BN

ଈଶ୍ୱରଙ୍କ ଆବାସ

ଈଶ୍ୱରଙ୍କ ଆବାସ

ଆଜିର ଚିନ୍ତା

ଯାତ୍ରା - ୩୬:୧-୩୮

ମୁଁ ଈଶ୍ୱରଙ୍କ ଆବାସସ୍ଥାନ ହୋଇପାରିଛି କି ? 


ଈଶ୍ଵର ମନୁଷ୍ୟର ସହଭାଗୀତା ବାଞ୍ଛା କରନ୍ତି :

ସୃଷ୍ଟିକର୍ତ୍ତା ଈଶ୍ଵର ସୃଷ୍ଟି ଆରମ୍ଭରୁ ମନୁଷ୍ୟ ସହିତ ସହଭାଗୀତାରେ ଅଂଶୀ ହେବା ପାଇଁ ଆଗ୍ରହୀ । ଏଦନ ଉଦ୍ୟାନର ଦିନାବସାନର ସମୟରେ ସେ ଉପସ୍ଥିତ ହୋଇ ଆଦମ ଏବଂ ହବା ସହିତ ସହଭାଗୀତା ସ୍ଥାପନ କରିଥିଲେ (ଆଦି ୩:୮) । ପରବର୍ତ୍ତୀ ସମୟରେ ସହଜରେ ପ୍ରାପ୍ୟ ସହଭାଗୀତାର ସୁଯୋଗ ଦୂରୀକୃତ ହୋଇ, ଈଶ୍ୱରଙ୍କ ସ୍ବତନ୍ତ୍ର ନିୟନ୍ତ୍ରଣ ମଧ୍ୟରେ ତାହା ଆବଦ୍ଧ ଥିଲା । ମାତ୍ର ଦ୍ୱିତୀୟ ଆଦମ ଖ୍ରୀଷ୍ଟ ଯୀଶୁଙ୍କ ତ୍ୟାଗପୂର୍ଣ୍ଣ ବଳିକୃତ କାର୍ଯ୍ୟ ଦ୍ଵାରା ଈଶ୍ୱରଙ୍କ ଉପସ୍ଥିତିର ସହଭାଗୀତା ସର୍ବ ସ୍ଥାନରେ, ସମସ୍ତ ସମୟରେ ଉପଲବ୍ଧ କରିବାର ସୁଯୋଗ ଆମ୍ଭେମାନେ ପ୍ରାପ୍ତ ହୋଇଛୁ ଏବଂ ସେ ଆମ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ମଧ୍ୟରେ ବାସ କରିବା ପାଇଁ ଆଗ୍ରହୀ । 


ଉପାସନା ନିମନ୍ତେ ଉପାସନା ପୀଠର ଆବଶ୍ୟକତା : 

ଇସ୍ରାଏଲୀୟ ସନ୍ତାନଗଣ ସୀନୟ ପ୍ରନ୍ତରରେ ଉପସ୍ଥିତ ହୋଇଥିବା ସମୟରେ, ଈଶ୍ବର ଏକ ଆବାସର ନିର୍ମାଣ ନିମନ୍ତେ ଆଦେଶ ଦେଇଥିଲେ (ଯାତ୍ରା ୨୫:୮) ଯେଉଁ ସ୍ଥାନରେ ସେମାନେ ଈଶ୍ଵରଙ୍କ ଉପସ୍ଥିତି ଓ ସହଭାଗୀତାର ଅଂଶୀ ହେବା ସହିତ ସମସ୍ତ ପ୍ରକାର ଦାନ ଏବଂ ବଳିଦାନ ଉତ୍ସର୍ଗ କରିବେ ପୁଣି ଈଶ୍ଵର ନିର୍ଦ୍ଦେଶିତ ସମସ୍ତ ପର୍ବପାଳନ କରିପାରିବେ । ଈଶ୍ଵର ଆପଣା ମନୋନୀତ ୪୦ ଜଣ ଶିଳ୍ପକାରୀଙ୍କୁ ଆବାସର ଆକାର ଓ ନିର୍ମାଣ ଶୈଳ ଜ୍ଞାତ କରାଇ କାର୍ଯ୍ୟ ନିମନ୍ତେ ଆବଶ୍ୟକ ବୁଦ୍ଧି, ଜ୍ଞାନ, ସାମର୍ଥ୍ୟ ଏବଂ ଶକ୍ତି ପ୍ରଦାନ କରିଥିଲେ । ଏହି ଆବାସ ସମାଗମ ତମ୍ବୁ, ସାକ୍ଷ୍ୟ ତମ୍ବୁ, ନାମରେ ପରିଚିତ ଏକ ପବିତ୍ର ଉପାସନା ସ୍ଥଳ ଥିଲା । ପ୍ରାନ୍ତରରେ ଭ୍ରମଣକାରୀ ଇସ୍ରାଏଲୀୟମାନେ ନିଜର ବସତି ସ୍ଥାନ ପରିବର୍ତ୍ତନ ସମୟରେ, ଆଦେଶ ପ୍ରାପ୍ତ ଯାଜକମାନେ ଏହି ତମ୍ବୁ ବହନ କରୁଥିଲେ । ଏହା ଈଶ୍ଵରଙ୍କ ପବିତ୍ର ଉପସ୍ଥିତି, ଚିର ସୁରକ୍ଷା, ମହା ଉଦ୍ଧାର ଏବଂ ସଦା ପ୍ରତିପାଳନର ପ୍ରତୀକଭାବେ ସ୍ଥାପିତ ହୋଇଥିଲା । 


ଆଜିର ଅନୁଗ୍ରହ ଦିନରେ ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ଚିରକାଳସ୍ଥାୟୀ ମହାଯାଜକ, ଯିଏକି ସ୍ୱର୍ଗୀୟ ସମାଗମ ତମ୍ବୁରେ ପିତା ଈଶ୍ୱରଙ୍କଠାରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଛନ୍ତି (ଏବ୍ରୀ ୯:୧୧-୧୨,୨୪-୨୪) । ତେଣୁ ଖ୍ରୀଷ୍ଟ ବିଶ୍ବାସୀଙ୍କ ଉପାସନାର କେନ୍ଦ୍ରସ୍ଥଳ ଖ୍ରୀଷ୍ଟ ଅଟନ୍ତି । ଆଜି ଆମେ ନିଜ ନିଜକୁ ପଚାରୁ, ମୋର ଶରୀର ଈଶ୍ୱରଙ୍କ ମନ୍ଦିର ହୋଇଛି କି ? ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ଆବାସ ଭାବରେ ଦେଖିବା ପାଇଁ ଚାହାଁନ୍ତି । 

 

1 comment:

Kindly give your suggestions or appreciation!!!