BN

ଅନାଜ୍ଞାବହତାର ପରିଣାମ

 ଅନାଜ୍ଞାବହତାର ପରିଣାମ

ଆଜିର ଚିନ୍ତା 

୧ ଶାମୁୟେଲ ୩୧:୧-୧୩


ମୁଁ ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇପାରିଛି କି ?


ସଦାପ୍ରଭୁ ଶାଉଲଙ୍କୁ ଇସ୍ରାଏଲମାନଙ୍କର ସମ୍ରାଟ ରୂପେ ଅଭିଷିକ୍ତ କଲେ । ପଲେଷ୍ଟିୟମାନଙ୍କୁ ତାଙ୍କ ଦ୍ଵାରା ସଂହାର କରିବେ ବୋଲି ଶାମୁୟେଲଙ୍କଠାରୁ କରିଥିବା ସତ୍ୟ ଲଂଘନ କରି ପତିତ ହେଲେ ।


ସଦାପ୍ରଭୁଙ୍କ କ୍ରୋଧ :

ଶାଉଲ ଗିଲବୋୟ ପର୍ବତରେ ପ୍ରଥମେ ଯୁଦ୍ଧ କରି ରାଜକୀୟ କାର୍ଯ୍ୟ ଆରମ୍ଭ କରିଥିଲେ । ୪୦ ବର୍ଷ ପରେ ସେହି ପର୍ବତରେ ତାଙ୍କର ଶେଷ ଜୀବନ ଅତିବାହିତ ହୋଇଥିଲା । ସେ ଆପଣା ରାଜତ୍ଵକାଳ ମଧ୍ୟରେ, ଆପଣା ରାଜ୍ୟର ସୀମା ମଧ୍ୟ ବୃଦ୍ଧି କରିପାରି ନ ଥିଲେ । ସଦାପ୍ରଭୁ, ତାଙ୍କୁ ଅପରାଧ ସ୍ଵୀକାର କରି ଫେରି ଆସିବାକୁ ସଚେତନ କରାଉଥିଲେ । ସେ ଅନେକ ସମୟରେ ନିଜର ଭୁଲ୍ କୁ ସ୍ଵୀକାର କରୁଥିଲେ ସତ, ମାତ୍ର ଅନୂତପ୍ତ ହୋଇ କ୍ଷମା ପ୍ରାର୍ଥନା ସହିତ ପାପକୁ ପରିତ୍ୟାଗ କରିପାରୁ ନ ଥିଲେ । ଶେଷରେ ପ୍ରଭୁଙ୍କୁ ମଧ୍ୟ  ପରିତ୍ୟାଗ କରି ନିଜେ ବିପଦର ସମ୍ମୁଖୀନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦର ମୁହଁକୁ ଠେଲି ଦେଇଥିଲେ । ତାଙ୍କ ଚକ୍ଷୁ ସମ୍ମୁଖରେ ତାଙ୍କର ତିନି ପୁଅ ହତ ହେଲେ । ନିଜେ ମଧ୍ୟ ଧନୁର୍ଦ୍ଧରମାନଙ୍କ ଦ୍ଵାରା ଆହତ ହୋଇ, ଆପଣାକୁ ଖଡ୍ଗ ଉପରେ ପକାଇ ଆତ୍ମହତ୍ୟା କଲେ । ବାସ୍ତବରେ ସଦାପ୍ରଭୁଙ୍କ କ୍ରୋଧରୁ କିଏ ପଳାୟନ କରିପାରେ ।


ଉପକାର ସ୍ମରଣ କରିବା :

ଶାଉଲ, ସଦାପ୍ରଭୁଙ୍କର ଉପକାରକୁ ବିସ୍ମରଣ କରି ବିନଷ୍ଟ ହେଲେ । ପଲେଷ୍ଟିୟମାନେ ତାଙ୍କର ମସ୍ତକକୁ ଚ୍ଛେଦନ କରି ମୃତ ଶରୀରକୁ ବୈଥଶାନ ପ୍ରାଚୀରରେ ଟଙ୍ଗାଇ ଦେଲେ । ମାତ୍ର ଯାବେଶ ଗିଲିୟଦୀୟ ମାନେ, ଶାଉଲଙ୍କ ଠାରୁ ପାଇଥିବା ଉପକାରକୁ ସ୍ମରଣ କରି ରାତ୍ରିଯାକ ଯାତ୍ରା କରି ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସଂଗ୍ରହ କରି ଆଣି ଯାବେଶ ରେ ଦଗ୍ଧ କଲେ ଓ ଅସ୍ଥି ନେଇ ଯାବେଶସ୍ଥ ଝାଉଁଗଛ ମୂଳରେ ପୋତି ସାତଦିନ ପର୍ଯ୍ୟନ୍ତ ଶୋକ କରି ଆପଣାର କୃତଜ୍ଞତା ଅର୍ପଣ କଲେ ।


"ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହେବା" (ଯାକୁବ ୧:୨୨), ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ, ବିଶ୍ବାସୀନି ମାନଙ୍କର କର୍ତ୍ତବ୍ୟ । ଏହାହିଁ ହେଉଛି କଠିନତମ ପଦକ୍ଷେପ । ଏପରି କଲାବେଳେ ଶୟତାନ ନିଶ୍ଚିତ ରୂପେ ଆମ ସହିତ ଯୁଦ୍ଧ କରିବ। ଆମେ ଯଦି ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇ ସେହି ବାକ୍ୟକୁ ଜୀବନରେ ପ୍ରତିଫଳନ କରିବା, ତେବେ ଆମେ କେବେହେଁ ପରାଜିତ ହେବା ନାହିଁ ।

No comments:

Post a Comment

Kindly give your suggestions or appreciation!!!