BN

ପ୍ରକୃତ ଯିହୂଦୀ କିଏ

 ପ୍ରକୃତ ଯିହୂଦୀ କିଏ 

ଆଜିର ଚିନ୍ତା

ରୋମୀୟ ୨:୧୭-୨୯

ମୁଁ ଈଶ୍ୱରଙ୍କ ଅନୁଗ୍ରହ ପାଇବାକୁ ଯୋଗ୍ୟ କି ?


ଏହା ନିଶ୍ଚିତ ଭାବରେ ସତ୍ୟ ଯେ ଜଣେ ଯିହୂଦୀ ଈଶ୍ୱରଙ୍କଠାରୁ ବିଶେଷ ଭାବରେ ଅନୁଗ୍ରହପ୍ରାପ୍ତ ଅଟେ । କିନ୍ତୁ ପାଉଲ ଏହି ସ୍ଥାନରେ ଜଣାନ୍ତି ଯିହୂଦୀ ହେବା କେବଳ ଏକ ଜାତିକୁ ବା ଚିହ୍ନକୁ ବୁଝାଏ ନାହିଁ, ମାତ୍ର ଆଚରଣକୁ ବୁଝାଏ ।


ଆମର କଥା ଓ କାର୍ଯ୍ୟରେ ସାମଞ୍ଜସ୍ୟ (୧୭-୨୩) :

ଯିହୂଦୀମାନେ ବ୍ୟବସ୍ଥା ପାଇଁ ଗର୍ବ କରୁଥିଲେ । ମାତ୍ର ପାଉଲ ଏହା ସ୍ପଷ୍ଟ କରିଥିଲେ ଯେ ବ୍ୟବସ୍ଥାର ଅଧିକାରୀ ହେବା ବଡ଼ ବିଷୟ ନୁହେଁ, ମାତ୍ର ବ୍ୟବସ୍ଥାର କାର୍ଯ୍ୟକାରୀ ହେବା ବଡ଼ ବିଷୟ ଅଟେ । ଯିହୂଦୀମାନଙ୍କର ଏକ ବାହିକ କ୍ରିୟାକର୍ମ ଧର୍ମ ଥିଲା । ମାତ୍ର ଆନ୍ତରିକ ମନୋଭାବର ନୁହେଁ । ସେମାନଙ୍କ ଶିକ୍ଷା ଓ କର୍ମ ମଧ୍ୟରେ ଯଥେଷ୍ଟ ତାରତମ୍ୟ ଥିଲା । 


ଈଶ୍ୱରଙ୍କ ନାମ ନିନ୍ଦିତ କରିବା (୨୪-୨୭) :

ଭବିଷ୍ୟତ ବକ୍ତା ଯିହିଜିକଲ ୩୬:୨୦ ରେ ସ୍ପଷ୍ଟ ଲେଖନ୍ତି ଯେ, ସେମାନେ ଯେଉଁ ସ୍ଥାନକୁ ଗଲେ ସେମାନେ ସଦାପ୍ରଭୁଙ୍କ ନାମ ଅପବିତ୍ର କଲେ, ବିଶ୍ବାସୀ ବୋଲାଉ ଥିବା ଲୋକମାନଙ୍କର ପାପ ଅନେକ ସମୟରେ ସୁସମାଚାରର ଓ ଈଶ୍ୱରଙ୍କ ଗୌରବର ଭୟଙ୍କର ଶତ୍ରୁ ଅଟେ । ସେମାନେ ବ୍ୟବସ୍ଥାରେ ଗର୍ବ କରୁଥିଲେ, ଅଥଚ ବ୍ୟବସ୍ଥା ଲଙ୍ଘନ କରୁଥିଲେ । ସେମାନେ ସୁନ୍ନତ ବିଧି ପାଳନ କରୁଥିଲେ, କିନ୍ତୁ ଈଶ୍ଵର ସେମାନଙ୍କୁ ଶକ୍ତଗ୍ରୀବ ନ ହୋଇ ହୃଦୟର ଅଗ୍ରଚର୍ମ ସୁନ୍ନତ କରିବା ପାଇଁ ଆହ୍ଵାନ ଦେଲେ (ଦ୍ୱି ବିବ ୧୦:୧୬; ୩୦:୬; ଯିରିମିୟ ୯:୨୬ ଓ ଯିହିଜିକଲ ୪୪:୯) ।


ଈଶ୍ୱରଙ୍କ ପ୍ରଂଶସାପାତ୍ର ହେବା ହିଁ ପ୍ରକୃତ ଯିହୂଦୀ (୨୮-୨୯) :

ପାଉଲ ଏହି ସ୍ଥାନରେ କିଏ ଯିହୂଦୀ ଓ କିଏ ଯିହୂଦୀ ନୁହେଁ, ତାହାର ପାର୍ଥକ୍ୟ ଦର୍ଶାନ୍ତିି । ସେହି ବ୍ୟକ୍ତି ଏକ ପ୍ରକୃତ ଯିହୂଦୀ ଅଟେ, ଯିଏ ବାହ୍ୟିକ ଶାରୀରିକ ଅସ୍ତ୍ରୋପଚାର ଅନୁଭୂତି ସମ୍ପନ୍ନ ନୁହେଁ, ମାତ୍ର ଏକ ଆନ୍ତରିକ ଆତ୍ମିକ ଅନୁଭୂତି ସମ୍ପନ୍ନ ବ୍ୟକ୍ତି ଅଟେ । ଆଦ୍ୟ ମଣ୍ଡଳୀର ବିଶ୍ବାସୀ ବିଜାତୀୟମାନଙ୍କର  ସୁନ୍ନତ ହେବାର ଅନାବଶ୍ୟକ ବୋଲି ମଣ୍ଡଳୀ ମହାସଭାରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା (ପ୍ରେରିତ ୧୫ପର୍ବ) ଏବଂ ଗାଲାତୀୟ ମଣ୍ଡଳୀର ସୁନ୍ନତ ବିଧିକୁ ଜୋର୍ ଜବରଦସ୍ତ ଲଦି ଦେବାକୁ ଚେଷ୍ଟିତ ଲୋକଙ୍କୁ ପାଉଲ ଘୋର ବିରୋଧ କଲେ ( ଗାଲାତୀୟ ୫:୧୧-୨୨) । ଆଜିକାଲି ଲୋକମାନେ ବାପ୍ତିସ୍ମ ଓ ପ୍ରଭୁଭୋଜ ବା ମଣ୍ଡଳୀ ସଭ୍ୟ ହେବା ପରିପ୍ରେକ୍ଷୀରେ ସେହି ସମାନ ଧରଣର ଭୁଲ୍ କରନ୍ତି । ସରଳ ହୃଦୟ ଓ ସରଳ ବିଶ୍ଵାସର ଜୀବନ କାଟୁଥିବା ବ୍ୟକ୍ତିକୁ ହିଁ ଈଶ୍ଵର ପ୍ରେମ କରନ୍ତି ଓ ପ୍ରଶଂସା କରନ୍ତି ।

ଧାର୍ମିକତା ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ

 ଧାର୍ମିକତା ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ

ଆଜିର ଚିନ୍ତା

ରୋମୀୟ ୧:୧୮-୩୨

ଭାବନା, କଥା ଓ କାର୍ଯ୍ୟରେ ମୁଁ ଈଶ୍ୱରଙ୍କୁ ଅସନ୍ତୁଷ୍ଟ କରିଥାଏ କି ?


ଆମ୍ଭମାନଙ୍କର ବୁଝିବା ଆବଶ୍ୟକ ଯେ ଈଶ୍ୱରଙ୍କ କ୍ରୋଧ ଓ ବିଚାର ଆମ ନିଜ କୃତ କାର୍ଯ୍ୟର ପରିଣତି ଅଟେ । ପାପ ବିରୁଦ୍ଧରେ ତାଙ୍କର ଧାର୍ମିକତା ପୂର୍ଣ୍ଣ କ୍ରୋଧ ପ୍ରକାଶିତ ହୁଏ, କାରଣ ସେସବୁ ତାଙ୍କର ଗୌରବ ଆଣିବା ପରିବର୍ତ୍ତେ ତାଙ୍କ ପ୍ରତି ଅସମ୍ମାନ ଆଣେ ଓ ତାଙ୍କର ସତ୍ୟତା, ପବିତ୍ରତା ଓ ନୈତିକ ଚରିତ୍ରର ବିରୋଧାଭାସ ପ୍ରକାଶ କରେ ।


ଦୋଷାବହ ପାପ (୧୮-୨୩) :

ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରା ଓ ଅଧର୍ମ ବିରୁଦ୍ଧରେ ସ୍ଵର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହୋଇଅଛି । ରୋମୀୟ ପତ୍ର ପରି ଏଫିସୀୟ ୫:୬ ଓ କଲସୀୟ ୩:୬ରେ ମଧ୍ୟ ଈଶ୍ୱରଙ୍କ କ୍ରୋଧ ବିଷୟରେ ପାଉଲ ଲେଖନ୍ତି । ଏହା ଅବଧ୍ୟତାର ସନ୍ତାନମାନଙ୍କ ପ୍ରତି ବର୍ତ୍ତେ । କାରଣ ସେମାନେ ନିଜକୁ ଅଜ୍ଞ ବୋଲି କହିପାରିବେ ନାହିଁ । ସେମାନଙ୍କ ଅନ୍ତର ମଧ୍ୟରେ ଓ ସୃଷ୍ଟିର ବିବିଧ ବୈଚିତ୍ରତା ମଧ୍ୟରେ ଈଶ୍ୱରଙ୍କ ସ୍ଥିତି ପ୍ରକାଶିତ ହୋଇଛି । କିନ୍ତୁ ସେମାନେ ସତ୍ୟର ପ୍ରତିରୋଧ କରିବା ସଙ୍ଗେ ସଙ୍ଗେ ସତ୍ୟକୁ ଚାପି ଦେବାକୁ ଚେଷ୍ଟା କରନ୍ତି ।


ଜଘନ୍ୟ ପାପ ପ୍ରବୃତ୍ତି (୨୨-୨୭) :

୨୨ପଦରେ ଲେଖାଯାଏ ଯେ, ନିଜ ନିଜକୁ ଜ୍ଞାନୀ ମନେ କରି ସେମାନେ ମୂର୍ଖ ହେଲେ । ଈଶ୍ୱରଙ୍କ ପ୍ରତି ଅନାଇବା ପରିବର୍ତ୍ତେ ସେମାନେ ନିଜ ଚିନ୍ତାଧାରା, ନିଜ ଜ୍ଞାନ ଓ ନିଜର ଅନୁମାନ ଅନୁସାରେ ନିଜ ଅନ୍ତରର ଶୂନ୍ୟତା ଓ ଅନ୍ଧକାରକୁ ଦୂର କରିବା ପାଇଁ ସୃଷ୍ଟ ବସ୍ତୁକୁ ପୂଜା କଲେ । ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ । ପୁରୁଷ ଓ ସ୍ତ୍ରୀମାନେ ସମଲିଙ୍ଗୀ ଯୌନ ଆଚରଣ କଲେ । ଆଜି  ଆମର ନୈତିକ ଅବସ୍ଥା କିପରି ?


ଈଶ୍ୱରଙ୍କ ବିରୋଧ (୨୮-୩୨) :

ଈଶ୍ଵର ମନୁଷ୍ୟକୁ ସ୍ଵାଧୀନ ଇଚ୍ଛା ଦେଇଛନ୍ତି । ସେମାନେ ଯେପରି ଈଶ୍ଵର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅନିଚ୍ଛୁକ ହେଲେ, ସେହିପରି ଈଶ୍ଵର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ (୨୮ପଦ) । ୨୪ଟି ନିର୍ଦ୍ଦିଷ୍ଟ ପାପର ତାଲିକା ଏହି ସ୍ଥାନରେ ପ୍ରଦତ୍ତ ହୋଇଛି । ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କ ଏହି ବିଧାନ ସେମାନେ ଜାଣିଲେ ହେଁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି । କେବଳ ଯୀଶୁଙ୍କ ସୁସମାଚାର ହିଁ ସେମାନଙ୍କୁ ଉଦ୍ଧାର କରିପାରିବ ।

ସୁସମାଚାରର ହୃଦୟ ଓ ପ୍ରାଣ

 ସୁସମାଚାରର ହୃଦୟ ଓ ପ୍ରାଣ 

ଆଜିର ଚିନ୍ତା

ରୋମୀୟ ୧:୧-୧୭

କୌଣସି ଅପରିଚିତ ବ୍ୟକ୍ତିମାନଙ୍କ ପାଇ ମୁଁ ବୋଝଗ୍ରସ୍ତ କି ? 


ପ୍ରେରିତ ପାଉଲଙ୍କ ତେରଗୋଟି ପତ୍ର ମଧ୍ୟରୁ ରୋମୀୟ ମଣ୍ଡଳୀ ନିକଟକୁ ପତ୍ର ପ୍ରଥମ ଲେଖା ନ ହେଲେ ସୁଦ୍ଧା ବାଇବଲରେ ସୁସମାଚାର ଓ ପ୍ରେରିତ ପୁସ୍ତକ ପରେ ସ୍ଥାନ ପାଇଛି । ଏହା ଧର୍ମତତ୍ତ୍ଵ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ସୁସମାଚାର ପୁସ୍ତକଗୁଡ଼ିକ ଯୀଶୁଙ୍କ ଜୀବନ ଶିକ୍ଷା ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କଲାବେଳେ ରୋମୀୟ ପୁସ୍ତକ ତାଙ୍କ ତ୍ୟାଗ ପୂର୍ଣ୍ଣ ମୃତ୍ୟୁର ମହତ୍ତ୍ଵ ଓ ତାତ୍ପର୍ଯ୍ୟ ବର୍ଣ୍ଣନା କରେ ।


ସୁସମାଚାର ପାଇଁ ଆହୂତ, ପ୍ରେରିତ ଓ ପୃଥକୀକୃତ (୧-୭) :

ପାଉଲ ଯଦିବା ରୋମ୍ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ଅଜଣା ଥିଲେ, ତଥାପି ସେ ଆପଣାର ଅଭିବାଦନ ଜଣାଇ ପରିଚୟ ଦେବାବେଳେ ସେବାକାର୍ଯ୍ୟ ଉପରେ ଅଧିକ ମହତ୍ତ୍ୱ ପ୍ରଦାନ କରନ୍ତି । ହୁଏତ ରୋମ୍ ମଣ୍ଡଳୀରେ ଅନେକ ସଭ୍ୟସଭ୍ୟା କ୍ରୀତଦାସ ଥିଲେ, ମାତ୍ର ପାଉଲ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଧା ଦାସ ବା କ୍ରୀତଦାସ ବୋଲି ନିଜର ପରିଚୟ ଦିଅନ୍ତି । ସେ ମଧ୍ୟ ନିଜକୁ ଯୀଶୁଙ୍କ ଆହୂତ, ପ୍ରେରିତ  ସୁସମାଚାର ନିମନ୍ତେ ପୃଥକୀକୃତ ଦାସ ଭାବରେ ପ୍ରକାଶ କରନ୍ତି ।


ସମସ୍ତଙ୍କ ନିକଟରେ ସୁସମାଚାର ହେତୁ ଋଣୀ (୮-୧୫) :

ପାଉଲ ଏହି ଅଂଶରେ ଆପଣାର ଚିନ୍ତା ବା ବୋଝ ପ୍ରକାଶ କରନ୍ତି । ଏହି ସ୍ଥାନରେ ମଣ୍ଡଳୀ ପ୍ରତି ପାଉଲଙ୍କର ମହାନ୍ ପ୍ରେମର ବର୍ଣ୍ଣନା ହୋଇଛି । ସେ ରୋମ୍ କୁ ଯିବା ପାଇଁ ଆପଣା ଇଚ୍ଛା ପ୍ରକାଶ କରିବା ସହିତ ସେମାନଙ୍କର ବିଶ୍ବାସର ସୁସମ୍ବାଦ ବିଷୟରେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତି । ସେମାନଙ୍କ ଆତ୍ମିକ ସ୍ଥିରତା ନିମନ୍ତେ ସେ ସେମାନଙ୍କ ସହିତ ସାକ୍ଷାତ କରି କିଛି ଆତ୍ମିକ ଦନର ଅଂଶୀ  କରିବାକୁ ଇଚ୍ଛୁକ ବୋଲି ଜଣାନ୍ତି । ଏକ ବିଶେଷ କଥା ସେ ପ୍ରକାଶ କରନ୍ତି ଯେ ସେ ଗ୍ରୀକ କି ବର୍ବର ଶିକ୍ଷିତ କି ଅଶିକ୍ଷିତ ସମସ୍ତଙ୍କ ନିକଟରେ ଋଣୀ ।


ସୁସମାଚାରର ହୃଦୟ ଓ ପ୍ରାଣ (୧:୧୬-୧୭) :

ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ ରୋମୀୟ ପୁସ୍ତକର ଏହି ମହାନ୍ ବାକ୍ୟ ମାର୍ଟିନ୍ ଲୁଥରଙ୍କ ଠାରୁ ଆରମ୍ଭ କରି ଜନ୍ ୱେସ୍ଲି, ଅଗଷ୍ଟିନ, ୱେଲିୟମ୍ ଟିଣ୍ଡେଲ ଇତ୍ୟାଦି ବହୁ ବିଶିଷ୍ଟ ଲୋକମାନଙ୍କ ଜୀବନକୁ ପରିବର୍ତ୍ତିତ ଓ ପ୍ରଭାଭିତ କରିଛି । ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ ପଦଟି ବାଇବଲରେ ଚାରିଥର ... ହବକୂକ୍ ୨:୪,..ରୋମୀୟ ୧:୧୭,.... ଗଲାତୀୟ ୩:୧୧ ଓ ଏବ୍ରୀ ୧୦:୩୮...ଅବିକଳ ଭାବରେ ଲେଖାଯାଇଛି । ପାଉଲ କହନ୍ତି ଯେ ସେ ଏହି ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରନ୍ତି ନାହିଁ, ବରଂ ଦର୍ପ କରନ୍ତି, ଯେଣୁ ତାହା ପ୍ରତ୍ୟେକ ବିଶ୍ବାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଶକ୍ତି ଅଟେ ।

ଅନାଜ୍ଞାବହତାର ପରିଣାମ

 ଅନାଜ୍ଞାବହତାର ପରିଣାମ

ଆଜିର ଚିନ୍ତା 

୧ ଶାମୁୟେଲ ୩୧:୧-୧୩


ମୁଁ ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇପାରିଛି କି ?


ସଦାପ୍ରଭୁ ଶାଉଲଙ୍କୁ ଇସ୍ରାଏଲମାନଙ୍କର ସମ୍ରାଟ ରୂପେ ଅଭିଷିକ୍ତ କଲେ । ପଲେଷ୍ଟିୟମାନଙ୍କୁ ତାଙ୍କ ଦ୍ଵାରା ସଂହାର କରିବେ ବୋଲି ଶାମୁୟେଲଙ୍କଠାରୁ କରିଥିବା ସତ୍ୟ ଲଂଘନ କରି ପତିତ ହେଲେ ।


ସଦାପ୍ରଭୁଙ୍କ କ୍ରୋଧ :

ଶାଉଲ ଗିଲବୋୟ ପର୍ବତରେ ପ୍ରଥମେ ଯୁଦ୍ଧ କରି ରାଜକୀୟ କାର୍ଯ୍ୟ ଆରମ୍ଭ କରିଥିଲେ । ୪୦ ବର୍ଷ ପରେ ସେହି ପର୍ବତରେ ତାଙ୍କର ଶେଷ ଜୀବନ ଅତିବାହିତ ହୋଇଥିଲା । ସେ ଆପଣା ରାଜତ୍ଵକାଳ ମଧ୍ୟରେ, ଆପଣା ରାଜ୍ୟର ସୀମା ମଧ୍ୟ ବୃଦ୍ଧି କରିପାରି ନ ଥିଲେ । ସଦାପ୍ରଭୁ, ତାଙ୍କୁ ଅପରାଧ ସ୍ଵୀକାର କରି ଫେରି ଆସିବାକୁ ସଚେତନ କରାଉଥିଲେ । ସେ ଅନେକ ସମୟରେ ନିଜର ଭୁଲ୍ କୁ ସ୍ଵୀକାର କରୁଥିଲେ ସତ, ମାତ୍ର ଅନୂତପ୍ତ ହୋଇ କ୍ଷମା ପ୍ରାର୍ଥନା ସହିତ ପାପକୁ ପରିତ୍ୟାଗ କରିପାରୁ ନ ଥିଲେ । ଶେଷରେ ପ୍ରଭୁଙ୍କୁ ମଧ୍ୟ  ପରିତ୍ୟାଗ କରି ନିଜେ ବିପଦର ସମ୍ମୁଖୀନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦର ମୁହଁକୁ ଠେଲି ଦେଇଥିଲେ । ତାଙ୍କ ଚକ୍ଷୁ ସମ୍ମୁଖରେ ତାଙ୍କର ତିନି ପୁଅ ହତ ହେଲେ । ନିଜେ ମଧ୍ୟ ଧନୁର୍ଦ୍ଧରମାନଙ୍କ ଦ୍ଵାରା ଆହତ ହୋଇ, ଆପଣାକୁ ଖଡ୍ଗ ଉପରେ ପକାଇ ଆତ୍ମହତ୍ୟା କଲେ । ବାସ୍ତବରେ ସଦାପ୍ରଭୁଙ୍କ କ୍ରୋଧରୁ କିଏ ପଳାୟନ କରିପାରେ ।


ଉପକାର ସ୍ମରଣ କରିବା :

ଶାଉଲ, ସଦାପ୍ରଭୁଙ୍କର ଉପକାରକୁ ବିସ୍ମରଣ କରି ବିନଷ୍ଟ ହେଲେ । ପଲେଷ୍ଟିୟମାନେ ତାଙ୍କର ମସ୍ତକକୁ ଚ୍ଛେଦନ କରି ମୃତ ଶରୀରକୁ ବୈଥଶାନ ପ୍ରାଚୀରରେ ଟଙ୍ଗାଇ ଦେଲେ । ମାତ୍ର ଯାବେଶ ଗିଲିୟଦୀୟ ମାନେ, ଶାଉଲଙ୍କ ଠାରୁ ପାଇଥିବା ଉପକାରକୁ ସ୍ମରଣ କରି ରାତ୍ରିଯାକ ଯାତ୍ରା କରି ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସଂଗ୍ରହ କରି ଆଣି ଯାବେଶ ରେ ଦଗ୍ଧ କଲେ ଓ ଅସ୍ଥି ନେଇ ଯାବେଶସ୍ଥ ଝାଉଁଗଛ ମୂଳରେ ପୋତି ସାତଦିନ ପର୍ଯ୍ୟନ୍ତ ଶୋକ କରି ଆପଣାର କୃତଜ୍ଞତା ଅର୍ପଣ କଲେ ।


"ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହେବା" (ଯାକୁବ ୧:୨୨), ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ, ବିଶ୍ବାସୀନି ମାନଙ୍କର କର୍ତ୍ତବ୍ୟ । ଏହାହିଁ ହେଉଛି କଠିନତମ ପଦକ୍ଷେପ । ଏପରି କଲାବେଳେ ଶୟତାନ ନିଶ୍ଚିତ ରୂପେ ଆମ ସହିତ ଯୁଦ୍ଧ କରିବ। ଆମେ ଯଦି ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇ ସେହି ବାକ୍ୟକୁ ଜୀବନରେ ପ୍ରତିଫଳନ କରିବା, ତେବେ ଆମେ କେବେହେଁ ପରାଜିତ ହେବା ନାହିଁ ।

ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

 ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

ଆଜିର ଚିନ୍ତା

୧ ଶାମୁୟେଲ ୩୦ : ୧- ୩୧

ମୁଁ ସବୁବେଳେ ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ଅଟେ କି ?


ସଦାପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି (ଏବ୍ରୀ ୧୨:୬)  ।


ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବା : 

ସଦାପ୍ରଭୁ ଦାଉଦଙ୍କୁ ଏକ ବିପଜ୍ଜନକ ପରିସ୍ଥିତିରୁ ଉଦ୍ଧାର କଲେ । ଆଶ୍ବସ୍ତ ହୋଇ ସିକ୍ଲଗକୁ ଫେରି ଆସି ସେ ଅନ୍ୟ ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ । ତାଙ୍କ ଅନୁପସ୍ଥିତିରେ ତଥା ଅଜ୍ଞାତରେ, ଅମାଲେକୀୟମାନେ ପ୍ରତିଶୋଧ ନେବା ପାଇଁ ତାଙ୍କର ବସତି ନଗରକୁ ପୋଡ଼ିଜାଳି ଧ୍ବଂସ କରି ସାନବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ । ଦାଉଦ ଓ ତାଙ୍କର ସଙ୍ଗୀମାନେ ମାନସିକଭାବେ ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଲେ । ସେମାନଙ୍କର ଶାରୀରିକ ବଳ ମଧ୍ୟ କ୍ଷୀଣ ହେବାକୁ ଲାଗିଲା । ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ଦାଉଦଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ବାହାରିଲେ । ଦାଉଦ ବିଚଳିତ ନ ହୋଇ ପରମେଶ୍ବରଙ୍କ ନିକଟରେ ସମର୍ପିତ ହୋଇ ଶକ୍ତିପ୍ରାପ୍ତ ହେଲେ  ଈଶ୍ୱରଙ୍କ ଆଜ୍ଞାମତେ ସେହି ସୈନ୍ୟଦଳର ପଛେ ପଛେ ଯାଇ ହୃତ ସମସ୍ତଙ୍କୁ ଉଦ୍ଧାର କରିବା ସହିତ, ଲୁଟଦ୍ରବ୍ୟ ସବୁ ଫେରାଇ ଆଣିଲେ । 


ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେବା :

ଏହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦାଉଦ ଈଶ୍ୱରଙ୍କର ସନ୍ତୋଷଜନକ ଦୁଇଟି କାର୍ଯ୍ୟ କରିଛନ୍ତି । ବିଷୋର ନଦୀ ପରି ହୋଇ ଯିବା ସମୟରେ ଜଣେ ଅମାଲେକୀୟ ମୁନିବ ଦ୍ଵାରା ପରିତ୍ୟକ୍ତ ଜଣେ ମିସ୍ରୀୟ ଯୁବା ପ୍ରତି ସହାନୁଭୂତି ପ୍ରଦର୍ଶନ କରି ତା'ର ଜୀବନ ରକ୍ଷା କଲେ । ନିଜ ପ୍ରିୟଜନଙ୍କ ପାଇଁ କେବଳ ଚିନ୍ତା କରି ବାଟ ଭାଙ୍ଗି ଚାଲିଯାଇଥିଲେ, ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥାନ୍ତା । ପ୍ରତିଦାନର ଆଶା ନ ରଖି ଅନ୍ୟମାନଙ୍କ ଆଡ଼କୁ ସାହାଯ୍ୟର ହାତ ବଢାଇଲେ, ଆମେ ସଦାପ୍ରଭୁଙ୍କଠାରୁ  ଆବଶ୍ୟକତାରୁ ଅଧିକ ପ୍ରାପ୍ତ ହୋଇଥାଉ । ସେହିପରି କ୍ଳାନ୍ତ ହୋଇ ପଛରେ ରହିଯାଇଥିବା ସଙ୍ଗୀମାନଙ୍କୁ  ଯୁଦ୍ଧରୁ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର କୁଶଳବାର୍ତ୍ତା ବୁଝିଲେ । ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ସହିତ ଲୁଟଦ୍ରବ୍ୟର ମଧ୍ୟ ଅଂଶୀ କରାଇଲେ । ଆଉ ସେ ସଦାପ୍ରଭୁଙ୍କ ଦ୍ଵାରା ବହୁଗୁଣରେ ଆଶୀର୍ବାଦପ୍ରାପ୍ତ ହେଲେ । ଅନ୍ୟଠାରୁ ଗ୍ରହଣ କରିବା ଅପେକ୍ଷା, ଦାନ ଦେବା ଦ୍ଵାରା ଆମେ ଅଧିକ ଆଶୀର୍ବାଦପ୍ରାପ୍ତ ହୋଇଥାଉ ।