ସ୍ଥିର ବିଶ୍ଵାସ
ଆଜିର ଚିନ୍ତା
୧ ଶାମୁୟେଲ ୨୬:୧-୨୫
ସବୁ ଅବସ୍ଥାରେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିବାକୁ ମୁଁ ଚେଷ୍ଟା କରୁଛି କି ?
ଦାଉଦ ଭୟଭକ୍ତି ସହିତ ସଦାପ୍ରଭୁଙ୍କୁ ପ୍ରେମ କରୁଥିଲେ । ତାଙ୍କର ଇଚ୍ଛାମତ ଜୀବନଯାପନ କରି ତାଙ୍କର ମନର ମତ ହୋଇପାରିଥିଲେ । କ୍ଳେଶ ଓ ତାଡ଼ନାର ସମ୍ମୁଖୀନ ହେବା ସମୟରେ ସେ ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କ ଶରଣାଗତ ହେବା ଉତ୍ତମ (ଗୀତ ୧୧୮:୮) ଜାଣି, କାର୍ଯ୍ୟ କରି ସଦାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ବାସ କରୁଥିଲେ ।
ମହାନ ବ୍ୟକ୍ତିତ୍ଵ :
ଶାଉଲ ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜା ଥିଲେ । ମାତ୍ର ସେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିଲେ ନାହିଁ । ନିଜକୁ ଅସୁରକ୍ଷିତ ମନେ କଲେ । ସଦାପ୍ରଭୁଙ୍କ ଆଜ୍ଞା ଅମାନ୍ୟ କରି ଦାଉଦଙ୍କୁ ବଧ କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ । ବନଛାଗର ଶୈଳ ସବୁରେ ତାଙ୍କୁ ଖୋଜୁଥିବା ସମୟରେ, ଗୋଟିଏ ଗୁମ୍ଫା ଭିତରେ, ସଦାପ୍ରଭୁ ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ସମର୍ପଣ କଲେ । ହେଲେ ଦାଉଦ ତାଙ୍କୁ ବଧ କରି ନ ଥିଲେ । ପୁନଃ ସିଫୀୟମାନଙ୍କ ଠାରୁ ସୂଚନା ପାଇଁ ସୀଫ୍ ପ୍ରାନ୍ତରରେ ଉପସ୍ଥିତ ହୋଇ ତିନି ସହସ୍ର ଯୋଦ୍ଧାଙ୍କ ସହିତ ହଖୀଲା ପର୍ବତରେ ଛାଉଣୀ ସ୍ଥାପନ କଲେ । ସେସମୟରେ ମଧ୍ୟ ସଦାପ୍ରଭୁ ଶାଉଲଙ୍କୁ ନିଦ୍ରାଗ୍ରସ୍ତ ଅବସ୍ଥାରେ ଦାଉଦଙ୍କ ହସ୍ତରେ ସମର୍ପି ଦେଲେ । ତଥାପି ଦାଉଦ, ସଦାପ୍ରଭୁଙ୍କର ଅଭିଷିକ୍ତଙ୍କ ପ୍ରତି ହସ୍ତ ଉଠାଇ ନ ଥିଲେ । ସେ ଜାଣିଥିଲେ, ସଦାପ୍ରଭୁ ତାଙ୍କୁ ସୁରକ୍ଷା ଦେବେ । ଶାଉଲଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରି, ଦାଉଦ ନିଜର ମହାନତା ପ୍ରକାଶ କରିଥିଲେ ।
ମହାନ୍ ବିଶ୍ଵାସ :
ଦାଉଦ ଜାଣିଥିଲେ ଯେ ସଦାପ୍ରଭୁଙ୍କ ପ୍ରତିକୂଳରେ ହସ୍ତ ଉଠାଇବା ଏକ ଅକ୍ଷମଣୀୟ ଅପରାଧ । କେବଳ ସଦାପ୍ରଭୁ ହିଁ ତାଙ୍କର ମୃତ୍ୟୁ କିପରି ହେବ, ତାହା ସ୍ଥିର କରି ଥା' ନ୍ତି । ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିଏ ଯାଏ, ସେ ଶାପଗ୍ରସ୍ତ ହୁଏ । ଆଉ ଯେକେହି ଅଭିଷିକ୍ତ ବ୍ୟକ୍ତିଙ୍କର ଜୀବନକୁ ବହୁମୂଲ୍ୟ ମନେ କରେ, ତାର ଜୀବନ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ ହୋଇଯାଏ । ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ଵସ୍ତତା ପ୍ରମାଣେ ଫଳ ଦିଅନ୍ତି । ଏସମସ୍ତ ବିଷୟ ଜାଣି, ଦାଉଦ ପରମେଶ୍ୱରଙ୍କ ଅଧିକାରକୁ ନିଜ ହାତକୁ ନେଇ ନ ଥିଲେ ।
କଥା ଏବଂ କାର୍ଯ୍ୟ ଉଭୟରେ ଦାଉଦ ସଦାପ୍ରଭୁଙ୍କୁ ଗୌରବ ଦେଇ ଆଶୀର୍ବାଦ ପ୍ରାପ୍ତ ହେଲେ ଓ ଶାଉଲଙ୍କୁ ସଦାପ୍ରଭୁ ପରିତ୍ୟାଗ କଲେ ।