BN

ଉତ୍ତମ ନେତୃତ୍ଵ

  ଉତ୍ତମ ନେତୃତ୍ଵ

 ଆଜିର ଚିନ୍ତା


 ଯାତ୍ରା ୩୨:୧୫-୩୫


ନେତୃତ୍ଵର ଗୁରୁଦାୟିତ୍ଵ ମୁଁ ବୁଝିପାରିଛି କି? 

  

ନେତାମାନଙ୍କୁ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଦାୟିତ୍ଵ ବହନ କରିବାକୁ ପଡେ । ମଣ୍ଡଳୀର ବିଶ୍ବାସୀ ଓ ବିଶ୍ବାସିନୀମାନଙ୍କ ଜୀବନ ଦେଖିଲେ ଜଣାପଡେ ଯେ ଆମ ଜୀବନରେ ଅନେକ ଦୁର୍ବଳତା ରହିଛି । ଆମେ ନିୟମିତ ଉପାସନା ଯାଉ । ପ୍ରାର୍ଥନା କରୁ, ବାଇବଲ ଅଧ୍ୟୟନ କରୁ ସତ, କିନ୍ତୁ ଆମର ମୌଳିକ ଜୀବନ ପରିବର୍ତ୍ତନ ହୋଇ ନ ଥାଏ । ଆମେ ଶକ୍ତିହୀନ, ଆତ୍ମନିର୍ଭରଶୀଳ, ଆତ୍ମଧାର୍ମିକ, ବିଶୃଙ୍ଖଳିତ ଜୀବନ ଯାପନ କରିବାକୁ ଭଲ ପାଇଥାଉ । ତେଣୁ ନିଜକୁ ଶୃଙ୍ଖଳିତ କରିବା ସହଜ ବିଷୟ ନୁହେଁ ।


ଆଦର୍ଶ ନେତା : 

ମୋଶାଙ୍କ ନେତୃତ୍ୱ ଜୀବନରେ ଏଭଳି ପରିସ୍ଥିତି ଦେଖା ଦେଇଥିଲା । ସେ ଈଶ୍ବରଙ୍କ ସାନ୍ନିଧ୍ୟରେ ରହି ତାଙ୍କର ମହିମା, ଗୌରବ ଓ ପବିତ୍ରତା ଦେଖିଥିଲେ ଓ ଅନୁଭବ କରିଥିଲେ । ସେ ଯେତେବେଳେ ପର୍ବତରୁ ଓହ୍ଲାଇଲେ ଇସ୍ରାଏଲୀୟମାନଙ୍କର ଘୃଣ୍ୟ ପାପ ଦେଖିଥିଲେ । ସେମାନଙ୍କର ଜଘନ୍ୟ ପାପ ଦେଖି ମୋଶା ବିବ୍ରତ ଓ ବୋଝଗ୍ରସ୍ତ ହୋଇଥିଲେ । କାରଣ ସେହି ପାପର ପରିଣାମ ଅତି ଭୟଙ୍କର ଥିଲା । ତତ୍ କ୍ଷଣାତ ସେ ସେମାନଙ୍କର ପାପ ପାଇଁ ନିଜକୁ ଦାୟୀ କରିଥିଲେ।


ଉଦ୍ଧାରକାରୀ ନେତା :

 ଏକ ଉତ୍ତମ ପାଳକର ନ୍ୟାୟ, ସେ ଇସ୍ରାଏଲୀୟମାନଙ୍କୁ ପାପରୁ ଫେରିବା ପାଇଁ ଆହ୍ଵାନ ଦେଲେ ଓ ସେମାନଙ୍କ ସପକ୍ଷରେ କାର୍ଯ୍ୟ କରିଥିଲେ । ସେ ଈଶ୍ବରଙ୍କ ନିକଟର ଇସ୍ରାଏଲୀୟମାନଙ୍କ ସପକ୍ଷରେ ବିନତି କରିଥିଲେ । ସେ 'ଜୀବନ ପୁସ୍ତକ' ରୁ ତାଙ୍କର ନାମ କାଟିବା ପାଇଁ ଈଶ୍ବରଙ୍କ ନିକଟର ପ୍ରାର୍ଥନା କଲେ । ଏହି ପ୍ରାର୍ଥନା ଇସ୍ରାଏଲୀୟମାନଙ୍କ ପାଇଁ ମୋଶାଙ୍କ ହୃଦୟରେ ଥିବା ପ୍ରେମକୁ ପ୍ରକାଶ କରେ । ଇସ୍ରାଏଲୀୟମାନଙ୍କର କ୍ଷମା ଏବଂ ରକ୍ଷା ପାଇଁ ନିଜର ଜୀବନକୁ ବଳି କରିବାର ଇଛା ତାଙ୍କ ନେତୃତ୍ଵର ଏକ ମୁଖ୍ୟ ଗୁଣ ଥିଲା । 


ଆଜିର ଶାସ୍ତ୍ରାଂଶ ମୋଶାଙ୍କ ଜୀବନ ଓ ଆଦର୍ଶ ମାଧ୍ୟମରେ ଆମ୍ଭମାନଙ୍କୁ ପ୍ରେରଣା ଦିଏ ଯେ, ଆମେ ଏକ ଉତ୍ତମ ପାଳକ, ଉତ୍ତମ ନେତା, ଉତ୍ତମ ବିଶ୍ବାସୀ ବିଶ୍ଵସିନୀ ଭାବରେ ଅନ୍ୟ ମାନଙ୍କର ଆଧ୍ୟାତ୍ମିକ ଅବସ୍ଥା ବିଷୟରେ ସଚେତନ ହୋଇପାରିବା ଓ ସେମାନଙ୍କର ପରିବର୍ତ୍ତନ ନିମନ୍ତେ ମନୋଯୋଗୀ ହୋଇପାରିବା । 


1 comment:

Kindly give your suggestions or appreciation!!!