BN

ସତ୍ୟ ପରମେଶ୍ୱର

ସତ୍ୟ ପରମେଶ୍ୱର 

ଆଜିର ଚିନ୍ତା

ପ୍ରେରିତ ୧୭:୧୬-୩୪

ବ୍ୟକ୍ତିଗତ ଜୀବନରେ ମୁଁ ସତ୍ୟ ପରମେଶ୍ବରଙ୍କର ପରିଚୟ ପାଇଛି କି ? 

ଆଥୀନୀ ଗ୍ରୀକ୍ ସଭ୍ୟତାର ଏକ ପେଣ୍ଠସ୍ଥଳ । ଏଠାକାର ଆଦିବାସୀମାନେ ଅତି ଉଚ୍ଚ ଶିକ୍ଷିତ ଓ ଜିଜ୍ଞାସୀ । ସେମାନେ କେବଳ ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳ କ୍ଷେପଣ କରୁ ନ ଥିଲେ । ମାତ୍ର ଆଥୀନୀ ନିବାସୀମାନେ ଏକ ଅଜ୍ଞାତ ଦେବତାର ସେବା କରୁଥିଲେ ଓ ତାଙ୍କର ଦେଶ ଅନେକ ପ୍ରତିମାରେ ପରିପୂର୍ଣ୍ଣ ଥିଲା । ଆଥୀନୀବାସୀଙ୍କର ଜୀବନ ଶୈଳୀକୁ ଦେଖି ପାଉଲ ଅତି ଉଦବିଗ୍ନ ହେଲେ ସତ ମାତ୍ର ସେ ବହୁତ  ଧୈର୍ଯ୍ୟ ଓ  ଜ୍ଞାନର ସହ  ସେମାନଙ୍କ ନିକଟରେ ସତ୍ୟ ଜୀବିତ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରକାଶ କଲେ ।

ସୃଷ୍ଟିକର୍ତ୍ତା ଈଶ୍ଵର  : 

ଈଶ୍ଵର ନିଜେ ସ୍ଵୟଂ ସୃଷ୍ଟିକର୍ତ୍ତା । ସେ ସାରା ବ୍ରହ୍ମାଣ୍ଡ ଓ ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସଜୀବ ଓ ନିର୍ଜୀବ ବସ୍ତୁର ସୃଷ୍ଟିକର୍ତ୍ତା ଅଟନ୍ତି । ସେ ମନୁଷ୍ୟକୁ ନିଜ ସ୍ୱରୂପରେ ସୃଷ୍ଟି କରି ଏହି ପୃଥିବୀକୁ ପୂର୍ଣ୍ଣ କରିବାକୁ ଆଜ୍ଞା ଦେଇଛନ୍ତି । ଏହି କଥା ଆଥୀନୀ ନିବାସୀମାନଙ୍କୁ ବୁଝାଇବା ପରେ ପାଉଲ କହନ୍ତି ଯିଏ ମନୁଷ୍ୟକୁ ଜୀବନ ଓ ନିଃଶ୍ୱାସ ପ୍ରଦାନ କରିଅଛନ୍ତି, ସେ ନିଜେ କିପରି ନିର୍ଜୀବ ବସ୍ତୁ ବା ପ୍ରତିମାରେ ବସବାସ କରିବେ । ମନୁଷ୍ୟର ଗତି, ସ୍ଥିତି ସବୁ ତାଙ୍କର ହସ୍ତଗତ । ତେଣୁ ଗୀତରଚକ ଲେଖିଲେ, "ପ୍ରଭୁଙ୍କ ଦ୍ଵାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି" (ଗୀତ  ୩୭:୨୩)  । ବ୍ୟକ୍ତିଗତ ଜୀବନରେ ଆମେ ତାଙ୍କୁ ନିଜର ସୃଷ୍ଟିକର୍ତ୍ତା ଓ ଆମର ପଥ ପ୍ରଦର୍ଶକ ଭାବରେ ଗ୍ରହଣ କରିଛୁ କି ? 

ଜୀବିତ ଈଶ୍ୱର : 

ପାଉଲ ତାଙ୍କର ପ୍ରଚାରରେ ସର୍ବଦା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ପୁନରୁତ୍ଥାନ ବିଷୟରେ ବର୍ଣ୍ଣନା କରୁଥିଲେ । ପାଉଲ ପୁନରୁତ୍ଥାନ ବିଷୟରେ ପ୍ରଚାର କରି ଏହା ପ୍ରକାଶ କରିବାକୁ ଚାହୁଁଥିଲେ ଯେ ଆମର ପରମେଶ୍ୱର ଜୀବିତ ଅଟନ୍ତି । ମାତ୍ର ତାଙ୍କର ଏହି ବାକ୍ୟ ପାଇଁ ମିଶ୍ର ପ୍ରତିକ୍ରିୟା ମିଳିଥିଲା । ୩୨ ଓ ୩୩ ପଦ ପ୍ରକାଶ କରେ, କିଛି ଲୋକ ଏହା ଶୁଣି ପରିହାସ କଲେ, ଅନ୍ୟ କେତେକ ଲୋକ ଏହି କଥାକୁ ପୁନଃ ପରୀକ୍ଷା କରିବାକୁ ଚାହିଁଲେ, ମାତ୍ର ଅଳ୍ପ କେତେଜଣ ସେହି ବାକ୍ୟରେ ବିଶ୍ଵାସ କଲେ । ସତ୍ୟ ସମସ୍ତଙ୍କ ନିକଟରେ ପ୍ରଚାରିତ, ମାତ୍ର ଅଳ୍ପ କେତେକଙ୍କ ଦ୍ଵାରା ଗୃହୀତ । ମୋର ସୃଷ୍ଟିକର୍ତ୍ତା ଯେ ସତ୍ୟ ଓ ଜୀବିତ, ମୋର ଏହି ଦୃଢ଼ ବିଶ୍ଵାସ ଅଛି କି ? ଏହା ସମୟ ପ୍ରମାଣିତ କରିବ । 

No comments:

Post a Comment

Kindly give your suggestions or appreciation!!!