BN

ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

 ଅପ୍ରତ୍ୟାଶିତ ସମ୍ବର୍ଦ୍ଧନା

ଆଜିର ଚିନ୍ତା

ପ୍ରେରିତ ୨୮:୧-୧୬

ନିଜର ଅସମୟରେ, ମୁଁ ଅନ୍ୟକୁ ସାହାଯ୍ୟ କରିବାକୁ ପ୍ରୟାସ କରିଥାଏ କି ?


ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ସତ୍ତ୍ବେ, ପ୍ରାଣପଣ ଉଦ୍ୟମ କରି ଯାତ୍ରୀମାନେ ନିରାପଦରେ ମେଲିତୀ ଦ୍ଵୀପରେ ପହଞ୍ଚିଲେ । ସ୍ଥାନୀୟ ଅଧିବାସୀମାନେ ଯାତ୍ରୀମାନଙ୍କୁ ଅତଭୁତ୍ ପୂର୍ବ ସମ୍ବର୍ଦ୍ଧନା ଜଣାଇଲେ । ପୁଣି ନିଆଁ ଜଳାଇବା ସମୟରେ ଏକ ବିଷଧର ସାପ ପାଉଲଙ୍କ ହାତକୁ କାମୁଡ଼ି ଝୁଲି ରହିଲା । ମାତ୍ର ତାଙ୍କର କିଛି କ୍ଷତି ହେଲା ନାହିଁ । ବରଂ ତଦ୍ୱାରା ଖ୍ୟାତି ବଢ଼ିଗଲା । ପୁଣି ସେହି ଦ୍ଵୀପରେ ମୁଖ୍ୟ ପୁବ୍ଲୀୟଙ୍କ ପୀଡ଼ିତ ଓ ଶଯ୍ୟାଶାୟୀ ପିତାଙ୍କୁ ପାଉଲ ପ୍ରାର୍ଥନା କରି ସୁସ୍ଥ କଲେ । ଏହି ସମ୍ବାଦ ଦ୍ଵୀପରେ ବ୍ୟାପିଯିବାରୁ, ଅବଶିଷ୍ଟ ଅସୁସ୍ଥ ଲୋକମାନେ ମଧ୍ୟ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ । 


ସେବାକାର୍ଯ୍ୟର ଉପକାରୀତା :

ସେହି ଦ୍ଵୀପରେ ପାଉଲଙ୍କ ସେବାକାର୍ଯ୍ୟ ଚମକପ୍ରଦ ସଫଳତା ଲାଭ କରିଥିଲା । ଯଦ୍ଵାରା ସ୍ଥାନୀୟ ଅଧିବାସୀମାନେ ଆଗାମୀ ରୋମଯାତ୍ରା ନିମନ୍ତେ ଯାତ୍ରୀମାନଙ୍କର ସମସ୍ତ ଆବଶ୍ୟକୀୟ ବସ୍ତୁ ହୃଷ୍ଟଚିତ୍ତରେ ଯୋଗାଇ ଦେଇଥିଲେ । ସେମାନଙ୍କର ଏହି ମହାନୁଭବତା ପାଉଲଙ୍କର ପ୍ରଚାରିତ ସୁସମାଚାରର ପ୍ରଭାବ ପ୍ରମାଣ କରିଥାଏ । ମେଲିତୀ ଦ୍ୱୀପର ଅନୁଭୂତି ପାଉଲଙ୍କ ସମଗ୍ର ସେବାକାର୍ଯ୍ୟ ସମୟର ରଣନୀତି ସ୍ଥିର କରିବାରେ ଅତ୍ୟନ୍ତ ସହାୟକ ହୋଇଥିଲା । ପୁବ୍ଲୀୟଙ୍କ ଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଓ ବାକ୍ୟ ଦ୍ଵାରା ଏପରି ପ୍ରଭାବିତ କରିଥିଲେ ଯେ, ସେ ଉଭୟ ପାଉଲ ଓ ତାଙ୍କ ପ୍ରଚାରିତ ସୁସମାଚାରକୁ ସ୍ପଷ୍ଟ ସମର୍ଥନ ଓ ଅନୁମୋଦନ କରିଥିଲେ । ମେଲିତୀ ଦ୍ୱୀପରେ ପାଉଲଙ୍କ ତିନିମାସର ରହଣୀକାଳ ମଧ୍ୟରେ ସ୍ଥାନୀୟ ଅଧିବାସୀମାନେ ଆତ୍ମିକ ଭାବେ ପ୍ରଭାବିତ ହେବା ସହ ସାମାଜିକ ଭାବେ ମଧ୍ୟ ଉପକୃତ ହୋଇଥିଲେ । 


ଶକ୍ତିଯୁକ୍ତ ସେବାକାର୍ଯ୍ୟ :

ଏହି ଘଟଣା ସହିତ ପାଉଲଙ୍କ କରିନ୍ଥୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରର ଅନେକଟା ସମାନତା ରହିଛି । ପାଉଲ ଦୃଢ଼ତାର ସହ କୁହନ୍ତି, "ନିଜ ଜ୍ଞାନଗାରିମା ଅବା ମନୋହର ବାକ୍ୟ ଦ୍ଵାରା ସେମାନଙ୍କୁ ପ୍ରବର୍ତ୍ତାଇବାକୁ ନୁହେଁ ମାତ୍ର ପବିତ୍ର ଅତ୍ମାଙ୍କ ଶକ୍ତି ପ୍ରଦର୍ଶନ ହିଁ ତାଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା (୧କରିନ୍ଥୀ ୨:୧-୧୫) । ପରିଶେଷରେ ପାଉଲ ରୋମରେ ପ୍ରବେଶ କରନ୍ତେ ତାଙ୍କୁ ପୃଥକ ଭାବେ ଭଡ଼ାଘରେ ରହିବାକୁ ଅନୁମତି ପ୍ରଦାନ କରାଗଲା । ପାଉଲ ସେଠାରେ ବିଶ୍ବାସୀ ଭ୍ରାତାମାନଙ୍କ ସହ ମିଳିତ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ନିଶ୍ଚିତ ହେଲେ । ଆଜି ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରଭୁ ଆମକୁ ଯେଉଁ ସୁଯୋଗ ଦେଉଛନ୍ତି, ତାହା ଜାଣି ପ୍ରଭୁଙ୍କ ଶକ୍ତିରେ ଓ ତାହାଙ୍କ ଗୌରବ ନିମନ୍ତେ ସୁଯୋଗର ସଦ୍ ବ୍ଯବହାର କରୁ ।

ଧନ୍ୟବାଦ ଅର୍ପଣ

 ଧନ୍ୟବାଦ ଅର୍ପଣ

ଆଜିର ଚିନ୍ତା

ପ୍ରେରିତ ୨୭:୪୪

ଦୁଃଖ, ନିରାଶା, ବିଫଳତା ମଧ୍ୟରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଏ କି ?


ଧନ୍ୟବାଦ ଜ୍ଞାପନ ଏକ ଶକ୍ତିଶାଳୀ ସାକ୍ଷ୍ୟ :

ସମୁଦ୍ରରେ ଯାତ୍ରା କରିବା ସମୟରେ ପ୍ରଚଣ୍ଡ ପ୍ରତିକୂଳ ପରିବେଶରେ ଦୀର୍ଘ ୧୪ ଦିନ ଧରି ଜାହାଜର ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଉପବାସ ରହିଥିଲେ । ସେହି ଦୁର୍ବିସହ ପରିସ୍ଥିତିରେ ପାଉଲ କିଛି ଖାଇବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଲେ । ପୁଣି ରୋଟୀ ଘେନି ସର୍ବସାକ୍ଷାତରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଭୋଜନ କରିବାକୁ ଲାଗିଲେ । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଉତ୍ସାହିତ ହୋଇ ଭୋଜନ କଲେ (୩୫,୩୬ ପଦ) । ତେବେ ସେହି ସମ୍ବେଦନଶୀଳ ପରିସ୍ଥିତିରେ, ସର୍ବ ସମକ୍ଷରେ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଭୋଜନ ଗ୍ରହଣ, ନିଶ୍ଚିତ ଭାବେ ତାଙ୍କର ଈଶ୍ୱରଙ୍କ ଠାରେ ଅଗାଧ ଅସ୍ଥା, ବିଶ୍ବାସର ଦୃଢ଼ ନିଦର୍ଶନ ଥିଲା । ସେହିଭଳି ସମ୍ବେଦନଶୀଳ ମୁହୁର୍ତ୍ତରେ ପାଉଲଙ୍କ ଆଚରଣ, ତାଙ୍କ ସୁସମାଚାର ପ୍ରଚାରକ ଅନନ୍ୟ ଶୈଳୀ ଯଥାର୍ଥ ଭାବେ ପରିପ୍ରକାଶ କରେ । ଏହି ଦୃଷ୍ଟାନ୍ତ ତାଙ୍କ ଜୀବନର ମୂଳ ଲକ୍ଷ୍ୟ, ଆଦର୍ଶ ଓ ମହାନ ସେବା କାର୍ଯ୍ୟର ପରିଚାୟକ (ଲୁକ ୨୨-୧୯) । 


ଅନନ୍ୟ ସାକ୍ଷୀ: 

ଦୂତଙ୍କ ପ୍ରଦତ୍ତ ପାଉଲଙ୍କ ବାର୍ତ୍ତା, "ଜାହାଜ କଠିଣ ଚଟାଣରେ ଲାଗି ନଷ୍ଟ ହେବ, ମାତ୍ର କାହାରି ହେଲେ ପ୍ରାଣନାଶ ହେବ ନାହିଁ," ଅବିକଳ ସାକାର ହେଲା  । ପାଉଲ ଯେ ନିଶ୍ଚିତ ଭାବେ ଐଶ୍ୱରୀକ ଶକ୍ତି  ଓ କ୍ଷମତାର ଅଧିକାରୀ ଏହା ସମସ୍ତଙ୍କର ଦୃଢ଼ ବୋଧ ହେଲା । ସର୍ବପ୍ରକାର ପ୍ରତିକୂଳ ପରିସ୍ଥିତିରେ, ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ ଜଣେ ଆଦର୍ଶ ଦୁଃଖଭୋଗୀ ସାକ୍ଷୀ ରୂପେ ଅକୁଣ୍ଠିତ ଚିତ୍ତରେ କାର୍ଯ୍ୟ କରିଥିଲେ । ଜୀବନର ଦୁଃଖ, ଦୁର୍ଦ୍ଦଶା, ନିରାଶା ବିଫଳତା ସମୟରେ ଈଶ୍ୱରଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିବା ଏକ ଶକ୍ତିଶାଳୀ ସାକ୍ଷ୍ୟ ଭାବେ ବିବେଚିତ ହୋଇଥାଏ ।


ଭରସାର ଉତ୍ସ :

 ଆଜିର ଏହି କଳୁଷିତ, ନୈତିକତାଶୂନ୍ୟ, ଭୀତିପୂର୍ଣ୍ଣ ମହାମାରୀ ଜନିତ ଆଶାହୀନ ଜାଗତିକ ପରିବେଶ ମଧ୍ୟରେ ଆମେ କିପରି ପାଉଲଙ୍କ ଭଳି,ଖ୍ରୀଷ୍ଟଙ୍କ ରାଜ୍ୟର ଗୌରବ ନିମନ୍ତେ ଅନେକଙ୍କ ପାଇଁ ଆଶା, ଶାନ୍ତି, ସାନ୍ତ୍ଵନା ଓ ଭରସାର ଦୃଢ଼ ଉତ୍ସ ହୋଇପାରିବା ତାହା ଚିନ୍ତା କରୁ ।

ଅସ୍ଥିରତା ମଧ୍ୟରେ ସୁସ୍ଥିରତା

 ଅସ୍ଥିରତା ମଧ୍ୟରେ ସୁସ୍ଥିରତା 

ଆଜିର ଚିନ୍ତା

ପ୍ରେରିତ ୨୭:୧-୨୬

ଆଜି ମୁଁ ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚାର ଓ ପ୍ରସାରରେ ଉଦଯୋଗୀ କି ?


ପାଉଲ ବନ୍ଦୀ ଅବସ୍ଥାରେ ଜାହାଜରେ ରୋମ କୁ ଯାତ୍ରା କରିବା ସମୟରେ, ଆଦ୍ରିଆ ସମୁଦ୍ରରେ ୧୪ ଦିନ ଧରି ପ୍ରବଳ ଝଡ ବତାସର ସମ୍ମୁଖୀନ ହୋଇଥିଲେ । ଯାତ୍ରୀମାନେ ନିରାଶ, ଅବସନ୍ନ ହୋଇ ଜୀବନର ଆଶା ପରିତ୍ୟାଗ କରିଥିଲେ । ସେହିଭଳି ଭୀତିପ୍ରଦ ସମୟରେ ଜଣେ ଦୂତ ପାଉଲଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ଘୋଷଣା କଲେ, "ପାଉଲ ଭୟ କର ନାହିଁ, କାଇସରଙ୍କ ସମ୍ମୁଖରେ ତୁମକୁ ନିଶ୍ଚୟ ଠିଆ ହେବାକୁ ପଡ଼ିବ"..... (ପଦ ୨୪) । ପାଉଲଙ୍କର ଏହି ସମ୍ବାଦ ସେହି ସଙ୍ଗୀନ ମୁହୂର୍ତ୍ତରେ ନିତାନ୍ତ ଅବିଶ୍ୱାସ୍ୟ ମନେ ହେଉଥିଲେ ମଧ୍ୟ ସହଯାତ୍ରୀମାନଙ୍କ ଅନ୍ତରରେ ବଞ୍ଚିବାର କ୍ଷୀଣ ଆଶା ସଂଚାର କରିଥିଲା ।


ଆସ୍ଥା ଓ ନିର୍ଭରଶୀଳତା :

ଏଠାରେ ବର୍ଣ୍ଣିତ ଦୃଶ୍ୟର, ଯୀଶୁଙ୍କର ଝଡ଼ ଶାନ୍ତ କରିବା ଦୃଶ୍ୟ ସହ ଅନେକ ସାମଞ୍ଜସ୍ୟ ରହିଛି (ଲୁକ ୮:୨୨-୨୫) । ଯଦିଓ ପାଉଲ ନିଜେ ଏହି ଝଡ଼କୁ ଶାନ୍ତ କରି ନ ଥିଲେ, ତଥାପି ତାଙ୍କର ଆତ୍ମିକ ସ୍ଥିରତା ଓ ଈଶ୍ୱରଙ୍କଠାରେ ଦୃଢ଼ ଆସ୍ଥା ସକଶୁ, ଘୋର ସଙ୍କଟଜନକ ପରିସ୍ଥିତିରେ ସୁଦ୍ଧା ସେ ସହଯାତ୍ରୀ ମାନଙ୍କ ଅନ୍ତରରୁ ମୃତ୍ୟୁର ଆଶଙ୍କା ଦୂର କରି, ଆଶା ଓ ଉତ୍ସାହର ବାତାବରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ । 


ଈଶ୍ଵର ବିଶ୍ୱାସ୍ୟ :

ଜୀବନଯାତ୍ରାରେ ରୋଗ, ଦୁଃଖ, ସମସ୍ୟା ରୂପକ ସକଳ ଝଡ଼, ବତାସ ମଧ୍ୟରେ ଈଶ୍ଵର ଆମକୁ ତାଙ୍କର ଶାନ୍ତି, ସାନ୍ନିଧ୍ୟ, ସୁରକ୍ଷା ଓ କ୍ଷମତା ମଧ୍ୟ ପ୍ରଦାନ କରିଥାନ୍ତି । ସୁସମାଚାର ପ୍ରଚାର ନିମନ୍ତେ ଆଜି ଆମ ନିକଟରେ ଯେଉଁ ସୁଯୋଗ ଉପଲବ୍ଧ ଅଛି, ଆମେ ତାହାର ସଦବ୍ୟବହାର କରିପାରୁଛୁ କି ?


ଜୀବନର ମୁଖ୍ୟ ଉଦ୍ଦେଶ୍ୟ :

କାଇସରଙ୍କୁ ସୁସମାଚାର ଦ୍ଵାରା ପ୍ରଭାବିତ କରି ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ନିଶ୍ଚିତ ହୃଦବୋଧ କରାଇବା ପାଉଲଙ୍କର ଚରମ ଲକ୍ଷ୍ୟ ଥିଲା । ଈଶ୍ୱରଙ୍କ ଯୋଜନା ଓ ନିଜର ଅଧ୍ୟବସାୟ ଓ ରୋମୀୟ ବିଚାର ପଦ୍ଧତିରେ ଅତିରିକ୍ତ ବିଳମ୍ୱିତ ପ୍ରକ୍ରିୟା ସକାଶୁ ପାଉଲ ପରିଶେଷରେ କାଇସରଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାର ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେଲେ (ପ୍ରେରିତ ୨୫:୧୨,୨୬:୩୧-୩୨) ।


ଆଜିର ସମାଜରେ ଖ୍ରୀଷ୍ଟଙ୍କ ମହିମା ପ୍ରଚାର ଓ ପ୍ରସାର ନିମନ୍ତେ ଆମେ କେତେଦୂର ବିଶ୍ଵସ୍ତ ହୋଇପାରିଛୁ ।

ନିର୍ଭୀକ ନିବେଦନ

 ନିର୍ଭୀକ ନିବେଦନ

ଆଜିର ଚିନ୍ତା

ପ୍ରେରିତ ୨୫:୧-୨୨

ମୋର ପ୍ରତିଭା, ପ୍ରତିଷ୍ଠା ଓ ସାମର୍ଥ୍ୟକୁ ମୁଁ କିପରି ବ୍ୟବହାର କରିଥାଏ ?


ଦୀର୍ଘ ଦୁଇ ବର୍ଷ ବନ୍ଦୀତ୍ଵ ଅବସ୍ଥାରେ ଥାଇ ମଧ୍ୟ ପାଉଲଙ୍କର ଫେଲିକସ୍ ଙ୍କ ସହ ସମ୍ପର୍କ ଅତୁଟ ରହିଥିଲା । ଫେଲିକସ୍ ଙ୍କ ପରେ ଫେଷ୍ଟ ଅଧିପତି ପଦରେ ନିଯୁକ୍ତ ହେଲେ । ଫେଷ୍ଟ୍ ଜ୍ଞାନୀ, ବିଶ୍ଵସ୍ତ ଓ ଉତ୍ତମ ଶାସନକର୍ତ୍ତା ଥିଲେ । ସେ ସ୍ଥିର କଲେ, ନିଜେ ପାଉଲଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗ ଶୁଣିବେ ଓ ନିଜ ପକ୍ଷ ସମର୍ଥନ ପାଇଁ ତାଙ୍କୁ ଆଇନାନୁଯାୟୀ ସମସ୍ତ ସୁଯୋଗ ପ୍ରଦାନ କରିବେ । 


ବିଚକ୍ଷଣ ପ୍ରସ୍ତାବ :

ପାଉଲ ସ୍ପଷ୍ଟ ଅବଗତ ଥିଲେ ଯେ ଯିହୂଦୀମାନେ ତାଙ୍କ ପ୍ରାଣନାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ । ମାତ୍ର ସେମାନେ ତାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗମାନ ପ୍ରମାଣ କରିବାରେ ଅସଫଳ ହେଲେ । ପାଉଲ ନିଜ ବିଚକ୍ଷଣ ଧୀଶକ୍ତି ପ୍ରୟୋଗ କରି, ଅପ୍ରତ୍ୟାଶିତ ଭାବେ କାଇସରଙ୍କ ସମ୍ମୁଖରେ ବିଚରିତ ହେବା ନିମନ୍ତେ ଯୁକ୍ତି ସ୍ଥାପନ କଲେ । ଫେଷ୍ଟ୍ ତାଙ୍କ ଅନୁରୋଧକୁ ଅନୁମୋଦନ କଲେ । ଏଠାରେ ପାଉଲ ତାଙ୍କର ରୋମୀୟ ନାଗରିକତ୍ୱର ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇଅଛନ୍ତି । 


ଅପୂର୍ବ ଆକାଂକ୍ଷା :

କାଇସରଙ୍କ ଦ୍ଵାରା ବିଚାରିତ ହେବାର ଆକସ୍ମିକ ସମ୍ଭାବନାକୁ ପାଉଲ ଏକ ସୁବର୍ଣ୍ଣ ସୁଯୋଗର ଆହ୍ଵାନ ଭାବେ ଗ୍ରହଣ କରିଥିଲେ । ଦୁଃଖ, ଯାତନା ଓ ତାଡ଼ନାର ଏକ ଅସହ୍ୟ, ଅଭାବନୀୟ ପରିସ୍ଥିତିରେ ମଧ୍ୟ ଧର୍ଯ୍ୟହରା ନ ହୋଇ ଦୃଢ଼ ପ୍ରତ୍ୟୟର ସହ ସେ ସୁସମାଚାର ପ୍ରଚାର ଓ ପ୍ରସାରର ଏକ ଚରମ ସମ୍ଭାବନାକୁ ପରମ ସଫଳତାରେ ପରିଣତ କରିଥିଲେ।  


କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପାଉଲଙ୍କୁ ପଠାଇବା ପାଇଁ ଆବଶ୍ୟକତା ଦସ୍ତାବିଜ୍ ପ୍ରସ୍ତୁତି କାର୍ଯ୍ୟରେ ଫେଷ୍ଟ୍ ନିବିଷ୍ଟ ଥିଲେ । ସେହି ସ୍ପର୍ଶ କାତର ଅବସରରେ ରାଜା ଆଗ୍ରୀପା ଓ ବର୍ଣ୍ଣକୀ କସରିଆକୁ ଆଗମନ କରିଛନ୍ତି । ଫେଷ୍ଟ୍ ଙ୍କ ଠାରୁ ସବୁ ଅବଗତ ହୋଇ ମଧ୍ୟ, ଆଗ୍ରୀପା ସ୍ଵୟଂ ପାଉଲଙ୍କ ଠାରୁ ତାଙ୍କ  ବକ୍ତବ୍ୟ ପ୍ରତ୍ୟକ୍ଷ ଭାବେ ଶୁଣିବାକୁ ଅଗ୍ରାହାନ୍ଵୀତ ହୋଇଛନ୍ତି । ଏଠାରେ ଫେଷ୍ଟ ଓ ଆଗ୍ରୀପାଙ୍କ ମଧ୍ୟରେ ବ୍ୟକ୍ତିଗତ ଆଲୋଚନାର କେନ୍ଦ୍ର ବିନ୍ଦୁ ଥିଲେ "ଯୀଶୁ" ଓ ତାଙ୍କ ପ୍ରଚାରିତ 'ମଙ୍ଗଳ ସମାଚାର' ।


ଖ୍ରୀଷ୍ଟଙ୍କ ମରଣ ଓ ପୁନରୁତ୍ଥାନ, ଖ୍ରୀଷ୍ଟୀୟ ବିଶ୍ଵାସ ଓ ସମାଜର ମୁଖ୍ୟ ଉତ୍ସ । ପୃଥିବୀ ଇତିହାସରେ ଏହି ଘଟଣା, ସର୍ବୋତ୍କୃଷ୍ଟ ନିର୍ଣ୍ଣାୟକ ମୋଡ଼ ଭାବେ ପରିଗଣିତ ।

ସାକ୍ଷ୍ୟର ଶକ୍ତି

 ସାକ୍ଷ୍ୟର ଶକ୍ତି 

ଆଜିର ଚିନ୍ତା

ପ୍ରେରିତ ୨୪:୧-୨୭

 ସାଂପ୍ରତିକ ସମାଜରେ ମୁଁ ଖ୍ରୀଷ୍ଟଙ୍କ ସାକ୍ଷୀ ହୋଇ ପାରିଛି କି ?


ଯିରୂଶାଲମରେ ପାଉଲ ଦୃଢ଼ ସାହସ ଓ ନିର୍ଭୀକତାର ସହ ଜନସମୂହ ଓ ଯିହୁଦୀ ମହାସଭା ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ କାଇସରୀଆକୁ ସ୍ଥାନାନ୍ତର କରାଯାଇ ତାଙ୍କୁ ଫେଲିକସଙ୍କ କର୍ତ୍ତୁକ  ବିଚରତା ହେବା ପାଇଁ ନିମନ୍ତେ ଅଣାଗଲା । ଓକିଲ ତର୍ତ୍ତୁଲ ପାଉଲଙ୍କ ବିରୁଦ୍ଧରେ ଜନସାଧାରଣଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି, ସମ୍ରାଟଙ୍କ ବିରୋଧରେ ଜନତାଙ୍କୁ ପ୍ରବର୍ତ୍ତାଇବା ଓ ମନ୍ଦିର ଅଶୁଚି କରିବା ଭଳି ବିଭିନ୍ନ ଅଭିଯୋଗ ଆଣିଲେ । ମାତ୍ର ପାଉଲଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଯୁକ୍ତିଯୁକ୍ତ ଏବଂ ନ୍ୟାୟପରତାରେ ପୂର୍ଣ୍ଣ ଥିଲା ।


ଈଶ୍ଵରଙ୍କ ମାର୍ଗ :

 ପାଉଲଙ୍କ ସ୍ୱପକ୍ଷସମର୍ଥନ ଜନିତ ପ୍ରତିକ୍ରିୟା ମୁଖ୍ୟତଃ ସେ କିଏ, କ'ଣ କ'ଣ କାର୍ଯ୍ୟ କରିଛନ୍ତି, ବିଶେଷତଃ ଈଶ୍ଵର ତାଙ୍କ ମାଧ୍ୟମରେ କେଉଁ କେଉଁ କାର୍ଯ୍ୟ କରିଛନ୍ତି, ତାହା ବ୍ୟକ୍ତିଗତ ସାକ୍ଷ୍ୟ ଉପରେ ଆଧାରିତ ଥିଲା (୧୧-୨୧) । ସେ ଯେ ଈଶ୍ଵରଙ୍କ 'ମାର୍ଗ' ର ଜଣେ ବିଶ୍ଵସ୍ତ ଅନୁଗାମୀ ତାହା ମଧ୍ୟ ସ୍ପଷ୍ଟ କରିଥିଲେ । ଏହି ଅଂଶରେ ଆମେ ବ୍ୟକ୍ତିଗତ ସାକ୍ଷ୍ୟର ଅସୀମ, ଅଖଣ୍ଡ ଶକ୍ତିର ପ୍ରଭାବ ଦେଖିବାକୁ ପାଇଥାଉ । ଈଶ୍ଵର ଆମ ଜୀବନରେ କ'ଣ କରିଛନ୍ତି, ଆମ ମାଧ୍ୟମରେ କ'ଣ କରିଛନ୍ତି, ତାଙ୍କ ଆମ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି, ତାହାହିଁ ଆଜି ଆମ ପାଇଁ ଅର୍ଥପୂର୍ଣ୍ଣ ଅଟେ । ଆମର ଆତ୍ମିକ ଅନୁଭୂତି ଓ ଶିକ୍ଷା, ଆମେ ନିଃସଙ୍କୋଚରେ ଅନ୍ୟମାନଙ୍କୁ ଅଂଶୀ କରାଇବା ଆବଶ୍ୟକ । 


ଦୁଃସାହସିକ ଆବେଦନ : 

ଆତ୍ମ ସମର୍ଥନ ଜନିତ ନିଜ ବକ୍ତବ୍ୟ ଉପସ୍ଥାପିତ କରିବା ପରେ ପାଉଲ ଅନପେକ୍ଷିତ ଭାବେ ଖ୍ରୀଷ୍ଟଙ୍କଠାରେ ନିଜର ବିଶ୍ଵାସ ସମ୍ପର୍କରେ, ଫେଲିକସଙ୍କ ସଙ୍ଗରେ ନିଭୃତରେ ଆଲୋଚନା ନିମନ୍ତେ ଅପୂର୍ବ ସୁଯୋଗ ପ୍ରାପ୍ତ ହୋଇଛନ୍ତି  । ଏଠାରେ ଏକ ଅସାଧାରଣ ତଥା ଦୁଃସାହସିକ ବିଷୟ ଉଲ୍ଲେଖ ଯୋଗ୍ୟ । ଫେଲିକସଙ୍କ ଉପରେ ନିଜର ଭବିଷ୍ୟତ ସମ୍ପୂର୍ଣ ନିର୍ଭର କରୁଥିବା ସତ୍ତ୍ୱେ ପାଉଲ ନିର୍ଭୟ ତଥା ଦୃଢତାର ସହ ତାଙ୍କୁ ଯୀଶୁଙ୍କ ଶିକ୍ଷା ଅବଗତ କରାଇଥିଲେ ।

ପ୍ରାୟତଃ ସରଳ ବ୍ୟକ୍ତିଗତ ଜୀବନର ଅନୁଭୂତିର ଶକ୍ତି ଓ ପ୍ରଭାବ, ଅନେକ ବିଦ୍ୱାନ ବ୍ୟକ୍ତିମାନଙ୍କର ଅସଙ୍ଗତ ଯୁକ୍ତି, ତ୍ରୁଟିପୂର୍ଣ୍ଣ  ଚିନ୍ତାଧାରା ଓ ମନୋଭାବକୁ ଆୟତ୍ତ ଓ ନିୟନ୍ତ୍ରଣ କରିବା ସହ ଦୂର କରିବାରେ ମଧ୍ୟ  ସମର୍ଥ ଓ ସହାୟକ ହୋଇଥାଏ । ଈଶ୍ଵରଙ୍କ ବାକ୍ୟ ହିଁ ସୁସମାଚାର, ଜୀବନ୍ତ, ତୀକ୍ଷ୍ମ ଓ ହୃଦୟର ପରିଭେଦକ (ଏବ୍ରୀ ୪:୧୨) ।