BN

ଅବିଶ୍ବାସ ଭୟ ଆଣେ

 ଅବିଶ୍ବାସ ଭୟ ଆଣେ 

ଆଜିର ଚିନ୍ତା

୧ଶାମୁୟେଲ ୧୭:୧-୨୭

ପ୍ରତିକୂଳ ପରିସ୍ଥିତିରେ ମୁଁ ଭୟଭୀତ ହୁଏ କି ?


ମନୁଷ୍ୟ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ଵାସ ନ କରିବା ହେତୁ ଆମେ ଭୟଭୀତ ଓ ପରାଜିତ ହୋଇଥାଉ । 


ଭୟଭୀତ ଇସ୍ରାଏଲ :

 ଗଲିୟାତର ଶାରୀରିକ ଗଠନ, ସାଜସଜ୍ଜା ଓ ଅସ୍ତ୍ରଶସ୍ତ୍ର ଦେଖି ପୁଣି ତା'ର ବିକଟାଳ ରଣହୁଙ୍କାର ଶୁଣି, ଶାଉଲ ଓ ସମସ୍ତ ଇସ୍ରାଏଲ ସୈନ୍ୟମାନେ ଅତିଶୟ ହତାଶ ଏବଂ ଭୟଭୀତ ହୋଇଥିଲେ । କାରଣ ଈଶ୍ୱରଙ୍କ ଦ୍ଵାରା ସାଧିତ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟକୁ ସେମାନେ  ଭୁଲି ଯାଇଥିଲେ । ସେମାନେ ଈଶ୍ୱରଙ୍କ ଉପରେ ନିର୍ଭର ନ କରି ନିଜର ବାହୁବଳ ଉପରେ ନିର୍ଭର କରୁଥିଲେ, ଫଳରେ ଗଲିୟାତ ଚାଳିଶଦିନ ଧରି ପ୍ରାତଃକାଳରେ ଏବଂ ସନ୍ଧ୍ୟାକାଳରେ ସେମାନଙ୍କୁ ଉପହାସ କରିବାକୁ ସୁଯୋଗ ପାଇଥିଲା ଓ ଈଶ୍ଵର ଅଗୌରବାନ୍ଵିତ ହୋଇଥିଲେ ।


ସତ୍ ସାହସୀ ଦାଉଦ :

ପ୍ରଚୁର ଧନ, କନ୍ୟା ସହିତ ବିବାହ ଓ ତାହାର ପିତୃଗୃହକୁ ନିଷ୍କର କରିବା ଆଦି ଲୋଭନୀୟ ପୁରସ୍କାର ପାଇଁ ନୁହେଁ ବରଂ ନିଜ ଲୋକମାନଙ୍କର ପୁଣି ଜୀବିତ ପରମେଶ୍ୱରଙ୍କର ଅପମାନ ଦାଉଦଙ୍କୁ ଗଭୀର ଆଘାତ ଓ ଗଲୀୟାତ ସହ ଯୁଦ୍ଧ କରିବାକୁ ପ୍ରେରଣା ଯୋଗାଇଥିଲା । ଆଜି ଗଲୀୟାତ ପରି ଅନେକ  ବିଷୟମାନ ଆମ ଜୀବନରେ ଏପରି କଠୋର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ନିରାଶ ହତାସ କରିଥାଏ । ଏପରି ଘଡିସନ୍ଧି ସମୟରେ, ଭୟ ନ କରି ବିଶ୍ଵାସରେ ସ୍ଥିର ରହି ଶୟତାନର ପ୍ରତିରୋଧ କରିବା ଆମ ସମସ୍ତ ଖ୍ରୀଷ୍ଟିୟାନର କର୍ତ୍ତବ୍ୟ । କେବଳ ସଦାପ୍ରଭୁଙ୍କ ଉପରେ ବିଶ୍ଵାସ ଓ ପ୍ରାର୍ଥନାରେ ନିର୍ଭର ରଖିବା ଦ୍ଵାରା ହିଁ ଆମେ ଜୟଯୁକ୍ତ ହୋଇପାରିବା । ଇସ୍ରାଏଲୀୟମାନେ ଗଲୀୟାତର ଉଚ୍ଚତାକୁ ଦେଖୁଥିଲେ ମାତ୍ର ଜୀବିତ ଈଶ୍ୱରଙ୍କ ମହାନତାକୁ ନୁହେଁ, ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ପରମେଶ୍ୱର ଆମ୍ଭର ଆଶ୍ରୟ ଓ ବଳ ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ" (ଗୀତ ୪୬:୧) । ତେଣୁ ଆମ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିଲେ ଆମେ ଭୟ ନ କରି ପ୍ରଭୁ ଯୀଶୁଙ୍କଠାରେ ଭରସା ରଖିବା ଦ୍ଵାରା ବିଜୟୀ ହୋଇପାରିବା । ମୋ' ଜୀବନରେ ଏହା ଦେଖାଯାଏ କି ?

No comments:

Post a Comment

Kindly give your suggestions or appreciation!!!