗୌରବ କରନ୍ତି, ସେ ସେମାନଙ୍କର ଗୌରବ କରନ୍ତି (୩୦ ପଦ) । ରାଜା ଦାଉଦ କହନ୍ତି, ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର (ଗୀତ ୨୯:୨) । ଆମେ ଆଜି ଆମ ସେବା କାର୍ଯ୍ୟ ଦ୍ଵାରା, ଆମ ଜୀବନ ଦ୍ଵାରା, ଆମ ପରିବାରର ଜୀବନ ଦ୍ଵାରା ଜୀବନ ଦ୍ଵାରା ଈଶ୍ୱରଙ୍କୁ ଗୌରବ ଦେଉଛୁ କି ?

ଈଶ୍ୱରଙ୍କ ବିରୁଦ୍ଧରେ ପାପ

 ଈଶ୍ୱରଙ୍କ ବିରୁଦ୍ଧରେ ପାପ

ଆଜିର ଚିନ୍ତା

୧ ଶାମୁୟେଲ ୨:୧୨-୨୬


ଆମେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରି ତାଙ୍କ ଦୃଷ୍ଟିରେ ଅଗ୍ରାହ୍ୟ ହୋଉଛୁ କି ? 


ଈଶ୍ୱରଙ୍କ ସେବା ନିମନ୍ତେ ମନୋନୀତ ଯାଜକମାନେ ସ୍ୱତନ୍ତ୍ର ଥିଲେ । ସେମାନେ ସଦାସର୍ବଦା ନମ୍ର ଓ ପବିତ୍ର ଜୀବନ କାଟୁଥିଲେ । ଏଲି ଯାଜକଙ୍କ ବୃଦ୍ଧା ଅବସ୍ଥାରେ ତାଙ୍କର ଦୁଇ ପୁଅ ହଫନି ଓ ପୀନହସ୍ ଙ୍କ ଉପରେ ଯାଜକ ଭାର ଅର୍ପିତ ହୋଇଥିଲା । କିନ୍ତୁ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଅଗ୍ରାହ୍ୟ ହେଲେ । ଏହାର କାରଣ କ'ଣ ? 


ସେମାନେ ପାପାଧମ ସନ୍ତାନ ଥିଲେ (୧୨ପଦ) :


ସେମାନେ ଅତ୍ୟାଚାରୀ ଓ ବ୍ୟଭିଚାରୀ ଥିଲେ । ସେମାନେ ସମାଗମତମ୍ବୁ ମଧ୍ୟରେ ସେବାକାରୀଣୀ ସ୍ତ୍ରୀ ଲୋକମାନଙ୍କ ସହିତ ମନ୍ଦ କାର୍ଯ୍ୟ କଲେ । ବ୍ୟଭିଚାରୀମାନଙ୍କର ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାର ଅଧିକାର ନାହିଁ (ପ୍ରକାଶିତ ୨୨:୧୫) । ଏହି ପାପ ଈଶ୍ୱରଙ୍କ ପବିତ୍ର ମନ୍ଦିରକୁ ଅଶୁଚି କରିବା ସହ ସମାନ (୧କର ୬:୧୮,୧୯ ଓ ଏବ୍ରୀ ୧୩:୪) । 


ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ(୧୨) :


ସେମାନେ ସଦାପ୍ରଭୁଙ୍କୁ ସ୍ଵୀକାର କଲେ ନାହିଁ କି ମାନ୍ୟ କଲେ ନାହିଁ । ତୀତସ ୧:୧୬ରେ ଲେଖାଯାଏ, ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ଵୀକାର କରନ୍ତି, କିନ୍ତୁ କାର୍ଯ୍ୟ ଦ୍ଵାରା ଈଶ୍ୱରଙ୍କୁ ଅସ୍ବୀକାର କରୁଥିଲେ । ରାଜା ଦାଉଦ ତାଙ୍କ ପୁଅ ଶଲୋମନ୍ ଙ୍କୁ ଦେଇଥିବା ଶେଷ ଉପଦେଶରେ କହନ୍ତି, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ (୧ମ ବଂଶା ୨୮:୯) । ଈଶ୍ୱରଙ୍କୁ ଓ ଖ୍ରୀଷ୍ଟ ଯୀଶୁଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ (ଯୋହନ ୧୭:୩) । 


ସେମାନେ ସଦାପ୍ରଭୁଙ୍କ  ନୈବେଦ୍ୟ ତୁଚ୍ଛ ଜ୍ଞାନ କଲେ (୧୭ପଦ) : 


ପବିତ୍ର ନୈବେଦ୍ୟକୁ ତୁଚ୍ଛ ଜ୍ଞାନ କରିବା ଏକ ପାପ ଅଟେ । ପବିତ୍ର ପ୍ରଭୁଭୋଜ ସେହିପରି ଏକ ବିଧି, ଯେ କେହି ଅଯୋଗ୍ୟ ଭାବେ ଏହାକୁ ଗ୍ରହଣ କରେ, ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ (୧କର ୧୧:୨୭ ଓ ୩୦)  ।


ସେମାନେ ଈଶ୍ୱରଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉ ଥିଲେ(୨୪ପଦ) : 


ଭ୍ରାନ୍ତ ଶିକ୍ଷା ଦେବା ଓ ଅନ୍ୟମାନଙ୍କୁ ଈଶ୍ୱରଙ୍କଠାରୁ ବିପଥ ଗାମୀ କରାଇବା ପାପ ଅଟେ । ରାଜା ମନଃଶୀ ଯିହୁଦା ବଂଶକୁ ବିପଥଗାମୀ କରାଇ ପାପ କରିଥିଲେ (୨ବଂଶା ୩୩:୬-୯) ।

ଧନ୍ୟବାଦ ସୂଚକ ପ୍ରାର୍ଥନା

ଧନ୍ୟବାଦ ସୂଚକ ପ୍ରାର୍ଥନା

ଆଜିର ଚିନ୍ତା

୧ଶାମୁୟେଲ ୨:୧-୧୧

ମଙ୍ଗଳଦାନ ଗୁଡ଼ିକ ସ୍ମରଣ କରି ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ କି ?


ହାନ୍ନା ଜଣେ ଦୁଃଖିନୀ ନାରୀ ଥିଲେ । ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବା ପୁଣି ସ୍ବାମୀ ଦ୍ଵିତୀୟ ବିବାହ କରିବା ଏବଂ ସପତ୍ନୀର କଟୁ ମନ୍ତବ୍ୟ ତାଙ୍କୁ ଦୁଃଖିତ, ତିକ୍ତମନା କରିଥିଲା । ମାତ୍ର ସେ ପ୍ରଭୁଙ୍କ ନିକଟରେ ନିଜର ସମସ୍ୟାକୁ ରଖିଲେ । ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଲେ ଏବଂ ଉତ୍ତର ମଧ୍ୟ ଦେଲେ, ସେଥିପାଇଁ ସେ ଈଶ୍ଵରଙ୍କର ସ୍ତୁତିବାଦ କଲେ ।


ପରିତ୍ରାଣକାରୀ ପରମେଶ୍ୱର (୧ପଦ) :

ଈଶ୍ଵର ପରିତ୍ରାଣକାରୀ ପରମେଶ୍ୱର ଅଟନ୍ତି ଏକଥା ପ୍ରଭୁ ଯୀଶୁଙ୍କ ଜନ୍ମର ଯୀଶୁଙ୍କ ଅନେକ ବର୍ଷ ପୂର୍ବରୁ ହାନ୍ନାଙ୍କ ମୁଖ ଦ୍ଵାରା ପ୍ରକାଶିତ ହୋଇଥିଲା । ଶିଶୁ ଯୀଶୁଙ୍କୁ କୋଳରେ ଧରି ଶିମିୟୋନ ପ୍ରାର୍ଥନା କରିଥିଲେ, ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି (ଲୂକ ୨:୩୦) । ଆମେ ସେହି ପରିତ୍ରାଣକାରୀ ପରମେଶ୍ୱରଙ୍କଠାରେ ବିଶ୍ଵାସ କରି ଆନନ୍ଦ କରୁଛୁ କି ?


ଅତୁଳନୀୟ ପରମେଶ୍ୱର (୨ପଦ) :

  ମୋଶାଙ୍କୁ ଈଶ୍ଵର କୁହନ୍ତି, ଆମ୍ଭେ ସ୍ଵୟଂମ୍ଭୁ (ଆମ୍ଭେ ଅଛୁ) ରାଜା ଦାଉଦ କହନ୍ତି, ତୁମ୍ଭ ତୁଲ୍ୟ କିଏ ଅଛି? (ଗୀତ ୭୧:୧୯) । ହାନ୍ନା ମଧ୍ୟ କହନ୍ତି, ଆମ୍ଭମାନଙ୍କ ପରମେଶ୍ବରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ (୨ପଦ) । ସେହି ପବିତ୍ର ଓ ଅତୁଳନୀୟ ପରମେଶ୍ୱରଙ୍କୁ ଆମେ ମାନ୍ୟ କରୁଛୁ କି ?


ସର୍ବଜ୍ଞ ପରମେଶ୍ୱର (୩ପଦ) :

ଗୁପ୍ତ ବିଷୟ ସବୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଅଧିକାର (ଦ୍ଵି: ବିବ ୨୯:୨୯) । ସେ ଆମ ହୃଦୟ ଓ ମନର ସବୁ କଥା ଜାଣନ୍ତି । 


ମୃତ୍ୟୁଞ୍ଜୟୀ ପରମେଶ୍ୱର (୬ପଦ) :


ମୃତ୍ୟୁ ଓ ଜୀବନ ଈଶ୍ୱରଙ୍କ ଅଧୀନ, ସେ ଜୀବନଦାତା । ଯୀଶୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ (ଯୋହନ ୧୧:୨୫) । ଯେ ତାହାଙ୍କ ଠାରେ ବିଶ୍ଵାସ କରେ ସେ ଯଦ୍ୟପି ମରେ, ତଥାପି ବଞ୍ଚିବ । ରକ୍ଷାକାରୀ ପରମେଶ୍ୱର (୯ପଦ) : ସେ ସବୁ ଗତିରେ ଆମକୁ ରକ୍ଷା କରନ୍ତି (ଗୀତ ୯୧:୧୦) । ସେ ଆମର ରକ୍ଷକ (ଗୀତ ୧୨୧:୫) । ତାଙ୍କର ସୁରକ୍ଷାର ଡେଣା ତଳେ ଆମେ ଆଶ୍ରୟ ନେଉଛୁ  କି ?


ଆରାଧନା ଓ ବଳିଦାନ

ଆରାଧନା ଓ ବଳିଦାନ


ଆଜିର ଚିନ୍ତା

୧ଶାମୁୟେଲ ୧:୧-୨୦

ଈଶ୍ୱରଙ୍କ ମଙ୍ଗଳଦାନ ସବୁକୁ ସ୍ମରଣ କରି ଆମେ ତାଙ୍କର ଆରାଧନା କରୁଛୁ କି ?


ଇସ୍ରାଏଲ ଲୋକମାନେ ବର୍ଷକୁ ପ୍ରାୟ ତିନିଥର ସେମାନଙ୍କ ଉପାସନାର ପୀଠକୁ ଯାଉଥିଲେ । ବିଚାରକର୍ତ୍ତା ମାନଙ୍କର ଶାସନ ସମୟରେ ସେମାନେ ଶିଲୋରେ ବଳିଦାନ ଉତ୍ସର୍ଗ କରୁଥିଲେ । ଯାଜକ ଏଲୀ ଓ ତାଙ୍କର ଦୁଇପୁତ୍ର ହଫନି ଓ ପୀନହସ ସେଠାରେ ଯାଜକୀୟ ସେବାକାର୍ଯ୍ୟ କରୁଥିଲେ ।  


ଆରାଧନା :

ଇସ୍ରାଏଲ ଗୋଷ୍ଠୀ ପତ୍ର କୁଟୀର ପର୍ବ ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଏକତ୍ର ହେଉଥିଲେ । ଇଲକାନା ତାଙ୍କ ପରିବାର ସହ ଏହି ସମୟରେ ଶୀଲୋକୁ ଯାଇଥିଲେ । ଭକ୍ତ ଦାଉଦ କହନ୍ତି, ହେ ପ୍ରଭୁ, ମୋ ଓଷ୍ଠାଧର ଫିଟାଅ ତହିଁରେ ମୋ' ମୁଖ ତୁମ୍ଭର ପ୍ରଶଂସା କରିବ (ଗୀତ ୫୧:୧୫) । ଈଶ୍ୱରଙ୍କ ପ୍ରଶଂସା କରିବାକୁ ଏକ ବଳୀ ଭାବରେ ଗ୍ରହଣ କରାଯାଏ (ଏବ୍ରୀ ୧୩:୫) । ଏହା ତାଙ୍କ ନାମ ସ୍ଵୀକାରକାରୀ ଓଷ୍ଠାଧରର ଫଳ ଅଟେ । ଈଶ୍ଵର ମହାନ୍, ପବିତ୍ର, ଆଶ୍ଚର୍ଯ୍ୟ କର୍ମକାରୀ, ମଙ୍ଗଳଦାନକାରୀ, ରୋଗସୁସ୍ଥକାରୀ, ପରିତ୍ରାଣ ପ୍ରଦାନକାରୀ, ଦୟାବାନ, କରୁଣାମୟ ଇତ୍ୟାଦି ଅନ୍ୟ ନାମରେ ବାଇବଲ ରେ ପରିଚିତ ଅଟନ୍ତି । ତାହାଙ୍କ ନାମ ସହ ଅନ୍ୟ କୌଣସି ନାମ ତୁଳନୀୟ ନୁହେଁ । ତାହାଙ୍କ କାର୍ଯ୍ୟ ଅନନ୍ୟ (ଗୀତ ୧୦୪:୨୪) । ଆମ ପରିବାର ଈଶ୍ୱରଙ୍କ ମଙ୍ଗଳଦାନକୁ ସ୍ମରଣ କରି ତାଙ୍କର ଆରାଧନା କରୁଛୁ କି ? 


ବଳିଦାନ :

ଈଶ୍ୱରଙ୍କୁ ପ୍ରଦତ୍ତ ଉପହାର ବଳିଦାନ ଅଟେ ଭଗ୍ନଆତ୍ମା ଈଶ୍ୱରଙ୍କ ଗ୍ରାହ୍ୟବଳୀ (ଗୀତ ୫୧:୧୭) । ସେଦିନ  ହାନ୍ନାଙ୍କ ଉତ୍ସର୍ଗୀକୃତ ବଳିଦାନ ଯଥାର୍ଥ ଥିଲା । ସେ ତିକ୍ତ ମନା ଓ ବେଦନାଗ୍ରସ୍ତ ହୋଇ ରୋଦନ କରୁଥିଲେ । ଆପଣା ପ୍ରାଣର ବେଦନା ଢାଳିଥିଲେ । ପ୍ରଭୁ ଯୀଶୁ କ୍ରୁଶ  ବହି କଳବାରୀ କୁ ଯିବା ବାଟରେ  କହିଥିଲେ, ହେ ଯିରୁଶାଲମର କନ୍ୟାଗଣ ଆପଣା ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କର । ଆମେ ଆମ ପରିବାରର ମୁକ୍ତି ପାଇଁ ଈଶ୍ୱରଙ୍କ ନିକଟରେ ଡାକ ପକାଉଛୁ ତ ? 



ଭିନ୍ନ ପରିଚୟ

 ଭିନ୍ନ ପରିଚୟ

ଆଜିର ଚିନ୍ତା

ଋତ ୪:୨-୨୨

ଆମେ କିପରି ଆମ କାର୍ଯ୍ୟ ଦ୍ଵାରା ଭିନ୍ନ ପରିଚୟ ସୃଷ୍ଟି କରିପାରିବା ? 


ଋତ ପୁସ୍ତକର ପୂର୍ବ ପୃଷ୍ଟଭୂମି ଅନୁଯାୟୀ ଇସ୍ରାଏଲୀୟମାନଙ୍କ ଈଶ୍ୱରଙ୍କ ମନୋନୀତ ଜାତି ଭାବରେ ଗଣନା କରାଯାଉଥିଲା । ମାତ୍ର ବିଦେଶୀୟମାନଙ୍କ ପ୍ରତି ସେମାନେ ଭେଦଭାବ ପରାୟଣ ଥିଲେ । କିନ୍ତୁ ଋତ ନିଜର କାର୍ଯ୍ୟ ଦ୍ଵାରା ସେସବୁକୁ ବଦଳାଇ ଦେଇଥିଲେ । 


ଆନୁଗତ୍ୟର ଫଳ: 

ଋତଙ୍କର ବିବାହ ବୋୟଜଙ୍କ ସହିତ ଅନୁଷ୍ଠିତ ହେଲା । ବୋୟଜ, ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ସମଗ୍ର ନଗର ଦ୍ବାରବର୍ତ୍ତୀ ଲୋକ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗ୍ରହଣ କଲେ । ଈଶ୍ଵର ଋତଙ୍କୁ ଇସ୍ରାଏଲର ବଂଶ ବୃଦ୍ଧିକରିଣୀ କରନ୍ତୁ ବୋଲି ସେମାନେ ଆଶୀର୍ବାଦ କରିଲେ । ଇସ୍ରାଏଲୀୟମାନେ ନିଜକୁ ଶ୍ରେଷ୍ଠ ମଣି ବିଦେଶୀମାନଙ୍କ ପ୍ରତି ଅନେକ ସମୟରେ ଅତ୍ୟାଚାର କରୁଥିଲେ । ମାତ୍ର ୠତ ଜଣେ ବିଦେଶିନୀ ମହିଳା ହୋଇ ମଧ୍ୟ ତାଙ୍କ ଜୀବନ ଏତେ ସୁନ୍ଦର ଥିଲା ଯେ, ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଯେତେବେଳେ ଆମେ ଗୋଟିଏ ଅଜଣା ସ୍ଥାନରେ, ଅଜଣା ଲୋକମାନଙ୍କ ମଧ୍ୟରେ ରହିବା ଆରମ୍ଭ କରୁ, ସେତେବେଳେ ଆମ୍ଭମାନଙ୍କର କେଉଁପ୍ରକାର ବ୍ୟବହାର ଆମକୁ ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟ କରାଇପାରିବ, ତାହା ଚିନ୍ତା କରିବା । ଯଦି ସେପ୍ରକାର ସ୍ଥାନରେ ଆମେ ଆଖ ପାଖରେ ଥିବା ଲୋକମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିପାରି ନାହୁ, ତେବେ ନିଜକୁ ସମୀକ୍ଷା କରିବା ଯେ ଆମର ଭୁଲ କେଉଁଠି ରହିଲା । 


ଇସ୍ରାଏଲ ଇତିହାସରେ ସ୍ଥାନ : 

ୠତ ଇସ୍ରାଏଲର ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଥିଲେ ଯଦ୍ୱାରା ୠତଙ୍କ ନାମ ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀରେ ମଧ୍ୟ ଉଲ୍ଲେଖ କରାଯାଏ (ମାଥିଉ ୧:୧୫) । ୠତଙ୍କ ଗର୍ଭରୁ ଜନ୍ମିଥିବା ପୁତ୍ର ଓବେଦ୍, ଦାଉଦଙ୍କ ପିତାମହ, ଯିଶୀଙ୍କ ପିତା ଥିଲେ । ଏହି ସମ୍ପୂର୍ଣ୍ଣ ବିବରଣୀ ୠତଙ୍କର ଉତ୍ତମତା, ସାଧୁତା, ବିଶ୍ଵାସ, ତ୍ୟାଗ ଓ ପ୍ରେମର ପୁରସ୍କାର ସ୍ୱରୁପେ ତାଙ୍କୁ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଏକ ନୂତନ ଏବଂ ସ୍ବତନ୍ତ୍ର ପରିଚୟ ମିଳିଥିଲା । ପରମେଶ୍ବର ତାଙ୍କ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବୈଧବ୍ୟ ଅବସ୍ଥାର ନୂତନ ପରିବାର ଗଠନ କରିବା ନିମନ୍ତେ ଏକ ମୁକ୍ତି କର୍ତ୍ତାଙ୍କର ବଂଶଧର ମାତାମହୀ ହେବାର ଗୌରବ ପ୍ରଦାନ କଲେ । ତେଣୁ ଆମ ଜୀବନର ଉତ୍ତମତା ଆମ ଜୀବନରେ ଆଶୀର୍ବାଦ ଆଣିଦିଏ ପୁଣି ତାହା ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହୋଇଥାଏ । ଆମେ ଯଦି ଆମ ଆହ୍ଵାନରେ ବିଶ୍ଵସ୍ତ, ତେବେ ଆମେ ଈଶ୍ୱରଙ୍କର ବୋଲି ଏହି ଜଗତରେ ପ୍ରତିଷ୍ଠିତ ହେବା ।

ତ୍ୟାଗର ପୁରସ୍କାର

 ତ୍ୟାଗର ପୁରସ୍କାର 

ଆଜିର ଚିନ୍ତା

ୠତ ୨:୧-୨୩

ମୁଁ କଣ ନିଜ କର୍ତ୍ତବ୍ୟ ସାଧନରେ ଏବଂ ସାମାଜିକ ସମ୍ପର୍କ ରକ୍ଷା କରିବାରେ ବିଶ୍ଵସ୍ତ ?


ୠତଙ୍କର ନିଜ ଦେଶ, ପରିବାର ଓ ଜ୍ଞାତି କୁଟୁମ୍ବଙ୍କୁ ତ୍ୟାଗ କରି ନୟମୀଙ୍କ ସହିତ ଜୀବନ ଅତିବାହିତ କରିବାର ନିଷ୍ପତ୍ତି ହୁଏତ ଅଯୁକ୍ତିକର ମାତ୍ର ଉତ୍ତମ ବିଷୟ ନିମନ୍ତେ ତ୍ୟାଗ ଅନେକ ସମୟରେ ଯେ କେତେ ଆଶୀର୍ବାଦ ଆଣେ ତାହା ଆମେ ଆଜିର ପାଠରୁ ଦେଖିପାରୁଛୁ । 


ନୟମୀ ନିକଟରେ ଅନୁଗ୍ରହ ପାତ୍ରୀ:

 ପରମେଶ୍ୱର ତାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବେଥଲିମର ଶସ୍ୟକ୍ଷେତ୍ରକୁ ବାଛିଲେ । ମୋୟାବ ଦେଶରୁ ଯିହୁଦା ଦେଶକୁ ଫେରିବା ପରେ ୠତ ଉପାର୍ଜନ କରିବାର ଆବଶ୍ୟକତା ଅନୁଭବ କରି  ଶସ୍ୟକ୍ଷେତ୍ରରେ ଯାଇ କର୍ମ କରିବା ପାଇଁ ନିଜ ଶାଶୁଙ୍କର ଅନୁମତି ନେଉଛନ୍ତି । କାରଣ ସେ ଜାଣିଥିଲେ ଯେ ସେହି ପରିବାର ମଧ୍ୟରେ କାର୍ଯ୍ୟ କରିବା ନିମନ୍ତେ କେହି ପୁରୁଷ ନାହାନ୍ତି ଆଉ ନୟମୀ ମଧ୍ୟ ବୃଦ୍ଧା, ତେଣୁ ପରିବାରର ସବୁ ଦୟିତ୍ୱକୁ ତୁଲାଇବା ପାଇଁ ସେ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରି, ପରିବାରର ପ୍ରତିପୋଷଣ ନିମନ୍ତେ କାର୍ଯ୍ୟ କରିବାକୁ ବାହାରୁଛନ୍ତି । ବାକ୍ୟରେ ଲେଖାଯାଏ ଯେ ଗୁଣବତୀ ସ୍ତ୍ରୀ ପରିବାରକୁ ଆହାର ଯୋଗାଏ (ହିତ ୩୧:୧୫) । ଯଦିଓ ସେହି କାର୍ଯ୍ୟରେ ଋତଙ୍କ ପ୍ରତି ଅପମାନ ଓ ବିପଦ ଥିଲା ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ ଓ ତାହାଙ୍କ ଯୋଜନା କାର୍ଯ୍ୟକାରୀ କରୁଥିଲେ । ୠତଙ୍କର ଏହି ତ୍ୟାଗପୂର୍ଣ୍ଣ ଜୀବନ ଓ ନୟମୀଙ୍କ ପ୍ରତି ଗଭୀର ପ୍ରେମ ହେତୁ ୠତ ନୟମୀଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ ।

 

ବୋୟଜଙ୍କ ନିକଟରେ ଅନୁଗ୍ରହ ପାତ୍ରୀ:

ବୋୟଜ ନାମକ ଜଣେ ନିକଟ କୁଟୁମ୍ବ କ୍ଷେତ୍ରରେ ଶସ୍ୟଛେଦକ ମାନଙ୍କ ସହିତ ଅବିରତ କାର୍ଯ୍ୟରତ ରହିବା ଦ୍ଵାରା ସେ ଯେ ଜଣେ ପରିଶ୍ରମୀ ସ୍ତ୍ରୀ ଥିଲେ ତାହା ଜଣାପଡେ ।  ଅଳ୍ପ ଦିନ ମଧ୍ୟରେ ତାଙ୍କ ସୁଗୁଣ ଅନ୍ୟମାନେ ଜାଣିପାରିଲେ । ଋତଙ୍କର ପରିଶ୍ରମ ତଥା ଉପାର୍ଜନ କରିବାର ସ୍ଵଭାବ ପୁଣି ବିଶ୍ଵସ୍ତତାର କାର୍ଯ୍ୟ ଯୋଗୁଁ ସେ ବୋୟଜଙ୍କର ଦୃଷ୍ଟିଗୋଚର ହୋଇଥିଲେ ପୁଣି ଅନୁଗ୍ରହ ପାତ୍ର ହୋଇଥିଲେ । ମିଳିଥିବା ଭଜାଶସ୍ୟ ନିଜେ ସବୁ ଭୋଜନ ନ କରି ଶାଶୁଙ୍କ ନିମନ୍ତେ ସଞ୍ଚୟ କରିବା ଦ୍ୱାରା ଶାଶୁଙ୍କ ପ୍ରତି ତାଙ୍କ ପ୍ରେମ ପ୍ରମାଣିତ ହୁଏ । ଅନ୍ୟଦେଶୀୟା କନ୍ୟା ହୋଇ ମଧ୍ୟ ଯିହୁଦା ପ୍ରଦେଶର ଲୋକମାନଙ୍କ ସହିତ ତାଙ୍କର ବ୍ୟବହାର ଓ ଶାଶୁଙ୍କ ପ୍ରତି ଭକ୍ତି ତାଙ୍କୁ ଅନେକ ଆଶୀର୍ବାଦର ଅଧିକାରୀ କରାଇଥିଲା । ଆମେ କ'ଣ ଆଜି ଋତଙ୍କ ଭଳି ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ଏବଂ କର୍ମମୟ ଜୀବନ କାଟିବାରେ ସଫଳ ହୋଇପାରିଛୁ ? ସେ ଭଳି ଜୀବନ ଆମକୁ ଉଭୟ ମନୁଷ୍ୟ ଏବଂ ଈଶ୍ୱରଙ୍କ ଅନୁଗ୍ରହପାତ୍ର ହେବାରେ ସାହାଯ୍ୟ କରିବ । 

ନିଃସ୍ୱାର୍ଥପର

 ନିଃସ୍ୱାର୍ଥପର  

ଆଜିର ଚିନ୍ତା

ଋତ ୧:୧-୨୨

ସ୍ୱାର୍ଥ କ'ଣ ସମ୍ପର୍କଠାରୁ ବଡ଼ ? 


ନୟମୀ ତାଙ୍କ ସ୍ଵାମୀ ଏବଂ ଦୁଇ ପୁଅ ଦୁର୍ଭିକ୍ଷ ହେତୁ ନିଜ ଦେଶ ଛାଡ଼ି ମୋୟବ ଦେଶକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କ ସ୍ଵାମୀଙ୍କର ମୃତ୍ୟୁପରେ ତାଙ୍କ ପୁଅମାନେ ମୋୟାବୀୟ ମହିଳାମାନଙ୍କୁ ବିବାହ କଲେ ଏବଂ କାଳକ୍ରମେ ସେମାନଙ୍କର ମଧ୍ୟ ମୁତ୍ୟୁ ହୁଏ, ଆଉ ରହିଯାନ୍ତି କେବଳ ତିନି ଜଣ ମହିଳା । କିନ୍ତୁ ଏଠାରେ ଶାଶୁ ଓ ବୋହୂ ମଧ୍ୟରେ ଥିବା ମଧୁର ସମ୍ପର୍କ ଉଲ୍ଲେଖନୀୟ ।


ପ୍ରେମର ସମ୍ପର୍କ: 

ଶାଶୁ ନୟମୀ ଯିହୁଦାକୁ ଫେରିଯିବା ବାଟରେ ପୁତ୍ରବଧୂମାନଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ଅନୁରୋଧ କରିଲେ, କାରଣ ସେମାନଙ୍କର ବୟସ ଖୁବ୍ କମ୍ ଏବଂ ସେମାନେ ନିଜ ଦେଶରେ  ପୁନର୍ବାର ବିବାହ କରି ନିଜର ନୂତନ ପରିବାର ଆରମ୍ଭ କରିପାରିବେ । ନୟମୀ  ଚାହିଁଥିଲେ ନିଜର ବୃଦ୍ଧାବସ୍ଥାରେ ସେବା ଆଉ ଯତ୍ନ ପାଇବା ପାଇଁ ସେମାନଙ୍କୁ ନିଜ ପାଖରେ ରହିବା ପାଇଁ ଅନୁରୋଧ କରିପାରିଥାନ୍ତେ, କିନ୍ତୁ ନିଜର ସୁଖ ଆଉ ସ୍ୱାର୍ଥଠୁ ଅଧିକ ସେ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିଲେ । ଏହା ନୟମୀଙ୍କର ନିଜର ପୁତ୍ରବଧୂମାନଙ୍କ ପ୍ରତି ଗଭୀର ପ୍ରେମକୁ ଦର୍ଶାଏ । ନୟମୀ ଶବ୍ଦର ଅର୍ଥ 'ମଧୁର' । ସେ ନିଜ ପୁତ୍ରବଧୂମାନଙ୍କ ସହିତ ପ୍ରେମର ମଧୁର ସମ୍ପର୍କ ସ୍ଥାପନ କରିପାରିଥିଲେ । ତାହା ଆଜି ଆମ ପରିବାର ନିମନ୍ତେ ଆଦର୍ଶ ଅଟେ ।


କର୍ତ୍ତବ୍ୟର ସମ୍ପର୍କ:

 ଶାଶୁଙ୍କର କଥାକୁ ଗ୍ରହଣ କରି ଅର୍ପା ଶାଶୁଙ୍କୁ ଶେଷଥର ପାଇଁ ଚୁମ୍ବନ ଦେଇ ବିଦାୟ ନେଲେ କିନ୍ତୁ ଲେଖାଯାଏ ଯେ "ଋତ ନୟମୀଙ୍କୁ ଧରି ରହିଲେ" (୧୪ ପଦ) । ଋତ ନିଜ ଶାଶୁଙ୍କ ସହିତ ମୃତ୍ୟୁ ପର୍ଯ୍ୟନ୍ତ ରହିବେ ଆଉ ତାଙ୍କୁ କେବେ ତ୍ୟାଗ କରିବେ ନାହିଁ, ତାହା ପ୍ରତିଜ୍ଞା କରିଥିଲେ । ଏହାଦ୍ଵାରା ଋତ ନିଜ ପରିବାର, ନିଜ ଦେଶ, ନିଜ ଜାତି ତଥା ଧର୍ମ (ଦେବତା ୧୫ ପଦ)କୁ ପରିତ୍ୟାଗ କରିଥିଲେ, ପୁଣି ନିଜ ଶାଶୁଙ୍କ ଲୋକମାନଙ୍କୁ ଓ ପରମେଶ୍ୱରଙ୍କୁ ନିଜର କରିପାରିଥିଲେ । ନୟମୀ ଆଉ ଋତଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଆମ୍ଭମାନଙ୍କୁ ପ୍ରେରଣା ଦିଏ, ଆମେ କିପରି ନିଜ ପରିବାରକୁ ପ୍ରେମ, ନିଃସ୍ୱାର୍ଥପରତା, ଆନୁଗତ୍ୟ ଓ ସମାଦର ଇତ୍ୟାଦି ଗୁଣଦ୍ୱାରା ବନ୍ଧିକି ରଖିପାରିବା । ଆଜି ଏହିସବୁ ଗୁଣଗୁଡ଼ିକର ଅଭାବ ହୁଏତ ଅନେକ ପରିବାର ମଧ୍ୟରେ ଭଗ୍ନାବସ୍ଥା ଆଣିଦେଇଛି, କିନ୍ତୁ ନୟମୀ ଓ ଋତଙ୍କର ମଧ୍ୟରେ ପରସ୍ପର ପ୍ରତି ଥିବା ପ୍ରଗାଢ଼ ପ୍ରେମ ଏବଂ ସମ୍ମାନ ସେମାନଙ୍କୁ ଈଶ୍ୱରଙ୍କର  ଅନୁଗ୍ରହ ଓ ଆର୍ଶୀବାଦର ଅଂଶୀ କରାଇଥିଲା ।

ମଣ୍ଡଳୀର କାର୍ଯ୍ୟପନ୍ଥା

 ମଣ୍ଡଳୀର କାର୍ଯ୍ୟପନ୍ଥା

ଆଜିର ଚିନ୍ତା

ପ୍ରେରିତ ୧୫:୧୨-୩୫


ମଣ୍ଡଳୀର ପ୍ରଚାର ଓ ପ୍ରସାର ପାଇଁ ମୁଁ କଣ ଉଦଯୋଗୀ ଅଟେ ? 


ଯିହୁଦୀମାନେ ପ୍ରଥମରେ ଖ୍ରୀଷ୍ଟଙ୍କୁ ବିଶ୍ବାସ କରିଥିଲେ।  ସମୟକ୍ରମେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ଦ୍ଵାରା ଅନେକ ଅଣଯିହୁଦୀମାନେ ମଧ୍ୟ ଖ୍ରୀଷ୍ଟଙ୍କୁ ବିଶ୍ଵାସ କଲେ । ମାତ୍ର ଯିହୁଦୀ ମତାବଲମ୍ବିମାନେ ସହଜରେ ସେମାନଙ୍କୁ ଗ୍ରହଣ କରିପାରୁ ନ ଥିଲେ । ତେଣୁ ସେମାନେ ଅଣଯିହୁଦୀମାନଙ୍କୁ ଅନେକ ସର୍ତ୍ତ ଓ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ । ଯାହାର ଫଳସ୍ୱରୁପ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପିତ ହେବାରେ ବାଧା ଉପୁଜୁ ଥିଲା । ତେଣୁ ଏହି ସମସ୍ୟାର ପାଇଁ ଯିରୁଶାଲମ ଏକ ଅଧିବେଶନ ହୋଇଥିଲା । 


ସଠିକ୍ ପଦକ୍ଷେପ : 

ପାଉଲ ଓ ବର୍ଣ୍ଣବବା ପ୍ରକାଶ କଲେ ଯେ, ସ୍ଵୟଂ ଈଶ୍ଵର ଅଣଯିହୁଦୀମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କାର୍ଯ୍ୟ ସାଧନ କରିଛନ୍ତି । ତେଣୁ ଅନେକ ଅଣଯିହୁଦୀ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଛନ୍ତି । ପାଉଲ ଓ ବର୍ଣ୍ଣବବା କେବଳ ମାଧ୍ୟମ ଅଟନ୍ତି । ପିତର ଓ ଯାକୁବ ମଧ୍ୟ ଏହି କଥାକୁ ସମର୍ଥନ କଲେ । ଅଣଯିହୁଦୀମାନେ ଯେପରି ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ, ତାହା ସ୍ଵୟଂ ଈଶ୍ଵର ଚାହାଁନ୍ତି ଓ ସେମାନଙ୍କୁ ମନୋନୀତ ମଧ୍ୟ କରିଅଛନ୍ତି । 


ମନୋନୀତ ଲୋକଙ୍କୁ ପ୍ରେରଣ :

ଯେଉଁମାନେ ଈଶ୍ୱରଙ୍କ ବାକ୍ୟରେ ନିପୁଣ ଓ ଯେଉଁମାନଙ୍କର ଈଶ୍ୱରଙ୍କୁ ବାକ୍ୟ ଓ ବ୍ୟବସ୍ଥା ବିଷୟରେ ସୂକ୍ଷ୍ମ ଜ୍ଞାନ ଅଛି ଏପରି ଯିହୁଦା ଓ ଶୀଲାକୁ ମନୋନୀତ କରି ମଣ୍ଡଳୀ ଲୋକମାନଙ୍କ ମଧ୍ୟକୁ ପଠାଇଲେ । ଯେପରି ସେମାନେ ଈଶ୍ୱରଙ୍କ ବାକ୍ୟର ନିଗୁଡ଼ତତ୍ତ୍ଵ ବିଷୟରେ ଲୋକଙ୍କୁ ଶିକ୍ଷା ଦେଇ ଶିକ୍ଷିତ କରାଇବେ । ଶୀଲା ନିଜେ ଜଣେ ଭାବବାଦୀ ହୋଇଥିବାରୁ ଅନେକ କଥା ଦ୍ଵାରା ଭାଇମାନଙ୍କୁ ଉତ୍ସାହ ଦେଇ ସୁସ୍ଥିର କଲେ । 


ଆମ  ମଣ୍ଡଳୀ ଆଜି ଏପରି ମନୋନୀତ ଲୋକମାନଙ୍କୁ ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରେରଣ କରିବା ଆବଶ୍ୟକ । ଆମେ ମଧ୍ୟ ନିଜକୁ ବାକ୍ୟରେ ଏପରି ସୁୁଶିକ୍ଷିତ କରି ଅନ୍ୟ ନିକଟରେ ଈଶ୍ଵରଙ୍କର ସାକ୍ଷୀ ହୋଇପାରିବା ।

ଆଦର୍ଶ ମିଶନାରୀ

ଆଦର୍ଶ ମିଶନାରୀ

ଆଜିର ଚିନ୍ତା

ପ୍ରେରିତ ୧୪:୨୧-୨୮

ମିଶନାରୀ ହେବାର ଯୋଗ୍ୟତା ମୋର ଅଛି କି ? 


ପାଉଲ ଓ ବର୍ଣ୍ଣବବା ଯେଉଁ କାର୍ଯ୍ୟ ନିମନ୍ତେ ପବିତ୍ର ଆତ୍ମା ଆହ୍ଵାନ କରିଥିଲେ, ତାହା କରିବା ପାଇଁ ମଣ୍ଡଳୀ ସେମାନଙ୍କୁ ହସ୍ତାର୍ପଣ କରି ପ୍ରେରଣ କରିଥିଲେ (ପ୍ରେରିତ ୧୩:୨-୩) । ଯାହାର ଫଳସ୍ୱରୂପ ପାଉଲ ଓ ବର୍ଣ୍ଣବବା ୩ ବର୍ଷ ପର୍ଯ୍ୟନ୍ତ ତାଙ୍କ ପ୍ରଥମ ମିଶନାରୀ ଯାତ୍ରା କରିଥିଲେ । 

I

ଅନେକଙ୍କୁ ଶିଷ୍ୟ କର :

ପ୍ରଭୁ ଯୀଶୁଙ୍କର ଶେଷ ଆଦେଶ ତୁମ୍ଭେ ସମଗ୍ର ମାନବ ଜାତି ନିକଟକୁ ଯାଅ ଓ ସେମାନଙ୍କୁ ମୋ ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର । ପାଉଲ ଓ ବର୍ଣ୍ଣବବା ସେମାନଙ୍କର ପ୍ରଥମ ମିଶନାରୀ ଯାତ୍ରା ସମୟରେ ଏହି ପ୍ରଧାନ ଆଜ୍ଞା ଉପରେ ଗୁରୁତ୍ବ ଦେଇ ତାହା ପାଳନ କରିଥିଲେ । 


ଆଗାମୀ ତାଡନା ନିମନ୍ତେ ପ୍ରସ୍ତୁତି :

କେବଳ ଯେ ଶିଷ୍ୟ କରି ସେମାନଙ୍କୁ ଛାଡ଼ି ଦେବା ତାହା ନୁହେଁ, ମାତ୍ର ଆଗାମୀ କ୍ଳେଶ ଓ ପରୀକ୍ଷା ନିମନ୍ତେ ସେମାନଙ୍କର ବିଶ୍ଵାସକୁ ଦୃଢ଼ କରି ସଦା ପ୍ରସ୍ତୁତ ରହିବା ନିମନ୍ତେ ସେମାନଙ୍କୁ ଶିକ୍ଷିତ କରିବା । ଏହା ମଧ୍ୟ ଏକ ମିଶନାରୀର ଗୁରୁଦାୟିତ୍ବ ଅଟେ ଯାହା ପାଉଲ କରିଥିଲେ । ତେଣୁ ୨ ତୀମଥି ୩:୧୨ରେ ପାଉଲ ଲେଖିଲେ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ଧର୍ମଜୀବନଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡନା ଭୋଗ କରିବେ । 


ପ୍ରାଚୀନମାନଙ୍କୁ ନିଯୁକ୍ତି :

ମିଶନାରୀମାନଙ୍କ ଅନୁପସ୍ଥିତିରେ ବିଶ୍ବାସୀମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରଦାନ କରି ବିଶ୍ଵାସରେ ଦୃଢ଼ କରାଇବା ନିମନ୍ତେ ପାଉଲ ଉପବାସ ପ୍ରାର୍ଥନା କରି ପ୍ରାଚୀନମାନଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କଲେ (୨୩ପଦ) ।


ଉତ୍ସାହ ପ୍ରଦାନକାରୀ :

ପାଉଲ ଓ ବର୍ଣ୍ଣବବା ସେମାନଙ୍କ ଦ୍ଵାରା ସ୍ଥାପିତ ମଣ୍ଡଳୀରେ ଉପସ୍ଥିତ ହୋଇ ମଣ୍ଡଳୀକୁ ଏକତ୍ର କରି ସେମାନଙ୍କୁ ନିଜର ସାକ୍ଷ୍ୟ ଓ ବାକ୍ୟ ଦ୍ଵାରା ଈଶ୍ୱରଙ୍କୁ ଗୌରବାନ୍ଵିତ କରିବା ସଙ୍ଗେ ସଙ୍ଗେ ମଣ୍ଡଳୀର ସମସ୍ତଙ୍କୁ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କାର୍ଯ୍ୟ କରିବା ପାଇଁ ଉତ୍ସାହ ପ୍ରଦାନ କଲେ । 


ଆଜି ଈଶ୍ୱରଙ୍କ ରାଜ୍ୟ ବିସ୍ତାର ନିମନ୍ତେ ଈଶ୍ୱରଙ୍କୁ ସାହାଯ୍ୟ ମାଗି ଅନେକଙ୍କୁ ତାଙ୍କ ରାଜ୍ୟର ଅଂଶୀ କରାଇବା ଆମର ଦାୟିତ୍ଵ ଓ ଲକ୍ଷ୍ୟ ହେବା ଉଚିତ୍ ।

ସୁସମାଚାର ଘୋଷଣା

 ସୁସମାଚାର ଘୋଷଣା

ଆଜିର ଚିନ୍ତା

ପ୍ରେରିତ ୧୪:୧-୨୦

ସୁସମାଚାର ପ୍ରଚାର ନିମନ୍ତେ ମୁଁ ଉଦଯୋଗୀ କି ? 


ପ୍ରେରିତ ୧୩, ୧୪ ପର୍ବ ପାଉଲଙ୍କର ପ୍ରଥମ ମିଶନାରୀ ଯାତ୍ରା ବିଷୟରେ ବର୍ଣ୍ଣନା କଲେ । ଇକନିୟରେ ଯିହୁଦୀ ମତାବଲମ୍ବି ଲୋକ ବସବାସ କରୁଥିବାରୁ ସେଠାରେ ସମାଜ ଗୃହ ଥିଲା, ମାତ୍ର ଲୁସ୍ତ୍ରା ଓ ଦର୍ବୀ ରେ ସମାଜ ଗୃହ ନ ଥିଲା । 


ସମସ୍ତ ଜାତି ନିକଟରେ ଘୋଷଣା :

ସ୍ୱର୍ଗାରୋହଣ ପୂର୍ବରୁ ଯୀଶୁଙ୍କର ଶେଷ ଆଜ୍ଞାନୁସାରେ ( ମାର୍କ ୧୬:୧୫) ପାଉଲ ଓ ବର୍ଣ୍ଣବବା ସେମାନଙ୍କ ପ୍ରଥମ ମିଶନାରୀ ଯାତ୍ରାରେ ଯିହୁଦୀ, ଅଣଯିହୁଦୀ, ଗ୍ରୀକ୍ ସମସ୍ତଙ୍କ ନିକଟରେ ପ୍ରଭୁ ଯୀଶୁଙ୍କର ଜନ୍ମ ଠାରୁ ପୁନରୁତ୍ଥାନ ପର୍ଯ୍ୟନ୍ତ ସମସ୍ତ ବାକ୍ୟ ପ୍ରଚାର କଲେ ଓ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଲୋକ ବିଶ୍ୱାସ କଲେ । ପାଉଲ ଓ ବର୍ଣ୍ଣବବା ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ ଓ ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ନିଜର ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ (୩ପଦ) । ତେଣୁ ପାଉଲ ଏଫୀସୀ ୪:୧୭ରେ କହନ୍ତି, ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦତ୍ତ ହୋଇଛି । 


ତାଡ଼ନାର ସମ୍ମୁଖୀନ : 

ଯେଉଁମାନେ ପାଉଲ ଓ ବର୍ଣ୍ଣବବାଙ୍କ କଥାରେ ବିଶ୍ଵାସ କଲେ ନାହିଁ, ସେମାନେ ଅଧ୍ୟକ୍ଷଙ୍କ ସହିତ ମିଶି ପାଉଲ ଓ ବର୍ଣ୍ଣବବାଙ୍କ ଉପରେ ଦୌରାତ୍ମ୍ୟ କଲେ ଓ ପଥର ଫୋପାଡ଼ି ମାରିବାକୁ ଚେଷ୍ଟା କଲେ । ବ୍ୟକ୍ତିଗତ ଜୀବନରେ ମୁଁ କ'ଣ ସୁସମାଚାର ନିମନ୍ତେ ତାଡ଼ନାଭୋଗ କରିବାକୁ ପ୍ରସ୍ତୁତ କି ? 


ଈଶ୍ୱରଙ୍କୁ ଗୌରବ ଦେବା : 

ଆମର ଈଶ୍ଵର ସାରା ବିଶ୍ବ ବ୍ରହ୍ମାଣ୍ଡସାରାର ସୃଷ୍ଟିକର୍ତ୍ତା । ସେ ଆଦି ଓ ଅନ୍ତ । ସେ ରାଜାମାନଙ୍କର ରାଜା ଓ ପ୍ରଭୂମାନଙ୍କର ପ୍ରଭୁ ଅଟନ୍ତି । ପାଉଲଙ୍କ ଦ୍ଵାରା ମାତୃଗର୍ଭରୁ ଖଞ୍ଜ ବ୍ୟକ୍ତିର ସୁସ୍ଥତା କେବଳ ଏହା ପ୍ରତିବାଦିତ କରେ ଯେ କେବଳ ଈଶ୍ବର ହିଁ ଏହି ଆଶ୍ଚର୍ଯ୍ୟକାରୀ ଅଟନ୍ତି ଓ ସେ ସତ୍ୟ, ଜୀବନ୍ତ, ସେ ହିଁ ସମସ୍ତ ଗୌରବ ପାଇବାର ଯୋଗ୍ୟ ଅଟନ୍ତି । ଆଜି ଆମେ ସତ୍ୟ ଈଶ୍ଵରଙ୍କୁ ଗୌରବ ଦେଉଛୁ ନା ମନୁଷ୍ୟର ଗୌରବ କରୁଛୁ ? ଆମ ଜୀବନର କର୍ତ୍ତା କେବଳ ସ୍ଵୟଂ ଈଶ୍ବର । ଆମର ଚକ୍ଷୁ ସଦା ତାଙ୍କ ପ୍ରତି ସ୍ଥିର ରହିବା ଆବଶ୍ୟକ । 

ଅଳ୍ପ ମନୋନୀତ

ଅଳ୍ପ ମନୋନୀତ

ଆଜିର ଚିନ୍ତା

ପ୍ରେରିତ ୧୩:୪୨-୫୨

ମୁଁ କ'ଣ ସ୍ୱର୍ଗରାଜ୍ୟର ସ୍ଥାନ ପାଇବା ପାଇଁ ଯୋଗ୍ୟ? 


ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହୋଇ ଆସୁଅଛି; ଯେଉଁମାନେ ମନୋନୀତ, ସେହି ଅଳ୍ପସଂଖ୍ୟକ ହିଁ ଅନୁଗ୍ରହରେ ବିଶ୍ଵାସରେ ସ୍ଥିର ରୁହନ୍ତି ଓ ଈଶ୍ୱରଙ୍କ ରାଜ୍ୟରେ ସ୍ଥାନ ସୁରକ୍ଷିତ କରନ୍ତି । 

ସୁସମାଚାର ଶୁଣିବାକୁ ଆଗ୍ରହ : 

ପାଉଲ ଓ ବର୍ଣ୍ଣବବାଙ୍କ ଶକ୍ତିଯୁକ୍ତ ଶିକ୍ଷା ଶୁଣି ଲୋକେ ଅନେକ ସଂଖ୍ୟାରେ ବିଶ୍ଵାସ କଲେ ଓ ପୁନର୍ବାର ତାହା ଶୁଣିବାକୁ ପ୍ରବଳ ଆଗ୍ରହରେ ବିନତି କଲେ । ଆମେ ଦେଖିପାରୁ ଯେ ଯିହୁଦୀମାନଙ୍କ ଅପେକ୍ଷା ଯିହୁଦୀ ମତବଲମ୍ବୀ ବିଜାତିମାନେ ସୁସମାଚାର ଶୁଣିବାକୁ ଅଧିକ ଆଗ୍ରହ ପ୍ରକାଶ କଲେ । ଯିହୁଦୀମାନଙ୍କର ଅନାଗ୍ରହ ଓ ବିଜାତିମାନଙ୍କର ସୁସମାଚାର ପ୍ରତି ଆଗ୍ରହ ଦେଖି ଏହା କୁହାଯାଇପାରେ ଯେ ଅନେକ ଯେଉଁମାନେ ଆପଣାକୁ ପ୍ରଥମ ବୋଲି ଭାବନ୍ତି, ସେମାନେ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ପ୍ରଥମ ହେବେ (ମାଥିଉ ୨୦:୧୬) । 

ଈର୍ଷାତୁର ଯିହୁଦୀ:

ପରବର୍ତ୍ତୀ ବିଶ୍ରାମବାରରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଏକାଠି ହେବା ଦେଖି ଯିହୁଦୀମାନେ ଈର୍ଷାନ୍ଵିତ ହେଲେ । ସେମାନେ ନିନ୍ଦା କଲେ, ପ୍ରତିବାଦ କଲେ, ପ୍ରଧାନ ଓ ସମ୍ଭ୍ରାନ୍ତ ଲୋକଙ୍କୁ ଉତ୍ତେଜିତ କଲେ, ସେମାନଙ୍କୁ ତଡ଼ି ଦେଲେ, ଉପରୋକ୍ତ ସମସ୍ତ ବିଷୟ ସୁସମାଚାର ପ୍ରଚାର କରିବାର ମୂଲ୍ୟ ଅଟେ । ଜଣେ ପ୍ରକୃତ ସୁସମାଚାର ପ୍ରଚାରକ ଏହି ସମସ୍ତ ମୂଲ୍ୟ ଦେବାକୁ ପ୍ରସ୍ତୁତ ଥାଏ । 

ଈଶ୍ୱରଙ୍କ କାର୍ଯ୍ୟ:

ଏହି ସମସ୍ତ ଘଟଣାର ପୃଷ୍ଠଭୂମିରେ କିନ୍ତୁ ଈଶ୍ଵର ତାଙ୍କ କାର୍ଯ୍ୟ କରୁଥିଲେ । କାରଣ ସେ କେବଳ ଯିହୁଦୀମାନଙ୍କର ନୁହନ୍ତି ବରଂ ବିଜାତିମାନଙ୍କର ମଧ୍ୟ ଈଶ୍ଵର ଅଟନ୍ତି (ରୋମୀ ୩:୨୯) । ଅଣଯିହୁଦୀମାନେ ଆନନ୍ଦରେ ସୁସମାଚାରକୁ ଗ୍ରହଣ କଲେ(୪୮ପଦ) । ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା (୪୯ପଦ) । ଅଣଯିହୁଦୀମାନେ ଅନନ୍ତ ଜୀବନର ପ୍ରାପ୍ତିରେ ବିଶ୍ଵାସ କଲେ (୪୮ପଦ) । ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ (୫୨ପଦ) । 


ସୁସମାଚାର ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ଯେତେ ବାଧା ଆସିଲେ ହେଁ ପ୍ରଭୁ ତାଙ୍କର କାର୍ଯ୍ୟ ସାଧନ କରିବେ ଏବଂ ଯେଉଁ ଅଳ୍ପ ମନୋନୀତ ଅଛନ୍ତି, ସେମାନଙ୍କୁ ସେ ପରିତ୍ରାଣ ଦେବେ ।

ସୁସମାଚାରର କେନ୍ଦ୍ରବିନ୍ଦୁ

 ସୁସମାଚାରର କେନ୍ଦ୍ରବିନ୍ଦୁ 

ଆଜିର ଚିନ୍ତା

ପ୍ରେରିତ ୧୩:୧୩-୪୧


ସୁସମାଚାର କହିଲେ ମୁ କ'ଣ ବୁଝେ ? 


ଯେତେବେଳେ କୌଣସି ସ୍ଥାନରେ ବାକ୍ୟ କିମ୍ବା ଈଶ୍ୱର- ବିଷୟକ ଚର୍ଚ୍ଚା ନିମନ୍ତେ ସୁଯୋଗ ମିଳେ, ସେତେବେଳେ ଖ୍ରୀଷ୍ଟ ବିଶ୍ବାସୀ କାଳବିଳମ୍ବ ନ କରି ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଚାର କରିଥାଏ । ମାତ୍ର ପାଉଲଙ୍କ ସୁସମାଚାର ଶିକ୍ଷାର ମୌଳିକ ବିଷୟ କ'ଣ ଥିଲା ତାହା ଆଜିର  ବାକ୍ୟାଂଶରେ ବର୍ଣ୍ଣିତ।


ପିତୃପୁରଷମାନଙ୍କ ବିଫଳତା (୧୭-୨୨ ପଦ) : 

ଯଦ୍ୟପି ଈଶ୍ୱର ଇସ୍ରାଏଲକୁ ମନୋନୀତ କରିଥିଲେ, ତଥାପି ପିତୃପୁରୁଷଗଣ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ । ବ୍ୟବସ୍ଥା ଦ୍ଵାରା ଧାର୍ମିକ ଗଣିତ ହେବାର କେବଳ ବୃଥା ପ୍ରୟାସ କରିଥିଲେ ।


ଯୀଶୁ ଏକମାତ୍ର ତ୍ରାଣକର୍ତ୍ତା (୨୩ ପଦ): 

ପ୍ରତିଜ୍ଞାନୁସାରେ ଦାଉଦଙ୍କ ବଂଶରୁ ତ୍ରାଣକର୍ତ୍ତା ଯୀଶୁ ଜଗତକୁ ଆସିଲେ । ଯୀଶୁ ଯେ ଏକମାତ୍ର ଉଦ୍ଧାରକର୍ତ୍ତା ଏବଂ ପରିତ୍ରାଣ କର୍ତ୍ତା, ଏହା ସୁସମାଚାରର ମୂଳ ବିଷୟ ଅଟେ ।


ମନପରିବର୍ତ୍ତନର ଶିକ୍ଷା (୨୪ ପଦ) : 

ସୁସମାଚାର ଜଣେ ବ୍ୟକ୍ତିକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ସାହାଯ୍ୟ କରିଥାଏ । ଯାହାର ବାହ୍ୟିକ ପ୍ରକାଶନ ବାପ୍ତିସ୍ମ ଅଟେ ।


ଯୀଶୁଙ୍କ କୃଶୀୟ ମୃତ୍ୟୁ (୨୮ ପଦ) :

 ଖ୍ରୀଷ୍ଟୀୟ ଶିକ୍ଷାରେ ଯୀଶୁଙ୍କ କୃଶୀୟ ମୃତ୍ୟୁର ବର୍ଣ୍ଣନା ଅପରିହାର୍ଯ୍ୟ । କାରଣ ସେ ଆମ ଲାଗି ପାପର ବେତନକୁ ଶୁଝିଲେ ।


ଯୀଶୁଙ୍କ ପୁନରୁତ୍ଥାନ (୩୦,୩୪,୩୭ ପଦ) :

 ଯୀଶୁଙ୍କ ପୁନରୁତ୍ଥାନ ବିନା ଖ୍ରୀଷ୍ଟୀୟ ସୁସମାଚାର ଅସମ୍ପୂର୍ଣ୍ଣ  । ଖ୍ରୀଷ୍ଟ ବିଶ୍ବାସର ଭରସା ପୁନରୁତ୍ଥାନ ଉପରେ ପର୍ଯ୍ୟବେସିତ  । ତେଣୁ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ଈଶ୍ଵର କଦାପି କ୍ଷୟ ହେବାକୁ ଦେବେ ନାହିଁ (୩୫ ପଦ ) । 


ପାପ ମୋଚନର ଶିକ୍ଷା (୩୮ ପଦ): 

ବ୍ୟକ୍ତିଗତ ସ୍ତରରେ ସୁସମାଚାର ଶିକ୍ଷା ଜଣେ ବ୍ୟକ୍ତିର ପାପ କିପରି ମୋଚନ ହେବ, ତାହା ଜ୍ଞାତ କରାଏ । କାରଣ ଆମର ବାହ୍ୟିକ ପ୍ରଚେଷ୍ଟା କିମ୍ବା ବ୍ୟବସ୍ଥାର କଠୋର ଅନୁଶାସନ ଦ୍ଵାରା ମଧ୍ୟ ଧାର୍ମିକ ଗଣିତ ହେବା ଅସମ୍ଭବ । ତେଣୁ ଖ୍ରୀଷ୍ଟଙ୍କ ଠାରେ ନିଜକୁ ସମର୍ପଣ କରି ନିଜର ବ୍ୟକ୍ତିଗତ ପାପସ୍ଵୀକାର ପୂର୍ବକ ଯୀଶୁଙ୍କଠରେ ବିଶ୍ଵାସ କରି କ୍ଷମା ମାଗିଲେ, ଆମେ କ୍ଷମା ପାଇବା ଓ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେବା (୩୮ ପଦ) ।

ପଥଚାରୀ ଏବଂ ପଥରୋଧୀ

  ପଥଚାରୀ  ଏବଂ ପଥରୋଧୀ 

ଆଜିର ଚିନ୍ତା

ପ୍ରେରିତ ୧୩:୧-୧୨


ସୁସମାଚାର ପ୍ରଚାର ଓ ପ୍ରସାରରେ ମୋର ଭୂମିକା କ'ଣ ଅଛି ?

ପ୍ରଭୁ ଯୀଶୁ ତାଙ୍କ ସ୍ଵର୍ଗାରୋହଣ ସମୟରେ କହିଥିବା ଆଦେଶ ଅନୁଯାୟୀ ପ୍ରଥମ ଶତାବ୍ଦୀ ମଣ୍ଡଳୀର ବିଶ୍ବାସୀ ତଥା ପ୍ରଭୁଙ୍କ ଦାସମନେ ସୁସମାଚାରକୁ ବହୁଳ ଭାବରେ ପ୍ରଚାର କରୁଥିଲେ । କେବଳ ସାଧାରଣ ବର୍ଗଙ୍କ ମଧ୍ୟରେ ନୁହେଁ, ମାତ୍ର ସମ୍ଭ୍ରାନ୍ତ, ଧନୀ ଏବଂ ଶାସନକର୍ତ୍ତାମାନଙ୍କୁ ମଧ୍ୟ ନିର୍ଭୀକ ଭାବରେ ସୁସମାଚାର କହୁଥିଲେ ।


ସୁସମାଚାରର ପଥଚାରୀ:

 ଏଫିସ ୪:୧ ଅନୁଯାୟୀ ପ୍ରତ୍ୟକେ ଆପଣା ଆପଣା ଆହ୍ୱାନର ଯୋଗ୍ୟ ଆଚରଣ କରିବା ଆବଶ୍ୟକ । ତଦନୁଯାୟୀ ଶାଉଲ ଓ ବର୍ଣ୍ଣବବା ଆହ୍ୱାନର ଅନୁପାଳନ କରି ପ୍ରଚାର କରିବ ନିମନ୍ତେ ବାହାରି ଗଲେ । ସେମାନେ ଲକ୍ଷ୍ୟହୀନ କିମ୍ବା ଶକ୍ତିହୀନ ହୋଇ ଯାଇ ନ ଥିଲେ ବରଂ


1. ସେମାନେ ଉପବାସ ଓ ପ୍ରାର୍ଥନା କଲେ (୩ ପଦ)


2.ମଣ୍ଡଳୀର ବିଶ୍ବାସୀ ଓ ଅଭିଷିକ୍ତଗଣ ହସ୍ତାର୍ପଣ କରି ସେମାନଙ୍କୁ ପ୍ରେରଣ କଲେ (୩ ପଦ)


3.ସେମାନେ ପବିତ୍ର ଆତ୍ମାଙ୍କ ଦ୍ଵାରା ପ୍ରେରିତ ହୋଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ (୪ପଦ) ।


ବର୍ଣ୍ଣବବା ଓ ଶାଉଲ ସୁସମାଚାର ପ୍ରଚାର କାର୍ଯ୍ୟରେ ଅଗ୍ରସର ହେଲେ ପୁଣି ମାର୍କ ମଧ୍ୟ ସହଭାଗୀ ଅର୍ଥାତ୍ ପରିଚାରକ ହୋଇ ସାଙ୍ଗରେ ଥିଲେ । ମାର୍କଙ୍କ ଭୂମିକା ଅନ୍ୟଦ୍ୱୟଙ୍କ ତୁଳନାରେ ସାମାନ୍ୟ ନ ଥିଲା । 


ସୁସମାଚାରର ପଥରୋଧୀ: 

ସୁସମାଚାର ଯଦି ବାସ୍ତବରେ ପ୍ରଚାରିତ ହୁଏ, ତେବେ ଏହାର ବିରୋଧୀ ଓ ପଥରୋଧକ ମଧ୍ୟ ଯେ ଆସିବେ ଏହା ନିଶ୍ଚିତ । ଶାସନକର୍ତ୍ତା ସେର୍ଗିୟ  ପାଉଲଙ୍କୁ ସୁସମାଚାରରୁ ବିମୁଖ କରିବାକୁ ମାୟାବୀ ଅଲ୍ଲୀମା ପ୍ରତିରୋଧ କରିଥିଲା । ମାତ୍ର ଶାଉଲ ସେହି ସମୟରେ କୌଣସି ମନୁଷ୍ୟ କ୍ରୋଧରେ ପ୍ରତିକ୍ରିୟା କରି ନ ଥିଲେ ବରଂ ଲେଖାଅଛି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେହି ମାୟାବୀକୁ ଧମକ ଦେଲେ (୯,୧୦ ପଦ) । ତାହାର ଆନ୍ତରିକ କୁତ୍ସିତ ଉଦ୍ଦେଶ୍ୟସବୁକୁ ପଦାରେ ପକାଇଦେଲେ । ତାହାକୁ ଅନ୍ଧ କରାଇଲେ ।  

ଈଶ୍ୱରଙ୍କ ସୁସମାଚାରକୁ  କେହି ମଧ୍ୟ ପ୍ରତିରୋଧ କରି ନ ପାରେ । ଯଦି କେହି ପଥରୋଧ କରେ, ଈଶ୍ୱର ତାହାର ବିଚାର କରିବେ । ସେହି ଘଟଣାରେ ଈଶ୍ୱର ଗୌରବ ପାଇବା ସହ ଶାସନକର୍ତ୍ତା ଜଣକ ଶିକ୍ଷାରେ ବିଶ୍ଵାସ କଲେ ।

ଭୟାବହ ପରିସମାପ୍ତି

 ଭୟାବହ ପରିସମାପ୍ତି

ଆଜିର ଚିନ୍ତା

ପ୍ରେରିତ ୧୨:୧୮-୨୫

ଈଶ୍ୱରଙ୍କ ଗୌରବ ଦେବାରେ ମୁଁ ବିଫଳ ହୋଇଛି କି ?


ପୂର୍ବବର୍ତ୍ତୀ ପର୍ବମାନଙ୍କରେ ସ୍ୱର୍ଗଦୂତମାନେ କିପରି ଭିନ୍ନ ଭିନ୍ନ କାର୍ଯ୍ୟ ସାଧନ କରିଥିବା ବିଷୟ ପାଠ କରିଅଛୁ । ଆଜିର ଶାସ୍ତ୍ରାଂଶରେ ଜଣେ ସଂହାରକ ଦୂତ କିପରି ଦୁଷ୍ଟ ରାଜାଙ୍କୁ ଆଘାତ କରି ଭୟାବହ ଅନ୍ତିମ ଦଶା ଭୋଗ କରାଇଥିଲେ, ତାହା ଦେଖିବାକୁ ପାଉ । 


ହେରୋଦଙ୍କ କ୍ରୁରତା :

 ପିତରଙ୍କୁ ଯାକୁବଙ୍କ ପରି ବଧ କରିବାର ଅଭିପ୍ରାୟରେ ବିଫଳ ହେବା ପରେ ଅତ୍ୟନ୍ତ କ୍ରୋଧୀ ହେରୋଦ କାରବାର ସୈନ୍ୟଦଳଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ (୧୯ ପଦ) । ପୁଣି କାରଣ ଉଲ୍ଲେଖ ନ ଥିଲେ ହେଁ, ସୋର, ସୀଦୋନର ଲୋକଙ୍କ ଉପରେ ଭୟଙ୍କର ଭାବେ ଅସନ୍ତୁଷ୍ଟ ହେବା ତାଙ୍କର କ୍ରୂର ସ୍ୱଭାବର ପରିଚୟ ଦିଏ । ମନୁଷ୍ୟ କ୍ରୋଧାନ୍ଧ ହେଲେ ନିଜର ମାନସିକ ଭାରସାମ୍ୟ ହରାଇ ବସେ । ଫଳତଃ କ'ଣ ଠିକ୍ ଓ କ'ଣ ଭୁଲ୍  ତାହା ସେ ବୁଝି ନ ଥାଏ । ସେହି ଭୁଲ୍ ଆମେ ରାଜା ହେରୋଦଙ୍କ ଜୀବନରେ ଦେଖିବାକୁ ପାଉ । ଆମେ କ'ଣ କ୍ରୋଧାନ୍ଧ ହୋଇ ନିଜର ବିବେଚନା ଶକ୍ତି ହରାଉଛୁ କି ? ଏହା ଖ୍ରୀଷ୍ଟ ବିଶ୍ଵାସୀର ଜୀବନରେ ଶୋଭା ଦିଏ ନାହିଁ ।

 

ହେରୋଦଙ୍କ ଆତ୍ମବଢ଼ିମା: 

ହିତୋପଦେଶ ୨୧:୪ ରେ ଲେଖାଯାଏ, ଦୁଷ୍ଟ ଲୋକଙ୍କ ନିମନ୍ତେ ଅହଂକାର ଦୃଷ୍ଟି ଓ ଗର୍ବିତ ମନ ସେମାନଙ୍କ ପ୍ରଦୀପ ସ୍ୱରୂପ । ଗୀତ ୧୩୮:୬ ଲେଖାଯାଏ ,ସଦାପ୍ରଭୁ ଗର୍ବୀକି ଦୂରରୁ ଚିହ୍ନନ୍ତି । ଏକ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ରରେ ସଜ୍ଜିତ ହୋଇ ସିଂହାସନରେ ବସି ବକ୍ତୃତା ଦେବାବେଳେ ସେ ଚଟୁକାର ଲୋକଙ୍କଠାରୁ ପରୋକ୍ଷରେ ଈଶ୍ୱର  ତୁଲ୍ୟ ଗୌରବ ପାଇବାକୁ ମନ ବଳାଇଲେ । ସେତେବେଳେ ଦୂତ ତାଙ୍କୁ ଆଘାତ କରନ୍ତେ, ସେ ମୃତ୍ୟୁଶଯ୍ୟାରେ ପଡ଼ିଲେ । ଐତିହାସିକମାନେ ମତ ଦିଅନ୍ତି ଯେ, ସେହି ଦିନରେ ସେ ଏକ ଦୂରାରୋଗ୍ୟରେ  ପୀଡ଼ିତ ହୋଇ କୀଟ ଦ୍ଵାରା ତାଙ୍କର ଶରୀର କ୍ଷୟ ପାଇଲା ଓ ତାଙ୍କର ମୃତ୍ୟୁ ଭୟାବହ ହୋଇଥିଲା । ଈଶ୍ୱରଙ୍କୁ ତାଙ୍କର ପ୍ରାପ୍ୟ ଗୌରବ ଦେବାକୁ ବିଫଳ ହେଲେ , ମନୁଷ୍ୟମାନେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବେ । 

ଏହିପରି କଠିନ ଓ ଘଡିସନ୍ଧି ସମୟରେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ବନ୍ୟା ପ୍ଲାବିତ ନଦୀ ତୁଲ୍ୟ ଅଧିକ ବୃଦ୍ଧି ପାଇଥିଲା (୨୪ ପଦ) ।