ସାକ୍ଷ୍ୟର ଶକ୍ତି
ଆଜିର ଚିନ୍ତା
ପ୍ରେରିତ ୨୪:୧-୨୭
ସାଂପ୍ରତିକ ସମାଜରେ ମୁଁ ଖ୍ରୀଷ୍ଟଙ୍କ ସାକ୍ଷୀ ହୋଇ ପାରିଛି କି ?
ଯିରୂଶାଲମରେ ପାଉଲ ଦୃଢ଼ ସାହସ ଓ ନିର୍ଭୀକତାର ସହ ଜନସମୂହ ଓ ଯିହୁଦୀ ମହାସଭା ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ କାଇସରୀଆକୁ ସ୍ଥାନାନ୍ତର କରାଯାଇ ତାଙ୍କୁ ଫେଲିକସଙ୍କ କର୍ତ୍ତୁକ ବିଚରତା ହେବା ପାଇଁ ନିମନ୍ତେ ଅଣାଗଲା । ଓକିଲ ତର୍ତ୍ତୁଲ ପାଉଲଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି, ସମ୍ରାଟଙ୍କ ବିରୋଧରେ ଜନତାଙ୍କୁ ପ୍ରବର୍ତ୍ତାଇବା ଓ ମନ୍ଦିର ଅଶୁଚି କରିବା ଭଳି ବିଭିନ୍ନ ଅଭିଯୋଗ ଆଣିଲେ । ମାତ୍ର ପାଉଲଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଯୁକ୍ତିଯୁକ୍ତ ଏବଂ ନ୍ୟାୟପରତାରେ ପୂର୍ଣ୍ଣ ଥିଲା ।
ଈଶ୍ଵରଙ୍କ ମାର୍ଗ :
ପାଉଲଙ୍କ ସ୍ୱପକ୍ଷସମର୍ଥନ ଜନିତ ପ୍ରତିକ୍ରିୟା ମୁଖ୍ୟତଃ ସେ କିଏ, କ'ଣ କ'ଣ କାର୍ଯ୍ୟ କରିଛନ୍ତି, ବିଶେଷତଃ ଈଶ୍ଵର ତାଙ୍କ ମାଧ୍ୟମରେ କେଉଁ କେଉଁ କାର୍ଯ୍ୟ କରିଛନ୍ତି, ତାହା ବ୍ୟକ୍ତିଗତ ସାକ୍ଷ୍ୟ ଉପରେ ଆଧାରିତ ଥିଲା (୧୧-୨୧) । ସେ ଯେ ଈଶ୍ଵରଙ୍କ 'ମାର୍ଗ' ର ଜଣେ ବିଶ୍ଵସ୍ତ ଅନୁଗାମୀ ତାହା ମଧ୍ୟ ସ୍ପଷ୍ଟ କରିଥିଲେ । ଏହି ଅଂଶରେ ଆମେ ବ୍ୟକ୍ତିଗତ ସାକ୍ଷ୍ୟର ଅସୀମ, ଅଖଣ୍ଡ ଶକ୍ତିର ପ୍ରଭାବ ଦେଖିବାକୁ ପାଇଥାଉ । ଈଶ୍ଵର ଆମ ଜୀବନରେ କ'ଣ କରିଛନ୍ତି, ଆମ ମାଧ୍ୟମରେ କ'ଣ କରିଛନ୍ତି, ତାଙ୍କ ଆମ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି, ତାହାହିଁ ଆଜି ଆମ ପାଇଁ ଅର୍ଥପୂର୍ଣ୍ଣ ଅଟେ । ଆମର ଆତ୍ମିକ ଅନୁଭୂତି ଓ ଶିକ୍ଷା, ଆମେ ନିଃସଙ୍କୋଚରେ ଅନ୍ୟମାନଙ୍କୁ ଅଂଶୀ କରାଇବା ଆବଶ୍ୟକ ।
ଦୁଃସାହସିକ ଆବେଦନ :
ଆତ୍ମ ସମର୍ଥନ ଜନିତ ନିଜ ବକ୍ତବ୍ୟ ଉପସ୍ଥାପିତ କରିବା ପରେ ପାଉଲ ଅନପେକ୍ଷିତ ଭାବେ ଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ଵାସ ସମ୍ପର୍କରେ, ଫେଲିକସଙ୍କ ସଙ୍ଗରେ ନିଭୃତରେ ଆଲୋଚନା ନିମନ୍ତେ ଅପୂର୍ବ ସୁଯୋଗ ପ୍ରାପ୍ତ ହୋଇଛନ୍ତି । ଏଠାରେ ଏକ ଅସାଧାରଣ ତଥା ଦୁଃସାହସିକ ବିଷୟ ଉଲ୍ଲେଖ ଯୋଗ୍ୟ । ଫେଲିକସଙ୍କ ଉପରେ ନିଜର ଭବିଷ୍ୟତ ସମ୍ପୂର୍ଣ ନିର୍ଭର କରୁଥିବା ସତ୍ତ୍ୱେ ପାଉଲ ନିର୍ଭୟ ତଥା ଦୃଢତାର ସହ ତାଙ୍କୁ ଯୀଶୁଙ୍କ ଶିକ୍ଷା ଅବଗତ କରାଇଥିଲେ ।
ପ୍ରାୟତଃ ସରଳ ବ୍ୟକ୍ତିଗତ ଜୀବନର ଅନୁଭୂତିର ଶକ୍ତି ଓ ପ୍ରଭାବ, ଅନେକ ବିଦ୍ୱାନ ବ୍ୟକ୍ତିମାନଙ୍କର ଅସଙ୍ଗତ ଯୁକ୍ତି, ତ୍ରୁଟିପୂର୍ଣ୍ଣ ଚିନ୍ତାଧାରା ଓ ମନୋଭାବକୁ ଆୟତ୍ତ ଓ ନିୟନ୍ତ୍ରଣ କରିବା ସହ ଦୂର କରିବାରେ ମଧ୍ୟ ସମର୍ଥ ଓ ସହାୟକ ହୋଇଥାଏ । ଈଶ୍ଵରଙ୍କ ବାକ୍ୟ ହିଁ ସୁସମାଚାର, ଜୀବନ୍ତ, ତୀକ୍ଷ୍ମ ଓ ହୃଦୟର ପରିଭେଦକ (ଏବ୍ରୀ ୪:୧୨) ।
No comments:
Post a Comment
Kindly give your suggestions or appreciation!!!