ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ
ଆଜିର ଚିନ୍ତା
୧ ଶାମୁୟେଲ ୩୦ : ୧- ୩୧
ମୁଁ ସବୁବେଳେ ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ଅଟେ କି ?
ସଦାପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି (ଏବ୍ରୀ ୧୨:୬) ।
ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବା :
ସଦାପ୍ରଭୁ ଦାଉଦଙ୍କୁ ଏକ ବିପଜ୍ଜନକ ପରିସ୍ଥିତିରୁ ଉଦ୍ଧାର କଲେ । ଆଶ୍ବସ୍ତ ହୋଇ ସିକ୍ଲଗକୁ ଫେରି ଆସି ସେ ଅନ୍ୟ ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ । ତାଙ୍କ ଅନୁପସ୍ଥିତିରେ ତଥା ଅଜ୍ଞାତରେ, ଅମାଲେକୀୟମାନେ ପ୍ରତିଶୋଧ ନେବା ପାଇଁ ତାଙ୍କର ବସତି ନଗରକୁ ପୋଡ଼ିଜାଳି ଧ୍ବଂସ କରି ସାନବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ । ଦାଉଦ ଓ ତାଙ୍କର ସଙ୍ଗୀମାନେ ମାନସିକଭାବେ ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଲେ । ସେମାନଙ୍କର ଶାରୀରିକ ବଳ ମଧ୍ୟ କ୍ଷୀଣ ହେବାକୁ ଲାଗିଲା । ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ଦାଉଦଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ବାହାରିଲେ । ଦାଉଦ ବିଚଳିତ ନ ହୋଇ ପରମେଶ୍ବରଙ୍କ ନିକଟରେ ସମର୍ପିତ ହୋଇ ଶକ୍ତିପ୍ରାପ୍ତ ହେଲେ ଈଶ୍ୱରଙ୍କ ଆଜ୍ଞାମତେ ସେହି ସୈନ୍ୟଦଳର ପଛେ ପଛେ ଯାଇ ହୃତ ସମସ୍ତଙ୍କୁ ଉଦ୍ଧାର କରିବା ସହିତ, ଲୁଟଦ୍ରବ୍ୟ ସବୁ ଫେରାଇ ଆଣିଲେ ।
ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେବା :
ଏହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦାଉଦ ଈଶ୍ୱରଙ୍କର ସନ୍ତୋଷଜନକ ଦୁଇଟି କାର୍ଯ୍ୟ କରିଛନ୍ତି । ବିଷୋର ନଦୀ ପରି ହୋଇ ଯିବା ସମୟରେ ଜଣେ ଅମାଲେକୀୟ ମୁନିବ ଦ୍ଵାରା ପରିତ୍ୟକ୍ତ ଜଣେ ମିସ୍ରୀୟ ଯୁବା ପ୍ରତି ସହାନୁଭୂତି ପ୍ରଦର୍ଶନ କରି ତା'ର ଜୀବନ ରକ୍ଷା କଲେ । ନିଜ ପ୍ରିୟଜନଙ୍କ ପାଇଁ କେବଳ ଚିନ୍ତା କରି ବାଟ ଭାଙ୍ଗି ଚାଲିଯାଇଥିଲେ, ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥାନ୍ତା । ପ୍ରତିଦାନର ଆଶା ନ ରଖି ଅନ୍ୟମାନଙ୍କ ଆଡ଼କୁ ସାହାଯ୍ୟର ହାତ ବଢାଇଲେ, ଆମେ ସଦାପ୍ରଭୁଙ୍କଠାରୁ ଆବଶ୍ୟକତାରୁ ଅଧିକ ପ୍ରାପ୍ତ ହୋଇଥାଉ । ସେହିପରି କ୍ଳାନ୍ତ ହୋଇ ପଛରେ ରହିଯାଇଥିବା ସଙ୍ଗୀମାନଙ୍କୁ ଯୁଦ୍ଧରୁ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର କୁଶଳବାର୍ତ୍ତା ବୁଝିଲେ । ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ସହିତ ଲୁଟଦ୍ରବ୍ୟର ମଧ୍ୟ ଅଂଶୀ କରାଇଲେ । ଆଉ ସେ ସଦାପ୍ରଭୁଙ୍କ ଦ୍ଵାରା ବହୁଗୁଣରେ ଆଶୀର୍ବାଦପ୍ରାପ୍ତ ହେଲେ । ଅନ୍ୟଠାରୁ ଗ୍ରହଣ କରିବା ଅପେକ୍ଷା, ଦାନ ଦେବା ଦ୍ଵାରା ଆମେ ଅଧିକ ଆଶୀର୍ବାଦପ୍ରାପ୍ତ ହୋଇଥାଉ ।
No comments:
Post a Comment
Kindly give your suggestions or appreciation!!!