BN

ସୁସମାଚାର ପ୍ରଚାରରେ ଏକାଗ୍ରତା

 ସୁସମାଚାର ପ୍ରଚାରରେ ଏକାଗ୍ରତା 

ଆଜିର ଚିନ୍ତା

ପ୍ରେରିତ ୧୮:୧-୧୭

ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାକୁ ମୁଁ  ଆଗ୍ରହୀ କି ?

କ୍ଲାଉଦିଅ ଯିହୁଦୀମାନଙ୍କୁ ରୋମରୁ ତଡ଼ି ଦେବାରୁ ସେମାନେ  କରିନ୍ଥିକୁ ଆସି ସେଠାରେ ବାସ କଲେ । ସେଥିପାଇଁ ତମ୍ବୁ ନିର୍ମାଣକାରୀ ଆକ୍ଵିଲା ଓ ପ୍ରୀସ୍କିଲା ଆସି କରିନ୍ଥିରେ ବାସ କରୁଥିଲେ । ଯେତେବେଳେ ପାଉଲ କରିନ୍ଥିକୁ ଆସିଲେ, ସେ ମଧ୍ୟ ତମ୍ବୁ ନିର୍ମାଣକାରୀ ଥିବାରୁ ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ଭେଟି ତାଙ୍କ ସହିତ ରହିଲେ ।


ସାହସର ସହ କାର୍ଯ୍ୟ : 

କରିନ୍ଥି ଏକ ରାଜନୈତିକ ଓ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଥିଲା । ତାହା ମଧ୍ୟ ପାପାଚରଣ ଓ ଅନୈତିକତାର ପେଣ୍ଠସ୍ଥଳୀ ଥିଲା । ଏହିପରି ଏକ ଭୟଙ୍କର ସ୍ଥାନରେ ପାଉଲ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ନ ଦେଇ ବରଂ ତାଙ୍କର ରହଣୀ ସମୟକୁ ସୁସମାଚାର ପ୍ରଚାର କରିବାର ଏକ ସୁଯୋଗ ବୋଲି ମନେ କଲେ । ତେଣୁ ସେ ପ୍ରତି ବିଶ୍ରାମବାରରେ ସମାଜ ଗୃହରେ  ପ୍ରବେଶ କରି ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହି ସାକ୍ଷ୍ୟ ଦେଇ ଯିହୁଦୀ ଓ ଗ୍ରୀକମାନଙ୍କୁ  ଶିକ୍ଷା ଦେବାକୁ ଲାଗିଲେ  । ଲୋକମାନେ ଯୀଶୁଙ୍କର ପରିଚୟ ପାଇ ପରିତ୍ରାଣ ପାଆନ୍ତୁ ଏହି ଲକ୍ଷ୍ୟ ନେଇ ସେ ସୁସମାଚାର ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ନିବିଷ୍ଟ ହୋଇ ରହିଲେ । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାର ଦାୟିତ୍ବ ପ୍ରତି ବିଶ୍ଵାସୀକୁ ଦିଆଯାଇଛି । ଆଜି ସେ ଦିଗରେ ଆମେ ବ୍ୟକ୍ତିଗତ, ପାରିବାରିକ ଓ ମଣ୍ଡଳୀଗତ ଭାବରେ ଉଦ୍ଯୋଗୀ ହେବା ଅତି ଜରୁରୀ ଅଟେ ।


କ୍ରମାଗତ ଭାବରେ କାର୍ଯ୍ୟ :

 ଯିହୁଦୀମାନେ ତାଙ୍କୁ ଅଗ୍ରାହ୍ୟ କଲେ ମଧ୍ୟ ପାଉଲ କାର୍ଯ୍ୟ କରିବାରୁ କ୍ଷାନ୍ତ ନ ହୋଇ, ଅନାଯିହୁଦୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । ସମାଜ ଗୃହ ନିକଟରେ ବାସ କରୁଥିବା ଯୂସ୍ତଙ୍କ ଗୃହରେ ରହି ପ୍ରଚାର କଲେ । ତାହା ଶୁଣି ସମାଜ ଗୃହର ଅଧ୍ୟକ୍ଷ, କ୍ରୀଷ୍ପ ସପରିବାରରେ ବିଶ୍ଵାସ କଲେ । କେବଳ ସେତିକି ନୁହେଁ, କରିନ୍ଥିୟମାନଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କୁ ବିଶ୍ଵାସ କରି ବାପ୍ତିଜିତ ହେଲେ । ତାଙ୍କର ବିଶ୍ଵସ୍ତତା ଓ ଉଦ୍ଯୋଗ ହେତୁ ପ୍ରଭୁ ତାଙ୍କୁ ଦର୍ଶନ ଦେଇ କାର୍ଯ୍ୟ କରିବାକୁ ଉତ୍ସାହ ଦେଲେ । ଏତଦ୍ଵାରା ନୂତନ ବିଶ୍ବାସୀମାନେ ବିଶ୍ଵାସରେ ବଳିଷ୍ଠ ହେଲେ । ପ୍ରଚାର କରିବ ଯେତିକି ଗୁରୁତ୍ଵପୂର୍ଣ୍ଣ, ନୂତନ ବିଶ୍ବାସୀମାନଙ୍କର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ଅଟେ, ଏହା ପାଉଲ ଉତ୍ତମ ରୂପେ ବୁଝିଥିଲେ ।

No comments:

Post a Comment

Kindly give your suggestions or appreciation!!!