BN

ନିର୍ଭୀକ ନିବେଦନ

 ନିର୍ଭୀକ ନିବେଦନ

ଆଜିର ଚିନ୍ତା

ପ୍ରେରିତ ୨୫:୧-୨୨

ମୋର ପ୍ରତିଭା, ପ୍ରତିଷ୍ଠା ଓ ସାମର୍ଥ୍ୟକୁ ମୁଁ କିପରି ବ୍ୟବହାର କରିଥାଏ ?


ଦୀର୍ଘ ଦୁଇ ବର୍ଷ ବନ୍ଦୀତ୍ଵ ଅବସ୍ଥାରେ ଥାଇ ମଧ୍ୟ ପାଉଲଙ୍କର ଫେଲିକସ୍ ଙ୍କ ସହ ସମ୍ପର୍କ ଅତୁଟ ରହିଥିଲା । ଫେଲିକସ୍ ଙ୍କ ପରେ ଫେଷ୍ଟ ଅଧିପତି ପଦରେ ନିଯୁକ୍ତ ହେଲେ । ଫେଷ୍ଟ୍ ଜ୍ଞାନୀ, ବିଶ୍ଵସ୍ତ ଓ ଉତ୍ତମ ଶାସନକର୍ତ୍ତା ଥିଲେ । ସେ ସ୍ଥିର କଲେ, ନିଜେ ପାଉଲଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗ ଶୁଣିବେ ଓ ନିଜ ପକ୍ଷ ସମର୍ଥନ ପାଇଁ ତାଙ୍କୁ ଆଇନାନୁଯାୟୀ ସମସ୍ତ ସୁଯୋଗ ପ୍ରଦାନ କରିବେ । 


ବିଚକ୍ଷଣ ପ୍ରସ୍ତାବ :

ପାଉଲ ସ୍ପଷ୍ଟ ଅବଗତ ଥିଲେ ଯେ ଯିହୂଦୀମାନେ ତାଙ୍କ ପ୍ରାଣନାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ । ମାତ୍ର ସେମାନେ ତାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗମାନ ପ୍ରମାଣ କରିବାରେ ଅସଫଳ ହେଲେ । ପାଉଲ ନିଜ ବିଚକ୍ଷଣ ଧୀଶକ୍ତି ପ୍ରୟୋଗ କରି, ଅପ୍ରତ୍ୟାଶିତ ଭାବେ କାଇସରଙ୍କ ସମ୍ମୁଖରେ ବିଚରିତ ହେବା ନିମନ୍ତେ ଯୁକ୍ତି ସ୍ଥାପନ କଲେ । ଫେଷ୍ଟ୍ ତାଙ୍କ ଅନୁରୋଧକୁ ଅନୁମୋଦନ କଲେ । ଏଠାରେ ପାଉଲ ତାଙ୍କର ରୋମୀୟ ନାଗରିକତ୍ୱର ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇଅଛନ୍ତି । 


ଅପୂର୍ବ ଆକାଂକ୍ଷା :

କାଇସରଙ୍କ ଦ୍ଵାରା ବିଚାରିତ ହେବାର ଆକସ୍ମିକ ସମ୍ଭାବନାକୁ ପାଉଲ ଏକ ସୁବର୍ଣ୍ଣ ସୁଯୋଗର ଆହ୍ଵାନ ଭାବେ ଗ୍ରହଣ କରିଥିଲେ । ଦୁଃଖ, ଯାତନା ଓ ତାଡ଼ନାର ଏକ ଅସହ୍ୟ, ଅଭାବନୀୟ ପରିସ୍ଥିତିରେ ମଧ୍ୟ ଧର୍ଯ୍ୟହରା ନ ହୋଇ ଦୃଢ଼ ପ୍ରତ୍ୟୟର ସହ ସେ ସୁସମାଚାର ପ୍ରଚାର ଓ ପ୍ରସାରର ଏକ ଚରମ ସମ୍ଭାବନାକୁ ପରମ ସଫଳତାରେ ପରିଣତ କରିଥିଲେ।  


କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପାଉଲଙ୍କୁ ପଠାଇବା ପାଇଁ ଆବଶ୍ୟକତା ଦସ୍ତାବିଜ୍ ପ୍ରସ୍ତୁତି କାର୍ଯ୍ୟରେ ଫେଷ୍ଟ୍ ନିବିଷ୍ଟ ଥିଲେ । ସେହି ସ୍ପର୍ଶ କାତର ଅବସରରେ ରାଜା ଆଗ୍ରୀପା ଓ ବର୍ଣ୍ଣକୀ କସରିଆକୁ ଆଗମନ କରିଛନ୍ତି । ଫେଷ୍ଟ୍ ଙ୍କ ଠାରୁ ସବୁ ଅବଗତ ହୋଇ ମଧ୍ୟ, ଆଗ୍ରୀପା ସ୍ଵୟଂ ପାଉଲଙ୍କ ଠାରୁ ତାଙ୍କ  ବକ୍ତବ୍ୟ ପ୍ରତ୍ୟକ୍ଷ ଭାବେ ଶୁଣିବାକୁ ଅଗ୍ରାହାନ୍ଵୀତ ହୋଇଛନ୍ତି । ଏଠାରେ ଫେଷ୍ଟ ଓ ଆଗ୍ରୀପାଙ୍କ ମଧ୍ୟରେ ବ୍ୟକ୍ତିଗତ ଆଲୋଚନାର କେନ୍ଦ୍ର ବିନ୍ଦୁ ଥିଲେ "ଯୀଶୁ" ଓ ତାଙ୍କ ପ୍ରଚାରିତ 'ମଙ୍ଗଳ ସମାଚାର' ।


ଖ୍ରୀଷ୍ଟଙ୍କ ମରଣ ଓ ପୁନରୁତ୍ଥାନ, ଖ୍ରୀଷ୍ଟୀୟ ବିଶ୍ଵାସ ଓ ସମାଜର ମୁଖ୍ୟ ଉତ୍ସ । ପୃଥିବୀ ଇତିହାସରେ ଏହି ଘଟଣା, ସର୍ବୋତ୍କୃଷ୍ଟ ନିର୍ଣ୍ଣାୟକ ମୋଡ଼ ଭାବେ ପରିଗଣିତ ।

No comments:

Post a Comment

Kindly give your suggestions or appreciation!!!