ଈଶ୍ଵର ଦୀର୍ଘସହିଷ୍ଣୁ
ଆଜିର ଚିନ୍ତା
ଯାତ୍ରା ୩୨:୧-୧୪
ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ନିବେଦନ କରନ୍ତି ବୋଲି ମୁଁ ଜାଣିଛି କି ?
ଯଦି ଆମେ ଧୈର୍ଯ୍ୟର ସହ ଈଶ୍ଵରଙ୍କର ଅପେକ୍ଷା କରିବା, ତେବେ ସେ ଆମର ଚିନ୍ତା, ଭାବନା ଓ କଲ୍ପନାରୁ ଅଧିକ ମହତ୍ ବିଷୟ ଆମ ପାଇଁ ସାଧନ କରିବେ । କିନ୍ତୁ ମନୁଷ୍ୟ ଯେ ଆମ୍ଭେମାନେ, ଆମ୍ଭେମାନେ ସର୍ବଦା ତରବର ହୋଇଥାଉ । ଆଜିର ଶାସ୍ତ୍ରାଂଶରେ ଆମେ ଦେଖୁଛୁ ଯେ, ମନୁଷ୍ୟ ଯେତେବେଳେ ଅସ୍ଥିର ଓ ତରବର ହୋଇ କାର୍ଯ୍ୟ କରେ, ସେ ନିଜକୁ ଧ୍ଵଂସ ଆଡ଼କୁ ନେଇଯାଏ ।
ମନୁଷ୍ୟର ମୂଢତା :
ଇସ୍ରାଏଲୀୟମାନେ ମୋଶାଙ୍କର ଫେରିବା ବିଳମ୍ବ ହେବାରୁ ଅନ୍ୟ ଈଶ୍ଵରଙ୍କ ବିଷୟରେ କଳ୍ପନା କଲେ ଏବଂ ପରିଶେଷରେ ଏକ ସୁବର୍ଣ୍ଣ ବାଛୁରୀକୁ ଈଶ୍ଵର ଭାବରେ ଗ୍ରହଣ କଲେ । ଏହି ନୂତନ ଈଶ୍ୱରଙ୍କୁ ଦେଖି ସେମାନେ ଆନନ୍ଦିତ ହେଲେ, ମୂର୍ତ୍ତି ଆଗରେ ନିଜର ବଳି ଉତ୍ସର୍ଗ କଲେ, ଅପବିତ୍ର ଭାବରେ ନୃତ୍ୟଗାନ କରି ନିଜ ନିଜକୁ ଅପବିତ୍ର କଲେ । ସତ୍ୟ ଈଶ୍ୱରଙ୍କ ବଦଳରେ ଏକ ହସ୍ତ ନିର୍ମିତ ମୂର୍ତ୍ତିର ପୂଜା କରି ଈଶ୍ୱରଙ୍କ ବିରୁଦ୍ଧରେ ଜଘନ୍ୟ ପାପ କରି ଈଶ୍ୱରଙ୍କ କ୍ରୋଧର ପାତ୍ର ହେଲେ । ମୋଶା ସେମାନଙ୍କର କାର୍ଯ୍ୟର ଜଘନ୍ୟତା କେତେ ବଡ଼ ଓ ତାହାର ପରିଣାମ କ'ଣ ହେବ, ତାହା ବୁଝିପାରିଲେ । ସେ ସେମାନଙ୍କ ପାପ ନିମନ୍ତେ ଈଶ୍ଵରଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଏବଂ ଏକ ଭୟାବହ ଦଣ୍ଡରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ । ଈଶ୍ଵର ସେମାନଙ୍କର ପାପ କ୍ଷମା କରି ସେମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରି ନ ଥିଲେ ।
ମନୁଷ୍ୟର ସ୍ୱେଚ୍ଛାଚାରିତା :
ଅନ୍ୟ ପକ୍ଷରେ, ହାରୋଣ ଇସ୍ରାଏଲୀୟମାନଙ୍କର ଇଛା ନିକଟରେ ନିଜକୁ ସମର୍ପଣ କଲେ, ଈଶ୍ୱରଙ୍କ ଗୌରବକୁ ପ୍ରାଧାନ୍ୟ ନ ଦେଇ ଏକ ମୂର୍ତ୍ତି ନିର୍ମାଣ କରି ଇସ୍ରାଏଲୀୟମାନଙ୍କୁ ପାପ କରିବାକୁ ପ୍ରୋତ୍ସାହିତ କଲେ ।
ଆମେ ନିଜକୁ ପରୀକ୍ଷା କରିବା, ଆମେ କଣ ନିଜର ଆତ୍ମିକ ଜୀବନରେ ଅସ୍ଥିର ଓ ବିଚଳିତ ହୋଇ ନିଜ ଇଚ୍ଛାରେ ଜଗତର ବିଷୟବସ୍ତୁ, ଧନ ଓ ମାନ ସମ୍ମାନକୁ ଈଶ୍ୱରଙ୍କ ସ୍ଥାନ ଦେଇଅଛୁ । ଯଦି ନେତୃତ୍ୱ ସ୍ଥାନରେ ଅଛୁ, ତେବେ ହରୋଣଙ୍କ ପରି ଈଶ୍ୱରଙ୍କ ପଲକୁ ବିପଥରେ ଯିବା ପାଇଁ ପ୍ରୋତ୍ସାହତ ଦେଉଛୁ ଅବା ମୋଶାଙ୍କ ପରି ଈଶ୍ୱରଙ୍କ ପଲକୁ ସୁରକ୍ଷା ଓ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ବିନତି କରୁଅଛୁ । ଆତ୍ମିକ ଓ ଜାଗତିକ ଜୀବନରେ ଅନେକ ପରିସ୍ଥିତିର ଚାପରେ ଆମେ ଭୁଲ ପଦକ୍ଷେପ ଗ୍ରହଣ କରିଥାଉ । କିନ୍ତୁ ଈଶ୍ଵର ଚାହାଁନ୍ତି ଯେ ଆମେ ତାଙ୍କର ଅପେକ୍ଷା କରି ତାଙ୍କର ପ୍ରେରଣା ଓ ଶକ୍ତି ବଳରେ ନିଜକୁ ପରିଚାଳନା କରିବା ।
No comments:
Post a Comment
Kindly give your suggestions or appreciation!!!