BN

ଧାର୍ମିକତା ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ

 ଧାର୍ମିକତା ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ

ଆଜିର ଚିନ୍ତା

ରୋମୀୟ ୧:୧୮-୩୨

ଭାବନା, କଥା ଓ କାର୍ଯ୍ୟରେ ମୁଁ ଈଶ୍ୱରଙ୍କୁ ଅସନ୍ତୁଷ୍ଟ କରିଥାଏ କି ?


ଆମ୍ଭମାନଙ୍କର ବୁଝିବା ଆବଶ୍ୟକ ଯେ ଈଶ୍ୱରଙ୍କ କ୍ରୋଧ ଓ ବିଚାର ଆମ ନିଜ କୃତ କାର୍ଯ୍ୟର ପରିଣତି ଅଟେ । ପାପ ବିରୁଦ୍ଧରେ ତାଙ୍କର ଧାର୍ମିକତା ପୂର୍ଣ୍ଣ କ୍ରୋଧ ପ୍ରକାଶିତ ହୁଏ, କାରଣ ସେସବୁ ତାଙ୍କର ଗୌରବ ଆଣିବା ପରିବର୍ତ୍ତେ ତାଙ୍କ ପ୍ରତି ଅସମ୍ମାନ ଆଣେ ଓ ତାଙ୍କର ସତ୍ୟତା, ପବିତ୍ରତା ଓ ନୈତିକ ଚରିତ୍ରର ବିରୋଧାଭାସ ପ୍ରକାଶ କରେ ।


ଦୋଷାବହ ପାପ (୧୮-୨୩) :

ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରା ଓ ଅଧର୍ମ ବିରୁଦ୍ଧରେ ସ୍ଵର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହୋଇଅଛି । ରୋମୀୟ ପତ୍ର ପରି ଏଫିସୀୟ ୫:୬ ଓ କଲସୀୟ ୩:୬ରେ ମଧ୍ୟ ଈଶ୍ୱରଙ୍କ କ୍ରୋଧ ବିଷୟରେ ପାଉଲ ଲେଖନ୍ତି । ଏହା ଅବଧ୍ୟତାର ସନ୍ତାନମାନଙ୍କ ପ୍ରତି ବର୍ତ୍ତେ । କାରଣ ସେମାନେ ନିଜକୁ ଅଜ୍ଞ ବୋଲି କହିପାରିବେ ନାହିଁ । ସେମାନଙ୍କ ଅନ୍ତର ମଧ୍ୟରେ ଓ ସୃଷ୍ଟିର ବିବିଧ ବୈଚିତ୍ରତା ମଧ୍ୟରେ ଈଶ୍ୱରଙ୍କ ସ୍ଥିତି ପ୍ରକାଶିତ ହୋଇଛି । କିନ୍ତୁ ସେମାନେ ସତ୍ୟର ପ୍ରତିରୋଧ କରିବା ସଙ୍ଗେ ସଙ୍ଗେ ସତ୍ୟକୁ ଚାପି ଦେବାକୁ ଚେଷ୍ଟା କରନ୍ତି ।


ଜଘନ୍ୟ ପାପ ପ୍ରବୃତ୍ତି (୨୨-୨୭) :

୨୨ପଦରେ ଲେଖାଯାଏ ଯେ, ନିଜ ନିଜକୁ ଜ୍ଞାନୀ ମନେ କରି ସେମାନେ ମୂର୍ଖ ହେଲେ । ଈଶ୍ୱରଙ୍କ ପ୍ରତି ଅନାଇବା ପରିବର୍ତ୍ତେ ସେମାନେ ନିଜ ଚିନ୍ତାଧାରା, ନିଜ ଜ୍ଞାନ ଓ ନିଜର ଅନୁମାନ ଅନୁସାରେ ନିଜ ଅନ୍ତରର ଶୂନ୍ୟତା ଓ ଅନ୍ଧକାରକୁ ଦୂର କରିବା ପାଇଁ ସୃଷ୍ଟ ବସ୍ତୁକୁ ପୂଜା କଲେ । ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ । ପୁରୁଷ ଓ ସ୍ତ୍ରୀମାନେ ସମଲିଙ୍ଗୀ ଯୌନ ଆଚରଣ କଲେ । ଆଜି  ଆମର ନୈତିକ ଅବସ୍ଥା କିପରି ?


ଈଶ୍ୱରଙ୍କ ବିରୋଧ (୨୮-୩୨) :

ଈଶ୍ଵର ମନୁଷ୍ୟକୁ ସ୍ଵାଧୀନ ଇଚ୍ଛା ଦେଇଛନ୍ତି । ସେମାନେ ଯେପରି ଈଶ୍ଵର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅନିଚ୍ଛୁକ ହେଲେ, ସେହିପରି ଈଶ୍ଵର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ (୨୮ପଦ) । ୨୪ଟି ନିର୍ଦ୍ଦିଷ୍ଟ ପାପର ତାଲିକା ଏହି ସ୍ଥାନରେ ପ୍ରଦତ୍ତ ହୋଇଛି । ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କ ଏହି ବିଧାନ ସେମାନେ ଜାଣିଲେ ହେଁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି । କେବଳ ଯୀଶୁଙ୍କ ସୁସମାଚାର ହିଁ ସେମାନଙ୍କୁ ଉଦ୍ଧାର କରିପାରିବ ।

ସୁସମାଚାରର ହୃଦୟ ଓ ପ୍ରାଣ

 ସୁସମାଚାରର ହୃଦୟ ଓ ପ୍ରାଣ 

ଆଜିର ଚିନ୍ତା

ରୋମୀୟ ୧:୧-୧୭

କୌଣସି ଅପରିଚିତ ବ୍ୟକ୍ତିମାନଙ୍କ ପାଇ ମୁଁ ବୋଝଗ୍ରସ୍ତ କି ? 


ପ୍ରେରିତ ପାଉଲଙ୍କ ତେରଗୋଟି ପତ୍ର ମଧ୍ୟରୁ ରୋମୀୟ ମଣ୍ଡଳୀ ନିକଟକୁ ପତ୍ର ପ୍ରଥମ ଲେଖା ନ ହେଲେ ସୁଦ୍ଧା ବାଇବଲରେ ସୁସମାଚାର ଓ ପ୍ରେରିତ ପୁସ୍ତକ ପରେ ସ୍ଥାନ ପାଇଛି । ଏହା ଧର୍ମତତ୍ତ୍ଵ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ସୁସମାଚାର ପୁସ୍ତକଗୁଡ଼ିକ ଯୀଶୁଙ୍କ ଜୀବନ ଶିକ୍ଷା ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କଲାବେଳେ ରୋମୀୟ ପୁସ୍ତକ ତାଙ୍କ ତ୍ୟାଗ ପୂର୍ଣ୍ଣ ମୃତ୍ୟୁର ମହତ୍ତ୍ଵ ଓ ତାତ୍ପର୍ଯ୍ୟ ବର୍ଣ୍ଣନା କରେ ।


ସୁସମାଚାର ପାଇଁ ଆହୂତ, ପ୍ରେରିତ ଓ ପୃଥକୀକୃତ (୧-୭) :

ପାଉଲ ଯଦିବା ରୋମ୍ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ଅଜଣା ଥିଲେ, ତଥାପି ସେ ଆପଣାର ଅଭିବାଦନ ଜଣାଇ ପରିଚୟ ଦେବାବେଳେ ସେବାକାର୍ଯ୍ୟ ଉପରେ ଅଧିକ ମହତ୍ତ୍ୱ ପ୍ରଦାନ କରନ୍ତି । ହୁଏତ ରୋମ୍ ମଣ୍ଡଳୀରେ ଅନେକ ସଭ୍ୟସଭ୍ୟା କ୍ରୀତଦାସ ଥିଲେ, ମାତ୍ର ପାଉଲ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଧା ଦାସ ବା କ୍ରୀତଦାସ ବୋଲି ନିଜର ପରିଚୟ ଦିଅନ୍ତି । ସେ ମଧ୍ୟ ନିଜକୁ ଯୀଶୁଙ୍କ ଆହୂତ, ପ୍ରେରିତ  ସୁସମାଚାର ନିମନ୍ତେ ପୃଥକୀକୃତ ଦାସ ଭାବରେ ପ୍ରକାଶ କରନ୍ତି ।


ସମସ୍ତଙ୍କ ନିକଟରେ ସୁସମାଚାର ହେତୁ ଋଣୀ (୮-୧୫) :

ପାଉଲ ଏହି ଅଂଶରେ ଆପଣାର ଚିନ୍ତା ବା ବୋଝ ପ୍ରକାଶ କରନ୍ତି । ଏହି ସ୍ଥାନରେ ମଣ୍ଡଳୀ ପ୍ରତି ପାଉଲଙ୍କର ମହାନ୍ ପ୍ରେମର ବର୍ଣ୍ଣନା ହୋଇଛି । ସେ ରୋମ୍ କୁ ଯିବା ପାଇଁ ଆପଣା ଇଚ୍ଛା ପ୍ରକାଶ କରିବା ସହିତ ସେମାନଙ୍କର ବିଶ୍ବାସର ସୁସମ୍ବାଦ ବିଷୟରେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତି । ସେମାନଙ୍କ ଆତ୍ମିକ ସ୍ଥିରତା ନିମନ୍ତେ ସେ ସେମାନଙ୍କ ସହିତ ସାକ୍ଷାତ କରି କିଛି ଆତ୍ମିକ ଦନର ଅଂଶୀ  କରିବାକୁ ଇଚ୍ଛୁକ ବୋଲି ଜଣାନ୍ତି । ଏକ ବିଶେଷ କଥା ସେ ପ୍ରକାଶ କରନ୍ତି ଯେ ସେ ଗ୍ରୀକ କି ବର୍ବର ଶିକ୍ଷିତ କି ଅଶିକ୍ଷିତ ସମସ୍ତଙ୍କ ନିକଟରେ ଋଣୀ ।


ସୁସମାଚାରର ହୃଦୟ ଓ ପ୍ରାଣ (୧:୧୬-୧୭) :

ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ ରୋମୀୟ ପୁସ୍ତକର ଏହି ମହାନ୍ ବାକ୍ୟ ମାର୍ଟିନ୍ ଲୁଥରଙ୍କ ଠାରୁ ଆରମ୍ଭ କରି ଜନ୍ ୱେସ୍ଲି, ଅଗଷ୍ଟିନ, ୱେଲିୟମ୍ ଟିଣ୍ଡେଲ ଇତ୍ୟାଦି ବହୁ ବିଶିଷ୍ଟ ଲୋକମାନଙ୍କ ଜୀବନକୁ ପରିବର୍ତ୍ତିତ ଓ ପ୍ରଭାଭିତ କରିଛି । ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ ପଦଟି ବାଇବଲରେ ଚାରିଥର ... ହବକୂକ୍ ୨:୪,..ରୋମୀୟ ୧:୧୭,.... ଗଲାତୀୟ ୩:୧୧ ଓ ଏବ୍ରୀ ୧୦:୩୮...ଅବିକଳ ଭାବରେ ଲେଖାଯାଇଛି । ପାଉଲ କହନ୍ତି ଯେ ସେ ଏହି ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରନ୍ତି ନାହିଁ, ବରଂ ଦର୍ପ କରନ୍ତି, ଯେଣୁ ତାହା ପ୍ରତ୍ୟେକ ବିଶ୍ବାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଶକ୍ତି ଅଟେ ।

ଅନାଜ୍ଞାବହତାର ପରିଣାମ

 ଅନାଜ୍ଞାବହତାର ପରିଣାମ

ଆଜିର ଚିନ୍ତା 

୧ ଶାମୁୟେଲ ୩୧:୧-୧୩


ମୁଁ ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇପାରିଛି କି ?


ସଦାପ୍ରଭୁ ଶାଉଲଙ୍କୁ ଇସ୍ରାଏଲମାନଙ୍କର ସମ୍ରାଟ ରୂପେ ଅଭିଷିକ୍ତ କଲେ । ପଲେଷ୍ଟିୟମାନଙ୍କୁ ତାଙ୍କ ଦ୍ଵାରା ସଂହାର କରିବେ ବୋଲି ଶାମୁୟେଲଙ୍କଠାରୁ କରିଥିବା ସତ୍ୟ ଲଂଘନ କରି ପତିତ ହେଲେ ।


ସଦାପ୍ରଭୁଙ୍କ କ୍ରୋଧ :

ଶାଉଲ ଗିଲବୋୟ ପର୍ବତରେ ପ୍ରଥମେ ଯୁଦ୍ଧ କରି ରାଜକୀୟ କାର୍ଯ୍ୟ ଆରମ୍ଭ କରିଥିଲେ । ୪୦ ବର୍ଷ ପରେ ସେହି ପର୍ବତରେ ତାଙ୍କର ଶେଷ ଜୀବନ ଅତିବାହିତ ହୋଇଥିଲା । ସେ ଆପଣା ରାଜତ୍ଵକାଳ ମଧ୍ୟରେ, ଆପଣା ରାଜ୍ୟର ସୀମା ମଧ୍ୟ ବୃଦ୍ଧି କରିପାରି ନ ଥିଲେ । ସଦାପ୍ରଭୁ, ତାଙ୍କୁ ଅପରାଧ ସ୍ଵୀକାର କରି ଫେରି ଆସିବାକୁ ସଚେତନ କରାଉଥିଲେ । ସେ ଅନେକ ସମୟରେ ନିଜର ଭୁଲ୍ କୁ ସ୍ଵୀକାର କରୁଥିଲେ ସତ, ମାତ୍ର ଅନୂତପ୍ତ ହୋଇ କ୍ଷମା ପ୍ରାର୍ଥନା ସହିତ ପାପକୁ ପରିତ୍ୟାଗ କରିପାରୁ ନ ଥିଲେ । ଶେଷରେ ପ୍ରଭୁଙ୍କୁ ମଧ୍ୟ  ପରିତ୍ୟାଗ କରି ନିଜେ ବିପଦର ସମ୍ମୁଖୀନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦର ମୁହଁକୁ ଠେଲି ଦେଇଥିଲେ । ତାଙ୍କ ଚକ୍ଷୁ ସମ୍ମୁଖରେ ତାଙ୍କର ତିନି ପୁଅ ହତ ହେଲେ । ନିଜେ ମଧ୍ୟ ଧନୁର୍ଦ୍ଧରମାନଙ୍କ ଦ୍ଵାରା ଆହତ ହୋଇ, ଆପଣାକୁ ଖଡ୍ଗ ଉପରେ ପକାଇ ଆତ୍ମହତ୍ୟା କଲେ । ବାସ୍ତବରେ ସଦାପ୍ରଭୁଙ୍କ କ୍ରୋଧରୁ କିଏ ପଳାୟନ କରିପାରେ ।


ଉପକାର ସ୍ମରଣ କରିବା :

ଶାଉଲ, ସଦାପ୍ରଭୁଙ୍କର ଉପକାରକୁ ବିସ୍ମରଣ କରି ବିନଷ୍ଟ ହେଲେ । ପଲେଷ୍ଟିୟମାନେ ତାଙ୍କର ମସ୍ତକକୁ ଚ୍ଛେଦନ କରି ମୃତ ଶରୀରକୁ ବୈଥଶାନ ପ୍ରାଚୀରରେ ଟଙ୍ଗାଇ ଦେଲେ । ମାତ୍ର ଯାବେଶ ଗିଲିୟଦୀୟ ମାନେ, ଶାଉଲଙ୍କ ଠାରୁ ପାଇଥିବା ଉପକାରକୁ ସ୍ମରଣ କରି ରାତ୍ରିଯାକ ଯାତ୍ରା କରି ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସଂଗ୍ରହ କରି ଆଣି ଯାବେଶ ରେ ଦଗ୍ଧ କଲେ ଓ ଅସ୍ଥି ନେଇ ଯାବେଶସ୍ଥ ଝାଉଁଗଛ ମୂଳରେ ପୋତି ସାତଦିନ ପର୍ଯ୍ୟନ୍ତ ଶୋକ କରି ଆପଣାର କୃତଜ୍ଞତା ଅର୍ପଣ କଲେ ।


"ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହେବା" (ଯାକୁବ ୧:୨୨), ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ, ବିଶ୍ବାସୀନି ମାନଙ୍କର କର୍ତ୍ତବ୍ୟ । ଏହାହିଁ ହେଉଛି କଠିନତମ ପଦକ୍ଷେପ । ଏପରି କଲାବେଳେ ଶୟତାନ ନିଶ୍ଚିତ ରୂପେ ଆମ ସହିତ ଯୁଦ୍ଧ କରିବ। ଆମେ ଯଦି ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇ ସେହି ବାକ୍ୟକୁ ଜୀବନରେ ପ୍ରତିଫଳନ କରିବା, ତେବେ ଆମେ କେବେହେଁ ପରାଜିତ ହେବା ନାହିଁ ।

ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

 ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

ଆଜିର ଚିନ୍ତା

୧ ଶାମୁୟେଲ ୩୦ : ୧- ୩୧

ମୁଁ ସବୁବେଳେ ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ଅଟେ କି ?


ସଦାପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି (ଏବ୍ରୀ ୧୨:୬)  ।


ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବା : 

ସଦାପ୍ରଭୁ ଦାଉଦଙ୍କୁ ଏକ ବିପଜ୍ଜନକ ପରିସ୍ଥିତିରୁ ଉଦ୍ଧାର କଲେ । ଆଶ୍ବସ୍ତ ହୋଇ ସିକ୍ଲଗକୁ ଫେରି ଆସି ସେ ଅନ୍ୟ ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ । ତାଙ୍କ ଅନୁପସ୍ଥିତିରେ ତଥା ଅଜ୍ଞାତରେ, ଅମାଲେକୀୟମାନେ ପ୍ରତିଶୋଧ ନେବା ପାଇଁ ତାଙ୍କର ବସତି ନଗରକୁ ପୋଡ଼ିଜାଳି ଧ୍ବଂସ କରି ସାନବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ । ଦାଉଦ ଓ ତାଙ୍କର ସଙ୍ଗୀମାନେ ମାନସିକଭାବେ ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଲେ । ସେମାନଙ୍କର ଶାରୀରିକ ବଳ ମଧ୍ୟ କ୍ଷୀଣ ହେବାକୁ ଲାଗିଲା । ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ଦାଉଦଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ବାହାରିଲେ । ଦାଉଦ ବିଚଳିତ ନ ହୋଇ ପରମେଶ୍ବରଙ୍କ ନିକଟରେ ସମର୍ପିତ ହୋଇ ଶକ୍ତିପ୍ରାପ୍ତ ହେଲେ  ଈଶ୍ୱରଙ୍କ ଆଜ୍ଞାମତେ ସେହି ସୈନ୍ୟଦଳର ପଛେ ପଛେ ଯାଇ ହୃତ ସମସ୍ତଙ୍କୁ ଉଦ୍ଧାର କରିବା ସହିତ, ଲୁଟଦ୍ରବ୍ୟ ସବୁ ଫେରାଇ ଆଣିଲେ । 


ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେବା :

ଏହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦାଉଦ ଈଶ୍ୱରଙ୍କର ସନ୍ତୋଷଜନକ ଦୁଇଟି କାର୍ଯ୍ୟ କରିଛନ୍ତି । ବିଷୋର ନଦୀ ପରି ହୋଇ ଯିବା ସମୟରେ ଜଣେ ଅମାଲେକୀୟ ମୁନିବ ଦ୍ଵାରା ପରିତ୍ୟକ୍ତ ଜଣେ ମିସ୍ରୀୟ ଯୁବା ପ୍ରତି ସହାନୁଭୂତି ପ୍ରଦର୍ଶନ କରି ତା'ର ଜୀବନ ରକ୍ଷା କଲେ । ନିଜ ପ୍ରିୟଜନଙ୍କ ପାଇଁ କେବଳ ଚିନ୍ତା କରି ବାଟ ଭାଙ୍ଗି ଚାଲିଯାଇଥିଲେ, ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥାନ୍ତା । ପ୍ରତିଦାନର ଆଶା ନ ରଖି ଅନ୍ୟମାନଙ୍କ ଆଡ଼କୁ ସାହାଯ୍ୟର ହାତ ବଢାଇଲେ, ଆମେ ସଦାପ୍ରଭୁଙ୍କଠାରୁ  ଆବଶ୍ୟକତାରୁ ଅଧିକ ପ୍ରାପ୍ତ ହୋଇଥାଉ । ସେହିପରି କ୍ଳାନ୍ତ ହୋଇ ପଛରେ ରହିଯାଇଥିବା ସଙ୍ଗୀମାନଙ୍କୁ  ଯୁଦ୍ଧରୁ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର କୁଶଳବାର୍ତ୍ତା ବୁଝିଲେ । ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ସହିତ ଲୁଟଦ୍ରବ୍ୟର ମଧ୍ୟ ଅଂଶୀ କରାଇଲେ । ଆଉ ସେ ସଦାପ୍ରଭୁଙ୍କ ଦ୍ଵାରା ବହୁଗୁଣରେ ଆଶୀର୍ବାଦପ୍ରାପ୍ତ ହେଲେ । ଅନ୍ୟଠାରୁ ଗ୍ରହଣ କରିବା ଅପେକ୍ଷା, ଦାନ ଦେବା ଦ୍ଵାରା ଆମେ ଅଧିକ ଆଶୀର୍ବାଦପ୍ରାପ୍ତ ହୋଇଥାଉ ।

ଅବାଧ୍ୟତାର ପରିଣାମ

 ଅବାଧ୍ୟତାର  ପରିଣାମ

ଆଜିର ଚିନ୍ତା

୧ ଶାମୁୟେଲ ୨୮:୧-୨୫


ମୁଁ ପରମେଶ୍ବରଙ୍କ ରବ ପ୍ରତି ମନୋଯୋଗୀ ହୋଇ କାର୍ଯ୍ୟ କରୁଅଛି କି ?


ସଦାପ୍ରଭୁଙ୍କ ଦ୍ଵାରା ମନୋନୀତ ତଥା ଅଭିଷିକ୍ତ ରାଜା ଥିଲେ ଶାଉଲ । ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହୋଇ ଗୌରବ ଓ ମହିମାର ଅଧିକାରୀ କରିଥିଲେ । ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରାଜତ୍ଵ କରିବା ପାଇଁ ସୁଯୋଗ ଦେଇଥିଲେ । ମାତ୍ର ସେ ସଦାପ୍ରଭୁଙ୍କଠାରୁ ବିମୁଖ ହୋଇ ଅବାଧ୍ୟ ହେଲେ । ତହିଁର ପରିଣାମ ଆମେ ପଠିତ ଶାସ୍ତ୍ରାଂଶରେ ଦେଖିବାକୁ ପାଉଛୁ । 


ଅବାଧ୍ୟତାର ଫଳ : 

ଗିଲବୋୟ ଉପତ୍ୟକାରେ ଯେତେବେଳେ  ପଲେଷ୍ଟୀୟ ଓ ଇସ୍ରାଏଲୀୟ ସେନାବାହିନୀ ପରସ୍ପରର ସମ୍ମୁଖୀନ ହେଲେ, ସେତେବେଳେ ଶାଉଲ ଯୁଦ୍ଧାସ୍ତ୍ରରେ ସୁସଜ୍ଜିତ ପଲେଷ୍ଟୀୟମାନଙ୍କର ବିଶାଳ ସୈନ୍ୟବାହିନୀକୁ ଦେଖି ଭୟଭୀତ ହୋଇ ସଦାପ୍ରଭୁଙ୍କୁ ପରାମର୍ଶ ମାଗିଲେ । ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ବାରମ୍ବାର ସଦାପ୍ରଭୁଙ୍କର ଆଜ୍ଞାକୁ ସେ ଅବଜ୍ଞା କରିସାରିଥିଲେ । ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କରି ନ ଥିଲେ । ସଦାପ୍ରଭୁଙ୍କର ଅଭିଷିକ୍ତ ଯାଜକମାନଙ୍କୁ ହତ୍ୟା କରିଥିଲେ।  ସଦାପ୍ରଭୁ ଆଉ ତାଙ୍କର ନିବେଦନ ପ୍ରତି ମନୋଯୋଗ କଲେ ନାହିଁ । ସପ୍ନ କି ଦର୍ଶନରେ ସୁଦ୍ଧା ତାଙ୍କୁ କୌଣସି ମନ୍ତ୍ରଣା ଅବା ଚାଳନା ପ୍ରଦାନ କଲେ ନାହିଁ । ଆମେ ଯଦି ନିଜ ଇଚ୍ଛାନୁଯାୟୀ ଜୀବନ କାଟିବା, ତେବେ ସଦାପ୍ରଭୁ ପରମେଶ୍ୱର ଆମର ପ୍ରାର୍ଥନାରେ ମଧ୍ୟ ମନୋଯୋଗ କରିବେ ନାହିଁ । 


ଭୁଲ୍ ନିଷ୍ପତି :

ଶାଉଲ ବ୍ୟବସ୍ଥା ଲଂଘନ ପରି ଏକ ଭୁଲ୍ ନିଷ୍ପତି ନେଇ, ଅନ୍ୟ ଏକ ଜଘନ୍ୟ ପାପ କରି ବସିଲେ । ଯେଉଁ ଭୂତୁଡ଼ିଆମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ଶରଣାପନ୍ନ ହେଲେ । ଛଦ୍ମ ବେଶରେ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଲୋକ ନିକଟକୁ ଯିବା ଦ୍ଵାରା ନିଜକୁ ତଥା ସଦାପ୍ରଭୁଙ୍କୁ ଅସ୍ବୀକାର କଲେ । ଭବିଷ୍ୟତବକ୍ତାଙ୍କର ଆତ୍ମାକୁ ଉଠାଇ ଆଣି, ପରମେଶ୍ୱରଙ୍କ ଇଛା ଜାଣିବା ପାଇଁ ମନସ୍ଥ କଲେ । ସଦାପ୍ରଭୁ ଶାମୁୟେଲଙ୍କ ଆତ୍ମା ଦ୍ଵାରା ସଦାପ୍ରଭୁ ଯେ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଓ ତାଙ୍କର ରାଜ୍ୟ ଦାଉଦଙ୍କୁ ଦେଇଅଛନ୍ତି ବୋଲି ଜଣାଇଲେ । ଏହା ଶୁଣି ସେ ଭୟଭୀତ ହୋଇପଡ଼ିଲେ ଓ ତାଙ୍କର ବଳ କ୍ଷୀଣ ହେବାକୁ ଲାଗିଲା । ବାରମ୍ବାର ଆଜ୍ଞା ଲଂଘନ ହିଁ ତାଙ୍କ ମୃତ୍ୟୁର କାରଣ ହେଲା । ଶାମୁୟେଲ ଓ ଦାଉଦ ତାଙ୍କୁ ସଚେତନ କରାଇଥିଲେ । ସଦାପ୍ରଭୁ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଏବଂ ଉତ୍ତର ଦେଉନାହାନ୍ତି ଏହା ସେ ନିଜେ ସ୍ଵୀକାର କରୁଥିଲେ, ତଥାପି ଭୁଲ୍ ପଥରୁ ଫେରି ଆସିପାରିଲେ ନାହିଁ ।

ଦୁର୍ବଳ ବିଶ୍ଵାସ

 ଦୁର୍ବଳ ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୭:୧-୧୨


ମୋର ଦୁର୍ବଳ ବିଶ୍ଵାସ ମତେ ପଥଭ୍ରଷ୍ଟ କରୁଅଛି କି ?


ସଦାପ୍ରଭୁ ଆମର ସୁରକ୍ଷାର ଭାର ବହନ କରିଛନ୍ତି । ଏହି ସତ୍ୟ ଆମ୍ଭମାନଙ୍କୁ ଜ୍ଞାତ ଅଛି; ତଥାପି ଶୟତାନ ଆମ୍ଭମାନଙ୍କ ହୃଦୟରେ ଭୟ ସୃଷ୍ଟି କରିଥାଏ । ଆମର ବିଶ୍ବାସ ଦୁର୍ବଳ ହୋଇଯାଏ । ଆମେ ଭୟରେ ଭୁଲ୍ ସିଦ୍ଧାନ୍ତ ଗ୍ରହଣ କରି ଦୁଖଃଭୋଗ କରିଥାଉ । ପରମେଶ୍ବରଙ୍କ ଦ୍ଵାରା ମନୋନୀତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ସେ କେବେ ହେଁ ପରିତ୍ୟାଗ କରନ୍ତି ନାହିଁ ।


ଦାଉଦଙ୍କ ଦୁର୍ବଳତା :

ଶାଉଲଙ୍କ କବଳରୁ ରକ୍ଷା ପାଇବା ପାଇଁ, ଦାଉଦଙ୍କୁ ବହୁ ଘାତପ୍ରତିଘାତ ମଧ୍ୟରେ ଯିବାକୁ ପଡ଼ିଥିଲା । ସଦାପ୍ରଭୁ କିନ୍ତୁ ସମସ୍ତ ପରିସ୍ଥିତିରେ ତାଙ୍କର ସହବର୍ତ୍ତୀ ହୋଇଥିଲେ । ଭୁଲ୍ ପଦକ୍ଷେପ ନେବାକୁ ବାରଣ କରୁଥିଲେ । ଅବୀଗଲଙ୍କ ମାଧ୍ୟମରେ ମଧ୍ୟ ଏହି ବିଷୟରେ ସଚେତନ କରାଇ ଦେଇଥିଲେ । ଶାଉଲଙ୍କ ଦ୍ଵାରା ବିନଷ୍ଟ ହେବାର ଭୟକୁ ପ୍ରାଧlନ୍ୟ ଦେଇ ଦାଉଦ ପଲେଷ୍ଟୀୟ ରାଜା ଆଖୀଶଙ୍କର ଶରଣାଗତ ହେଲେ । ଈଶ୍ଵର ଯେ ତାଙ୍କୁ ମନୋନୀତ କରିଛନ୍ତି ଓ ତାଙ୍କୁ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରିଅଛନ୍ତି, ଏହା ଭୁଲିଗଲେ । ତାଙ୍କର ଏହି ସିଦ୍ଧାନ୍ତରେ ସେ ଓ ତାଙ୍କର ସଙ୍ଗୀମାନେ ଶତ୍ରୁମାନଙ୍କ ରାଜ୍ୟରେ ଶରଣାର୍ଥି ହୋଇ ରହିଲେ। 


ଦାଉଦଙ୍କ ଚତୁରତା :

ସଦାପ୍ରଭୁଙ୍କଠାରୁ ଆମେ ଯେତେ ଦୂରକୁ ଗଲେ ମଧ୍ୟ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ । ଆମର ଦୁର୍ବଳତାରେ ତାଙ୍କର ବଳ ସିଦ୍ଧ ହୁଏ । ଶତ୍ରୁ ରାଜ୍ୟରେ ସେ ଦାଉଦଙ୍କୁ ଇସ୍ରାଏଲ ନିମନ୍ତେ ବିନିଯୋଗ କଲେ । ରାଜା ଆଖୀଶଙ୍କୁ ଅନୁରୋଧ କରି ଦାଉଦ ପଲେଷ୍ଟୀୟ ରାଜଧାନୀ ଗାଥରେ ନ ରହି, ଯିହୂଦୀୟମାନଙ୍କର ପୂର୍ବେ ଅଧିକୃତ ସିକ୍ଲଗରେ ରହିଲେ ।  ଯୋଜନା କରି ଇସ୍ରାଏଲର ଶତ୍ରୁ ଦେଶଗୁଡ଼ିକୁ ଆକ୍ରମଣ କରି ଅଧିକାର କରିବାକୁ ଲାଗିଲେ । ପ୍ରମାଣ ଲୋପ କରିବା ପାଇଁ ଯିହୂଦୀ ଲୋକମାନଙ୍କୁ ରକ୍ଷା କରି ସେମାନଙ୍କ ସହିତ ରହୁଥିବା ଅନ୍ୟ ଜାତିର ଲୋକମାନଙ୍କୁ ସଂପୂର୍ଣ୍ଣ ରୂପେ ମାରି ଦେଇଥିଲେ । ସାବଧାନତାର ସହିତ ଆଖୀଶଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ଇସ୍ରାଏଲୀୟ ସହରଗୁଡ଼ିକୁ ଆକ୍ରମଣ କରି ଅବରୋଧ କରୁଛନ୍ତି ବୋଲି କହି ଆଖୀଶଙ୍କର ପ୍ରିୟଭୋଜନ ହେବାକୁ ଲାଗିଲେ । 


ପରିସ୍ଥିତିକୁ ଭୟ ନ କରି, ପରମେଶ୍ବରଙ୍କ ଉପରେ ଦୃଢ଼ ବିଶ୍ଵାସ ସ୍ଥାପନ କଲେ, କେହି ଆମକୁ ବିନଷ୍ଟ କରିପାରିବ ନାହିଁଈଶ୍ଵର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି (୨ତିମଥି ୧:୭) । ତେଣୁ ଆମର ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ ରଖି ଗନ୍ତବ୍ୟ ପଥରେ ଧାବମାନ ହେଉ । 

ସ୍ଥିର ବିଶ୍ଵାସ

 ସ୍ଥିର ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୬:୧-୨୫


ସବୁ ଅବସ୍ଥାରେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିବାକୁ ମୁଁ ଚେଷ୍ଟା କରୁଛି କି ?


ଦାଉଦ ଭୟଭକ୍ତି ସହିତ ସଦାପ୍ରଭୁଙ୍କୁ ପ୍ରେମ କରୁଥିଲେ । ତାଙ୍କର ଇଚ୍ଛାମତ ଜୀବନଯାପନ କରି ତାଙ୍କର ମନର ମତ ହୋଇପାରିଥିଲେ । କ୍ଳେଶ ଓ ତାଡ଼ନାର ସମ୍ମୁଖୀନ ହେବା ସମୟରେ ସେ ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କ ଶରଣାଗତ ହେବା ଉତ୍ତମ (ଗୀତ ୧୧୮:୮) ଜାଣି, କାର୍ଯ୍ୟ କରି ସଦାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ବାସ କରୁଥିଲେ । 


ମହାନ ବ୍ୟକ୍ତିତ୍ଵ :

ଶାଉଲ ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜା ଥିଲେ । ମାତ୍ର ସେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିଲେ ନାହିଁ । ନିଜକୁ ଅସୁରକ୍ଷିତ ମନେ କଲେ । ସଦାପ୍ରଭୁଙ୍କ ଆଜ୍ଞା ଅମାନ୍ୟ କରି ଦାଉଦଙ୍କୁ ବଧ କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ । ବନଛାଗର ଶୈଳ ସବୁରେ ତାଙ୍କୁ ଖୋଜୁଥିବା ସମୟରେ, ଗୋଟିଏ ଗୁମ୍ଫା ଭିତରେ, ସଦାପ୍ରଭୁ ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ସମର୍ପଣ କଲେ । ହେଲେ ଦାଉଦ ତାଙ୍କୁ ବଧ କରି ନ ଥିଲେ । ପୁନଃ ସିଫୀୟମାନଙ୍କ ଠାରୁ ସୂଚନା ପାଇଁ ସୀଫ୍ ପ୍ରାନ୍ତରରେ ଉପସ୍ଥିତ ହୋଇ ତିନି ସହସ୍ର ଯୋଦ୍ଧାଙ୍କ ସହିତ ହଖୀଲା ପର୍ବତରେ ଛାଉଣୀ ସ୍ଥାପନ କଲେ । ସେସମୟରେ ମଧ୍ୟ ସଦାପ୍ରଭୁ ଶାଉଲଙ୍କୁ ନିଦ୍ରାଗ୍ରସ୍ତ ଅବସ୍ଥାରେ ଦାଉଦଙ୍କ ହସ୍ତରେ ସମର୍ପି ଦେଲେ । ତଥାପି ଦାଉଦ, ସଦାପ୍ରଭୁଙ୍କର ଅଭିଷିକ୍ତଙ୍କ ପ୍ରତି ହସ୍ତ ଉଠାଇ ନ ଥିଲେ । ସେ ଜାଣିଥିଲେ, ସଦାପ୍ରଭୁ ତାଙ୍କୁ ସୁରକ୍ଷା ଦେବେ । ଶାଉଲଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରି, ଦାଉଦ ନିଜର ମହାନତା ପ୍ରକାଶ କରିଥିଲେ ।


ମହାନ୍ ବିଶ୍ଵାସ :

ଦାଉଦ ଜାଣିଥିଲେ ଯେ ସଦାପ୍ରଭୁଙ୍କ ପ୍ରତିକୂଳରେ ହସ୍ତ ଉଠାଇବା ଏକ ଅକ୍ଷମଣୀୟ ଅପରାଧ । କେବଳ ସଦାପ୍ରଭୁ ହିଁ ତାଙ୍କର ମୃତ୍ୟୁ କିପରି ହେବ, ତାହା ସ୍ଥିର କରି ଥା' ନ୍ତି । ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିଏ ଯାଏ, ସେ ଶାପଗ୍ରସ୍ତ ହୁଏ । ଆଉ ଯେକେହି ଅଭିଷିକ୍ତ ବ୍ୟକ୍ତିଙ୍କର ଜୀବନକୁ ବହୁମୂଲ୍ୟ ମନେ କରେ, ତାର ଜୀବନ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ ହୋଇଯାଏ । ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ଵସ୍ତତା ପ୍ରମାଣେ ଫଳ ଦିଅନ୍ତି । ଏସମସ୍ତ ବିଷୟ ଜାଣି, ଦାଉଦ ପରମେଶ୍ୱରଙ୍କ ଅଧିକାରକୁ ନିଜ ହାତକୁ ନେଇ ନ ଥିଲେ । 


କଥା ଏବଂ କାର୍ଯ୍ୟ ଉଭୟରେ ଦାଉଦ ସଦାପ୍ରଭୁଙ୍କୁ ଗୌରବ ଦେଇ ଆଶୀର୍ବାଦ ପ୍ରାପ୍ତ ହେଲେ ଓ ଶାଉଲଙ୍କୁ ସଦାପ୍ରଭୁ ପରିତ୍ୟାଗ କଲେ ।

ସୁବିବେଚନାଯୁକ୍ତ ଜ୍ଞାନ

 ସୁବିବେଚାନାଯୁକ୍ତ ଜ୍ଞାନ

ଆଜିର ଚିନ୍ତା

୧ ଶାମୁୟେଲ ୨୫:୨୩-୪୪

ମୁଁ ଘଡ଼ିସନ୍ଧି ମୁହୂର୍ତ୍ତରେ ସୁବିବେଚାନାଯୁକ୍ତ ଜ୍ଞାନର ବ୍ୟବହାର କରେ କି ?


ଜ୍ଞାନ ଓ ସୁବିବେଚନା ପରସ୍ପର ପରିପୂରକ । ସୌନ୍ଦର୍ଯ୍ୟ ସହିତ ଅବୀଗଲଙ୍କୁ ସଦାପ୍ରଭୁ ଜ୍ଞାନ ଓ ସୁବିବେଚନା ପ୍ରଦାନ କରିଥିଲେ । ତେଣୁ ନିଜର ସ୍ବାମୀ ତଥା ପରିବାରର ମଙ୍ଗଳ କରିବା ପାଇଁ ଠିକ୍ ସମୟରେ ସେ ଉପଯୁକ୍ତ ପଦକ୍ଷେପ ନେଇ ପାରିଥିଲେ । 


ଶାନ୍ତି ସ୍ଥାପନକାରିଣୀ ଅବୀଗଲ :

ଦାଉଦଙ୍କ ଅନୁରୋଧକୁ ନାବଲ କିପରି ପ୍ରତ୍ୟାଖ୍ୟାନ କରି ଆପଣା ସହିତ ପରିବାରର ସମସ୍ତ ପୁରୁଷ ପିଲାଙ୍କର ବିନାଶର କାରଣ ହେବାକୁ ଯାଉଛନ୍ତି, ଏହା ଶୁଣିବାମାତ୍ରେ ଅବିଗଲ ପ୍ରଚୁର ଉତ୍ତମ ଦ୍ରବ୍ୟ ସହିତ ଦାଉଦଙ୍କୁ ଭେଟି ଭୂମିଷ୍ଠ ପ୍ରଣାମ ଜଣାଇଲେ । ଆପଣା ସ୍ବାମୀଙ୍କର ଅନ୍ୟାୟ କାର୍ଯ୍ୟର ଦୋଷ ନିଜ ଉପରକୁ ନେଇ ଅତି ବିନମ୍ର ଭାବରେ ଦାଉଦଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଶାନ୍ତିକାରକ ହୋଇ ଧନ୍ୟ ବୋଲି ପ୍ରଶଂସିତା ହେଲେ ।


ସୁରକ୍ଷାଦାତ୍ରୀ ଆବୀଗଲ :

ସଦାପ୍ରଭୁ ବିଷୟକ ଭୟ ଅବୀଗଲଙ୍କ ଜୀବନରେ ଥିଲା । ତେଣୁ ସଦାପ୍ରଭୁ ଯେ ଦାଉଦଙ୍କ ସପକ୍ଷରେ ଅଛନ୍ତି ପୁଣି ତାଙ୍କୁ ଇସ୍ରାଏଲର ଅଗ୍ରଣୀ କରି ନିଯୁକ୍ତ କରିବେ, ଏହା ସେ ଜାଣିଥିଲେ । ଦ୍ଵିତୀୟରେ, ଦାଉଦଙ୍କୁ ସଦାପ୍ରଭୁଙ୍କ ଯୋଜନା ଓ ମଙ୍ଗଳଦାନସବୁକୁ ସ୍ମରଣ କରାଇ ଦେଇ ରକ୍ତପାତ ଦୋଷରୁ ଏବଂ ନିଜ ହସ୍ତରେ ଆତ୍ମ ପ୍ରତିକାର କରିବାରୁ ରକ୍ଷା କଲେ । ଅବୀଗଲ ନିଜ ପରିବାରକୁ ସୁରକ୍ଷା ଦେବା ସହିତ ଦାଉଦଙ୍କୁ ମଧ୍ୟ ପ୍ରତିଶୋଧ ନେବାରୁ କ୍ଷାନ୍ତ କରାଇ, ସଦାପ୍ରଭୁଙ୍କ କ୍ରୋଧରୁ ସୁରକ୍ଷା ଦେଲେ । 


ଅବୀଗଲଙ୍କର ଅନୁଯୋଗ ଦାଉଦ ଗ୍ରହଣ କରି ମହାନୁଭବତାର ପରିଚୟ ଦେଇଥିଲେ । ନାବଲ କିନ୍ତୁ ନିଜର ପତ୍ନୀଠାରୁ ସମସ୍ତ ଘଟଣା ଶୁଣିବା ପରେ କେବଳ ଦୁଃଖ ପ୍ରକାଶ କଲା । ପ୍ରତିକାର ସ୍ୱରୂପ ଅନ୍ୟ କୌଣସି ପଦକ୍ଷେପ ନେଲା ନାହିଁ । ଫଳରେ ଦାଉଦ ସୁରକ୍ଷିତ ହେଲେ । ନାବଲକୁ ସଦାପ୍ରଭୁ ଆଘାତ କଲେ । ଆମ୍ଭେମାନେ ମଧ୍ୟ ନିଜ ଅପରାଧରୁ ଫେରିଲେ, ବିନଷ୍ଟ ନ ହୋଇ ରକ୍ଷା ପାଇପାରିବା (ଯିହିଜିକଲ ୧୮:୨୮) ।

ଅସଂଜତ ଜିହ୍ୱା

 ଅସଂଜତ ଜିହ୍ୱା

ଆଜିର ଚିନ୍ତା

୧ ଶାମୁୟେଲ ୨୫:୧-୨୨


ମୁଁ କଟୁଭାଷା ବ୍ୟବହାର କରି ଅନ୍ୟର ଦୁଃଖର କାରଣ ହୋଇଅଛି କି ?


ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ଜିହ୍ୱା, ସମସ୍ତ ଅଧର୍ମର ମୂଳଧାର ସ୍ୱରୁପେ ଅବସ୍ଥିତ ଅଟେ (ଯାକୁବ ୩:୬) । ତାକୁ ଆମେ ନିୟନ୍ତ୍ରଣରେ ନ ରଖୁ, ତେବେ ତାହା ଆମର ଅନିଷ୍ଟ ସାଧନ କରେ । ମିଷ୍ଟଭାଷୀ ଜିହ୍ୱା ମଧୁଚାକ ସଦୃଶ୍ୟ ଅଟେ । ତାହା ଆମ୍ଭମାନଙ୍କୁ ଆଶୀର୍ବାଦର ଅଂଶୀ କରାଏ । 


ସଂଜତ ଜିହ୍ୱା :

ନାବଲ ଜଣେ କଟୁଭାଷୀ, କୁକର୍ମକାରୀ ସମ୍ଭ୍ରାନ୍ତ ବ୍ୟକ୍ତି  ଥିଲେ । ଦାଉଦ ପର୍ବତ ପ୍ରାନ୍ତରରେ ଲୁଚି ବୁଲୁଥିବା ସମୟରେ, ତାଙ୍କର ହିତାକାଂକ୍ଷୀମାନେ ସେମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେଉଥିଲେ । ଲୋମଛେଦନ ଦିନ କରି ଏକ ଶୁଭ ଦିନରେ ଦାଉଦ ସମ୍ମାନ ଓ ସମଦର ସହିତ ୧୦ଜଣ ଯୁବାଙ୍କୁ ତାଙ୍କ ନିକଟକୁ ପଠାଇଲେ । ତାଙ୍କର  ମେଷପାଳକମାନଙ୍କ ପ୍ରତି କରିଥିବା ଉପକାର ସ୍ମରଣ କରାଇଥିଲେ । ନମସ୍କାର ସହିତ ଦୀର୍ଘ ଜୀବନର ଆଶୀର୍ବାଦ ଓ ମଙ୍ଗଳ କାମନା କରି କିଛି ଖାଦ୍ୟଦ୍ରବ୍ୟ ଦେବା ପାଇଁ  ଅନୁରୋଧ କରି କହି ପଠାଇଲେ, "ତୁମ୍ଭ ହସ୍ତରେ ଯାହା ଆସେ, ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ" । ଏଥିରୁ ଆମେ ଦାଉଦଙ୍କର କୋମଳ, ନିଷ୍ଠାଜନକ, ହିତକର ବାକ୍ୟକୁ ଉପଲବଧି କରୁଛୁ ।


ଅସଂଜତ ଜିହ୍ୱା : 

ନାବଲ ଧନ ଗର୍ବରେ ଅନ୍ଧ ହୋଇ, ଜିହ୍ୱାକୁ ବଶରେ ରଖି ନ ପାରି, ନିଜର ଅନିଷ୍ଟ ସାଧନ କରିଥିଲେ । ଦାଉଦଙ୍କ ଅନୁରୋଧର ଅପ୍ରୀତିକର ପ୍ରତ୍ୟୁତ୍ତର ଦାଉଦଙ୍କ ମନରେ ଗଭୀର ଆଘାତ ଦେଲା । ଫଳରେ ଦାଉଦ, ଆପଣାର ଚାରିଶହ ଲୋକଙ୍କ ସହିତ ଅସ୍ତ୍ରଶସ୍ତ୍ର ନେଇ ନାବଲର ବିପକ୍ଷରେ ଉଠିଲେ । କାହାରି ଉପକାର ବଦଳରେ ଅପକାର କଲେ, ଈଶ୍ୱରଙ୍କ କ୍ରୋଧର ପାତ୍ରପାତ୍ରୀ ହେବା । ଯେପରି ଏବ୍ରୀ ୧୩:୧୬ ପଦରେ ଲେଖାଯାଏ, ପରୋପକାର ଓ ଦାନ କରିବାକୁ ନ ପାସୋର; କାରଣ ଏପରି ବଳିରେ ଈଶ୍ୱରଙ୍କ ପରମ ସନ୍ତୋଷ । ଆମ୍ଭେମାନେ ଜାଗ୍ରତ ହେଉ, "ଯେପରି  ଆମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ" (ଏଫିସୀୟ ୪:୨୯) ।

କ୍ଷମା ଦେବାର ମନୋଭାବ

 କ୍ଷମା ଦେବାର ମନୋଭାବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୪:୧-୨୨

ମୁଁ ମୋ ' ଶତ୍ରୁକୁ କ୍ଷମା କରିପାରୁଛି କି?


ଶତ୍ରୁକୁ ପ୍ରେମ କର ବୋଲି କହିବା ସହଜ; କିନ୍ତୁ ବାସ୍ତବ ଜୀବନରେ ଏହା କରିବା କଷ୍ଟକର ହୋଇଥାଏ । ହୃଦୟର ସହିତ ଶତ୍ରୁକୁ କ୍ଷମା କରିପାରିଲେ ଯାଇ ଆମେ ତାକୁ ପ୍ରେମ କରିପାରିବା । ଯେପରି ଶାଉଲଙ୍କର ସମସ୍ତ ପ୍ରକାର ନିଷ୍ଠୁର ଓ ହୃଦୟହୀନ ବ୍ୟବହାର ସତ୍ତ୍ୱେ ଦାଉଦ ତାଙ୍କୁ କ୍ଷମା କଲେ ।


ଶତ୍ରୁ ପ୍ରତି ପ୍ରେମ : 

ଦାଉଦଙ୍କର ଅନ୍ଵେଷଣ କରୁ କରୁ ଶାଉଲ ଯେଉଁ ଗୁମ୍ଫାରେ ବିଶ୍ରାମ ନେଲେ, ଦାଉଦ ପୂର୍ବରୁ ତହିଁର  ଅନ୍ତଭାଗରେ ଥିଲେ । ସଦାପ୍ରଭୁ, ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ଦେଲେ; କିନ୍ତୁ ସେ ତାଙ୍କ ପ୍ରତିକୂଳରେ ହସ୍ତ ଉଠାଇଲେ ନାହିଁ । ପ୍ରମାଣ ପାଇଁ କେବଳ ବସ୍ତ୍ର ଧଡି କାଟି ଦେଲେ । ସେଥିପାଇଁ ମଧ୍ୟ ସେ ଅନ୍ତରରେ ଖେଦିତ ହେଲେ । ପରବର୍ତ୍ତୀ ସମୟରେ ଶାଉଲଙ୍କୁ ପଛପଟୁ 'ହେ ମୋହର ପ୍ରଭୁ' ବୋଲି ସମ୍ବୋଧନ କରି ଡାକି ଭୂମିଷ୍ଠ ପ୍ରଣାମ କଲେ । ନମ୍ରତାର ସହିତ କହିଲେ, ଆପଣ ମୋତେ ଧରିବା ପାଇଁ ଅନ୍ଵେଷଣ କରୁଥିଲେ ହେଁ, ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ  । ପିତା ବୋଲି ସମ୍ବୋଧନ କରି ସେ ଆପଣାକୁ ନିତାନ୍ତ ନତ କଲେ । ନିଜକୁ ମଲା କୁକୁରଠାରୁ ମଧ୍ୟ ଅଧିକ ତୁଚ୍ଛ ବୋଲି କହିଲେ  । ପୁଣି ସଦାପ୍ରଭୁ ବିଚାର କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ ବୋଲି କହିଲେ । ଶତ୍ରୁକୁ କ୍ଷମା କରିବା ତଥା ପ୍ରେମ କରିବା ଆମର କର୍ତ୍ତବ୍ୟ; ଆଉ ପ୍ରତିଶୋଧ ନେବା ସଦାପ୍ରଭୁଙ୍କ ଅଧିକାର (ରୋମୀ ୧୨:୧୯) । 


ଶାଉଲଙ୍କର ହୃଦୟର ପରିବର୍ତ୍ତନ :

 ଶାଉଲ ହୃଦୟଙ୍ଗମ କଲେ ଯେ, ଦାଉଦ ତାଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି । ସେଥିପାଇଁ ତାଙ୍କର ନିର୍ଦ୍ଦୟ ବ୍ୟବହାରକୁ ସହ୍ୟ କରୁଛନ୍ତି । ତାଙ୍କର କଠିନ ହୃଦୟ ତରଳି ଗଲା । ସେ ସ୍ଵୀକାର କଲେ ଯେ ଦାଉଦ ତାଙ୍କଠାରୁ ଅଧିକ ଧାର୍ମିକ । ମନ୍ଦ ପରିବର୍ତ୍ତେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି, ଶତ୍ରୁର ହୃଦୟକୁ ସେ ଜିଣିପାରିଲେ । ଧାର୍ମିକ ବ୍ୟକ୍ତି ହିଁ ଶତ୍ରୁକୁ କ୍ଷମା ଦେଇପାରେ ଓ ମଙ୍ଗଳ କାମନା କରିପାରେ ପୁଣି ସଦାପ୍ରଭୁ ତାଙ୍କୁ ସମସ୍ତ ସଙ୍କଟରୁ ଉଦ୍ଧାର କରନ୍ତି ।


ଆସନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟର ଅନୁଗାମୀ ହୋଇ ସବୁବେଳେ ସୁକ୍ରିୟାରେ କୁକ୍ରିୟାକୁ ପରାଜିତ କରି, ଶତ୍ରୁକୁ କ୍ଷମା ଦେଇ ନିଜର କରିବାର ପ୍ରୟାସ କରୁ ।

ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

 ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

ଆଜିର ଚିନ୍ତା 

୧ ଶାମୁୟେଲ ୨୨:୧-୨୩


ମୁଁ ପ୍ରତି କ୍ଷେତ୍ରରେ ଈଶ୍ୱରଙ୍କ ଆଦେଶକୁ ଅପେକ୍ଷା କରୁଛି କି ? 


ଦାଉଦ ପରମେଶ୍ବରଙ୍କ ଉପରେ ନିଜର ଚିନ୍ତାର ଭାର ସମର୍ପଣ କରିଥିଲେ । ରାଜା ଶାଉଲ କିନ୍ତୁ ଆପଣାର ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରି ଆଗେଇ ଚାଲିଲେ । 


ଈଶ୍ୱରଙ୍କ ନିର୍ଦ୍ଦେଶର ଅପେକ୍ଷା :

ଶାଉଲଙ୍କ କୋପରୁ ରକ୍ଷା ପାଇବା ପାଇଁ ଦାଉଦ ପଳାୟନ କଲେ । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଗୁମ୍ଫାରେ ଯାଇ ଲୁଚିଲେ । ଧୈର୍ଯ୍ୟର ସହିତ ପରମେଶ୍ୱରଙ୍କ ଇଚ୍ଛା ଜାଣିବାକୁ ଅପେକ୍ଷା କଲେ । ଅଦୁଲ୍ଲମ୍ ଗୁମ୍ଫାରେ ଆତ୍ମଗୋପନ କଲେ । ଏହି ଖବର ପାଇ ତାଙ୍କ ପରିବାରର ସମସ୍ତେ ତାଙ୍କ ନିକଟରେ ପହଞ୍ଚିଲେ । ଶାଉଲ ରାଜାଙ୍କ ଦ୍ଵାରା ତାଡ଼ିତ, ଋଣଗ୍ରସ୍ତ, ତିକ୍ତ ମନା ପ୍ରାୟ ଚାରିଶହ ଲୋକ ଆସି ଦାଉଦଙ୍କ ସହିତ ମିଳିତ ହେଲେ । ଦାଉଦଙ୍କର ଅନୁରୋଧକ୍ରମେ ମୋୟାବର ରାଜା ଦାଉଦଙ୍କ ପିତାମାତା ଓ ପରିବାରର ନିରାପତ୍ତା ତଥା ରକ୍ଷଣାବେକ୍ଷଣର ଭାର ବହନ କଲେ । ପରମେଶ୍ବର ଗାଦ୍ ଭବିଷ୍ୟତବକ୍ତାଙ୍କ ମାଧ୍ୟମରେ ଦାଉଦଙ୍କୁ, ଯିହୁଦା ଦେଶକୁ ଯାଇ ଜନସାଧରଣଙ୍କ ନିକଟରେ ଆତ୍ମପ୍ରକାଶ କରିବା ପାଇଁ କହିଲେ । ସଦାପ୍ରଭୁ ଯେ ତାଙ୍କର ସହବର୍ତ୍ତୀ ଏହା ଜାଣି ସେ ଆଉ ନିଜକୁ ଅସୁରକ୍ଷିତ ମନେ କଲେ ନାହିଁ । 


ଆତ୍ମ ନିର୍ଭରଶୀଳତା : 

ରାଜା ଶାଉଲ, ଦାଉଦ ଓ ତାଙ୍କର ସଙ୍ଗୀମାନଙ୍କ ବିଷୟରେ ସନ୍ଧାନ ପାଇଲେ ନାହିଁ । ଏହାପରେ ତାଙ୍କର ଦାସ ଦୋୟେଗ୍ ଠାରୁ ଶୁଣିଲେ ଯେ, ଯାଜକ ଅହୀମେଲକ ତାଙ୍କୁ ଖାଦ୍ୟ ଏବଂ ଗଲୀୟାତ ଖଡ୍ଗ ଦେଇଛନ୍ତି । ଏଥିରେ ଖୁବ୍ ରାଗିଯାଇ, ତାଙ୍କ ବଂଶର ୮୫ ଜଣ ଯାଜକ ଓ ନୋବ ନଗରର ସମସ୍ତ ପୁରୁଷ, ସ୍ତ୍ରୀ, ନିରୀହ ଶିଶୁ, ଗୃହପାଳିତ ପଶୁ ସମସ୍ତଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ । ଅହୀମେଲକ ଯାଜକଙ୍କର, ଅବିୟାଥର ନାମକ ଗୋଟିଏ ପୁତ୍ର ଖସି ପଳାଇ ଆସି, ଦାଉଦଙ୍କ ନିକଟରେ ଆଶ୍ରୟ ନେଲା । 


ପରଶ୍ରୀକାତରତା ଶାଉଲଙ୍କୁ, ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ରକ୍ତପାତ କରିବାକୁ ପ୍ରବର୍ତ୍ତାଇ ଥିଲା । ଅପରପକ୍ଷରେ ଦାଉଦଙ୍କର ନମ୍ରତା, ସହୁଷ୍ଣୁତା, ଧୈର୍ଯ୍ୟ ଓ ପରମେଶ୍ବରଙ୍କ ଇଚ୍ଛା ଉପରେ ନିର୍ଭରଶୀଳତା ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା ।  

ସଠିକ୍ ସିଦ୍ଧାନ୍ତ

 ସଠିକ୍ ସିଦ୍ଧାନ୍ତ

ଆଜିର ଚିନ୍ତା

୧ମ ଶାମୁୟେଲ ୨୧: ୧-୧୫


ମୁଁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଚିତ୍ ସିଦ୍ଧାନ୍ତ ନେଇପାରିଥାଏ  କି?


ଜୀବନ ଯାତ୍ରା ପଥରେ ଅଗ୍ରସର ହେଉ ହେଉ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ସେତେବେଳେ ବିଚଳିତ ହୋଇ ଆପଣା ସୁବିବେଚନା ଉପରେ ଆଉଜି ପଡୁ, ପୁଣି ଭୁଲ୍ ସିଦ୍ଧାନ୍ତ ମଧ୍ୟ ନେଇଥାଉ । ଦାଉଦ କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତିରେ କିପରି ସଠିକ୍ ସିଦ୍ଧାନ୍ତ ସବୁ ନେଇପାରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ଅଟେ । 


ଯୁକ୍ତିଯୁକ୍ତ ସିଦ୍ଧାନ୍ତ (୧) : 

ସଦାପ୍ରଭୁ ଦାଉଦଙ୍କର ସହିତରେ ଥିଲେ । ସମଗ୍ର ଇସ୍ରାଏଲ ଓ ଯିହୁଦା ତାଙ୍କୁ ପ୍ରେମ କରୁଥିଲେ । ସେ ବୁଦ୍ଧିମତ୍ତାର ସହିତ ସମସ୍ତ କାର୍ଯ୍ୟ କରିପାରୁଥିଲେ । ସେ ଚାହିଁଥିଲେ  ଶାଉଲଙ୍କ ବିରୁଦ୍ଧରେ  ଯୁଦ୍ଧ ଘୋଷଣା କରି ରାଜସିଂହାସନର ଅଧିକାରୀ ହୋଇପାରିଥା'ନ୍ତେ  । ମାତ୍ର ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜାଙ୍କୁ ବଧ ନ କରିବାକୁ ସେ ସ୍ଥିର କଲେ । ତାଙ୍କ ହୃଦୟରେ ରାଜସିଂହାସନର ଲୋଭ ନ ଥିଲା । ନିଜ ବନ୍ଧୁଙ୍କର ପିତା, ନିଜ ସ୍ତ୍ରୀଙ୍କର ପିତା ବିରୁଦ୍ଧରେ ଯିବା ପାଇଁ ସେ ଚାହିଁ ନ ଥିଲେ । ନିଜେ କଷ୍ଟ ସ୍ଵୀକାର କରି, ଅନ୍ୟତ୍ର ପଳାୟନ କରିବା ଶେୟସ୍କର ବୋଲି ସିଦ୍ଧାନ୍ତ ନେଲେ । ଏହା ଦାଉଦଙ୍କର ନମ୍ରତା ଓ ମହନୀୟତାକୁ ପ୍ରମାଣିତ କରେ । ଶାନ୍ତି ସ୍ଥାପନ ପାଇଁ ଏହା ଥିଲା ତାଙ୍କର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ।


ସିଦ୍ଧାନ୍ତ (୨) : 

ଦାଉଦଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ ପ୍ରେମ ଥିଲା । ତାଙ୍କ ସହିତ ଥିବା ଅନ୍ୟ ଯୁବାମାନଙ୍କ ପାଇଁ ସେ ଖାଦ୍ୟ ଖୋଜିବାକୁ ଗଲେ । ଅହୀମେଲକ ଯାଜକଙ୍କଠାରୁ ଦର୍ଶନୀୟ ରୋଟି ମାଗି ଆଣି ସେମାନଙ୍କୁ ଖୁଆଇଲେ ।  ସଦାପ୍ରଭୁ ତାଙ୍କ ସହିତ ଥିବାରୁ,ଏହା ସେ ପ୍ରାପ୍ତ ହୋଇପାରିଥିଲେ । ପୁଣି ତାଙ୍କର ସଙ୍ଗୀମାନଙ୍କର ପ୍ରାଣ ରକ୍ଷା ହୋଇପାରିଥିଲା ।


ସିଦ୍ଧାନ୍ତ (୩) :

 ଦାଉଦ ଆତ୍ମଗୋପନ କରି ପଲେଷ୍ଟୀୟମାନଙ୍କ ନଗର ଗାଥରେ ପହଞ୍ଚିଲେ । ଆଖୀଶଙ୍କର ଦାସମାନେ ତାଙ୍କୁ ଚିହ୍ନିପାରି ତାଙ୍କର ବିଷୟରେ ରାଜାଙ୍କ ସମ୍ମୁଖରେ ବ୍ୟାଖ୍ୟା କଲେ।  ଦାଉଦ ନିଜକୁ ଗୋପନ ରଖିବା ପାଇଁ ଚତୁରତାର ସହିତ ପାଗଳର ଅଭିନୟ କରି ସେଠାରୁ ଖସି ଆସିଲେ ।


ସଦାପ୍ରଭୁ ଯାହାର ଆଶ୍ରୟ ଓ ବଳ ସେ କେବେହେଁ ବିଚଳିତ ହେବ ନାହିଁ । ଯେତେ ପ୍ରତିକୂଳ ପରିସ୍ଥିତିହେଉନା କାହିଁକି, ପ୍ରଭୁଙ୍କ ଉପରେ ନିର୍ଭର ରଖି ସଠିକ୍ ସିଦ୍ଧାନ୍ତ ନେବାକୁ ଆମେ ଯତ୍ନବାନ୍ ହେଉ ।

ନିଃସ୍ୱାର୍ଥପର ବନ୍ଧୁ

 ନିଃସ୍ୱାର୍ଥପର ବନ୍ଧୁ

ଆଜିର ଚିନ୍ତା

୧ ଶାମୁୟେଲ ୨୦:୨୪-୪୨

ମୁଁ ସ୍ୱାର୍ଥ ଚିନ୍ତା ନ କରି, ସତ୍ୟର ସପକ୍ଷରେ ଠିଆ ହୁଏ କି ? 


ରାଜା ଶାଉଲଙ୍କର ସ୍ୱାର୍ଥପର ମନୋଭାବ ନିକଟରେ ଯୋନାଥନଙ୍କର ନିଃସ୍ୱାର୍ଥପର ବନ୍ଧୁତା ବିଜୟ ଲାଭ କରିଥିଲା ।

ସତ୍ୟର ସପକ୍ଷବାଦୀ ଯୋନାଥାନ :

ଦାଉଦ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ । ଶାଉଲଙ୍କ ବିରୁଦ୍ଧରେ କୌଣସି ପାପ କରି ନ ଥିଲେ । ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଦାଉଦଙ୍କୁ ଛିଡ଼ା କରାଇ ଇସ୍ରାଏଲ ନିମନ୍ତେ ମହାଉଦ୍ଧାର ସାଧନର ବ୍ୟବସ୍ଥା କରିସାରିଥିଲେ । ଏହା ଯୋନାଥାନ ସ୍ପଷ୍ଟଭାବେ ଜାଣିସାରିଥିଲେ । ସେଥିପାଇଁ ତାଙ୍କର ପ୍ରାଣ ଦାଉଦଙ୍କ ପ୍ରାଣରେ ସଂଲଗ୍ନ ହୋଇସାରିଥିଲା । ଶାଉଲ ସିଂହାସନ ହରାଇବା ସହିତ, ତାଙ୍କର ଉତ୍ତରାଧିକାରୀମାନେ ମଧ୍ୟ ତାହା ଭୋଗ କରିପାରିବେ ନାହିଁ, ଏହି ବିଷୟ ତାଙ୍କୁ ହିତାହିତ ଜ୍ଞାନଶୂନ୍ୟ କରି ଦେଇଥିଲା । ସଦାପ୍ରଭୁ ଦାଉଦଙ୍କୁ ମନୋନୀତ କରିସାରିଛନ୍ତି । ଏହା ଅନ୍ୟଥା ମଧ୍ୟ ହୋଇପାରିବ ନାହିଁ । ଶାଉଲ ରାଜସିଂହାସନର ଲୋଭରେ ଅନ୍ଧ ହୋଇସାରିଥିଲେ । ଯୋନାଥନ ଯେ ଦାଉଦଙ୍କ ସପକ୍ଷବାଦୀ ତାହା ମଧ୍ୟ ଜାଣିସାରିଥିଲେ । ଯୋନାଥନଙ୍କ ମନରେ ରାଜସିଂହାସନ ହରାଇବାର ଭୟ ଦେଖାଇ ଦାଉଦଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଶାଉଲ ପ୍ରବର୍ତ୍ତାଇଲେ । ନିଃସ୍ୱାର୍ଥପର ଯୋନାଥନ ସତ୍ୟ ଓ ନ୍ୟାୟର ସପକ୍ଷରେ ଠିଆ ହେବାକୁ ଭୟ କଲେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଜ୍ଞାନୁସାରେ, ଦାଉଦଙ୍କୁ ଲୁଚି ପଳାଇବାରେ ସାହାଯ୍ୟ କଲେ । ନିଜ ଜୀବନକୁ ପ୍ରିୟଜ୍ଞାନ ନ କରି ଦାଉଦଙ୍କ ସପକ୍ଷରେ ଆପଣା ପିତା ଶାଉଲଙ୍କ ନିକଟରେ ମନ୍ତବ୍ୟ ରଖିଥିଲେ । 


ବିଦାୟକାଳୀନ ଦୃଶ୍ୟ :

ଶେଷରେ ଯୋନାଥନ ଓ ଦାଉଦ ପରସ୍ପରଠାରୁ ବିଦାୟ ନେଲେ । ସେହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ମର୍ମାନ୍ତିକ ଥିଲା । ଏହିପରି ଜଣେ ପ୍ରେମିକ ନିଃସ୍ୱାର୍ଥପର ବନ୍ଧୁଙ୍କ ଆଗରେ ଦାଉଦଙ୍କର ମଥା ନମ୍ରତାର ସହିତ ନତ ହେଲା । ସେ ତିନିଥର ଆପଣା ବନ୍ଧୁଙ୍କୁ ଭୂମିଷ୍ଟ ପ୍ରଣାମ କଲେ । ସେମାନେ ପରସ୍ପରକୁ ଚୁମ୍ବନ କରି ରୋଦନ କଲେ । ଦାଉଦଙ୍କ ଚକ୍ଷୁରୁ କୃତଜ୍ଞତାର ଅଶ୍ରୁ ଝରିପଡ଼ିଲା । ଅତି ସୁନ୍ଦର ଭାବରେ ସେଥିପାଇଁ ଲେଖାଯାଏ, "ମାତ୍ର ଦାଉଦ ବଳି ପଡ଼ିଲେ" । ସେମାନେ ସଦାପ୍ରଭୁଙ୍କୁ ନିଜର ମଧ୍ୟବର୍ତ୍ତୀ ବୋଲି ସ୍ଵୀକାର କରିଥିଲେ । 


ସେହିପରି ଆମର ପରମ ବନ୍ଧୁ ଯେ ଖ୍ରୀଷ୍ଟ, ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ନିତ୍ୟ ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରିବା ପାଇଁ ନିବେଦନ ପ୍ରାର୍ଥନା କରିଆସୁଛନ୍ତି । ଆମେ ତାଙ୍କ ପାଖରେ କୃତଜ୍ଞ କି ? 

ଘନିଷ୍ଟ ବନ୍ଧୁ

 ଘନିଷ୍ଟ ବନ୍ଧୁ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୦:୧-୨୩


ଅନ୍ୟମାନଙ୍କ ସହିତ ମୋର ବନ୍ଧୁତା ଜାଗତିକ ସ୍ୱାର୍ଥ ଉପରେ ଆଧାରିତ କି? 


ପ୍ରକୃତ ବନ୍ଧୁତା, ପ୍ରେମର ନିବିଡତା ଓ ସରଳ ବିଶ୍ଵାସ ଉପରେ ଆଧାରିତ । ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ସେହିପରି ବନ୍ଧୁତା ଥିଲା  । ବର୍ତ୍ତମାନ ଜଗତରେ ଖ୍ରୀଷ୍ଟଙ୍କ ବିନା ସେପରି ବନ୍ଧୁ ଆଉ କେହି ନାହାଁନ୍ତି । ବିପଦ ସମୟରେ ଆମର ଅସହାୟତାର ହାତ କେବଳ ଆମର ପରମବନ୍ଧୁ ଖ୍ରୀଷ୍ଟ ହିଁ ଧରିଥା' ନ୍ତି । 


ଉତ୍ତମ ବନ୍ଧୁର ପରିଚୟ : 

ଦାଉଦ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଥିଲେ । ସଦାପ୍ରଭୁଙ୍କ ଉପରେ ତାଙ୍କର ନିର୍ଭର ଥିଲା ।  ଈଶ୍ଵର ଜଗତ କ୍ଷେତ୍ରରେ ତାଙ୍କୁ ଜଣେ ଉପଯୁକ୍ତ ବନ୍ଧୁ ଭାବରେ ଯୋନାଥନଙ୍କୁ ଯୋଗାଇଥିଲେ । ପଠିତ ଶାସ୍ତ୍ରାଂଶରେ ଆମେ ଯୋନାଥନଙ୍କ ଉପରେ ଦାଉଦଙ୍କର ବିଶ୍ଵାସ, ଭରସା ଓ ପ୍ରେମ ଦେଖିବାକୁ ପାଉଛୁ । ଦାଉଦ ସେଥିପାଇଁ ନିର୍ଭୟରେ ଶାଉଲଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ତାଙ୍କୁ ଜଣାଇବାକୁ ଭୟ କଲେ ନାହିଁ । ସେ ଯୋନାଥନଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ । ଆଉ ଯୋନାଥନ ତାଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, "ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି" । ଆମର ଛୋଟ ବଡ ସମସ୍ୟାସବୁକୁ ନେଇ, ଆମେ ଯେତେବେଳେ ଆମର ପରମବନ୍ଧୁ ଖ୍ରୀଷ୍ଟଙ୍କ ନିକଟକୁ ଯାଉ, ତାଙ୍କ ସହିତ କଥାବାର୍ତ୍ତା କରୁ, ସେ ସମସ୍ୟାର ସମାଧାନରେ ସହାୟକ ହୁଅନ୍ତି ।


ଉତ୍ତମ ବନ୍ଧୁର ମନୋଭାବ : 

ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ ମଙ୍ଗଳସାଧନ କରିବାରେ ନିହିତ ଥାଏ । ଯୋନାଥନ ରାଜପୁତ୍ର ହେଲେ ମଧ୍ୟ ନିଃସ୍ଵାର୍ଥପର ଭାବରେ ନିଜ ବନ୍ଧୁର ମଙ୍ଗଳ ସାଧନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ସଦାପ୍ରଭୁ ଯେପରି ତାଙ୍କର ପିତାଙ୍କର ସଙ୍ଗୀ ହୋଇଅଛନ୍ତି, ସେପରି ଦାଉଦଙ୍କର ସହବର୍ତ୍ତୀ ହେଉନ୍ତୁ ବୋଲି ମଙ୍ଗଳ କାମନା କଲେ । ଦାଉଦଙ୍କୁ ସେ ଆପଣା ପ୍ରାଣ ସମାନ ପ୍ରେମ କରୁଥିଲେ । ସେଥିପାଇଁ ଯଦି ସେ ତାଙ୍କ ପିତାଙ୍କର ଇଚ୍ଛା ନ ଜଣାଇବେ, ତେବେ ସେ ସଦାପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହେବେ ବୋଲି ଶପଥ କଲେ । ଦାଉଦଙ୍କ ନିକଟରେ ଯୋନାଥନ ମଧ୍ୟ ଆପଣାର ବିନତି ଜଣାଇଲେ ।


ସଦାପ୍ରଭୁ ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଆପଣାର ବନ୍ଧୁ ରୂପେ ଗ୍ରହଣ କରିଛନ୍ତି । ଆମ୍ଭମାନଙ୍କ ସହିତ ଆପଣା ପ୍ରତିଜ୍ଞା ରକ୍ଷା କରିବାରେ ସେ ସଦାବିଶ୍ଵସ୍ତ ଅଟନ୍ତି । ସେ ଆମ୍ଭମାନଙ୍କର ମୁକ୍ତିର ମୂଲ୍ୟ ସ୍ବରୂପ ହୋଇଅଛନ୍ତି ପୁଣି ଆମ୍ଭମାନଙ୍କର ନିରାପତ୍ତାର ଭାର ବହନ କରିଛନ୍ତି ।

ସଦାପ୍ରଭୁ ରକ୍ଷକ

 ସଦାପ୍ରଭୁ ରକ୍ଷକ

ଆଜିର ଚିନ୍ତା

୧ ଶାମୁୟେଲ ୧୯:୧-୨୪

ମୁଁ କ'ଣ ସଦାପ୍ରଭୁଙ୍କ ସୁରକ୍ଷା ଉପରେ ନିର୍ଭର ରଖେ ?


ଆଜିର ଶସ୍ତ୍ରାଂଶରେ ପ୍ରଭୁ ଯେ ଆମକୁ ସମସ୍ତ ଗତିରେ ସୁରକ୍ଷା ଦେବାକୁ ସମର୍ଥ ତାହା ଦାଉଦଙ୍କ ଜୀବନ ମାଧ୍ୟମରେ ପ୍ରକାଶ କରିଛନ୍ତି ।


ଘନିଷ୍ଟ ବନ୍ଧୁର ଆଚରଣ :

ଯୋନାଥନ ଦାଉଦଙ୍କ ଅତି ଅନ୍ତରଙ୍ଗ ବନ୍ଧୁ ଥିଲେ । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେ ଦାଉଦଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଡ଼ାଇଥିଲେ ଏବଂ ଏଥିପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ । ଈଶ୍ଵର ହେଉଛନ୍ତି ଆମର ଉତ୍ତମ ବନ୍ଧୁ । ସେ ଅବ୍ରାହମ୍ ଙ୍କ ବନ୍ଧୁ ଥିଲେ । ଗୀତ ରଚକ କହନ୍ତି "ଯେ ତୁମକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ….. କି ନିଦ୍ରା ଯିବେ ନାହିଁ"ଯୀଶୁ ଆମର ଘନିଷ୍ଟ ବନ୍ଧୁ, କାରଣ ସେ ଆମକୁ ପ୍ରେମ କରି ଆମ ପାଇଁ ନିଜର ପ୍ରାଣଦାନ କରି ବନ୍ଧୁର ପରିଚୟ ଦେଇଛନ୍ତି (ଯୋହନ ୧୫:୧୩-୧୪) । ମୁଁ ଯୀଶୁଙ୍କୁ ନିଜର ଘନିଷ୍ଟ ବନ୍ଧୁ ହିସାବରେ ମୋ ହୃଦୟରେ ଗ୍ରହଣ କରିପାରିଛି କି ?


ଜ୍ଞାନବତୀ ସ୍ତ୍ରୀର ଅବଦାନ : 

ଦାଉଦଙ୍କୁ ଶାଉଲଙ୍କ ହାତର ରକ୍ଷା କରିବା ଲାଗି ସର୍ବଦର୍ଶୀ ପରମେଶ୍ୱର ମିଖଲଙ୍କୁ ତାଙ୍କ ସ୍ତ୍ରୀ ଭାବେ ଯୋଗାଇଥିଲେ । ବାକ୍ୟରେ ଲେଖାଯାଏ "ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥାଇ" (ହିତ ୧୪:୧) । ଆହୁରି ମଧ୍ୟ ଲେଖାଯାଏ "ଯେଉଁ ଲୋକ ଭାର୍ଯ୍ୟା ପାଏ….ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ" (ହିତ ୧୮:୨୨) । ନିଜ ପାଇଁ ବିପଦ ଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ ନ କରି ମୀଖଲ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଶାଉଲଙ୍କ ଠାରୁ ଦାଉଦଙ୍କ ଜୀବନକୁ ରକ୍ଷା କରିଥିଲେ । ହେଲେ ଆଜିର ଜଗତ ସେପରି ସ୍ତ୍ରୀ ମାନଙ୍କୁ ଚାହିଁ ନ ଥାଏ । କେବଳ ଉଚ୍ଚ ଶିକ୍ଷା, ରୂପ ସୌନ୍ଦର୍ଯ୍ୟ, ପରିବାର ମର୍ଯ୍ୟାଦା ଆଦିକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ୧ ପିତର ୩:୩-୪ ରେ ଲେଖାଯାଏ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ଵଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ସ୍ତ୍ରୀ ମାନଙ୍କ ଅକ୍ଷୟ ଭୂଷଣ ହେଉ । ଆମେ ଯଦି ସୁରକ୍ଷା ପାଇବାକୁ ଚାହୁ, ତେବେ ସଦାପ୍ରଭୁଙ୍କ ଡେଣା ତଳେ ଆଶ୍ରୟ ନେବା । ଗୀତ ୩୨:୭ ରେ ଲେଖାଯାଏ ତୁମ୍ଭେ ସଙ୍କଟରୁ ମତେ ରକ୍ଷା କରିବ …. ।

ବିଜୟୀର ପୁରସ୍କାର

 ବିଜୟୀର ପୁରସ୍କାର

ଆଜିର ଚିନ୍ତା

୧ ଶାମୁୟେଲ ୧୮:୧-୧୬

ମୁଁ ଆଜି ପାପ ଉପରେ ବିଜୟ ଲାଭ କରିପାରିଛି କି ? 


ଦାଉଦଙ୍କୁ ଶାଉଲ ଏବଂ ତାଙ୍କ ଲୋକମାନେ ପ୍ରଥମେ ଭଲ ଭାବରେ ଜାଣି ନ ଥିଲେ କିନ୍ତୁ ଗଲୀୟାତକୁ ବଧ କଲା ଉତ୍ତାରେ ସମସ୍ତେ ତାଙ୍କୁ ଜାଣିଲେ ଓ ତାଙ୍କର ସୁଖ୍ୟାତି ଚାରିଆଡ଼େ ବ୍ୟାପିଗଲା । 


ବିଜୟ ସମ୍ମାନ ପ୍ରଦାନ କରେ :

ଗଲୀୟାତକୁ ବଧ କଲା ପରେ ଦାଉଦଙ୍କର ସମ୍ମାନ ଓ ଖ୍ୟାତି ବୃଦ୍ଧି ପାଇଲା l ଶାଉଲଙ୍କ ପ୍ରଶ୍ନ "ଏ ଯୁବା କାହାର ପୁଅ" ଇଙ୍ଗିତ କରେ ଯେ, ଦାଉଦଙ୍କ ସଫଳତାରେ ତାଙ୍କ ପିତାମାତା ମଧ୍ୟ ସମ୍ମାନ ଓ ଗୌରବର ଅଧିକାରୀ ହୋଇଥିଲେ । ଏଥି ସହ ଯୋନାଥାନଙ୍କ ପରି ଜଣେ ଉତ୍ତମ ବନ୍ଧୁଙ୍କୁ ପାଇଲେ, ଯେ ଦାଉଦଙ୍କୁ ଆପଣା ଚୋଗା, ବସ୍ତ୍ର, ଖଡ୍ଗ, ଧନୁ ଓ କଟିବନ୍ଧନ ଦେଇ ନିଜ ପ୍ରାଣଠାରୁ ଅଧିକ ପ୍ରେମ କଲେ । ଶାଉଲ ଯୋଦ୍ଧାମାନଙ୍କ ଉପରେ ଦାଉଦଙ୍କୁ ନିଯୁକ୍ତି ଦେଲେ ଏବଂ ଶେଷରେ ଶାଉଲଙ୍କର ସେ ସେନାପତି ହେଲେ । ସର୍ବୋପରି ସମସ୍ତ ଇସ୍ରାଏଲ ଓ ଯିହୂଦାର ଲୋକମାନେ ଦାଉଦଙ୍କୁ ପ୍ରେମ କଲେ ।


ଈର୍ଷା ଶତ୍ରୁତା ସୃଷ୍ଟି କରେ :

ପଲେଷ୍ଟୀୟମାନଙ୍କୁ ବଧ କରି ଫେରିବା ବେଳେ ସ୍ତ୍ରୀ ମାନଙ୍କ ପ୍ରଶଂସା "ଶାଉଲ….. ଦାଉଦ ବଧ କଲେ ଅୟୁତ ଅୟୁତ" ଶୁଣି ଶାଉଲ ଈର୍ଷାନ୍ଵୀତ ହୋଇ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କୁଦୃଷ୍ଟି ରଖିଲେ । ଶତ୍ରୁ ହୋଇ ନିଜର ବର୍ଚ୍ଛା ଦ୍ଵାରା ଦାଉଦଙ୍କୁ ଦୁଇଥର ଆକ୍ରମଣ କରିଥିଲେ । ମାତ୍ର ସଦାପ୍ରଭୁ ଦାଉଦଙ୍କୁ ରକ୍ଷା କରିଥିଲେ । ଏହି ଈର୍ଷା ମନୋଭାବ ଯୋଗୁଁ ଶାଉଲଙ୍କର ଅବନତି ଘଟିଥିଲା । ବାକ୍ୟରେ ଲେଖାଯାଏ "ଈର୍ଷା ହାଡ଼ର କ୍ଷୟ ସ୍ଵରୂପ" (ହିତ ୧୪:୩୦ଖ) । ଏହି ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି, ପ୍ରତିଶୋଧ ପରାୟଣ ନ ହୋଇ ଦାଉଦ ନିଜର କର୍ତ୍ତବ୍ୟ ଯଥାର୍ଥ ଭାବେ ସମ୍ପନ୍ନ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ମୁଁ କ'ଣ ଭାଙ୍ଗି ପଡ଼େ ନା ତା'ର ମୁକାବିଲା କରିବାକୁ ପ୍ରଭୁଙ୍କ ଦୟା ସିଂହାସନରୁ ଶକ୍ତି ସଂଗ୍ରହ କରି ଯଥାର୍ଥ କାର୍ଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ ରଖେ । 

ଅବିଶ୍ବାସ ଭୟ ଆଣେ

 ଅବିଶ୍ବାସ ଭୟ ଆଣେ 

ଆଜିର ଚିନ୍ତା

୧ଶାମୁୟେଲ ୧୭:୧-୨୭

ପ୍ରତିକୂଳ ପରିସ୍ଥିତିରେ ମୁଁ ଭୟଭୀତ ହୁଏ କି ?


ମନୁଷ୍ୟ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ଵାସ ନ କରିବା ହେତୁ ଆମେ ଭୟଭୀତ ଓ ପରାଜିତ ହୋଇଥାଉ । 


ଭୟଭୀତ ଇସ୍ରାଏଲ :

 ଗଲିୟାତର ଶାରୀରିକ ଗଠନ, ସାଜସଜ୍ଜା ଓ ଅସ୍ତ୍ରଶସ୍ତ୍ର ଦେଖି ପୁଣି ତା'ର ବିକଟାଳ ରଣହୁଙ୍କାର ଶୁଣି, ଶାଉଲ ଓ ସମସ୍ତ ଇସ୍ରାଏଲ ସୈନ୍ୟମାନେ ଅତିଶୟ ହତାଶ ଏବଂ ଭୟଭୀତ ହୋଇଥିଲେ । କାରଣ ଈଶ୍ୱରଙ୍କ ଦ୍ଵାରା ସାଧିତ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟକୁ ସେମାନେ  ଭୁଲି ଯାଇଥିଲେ । ସେମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ନିଜର ବାହୁବଳ ଉପରେ ନିର୍ଭର କରୁଥିଲେ, ଫଳରେ ଗଲିୟାତ ଚାଳିଶଦିନ ଧରି ପ୍ରାତଃକାଳରେ ଏବଂ ସନ୍ଧ୍ୟାକାଳରେ ସେମାନଙ୍କୁ ଉପହାସ କରିବାକୁ ସୁଯୋଗ ପାଇଥିଲା ଓ ଈଶ୍ଵର ଅଗୌରବାନ୍ଵିତ ହୋଇଥିଲେ ।


ସତ୍ ସାହସୀ ଦାଉଦ :

ପ୍ରଚୁର ଧନ, କନ୍ୟା ସହିତ ବିବାହ ଓ ତାହାର ପିତୃଗୃହକୁ ନିଷ୍କର କରିବା ଆଦି ଲୋଭନୀୟ ପୁରସ୍କାର ପାଇଁ ନୁହେଁ ବରଂ ନିଜ ଲୋକମାନଙ୍କର ପୁଣି ଜୀବିତ ପରମେଶ୍ୱରଙ୍କର ଅପମାନ ଦାଉଦଙ୍କୁ ଗଭୀର ଆଘାତ ଓ ଗଲୀୟାତ ସହ ଯୁଦ୍ଧ କରିବାକୁ ପ୍ରେରଣା ଯୋଗାଇଥିଲା । ଆଜି ଗଲୀୟାତ ପରି ଅନେକ  ବିଷୟମାନ ଆମ ଜୀବନରେ ଏପରି କଠୋର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ନିରାଶ ହତାସ କରିଥାଏ । ଏପରି ଘଡିସନ୍ଧି ସମୟରେ, ଭୟ ନ କରି ବିଶ୍ଵାସରେ ସ୍ଥିର ରହି ଶୟତାନର ପ୍ରତିରୋଧ କରିବା ଆମ ସମସ୍ତ ଖ୍ରୀଷ୍ଟିୟାନର କର୍ତ୍ତବ୍ୟ । କେବଳ ସଦାପ୍ରଭୁଙ୍କ ଉପରେ ବିଶ୍ଵାସ ଓ ପ୍ରାର୍ଥନାରେ ନିର୍ଭର ରଖିବା ଦ୍ଵାରା ହିଁ ଆମେ ଜୟଯୁକ୍ତ ହୋଇପାରିବା । ଇସ୍ରାଏଲୀୟମାନେ ଗଲୀୟାତର ଉଚ୍ଚତାକୁ ଦେଖୁଥିଲେ ମାତ୍ର ଜୀବିତ ଈଶ୍ୱରଙ୍କ ମହାନତାକୁ ନୁହେଁ, ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ପରମେଶ୍ୱର ଆମ୍ଭର ଆଶ୍ରୟ ଓ ବଳ ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ" (ଗୀତ ୪୬:୧) । ତେଣୁ ଆମ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଆମେ ଭୟ ନ କରି ପ୍ରଭୁ ଯୀଶୁଙ୍କଠାରେ ଭରସା ରଖିବା ଦ୍ଵାରା ବିଜୟୀ ହୋଇପାରିବା । ମୋ' ଜୀବନରେ ଏହା ଦେଖାଯାଏ କି ?

ଈଶ୍ୱରଙ୍କ ମନୋନୟନ

ଈଶ୍ୱରଙ୍କ ମନୋନୟନ 

ଆଜିର ଚିନ୍ତା

୧ଶାମୁୟେଲ ୧୬:୧-୨୩

ମୋ' ଅନ୍ତଃକରଣ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଅଟେ କି ?

ଈଶ୍ଵର ଶାମୁୟେଲଙ୍କୁ ଶାଉଲଙ୍କ ପାଇଁ ଆଉ ରୋଦନ ନ କରି ଇସ୍ରାଏଲ ନିମନ୍ତେ ମନୋନୀତ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଅଭିଷେକ କରିବାକୁ ଆଦେଶ ଦେଇଥିଲେ । 

ଅନ୍ତଃକରଣଦର୍ଶୀ ଈଶ୍ଵର :

ଏହି କାର୍ଯ୍ୟ ଶାମୁୟେଲଙ୍କ ନିମନ୍ତେ ଅତି ବିପଦପୂର୍ଣ୍ଣ ଓ କଷ୍ଟକର ଥିଲା । ମାତ୍ର ଈଶ୍ଵର ତାଙ୍କୁ ବେଥଲିହିମସ୍ଥ ଯିଶୀଙ୍କ ଗୃହକୁ ଯାଇ ଯଥାର୍ଥ ଭାବରେ ସେହି କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ଈଶ୍ୱରଙ୍କ ବାଧ୍ୟ ହେବା ଆମକୁ ଅନେକ ସମୟରେ କଠିନ ପରି ମନେ ହେଲେ ମଧ୍ୟ, ଆମେ ଯଦି ନିଜ ବା ଅନ୍ୟ ଉପରେ ନିର୍ଭର ନ କରି, ପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବା, ସେ ଆମକୁ ତାଙ୍କ କାର୍ଯ୍ୟ ସାଧନ କରିବାକୁ ଶକ୍ତି, ଜ୍ଞାନ ଓ ସାହସ ଦେବେ । ଶାମୁୟେଲ ଯିଶୀଙ୍କର ପୂତ୍ରମାନଙ୍କୁ ଦେଖିବା ସମୟରେ ଈଶ୍ଵର ସେମାନଙ୍କର ବାହ୍ୟରୂପକୁ ନ ଦେଖି ବିଚାର କରିବାକୁ କହିଥିଲେ ଓ ଦାଉଦଙ୍କୁ ରାଜାଭିଷେକ କରିବାକୁ ଆଦେଶ ଦେଇଥିଲେ । ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ଈଶ୍ଵର ଅନ୍ତଃକରଣକୁ ଦେଖିପାରନ୍ତି ଓ ବୁଝିପାରନ୍ତି । ତେଣୁ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସେହିଭଳି ହେବା ଉଚିତ୍ । ଈଶ୍ୱରଙ୍କ ପସନ୍ଦ ଯୋଗ୍ୟ ହେବା ସମୟରେ ନିମନ୍ତେ ଆମର ଅନ୍ତଃକରଣକୁ ପରିଷ୍କାର କରି ପବିତ୍ରତାର ସୌନ୍ଦର୍ଯ୍ୟରେ ସଜା ହେବା ଆବଶ୍ୟକ ।

ସୁଯୋଗର ସଦବ୍ୟବହାର :

ଅବାଧ୍ୟତା ହେତୁ ଈଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଛାଡ଼ି ଚାଲିଗଲେ ଓ ଏକ ମନ୍ଦ ଆତ୍ମା ତାଙ୍କ ଅନ୍ତରରେ ପ୍ରବେଶ କରି ତାଙ୍କୁ ବିରକ୍ତ କରିବାକୁ ଲାଗିଲା । ଏଣୁ ଶାଉଲଙ୍କ ସମ୍ମୁଖରେ ଠିଆ ହୋଇ ବୀଣାବାଦନ କରିବାକୁ ଜଣେ ନିପୁଣ ବୀଣା ବାଦକଙ୍କ ଅନ୍ୱେଷଣ କରାଗଲା ଓ ଦାଉଦଙ୍କୁ ଏଥି ନିମନ୍ତେ ବଛାଗଲା । ଶାଉଲ ତାଙ୍କୁ ନିଜର ଅସ୍ତ୍ରବାହକ ରୂପେ ନିଯୁକ୍ତି ଦେଇଥିଲେ । ଦାଉଦଙ୍କଠାରେ ସଦାପ୍ରଭୁଙ୍କ ଆତ୍ମା ବାସ କରୁଥିଲେ, ତେଣୁ ଦାଉଦଙ୍କ ସଙ୍ଗତି ପାଇଁ ଶାଉଲଙ୍କ ଶରୀରରୁ ମନ୍ଦ ଆତ୍ମା ଚାଲି ଯାଉଥିଲା । ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ସଦାପ୍ରଭୁଙ୍କ ଆତ୍ମା ଯାହାଠାରେ ଅଧିଷ୍ଠାନ କରନ୍ତି ସେ……... କ୍ଷତ ବାନ୍ଧି ପାରେ" (ଯିଶାୟ ୬୧:୧) । ସଦାପ୍ରଭୁ ଦାଉଦଙ୍କୁ ଜଣେ ସୁୁଶାସକ ହେବା ପାଇଁ ତାଲିମ୍ ଦେଇଥିଲେ । ଦାଉଦଙ୍କ ପରି ଆମେ ଯଦି ଆମର ପ୍ରତିଭାକୁ ତାଙ୍କ ପାଇଁ ବ୍ୟବହାର କରୁ ତାହା ଅନେକଙ୍କ ଆତ୍ମିକ ସୁସ୍ଥତା ଦିଗରେ ମହା ଔଷଧ ରୂପେ କାର୍ଯ୍ୟ କରିବ । 

ଉତ୍ତମ ଯୁଦ୍ଧରେ ପ୍ରାଣପଣ

 ଉତ୍ତମ ଯୁଦ୍ଧରେ ପ୍ରାଣପଣ

ଆଜିର ଚିନ୍ତା

ପ୍ରେରିତ ୨୮:୧୭-୩୧

ଜଗତର ଏହି ଶେଷ ସମୟରେ ମୁଁ ଈଶ୍ୱରଙ୍କ ମନରମତ ଜୀବନ କାଟୁଛି କି ?


ବନ୍ଦୀ ଅବସ୍ଥାରେ, ଦୀର୍ଘ ଦୀନ ଜଳଯାତ୍ରା ପରେ ପାଉଲ ରୋମ ସାମ୍ରାଜ୍ୟର ପ୍ରମୁଖ ଶକ୍ତି କେନ୍ଦ୍ରରେ ପହଞ୍ଚିଛନ୍ତି । ଏହି ସ୍ମରଣୀୟ ଯାତ୍ରା ସମୟରେ ସେ ନିର୍ଭୟରେ ଈଶ୍ୱରଙ୍କ ରାଜ୍ୟ ଓ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଥିଲେ (୩୧ପଦ) । ପାଉଲଙ୍କ ମତରେ, ବାକ୍ୟ ପ୍ରଚାରରେ ବାଧା ଯେମିତି ନିଶ୍ଚିତ, ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ସଫଳତା ମଧ୍ୟ ସେତିକି ସୁୁନିଶ୍ଚିତ । ଏହି ପୁସ୍ତକଟିର ଅଦ୍ଭୁତ ଭାବେ ପରିସମାପ୍ତି ଘଟିଛି । କାଇସରଙ୍କ ସହ ଦୀର୍ଘ ସମୟ ବାକ୍ୟ ବିନିମୟ ପରେ ମଧ୍ୟ ସେପରି କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିବାର ଉଲ୍ଲେଖ ନାହିଁ । ଏପରିକି ପାଉଲଙ୍କ ଶେଷ ଦଶା କ'ଣ ହେଲା, ସେ ରୋମ୍ ରେ ମୃତ୍ୟୁବରଣ କଲେ ନା ତାଙ୍କୁ ମୁକ୍ତ କରାଗଲା; ସେ ବିଷୟ ମଧ୍ୟ ଅସ୍ପଷ୍ଟ ।


ଅସମ୍ପୂର୍ଣ୍ଣ ସେବାକାର୍ଯ୍ୟ :

ମନେ ହୁଏ ଲେଖକ ଲୁକଙ୍କର ଏହା ଏକ ଇଚ୍ଛାକୃତ ସର୍ଜନା ଅବା ସାହିତ୍ୟିକ ଶୈଳୀ । ସେ ବାସ୍ତବରେ କାହାଣୀର ଅନ୍ତ ନ ଆଣି କିଛିଟା ବିରାମ ଆଣିଛନ୍ତି । ମୂଳ ବିଷୟ ହେଲା, ସେତେବେଳେ ରୋମ ପୃଥିବୀର କେନ୍ଦ୍ରସ୍ଥଳ ଥିଲା, ପ୍ରାନ୍ତ ନୁହେଁ (ପ୍ରେରିତ ୧:୮) । ଏଣୁ ସେବାକାର୍ଯ୍ୟ ଏବେ ମଧ୍ୟ ଶେଷ ହୋଇ ନାହିଁ । 


ଆମର ଦାୟିତ୍ବ :

ରିଲେ ବା ପାଳି ଦୌଡ଼ରେ ଜଣେ ଦୌଡ଼ଳି ତା' ନିମନ୍ତେ ନିର୍ଦ୍ଧାରିତ ସୀମାରେଖାରେ ତା'ର ପରବର୍ତ୍ତୀ ବ୍ୟକ୍ତିଙ୍କୁ ଯଷ୍ଟି ବଢ଼ାଇ ଏଥର ତୁମ ପାଳି ବୋଲି କହି ଦୌଡ଼ ଚାଲୁ ରଖିବାକୁ ଅନୁରୋଧ କରିଥାଏ । ଠିକ୍ ସେହିପରି ଏଠାରେ ଲେଖକଙ୍କର ମୁଖ୍ୟ ଅଭିପ୍ରାୟ ହେଲେ ପୃଥିବୀକୁ ସୁସମାଚାର ମାଧ୍ୟମରେ ପରିବର୍ତ୍ତିତ କରିବା ଓ ଅସାମାନ୍ୟ ଦାୟିତ୍ବ ଆମ୍ଭମାନଙ୍କ ଭଳି ପାଠକମାନଙ୍କ ଉପରେ ନ୍ୟସ୍ତ କରିବା । 


ସର୍ବୋକୃଷ୍ଟ ଆହ୍ଵାନ :

ଏହି ପୁସ୍ତକର ଅନ୍ତିମ ଅଂଶ କେବଳ ଆମର ଧ୍ୟାନ ଆକର୍ଷଣ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ବରଂ ପ୍ରତ୍ୟକ୍ଷଭାବେ ଆହ୍ଵାନ କରେ, ଯେପରି ପିତର ଓ ପାଉଲଙ୍କ ପଦାଙ୍କ ଅନୁସରଣ କରି, ଆମେ ସୁସମାଚାର ପ୍ରଚାର ଏବଂ ପ୍ରସାରରେ ନିଜ ନିଜକୁ ବିଶ୍ଵସ୍ତ ଭାବେ ନିୟୋଜନ କରିବା । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ, ତେଣୁ କାହାଣୀ ମଧ୍ୟ ଅସମ୍ପୂର୍ଣ୍ଣ । ସୁସମାଚାର ପ୍ରଚାର କାର୍ଯ୍ୟ କ୍ରମାଗତ ଭାବେ ଚାଲୁ ରଖିବା ବର୍ତ୍ତମାନ ଆମର ନିଜସ୍ଵ, ନିର୍ଦ୍ଦିଷ୍ଟ ତଥା ବ୍ୟକ୍ତିଗତ ଦାୟିତ୍ବ ।