BN

ତ୍ୟାଗର ପୁରସ୍କାର

 ତ୍ୟାଗର ପୁରସ୍କାର 

ଆଜିର ଚିନ୍ତା

ୠତ ୨:୧-୨୩

ମୁଁ କଣ ନିଜ କର୍ତ୍ତବ୍ୟ ସାଧନରେ ଏବଂ ସାମାଜିକ ସମ୍ପର୍କ ରକ୍ଷା କରିବାରେ ବିଶ୍ଵସ୍ତ ?


ୠତଙ୍କର ନିଜ ଦେଶ, ପରିବାର ଓ ଜ୍ଞାତି କୁଟୁମ୍ବଙ୍କୁ ତ୍ୟାଗ କରି ନୟମୀଙ୍କ ସହିତ ଜୀବନ ଅତିବାହିତ କରିବାର ନିଷ୍ପତ୍ତି ହୁଏତ ଅଯୁକ୍ତିକର ମାତ୍ର ଉତ୍ତମ ବିଷୟ ନିମନ୍ତେ ତ୍ୟାଗ ଅନେକ ସମୟରେ ଯେ କେତେ ଆଶୀର୍ବାଦ ଆଣେ ତାହା ଆମେ ଆଜିର ପାଠରୁ ଦେଖିପାରୁଛୁ । 


ନୟମୀ ନିକଟରେ ଅନୁଗ୍ରହ ପାତ୍ରୀ:

 ପରମେଶ୍ୱର ତାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବେଥଲିମର ଶସ୍ୟକ୍ଷେତ୍ରକୁ ବାଛିଲେ । ମୋୟାବ ଦେଶରୁ ଯିହୁଦା ଦେଶକୁ ଫେରିବା ପରେ ୠତ ଉପାର୍ଜନ କରିବାର ଆବଶ୍ୟକତା ଅନୁଭବ କରି  ଶସ୍ୟକ୍ଷେତ୍ରରେ ଯାଇ କର୍ମ କରିବା ପାଇଁ ନିଜ ଶାଶୁଙ୍କର ଅନୁମତି ନେଉଛନ୍ତି । କାରଣ ସେ ଜାଣିଥିଲେ ଯେ ସେହି ପରିବାର ମଧ୍ୟରେ କାର୍ଯ୍ୟ କରିବା ନିମନ୍ତେ କେହି ପୁରୁଷ ନାହାନ୍ତି ଆଉ ନୟମୀ ମଧ୍ୟ ବୃଦ୍ଧା, ତେଣୁ ପରିବାରର ସବୁ ଦୟିତ୍ୱକୁ ତୁଲାଇବା ପାଇଁ ସେ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରି, ପରିବାରର ପ୍ରତିପୋଷଣ ନିମନ୍ତେ କାର୍ଯ୍ୟ କରିବାକୁ ବାହାରୁଛନ୍ତି । ବାକ୍ୟରେ ଲେଖାଯାଏ ଯେ ଗୁଣବତୀ ସ୍ତ୍ରୀ ପରିବାରକୁ ଆହାର ଯୋଗାଏ (ହିତ ୩୧:୧୫) । ଯଦିଓ ସେହି କାର୍ଯ୍ୟରେ ଋତଙ୍କ ପ୍ରତି ଅପମାନ ଓ ବିପଦ ଥିଲା ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ ଓ ତାହାଙ୍କ ଯୋଜନା କାର୍ଯ୍ୟକାରୀ କରୁଥିଲେ । ୠତଙ୍କର ଏହି ତ୍ୟାଗପୂର୍ଣ୍ଣ ଜୀବନ ଓ ନୟମୀଙ୍କ ପ୍ରତି ଗଭୀର ପ୍ରେମ ହେତୁ ୠତ ନୟମୀଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ ।

 

ବୋୟଜଙ୍କ ନିକଟରେ ଅନୁଗ୍ରହ ପାତ୍ରୀ:

ବୋୟଜ ନାମକ ଜଣେ ନିକଟ କୁଟୁମ୍ବ କ୍ଷେତ୍ରରେ ଶସ୍ୟଛେଦକ ମାନଙ୍କ ସହିତ ଅବିରତ କାର୍ଯ୍ୟରତ ରହିବା ଦ୍ଵାରା ସେ ଯେ ଜଣେ ପରିଶ୍ରମୀ ସ୍ତ୍ରୀ ଥିଲେ ତାହା ଜଣାପଡେ ।  ଅଳ୍ପ ଦିନ ମଧ୍ୟରେ ତାଙ୍କ ସୁଗୁଣ ଅନ୍ୟମାନେ ଜାଣିପାରିଲେ । ଋତଙ୍କର ପରିଶ୍ରମ ତଥା ଉପାର୍ଜନ କରିବାର ସ୍ଵଭାବ ପୁଣି ବିଶ୍ଵସ୍ତତାର କାର୍ଯ୍ୟ ଯୋଗୁଁ ସେ ବୋୟଜଙ୍କର ଦୃଷ୍ଟିଗୋଚର ହୋଇଥିଲେ ପୁଣି ଅନୁଗ୍ରହ ପାତ୍ର ହୋଇଥିଲେ । ମିଳିଥିବା ଭଜାଶସ୍ୟ ନିଜେ ସବୁ ଭୋଜନ ନ କରି ଶାଶୁଙ୍କ ନିମନ୍ତେ ସଞ୍ଚୟ କରିବା ଦ୍ୱାରା ଶାଶୁଙ୍କ ପ୍ରତି ତାଙ୍କ ପ୍ରେମ ପ୍ରମାଣିତ ହୁଏ । ଅନ୍ୟଦେଶୀୟା କନ୍ୟା ହୋଇ ମଧ୍ୟ ଯିହୁଦା ପ୍ରଦେଶର ଲୋକମାନଙ୍କ ସହିତ ତାଙ୍କର ବ୍ୟବହାର ଓ ଶାଶୁଙ୍କ ପ୍ରତି ଭକ୍ତି ତାଙ୍କୁ ଅନେକ ଆଶୀର୍ବାଦର ଅଧିକାରୀ କରାଇଥିଲା । ଆମେ କ'ଣ ଆଜି ଋତଙ୍କ ଭଳି ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ଏବଂ କର୍ମମୟ ଜୀବନ କାଟିବାରେ ସଫଳ ହୋଇପାରିଛୁ ? ସେ ଭଳି ଜୀବନ ଆମକୁ ଉଭୟ ମନୁଷ୍ୟ ଏବଂ ଈଶ୍ୱରଙ୍କ ଅନୁଗ୍ରହପାତ୍ର ହେବାରେ ସାହାଯ୍ୟ କରିବ । 

No comments:

Post a Comment

Kindly give your suggestions or appreciation!!!