BN

ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

 ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

ଆଜିର ଚିନ୍ତା

ପ୍ରେରିତ ୨୮:୧-୧୬

ନିଜର ଅସମୟରେ, ମୁଁ ଅନ୍ୟକୁ ସାହାଯ୍ୟ କରିବାକୁ ପ୍ରୟାସ କରିଥାଏ କି ?


ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ସତ୍ତ୍ବେ, ପ୍ରାଣପଣ ଉଦ୍ୟମ କରି ଯାତ୍ରୀମାନେ ନିରାପଦରେ ମେଲିତୀ ଦ୍ଵୀପରେ ପହଞ୍ଚିଲେ । ସ୍ଥାନୀୟ ଅଧିବାସୀମାନେ ଯାତ୍ରୀମାନଙ୍କୁ ଅତଭୁତ୍ ପୂର୍ବ ସମ୍ବର୍ଦ୍ଧନା ଜଣାଇଲେ । ପୁଣି ନିଆଁ ଜଳାଇବା ସମୟରେ ଏକ ବିଷଧର ସାପ ପାଉଲଙ୍କ ହାତକୁ କାମୁଡ଼ି ଝୁଲି ରହିଲା । ମାତ୍ର ତାଙ୍କର କିଛି କ୍ଷତି ହେଲା ନାହିଁ । ବରଂ ତଦ୍ୱାରା ଖ୍ୟାତି ବଢ଼ିଗଲା । ପୁଣି ସେହି ଦ୍ଵୀପରେ ମୁଖ୍ୟ ପୁବ୍ଲୀୟଙ୍କ ପୀଡ଼ିତ ଓ ଶଯ୍ୟାଶାୟୀ ପିତାଙ୍କୁ ପାଉଲ ପ୍ରାର୍ଥନା କରି ସୁସ୍ଥ କଲେ । ଏହି ସମ୍ବାଦ ଦ୍ଵୀପରେ ବ୍ୟାପିଯିବାରୁ, ଅବଶିଷ୍ଟ ଅସୁସ୍ଥ ଲୋକମାନେ ମଧ୍ୟ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ । 


ସେବାକାର୍ଯ୍ୟର ଉପକାରୀତା :

ସେହି ଦ୍ଵୀପରେ ପାଉଲଙ୍କ ସେବାକାର୍ଯ୍ୟ ଚମକପ୍ରଦ ସଫଳତା ଲାଭ କରିଥିଲା । ଯଦ୍ଵାରା ସ୍ଥାନୀୟ ଅଧିବାସୀମାନେ ଆଗାମୀ ରୋମଯାତ୍ରା ନିମନ୍ତେ ଯାତ୍ରୀମାନଙ୍କର ସମସ୍ତ ଆବଶ୍ୟକୀୟ ବସ୍ତୁ ହୃଷ୍ଟଚିତ୍ତରେ ଯୋଗାଇ ଦେଇଥିଲେ । ସେମାନଙ୍କର ଏହି ମହାନୁଭବତା ପାଉଲଙ୍କର ପ୍ରଚାରିତ ସୁସମାଚାରର ପ୍ରଭାବ ପ୍ରମାଣ କରିଥାଏ । ମେଲିତୀ ଦ୍ୱୀପର ଅନୁଭୂତି ପାଉଲଙ୍କ ସମଗ୍ର ସେବାକାର୍ଯ୍ୟ ସମୟର ରଣନୀତି ସ୍ଥିର କରିବାରେ ଅତ୍ୟନ୍ତ ସହାୟକ ହୋଇଥିଲା । ପୁବ୍ଲୀୟଙ୍କ ଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଓ ବାକ୍ୟ ଦ୍ଵାରା ଏପରି ପ୍ରଭାବିତ କରିଥିଲେ ଯେ, ସେ ଉଭୟ ପାଉଲ ଓ ତାଙ୍କ ପ୍ରଚାରିତ ସୁସମାଚାରକୁ ସ୍ପଷ୍ଟ ସମର୍ଥନ ଓ ଅନୁମୋଦନ କରିଥିଲେ । ମେଲିତୀ ଦ୍ୱୀପରେ ପାଉଲଙ୍କ ତିନିମାସର ରହଣୀକାଳ ମଧ୍ୟରେ ସ୍ଥାନୀୟ ଅଧିବାସୀମାନେ ଆତ୍ମିକ ଭାବେ ପ୍ରଭାବିତ ହେବା ସହ ସାମାଜିକ ଭାବେ ମଧ୍ୟ ଉପକୃତ ହୋଇଥିଲେ । 


ଶକ୍ତିଯୁକ୍ତ ସେବାକାର୍ଯ୍ୟ :

ଏହି ଘଟଣା ସହିତ ପାଉଲଙ୍କ କରିନ୍ଥୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରର ଅନେକଟା ସମାନତା ରହିଛି । ପାଉଲ ଦୃଢ଼ତାର ସହ କୁହନ୍ତି, "ନିଜ ଜ୍ଞାନଗାରିମା ଅବା ମନୋହର ବାକ୍ୟ ଦ୍ଵାରା ସେମାନଙ୍କୁ ପ୍ରବର୍ତ୍ତାଇବାକୁ ନୁହେଁ ମାତ୍ର ପବିତ୍ର ଅତ୍ମାଙ୍କ ଶକ୍ତି ପ୍ରଦର୍ଶନ ହିଁ ତାଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା (୧କରିନ୍ଥୀ ୨:୧-୧୫) । ପରିଶେଷରେ ପାଉଲ ରୋମରେ ପ୍ରବେଶ କରନ୍ତେ ତାଙ୍କୁ ପୃଥକ ଭାବେ ଭଡ଼ାଘରେ ରହିବାକୁ ଅନୁମତି ପ୍ରଦାନ କରାଗଲା । ପାଉଲ ସେଠାରେ ବିଶ୍ବାସୀ ଭ୍ରାତାମାନଙ୍କ ସହ ମିଳିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ନିଶ୍ଚିତ ହେଲେ । ଆଜି ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରଭୁ ଆମକୁ ଯେଉଁ ସୁଯୋଗ ଦେଉଛନ୍ତି, ତାହା ଜାଣି ପ୍ରଭୁଙ୍କ ଶକ୍ତିରେ ଓ ତାହାଙ୍କ ଗୌରବ ନିମନ୍ତେ ସୁଯୋଗର ସଦ୍ ବ୍ଯବହାର କରୁ ।

No comments:

Post a Comment

Kindly give your suggestions or appreciation!!!