BN

ଈଶ୍ୱରଙ୍କ ମନୋନୟନ

ଈଶ୍ୱରଙ୍କ ମନୋନୟନ 

ଆଜିର ଚିନ୍ତା

୧ଶାମୁୟେଲ ୧୬:୧-୨୩

ମୋ' ଅନ୍ତଃକରଣ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଅଟେ କି ?

ଈଶ୍ଵର ଶାମୁୟେଲଙ୍କୁ ଶାଉଲଙ୍କ ପାଇଁ ଆଉ ରୋଦନ ନ କରି ଇସ୍ରାଏଲ ନିମନ୍ତେ ମନୋନୀତ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଅଭିଷେକ କରିବାକୁ ଆଦେଶ ଦେଇଥିଲେ । 

ଅନ୍ତଃକରଣଦର୍ଶୀ ଈଶ୍ଵର :

ଏହି କାର୍ଯ୍ୟ ଶାମୁୟେଲଙ୍କ ନିମନ୍ତେ ଅତି ବିପଦପୂର୍ଣ୍ଣ ଓ କଷ୍ଟକର ଥିଲା । ମାତ୍ର ଈଶ୍ଵର ତାଙ୍କୁ ବେଥଲିହିମସ୍ଥ ଯିଶୀଙ୍କ ଗୃହକୁ ଯାଇ ଯଥାର୍ଥ ଭାବରେ ସେହି କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ଈଶ୍ୱରଙ୍କ ବାଧ୍ୟ ହେବା ଆମକୁ ଅନେକ ସମୟରେ କଠିନ ପରି ମନେ ହେଲେ ମଧ୍ୟ, ଆମେ ଯଦି ନିଜ ବା ଅନ୍ୟ ଉପରେ ନିର୍ଭର ନ କରି, ପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବା, ସେ ଆମକୁ ତାଙ୍କ କାର୍ଯ୍ୟ ସାଧନ କରିବାକୁ ଶକ୍ତି, ଜ୍ଞାନ ଓ ସାହସ ଦେବେ । ଶାମୁୟେଲ ଯିଶୀଙ୍କର ପୂତ୍ରମାନଙ୍କୁ ଦେଖିବା ସମୟରେ ଈଶ୍ଵର ସେମାନଙ୍କର ବାହ୍ୟରୂପକୁ ନ ଦେଖି ବିଚାର କରିବାକୁ କହିଥିଲେ ଓ ଦାଉଦଙ୍କୁ ରାଜାଭିଷେକ କରିବାକୁ ଆଦେଶ ଦେଇଥିଲେ । ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ଈଶ୍ଵର ଅନ୍ତଃକରଣକୁ ଦେଖିପାରନ୍ତି ଓ ବୁଝିପାରନ୍ତି । ତେଣୁ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସେହିଭଳି ହେବା ଉଚିତ୍ । ଈଶ୍ୱରଙ୍କ ପସନ୍ଦ ଯୋଗ୍ୟ ହେବା ସମୟରେ ନିମନ୍ତେ ଆମର ଅନ୍ତଃକରଣକୁ ପରିଷ୍କାର କରି ପବିତ୍ରତାର ସୌନ୍ଦର୍ଯ୍ୟରେ ସଜା ହେବା ଆବଶ୍ୟକ ।

ସୁଯୋଗର ସଦବ୍ୟବହାର :

ଅବାଧ୍ୟତା ହେତୁ ଈଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଛାଡ଼ି ଚାଲିଗଲେ ଓ ଏକ ମନ୍ଦ ଆତ୍ମା ତାଙ୍କ ଅନ୍ତରରେ ପ୍ରବେଶ କରି ତାଙ୍କୁ ବିରକ୍ତ କରିବାକୁ ଲାଗିଲା । ଏଣୁ ଶାଉଲଙ୍କ ସମ୍ମୁଖରେ ଠିଆ ହୋଇ ବୀଣାବାଦନ କରିବାକୁ ଜଣେ ନିପୁଣ ବୀଣା ବାଦକଙ୍କ ଅନ୍ୱେଷଣ କରାଗଲା ଓ ଦାଉଦଙ୍କୁ ଏଥି ନିମନ୍ତେ ବଛାଗଲା । ଶାଉଲ ତାଙ୍କୁ ନିଜର ଅସ୍ତ୍ରବାହକ ରୂପେ ନିଯୁକ୍ତି ଦେଇଥିଲେ । ଦାଉଦଙ୍କଠାରେ ସଦାପ୍ରଭୁଙ୍କ ଆତ୍ମା ବାସ କରୁଥିଲେ, ତେଣୁ ଦାଉଦଙ୍କ ସଙ୍ଗତି ପାଇଁ ଶାଉଲଙ୍କ ଶରୀରରୁ ମନ୍ଦ ଆତ୍ମା ଚାଲି ଯାଉଥିଲା । ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ "ସଦାପ୍ରଭୁଙ୍କ ଆତ୍ମା ଯାହାଠାରେ ଅଧିଷ୍ଠାନ କରନ୍ତି ସେ……... କ୍ଷତ ବାନ୍ଧି ପାରେ" (ଯିଶାୟ ୬୧:୧) । ସଦାପ୍ରଭୁ ଦାଉଦଙ୍କୁ ଜଣେ ସୁୁଶାସକ ହେବା ପାଇଁ ତାଲିମ୍ ଦେଇଥିଲେ । ଦାଉଦଙ୍କ ପରି ଆମେ ଯଦି ଆମର ପ୍ରତିଭାକୁ ତାଙ୍କ ପାଇଁ ବ୍ୟବହାର କରୁ ତାହା ଅନେକଙ୍କ ଆତ୍ମିକ ସୁସ୍ଥତା ଦିଗରେ ମହା ଔଷଧ ରୂପେ କାର୍ଯ୍ୟ କରିବ । 

No comments:

Post a Comment

Kindly give your suggestions or appreciation!!!