BN

ଉତ୍ତମ ସମ୍ପର୍କ

 ଉତ୍ତମ ସମ୍ପର୍କ

ଆଜିର ଚିନ୍ତା 

ପ୍ରେରିତ ୨୦:୧୭-୩୮

ଆତ୍ମିକ ଅଭିବୃଦ୍ଧି ପାଇଁ ମୁଁ ଖ୍ରୀଷ୍ଟୀୟ ସହଭାଗିତାରେ ଯୋଗ ଦେଉଛି କି ?


ନିଜ ଚେଷ୍ଟାରେ ଜଣେ ଖ୍ରୀଷ୍ଟ ବିଶ୍ଵାସୀ ତାର ଜୀବନର ସମସ୍ତ ସମସ୍ୟାର ସମାଧାନ କରିବା ସମ୍ଭବାପର ନୁହେଁ । ପ୍ରଭୁ ଯୀଶୁ ହିଁ ସମସ୍ତ ସମସ୍ୟାର ସମାଧାନ ଅଟନ୍ତି । ତେଣୁ ପାଉଲ ନମ୍ର ଭାବରେ ପରିତ୍ରାଣର ସମ୍ବାଦକୁ ଲୋକମାନଙ୍କୁ ଦେବାକୁ ସବୁବେଳେ ଚେଷ୍ଟା କରୁଥିଲେ । 


ପଛଘୁଞ୍ଚା ନ ଦେବା : 

ବହୁତ ଦୁଃଖଭୋଗ କରିବା ସହ କାରାଗାରସ୍ଥ ହେବାକୁ ପଡିବ ବୋଲି ପବିତ୍ର ଆତ୍ମା ପାଉଲଙ୍କୁ ଜଣାଉଥିଲେ ମଧ୍ୟ ସେ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ଦେଉ ନ ଥିଲେ । ତାଙ୍କର ଏହି ବଳିଷ୍ଠ ଚରିତ୍ର, ତାଡନା ପାଉଥିବା ଏଫିସୀୟ ମଣ୍ଡଳୀର ପ୍ରାଚୀନମାନଙ୍କ ନିମନ୍ତେ ଏକ ଉତ୍ତମ ଆଦର୍ଶ ଥିଲେ । ଜାଗତିକ ସଫଳତା ଆନନ୍ଦ ଦିଏ । ମାତ୍ର ଧନ, ମାନ ଓ ସମ୍ମାନରେ ବିଫଳତା ଆସିଲେ, ଆମ ଜୀବନ ବିଫଳ ହୋଇଗଲା ବୋଲି ମନେ କରୁ । କିନ୍ତୁ ପାଉଲ ଭାବୁଥିଲେ ଈଶ୍ୱରଙ୍କ ନିମନ୍ତେ ତାଙ୍କ ଜୀବନ ବ୍ୟବହୃତ ହୋଇ ନ ପାରିଲେ, ତାହା ମୂଲ୍ୟହୀନ ଅଟେ । ପାଇବା ଅପେକ୍ଷା ଦେବା ଉପରେ ଆମେ ଗୁରୁତ୍ଵ ଦେବା ଉଚିତ୍ । 


ଲକ୍ଷ୍ୟ ରଖି ଆଗେ ବଢ଼ିବା :

ପ୍ରେରିତ ପାଉଲ ଈଶ୍ୱରଙ୍କ କାର୍ଯ୍ୟ ସାଧନ କରିବାର ଏକମାତ୍ର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରାଣପଣ କରୁଥିଲେ । ଏପରିକି ସେ ନିଜର ପ୍ରାଣକୁ ପ୍ରିୟଜ୍ଞାନ ନ କରି ସବୁ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହୁଥିଲେ । ଆଜି ମଧ୍ୟ ପ୍ରଭୁ ସେହିପରି କାର୍ଯ୍ୟକାରୀମାନଙ୍କୁ ଚାହୁଛନ୍ତି । ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡାକି ସେମାନେ ଯେପରି ବିଶ୍ବାସୀମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ଜୀବନଯାପନ କରିବା ନିମନ୍ତେ ଶିକ୍ଷା, ଚେତନା ଓ ଉତ୍ସାହ ଦେବେ, ସେଥିପାଇଁ ସେମାନଙ୍କୁ ଶିକ୍ଷା ଦେଲେ । ପ୍ରତ୍ୟେକ ମଣ୍ଡଳୀର ନେତା ମାନେ ଏହି ଦାୟିତ୍ବ ବହନ କରିବା ଅତି ଜରୁରୀ ଅଟେ । ଖ୍ରୀଷ୍ଟଙ୍କ ଆଦର୍ଶ ଓ ଶିକ୍ଷା ଦ୍ଵାରା ମଣ୍ଡଳୀକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ଆବଶ୍ୟକ । 


ସହଭାଗୀତା ରକ୍ଷା କରିବା :

ବିଶ୍ବାସୀମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ହେଉଛି, ପାଉଲଙ୍କ ଜୀବନର ଅତି ଉତ୍ତମ ଏବଂ ଅନୁକରଣୀୟ ଆଦର୍ଶ । ସେ କେବଳ ବିଶ୍ବାସୀମାନଙ୍କୁ ପ୍ରେମ କରୁ ନ ଥିଲେ, ମାତ୍ର ସେମାନଙ୍କର ଯତ୍ନ ନେବା ସହ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଥିଲେ । ଉତ୍ତମ ସହଭାଗିତା ଆତ୍ମିକ ଜୀବନର ଅଭିବୃଦ୍ଧିର ସହାୟକ ଅଟେ।

No comments:

Post a Comment

Kindly give your suggestions or appreciation!!!