BN

ଭୟାବହ ପରିସମାପ୍ତି

 ଭୟାବହ ପରିସମାପ୍ତି

ଆଜିର ଚିନ୍ତା

ପ୍ରେରିତ ୧୨:୧୮-୨୫

ଈଶ୍ୱରଙ୍କ ଗୌରବ ଦେବାରେ ମୁଁ ବିଫଳ ହୋଇଛି କି ?


ପୂର୍ବବର୍ତ୍ତୀ ପର୍ବମାନଙ୍କରେ ସ୍ୱର୍ଗଦୂତମାନେ କିପରି ଭିନ୍ନ ଭିନ୍ନ କାର୍ଯ୍ୟ ସାଧନ କରିଥିବା ବିଷୟ ପାଠ କରିଅଛୁ । ଆଜିର ଶାସ୍ତ୍ରାଂଶରେ ଜଣେ ସଂହାରକ ଦୂତ କିପରି ଦୁଷ୍ଟ ରାଜାଙ୍କୁ ଆଘାତ କରି ଭୟାବହ ଅନ୍ତିମ ଦଶା ଭୋଗ କରାଇଥିଲେ, ତାହା ଦେଖିବାକୁ ପାଉ । 


ହେରୋଦଙ୍କ କ୍ରୁରତା :

 ପିତରଙ୍କୁ ଯାକୁବଙ୍କ ପରି ବଧ କରିବାର ଅଭିପ୍ରାୟରେ ବିଫଳ ହେବା ପରେ ଅତ୍ୟନ୍ତ କ୍ରୋଧୀ ହେରୋଦ କାରବାର ସୈନ୍ୟଦଳଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ (୧୯ ପଦ) । ପୁଣି କାରଣ ଉଲ୍ଲେଖ ନ ଥିଲେ ହେଁ, ସୋର, ସୀଦୋନର ଲୋକଙ୍କ ଉପରେ ଭୟଙ୍କର ଭାବେ ଅସନ୍ତୁଷ୍ଟ ହେବା ତାଙ୍କର କ୍ରୂର ସ୍ୱଭାବର ପରିଚୟ ଦିଏ । ମନୁଷ୍ୟ କ୍ରୋଧାନ୍ଧ ହେଲେ ନିଜର ମାନସିକ ଭାରସାମ୍ୟ ହରାଇ ବସେ । ଫଳତଃ କ'ଣ ଠିକ୍ ଓ କ'ଣ ଭୁଲ୍  ତାହା ସେ ବୁଝି ନ ଥାଏ । ସେହି ଭୁଲ୍ ଆମେ ରାଜା ହେରୋଦଙ୍କ ଜୀବନରେ ଦେଖିବାକୁ ପାଉ । ଆମେ କ'ଣ କ୍ରୋଧାନ୍ଧ ହୋଇ ନିଜର ବିବେଚନା ଶକ୍ତି ହରାଉଛୁ କି ? ଏହା ଖ୍ରୀଷ୍ଟ ବିଶ୍ଵାସୀର ଜୀବନରେ ଶୋଭା ଦିଏ ନାହିଁ ।

 

ହେରୋଦଙ୍କ ଆତ୍ମବଢ଼ିମା: 

ହିତୋପଦେଶ ୨୧:୪ ରେ ଲେଖାଯାଏ, ଦୁଷ୍ଟ ଲୋକଙ୍କ ନିମନ୍ତେ ଅହଂକାର ଦୃଷ୍ଟି ଓ ଗର୍ବିତ ମନ ସେମାନଙ୍କ ପ୍ରଦୀପ ସ୍ୱରୂପ । ଗୀତ ୧୩୮:୬ ଲେଖାଯାଏ ,ସଦାପ୍ରଭୁ ଗର୍ବୀକି ଦୂରରୁ ଚିହ୍ନନ୍ତି । ଏକ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ରରେ ସଜ୍ଜିତ ହୋଇ ସିଂହାସନରେ ବସି ବକ୍ତୃତା ଦେବାବେଳେ ସେ ଚଟୁକାର ଲୋକଙ୍କଠାରୁ ପରୋକ୍ଷରେ ଈଶ୍ୱର  ତୁଲ୍ୟ ଗୌରବ ପାଇବାକୁ ମନ ବଳାଇଲେ । ସେତେବେଳେ ଦୂତ ତାଙ୍କୁ ଆଘାତ କରନ୍ତେ, ସେ ମୃତ୍ୟୁଶଯ୍ୟାରେ ପଡ଼ିଲେ । ଐତିହାସିକମାନେ ମତ ଦିଅନ୍ତି ଯେ, ସେହି ଦିନରେ ସେ ଏକ ଦୂରାରୋଗ୍ୟରେ  ପୀଡ଼ିତ ହୋଇ କୀଟ ଦ୍ଵାରା ତାଙ୍କର ଶରୀର କ୍ଷୟ ପାଇଲା ଓ ତାଙ୍କର ମୃତ୍ୟୁ ଭୟାବହ ହୋଇଥିଲା । ଈଶ୍ୱରଙ୍କୁ ତାଙ୍କର ପ୍ରାପ୍ୟ ଗୌରବ ଦେବାକୁ ବିଫଳ ହେଲେ , ମନୁଷ୍ୟମାନେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବେ । 

ଏହିପରି କଠିନ ଓ ଘଡିସନ୍ଧି ସମୟରେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ବନ୍ୟା ପ୍ଲାବିତ ନଦୀ ତୁଲ୍ୟ ଅଧିକ ବୃଦ୍ଧି ପାଇଥିଲା (୨୪ ପଦ) ।

1 comment:

Kindly give your suggestions or appreciation!!!