BN

ଈଶ୍ୱରଙ୍କ ଗୌରବ

 ଈଶ୍ୱରଙ୍କ ଗୌରବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨:୨୭-୩୬

ଈଶ୍ୱର ସ୍ୱଗୌରବ ରକ୍ଷଣରେ ଉଦଯୋଗୀ ଅଟନ୍ତି  ।


ଈଶ୍ୱର ଏକ ଅନନ୍ୟ ବ୍ୟକ୍ତିତ୍ଵ । ସେ କାହା ସଙ୍ଗେ ତୁଳନୀୟ ନୁହନ୍ତି । ସେ ସୃଷ୍ଟିକର୍ତ୍ତା, ସର୍ବଜ୍ଞାତା, ସର୍ବଦର୍ଶୀ, ସର୍ବ ବିଦ୍ୟମାନ । ସେ ଆଦି ଓ ଅନ୍ତ । ସେ ମନ୍ତ୍ରଣାରେ ମହାନ୍ ଓ ଜ୍ଞାନରେ ଆଶ୍ଚର୍ଯ୍ୟ । ମନୁଷ୍ୟ ଧୂଳିମାତ୍ର ହେଲେ ମଧ୍ୟ ଅତିଶୟ ଗର୍ବୀ ଓ ଉଦ୍ଧତ୍ ସ୍ୱଭାବର ।


ଅବିଶ୍ୱସ୍ତ ସେବକ : 

ଏଲି ଯାଜକଙ୍କ ଦୁଇ ପୁଅ ଅବିଶ୍ୱସ୍ତ ଓ ଦୌରାତ୍ମ୍ୟକାରୀ ଥିଲେ । ସେମାନେ ଈଶ୍ୱରଙ୍କୁ ଅଗ୍ରାହ୍ୟ କଲେ । ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ । ଏଲି ଯାଜକ ପୁତ୍ରମାନଙ୍କୁ ଚେତନା ଦେଇ ବିପଥ ଗମନରୁ ଫେରାଇବା ପରିବର୍ତ୍ତେ ସେମାନଙ୍କର ଗୌରବ କଲେ । ପରୋକ୍ଷଭାବେ ପୁଅମାନଙ୍କର ଦ୍ଵାରା ହେଉଥିବା ନୈବେଦ୍ୟ ଚୋରୀରେ ଭାଗୀଦାର ଥିଲେ । ସେଥିପାଇଁ ଈଶ୍ୱର ଏହି ଅବିଶ୍ୱସ୍ତ  ସେବକମାନଙ୍କୁ, ଜଣେ ଭବିଷ୍ୟଦବକ୍ତାଙ୍କ ମୁଖ ଦ୍ଵାରା କଥା କହିଲେ । ଈଶ୍ୱର କିପରି ଭୟଙ୍କରଭାବେ ଦଣ୍ଡ ଦେବାକୁ ଯାଉଛନ୍ତି, ସେ ବିଷୟରେ ମଧ୍ୟ ଚେତନା ଦେଲେ ।


ବିଶ୍ୱସ୍ତ ସେବକ:

 ଈଶ୍ୱର ତାଙ୍କ ମନର ମତ ଏକ ଜଣ ବିଶ୍ୱସ୍ତ ସେବକ ଉତ୍ପନ୍ନ କରିବାକୁ ଚାହିଁଲେ । ଯେ କି ତାଙ୍କର ମନ ଓ ହୃଦୟ ଅନୁସାରେ କାର୍ଯ୍ୟ କରିବ । ସେ ସାନ ଶାମୁୟେଲ ଥିଲେ । ଈଶ୍ୱର ଚାହାଁନ୍ତି ତାଙ୍କ ସେବକମାନେ ତାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରନ୍ତୁ । ଭକ୍ତ ଦାଉଦ କହନ୍ତି, "ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ" (ଗୀତ ୪୦: ୮) ।


ଗୌରବମୟ ଈଶ୍ୱର: 

ଈଶ୍ୱର ସ୍ୱଗୌରବ ରକ୍ଷଣରେ ଉଦଯୋଗୀ ପରମେଶ୍ୱର । ସେ ତାଙ୍କର ଗୌରବ ଅନ୍ୟକୁ ଦିଅନ୍ତି ନାହିଁ (ଯିଶାଇୟ ୪୮ :୧୧ ଓ ୪୨:୮) । ଯେଉଁମାନେ ତାଙ୍କର ଗୌରବ କରନ୍ତି, ସେ ସେମାନଙ୍କର ଗୌରବ କରନ୍ତି (୩୦ ପଦ) । ରାଜା ଦାଉଦ କହନ୍ତି, ସଦାପ୍ରଭୁଙ୍କ ନାମର ଗୌରବ କୀର୍ତ୍ତନ କର (ଗୀତ ୨୯:୨) । ଆମେ ଆଜି ଆମ ସେବା କାର୍ଯ୍ୟ ଦ୍ଵାରା, ଆମ ଜୀବନ ଦ୍ଵାରା, ଆମ ପରିବାରର ଜୀବନ ଦ୍ଵାରା ଜୀବନ ଦ୍ଵାରା ଈଶ୍ୱରଙ୍କୁ ଗୌରବ ଦେଉଛୁ କି ?

No comments:

Post a Comment

Kindly give your suggestions or appreciation!!!