BN

ଯୋଜନା ସଫଳକାରୀ ଈଶ୍ଵର

 ଯୋଜନା ସଫଳକାରୀ ଈଶ୍ଵର

ଆଜିର ଚିନ୍ତା

ପ୍ରେରିତ ୨୨:୨୨-୨୩:୧୧

ଈଶ୍ୱରଙ୍କ ଯୋଜନାକୁ ସଫଳ କରିବାକୁ ମୁଁ ଚେଷ୍ଟା କରୁଛି କି ?


ଈଶ୍ୱରଙ୍କ ଯୋଜନା ଅନୁସାରେ ବିଜାତୀୟମାନେ ପାଉଲଙ୍କ ଦ୍ଵାରା ସୁସମାଚାର ଶୁଣିବାର ସୁଯୋଗ ପାଇଲେ ।


ସୁରକ୍ଷାକାରୀ ଈଶ୍ବର :

ଲୋକମାନେ ପାଉଲଙ୍କ କଥା ଶୁଣି ଚିତ୍କାର କରି କହିଲେ, ଏହି ବ୍ୟକ୍ତି ବଞ୍ଚିବା ଉଚିତ୍ ନୁହେଁ? । ସେମାନେ ଆପଣା ଆପଣା ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ଫୋପାଡ଼ିବାକୁ ଲାଗିଲେ । ଏଣୁ ସହସ୍ର ସେନାପତି ତାଙ୍କୁ ଗଡ଼ ଭିତରକୁ ନେଇଗଲେ । ସେ ବିଦ୍ରୋହର ସଠିକ୍ କାରଣ ଜାଣିବା ନିହାତି ନିମନ୍ତେ ତାଙ୍କୁ କୋରଡ଼ା ପ୍ରହାର ଦ୍ଵାରା ପରୀକ୍ଷା କରିବାକୁ ଆଦେଶ ଦେଲେ । କୋରଡ଼ା ପ୍ରହାର ପାଇଁ ବାନ୍ଧିଲା ଉତ୍ତାରେ ପାଉଲ ଶତ ସେନାପତିଙ୍କୁ କହିଲେ, ବିଚାର ଦ୍ଵାରା ଦୋଷୀ ବୋଲି ପ୍ରମାଣିତ ନ କରି ଜଣେ ରୋମୀୟକୁ ବେତ୍ରାଘାତ କରିବା ନିୟମ ବିରୁଦ୍ଧ ଅଟେ । ପାଉଲ ଜନ୍ମରୁ ଜଣେ ରୋମୀୟ ବୋଲି ଜାଣି ଶାସକମାନେ ତାଙ୍କୁ ବେତ୍ରାଘାତ କରିବାରୁ ନିବୃତ୍ତ ହେଲେ । ଏପରି ହେଲା ଯେ ସେ ବନ୍ଧନ ମୁକ୍ତ ହେଲେ ଏବଂ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଡାକି ତାଙ୍କ ସମ୍ମୁଖରେ ତାଙ୍କୁ କଥା କହିବାକୁ ସୁଯୋଗ ଦିଆଗଲା । ପବିତ୍ର ଅତ୍ମାଙ୍କଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କଲେ ସେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତି ।


ସାହାଯ୍ୟକାରୀ ଈଶ୍ବର :

ପାଉଲ ଉପସ୍ଥିତ ସମସ୍ତଙ୍କୁ ଭ୍ରାତୃବୃନ୍ଦ ବୋଲି ସମ୍ବୋଧନ କରି ଈଶ୍ୱରଙ୍କ ସାକ୍ଷାତରେ ଯଥାର୍ଥ ଆଚାରବ୍ୟବହାର କରିଛନ୍ତି ବୋଲି କହିବାରୁ ମହାଯାଜକ ହାନାନ୍ ତାହାଙ୍କ ମୁଖରେ ଆଘାତ କରିବାକୁ ଲୋକମାନଙ୍କୁ ଆଜ୍ଞା ଦେଲେ । ମାତ୍ର ପାଉଲ ସାହସର ସହିତ ଉତ୍ତମ ବ୍ୟବହାର ଦେଖାଇ ନିଜକୁ ଜଣେ ଫାରୁଶୀ ବୋଲି କହି ଯାହା ଯଥାର୍ଥ ତାହା ଜଣାଇଲେ । ଫାରୂଶୀ ଏବଂ ସାଦ୍ଦୁକୀମାନଙ୍କ ମଧ୍ୟରେ ବିବାଦ ଘଟିଲା । କାରଣ ସାଦ୍ଦୁକୀମାନେ ପୁନରୁତ୍ଥାନ ନାହିଁ କିମ୍ବା ଦୂତ ଅବା ଆତ୍ମା ନାହିଁ ବୋଲି କହୁଥିଲେ, ମାତ୍ର ଫାରୁଶୀମାନେ ଉଭୟକୁ ସ୍ଵୀକାର କରୁଥିଲେ । ଫଳରେ ପରସ୍ପର ମଧ୍ୟରେ ବାକ୍ ଯୁଦ୍ଧ ହେଲା । କେତେକ ଶାସ୍ତ୍ରୀ କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁ, ବରଂ କୌଣସି ଆତ୍ମା ଅବା ଦୂତ ତାହା ସହିତ କଥାବାର୍ତ୍ତା କରିଛନ୍ତି । ତେଣୁ ମହା ବିବାଦ ଘଟିଲା । କାଳେ ଲୋକମାନେ ପାଉଲଙ୍କୁ ବଧ କରି ଦେବେ, ଏହି ଭୟରେ ତାଙ୍କୁ ଗଡ଼ ଭିତରକୁ ନିଆଗଲା । ଈଶ୍ଵର ସର୍ବଦା ସବୁ ବିଷୟକୁ ନିୟନ୍ତ୍ରଣ କରିବାକୁ ସମର୍ଥ ଅଟନ୍ତି 


ନିର୍ଭୀକ ସାକ୍ଷୀ

 ନିର୍ଭୀକ ସାକ୍ଷୀ

ଆଜିର ଚିନ୍ତା

ପ୍ରେରିତ ୨୧:୩୭-୨୨:୨୧

ମୁଁ ଅନ୍ୟମାନଙ୍କୁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଛି କି ?


ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ସମୟରେ ସେ ଗ୍ରୀକ୍ ଭାଷାରେ କଥା କହିବାରୁ ସେମାନେ ଜାଣିପାରିଲେ ଯେ ସେ ଜଣେ ଅଯଥା ଗଣ୍ଡଗୋଳକାରୀ ବ୍ୟକ୍ତି ନୁହନ୍ତି । ମାତ୍ର ସେ ଜଣେ ଯିହୁଦୀ ଅଟନ୍ତି । 


ସତ୍ୟତାକୁ ଘୋଷଣା କରିବା :

ପାଉଲ କାହାର ପ୍ରତିବାଦ କରିବା ପରିବର୍ତ୍ତେ ସେ ଜଣେ ଯିହୂଦୀ ପୁଣି ତା ନଗରର ଲୋକ ଅଟନ୍ତି ଏହା ସ୍ଵୀକାର କରି କହିଲେ, ଏହି ଲୋକମାନଙ୍କୁ କଥା କହିବାକୁ ମୋତେ ଅନୁମତି ଦେବାକୁ ନିବେଦନ କରୁଛି । ଅନୁମତି ପାଇଲା ପରେ ସେମାନେ ଯେପରି ବୁଝିପାରିବେ, ଏଥିପାଇଁ ପାଉଲ ଏବ୍ରୀ ଭାଷାରେ ଲୋକମାନଙ୍କୁ କହିବାକୁ ଲାଗିଲେ । ଏହାଦ୍ବାରା ସେ ଯେ ଜଣେ ନଇଷ୍ଠିକ ଯିହୂଦୀ ପୁଣି ଯିହୂଦୀମାନଙ୍କର ବ୍ୟବସ୍ଥା ଓ ପ୍ରଥାକୁ ସମ୍ମାନ ଦିଅନ୍ତି, ତାହା ସେମାନଙ୍କୁ ଜଣାଇ ଦେଲେ । ସଫଳତାର ସହ ସୁସମାଚାର ପ୍ରଚାର ନିମନ୍ତେ ଶ୍ରୋତାମାନଙ୍କର ଗ୍ରହଣୀୟ ଭାଷାରେ ଜ୍ଞାନ ମଧ୍ୟ ଆବଶ୍ୟକ ଅଟେ । ସେ ସାହସର ସହିତ ସେମାନଙ୍କୁ କହିଲେ, ମୁଁ ଜଣେ ଯିହୂଦୀ, ପୁଣି ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମନୁସାରେ ଗମଲୀୟଲଙ୍କ ଦ୍ଵାରା ଶିକ୍ଷାପ୍ରାପ୍ତ ଅଟେ । ଆପଣାମାନଙ୍କ ପରି ମୁଁ ମଧ୍ୟ ଉଦଯୋଗୀ ହୋଇ ଏଥିପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କ ମାର୍ଗରେ ଥିବା ଲୋକମାନଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି ।ଏହିସବୁ କଥା କହିବାରୁ ଶ୍ରୋତାଗଣ ଆଗ୍ରହରେ ତାଙ୍କ କଥା ଶୁଣିବାକୁ ଲାଗିଲେ । ଯୀଶୁଙ୍କ ବିଷୟରେ ପ୍ରଚାର କରିବା ପୂର୍ବରୁ ଉପସ୍ଥିତ ଶ୍ରୋତାମାନଙ୍କୁ ନିଜ ଜୀବନରେ ପରିଚୟ ଦେବା ଆବଶ୍ୟକ । 


ସାକ୍ଷ୍ୟ ଦେବା :

ଲୋକମାନେ ଦୋଷାରୋପ କରିବା ନିମନ୍ତେ ମନଦେଇ ତାଙ୍କର କଥା ଶୁଣୁଥିଲେ । ପାଉଲ ନିର୍ଭୀକ ଭାବରେ ତାଙ୍କ ଜୀବନର ସାକ୍ଷ୍ୟ ସେମାନଙ୍କୁ ଦେଲେ । ଈଶ୍ଵର କିପରି ଦମ୍ମେସକ ନିକଟରେ ତାଙ୍କୁ ଡାକି ତାଙ୍କର ପରିଚୟ ଦେଲେ ତାହା ପୂଙ୍ଖାନୁପୁଙ୍ଖ ଭାବରେ ସେମାନଙ୍କୁ କହିଲେ । ପୁଣି ଯିରୁଶାଲମ ମନ୍ଦିରରେ ପାଇଥିବା ଦର୍ଶନ ଏବଂ ଆଦେଶ ସମ୍ବନ୍ଧରେ ମଧ୍ୟ ଜଣାଇଲେ । ସେ କହିଲେ, ଦିନ ଥିଲା ମୁଁ ଖ୍ରୀଷ୍ଟ ବିଶ୍ବାସୀ ସ୍ତିଫାନଙ୍କର ମୃତ୍ୟୁ ସମୟରେ ସେଠାରେ ଠିଆ ହୋଇ ତାହାକୁ ସମର୍ଥନ କରିଥିଲି । କିନ୍ତୁ ଏବେ ପ୍ରଭୁ ମୋତେ ବିଜାତୀୟମାନଙ୍କ ନିକଟକୁ ଯାଇ ଏକମାତ୍ର ସତ୍ୟ ପ୍ରଭୁଙ୍କ ବିଷୟରେ ଜଣାଇବାକୁ ପ୍ରେରଣ କରିଛନ୍ତି । ଏହା ଶୁଣି ବିଦ୍ରୋହୀମାନଙ୍କର କ୍ରୋଧ ତାଙ୍କ ପ୍ରତି ପ୍ରଜ୍ଜ୍ଵଳିତ ହେଲା । ପ୍ରତିବାଦ ଓ ତାଡ଼ନା ସତ୍ତ୍ବେ ଆମେ ସତ୍ୟସାକ୍ଷୀ ହେଉ ବୋଲି ଈଶ୍ଵର ଚାହାଁନ୍ତି । 

ଉତ୍ତମ ବୁଝାମଣା

 ଉତ୍ତମ ବୁଝାମଣା 

ଆଜିର ଚିନ୍ତା

ପ୍ରରିତ ୨୧: ୧୭-୨୬

ମୁଁ ଉତ୍ତମ ବୁଝାମଣା ଯଥାର୍ଥ କାର୍ଯ୍ୟ କରିବାକୁ ଚେଷ୍ଟା କରେ କି ? 


ପାଉଲ ଯିରୁଶାଲମରେ ପହଞ୍ଚିଲେ । ପରଦିନ ସେ ଅନ୍ୟମାନଙ୍କ ସହ ଯୀଶୁଙ୍କର ଭାଇ ଯାକୁବଙ୍କ ଗୃହକୁ ଗଲେ । ସେ ଯିରୁଶାଲମ ମଣ୍ଡଳୀର ଜଣେ ନେତା ଥିଲେ । ସେଠାରେ ସେ ସମସ୍ତ ପ୍ରାଚୀନମାନଙ୍କ ସହିତ କଥାବାର୍ତ୍ତା ହେଲେ । 


ବିରୋଧାତ୍ମକ ଚିନ୍ତାଧାରା : 

ସେଠାରେ ମଣ୍ଡଳୀ ମଧ୍ୟରେ ଅଣ ଯିହୁଦୀ ବିଶ୍ବାସୀ ମାନଙ୍କ ନିମନ୍ତେ ସୁନ୍ନତ ବିଧି ପ୍ରଚଳନ ଥିଲା । ପାଉଲ ଏହି ବିଧି ଅନୁଯାୟୀ କାର୍ଯ୍ୟ ନ କରି ମୋଶାଙ୍କ ବ୍ୟବସ୍ଥାକୁ ପରିତ୍ୟାଗ କରିବାକୁ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି ବୋଲି ଜନରବ ହେଉଥିଲା । ମାତ୍ର ତାହା ସତ୍ୟ ନ ଥିଲା । ତେଣୁ ପାଉଲ ଯିହୁଦୀମାନଙ୍କର ପ୍ରଥାକୁ ବିରୋଧ କରୁନାହାନ୍ତି ବୋଲି ଜଣାଇବା ନିମନ୍ତେ ସେମାନଙ୍କର ଶୁଚିକରଣ ପ୍ରଥାକୁ ପାଳନ କରି ନିଜକୁ ଶୂଚି କଲେ, ଯେପରି ସୁସମାଚାର କାର୍ଯ୍ୟ ବାଧାପ୍ରାପ୍ତ ନ ହୁଏ । ଫଳରେ ମଣ୍ଡଳୀରେ ଶାନ୍ତି ସ୍ଥାପନ ହେଲା । ପାଉଲ ଜଣେ ଦୃଢ଼ ଖ୍ରୀଷ୍ଟ ବିଶ୍ବାସୀ ଥିଲେ, ତଥାପି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ନିମନ୍ତେ ସେ କେତେଗୁଡ଼ିଏ ନୀତି ନିୟମରେ ଆପଣାକୁ ସାମିଲ କଲେ (୧କର ୯:୧୯-୨୩) । ଆମେ କୌଣସିମତେ ଆମର ଯଥାର୍ଥ ବିଶ୍ଵାସମତକୁ ଭଙ୍ଗ କରିବା ଉଚିତ୍ ନୁହେଁ, ବରଂ ମଣ୍ଡଳୀ ମଧ୍ୟରେ ଶାନ୍ତି ରକ୍ଷା କରି ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା କରି ନିଷ୍ପତି ନେବା ଉଚିତ୍ ।


ଉତ୍ତମ ବୁଝାମଣା :

ଯିହୁଦୀମାନେ ଭାବୁଥିଲେ, ଯେଉଁମାନେ ପୂରାତନ ନିୟମରେ ଥିବା ନିୟମସବୁ ପାଳନ କରିବେ, ସେମାନେ ପରିତ୍ରାଣ ପାଇବେ । ପାଉଲ ଏହି ନିୟମକୁ ଅଗ୍ରାହ୍ୟ କଲେ । ସେ ଜଣାଇଦେଲେ, ଈଶ୍ଵର ମହାଅନୁଗ୍ରହରେ ଆମ୍ଭମାନଙ୍କୁ ବିନାମୂଲ୍ୟରେ ପରିତ୍ରାଣ ଦେଇଛନ୍ତି । ଆମେ କେବଳ ବିଶ୍ଵାସରେ ତାହା ଗ୍ରହଣ କଲେ, ପରିତ୍ରାଣ ପ୍ରାପ୍ତ ହେବା । କିନ୍ତୁ ନିୟମ ଆମକୁ ଆମର ଦୋଷ ଦେଖାଇ ଦିଏ, ମାତ୍ର ଆମକୁ ପରିତ୍ରାଣ ଦେଇପାରିବେ ନାହିଁ । ପୁରାତନ ନିୟମ ଯୀଶୁଖ୍ରୀଷ୍ଟଙ୍କର ଆସିବା ବିଷୟରେ ଶିକ୍ଷା ଦେଇଛି । ଯୀଶୁ ଜଗତକୁ ଆସି ବ୍ୟବସ୍ଥାକୁ ସଫଳ କଲେ ଏବଂ ପାପର ଦଣ୍ଡ ନିଜ ଉପରେ ନେଇ ଆମକୁ ଦଣ୍ଡମୁକ୍ତ ହେବାରେ ସୁଯୋଗ ଦେଲେ । ବ୍ୟବସ୍ଥା ଆମକୁ ଭଲମନ୍ଦର ଜ୍ଞାନ ଦିଏ ଓ ଉତ୍ତମ ଜୀବନଯାପନ କରିବାକୁ ଚାଳନା ଦିଏ । ବିନା ଯୁକ୍ତିତର୍କରେ, ପ୍ରେମରେ ଓ ସରଳ ଭାବରେ ସେ ଲୋକମାନଙ୍କୁ ବୁଝାଇବାରୁ, ସେ ସେମାନଙ୍କ ନିକଟରେ ସୁସମାଚାର ଦେଇପାରିଲେ । 


କାର୍ଯ୍ୟ କରିବାର ଏକାଗ୍ରତା

 କାର୍ଯ୍ୟ କରିବାର ଏକାଗ୍ରତା

ଆଜିର ଚିନ୍ତା

ପ୍ରେରିତ ୨୦:୧-୧୬

ଅନ୍ୟମାନଙ୍କ ନିକଟରେ ସୁସମାଚାର ପହଞ୍ଚାଇବାକୁ ମୁଁ କଣ କରୁଛି ? 


ପ୍ରେରିତ ପାଉଲ ଗ୍ରୀସ୍ ରେ ଥିବା ସମୟରେ ଅଧିକ ସମୟ କରିନ୍ତୀରେ ରହି କାର୍ଯ୍ୟ କଲେ । ସେ ରୋମ୍ କୁ ଯାଇପାରି ନ ଥିଲେ ମଧ୍ୟ ସେଠାସ୍ଥିତ ମଣ୍ଡଳୀର ଉତ୍ତମ ପରିଚାଳନା ନିମନ୍ତେ ପରିତ୍ରାଣ ଓ ବିଶ୍ଵାସ ସମ୍ବନ୍ଧରେ ବିଶଦ ଭାବରେ ବର୍ଣ୍ଣନା କରି ଚିଠି ଲେଖିଥିଲେ । 


ଉତ୍ସାହ ଦେବା :

ପ୍ରଭୁଙ୍କର ଇଛାମୟ ଜୀବନଯାପନ କରିବା ସହ ତାଙ୍କ ନିମନ୍ତେ କାର୍ଯ୍ୟ କରି ଅନ୍ୟମାନଙ୍କୁ ଉତ୍ସାହ ଦେବାର ଆବଶ୍ୟକତାକୁ ପାଉଲ ହୃଦୟଙ୍ଗମ କରିଥିଲେ । ତେଣୁ ସେ ବାରମ୍ବାର ନୂତନ ବିଶ୍ବାସୀ ମାନଙ୍କୁ ଡାକି ସେମାନଙ୍କୁ ବହୁତ ଉତ୍ସାହ ଦେଉଥିଲେ । ଏହା ଦ୍ଵାରା ବିଶ୍ବାସୀମାନେ ପ୍ରତିକୂଳ ପରିସ୍ଥିତିର ସମ୍ଭାବନା ଥିଲେ ମଧ୍ୟ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ପ୍ରେରଣା ପାଉଥିଲେ । ଫଳରେ ତାଙ୍କର ଅନୁପସ୍ଥିତିରେ ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିବାକୁ ସେ ନିଜେ ପ୍ରାଣପଣ କରୁଥିଲେ । ପୁଣି ତାଙ୍କର ଉଦଯୋଗ, ପ୍ରେମପୂର୍ଣ୍ଣ ପରାମର୍ଶ ଓ ଉତ୍ତମ ସମ୍ପର୍କ ହେତୁ ବିଶ୍ବାସୀମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ବିଶ୍ଵସ୍ତ ଭାବରେ କାର୍ଯ୍ୟ କରୁଥିଲେ । ଜଣେ ବିଶ୍ବାସୀ ଭାବରେ ଅନ୍ୟକୁ ଯୀଶୁଙ୍କ ସମ୍ବନ୍ଧରେ ଜଣାଇବା ନିମନ୍ତେ ଆମେ ମନୋଯୋଗୀ ହେବା ସହିତ ଯେଉଁମାନେ ଏହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉତ୍ସାହ ଦେବା ଏବଂ ସାହାଯ୍ୟ କରିବା ମଧ୍ୟ ଆମର କର୍ତ୍ତବ୍ୟ ଅଟେ ।


ପରିଶ୍ରମ କରିବା :

ସୁସମାଚାର ପ୍ରଚାର ନିମନ୍ତେ ପାଉଲ ବ୍ୟଗ୍ର ଥିଲେ । ତେଣୁ ସେ ସୁଯୋଗ ଖୋଜି ବୁଲୁଥିଲେ ଏବଂ ସୁଯୋଗ ପାଇଲେ ତାର ସଦ୍ ବ୍ୟବହାର କରୁଥିଲେ । ସେଥିପାଇଁ ସେ ତ୍ରୋୟାରେ ଲୋକମାନଙ୍କୁ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଦୀର୍ଘ ବକ୍ତୃତା ଦେଲେ । ପବିତ୍ର ଆତ୍ମା ତାଙ୍କୁ ଏପରି ଶକ୍ତିର ସହ ବ୍ୟବହାର କରୁଥିଲେ ଯେ, ଲୋକେ ଏକାଗ୍ର ଭାବରେ ବସି ତାଙ୍କର ଶିକ୍ଷା ଶୁଣୁଥିଲେ । ସେହି ସମୟରେ ଇଉତୁକ ନାମକ ଜଣେ ଯୁବକ ଝରକା ଉପରେ ବସି ଶିକ୍ଷା ଶୁଣିଥିଲା । ସେ ନିଦ୍ରାଗ୍ରସ୍ତ ହୋଇ ତୃତୀୟ ମହଲାରୁ ତଳକୁ ପଡ଼ି ମୃତ୍ୟୁଭୋଗ କଲା, ମାତ୍ର ପାଉଲ ସଙ୍ଗେ ସଙ୍ଗେ ତଳକୁ ଉହ୍ଲାଇ ତାହାକୁ ଜୀବିତ ବୋଲି କହିଲେ । ତତ୍ପରେ ସେ ପୁନର୍ବାର ପ୍ରଭାତ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ଖ୍ରୀଷ୍ଟଙ୍କ ପ୍ରେମ ତାଙ୍କୁ ବଶରେ ରଖିଥିବାରୁ ସେ ଏହିପରି ଅକ୍ଲାନ୍ତ ପରିଶ୍ରମ କରିବାକୁ ସମର୍ଥ ହେଉଥିଲେ । 

ଉତ୍ତମ ସମ୍ପର୍କ

 ଉତ୍ତମ ସମ୍ପର୍କ

ଆଜିର ଚିନ୍ତା 

ପ୍ରେରିତ ୨୦:୧୭-୩୮

ଆତ୍ମିକ ଅଭିବୃଦ୍ଧି ପାଇଁ ମୁଁ ଖ୍ରୀଷ୍ଟୀୟ ସହଭାଗିତାରେ ଯୋଗ ଦେଉଛି କି ?


ନିଜ ଚେଷ୍ଟାରେ ଜଣେ ଖ୍ରୀଷ୍ଟ ବିଶ୍ଵାସୀ ତାର ଜୀବନର ସମସ୍ତ ସମସ୍ୟାର ସମାଧାନ କରିବା ସମ୍ଭବାପର ନୁହେଁ । ପ୍ରଭୁ ଯୀଶୁ ହିଁ ସମସ୍ତ ସମସ୍ୟାର ସମାଧାନ ଅଟନ୍ତି । ତେଣୁ ପାଉଲ ନମ୍ର ଭାବରେ ପରିତ୍ରାଣର ସମ୍ବାଦକୁ ଲୋକମାନଙ୍କୁ ଦେବାକୁ ସବୁବେଳେ ଚେଷ୍ଟା କରୁଥିଲେ । 


ପଛଘୁଞ୍ଚା ନ ଦେବା : 

ବହୁତ ଦୁଃଖଭୋଗ କରିବା ସହ କାରାଗାରସ୍ଥ ହେବାକୁ ପଡିବ ବୋଲି ପବିତ୍ର ଆତ୍ମା ପାଉଲଙ୍କୁ ଜଣାଉଥିଲେ ମଧ୍ୟ ସେ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ଦେଉ ନ ଥିଲେ । ତାଙ୍କର ଏହି ବଳିଷ୍ଠ ଚରିତ୍ର, ତାଡନା ପାଉଥିବା ଏଫିସୀୟ ମଣ୍ଡଳୀର ପ୍ରାଚୀନମାନଙ୍କ ନିମନ୍ତେ ଏକ ଉତ୍ତମ ଆଦର୍ଶ ଥିଲେ । ଜାଗତିକ ସଫଳତା ଆନନ୍ଦ ଦିଏ । ମାତ୍ର ଧନ, ମାନ ଓ ସମ୍ମାନରେ ବିଫଳତା ଆସିଲେ, ଆମ ଜୀବନ ବିଫଳ ହୋଇଗଲା ବୋଲି ମନେ କରୁ । କିନ୍ତୁ ପାଉଲ ଭାବୁଥିଲେ ଈଶ୍ୱରଙ୍କ ନିମନ୍ତେ ତାଙ୍କ ଜୀବନ ବ୍ୟବହୃତ ହୋଇ ନ ପାରିଲେ, ତାହା ମୂଲ୍ୟହୀନ ଅଟେ । ପାଇବା ଅପେକ୍ଷା ଦେବା ଉପରେ ଆମେ ଗୁରୁତ୍ଵ ଦେବା ଉଚିତ୍ । 


ଲକ୍ଷ୍ୟ ରଖି ଆଗେ ବଢ଼ିବା :

ପ୍ରେରିତ ପାଉଲ ଈଶ୍ୱରଙ୍କ କାର୍ଯ୍ୟ ସାଧନ କରିବାର ଏକମାତ୍ର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରାଣପଣ କରୁଥିଲେ । ଏପରିକି ସେ ନିଜର ପ୍ରାଣକୁ ପ୍ରିୟଜ୍ଞାନ ନ କରି ସବୁ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ । ଆଜି ମଧ୍ୟ ପ୍ରଭୁ ସେହିପରି କାର୍ଯ୍ୟକାରୀମାନଙ୍କୁ ଚାହୁଛନ୍ତି । ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନେ ଯେପରି ବିଶ୍ବାସୀମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ଜୀବନଯାପନ କରିବା ନିମନ୍ତେ ଶିକ୍ଷା, ଚେତନା ଓ ଉତ୍ସାହ ଦେବେ, ସେଥିପାଇଁ ସେମାନଙ୍କୁ ଶିକ୍ଷା ଦେଲେ । ପ୍ରତ୍ୟେକ ମଣ୍ଡଳୀର ନେତା ମାନେ ଏହି ଦାୟିତ୍ବ ବହନ କରିବା ଅତି ଜରୁରୀ ଅଟେ । ଖ୍ରୀଷ୍ଟଙ୍କ ଆଦର୍ଶ ଓ ଶିକ୍ଷା ଦ୍ଵାରା ମଣ୍ଡଳୀକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ଆବଶ୍ୟକ । 


ସହଭାଗୀତା ରକ୍ଷା କରିବା :

ବିଶ୍ବାସୀମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ହେଉଛି, ପାଉଲଙ୍କ ଜୀବନର ଅତି ଉତ୍ତମ ଏବଂ ଅନୁକରଣୀୟ ଆଦର୍ଶ । ସେ କେବଳ ବିଶ୍ବାସୀମାନଙ୍କୁ ପ୍ରେମ କରୁ ନ ଥିଲେ, ମାତ୍ର ସେମାନଙ୍କର ଯତ୍ନ ନେବା ସହ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଥିଲେ । ଉତ୍ତମ ସହଭାଗିତା ଆତ୍ମିକ ଜୀବନର ଅଭିବୃଦ୍ଧିର ସହାୟକ ଅଟେ।

ପ୍ରସ୍ତୁତ ଜୀବନ

 ପ୍ରସ୍ତୁତ ଜୀବନ 

ଆଜିର ଚିନ୍ତା

ପ୍ରେରିତ ୨୧:୧-୧୬

ଅନ୍ୟମାନଙ୍କ ନିମନ୍ତେ ମୁଁ ମନୋଯୋଗୀ ଅଟେ କି ? 


ପାଉଲ, ସାକ୍ଷ୍ୟ ଓ ବାକ୍ୟ ମାଧ୍ୟମରେ ଯେ ଲୋକମାନଙ୍କୁ ସାହାଯ୍ୟ କଲେ, ତା' ନୁହେଁ, ମାତ୍ର ନିଜେ ପରିଶ୍ରମ କରି ଦାନ ମାଧ୍ୟମରେ ମଧ୍ୟ ଦରିଦ୍ରମାନଙ୍କର ଯତ୍ନ ନେଉଥିଲେ । 


ଅନ୍ୟ ନିମନ୍ତେ ମନୋଯୋଗୀ :

ପାଉଲ ଅନ୍ୟମାନଙ୍କର ଆତ୍ମିକ ଜୀବନ ବିଷୟରେ ଅଧିକ ମନୋଯୋଗୀ ଥିଲେ । ତେଣୁ ଯାତ୍ରା ପଥରେ ମଧ୍ୟ ସେ ସୁଯୋଗ ବାହାର କରି ବିଶ୍ବାସୀମାନଙ୍କର ଯତ୍ନ ନେଉଥିଲେ । ସୋର ରେ ଜାହାଜ କିଛି ସମୟ ନିମନ୍ତେ ରହିବାରୁ ସେ ଶିଷ୍ୟମାନଙ୍କୁ ଖୋଜି ସେମାନଙ୍କ ସହିତ ସାକ୍ଷାତ କଲେ । ସେମାନଙ୍କୁ ଶିକ୍ଷା, ପରାମର୍ଶ ଓ ଉତ୍ସାହ ଦେବା ସହିତ ପ୍ରାର୍ଥନା କଲେ । ପତଲମାଇରେ ମଧ୍ୟ ସେ ଭାଇମାନଙ୍କ ସାଙ୍ଗରେ ଗୋଟିଏ ଦିନ ବିତାଇଲେ । ପୁଣି କାଇସରିଆକୁ ଆସି ସୁସମାଚାର ପ୍ରଚାରକ ଫିଲିପଙ୍କ ଗୃହରେ ଅନେକ ଦିନ ରହି ବିଶ୍ଵାସୀମାନଙ୍କ ସହିତ ସହଭାଗିତାରେ ସମୟ ବିତାଇ ସେମାନଙ୍କୁ ଉତ୍ସାହିତ କଲେ । ତେଣୁ ଲୋକମାନଙ୍କଠାରୁ ସେ ବିଦାୟ ନେଇ ଅନ୍ୟତ୍ର ଯିବାକୁ ବାହାରିବା ସମୟରେ ସେମାନେ ଦୁଃଖ କରିବା ସହ ରୋଦନ କରୁଥିଲେ । ଆମେ ଅନ୍ୟମାନଙ୍କ ବିଷୟରେ ମନୋଯୋଗ କରୁଛୁ ନା ନିଜର ସ୍ବାର୍ଥସିଦ୍ଧି ପାଇଁ ବ୍ୟସ୍ତ ରହିଛୁ ? 


ସଂପୂର୍ଣ୍ଣ ସମର୍ପଣ : 

ପବିତ୍ର ଆତ୍ମା ବିଶ୍ବାସୀମାନଙ୍କୁ ପାଉଲଙ୍କ ସମ୍ମୁଖରେ ଥିବା ତାଡ଼ନା ବିଷୟରେ ଜଣାଉଥିବାରୁ ସେମାନେ ତାଙ୍କୁ ଯିରୁଶାଲମକୁ ନ ଯିବାକୁ ଅନୁରୋଧ କଲେ । କାଇସରିଆରେ ଥିବା ସମୟରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦା ପ୍ରଦେଶରୁ ଆସି ପାଉଲ ଓ ଯିରୁଶାଲମରେ କିପରି ତାଡ଼ନା ଭୋଗ କରିବେ, ସେ ବିଷୟରେ ତାଙ୍କୁ ଜଣାଇଲେ । ଏକଥା ଶୁଣି ସମସ୍ତେ ତାଙ୍କୁ ଯିରୁଶାଲମକୁ ନ ଯିବା ନିମନ୍ତେ ବିନତୀ କଲେ । ମାତ୍ର ସେ କହିଲେ, ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୁଶାଲମରେ କେବଳ ବନ୍ଦୀ ହେବକୁ ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି । ପ୍ରଭୁ ଆମଠାରୁ ସମ୍ପର୍ଣ୍ଣ  ସମର୍ପିତ ଜୀବନ ଚାହୁଛନ୍ତି । 


ଦୃଢ଼ ସିଦ୍ଧାନ୍ତ :

ପ୍ରିୟ ଲୋକମାନଙ୍କର କ୍ରନ୍ଦନ ଓ ବାରମ୍ବାର ବିନତୀ ସହ ଅନୁରୋଧ ଶୁଣି ମଧ୍ୟ ପାଉଲ ନିଜ ସିଦ୍ଧାନ୍ତ ରୁ କ୍ଷାନ୍ତ ହେଲେ ନାହିଁ, ବରଂ ଆନନ୍ଦ ମନରେ ତାଡ଼ନା ସହ୍ୟ କରି ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷ୍ୟ ବହନ କରିବା ନିମନ୍ତେ ଯିରୁଶାଲମକୁ ଯାତ୍ରା କଲେ । ଦୃଢ଼ ସିଦ୍ଧାନ୍ତ ନ ନେଲେ, ଆମେ ପ୍ରଭୁଙ୍କର ମନରମତ କାମ କରି ପାରିବା ନାହିଁ । 

ତାଡନାର ସମ୍ମୁଖୀନ

 ତାଡନାର ସମ୍ମୁଖୀନ 

ଆଜିର ଚିନ୍ତା

ପ୍ରେରିତ ୧୯:୨୧-୪୧

ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରସ୍ତୁତ ଅଛି କି ?


ପ୍ରେରିତ ପାଉଲ ଯେଉଁ ସ୍ଥାନକୁ ପ୍ରଚାର କରିବାକୁ ଯାଉଥିଲେ, ସେଠାରେ ରୋମୀୟ ଶାସନର ପ୍ରଭାବକୁ ଦେଖୁଥିଲେ । ସେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ଯୀଶୁଙ୍କ ବିଷୟରେ ଅନ୍ୟମାନଙ୍କୁ କହିବାକୁ ଇଚ୍ଛା କରୁଥିବାରୁ ଶକ୍ତିଶାଳୀ ରୋମ୍ କୁ ଯିବାକୁ ଚାହୁଥିଲେ । 


ପ୍ରତିବାଧା ସୃଷ୍ଟି ହେଲା :

ପାଉଲ, ତିମଥି ଓ ଏରାଷ୍ଟଙ୍କୁ ମାକିଦନିଆକୁ ପ୍ରେରଣ କରି କିଛି ସମୟ ପାଇଁ ଆସିଆରେ ରହିଲେ । ସେ ଏଫୀସରେ ପ୍ରଚାର କରୁଥିବା ସମୟରେ ଦୀମୀତ୍ରିୟ ନାମକ ଜଣେ ସ୍ଵର୍ଣ୍ଣକାର ଆର୍ତ୍ତେମୀୟ ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲେ । ସେଥିରେ ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ ହେଉଥିଲା । ପାଉଲଙ୍କ ଶିକ୍ଷାରେ ଅନେକେ ଯୀଶୁଙ୍କୁ ଗ୍ରହଣ କରିବା ଦେଖି ସେମାନେ ଭୟଭୀତ ହେଉଥିଲେ ମଧ୍ୟ ସେମାନେ ପାଉଲଙ୍କ ଶିକ୍ଷାର ପ୍ରତିବାଧା କରିପାରୁ ନ ଥିଲେ । ଲୋକମାନେ ଯୀଶୁଙ୍କୁ ବିଶ୍ଵାସ କଲେ ସେମାନଙ୍କର ବ୍ୟବସାୟରେ କ୍ଷତି ଘଟିବାର ସମ୍ଭାବନା ରହିଛି ବୋଲି ମନେ କରି ସେମାନେ ଲୋକମାନଙ୍କୁ ମତାଇ ଗଣ୍ଡଗୋଳ ଆରମ୍ଭ କଲେ । ସେମାନେ କହିଲେ, ପାଉଲଙ୍କ ପ୍ରଚାର ହେତୁ ଆର୍ତ୍ତେମୀୟଙ୍କର ମହିମାର ଗ୍ଲାନି ଘଟିପାରେ । ନଗରଯାକ ଗଣ୍ଡଗୋଳରେ ପୂର୍ବ ହେଲା । 


ରକ୍ଷାର ପଥ ଖୋଲିଲା :

ତାଡ଼ନାରୁ ପଳାୟନ କରିବାକୁ ଯୀଶୁ କହିନାହାନ୍ତି, ମାତ୍ର ସେ ଉଦ୍ଧାରର ପଥ ଖୋଲିବେ ବୋଲି କହିଛନ୍ତି । ସେ ଏକୁଟିଆ କାମ କରିବାକୁ ଛାଡ଼ି ଦିଅନ୍ତି ନାହିଁ । ମାତ୍ର ସେ ସଙ୍ଗରେ ଥାଆନ୍ତି (ମାଥିଉ ୨୮:୨୦ ) । ଦୀମୀତ୍ରିୟ ନିଜର ସ୍ବାର୍ଥସିଦ୍ଧି ନିମନ୍ତେ ନିଜକୁ ଜଣେ ଦେଶପ୍ରେମୀ ଓ ଧର୍ମ ସୁରକ୍ଷାକାରୀ ନେତା ବୋଲି ପରିଚୟ ଦେଇ ମହା ଗଣ୍ଡଗୋଳ ସୃଷ୍ଟି କଲେ । ଏହା ଶୁଣି ପ୍ରେରିତ ପାଉଲ ସେଠାକୁ ଯିବାକୁ ସାହସର ସହିତ ବାହାରିଲେ । ମାତ୍ର ଅନ୍ୟମାନେ ତାଙ୍କୁ ବାଧା ଦେବାରୁ ସେ ଯାଇପାରିଲେ ନାହିଁ । ମାତ୍ର ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଆରିସ୍ତାର୍ଖ ଓ ଗାୟଙ୍କୁ ବ୍ୟବହାର କରି ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କଲେ । ପ୍ରେରିତ ପାଉଲଙ୍କ ପ୍ରଚାର ହେତୁ ଅନେକେ ମାନ୍ୟଗଣ୍ୟ ଲୋକମାନେ ମଧ୍ୟ ଯୀଶୁଙ୍କୁ ବିଶ୍ଵାସ କରିବାର ସୁଯୋଗ ପାଇଲେ । ଯଦି ପ୍ରତିକୂଳ ପରିସ୍ଥିତିର ଭୟ ଆମକୁ ଅନ୍ୟ ନିକଟରେ ସୁସମାଚାର ପହଞ୍ଚାଇବାରେ ବାଧା ଦେଉଛି, ତେବେ ତାହା ଅତ୍ୟନ୍ତ ପରିତାପର ବିଷୟ ଅଟେ ।

ପ୍ରଭୁଙ୍କ ବାକ୍ୟର ଅଭିବୃଦ୍ଧି

 ପ୍ରଭୁଙ୍କ ବାକ୍ୟର ଅଭିବୃଦ୍ଧି

ଆଜିର ଚିନ୍ତା

ପ୍ରେରିତ ୧୯:୧୧-୨୦

ମୋର ଜୀବନ ଶୈଳୀ ପ୍ରଭୁଙ୍କ ବାକ୍ୟ ବୃଦ୍ଧିର ସହାୟକ ହେଉଛି କି ?


ଅନେକ ଏଫିସୀୟ ଭୂତ ପ୍ରେତ ଦୂରୀକରଣ ଏବଂ କୁହୁକ କର୍ମରେ ନିଜକୁ ନିଯୋଗ କରି ଲୋକମାନଙ୍କଠାରୁ ଭୂତ ଆତ୍ମା ବାହାର କରିବା ଦ୍ୱାରା ଟଙ୍କା ଉପାର୍ଜନ କରୁଥିଲେ ।


ମନ୍ଦ କାର୍ଯ୍ୟର ପ୍ରତିକ୍ରିୟା :

ସ୍କେବା ନାମକ ଜଣେ ଯିହୁଦୀୟ ପ୍ରଧାନ ଯାଜକ ଥିଲେ । ତାଙ୍କର ସାତୋଟି ପୁଅ ଏହିପରି କାର୍ଯ୍ୟ କରୁଥିଲେ । ସେହିପରି ସମୟରେ ଈଶ୍ଵର ପାଉଲଙ୍କ ଦ୍ଵାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ କଲେ । ଏହା ଦେଖି ଈଶ୍ୱରଙ୍କଠାରୁ ଆଗତ ପବିତ୍ର ଆତ୍ମା ଯେ ଅଧିକ ଶକ୍ତିଶାଳୀ ଅଟନ୍ତି, ତାହା ସେମାନେ ଜାଣିପାରିଲେ । କାରଣ ପାଉଲଙ୍କଠାରୁ ଅଣା ଯାଇଥିବା ରୁମାଲ୍ କିମ୍ବା ଗାମୁଛା ଦ୍ଵାରା ରୋଗୀମାନେ ସୁସ୍ଥ ହେଉଥିଲେ ଓ ଦୁଷ୍ଟ ଆତ୍ମାଗୁଡ଼ିକ ବାହାରି ଯାଉଥିଲେ । ଯୀଶୁଙ୍କୁ ନ ଜାଣି ତାଙ୍କର ନାମକୁ ବ୍ୟବହାର କରିବା ଅତି ମାରାତ୍ମକ ବିଷୟ ଅଟେ । ତେଣୁ ସେହି ଭୂତିଡ଼ିଆମାନଙ୍କୁ ଦୁଷ୍ଟତା କହିଲା, ଆମେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଜାଣୁ, ମାତ୍ର ତୁମ୍ଭେମାନେ କିଏ ? ମନୁଷ୍ୟକୁ ପରିବର୍ତ୍ତନ କରିବାର ଶକ୍ତି କେବଳ ଯୀଶୁଙ୍କଠାରେ ଅଛି । ତେଣୁ ତାଙ୍କୁ ବିଶ୍ଵାସ କରି ନିଜକୁ ତାଙ୍କଠାରେ ସମର୍ପଣ କଲେ, ଆମର ଜୀବନ ଶୈଳୀ ପରିବର୍ତ୍ତିତ ହୋଇଯିବ ଏବଂ ଆମେ ପ୍ରଭୁଙ୍କ ହାତରେ ବ୍ୟବହାର ଉପଯୋଗୀ ଜଣେ ବ୍ୟକ୍ତି ହୋଇପାରିବା । 


ମନ୍ଦରୁ ପୃଥକ ରହିବା :

ଏଫିସ ନଗର ଯାଦୁବିଦ୍ୟା, କୁହୁକକର୍ମ ଏବଂ ଭୂତ ଦୂରୀକରଣର କେନ୍ଦ୍ରସ୍ଥଳୀ ଥିଲା । ଏହା ଅର୍ଥ ଉପାର୍ଜନର ଏକ ଉପାୟ ଥିଲା । ମାତ୍ର ଈଶ୍ଵର ଏହିସବୁ ବିଷୟକୁ ସ୍ପଷ୍ଟ ଭାବରେ ବାରଣ କରିଛନ୍ତି (୨ବିବ ୨୮:୯-୧୩) । ଜଣେ ବିଶ୍ବାସୀ ଏହିସବୁରୁ ସମ୍ପୂର୍ଣ୍ଣ ପୃଥକ ରହିବା ଅତି ଜରୁରୀ ଅଟେ । ମାତ୍ର ଏବେ ମଧ୍ୟ ଖ୍ରୀଷ୍ଟୀୟ ପରିବାରଗୁଡ଼ିକରେ ନାନା ପ୍ରକାର ଅନ୍ଧ ବିଶ୍ଵାସର ପ୍ରଚଳନ ପରିଲକ୍ଷିତ ହୁଏ । ତେଣୁ ସେମାନେ ସୂତା, ଫିତା, କନା ଆଦି ଚିହ୍ନକୁ ବ୍ୟବହାର କରନ୍ତି । ଶୟତାନ ଅତି ଚତୁର ଓ ଶକ୍ତିଶାଳୀ ଅଟେ । ତେଣୁ ସେ ଏହିସବୁ ଦ୍ଵାରା ବିଶ୍ବାସୀମାନଙ୍କ ଜୀବନରେ ପରୋକ୍ଷ ଭାବରେ କାର୍ଯ୍ୟ କରି ସେମାନଙ୍କୁ ପ୍ରଭୁଙ୍କଠାରୁ ଦୂରେଇ ରଖେ । ମାତ୍ର ଈଶ୍ୱରଙ୍କର ଶକ୍ତି ସବୁଠାରୁ ମହାନ୍ ଅଟେ । (୧ଯୋହନ ୪:୪, ପ୍ରକାଶିତ ୨୦:୧୦) । ତେଣୁ ଆମେ ଏହିସବୁ ଦୁର୍ବଳତାର ବନ୍ଧନରୁ ମୁକ୍ତ ହେବା ଅତି ଜରୁରୀ ଅଟେ । ତାହା କଲେ ଆମର ଜୀବନ ଦ୍ଵାରା ପ୍ରଭୁଙ୍କ ବାକ୍ୟର ବୃଦ୍ଧି ହେବ ଏବଂ ଆମ ଜୀବନର ସାକ୍ଷ୍ୟ ଓ ବାକ୍ୟ ଅନେକଙ୍କ ଜୀବନରେ ବିଜୟର ଆନନ୍ଦ ଆଣିଦେବ । 

ସୁସମାଚାରର କାର୍ଯ୍ୟ

 ସୁସମାଚାରର କାର୍ଯ୍ୟ

ପ୍ରେରିତ ୧୮:୧୭-୨୮

ଆଜିର ଚିନ୍ତା

ଅନ୍ୟମାନଙ୍କୁ ସୁସମାଚାର ଦେବାକୁ ମୁଁ ପଛଘୁଞ୍ଚା ଦେଉଛି କି ? 


ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ସଙ୍ଗରେ ନେଇ ପାଉଲ ଏଫୀସକୁ ଗଲେ । ସେଠାରେ ସେମାନଙ୍କୁ ଛାଡ଼ି ଦେଇ ସେ ସମାଜ ଗୃହରେ ଯିହୁଦୀମାନଙ୍କୁ ଉପଦେଶ ଦେବା ପରେ ଏଫୀସରୁ ବିଦାୟ ନେଲେ । ଏହିଠାରେ ତାଙ୍କର ଦ୍ଵିତୀୟ ମିଶନାରୀ ଯାତ୍ରା ଶେଷ ହେଲା ଏବଂ ତୃତୀୟ ମିଶନାରୀ ଯାତ୍ରା ଆରମ୍ଭ ହେଲା । 


ଆତ୍ମିକ ସମ୍ପର୍କ : 

ବିଶ୍ବାସୀମାନଙ୍କ ପ୍ରତି କର୍ତ୍ତବ୍ୟ କରିବାରେ ସେ ଖୁବ୍ ଉଦଯୋଗୀ ଥିଲେ । ତେଣୁ ସେମାନଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଉପଦେଶ ଓ ଶିକ୍ଷା ଦେବା ସହିତ ସାନ୍ତ୍ଵନା, ପ୍ରେରଣା ଓ ଉତ୍ସାହ ଦେବାକୁ ପାଉଲ ଚେଷ୍ଟା କରୁଥିଲେ । ନାନା ପ୍ରକାର ଅସୁବିଧା ସତ୍ତ୍ୱେ ସେ ଯାତ୍ରା ପଥରେ ସେମାନଙ୍କୁ ଭେଟି, ସେମାନଙ୍କ ସହିତ ସହଭାଗିତା କରିବା ନିମନ୍ତେ କେତେଗୁଡ଼ିଏ ମଣ୍ଡଳୀକୁ ଯାଇଥିଲେ । ତାହା  ସେମାନଙ୍କୁ ପ୍ରଭୂରେ ସ୍ଥିର ରହି ବୃଦ୍ଧି ପାଇବାକୁ ସାହାଯ୍ୟ କରୁଥିଲା । ବିଶ୍ବାସୀମାନେ ପରସ୍ପର ସହିତ ସହଭାଗିତା କରିବା ଅତି ଜରୁରୀ ଅଟେ । କାରଣ ଆତ୍ମିକ ଜୀବନର ଅଭିବୃଦ୍ଧି ସହାୟକ ଅଟେ । 


ଉପଯୁକ୍ତଶିକ୍ଷା :

ଆପଲ୍ଲ ଜଣେ ସୁବକ୍ତା ଓ ଧର୍ମ ଶାସ୍ତ୍ରରେ ନିପୁଣ ଥିଲେ । ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ । ତେଣୁ ପ୍ରୀସ୍କିଲା ଓ ଆକ୍ଵିଲା ତାଙ୍କୁ ସାଙ୍ଗରେ ରଖି ଅଧିକ ସୁକ୍ଷ୍ମ ରୂପେ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଲେ । ତତ୍ପରେ ଆପଲ୍ଲ ଯିହୁଦୀମାନଙ୍କୁ, ଯୀଶୁ ଯେ ଖ୍ରୀଷ୍ଟ, ଏହାର ପ୍ରମାଣ ଦେଇ ଦୃଢ଼ ଭାବରେ ଶିକ୍ଷା ଦେବାକୁ ଲାଗିଲେ । ବାକ୍ୟର ଜ୍ଞାନରେ ଉପଯୁକ୍ତ ଭାବରେ ଶିକ୍ଷିତ ପୁଣି ଅନୁଭୂତି ପ୍ରାପ୍ତ ନ ହେଲେ ଆମେ ସଠିକ୍ ଭାବରେ, ପୁଣି ଦୃଢତାର ସହିତ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିପାରିବା ନାହିଁ । 


ଫଳାଫଳ : 

ସୁସମାଚାର ପ୍ରଚାର ଏକ ନିକୃଷ୍ଟ ଅଥବା କଷ୍ଟକର କାର୍ଯ୍ୟ ନୁହେଁ । ଏହା ଅନ୍ୟମାନଙ୍କ ଜୀବନରେ ବିଜୟର ଆନନ୍ଦ ଆଣିଦିଏ । ଏତଦ୍ଵାରା ଆକ୍ଵିଲା ଓ ପ୍ରୀସ୍କିଲା ଏବଂ ଆପଲ୍ଲଙ୍କ ପରି ଉଦଯୋଗୀ ଓ ପ୍ରଭାବଶାଳୀ ନେତାମାନଙ୍କୁ ପ୍ରସ୍ତୁତ କରାଯାଇପାରେ । ପ୍ରଭୁ ବିଶ୍ବାସୀକୁ ବ୍ୟବହାର କରି ଅନ୍ୟମାନଙ୍କ ଜୀବନରେ ବିଜୟର ଆନନ୍ଦ ଆଣି ଦିଅନ୍ତି । ତେଣୁ ଆମେ ବିପରୀତ ଭାବରେ ଚିନ୍ତା କରି ଭୟଭୀତ ହେବା ଅନୁଚିତ୍  ।

ସୁସମାଚାର ପ୍ରଚାରରେ ଏକାଗ୍ରତା

 ସୁସମାଚାର ପ୍ରଚାରରେ ଏକାଗ୍ରତା 

ଆଜିର ଚିନ୍ତା

ପ୍ରେରିତ ୧୮:୧-୧୭

ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାକୁ ମୁଁ  ଆଗ୍ରହୀ କି ?

କ୍ଲାଉଦିଅ ଯିହୁଦୀମାନଙ୍କୁ ରୋମରୁ ତଡ଼ି ଦେବାରୁ ସେମାନେ  କରିନ୍ଥିକୁ ଆସି ସେଠାରେ ବାସ କଲେ । ସେଥିପାଇଁ ତମ୍ବୁ ନିର୍ମାଣକାରୀ ଆକ୍ଵିଲା ଓ ପ୍ରୀସ୍କିଲା ଆସି କରିନ୍ଥିରେ ବାସ କରୁଥିଲେ । ଯେତେବେଳେ ପାଉଲ କରିନ୍ଥିକୁ ଆସିଲେ, ସେ ମଧ୍ୟ ତମ୍ବୁ ନିର୍ମାଣକାରୀ ଥିବାରୁ ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ଭେଟି ତାଙ୍କ ସହିତ ରହିଲେ ।


ସାହସର ସହ କାର୍ଯ୍ୟ : 

କରିନ୍ଥି ଏକ ରାଜନୈତିକ ଓ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଥିଲା । ତାହା ମଧ୍ୟ ପାପାଚରଣ ଓ ଅନୈତିକତାର ପେଣ୍ଠସ୍ଥଳୀ ଥିଲା । ଏହିପରି ଏକ ଭୟଙ୍କର ସ୍ଥାନରେ ପାଉଲ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ନ ଦେଇ ବରଂ ତାଙ୍କର ରହଣୀ ସମୟକୁ ସୁସମାଚାର ପ୍ରଚାର କରିବାର ଏକ ସୁଯୋଗ ବୋଲି ମନେ କଲେ । ତେଣୁ ସେ ପ୍ରତି ବିଶ୍ରାମବାରରେ ସମାଜ ଗୃହରେ  ପ୍ରବେଶ କରି ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହି ସାକ୍ଷ୍ୟ ଦେଇ ଯିହୁଦୀ ଓ ଗ୍ରୀକମାନଙ୍କୁ  ଶିକ୍ଷା ଦେବାକୁ ଲାଗିଲେ  । ଲୋକମାନେ ଯୀଶୁଙ୍କର ପରିଚୟ ପାଇ ପରିତ୍ରାଣ ପାଆନ୍ତୁ ଏହି ଲକ୍ଷ୍ୟ ନେଇ ସେ ସୁସମାଚାର ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ନିବିଷ୍ଟ ହୋଇ ରହିଲେ । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାର ଦାୟିତ୍ବ ପ୍ରତି ବିଶ୍ଵାସୀକୁ ଦିଆଯାଇଛି । ଆଜି ସେ ଦିଗରେ ଆମେ ବ୍ୟକ୍ତିଗତ, ପାରିବାରିକ ଓ ମଣ୍ଡଳୀଗତ ଭାବରେ ଉଦ୍ଯୋଗୀ ହେବା ଅତି ଜରୁରୀ ଅଟେ ।


କ୍ରମାଗତ ଭାବରେ କାର୍ଯ୍ୟ :

 ଯିହୁଦୀମାନେ ତାଙ୍କୁ ଅଗ୍ରାହ୍ୟ କଲେ ମଧ୍ୟ ପାଉଲ କାର୍ଯ୍ୟ କରିବାରୁ କ୍ଷାନ୍ତ ନ ହୋଇ, ଅନାଯିହୁଦୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । ସମାଜ ଗୃହ ନିକଟରେ ବାସ କରୁଥିବା ଯୂସ୍ତଙ୍କ ଗୃହରେ ରହି ପ୍ରଚାର କଲେ । ତାହା ଶୁଣି ସମାଜ ଗୃହର ଅଧ୍ୟକ୍ଷ, କ୍ରୀଷ୍ପ ସପରିବାରରେ ବିଶ୍ଵାସ କଲେ । କେବଳ ସେତିକି ନୁହେଁ, କରିନ୍ଥିୟମାନଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କୁ ବିଶ୍ଵାସ କରି ବାପ୍ତିଜିତ ହେଲେ । ତାଙ୍କର ବିଶ୍ଵସ୍ତତା ଓ ଉଦ୍ଯୋଗ ହେତୁ ପ୍ରଭୁ ତାଙ୍କୁ ଦର୍ଶନ ଦେଇ କାର୍ଯ୍ୟ କରିବାକୁ ଉତ୍ସାହ ଦେଲେ । ଏତଦ୍ଵାରା ନୂତନ ବିଶ୍ବାସୀମାନେ ବିଶ୍ଵାସରେ ବଳିଷ୍ଠ ହେଲେ । ପ୍ରଚାର କରିବ ଯେତିକି ଗୁରୁତ୍ଵପୂର୍ଣ୍ଣ, ନୂତନ ବିଶ୍ବାସୀମାନଙ୍କର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ଅଟେ, ଏହା ପାଉଲ ଉତ୍ତମ ରୂପେ ବୁଝିଥିଲେ ।

ସତ୍ୟ ପରମେଶ୍ୱର

ସତ୍ୟ ପରମେଶ୍ୱର 

ଆଜିର ଚିନ୍ତା

ପ୍ରେରିତ ୧୭:୧୬-୩୪

ବ୍ୟକ୍ତିଗତ ଜୀବନରେ ମୁଁ ସତ୍ୟ ପରମେଶ୍ବରଙ୍କର ପରିଚୟ ପାଇଛି କି ? 

ଆଥୀନୀ ଗ୍ରୀକ୍ ସଭ୍ୟତାର ଏକ ପେଣ୍ଠସ୍ଥଳ । ଏଠାକାର ଆଦିବାସୀମାନେ ଅତି ଉଚ୍ଚ ଶିକ୍ଷିତ ଓ ଜିଜ୍ଞାସୀ । ସେମାନେ କେବଳ ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳ କ୍ଷେପଣ କରୁ ନ ଥିଲେ । ମାତ୍ର ଆଥୀନୀ ନିବାସୀମାନେ ଏକ ଅଜ୍ଞାତ ଦେବତାର ସେବା କରୁଥିଲେ ଓ ତାଙ୍କର ଦେଶ ଅନେକ ପ୍ରତିମାରେ ପରିପୂର୍ଣ୍ଣ ଥିଲା । ଆଥୀନୀବାସୀଙ୍କର ଜୀବନ ଶୈଳୀକୁ ଦେଖି ପାଉଲ ଅତି ଉଦବିଗ୍ନ ହେଲେ ସତ ମାତ୍ର ସେ ବହୁତ  ଧୈର୍ଯ୍ୟ ଓ  ଜ୍ଞାନର ସହ  ସେମାନଙ୍କ ନିକଟରେ ସତ୍ୟ ଜୀବିତ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରକାଶ କଲେ ।

ସୃଷ୍ଟିକର୍ତ୍ତା ଈଶ୍ଵର  : 

ଈଶ୍ଵର ନିଜେ ସ୍ଵୟଂ ସୃଷ୍ଟିକର୍ତ୍ତା । ସେ ସାରା ବ୍ରହ୍ମାଣ୍ଡ ଓ ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସଜୀବ ଓ ନିର୍ଜୀବ ବସ୍ତୁର ସୃଷ୍ଟିକର୍ତ୍ତା ଅଟନ୍ତି । ସେ ମନୁଷ୍ୟକୁ ନିଜ ସ୍ୱରୂପରେ ସୃଷ୍ଟି କରି ଏହି ପୃଥିବୀକୁ ପୂର୍ଣ୍ଣ କରିବାକୁ ଆଜ୍ଞା ଦେଇଛନ୍ତି । ଏହି କଥା ଆଥୀନୀ ନିବାସୀମାନଙ୍କୁ ବୁଝାଇବା ପରେ ପାଉଲ କହନ୍ତି ଯିଏ ମନୁଷ୍ୟକୁ ଜୀବନ ଓ ନିଃଶ୍ୱାସ ପ୍ରଦାନ କରିଅଛନ୍ତି, ସେ ନିଜେ କିପରି ନିର୍ଜୀବ ବସ୍ତୁ ବା ପ୍ରତିମାରେ ବସବାସ କରିବେ । ମନୁଷ୍ୟର ଗତି, ସ୍ଥିତି ସବୁ ତାଙ୍କର ହସ୍ତଗତ । ତେଣୁ ଗୀତରଚକ ଲେଖିଲେ, "ପ୍ରଭୁଙ୍କ ଦ୍ଵାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି" (ଗୀତ  ୩୭:୨୩)  । ବ୍ୟକ୍ତିଗତ ଜୀବନରେ ଆମେ ତାଙ୍କୁ ନିଜର ସୃଷ୍ଟିକର୍ତ୍ତା ଓ ଆମର ପଥ ପ୍ରଦର୍ଶକ ଭାବରେ ଗ୍ରହଣ କରିଛୁ କି ? 

ଜୀବିତ ଈଶ୍ୱର : 

ପାଉଲ ତାଙ୍କର ପ୍ରଚାରରେ ସର୍ବଦା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ପୁନରୁତ୍ଥାନ ବିଷୟରେ ବର୍ଣ୍ଣନା କରୁଥିଲେ । ପାଉଲ ପୁନରୁତ୍ଥାନ ବିଷୟରେ ପ୍ରଚାର କରି ଏହା ପ୍ରକାଶ କରିବାକୁ ଚାହୁଁଥିଲେ ଯେ ଆମର ପରମେଶ୍ୱର ଜୀବିତ ଅଟନ୍ତି । ମାତ୍ର ତାଙ୍କର ଏହି ବାକ୍ୟ ପାଇଁ ମିଶ୍ର ପ୍ରତିକ୍ରିୟା ମିଳିଥିଲା । ୩୨ ଓ ୩୩ ପଦ ପ୍ରକାଶ କରେ, କିଛି ଲୋକ ଏହା ଶୁଣି ପରିହାସ କଲେ, ଅନ୍ୟ କେତେକ ଲୋକ ଏହି କଥାକୁ ପୁନଃ ପରୀକ୍ଷା କରିବାକୁ ଚାହିଁଲେ, ମାତ୍ର ଅଳ୍ପ କେତେଜଣ ସେହି ବାକ୍ୟରେ ବିଶ୍ଵାସ କଲେ । ସତ୍ୟ ସମସ୍ତଙ୍କ ନିକଟରେ ପ୍ରଚାରିତ, ମାତ୍ର ଅଳ୍ପ କେତେକଙ୍କ ଦ୍ଵାରା ଗୃହୀତ । ମୋର ସୃଷ୍ଟିକର୍ତ୍ତା ଯେ ସତ୍ୟ ଓ ଜୀବିତ, ମୋର ଏହି ଦୃଢ଼ ବିଶ୍ଵାସ ଅଛି କି ? ଏହା ସମୟ ପ୍ରମାଣିତ କରିବ । 

ସଜାଗ ଶ୍ରୋତା

 ସଜାଗ ଶ୍ରୋତା

ପ୍ରେରିତ ୧୭:୧-୧୫

ଆଜିର ଚିନ୍ତା

ଖ୍ରୀଷ୍ଟଙ୍କ ବାକ୍ୟ ଶ୍ରବଣ କରିବାରେ ମୁଁ ଜଣେ ଉତ୍ତମ ଶ୍ରୋତା ଅଟେ କି ? 


ଥେସଲନୀକୀ ଫିଲିସ୍ପ ଠାରୁ ପ୍ରାୟ ୧୦୦ ମାଇଲ୍ ଦୂରରେ ଅବସ୍ଥିତ । ପାଉଲ ଓ ଶୀଲା ପ୍ରଥମେ ୩ ବିଶ୍ରାମବାର ପର୍ଯ୍ୟନ୍ତ ଏଠାରେ ପ୍ରଚାର କରି ତା' ପରେ ୫୦ ମାଇଲ୍ ଦୂରରେ ଅବସ୍ଥିତ ବେରୟାରେ ମଧ୍ୟ ବାକ୍ୟ ପ୍ରଚାର କଲେ । 


ସକାରତ୍ମକ ଶ୍ରବଣ :

ଉଭୟ ଥେସଲନୀକୀ ଓ ବେରୟାରେ ଅନେକ ଯିହୁଦୀ ମତାବଲମ୍ବି ଗ୍ରୀକ୍ ଓ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ପାଉଲ ଓ ଶୀଲାଙ୍କର ବାକ୍ୟ ଶୁଣିବାକୁ ଆସିଲେ । ଯେପରି (ରୋମୀ ୧୦:୧୭) ରେ ଲେଖାଅଛି, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ । ପାଉଲ ଓ ଶୀଲା ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ବାକ୍ୟ ସେମାନଙ୍କ ନିକଟରେ ପ୍ରଚାର କଲେ ଓ ସେମାନେ ଶୁଣି ବିଶ୍ଵାସ କଲେ । ପୁଣି ବେରୟାର ବିଶ୍ବାସୀମାନେ ଆଗ୍ରହର ସହ ତାହା ଗ୍ରହଣ କରି ତାହା ସତ୍ୟ କି ମିଥ୍ୟା ତାହା ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରି ଜାଣିବାକୁ ଚାହିଁଲେ । ଏଠାରେ ୨ ଟି କଥା ପ୍ରକାଶିତ ହୁଏ । ଖ୍ରୀଷ୍ଟଙ୍କର ବାକ୍ୟ ପ୍ରମାଣସିଦ୍ଧ ଓ ଆମକୁ ତାହା ଅନୁସନ୍ଧାନ କରି ନିଜ ଜୀବନରେ ଗ୍ରହଣ କରିବାକୁ ହେବ । କାରଣ ଦୁଃସମୟ ଆସୁଅଛି, ଯେତେବେଳେ ଅନେକ ଭଣ୍ଡ ଭାବବାଦୀ ଓ ଭଣ୍ଡ ଖ୍ରୀଷ୍ଟଙ୍କର ସମ୍ମୁଖୀନ ହେବାକୁ ପଡିବ ।  ତେଣୁ ଆମେ ଏକ ସଜାଗ ଓ ସକାରତ୍ମକ ଶ୍ରୋତା ହେବା ଆବଶ୍ୟକ । 


ନକାରତ୍ମକ ଶ୍ରବଣ :

ପାଉଲ ଓ ଶୀଲାଙ୍କ ବାକ୍ୟ ଦ୍ଵାରା ଅନେକେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ସମୟରେ ଯିହୁଦୀମାନେ ଈର୍ଷାରେ ଜଳି ଉଠିଲେ ଓ ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇ ଦେଲେ । ପୁଣି ସେମାନେ, ପାଉଲ ଓ ଶୀଲା ବେରୟାରେ ପ୍ରଚାର କରୁଅଛନ୍ତି ବୋଲି ଶୁଣି ସେଠାରେ ମଧ୍ୟ ଉପସ୍ଥିତ ହୋଇ ଲୋକସମୂହକୁ ଉତ୍ତେଜିତ ଓ ଉଦବିଗ୍ନ କଲେ । (ଯାକୁବ ୧:୧୯) ରେ ଲେଖାଅଛି, ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର ଓ କହିବାରେ ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ, କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । ଯିହୁଦୀମାନଙ୍କର ଈର୍ଷା ଓ କ୍ରୋଧ ସେଦିନ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନରେ ବାଧା ସୃଷ୍ଟି କଲା । ଆଜି ଆମେ ଜାଣତରେ କିମ୍ବା ଅଜାଣତରେ ଈଶ୍ୱରଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରୁ ନାହୁ ତ ? 

ସୁସମାଚାର ପ୍ରଚାର

 ସୁସମାଚାର ପ୍ରଚାର

ଆଜିର ଚିନ୍ତା

ପ୍ରେରିତ ୧୬:୧୧-୨୪

ଅନ୍ୟ ନିକଟରେ ସୁସମାଚାର ବିତରଣ କରିବାକୁ ମୁଁ କଣ ଆଗ୍ରହୀ ଅଟେ ।


ଫିଲିସ୍ପ ମାକିଦାନିଆର ଏକ ପ୍ରଧାନ ନଗରୀ ଥିଲା । ସେଠାରେ ଗ୍ରୀକ୍ ଓ ରୋମୀୟ ଲୋକମାନେ ବସବାସ କରୁଥିଲେ । ପାଉଲ ତାଙ୍କର ୨ୟ ମିଶନାରୀ ଯାତ୍ରା ସମୟରେ ଫିଲିସ୍ପକୁ ଆସିଥିଲେ ।  ମାତ୍ର ସେ କାରାଗାରରେ ବନ୍ଦୀ ଥିବା ସମୟରେ ଏହି ଫିଲିସ୍ପ ମଣ୍ଡଳୀକୁ ପତ୍ର ଲେଖିଥିଲେ ।


ଦକ୍ଷ ସୁସମାଚାର ବିତରକ : 

ପାଉଲ ଜଣେ ଦକ୍ଷ ସୁସମାଚାର ବିତରକ ଥିଲେ, କାରଣ ସେ ଈଶ୍ୱରଙ୍କ ଚାଳନାରେ ଚାଳିତ ହୋଇ କାର୍ଯ୍ୟ କରୁଥିଲେ । ପ୍ରଭୁ ତାଙ୍କୁ ମାକିଦାନିଆକୁ ଯିବାକୁ କହିଲେ ଓ ସେ ବାଧ୍ୟ ହୋଇ ସେଠାକୁ ଗଲେ । କେଉଁ ସ୍ଥାନରେ ପ୍ରଭୁଙ୍କର ଅନ୍ଵେଷଣକାରୀ ମାନେ ଅଛନ୍ତି, ସେ ଫିଲିସ୍ପରେ ତାହା ଖୋଜି ବାହାର କରିଥିଲେ ଓ ନଗର ବାହାରେ ନଦୀକୂଳରେ ଯାଇ ସେମାନଙ୍କ ସହିତ ସାକ୍ଷାତ କରିଥିଲେ । ଦାସୀଜଣକ ଯେ ମନ୍ଦ ଆତ୍ମା ଦ୍ଵାରା ଅବିଷ୍ଟ ତାହା ମଧ୍ୟ ପାଉଲ ଜାଣିପାରିଥିଲେ । ଏହି ସମସ୍ତ ଗୁଣ ପାଉଲଙ୍କୁ ଏକ ଦକ୍ଷ ସୁସମାଚାର ବିତରକ କରିଥିଲା ସତ, ମାତ୍ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ, ପାଉଲ ସୁସମାଚାର ନିମନ୍ତେ ଅନେକ ଦୁଃଖ ଓ ତାଡ଼ନାର ସମ୍ମୁଖୀନ ହେଲେ ଓ ସେ ଆନନ୍ଦର ସହିତ ତାହା ନିଜ ଶରୀରରେ ଗ୍ରହଣ କରିଥିଲେ । 


ସୁସମାଚାର ଦ୍ଵାରା ପରିବର୍ତ୍ତିତ ବ୍ୟକ୍ତିଙ୍କ ସେବାକାର୍ଯ୍ୟ : 

ଲୁଦିଆ ଜଣେ ବ୍ୟବସାୟୀ ଓ ଈଶ୍ୱର ଭକ୍ତା ଥିଲେ । ପ୍ରଭୁଙ୍କର ସୁସମାଚାର ଗ୍ରହଣ କରିବା ନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ । ଲୁଦିଆ ନିଜେ ବାକ୍ୟ ଗ୍ରହଣ କରି ପରିତ୍ରାଣ ପ୍ରାପ୍ତ ହେଲେ ଓ ନିଜର ପରିବାରର ସମସ୍ତଙ୍କୁ ଅଂଶୀ କରାଇଲେ ଲୁଦିଆ ଓ ତାଙ୍କ ପରିବାର ସୁସମାଚାର ବିତରକମାନଙ୍କୁ ନିଜ ପରିବାରରେ ସ୍ଥାନ ଦେଇ ସେମାନଙ୍କର ଆତିଥ୍ୟ କଲେ ଓ ସେମାନଙ୍କ ଯତ୍ନ ନେଲେ । 


ଆଜି ଆମେ ବ୍ୟକ୍ତିଗତ ଜୀବନରେ ସୁସମାଚାର ପ୍ରଚାରକମାନଙ୍କର ଆବଶ୍ୟକତା ନିମନ୍ତେ ଚିନ୍ତିତ ଓ ବୋଝଗ୍ରସ୍ତ ହେବା ଆବଶ୍ୟକ । 

ଆଂଶିକ ବାଧ୍ୟତା

 ଆଂଶିକ ବାଧ୍ୟତା 

ଆଜିର ଚିନ୍ତା

୧ ଶାମୁୟେଲ ୧୫:୧-୩୫

ମୋ' ଜୀବନରେ ସମ୍ପୂର୍ଣ୍ଣ ବାଧ୍ୟତା ଦେଖାଯାଏ କି ?


ଇସ୍ରାଏଲୀୟ ମାନେ କିଣାନକୁ ଯାତ୍ରା କରିବା ପଥ ମଧ୍ୟରେ ଅମାଲେକୀୟମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁ ସେମାନେ ଶାନ୍ତିରେ ବାସ କରିପାରୁ ନ ଥିଲେ । ତେଣୁ ସେମାନଙ୍କୁ ଆଘାତ କରି ସେମାନଙ୍କର ସର୍ବସ୍ବ ବର୍ଜିତରୂପେ ବିନାଶ କରିବାକୁ ଈଶ୍ଵର ଶାଉଲଙ୍କୁ ଆଦେଶ ଦେଇଥିଲେ । 


ଆଂଶିକ ବାଧ୍ୟତା :

ଶାଉଲ ସଦାପ୍ରଭୁଙ୍କ ଆଦେଶନୁଯାୟୀ ଯୁଦ୍ଧ କଲେ । ମାତ୍ର ସର୍ବସ୍ବ ବର୍ଜିତରୂପେ ବିନାଶ ନ କରି ଈଶ୍ୱରଙ୍କ ଅବାଧ୍ୟ ହେଲେ (୩ପଦ) । ତେଣୁ ଈଶ୍ଵର ଦୁଃଖିତ ହେଲେ (୧୧ପଦ) । ସେ ସଦାପ୍ରଭୁଙ୍କ ଆଦେଶକୁ ଆଂଶିକ ଭାବେ ପାଳନ କରିଥିଲେ । ମନେରଖୁ ଆଂଶିକ ବାଧ୍ୟତା ଅବଧ୍ୟତା ଅଟେ । ତେଣୁ ମହାବିଜୟ ହାସଲ କରିବେ ବୋଲି ଶାଉଲ ଭାବିଥିଲେ, ମାତ୍ର ତାହା ତାଙ୍କ ଜୀବନରେ ମହା ବିଫଳତା ଆଣିଥିଲା । ନିଜର ଭୁଲ ଧରା ପଡ଼ିବ ନାହିଁ ବୋଲି ସେ ଭାବିଥିଲେ, ମାତ୍ର ସେ ମନୁଷ୍ୟ ଏବଂ ଈଶ୍ୱରଙ୍କ ନିକଟରେ ଅବିଶ୍ୱସ୍ତ ବୋଲି ପ୍ରମାଣିତ ହେଲେ । ଆମେ ଯେତେବେଳେ ……. ସ୍ୱେଚ୍ଛାପୂର୍ବକ ପାପ କରୁ ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ (ଏବ୍ରୀ ୧୦:୨୬)  ।


ଅବାଧ୍ୟତାର ପରିଣତି :

ସମସ୍ତ ବର୍ଜିତରୂପେ ବିନାଶ କରିବା ପରିବର୍ତ୍ତେ ସେ କିଛି ଉତ୍ତମ ବସ୍ତୁକୁ ରଖିଲେ । ରାଜା ଅଗାଗଙ୍କ ପ୍ରତି ଅଯଥା ଦେଖାଇ ସେ ତାଙ୍କ ଅଧିକାରର ଅପବ୍ୟବହାର କରିଥିଲେ । ଏପରିକି ଶାମୁୟେଲ ତାଙ୍କ ଭୁଲ୍ କୁ ଦେଖାଇବା ପରେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ଥିଲେ । ବାକ୍ୟରେ ଲେଖାଯାଏ, ଦେଖ ଶୁଣିବା ଅପେକ୍ଷା (ବଧ୍ୟତା) ବଳିଦାନ ଠାରୁ ...ଉତ୍ତମ (୨୨ପଦ) । ଈଶ୍ଵର ଆମଠାରୁ ବଳିଦାନ ଅପେକ୍ଷା ବାଧ୍ୟତାକୁ ଅଧିକ ପସନ୍ଦ କରନ୍ତି । ଆମଠାରେ ଈଶ୍ୱରଙ୍କ ପ୍ରେମ ଓ ବାଧ୍ୟତା ନ ଥାଇ ଯଦି ଆମେ ନାନା ପ୍ରକାର ପାରମ୍ପରିକ ପ୍ରଥା (ଧର୍ମକର୍ମ) ପାଳନ କରିବାରେ ଲାଗିରହୁ, ସେ ସବୁ ଈଶ୍ୱରଙ୍କ ନିକଟରେ ମୂଲ୍ୟହୀନ ଅଟେ । ଲେଖାଯାଏ, ବିଦ୍ରୋହ ମନ୍ତ୍ରପାଠ ତୁଲ୍ୟ ଏବଂ ଅବଧ୍ୟତା ଅବସ୍ତୁର ଓ ଠାକୁର ପୂଜା ତୁଲ୍ୟ (୨୩ପଦ) । ଈଶ୍ୱରଙ୍କ ଆଦେଶକୁ ତୁଚ୍ଛ କରିଥିବାରୁ ଈଶ୍ଵର ତାଙ୍କୁ ରାଜା ହୋଇ ରହିବାକୁ ତୁଚ୍ଛ କଲେ । 

ଭୁଲ୍ ପଦକ୍ଷେପର ପରିଣାମ

 ଭୁଲ୍ ପଦକ୍ଷେପର ପରିଣାମ

ଆଜିର ଚିନ୍ତା

୧ ଶାମୁୟେଲ ୧୩:୧-୨୩

ସମସ୍ୟା ଆସିଲେ ମୁଁ କାହା ଉପରେ ନିର୍ଭର କରେ?


ଶାଉଲ ରାଜା ହେଲେ ମଧ୍ୟ ଅତ୍ୟନ୍ତ ଭୟଭୀତ ଓ ଉଦବିଗ୍ନ ଥିଲେ । ମାତ୍ର ଈଶ୍ୱରଙ୍କ ଉପରେ ଯୋନଥନଙ୍କର ଦୃଢ଼ ବିଶ୍ଵାସ ଓ ନିର୍ଭରତା ଥିବାରୁ ସେ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ପରାସ୍ତ କରି ଇସ୍ରାଏଲ ପାଇଁ ବିଜୟ ଆଣିଥିଲେ (୩ ଓ ୪) ।

 

ଅହଂକାର ପତନର କାରଣ ହୋଇଥାଏ : 

ଯୋନାଥନ ବିଜୟ ଆଣିଥିଲେ ମଧ୍ୟ ଶାଉଲ ବିଜୟର ବାହାଦୂରୀ ନିଜେ ନେଇ ଗର୍ବିତ ହୋଇଥିଲେ । ଏହି ଗୁଣ କ୍ରମେ ବୃଦ୍ଧି ପାଇ ଶେଷରେ ତାଙ୍କର ବିନାଶ, ତାଙ୍କ ପରିବାରର ବିଚ୍ଛିନ୍ନତା ଓ ଇସ୍ରାଏଲ ଜାତି ବିପଦଗ୍ରସ୍ତ ହେବାର କାରଣ ହୋଇଥିଲା । ଆଜି ମୋ' ଜୀବନରେ ମୁଁ ଅହଙ୍କାରକୁ ପ୍ରଶୟ ଦିଏ କି ? କାରଣ ଲେଖାଅଛି "ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ"..... (ହିତୋ ୧୬:୧୮ କ) । କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି (ଯାକୁବ ୪:୬ ଖ) ।


ବ୍ୟସ୍ତତା ଭୁଲ୍ କରାଇଥାଏ : 

ଯୁଦ୍ଧ ପୂର୍ବରୁ ଶାଉଲ ଈଶ୍ୱରଙ୍କ ଶରଣାପନ୍ନ ହେବାକୁ ହୋମବଳିର ଆୟୋଜନ କରି, ବଳି ଉତ୍ସର୍ଗ ପାଇଁ ଶାମୁୟେଲଙ୍କୁ ଡକାଇ ପଠାଇଲେ । ମାତ୍ର ଶାମୁୟେଲଙ୍କ ସାତଦିନ ବିଳମ୍ବ ଯୋଗୁଁ ଅଧୈର୍ଯ୍ୟ ହୋଇ ନିଜେ ହୋମବଳି ଉତ୍ସର୍ଗ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ । ଅନେକ ସମୟରେ ସେ ଆମର ଧୈର୍ଯ୍ୟ ଓ ବାଧ୍ୟତାର ପରୀକ୍ଷା କରିଥାନ୍ତି । ଅବାଧ୍ୟତାର ଯୋଗୁଁ ସେ ଈଶ୍ୱରଙ୍କ ବ୍ୟବସ୍ଥା ଲଙ୍ଘନ କରି ରାଜା ହେବା ପାଇଁ  ଅଯୋଗ୍ୟ ବୋଲି ଗଣିତ ହୋଇଥିଲେ । ଆମର କାର୍ଯ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନୁହେଁ ପରୀକ୍ଷା କରୁ ଓ ଭୁଲ୍ ଥିଲେ ନିଜର ପାପ ସ୍ଵୀକାର କରୁ ।


ନିର୍ଭର ଯୋଗ୍ୟ ଈଶ୍ୱର :

 ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କରିବା ପାଇଁ ଇସ୍ରାଏଲୀୟମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ନ ଥିଲା । ବାକ୍ୟରୂପକ ଆତ୍ମିକ ଅସ୍ତ୍ରଶସ୍ତ୍ର ଦ୍ଵାରା ଆମେ ଯଦି ସଜ୍ଜିତ ନ ହେଉ ଶତ୍ରୁକୁ ପ୍ରତିବାଧା କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡେ । ଭୟଭୀତ ଇସ୍ରାଏଲୀୟମାନଙ୍କ ପାଇଁ କେବଳ ଈଶ୍ୱର ହିଁ ଏକମାତ୍ର ଭରସା ଥିଲେ  (ଗୀତ ୪୬:୧) । ଏହି ବିଶ୍ଵାସରେ ସ୍ଥିର ରହି ପ୍ରଭୁଙ୍କଠାରେ ନିର୍ଭର ରଖିଲେ ଆମେ ଆମ ସମସ୍ୟାଗୁଡ଼ିକ ଉପରେ ଜୟଲାଭ କରିପାରିବା ।

ଆଦର୍ଶ ନେତା

 ଆଦର୍ଶ ନେତା

ଆଜିର ଚିନ୍ତା

୧ ଶାମୁୟେଲ ୧୨:୧-୨୫

ମୋତେ ପ୍ରଦତ୍ତ ଦାୟିତ୍ବ ବହନ କରିବାରେ ମୁଁ ଆଜି କେତେ ବିଶ୍ଵସ୍ତ ?


ଶାମୁୟେଲ ଏକାଧାରରେ ଇସ୍ରାଏଲର ଜଣେ ବିଶ୍ଵସ୍ତ ଯାଜକ, ଭବିଷ୍ୟତବକ୍ତା ଓ ବିଚାରକର୍ତ୍ତା ରୂପେ କାର୍ଯ୍ୟ କରି ଆସିଥିଲେ । ସେ ନିଜର ଖୋଲାକଥା ମାଧ୍ୟମରେ ସ୍ଵୀକାରୋକ୍ତି ଦ୍ଵାରା ଇସ୍ରାଏଲ ଜାତି ନିକଟରେ ନିଜର ବିଶ୍ଵସ୍ତତା ତଥା କର୍ତ୍ତବ୍ୟ  ନିଷ୍ଠା କାର୍ଯ୍ୟକୁ ସର୍ବ ସମ୍ମୁଖରେ ପ୍ରମାଣିତ କରିଥିଲେ (୩ ଓ ୪ ପଦ) l


ଆଦର୍ଶ ନେତୃତ୍ୱ : 

ଶାମୁୟେଲ ଈଶ୍ୱରଙ୍କ ଜଣେ ବିଶ୍ଵସ୍ତ ପ୍ରତିନିଧି ଥିଲେ । ସଦାପ୍ରଭୁଙ୍କ ଆହ୍ଵାନ କ୍ରମେ ସେ ଶୈଶବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଲୋକମାନଙ୍କ ସେବା କରି ଆସିଛନ୍ତି, ତେଣୁ ସେ ନିଜ କର୍ମରୁ ଅବସର ନେବା ପୂର୍ବରୁ ସେମାନଙ୍କୁ ପ୍ରଭୁଙ୍କ ସେବା କରିବାକୁ ଓ ନୂତନ ରାଜା (ନେତା) ଙ୍କ ବଶୀଭୂତ ହେବାକୁ ଏବଂ ପରୋକ୍ଷରେ ଶାଉଲଙ୍କୁ ମଧ୍ୟ ତାଙ୍କ ପରି ବିଶ୍ଵସ୍ତ ଦାୟିତ୍ବବାନ ନେତା ହୋଇ ଇସ୍ରାଏଲର ପ୍ରତିନିଧି କରିବାକୁ ଆହ୍ଵାନ ଦେଇଥିଲେ । 


ସ୍ମରଣୀୟ କର୍ମସକଳ :

ଶାମୁୟେଲ ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କ ମହତ୍ କର୍ମସକଳ ସ୍ମରଣ କରାଇ ପ୍ରଭୁଙ୍କଠାରେ ବିଶ୍ଵସ୍ତ ରହିବା ପାଇଁ ଆହ୍ଵାନ ଦେଇଥିଲେ । ସଦାପ୍ରଭୁଙ୍କ ଆଶୀର୍ବାଦ ପାଇବା ନିମନ୍ତେ ସେ ସେମାନଙ୍କୁ ୫ଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ କହିଥିଲେ (୧୪ପଦ) । ସେମାନେ ଯେପରି ସଦାପ୍ରଭୁଙ୍କୁ ଭୟ କରିବେ, ତାହାଙ୍କ ସେବା କରିବେ ତାହାଙ୍କ ରବ ଶୁଣିବେ, ପାଳନ କରିବେ ଓ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହ ନ କରିବେ ।


ମଧ୍ୟସ୍ଥି ପ୍ରାର୍ଥନା : 

(୧୯ପଦ) ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଇ ଶାମୁୟେଲ କହିଥିଲେ :


 (କ) ସଦାପ୍ରଭୁଙ୍କ ପଶ୍ଚାତଗମନରୁ ବିମୁଖ ନ ହୁଅ


(ଖ) ସମସ୍ତ ଅନ୍ତକରଣ ସହ ଈଶ୍ୱରଙ୍କ ସେବା କର (୨୦ପଦ)


(ଗ) ଅବସ୍ତୁ ଅର୍ଥାତ ପ୍ରତିମାର ଅନୁଗାମୀ ନ ହୁଅ । ୨୩ ପଦରେ ସେ ଦୁଇଟି ମହାନ୍ ଶିକ୍ଷା ଦେଇଥିଲେ । ପ୍ରଥମରେ ଅନ୍ୟମାନଙ୍କ ପାଇଁ ଭାରଗ୍ରସ୍ତ ହୋଇ ପ୍ରାର୍ଥନା କରିବା (ଏଫିସୀୟ ୬:୧୮) ଓ ଦ୍ଵିତୀୟରେ ଈଶ୍ୱରଙ୍କ ବାକ୍ୟରୁ ସତ୍ୟମାର୍ଗ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦେବା (୨ତିମଥି ୨:୨) ।


ପ୍ରଭୁ ଯୀଶୁ ଆଜି ଆମର ମଧ୍ୟସ୍ଥି ଓ ପରାମର୍ଶଦାତା ହୋଇ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ଆମ ପାଇଁ ନିରନ୍ତର ନିବେଦନ କରୁଛନ୍ତି । ମୁଁ ଆଜି ଅନ୍ୟମାନଙ୍କ ପାଇଁ ମଧ୍ୟସ୍ଥି ପ୍ରାର୍ଥନା କରିବା ଓ ସତ୍ ମାର୍ଗ ବିଷୟରେ ଶିକ୍ଷା ଦେବାରେ ଅଧିକ ଯତ୍ନଶୀଳ କି ?

ଉଦ୍ଧାରକର୍ତ୍ତା ପରମେଶ୍ୱର

 ଉଦ୍ଧାରକର୍ତ୍ତା ପରମେଶ୍ୱର

ଆଜିର ଚିନ୍ତା

୧ ଶାମୁୟେଲ ୧୧:୧-୧୫

ବିପଦରୁ ଉଦ୍ଧାର ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ କି ? 


ଈଶ୍ଵର ଫାରୋଙ୍କ ହସ୍ତରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲା ପରି ଆମ୍ମୋନୀୟ ନାହଶ ହସ୍ତରୁ ଯାବେଶର ସମସ୍ତ ଲୋକଙ୍କୁ ରକ୍ଷା କରିବା ଲାଗି ଶାଉଲଙ୍କୁ ମୋନୋନୀତ ଓ ଶକ୍ତିଯୁକ୍ତ କରିଥିଲେ ।


ଶତ୍ରୁର ଭୟ : 

ଆମ୍ମୋନୀୟ ନାହଶ ଯାବେଶର ସମସ୍ତ ଲୋକଙ୍କର ଦକ୍ଷିଣ ଚକ୍ଷୁ ଉପାଡ଼ି ଦିଆଯିବାର ଭୟ ଦେଖାଇଥିଲା ଏବଂ ତା' ପରେ ସେମାନଙ୍କ ସହ ନିୟମ ସ୍ଥିର କରିବା ବୋଲି କହିଥିଲା । ଯାବେଶର ପ୍ରାଚୀନମାନେ ସାତଦିନ ସମୟ ମାଗିଥିଲେ । ଏହି ସମୟ ସୀମା ଭିତରେ କେହି ସେମାନଙ୍କୁ ଉଦ୍ଧାର ନ କଲେ ସେମାନେ ନାହଶର ବଶୀଭୂତ ହେବେ । ଶତ୍ରୁର ଭୟ ଯୋଗୁ ସମସ୍ତ ଲୋକ ରବ ଉଠାଇ କ୍ରନ୍ଦନ କଲେ । ସେମାନେ ଭାବିଥିଲେ ଯେ ସେମାନଙ୍କୁ ଉଦ୍ଧାର କରିବାକୁ ହୁଏତ କେହି ନାହିଁ । ମାତ୍ର ଈଶ୍ଵର ଶାଉଲଙ୍କ ଅନ୍ତରରେ କଥା କହିଲେ । କି ଉପାୟରେ ଇସ୍ରାଏଲକୁ ଉଦ୍ଧାର କରାଯିବ ସେହି ବୁଦ୍ଧି ପ୍ରଦାନ କଲେ । ଏକତା ହିଁ ବଳ । ଇସ୍ରାଏଲ ସନ୍ତାନଗଣକୁ ଏକଜୁଟ କରିବା ପାଇଁ ଶାଉଲ ବଳଦର ଖଣ୍ଡ ଖଣ୍ଡ ମାଂସ ଇସ୍ରାଏଲର ସର୍ବତ୍ର ପଠାଇଲେ ଏବଂ ତାଙ୍କର ଓ ଶାମୁୟେଲଙ୍କର ପଶ୍ଚାଦଗମନ କରିବାକୁ କହିଲେ । ଆମେ ଯେତେବେଳେ ଖ୍ରୀଷ୍ଟୀୟ ସହଭାଗିତାରୁ ଦୂରେଇ ଏକାକୀ ଜୀବନ କାଟୁ, ଶୟତାନ ଆମକୁ ପରୀକ୍ଷା ଓ ପ୍ରଲୋଭନରେ ପକାଇଥାଏ । ମାତ୍ର ଯେତେବେଳେ ସହଭାଗିତାର ଜୀବନ କାଟୁ, ଶୟତାନ ସହଜରେ ଆମକୁ ତା' ର ଦାସ  କରିପାରେନା । 


ଶତ୍ରୁ ହସ୍ତରୁ ଉଦ୍ଧାର : 

ଶାଉଲ ଇସ୍ରାଏଲ ଲୋକଙ୍କୁ ତିନୋଟି ଦଳରେ ବିଭକ୍ତ କରି ଆମ୍ମୋନୀୟମାନଙ୍କୁ ସଂହାର କଲେ ଓ ଅନେକ ଛିନ୍ନ ଭିନ୍ନ ହେଲେ । ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ଇସ୍ରାଏଲ ସନ୍ତାନଗଣ ହୃଦୟଙ୍ଗମ କରିଥିଲେ ଯେ ଶାଉଲ ହିଁ ରାଜା ହେବାକୁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଅଟନ୍ତି । ସେମାନେ ଶାଉଲଙ୍କ ବିରୁଦ୍ଧରେ କଥା କହୁଥିବା ବ୍ୟକ୍ତିମାନଙ୍କୁ ବଧ କରିବାକୁ ଚାହିଁଲେ । ମାତ୍ର ଶାଉଲ ମନା କରିଥିଲେ । ସେମାନେ ଶାମୁୟେଲଙ୍କ ସହ ଗିଲ୍ ଗଲ୍ କୁ ଯାଇ ଶାଉଲଙ୍କୁ ରାଜା କରିଥିଲେ । 


ଆମକୁ ମଧ୍ୟ ଶତ୍ରୁ ଶୟତାନ ହସ୍ତରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ମାଣ୍ଡଳୀକ ଜୀବନରେ ରବ ଉଠାଇ ପ୍ରଭୁଯୀଶୁଙ୍କ ନିକଟରେ କ୍ରନ୍ଦନ କରିବାକୁ ପଡ଼ିବ । ଶାସ୍ତ୍ରରେ ଲେଖାଯାଏ, ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ…….ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳି ଦିଅ (ବିଳାପ ୨:୧୮) ।


ଈଶ୍ୱରଙ୍କ ଯୋଜନା

 ଈଶ୍ୱରଙ୍କ ଯୋଜନା 

ଆଜିର ଚିନ୍ତା

୧ ଶାମୁୟେଲ ୧୦:୧-୧୬

ଖ୍ରୀଷ୍ଟଙ୍କୁ ଗ୍ରହଣ କରି ମୁଁ ପରିବର୍ତ୍ତିତ ଜୀବନ କାଟୁଛି କି ? 


ଏକଦା ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରୁ ନ ଥିବା ଯୁବା ଝିଅଟି ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ନାନା କଟୁ କଥା କହୁଥିଲା । ସମୟାନୁକ୍ରମେ ସେ ଖୁବ୍ ଅସୁସ୍ଥ ହୋଇ ମୃତ୍ୟୁର ସମ୍ମୁଖୀନ ହେଲା । ମାତ୍ର ସେ ବଞ୍ଚିବାକୁ ଚାହୁଥିଲା । ସେ ସମୟରେ ତାର ଖ୍ରୀଷ୍ଟ ବିଶ୍ବାସୀ ମା' ଯୀଶୁଙ୍କଠାରେ ତାର ସୁସ୍ଥତା ପାଇଁ ପ୍ରାର୍ଥନା କଲେ ଏବଂ ତାକୁ ମଧ୍ୟ ବିଶ୍ଵାସ ସହ ପ୍ରାର୍ଥନା କରିବାକୁ କହିଲେ । ସେ ସୁସ୍ଥ ହେଲା । ତା' ଜୀବନ ସଂପୂର୍ଣ୍ଣ ପରିବର୍ତ୍ତିତ ହେଲା । 


ଈଶ୍ୱରଙ୍କ ଯୋଜନାକୁ ବୁଝିବା :

ସଦାପ୍ରଭୁଙ୍କ ଦ୍ଵାରା ଚାଳନା ପାଇ ଶାମୁୟେଲ ଶାଉଲଙ୍କୁ ତୈଳରେ ଅଭିଷିକ୍ତ କରିଥିଲେ । ତଥାପି ଶାଉଲ ସେହି ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ଶାମୁୟେଲ ତାଙ୍କୁ କେତୋଟି ଚିହ୍ନ ଦେଇଥିଲେ । ସେସବୁ ସଫଳ ହେଲା ପରେ ଯେପରି ଅନୁଭବ କରିବେ ଯେ ଈଶ୍ୱରଙ୍କ ଯୋଜନାନୁସାରେ ସେ ଇସ୍ରାଏଲର ରାଜା ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶାମୁୟେଲଙ୍କ କହିବାନୁସାରେ ସମସ୍ତ ଚିହ୍ନ ଗୁଡ଼ିକ ଘଟିଥିଲା । ଗଧ ମିଲିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ନେବଲ, ଦାରା, ବଂଶୀ ଓ ବୀଣା ନେଇ ଆସୁଥିବା ସେ ଭବିଷ୍ୟତବକ୍ତାଙ୍କର ଏକ ଦଳକୁ ସାକ୍ଷାତ କରି ଜାଣିପାରିଲେ ଯେ ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କ ସହିତ ରହିଛି ଓ ତାଙ୍କ ପାଇଁ ଏକ ଭିନ୍ନ ଯୋଜନା ରହିଛି  । 


ଈଶ୍ବରଙ୍କ ଯୋଜନାକୁ ଗ୍ରହଣ କରିବା : 

ସଦାପ୍ରଭୁଙ୍କ ଦତ୍ତ ଚିହ୍ନ ଦ୍ଵାରା ଶାଉଲ ଈଶ୍ୱରଙ୍କ ଯୋଜନାକୁ କେବଳ ବୁଝିପାରିଲେ ତାହା ନୁହେଁ ମାତ୍ର ରାଜା ହେବା ପାଇଁ ନିଜକୁ ପ୍ରସ୍ତୁତ କଲେ । ସେ ମଧ୍ୟ ଭବିଷ୍ୟତବକ୍ତା ପାଲଟି ଯାଇଥିଲେ । ଏହା ତାଙ୍କୁ ଜାଣିଥିବା ସମସ୍ତକୁ ଆଚମ୍ବିତ କରିଥିଲା । ଭବିଷ୍ୟତ୍ ବାକ୍ୟ ପ୍ରଚାର କରିବା ପରେ ଉଚ୍ଚସ୍ଥଳୀକୁ ଯାଇଥିଲେ । ସେଠାରେ  ସେ ଏବଂ ତାଙ୍କ ଯୁବା ସଙ୍ଗୀ ତାଙ୍କ ପିତୃବ୍ୟଙ୍କୁ ଭେଟିଥିଲେ । ତାଙ୍କର ପିତୃବ୍ୟତାଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ, ମାତ୍ର ଶାମୁୟେଲ ଇସ୍ରାଏଲର ରାଜତ୍ୱ ବିଷୟରେ ତାଙ୍କୁ କହିଥିବା ବିଷୟକୁ ସେ ଗୁପ୍ତ ରଖିଥିଲେ । ହୁଏତ ଈଶ୍ବର ଏହି ବୁଦ୍ଧି ତାଙ୍କୁ ପ୍ରଦାନ କରିଥିଲେ । କାରଣ ଈଶ୍ବର ମୋଶାଙ୍କୁ କହିଥିଲେ, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ କୃପା କରିବା । ଅତଏବ ନିଜ ଜୀବନରେ ଈଶ୍ବରଙ୍କ ଯୋଜନାକୁ ବୁଝି ଗ୍ରହଣ କରି ତାହାଙ୍କର ଗୌରବର କାରଣ ହେବା ।

ପରମେଶ୍ବର ଯୋଗାନ୍ତି

 ପରମେଶ୍ବର ଯୋଗାନ୍ତି

ଆଜିର ଚିନ୍ତା

୧ ଶାମୁୟେଲ ୯:୧୫-୨୭

ଈଶ୍ୱରଙ୍କ  ଇଚ୍ଛା ମୋ ଜୀବନରେ ସଫଳ ହେଉ ବୋଲି ପ୍ରାର୍ଥନା କରେ କି ? 


ଯେ କୌଣସି ସମସ୍ୟାରେ ପଡ଼ିଲେ ଆମେ ବ୍ୟତିବସ୍ତ ହୋଇପଡୁ । ତାହାର ସମାଧାନ କିପରି ଅତିଶୀଘ୍ର ହେବ, ଆମେ ଚିନ୍ତା କରିଥାଉ । ଶାସ୍ତ୍ରରେ ଲେଖାଯାଏ, ସବୁ ବିଷୟର କାଳ ଅଛି ଓ ଆକାଶ ତଳେ ସବୁ ମନୋରଥର ସମୟ ଅଛି (ଉପଦେଶକ ୩:୧) । 


ଯୋଗାଇବା ପରମେଶ୍ୱର :

ଇସ୍ରାଏଲର ପ୍ରାଚୀନଗଣ ରାଜା ମାଗିବା ଦ୍ଵାରା ଈଶ୍ୱରଙ୍କୁ ଅଗ୍ରାହ୍ୟ କରି ଦୁଃଖ ଦେଇଥିଲେ ମଧ୍ୟ ସେ ଦୟାଳୁ ପିତା ଭାବେ ଶାଉଲଙ୍କୁ ରାଜା ହେବା ପାଇଁ ମନୋନୀତ କରିଥିଲେ । ଗଧ ହଜିବା ଅନ୍ତରାଳରେ ଶାଉଲଙ୍କ ପାଇଁ ପରମେଶ୍ୱରଙ୍କ ଏକ ମହାନ୍ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ (ରୋମୀୟ ୮:୨୮) । ଇସ୍ରାଏଲର ପ୍ରଥମ ରାଜା ଶାଉଲ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବାରୁ ଗଧ ଖୋଜୁ ଖୋଜୁ ଶାମୁୟେଲଙ୍କ ନିକଟକୁ ଚାଲି ଯାଇଥିଲେ । ଗଧ ମିଳିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ଶାଉଲ ଇସ୍ରାଏଲର ସମସ୍ତ ବାଞ୍ଚନୀୟ ବିଷୟ ପାଇବା ପାଇଁ ମନୋନୀତ ହୋଇଥିବାର ସୁୁସମ୍ବାଦ ଶାମୁୟେଲଙ୍କଠାରୁ ଅବଗତ ହୋଇଥିଲେ । ଏଭଳି ଆଶ୍ଚର୍ଯ୍ୟଜନକ ବିଷୟ ଶୁଣି ଗର୍ବିତ ନ ହୋଇ ନମ୍ର ଭାବରେ ଶାମୁୟେଲଙ୍କ ପାଖରେ ନିଜର ପରିଚୟ ସେ ରଖିଥିଲେ । 


ଉତ୍ତମ ବସ୍ତୁ ଦେବା ପରମେଶ୍ୱର :

ଈଶ୍ଵର ତାଙ୍କର ଇଚ୍ଛାନୁଯାୟୀ ଯାହାକୁ ଯାହା ଇଚ୍ଛା, ତାହା ଦେବା ପରମେଶ୍ୱର । ଶାଉଲଙ୍କୁ ଭେଟିବା ପରେ ଶାମୁୟେଲ ତାଙ୍କୁ ରାଜାର ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ପରିବେଷଣ କରାଯାଇଥିଲା । ଶାମୁୟେଲଙ୍କ ସଙ୍ଗେ ରାତ୍ରି କ୍ଷେପଣ କରି ଆଳାପ କରିବା ପାଇଁ ଶାଉଲ ସୁଯୋଗ ପାଇଥିଲେ । ଏକାନ୍ତରେ ଧାର୍ମିକ ଭବିଷ୍ୟତବକ୍ତାଙ୍କ ଠାରୁ ସଦାପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବାର ସୌଭାଗ୍ୟ ସେ ଲାଭ କରିଥିଲେ । 


ଆମ ପ୍ରତ୍ୟେକଙ୍କ ଜୀବନ ପାଇଁ ସଦାପ୍ରଭୁଙ୍କ ଏକ ନିର୍ଦ୍ଦିଷ୍ଟ ଯୋଜନା ରହିଛି । ସେ ତାହା କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି । ତାଙ୍କ ରାଜ୍ୟ ଓ ଧାର୍ମିକତା ପ୍ରଥମେ ଅନ୍ଵେଷଣ କରି ତାଙ୍କ ନିକଟରେ  ନିଜକୁ ସମର୍ପଣ କଲେ, ସେ ତାଙ୍କ ଇଚ୍ଛାକୁ ଆମ ଜୀବନରେ ସଫଳ କରିବାରେ ସାହାଯ୍ୟ କରିବେ । 

ବାଧ୍ୟତାର ପୁରସ୍କାର

ବାଧ୍ୟତାର ପୁରସ୍କାର

ଆଜିର ଚିନ୍ତା

୧ ମ ଶାମୁୟେଲ ୯:୧-୧୪

ବାଧ୍ୟତାର ଜୀବନ କାଟିବା ପାଇଁ ମୁଁ ସଚେତନ କି ?


ଶାଉଲ ଜଣେ ମହାବିକ୍ରମଶାଳୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ ଦେଖିବାକୁ ସୁନ୍ଦର ଥିଲେ ଏବଂ ଇସ୍ରାଏଲର ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧ୍ଵକୁ ଉଚ୍ଚ ଥିଲେ । କେବଳ ରୂପରେ ନୁହେଁ, ମାତ୍ର ଗୁଣରେ ମଧ୍ୟ ସୁନ୍ଦର ଥିଲେ । ପିତାଙ୍କ କଥାନୁଯାୟୀ ଗଧ ଖୋଜିବାକୁ ଯାଇଥିଲେ । ବାଧ୍ୟତା, ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । 

କର୍ତ୍ତବ୍ୟରେ ବିଶ୍ଵସ୍ତ : 

ଗଧ ଖୋଜିବା କାର୍ଯ୍ୟ ସାମାନ୍ୟ ହୋଇଥିଲେ ମଧ୍ୟ ଶାଉଲ ନିଜ କର୍ତ୍ତବ୍ୟରେ ବିଶ୍ଵସ୍ତ ଥିଲେ । ବିଭିନ୍ନ ସ୍ଥାନରେ ଗଧ ଖୋଜି ଅଧୌର୍ଯ୍ୟ ବା ବିରକ୍ତ ହୋଇ ନ ଥିଲେ କିଅବା କ୍ରୋଧ ପ୍ରକାଶ କରି ନ ଥିଲେ । ବରଂ ତାଙ୍କର ବିଳମ୍ବ ଯୋଗୁ ପିତା ହୁଏତ ବ୍ୟସ୍ତ  ହେଉଥିବେ, ଏହା ଭାବି ଗୃହକୁ ଫେରିଯିବାକୁ ଚାହିଁଥିଲେ ।

ସୁପରାମର୍ଶ ଗ୍ରହଣ : 

ଶାଉଲ ନିଜ ସଙ୍ଗୀ ଯୁବା ଲୋକର ସୁପରାମର୍ଶ ଗ୍ରହଣ କରି କାଳବିଳମ୍ବ ନ କରି ଏକଶେକଲ ରୂପାର ଚତୁର୍ଥାଶଂ ଦର୍ଶନୀ ରୂପେ ନେଇ ଶାମୁୟେଲଙ୍କୁ ଭେଟିବାକୁ ଯାଇଥିଲେ । ନଗରକୁ ଯିବା ବାଟରେ ଭେଟିଥିବା ଯୁବତୀମାନଙ୍କର କଥାନୁଯାୟୀ ଶାଉଲ ସେସ୍ଥାନକୁ ଯିବା ହେତୁ ସଦାପ୍ରଭୁ ଶାମୁୟେଲଙ୍କ ସହ ତାଙ୍କର ଭେଟ କରାଇ ଦେଇଥିଲେ । ଗଧ ହଜିବା ଓ ଗଧ ଖୋଜିବା ବିଷୟର ଅନ୍ତରାଳରେ ସଦାପ୍ରଭୁଙ୍କ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯଦିଓ ଇସ୍ରାଏଲୀୟମାନେ ରାଜାଭାବେ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରିଥିଲେ, କିନ୍ତୁ ସେ ସେମାନଙ୍କୁ ପରିତ୍ୟାଗ କରି ନ ଥିଲେ । ସେମାନଙ୍କ ପାଇଁ ରାଜାଭାବେ ଶାଉଲଙ୍କୁ ମନୋନୀତ କରିଥିଲେ ।  ସେଦିନ ଗଧ ଅପେକ୍ଷା ଅଧିକ ମହତ୍ତର ବିଷୟର ସମ୍ବାଦ ତାଙ୍କ ପାଇଁ ରଖାଯାଇଥିଲା ।

ଆମେ ମଧ୍ୟ ଅଳ୍ପ ବିଷୟରେ ବିଶ୍ଵସ୍ତ ହେଲେ, ପ୍ରଭୁ ଆମକୁ ବହୁତ ବିଷୟ ଉପରେ ନିଯୁକ୍ତି ଦେବେ । ଗୃହରେ ଓ କାର୍ଯ୍ୟକ୍ଷେତ୍ରରେ ଆମକୁ ଯେଉଁ ଦାୟିତ୍ବ ଦିଆଯାଇଛି, ବିଶ୍ଵସ୍ତଭାବେ ସେସବୁ ସମ୍ପାଦକ କରିବା ପାଇଁ ଆମେ ଯତ୍ନବାନ ହେଉ । ବାଇବଲରେ ଲେଖାଯାଏ, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ (ଏଫିସୀୟ ୬:୧) । ଆମର ବାଧ୍ୟତାର ଜୀବନ ହୁଏତ ଆମକୁ ଦିନେ ଏକ ଅସାଧାରଣ ବ୍ୟକ୍ତିରେ ପରିଣତ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ କରାଇବ ।