BN

ଈଶ୍ୱରଙ୍କ ଆବାସ

ଈଶ୍ୱରଙ୍କ ଆବାସ

ଆଜିର ଚିନ୍ତା

ଯାତ୍ରା - ୩୬:୧-୩୮

ମୁଁ ଈଶ୍ୱରଙ୍କ ଆବାସସ୍ଥାନ ହୋଇପାରିଛି କି ? 


ଈଶ୍ଵର ମନୁଷ୍ୟର ସହଭାଗୀତା ବାଞ୍ଛା କରନ୍ତି :

ସୃଷ୍ଟିକର୍ତ୍ତା ଈଶ୍ଵର ସୃଷ୍ଟି ଆରମ୍ଭରୁ ମନୁଷ୍ୟ ସହିତ ସହଭାଗୀତାରେ ଅଂଶୀ ହେବା ପାଇଁ ଆଗ୍ରହୀ । ଏଦନ ଉଦ୍ୟାନର ଦିନାବସାନର ସମୟରେ ସେ ଉପସ୍ଥିତ ହୋଇ ଆଦମ ଏବଂ ହବା ସହିତ ସହଭାଗୀତା ସ୍ଥାପନ କରିଥିଲେ (ଆଦି ୩:୮) । ପରବର୍ତ୍ତୀ ସମୟରେ ସହଜରେ ପ୍ରାପ୍ୟ ସହଭାଗୀତାର ସୁଯୋଗ ଦୂରୀକୃତ ହୋଇ, ଈଶ୍ୱରଙ୍କ ସ୍ବତନ୍ତ୍ର ନିୟନ୍ତ୍ରଣ ମଧ୍ୟରେ ତାହା ଆବଦ୍ଧ ଥିଲା । ମାତ୍ର ଦ୍ୱିତୀୟ ଆଦମ ଖ୍ରୀଷ୍ଟ ଯୀଶୁଙ୍କ ତ୍ୟାଗପୂର୍ଣ୍ଣ ବଳିକୃତ କାର୍ଯ୍ୟ ଦ୍ଵାରା ଈଶ୍ୱରଙ୍କ ଉପସ୍ଥିତିର ସହଭାଗୀତା ସର୍ବ ସ୍ଥାନରେ, ସମସ୍ତ ସମୟରେ ଉପଲବ୍ଧ କରିବାର ସୁଯୋଗ ଆମ୍ଭେମାନେ ପ୍ରାପ୍ତ ହୋଇଛୁ ଏବଂ ସେ ଆମ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ମଧ୍ୟରେ ବାସ କରିବା ପାଇଁ ଆଗ୍ରହୀ । 


ଉପାସନା ନିମନ୍ତେ ଉପାସନା ପୀଠର ଆବଶ୍ୟକତା : 

ଇସ୍ରାଏଲୀୟ ସନ୍ତାନଗଣ ସୀନୟ ପ୍ରନ୍ତରରେ ଉପସ୍ଥିତ ହୋଇଥିବା ସମୟରେ, ଈଶ୍ବର ଏକ ଆବାସର ନିର୍ମାଣ ନିମନ୍ତେ ଆଦେଶ ଦେଇଥିଲେ (ଯାତ୍ରା ୨୫:୮) ଯେଉଁ ସ୍ଥାନରେ ସେମାନେ ଈଶ୍ଵରଙ୍କ ଉପସ୍ଥିତି ଓ ସହଭାଗୀତାର ଅଂଶୀ ହେବା ସହିତ ସମସ୍ତ ପ୍ରକାର ଦାନ ଏବଂ ବଳିଦାନ ଉତ୍ସର୍ଗ କରିବେ ପୁଣି ଈଶ୍ଵର ନିର୍ଦ୍ଦେଶିତ ସମସ୍ତ ପର୍ବପାଳନ କରିପାରିବେ । ଈଶ୍ଵର ଆପଣା ମନୋନୀତ ୪୦ ଜଣ ଶିଳ୍ପକାରୀଙ୍କୁ ଆବାସର ଆକାର ଓ ନିର୍ମାଣ ଶୈଳ ଜ୍ଞାତ କରାଇ କାର୍ଯ୍ୟ ନିମନ୍ତେ ଆବଶ୍ୟକ ବୁଦ୍ଧି, ଜ୍ଞାନ, ସାମର୍ଥ୍ୟ ଏବଂ ଶକ୍ତି ପ୍ରଦାନ କରିଥିଲେ । ଏହି ଆବାସ ସମାଗମ ତମ୍ବୁ, ସାକ୍ଷ୍ୟ ତମ୍ବୁ, ନାମରେ ପରିଚିତ ଏକ ପବିତ୍ର ଉପାସନା ସ୍ଥଳ ଥିଲା । ପ୍ରାନ୍ତରରେ ଭ୍ରମଣକାରୀ ଇସ୍ରାଏଲୀୟମାନେ ନିଜର ବସତି ସ୍ଥାନ ପରିବର୍ତ୍ତନ ସମୟରେ, ଆଦେଶ ପ୍ରାପ୍ତ ଯାଜକମାନେ ଏହି ତମ୍ବୁ ବହନ କରୁଥିଲେ । ଏହା ଈଶ୍ଵରଙ୍କ ପବିତ୍ର ଉପସ୍ଥିତି, ଚିର ସୁରକ୍ଷା, ମହା ଉଦ୍ଧାର ଏବଂ ସଦା ପ୍ରତିପାଳନର ପ୍ରତୀକଭାବେ ସ୍ଥାପିତ ହୋଇଥିଲା । 


ଆଜିର ଅନୁଗ୍ରହ ଦିନରେ ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ଚିରକାଳସ୍ଥାୟୀ ମହାଯାଜକ, ଯିଏକି ସ୍ୱର୍ଗୀୟ ସମାଗମ ତମ୍ବୁରେ ପିତା ଈଶ୍ୱରଙ୍କଠାରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଛନ୍ତି (ଏବ୍ରୀ ୯:୧୧-୧୨,୨୪-୨୪) । ତେଣୁ ଖ୍ରୀଷ୍ଟ ବିଶ୍ବାସୀଙ୍କ ଉପାସନାର କେନ୍ଦ୍ରସ୍ଥଳ ଖ୍ରୀଷ୍ଟ ଅଟନ୍ତି । ଆଜି ଆମେ ନିଜ ନିଜକୁ ପଚାରୁ, ମୋର ଶରୀର ଈଶ୍ୱରଙ୍କ ମନ୍ଦିର ହୋଇଛି କି ? ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ଆବାସ ଭାବରେ ଦେଖିବା ପାଇଁ ଚାହାଁନ୍ତି । 

 

ଅକୁଣ୍ଠିତ ହୃଦୟର ଦାନ

 ଅକୁଣ୍ଠିତ ହୃଦୟର ଦାନ

ଆଜିର ଚିନ୍ତା

ଯାତ୍ରା ୩୫:୧-୩୫


ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ମଙ୍ଗଳଦାନ ସବୁ ପାସୋର ନାହିଁ । 


ଈଶ୍ୱରଙ୍କ ସେବାରେ ମନୁଷ୍ୟର ଆବଶ୍ୟକତା : 

ଈଶ୍ଵର ମନୁଷ୍ୟମାନଙ୍କ ମଧ୍ୟରେ ବାସ କରିବାକୁ ଚାହାନ୍ତି, ତେଣୁ ସେ ମୋଶାଙ୍କୁ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରିବାକୁ କହିଲେ (ଯାତ୍ରା ୨୫:୭) । ଏହା ପାପରେ ପତିତ ମନୁଷ୍ୟ ଜାତି ପ୍ରତି ତାଙ୍କର ପ୍ରେମକୁ ପ୍ରକାଶ କରେ । ଈଶ୍ଵର ଆବାସ ତମ୍ବୁ ନିର୍ମାଣ କରିବା ନିମନ୍ତେ ପ୍ରାଞ୍ଜଳଭାବେ ବୁଝାଇଲେ ଏବଂ ନିର୍ମାଣ ନିମନ୍ତେ ଆବଶ୍ୟକ ଦ୍ରବ୍ୟ ଲୋକମାନଙ୍କ ଠାରୁ ସଂଗ୍ରହ କରିବାକୁ କହିଲେ (ଯାତ୍ରା ୨୫:୭) । ଏହା ପ୍ରକାଶ କରେ ଯେ, ଉପାସକମାନଙ୍କର ସହଯୋଗରେ ହିଁ ସେ ସେମାନଙ୍କ ମଧ୍ୟରେ ବାସ କରିବେ । ସେ ଦିନ ଇସ୍ରାଏଲୀୟମାନେ ଉପହାର ଦେବା ଦ୍ଵାରା ପ୍ରକାଶ କରିଥିଲେ ଯେ ସେମାନେ ନିଜ ଗହଣରେ ଈଶ୍ୱରଙ୍କ ଉପସ୍ଥିତି ଚାହାଁନ୍ତି । 


ଈଶ୍ୱରଙ୍କ ସେବାରେ ଐଶ୍ୱରୀୟ ସ୍ଵାଧୀନତା : 

ମୋଶା ସ୍ଵଚ୍ଛନ୍ଦ ମନରେ ଦେବା ପାଇଁ କହିଲେ (୫ପଦ) । ଯେଉଁମାନଙ୍କର ସମ୍ବଳ ଥିଲା, ସେମାନେ ବହୁମୂଲ୍ୟ ଦ୍ରବ୍ୟ ଦେବେ ଏବଂ ଯେଉଁ ମାନଙ୍କର ସମ୍ବଳ କମ୍ ଥିଲା, ସେମାନେ କମ୍ ମୂଲ୍ୟର ଉପହାର ଦେବା ପାଇଁ ସୁଯୋଗ ଥିଲା । ସେମାନଙ୍କ ମଧ୍ୟରେ ଯେଉଁମାନେ ଜ୍ଞାନୀ ଥିଲେ, ସେମାନଙ୍କ ହସ୍ତରେ ମୋଶା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମର୍ପଣ କଲେ (ଯାତ୍ରା ୩୫:୧୦,୩୧) । ନାରୀଗଣ ମଧ୍ୟ ପ୍ରଭୁଦତ୍ତ ତୋଡାକୁ ନିର୍ମାଣ କାର୍ଯ୍ୟରେ ବ୍ୟବହାର କଲେ (ଯାତ୍ରା ୩୫:୨୫-୨୬) । ସମାଜର ପଦସ୍ଥଗଣ ମଧ୍ୟ ନିର୍ମାଣ କାର୍ଯ୍ୟରେ ଯୋଗଦାନ କଲେ (୨୭ପଦ) । ଆତଏବ, ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ସୁଯୋଗ ମିଳିଲା । ଈଶ୍ୱରଙ୍କ ଆବାସ ତମ୍ବୁ ସୁନ୍ଦର ଭାବରେ ନିର୍ମିତ ହେଉ, ଏହି ଇଚ୍ଛା ଇସ୍ରାଏଲୀୟମାନେ ଆବଶ୍ୟକତାରୁ ଅଧିକ ଉପହାର ଦେବା ଦ୍ଵାରା ପ୍ରମାଣିତ କରିଥିଲେ । 


ସଦାପ୍ରଭୁ ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି । ଆମର ହୃଷ୍ଟଚିତ୍ତ ଦାନର ପ୍ରଚୁରତା ଦ୍ଵାରା ମଣ୍ଡଳୀର, ସୁସମାଚାର କାର୍ଯ୍ୟର ଅଭାବ ପୂରଣ ହୋଇପାରିବ । ମାଣ୍ଡଳୀକ କାର୍ଯ୍ୟ ଓ ସୁସମାଚାର କାର୍ଯ୍ୟକୁ ତ୍ଵରାନ୍ଵିିତ କରିବା ପାଇଁ ହୃଷ୍ଟଚିତ୍ତ ଦାନର ଆବଶ୍ୟକତା ରହିଛି । 

ନେତୃତ୍ବର ପୁନରୁତ୍ଥାନ

ନେତୃତ୍ବର ପୁନରୁତ୍ଥାନ

ଆଜିର ଚିନ୍ତା

ଯାତ୍ରା ୩୪:୨୯-୩୫

ଈଶ୍ବରଙ୍କ ସଙ୍ଗେ ସହଭାଗିତା ସୋନ୍ଦର୍ଯ୍ୟ ଓ ଶକ୍ତିର ଉତ୍ସ ଅଟେ ।

ମୋଶା ଜଣେ ଆଶ୍ଚର୍ଯ୍ୟ ବ୍ୟକ୍ତି ଥିଲେ । ନିଜ ଲୋକମାନଙ୍କ ଦ୍ଵାରା ବାରମ୍ବାର ସମଲୋଚିତ ଓ ପରିତ୍ୟକ୍ତ ହୋଇ ସୁଦ୍ଧା, ସେ ସେମାନଙ୍କ ସଙ୍ଗେ ନିଜକୁ ଚିହ୍ନିତ କରିଥିଲେ ଓ ସେମାନଙ୍କ ନିମନ୍ତେ ନିରନ୍ତର ପ୍ରାର୍ଥନା କରୁଥିଲେ । ମୋଶାଙ୍କୁ ନେତୃତ୍ୱରୁ ହଟାଇ ନେବା ଈଶ୍ୱରଙ୍କ ଇଛା ନ ଥିଲା । ୪୦ ଦିବାରାତ୍ର ଈଶ୍ବରଙ୍କ ସାନ୍ନିଧ୍ୟରେ କଟାଇ ଯେତେବେଳେ ସେ ଫେରିଆସିଲେ ଈଶ୍ବର ତାଙ୍କ ମୁଖକୁ ଉଜ୍ଜଳମୟ କରି ଦେଇଥିଲେ।  ତାହା ପ୍ରମାଣିତ କରୁଥିଲା ଯେ ମୋଶାଙ୍କ ନେତୃତ୍ୱ ଅତୁଟ ରହିଛି । 

ଈଶ୍ୱରଙ୍କ ସାନ୍ନିଧ୍ୟ: 

ତେବେ ମୋଶାଙ୍କର ମୁଖ ଉଜ୍ଜଳ ହେବାର କାରଣ କ'ଣ ହୋଇପାରେ ? ମୋଶା ଏହା ଆଗରୁ ଅନେକ ଥର ଈଶ୍ୱରଙ୍କ ସାନ୍ନିଧ୍ୟରେ ସମୟ କାଟିଛନ୍ତି, ଈଶ୍ୱରଙ୍କ ସଙ୍ଗେ ଆଳାପ କରିଛନ୍ତି, କିନ୍ତୁ ପୂର୍ବରୁ ତାଙ୍କ ମୁଖ ଉଜ୍ଜଳ ଦେଖା ଯାଇ ନ ଥିଲା । ନିଶ୍ଚିତରୂପେ ଈଶ୍ୱର ଏହାଦ୍ଵାରା ଇସ୍ରାଏଲ ଜାତିକୁ ପ୍ରମାଣ ଦେବାକୁ ଚାହୁଁଥିଲେ ଯେ ତାଙ୍କ ଦାସ ମୋଶା ଇସ୍ରାଏଲର ଅନନ୍ୟ ନେତା ଅଟନ୍ତି । ମୋଶାଙ୍କର ଏହି ଉଜ୍ଜଳ ମୁଖ ସମୁଦାୟ ଇସ୍ରାଏଲକୁ ଚକିତ କରି ଦେଇଥିଲା ଏବଂ ସେମାନେ ତାଙ୍କ ନେତୃତ୍ଵ ପ୍ରତି ଆସ୍ଥା ପ୍ରକଟ କଲେ । ଇସ୍ରାଏଲୀୟମାନଙ୍କ ପରି ଆମେ ଏହି ଶିକ୍ଷା ଲାଭ କରୁ ଯେ, ଈଶ୍ୱର ହିଁ ନେତା ମନୋନୟନ କରିଥାନ୍ତି । 


ଈଶ୍ୱରଙ୍କ ସ୍ଵୀକୃତି: 

 ଯୀଶୁଙ୍କ ଜୀବନରେ ମଧ୍ୟ ଆମେ ଦେଖୁ ଯେ, ତାଙ୍କର ବାପ୍ତିସ୍ମ ଗ୍ରହଣ ସମୟରେ ସ୍ୱର୍ଗୀୟ ରବ ଶୁଣାଯାଇଥିଲା । ସେ ମଧ୍ୟ ପର୍ବତରେ ରୂପାନ୍ତରିତ ହୋଇଥିଲେ ଏବଂ ତାଙ୍କର ପୁନରୁତ୍ଥାନ ଦ୍ଵାରା ଈଶ୍ଵର ତାଙ୍କୁ ତାଙ୍କର ପୁତ୍ରରୁପେ ସ୍ଵୀକୃତି ଓ ସପ୍ରମାଣିତ କରିଥିଲେ । ପ୍ରଭୁ ଯୀଶୁ ଯେଉଁ ଆହ୍ଵାନ ଦେଇଛନ୍ତି, ସେଥିରେ ବିଶ୍ଵସ୍ତ ରହିଲେ ସେ ଉପଯୁକ୍ତ ସମୟରେ ଆମର ସେବାକାର୍ଯ୍ୟକୁ ଦୃଢ଼ ଓ ନିଶ୍ଚିତ କରିବେ । ମୋଶାଙ୍କ ପରି ଈଶ୍ୱରଙ୍କ ସଙ୍ଗେ ଆମର   ନିରବଚ୍ଛିନ୍ନ ସହଭାଗିତା ଆମକୁ ତାହାଙ୍କ ସଦୃଶ୍ୟରେ ପରିବର୍ତ୍ତିତ କରିଥାଏ (୨ କରି ୩:୧୮) ।

ଉତ୍ତମ ନେତୃତ୍ଵ

  ଉତ୍ତମ ନେତୃତ୍ଵ

 ଆଜିର ଚିନ୍ତା


 ଯାତ୍ରା ୩୨:୧୫-୩୫


ନେତୃତ୍ଵର ଗୁରୁଦାୟିତ୍ଵ ମୁଁ ବୁଝିପାରିଛି କି? 

  

ନେତାମାନଙ୍କୁ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଦାୟିତ୍ଵ ବହନ କରିବାକୁ ପଡେ । ମଣ୍ଡଳୀର ବିଶ୍ବାସୀ ଓ ବିଶ୍ବାସିନୀମାନଙ୍କ ଜୀବନ ଦେଖିଲେ ଜଣାପଡେ ଯେ ଆମ ଜୀବନରେ ଅନେକ ଦୁର୍ବଳତା ରହିଛି । ଆମେ ନିୟମିତ ଉପାସନା ଯାଉ । ପ୍ରାର୍ଥନା କରୁ, ବାଇବଲ ଅଧ୍ୟୟନ କରୁ ସତ, କିନ୍ତୁ ଆମର ମୌଳିକ ଜୀବନ ପରିବର୍ତ୍ତନ ହୋଇ ନ ଥାଏ । ଆମେ ଶକ୍ତିହୀନ, ଆତ୍ମନିର୍ଭରଶୀଳ, ଆତ୍ମଧାର୍ମିକ, ବିଶୃଙ୍ଖଳିତ ଜୀବନ ଯାପନ କରିବାକୁ ଭଲ ପାଇଥାଉ । ତେଣୁ ନିଜକୁ ଶୃଙ୍ଖଳିତ କରିବା ସହଜ ବିଷୟ ନୁହେଁ ।


ଆଦର୍ଶ ନେତା : 

ମୋଶାଙ୍କ ନେତୃତ୍ୱ ଜୀବନରେ ଏଭଳି ପରିସ୍ଥିତି ଦେଖା ଦେଇଥିଲା । ସେ ଈଶ୍ବରଙ୍କ ସାନ୍ନିଧ୍ୟରେ ରହି ତାଙ୍କର ମହିମା, ଗୌରବ ଓ ପବିତ୍ରତା ଦେଖିଥିଲେ ଓ ଅନୁଭବ କରିଥିଲେ । ସେ ଯେତେବେଳେ ପର୍ବତରୁ ଓହ୍ଲାଇଲେ ଇସ୍ରାଏଲୀୟମାନଙ୍କର ଘୃଣ୍ୟ ପାପ ଦେଖିଥିଲେ । ସେମାନଙ୍କର ଜଘନ୍ୟ ପାପ ଦେଖି ମୋଶା ବିବ୍ରତ ଓ ବୋଝଗ୍ରସ୍ତ ହୋଇଥିଲେ । କାରଣ ସେହି ପାପର ପରିଣାମ ଅତି ଭୟଙ୍କର ଥିଲା । ତତ୍ କ୍ଷଣାତ ସେ ସେମାନଙ୍କର ପାପ ପାଇଁ ନିଜକୁ ଦାୟୀ କରିଥିଲେ।


ଉଦ୍ଧାରକାରୀ ନେତା :

 ଏକ ଉତ୍ତମ ପାଳକର ନ୍ୟାୟ, ସେ ଇସ୍ରାଏଲୀୟମାନଙ୍କୁ ପାପରୁ ଫେରିବା ପାଇଁ ଆହ୍ଵାନ ଦେଲେ ଓ ସେମାନଙ୍କ ସପକ୍ଷରେ କାର୍ଯ୍ୟ କରିଥିଲେ । ସେ ଈଶ୍ବରଙ୍କ ନିକଟର ଇସ୍ରାଏଲୀୟମାନଙ୍କ ସପକ୍ଷରେ ବିନତି କରିଥିଲେ । ସେ 'ଜୀବନ ପୁସ୍ତକ' ରୁ ତାଙ୍କର ନାମ କାଟିବା ପାଇଁ ଈଶ୍ବରଙ୍କ ନିକଟର ପ୍ରାର୍ଥନା କଲେ । ଏହି ପ୍ରାର୍ଥନା ଇସ୍ରାଏଲୀୟମାନଙ୍କ ପାଇଁ ମୋଶାଙ୍କ ହୃଦୟରେ ଥିବା ପ୍ରେମକୁ ପ୍ରକାଶ କରେ । ଇସ୍ରାଏଲୀୟମାନଙ୍କର କ୍ଷମା ଏବଂ ରକ୍ଷା ପାଇଁ ନିଜର ଜୀବନକୁ ବଳି କରିବାର ଇଛା ତାଙ୍କ ନେତୃତ୍ଵର ଏକ ମୁଖ୍ୟ ଗୁଣ ଥିଲା । 


ଆଜିର ଶାସ୍ତ୍ରାଂଶ ମୋଶାଙ୍କ ଜୀବନ ଓ ଆଦର୍ଶ ମାଧ୍ୟମରେ ଆମ୍ଭମାନଙ୍କୁ ପ୍ରେରଣା ଦିଏ ଯେ, ଆମେ ଏକ ଉତ୍ତମ ପାଳକ, ଉତ୍ତମ ନେତା, ଉତ୍ତମ ବିଶ୍ବାସୀ ବିଶ୍ଵସିନୀ ଭାବରେ ଅନ୍ୟ ମାନଙ୍କର ଆଧ୍ୟାତ୍ମିକ ଅବସ୍ଥା ବିଷୟରେ ସଚେତନ ହୋଇପାରିବା ଓ ସେମାନଙ୍କର ପରିବର୍ତ୍ତନ ନିମନ୍ତେ ମନୋଯୋଗୀ ହୋଇପାରିବା । 


ଈଶ୍ଵର ଦୀର୍ଘସହିଷ୍ଣୁ

 ଈଶ୍ଵର ଦୀର୍ଘସହିଷ୍ଣୁ

ଆଜିର ଚିନ୍ତା

ଯାତ୍ରା ୩୨:୧-୧୪


ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ନିବେଦନ କରନ୍ତି ବୋଲି ମୁଁ ଜାଣିଛି କି ? 


ଯଦି ଆମେ ଧୈର୍ଯ୍ୟର ସହ ଈଶ୍ଵରଙ୍କର ଅପେକ୍ଷା କରିବା, ତେବେ ସେ ଆମର ଚିନ୍ତା, ଭାବନା ଓ କଲ୍ପନାରୁ ଅଧିକ ମହତ୍ ବିଷୟ ଆମ ପାଇଁ ସାଧନ କରିବେ । କିନ୍ତୁ ମନୁଷ୍ୟ ଯେ ଆମ୍ଭେମାନେ, ଆମ୍ଭେମାନେ ସର୍ବଦା ତରବର ହୋଇଥାଉ । ଆଜିର ଶାସ୍ତ୍ରାଂଶରେ ଆମେ ଦେଖୁଛୁ ଯେ, ମନୁଷ୍ୟ ଯେତେବେଳେ ଅସ୍ଥିର ଓ ତରବର ହୋଇ କାର୍ଯ୍ୟ କରେ, ସେ ନିଜକୁ ଧ୍ଵଂସ ଆଡ଼କୁ ନେଇଯାଏ । 


ମନୁଷ୍ୟର ମୂଢତା : 


ଇସ୍ରାଏଲୀୟମାନେ ମୋଶାଙ୍କର ଫେରିବା ବିଳମ୍ବ ହେବାରୁ ଅନ୍ୟ ଈଶ୍ଵରଙ୍କ ବିଷୟରେ କଳ୍ପନା କଲେ ଏବଂ ପରିଶେଷରେ ଏକ ସୁବର୍ଣ୍ଣ ବାଛୁରୀକୁ ଈଶ୍ଵର ଭାବରେ ଗ୍ରହଣ କଲେ । ଏହି ନୂତନ ଈଶ୍ୱରଙ୍କୁ  ଦେଖି ସେମାନେ ଆନନ୍ଦିତ ହେଲେ, ମୂର୍ତ୍ତି ଆଗରେ ନିଜର ବଳି ଉତ୍ସର୍ଗ କଲେ, ଅପବିତ୍ର ଭାବରେ ନୃତ୍ୟଗାନ କରି ନିଜ ନିଜକୁ ଅପବିତ୍ର କଲେ । ସତ୍ୟ ଈଶ୍ୱରଙ୍କ ବଦଳରେ ଏକ ହସ୍ତ ନିର୍ମିତ ମୂର୍ତ୍ତିର ପୂଜା କରି ଈଶ୍ୱରଙ୍କ ବିରୁଦ୍ଧରେ ଜଘନ୍ୟ ପାପ କରି ଈଶ୍ୱରଙ୍କ କ୍ରୋଧର ପାତ୍ର ହେଲେ । ମୋଶା ସେମାନଙ୍କର କାର୍ଯ୍ୟର ଜଘନ୍ୟତା କେତେ ବଡ଼ ଓ ତାହାର ପରିଣାମ କ'ଣ ହେବ, ତାହା ବୁଝିପାରିଲେ । ସେ ସେମାନଙ୍କ ପାପ ନିମନ୍ତେ ଈଶ୍ଵରଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଏବଂ ଏକ ଭୟାବହ ଦଣ୍ଡରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ । ଈଶ୍ଵର ସେମାନଙ୍କର ପାପ କ୍ଷମା କରି ସେମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରି ନ ଥିଲେ । 


ମନୁଷ୍ୟର ସ୍ୱେଚ୍ଛାଚାରିତା :


ଅନ୍ୟ ପକ୍ଷରେ, ହାରୋଣ ଇସ୍ରାଏଲୀୟମାନଙ୍କର ଇଛା ନିକଟରେ ନିଜକୁ ସମର୍ପଣ କଲେ, ଈଶ୍ୱରଙ୍କ ଗୌରବକୁ ପ୍ରାଧାନ୍ୟ ନ ଦେଇ ଏକ ମୂର୍ତ୍ତି ନିର୍ମାଣ କରି ଇସ୍ରାଏଲୀୟମାନଙ୍କୁ ପାପ କରିବାକୁ ପ୍ରୋତ୍ସାହିତ କଲେ । 


ଆମେ ନିଜକୁ ପରୀକ୍ଷା କରିବା, ଆମେ କଣ ନିଜର ଆତ୍ମିକ ଜୀବନରେ ଅସ୍ଥିର ଓ ବିଚଳିତ ହୋଇ ନିଜ ଇଚ୍ଛାରେ ଜଗତର ବିଷୟବସ୍ତୁ, ଧନ ଓ ମାନ ସମ୍ମାନକୁ ଈଶ୍ୱରଙ୍କ ସ୍ଥାନ ଦେଇଅଛୁ । ଯଦି ନେତୃତ୍ୱ ସ୍ଥାନରେ ଅଛୁ, ତେବେ ହରୋଣଙ୍କ ପରି ଈଶ୍ୱରଙ୍କ ପଲକୁ ବିପଥରେ ଯିବା ପାଇଁ ପ୍ରୋତ୍ସାହତ ଦେଉଛୁ ଅବା ମୋଶାଙ୍କ ପରି ଈଶ୍ୱରଙ୍କ ପଲକୁ ସୁରକ୍ଷା ଓ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ବିନତି କରୁଅଛୁ । ଆତ୍ମିକ ଓ ଜାଗତିକ ଜୀବନରେ ଅନେକ ପରିସ୍ଥିତିର ଚାପରେ ଆମେ ଭୁଲ ପଦକ୍ଷେପ ଗ୍ରହଣ କରିଥାଉ । କିନ୍ତୁ ଈଶ୍ଵର ଚାହାଁନ୍ତି ଯେ ଆମେ ତାଙ୍କର ଅପେକ୍ଷା କରି ତାଙ୍କର ପ୍ରେରଣା ଓ ଶକ୍ତି ବଳରେ ନିଜକୁ ପରିଚାଳନା କରିବା ।