BN

ସୁସମାଚାରର ହୃଦୟ ଓ ପ୍ରାଣ

 ସୁସମାଚାରର ହୃଦୟ ଓ ପ୍ରାଣ 

ଆଜିର ଚିନ୍ତା

ରୋମୀୟ ୧:୧-୧୭

କୌଣସି ଅପରିଚିତ ବ୍ୟକ୍ତିମାନଙ୍କ ପାଇ ମୁଁ ବୋଝଗ୍ରସ୍ତ କି ? 


ପ୍ରେରିତ ପାଉଲଙ୍କ ତେରଗୋଟି ପତ୍ର ମଧ୍ୟରୁ ରୋମୀୟ ମଣ୍ଡଳୀ ନିକଟକୁ ପତ୍ର ପ୍ରଥମ ଲେଖା ନ ହେଲେ ସୁଦ୍ଧା ବାଇବଲରେ ସୁସମାଚାର ଓ ପ୍ରେରିତ ପୁସ୍ତକ ପରେ ସ୍ଥାନ ପାଇଛି । ଏହା ଧର୍ମତତ୍ତ୍ଵ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ସୁସମାଚାର ପୁସ୍ତକଗୁଡ଼ିକ ଯୀଶୁଙ୍କ ଜୀବନ ଶିକ୍ଷା ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କଲାବେଳେ ରୋମୀୟ ପୁସ୍ତକ ତାଙ୍କ ତ୍ୟାଗ ପୂର୍ଣ୍ଣ ମୃତ୍ୟୁର ମହତ୍ତ୍ଵ ଓ ତାତ୍ପର୍ଯ୍ୟ ବର୍ଣ୍ଣନା କରେ ।


ସୁସମାଚାର ପାଇଁ ଆହୂତ, ପ୍ରେରିତ ଓ ପୃଥକୀକୃତ (୧-୭) :

ପାଉଲ ଯଦିବା ରୋମ୍ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ଅଜଣା ଥିଲେ, ତଥାପି ସେ ଆପଣାର ଅଭିବାଦନ ଜଣାଇ ପରିଚୟ ଦେବାବେଳେ ସେବାକାର୍ଯ୍ୟ ଉପରେ ଅଧିକ ମହତ୍ତ୍ୱ ପ୍ରଦାନ କରନ୍ତି । ହୁଏତ ରୋମ୍ ମଣ୍ଡଳୀରେ ଅନେକ ସଭ୍ୟସଭ୍ୟା କ୍ରୀତଦାସ ଥିଲେ, ମାତ୍ର ପାଉଲ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଧା ଦାସ ବା କ୍ରୀତଦାସ ବୋଲି ନିଜର ପରିଚୟ ଦିଅନ୍ତି । ସେ ମଧ୍ୟ ନିଜକୁ ଯୀଶୁଙ୍କ ଆହୂତ, ପ୍ରେରିତ  ସୁସମାଚାର ନିମନ୍ତେ ପୃଥକୀକୃତ ଦାସ ଭାବରେ ପ୍ରକାଶ କରନ୍ତି ।


ସମସ୍ତଙ୍କ ନିକଟରେ ସୁସମାଚାର ହେତୁ ଋଣୀ (୮-୧୫) :

ପାଉଲ ଏହି ଅଂଶରେ ଆପଣାର ଚିନ୍ତା ବା ବୋଝ ପ୍ରକାଶ କରନ୍ତି । ଏହି ସ୍ଥାନରେ ମଣ୍ଡଳୀ ପ୍ରତି ପାଉଲଙ୍କର ମହାନ୍ ପ୍ରେମର ବର୍ଣ୍ଣନା ହୋଇଛି । ସେ ରୋମ୍ କୁ ଯିବା ପାଇଁ ଆପଣା ଇଚ୍ଛା ପ୍ରକାଶ କରିବା ସହିତ ସେମାନଙ୍କର ବିଶ୍ବାସର ସୁସମ୍ବାଦ ବିଷୟରେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତି । ସେମାନଙ୍କ ଆତ୍ମିକ ସ୍ଥିରତା ନିମନ୍ତେ ସେ ସେମାନଙ୍କ ସହିତ ସାକ୍ଷାତ କରି କିଛି ଆତ୍ମିକ ଦନର ଅଂଶୀ  କରିବାକୁ ଇଚ୍ଛୁକ ବୋଲି ଜଣାନ୍ତି । ଏକ ବିଶେଷ କଥା ସେ ପ୍ରକାଶ କରନ୍ତି ଯେ ସେ ଗ୍ରୀକ କି ବର୍ବର ଶିକ୍ଷିତ କି ଅଶିକ୍ଷିତ ସମସ୍ତଙ୍କ ନିକଟରେ ଋଣୀ ।


ସୁସମାଚାରର ହୃଦୟ ଓ ପ୍ରାଣ (୧:୧୬-୧୭) :

ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ ରୋମୀୟ ପୁସ୍ତକର ଏହି ମହାନ୍ ବାକ୍ୟ ମାର୍ଟିନ୍ ଲୁଥରଙ୍କ ଠାରୁ ଆରମ୍ଭ କରି ଜନ୍ ୱେସ୍ଲି, ଅଗଷ୍ଟିନ, ୱେଲିୟମ୍ ଟିଣ୍ଡେଲ ଇତ୍ୟାଦି ବହୁ ବିଶିଷ୍ଟ ଲୋକମାନଙ୍କ ଜୀବନକୁ ପରିବର୍ତ୍ତିତ ଓ ପ୍ରଭାଭିତ କରିଛି । ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ ପଦଟି ବାଇବଲରେ ଚାରିଥର ... ହବକୂକ୍ ୨:୪,..ରୋମୀୟ ୧:୧୭,.... ଗଲାତୀୟ ୩:୧୧ ଓ ଏବ୍ରୀ ୧୦:୩୮...ଅବିକଳ ଭାବରେ ଲେଖାଯାଇଛି । ପାଉଲ କହନ୍ତି ଯେ ସେ ଏହି ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରନ୍ତି ନାହିଁ, ବରଂ ଦର୍ପ କରନ୍ତି, ଯେଣୁ ତାହା ପ୍ରତ୍ୟେକ ବିଶ୍ବାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଶକ୍ତି ଅଟେ ।

ଅନାଜ୍ଞାବହତାର ପରିଣାମ

 ଅନାଜ୍ଞାବହତାର ପରିଣାମ

ଆଜିର ଚିନ୍ତା 

୧ ଶାମୁୟେଲ ୩୧:୧-୧୩


ମୁଁ ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇପାରିଛି କି ?


ସଦାପ୍ରଭୁ ଶାଉଲଙ୍କୁ ଇସ୍ରାଏଲମାନଙ୍କର ସମ୍ରାଟ ରୂପେ ଅଭିଷିକ୍ତ କଲେ । ପଲେଷ୍ଟିୟମାନଙ୍କୁ ତାଙ୍କ ଦ୍ଵାରା ସଂହାର କରିବେ ବୋଲି ଶାମୁୟେଲଙ୍କଠାରୁ କରିଥିବା ସତ୍ୟ ଲଂଘନ କରି ପତିତ ହେଲେ ।


ସଦାପ୍ରଭୁଙ୍କ କ୍ରୋଧ :

ଶାଉଲ ଗିଲବୋୟ ପର୍ବତରେ ପ୍ରଥମେ ଯୁଦ୍ଧ କରି ରାଜକୀୟ କାର୍ଯ୍ୟ ଆରମ୍ଭ କରିଥିଲେ । ୪୦ ବର୍ଷ ପରେ ସେହି ପର୍ବତରେ ତାଙ୍କର ଶେଷ ଜୀବନ ଅତିବାହିତ ହୋଇଥିଲା । ସେ ଆପଣା ରାଜତ୍ଵକାଳ ମଧ୍ୟରେ, ଆପଣା ରାଜ୍ୟର ସୀମା ମଧ୍ୟ ବୃଦ୍ଧି କରିପାରି ନ ଥିଲେ । ସଦାପ୍ରଭୁ, ତାଙ୍କୁ ଅପରାଧ ସ୍ଵୀକାର କରି ଫେରି ଆସିବାକୁ ସଚେତନ କରାଉଥିଲେ । ସେ ଅନେକ ସମୟରେ ନିଜର ଭୁଲ୍ କୁ ସ୍ଵୀକାର କରୁଥିଲେ ସତ, ମାତ୍ର ଅନୂତପ୍ତ ହୋଇ କ୍ଷମା ପ୍ରାର୍ଥନା ସହିତ ପାପକୁ ପରିତ୍ୟାଗ କରିପାରୁ ନ ଥିଲେ । ଶେଷରେ ପ୍ରଭୁଙ୍କୁ ମଧ୍ୟ  ପରିତ୍ୟାଗ କରି ନିଜେ ବିପଦର ସମ୍ମୁଖୀନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦର ମୁହଁକୁ ଠେଲି ଦେଇଥିଲେ । ତାଙ୍କ ଚକ୍ଷୁ ସମ୍ମୁଖରେ ତାଙ୍କର ତିନି ପୁଅ ହତ ହେଲେ । ନିଜେ ମଧ୍ୟ ଧନୁର୍ଦ୍ଧରମାନଙ୍କ ଦ୍ଵାରା ଆହତ ହୋଇ, ଆପଣାକୁ ଖଡ୍ଗ ଉପରେ ପକାଇ ଆତ୍ମହତ୍ୟା କଲେ । ବାସ୍ତବରେ ସଦାପ୍ରଭୁଙ୍କ କ୍ରୋଧରୁ କିଏ ପଳାୟନ କରିପାରେ ।


ଉପକାର ସ୍ମରଣ କରିବା :

ଶାଉଲ, ସଦାପ୍ରଭୁଙ୍କର ଉପକାରକୁ ବିସ୍ମରଣ କରି ବିନଷ୍ଟ ହେଲେ । ପଲେଷ୍ଟିୟମାନେ ତାଙ୍କର ମସ୍ତକକୁ ଚ୍ଛେଦନ କରି ମୃତ ଶରୀରକୁ ବୈଥଶାନ ପ୍ରାଚୀରରେ ଟଙ୍ଗାଇ ଦେଲେ । ମାତ୍ର ଯାବେଶ ଗିଲିୟଦୀୟ ମାନେ, ଶାଉଲଙ୍କ ଠାରୁ ପାଇଥିବା ଉପକାରକୁ ସ୍ମରଣ କରି ରାତ୍ରିଯାକ ଯାତ୍ରା କରି ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସଂଗ୍ରହ କରି ଆଣି ଯାବେଶ ରେ ଦଗ୍ଧ କଲେ ଓ ଅସ୍ଥି ନେଇ ଯାବେଶସ୍ଥ ଝାଉଁଗଛ ମୂଳରେ ପୋତି ସାତଦିନ ପର୍ଯ୍ୟନ୍ତ ଶୋକ କରି ଆପଣାର କୃତଜ୍ଞତା ଅର୍ପଣ କଲେ ।


"ଈଶ୍ୱରଙ୍କ ବାକ୍ୟର କର୍ମକାରୀ ହେବା" (ଯାକୁବ ୧:୨୨), ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ, ବିଶ୍ବାସୀନି ମାନଙ୍କର କର୍ତ୍ତବ୍ୟ । ଏହାହିଁ ହେଉଛି କଠିନତମ ପଦକ୍ଷେପ । ଏପରି କଲାବେଳେ ଶୟତାନ ନିଶ୍ଚିତ ରୂପେ ଆମ ସହିତ ଯୁଦ୍ଧ କରିବ। ଆମେ ଯଦି ଈଶ୍ୱରଙ୍କ ବାକ୍ୟର ଆଜ୍ଞାବହ ହୋଇ ସେହି ବାକ୍ୟକୁ ଜୀବନରେ ପ୍ରତିଫଳନ କରିବା, ତେବେ ଆମେ କେବେହେଁ ପରାଜିତ ହେବା ନାହିଁ ।

ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

 ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ

ଆଜିର ଚିନ୍ତା

୧ ଶାମୁୟେଲ ୩୦ : ୧- ୩୧

ମୁଁ ସବୁବେଳେ ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ଅଟେ କି ?


ସଦାପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି (ଏବ୍ରୀ ୧୨:୬)  ।


ସଦାପ୍ରଭୁଙ୍କ ପ୍ରତି ମନୋଯୋଗୀ ହେବା : 

ସଦାପ୍ରଭୁ ଦାଉଦଙ୍କୁ ଏକ ବିପଜ୍ଜନକ ପରିସ୍ଥିତିରୁ ଉଦ୍ଧାର କଲେ । ଆଶ୍ବସ୍ତ ହୋଇ ସିକ୍ଲଗକୁ ଫେରି ଆସି ସେ ଅନ୍ୟ ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ । ତାଙ୍କ ଅନୁପସ୍ଥିତିରେ ତଥା ଅଜ୍ଞାତରେ, ଅମାଲେକୀୟମାନେ ପ୍ରତିଶୋଧ ନେବା ପାଇଁ ତାଙ୍କର ବସତି ନଗରକୁ ପୋଡ଼ିଜାଳି ଧ୍ବଂସ କରି ସାନବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ । ଦାଉଦ ଓ ତାଙ୍କର ସଙ୍ଗୀମାନେ ମାନସିକଭାବେ ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଲେ । ସେମାନଙ୍କର ଶାରୀରିକ ବଳ ମଧ୍ୟ କ୍ଷୀଣ ହେବାକୁ ଲାଗିଲା । ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରି ନ ଥିବାରୁ ସେମାନେ ଅସନ୍ତୁଷ୍ଟ ହୋଇ ଦାଉଦଙ୍କ ବିପକ୍ଷରେ ବିଦ୍ରୋହ କରିବାକୁ ବାହାରିଲେ । ଦାଉଦ ବିଚଳିତ ନ ହୋଇ ପରମେଶ୍ବରଙ୍କ ନିକଟରେ ସମର୍ପିତ ହୋଇ ଶକ୍ତିପ୍ରାପ୍ତ ହେଲେ  ଈଶ୍ୱରଙ୍କ ଆଜ୍ଞାମତେ ସେହି ସୈନ୍ୟଦଳର ପଛେ ପଛେ ଯାଇ ହୃତ ସମସ୍ତଙ୍କୁ ଉଦ୍ଧାର କରିବା ସହିତ, ଲୁଟଦ୍ରବ୍ୟ ସବୁ ଫେରାଇ ଆଣିଲେ । 


ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର କାରଣ ହେବା :

ଏହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦାଉଦ ଈଶ୍ୱରଙ୍କର ସନ୍ତୋଷଜନକ ଦୁଇଟି କାର୍ଯ୍ୟ କରିଛନ୍ତି । ବିଷୋର ନଦୀ ପରି ହୋଇ ଯିବା ସମୟରେ ଜଣେ ଅମାଲେକୀୟ ମୁନିବ ଦ୍ଵାରା ପରିତ୍ୟକ୍ତ ଜଣେ ମିସ୍ରୀୟ ଯୁବା ପ୍ରତି ସହାନୁଭୂତି ପ୍ରଦର୍ଶନ କରି ତା'ର ଜୀବନ ରକ୍ଷା କଲେ । ନିଜ ପ୍ରିୟଜନଙ୍କ ପାଇଁ କେବଳ ଚିନ୍ତା କରି ବାଟ ଭାଙ୍ଗି ଚାଲିଯାଇଥିଲେ, ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥାନ୍ତା । ପ୍ରତିଦାନର ଆଶା ନ ରଖି ଅନ୍ୟମାନଙ୍କ ଆଡ଼କୁ ସାହାଯ୍ୟର ହାତ ବଢାଇଲେ, ଆମେ ସଦାପ୍ରଭୁଙ୍କଠାରୁ  ଆବଶ୍ୟକତାରୁ ଅଧିକ ପ୍ରାପ୍ତ ହୋଇଥାଉ । ସେହିପରି କ୍ଳାନ୍ତ ହୋଇ ପଛରେ ରହିଯାଇଥିବା ସଙ୍ଗୀମାନଙ୍କୁ  ଯୁଦ୍ଧରୁ ଫେରିବା ପରେ ସେମାନଙ୍କୁ ସାକ୍ଷାତ କରି ସେମାନଙ୍କର କୁଶଳବାର୍ତ୍ତା ବୁଝିଲେ । ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ସହିତ ଲୁଟଦ୍ରବ୍ୟର ମଧ୍ୟ ଅଂଶୀ କରାଇଲେ । ଆଉ ସେ ସଦାପ୍ରଭୁଙ୍କ ଦ୍ଵାରା ବହୁଗୁଣରେ ଆଶୀର୍ବାଦପ୍ରାପ୍ତ ହେଲେ । ଅନ୍ୟଠାରୁ ଗ୍ରହଣ କରିବା ଅପେକ୍ଷା, ଦାନ ଦେବା ଦ୍ଵାରା ଆମେ ଅଧିକ ଆଶୀର୍ବାଦପ୍ରାପ୍ତ ହୋଇଥାଉ ।

ଅବାଧ୍ୟତାର ପରିଣାମ

 ଅବାଧ୍ୟତାର  ପରିଣାମ

ଆଜିର ଚିନ୍ତା

୧ ଶାମୁୟେଲ ୨୮:୧-୨୫


ମୁଁ ପରମେଶ୍ବରଙ୍କ ରବ ପ୍ରତି ମନୋଯୋଗୀ ହୋଇ କାର୍ଯ୍ୟ କରୁଅଛି କି ?


ସଦାପ୍ରଭୁଙ୍କ ଦ୍ଵାରା ମନୋନୀତ ତଥା ଅଭିଷିକ୍ତ ରାଜା ଥିଲେ ଶାଉଲ । ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହୋଇ ଗୌରବ ଓ ମହିମାର ଅଧିକାରୀ କରିଥିଲେ । ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରାଜତ୍ଵ କରିବା ପାଇଁ ସୁଯୋଗ ଦେଇଥିଲେ । ମାତ୍ର ସେ ସଦାପ୍ରଭୁଙ୍କଠାରୁ ବିମୁଖ ହୋଇ ଅବାଧ୍ୟ ହେଲେ । ତହିଁର ପରିଣାମ ଆମେ ପଠିତ ଶାସ୍ତ୍ରାଂଶରେ ଦେଖିବାକୁ ପାଉଛୁ । 


ଅବାଧ୍ୟତାର ଫଳ : 

ଗିଲବୋୟ ଉପତ୍ୟକାରେ ଯେତେବେଳେ  ପଲେଷ୍ଟୀୟ ଓ ଇସ୍ରାଏଲୀୟ ସେନାବାହିନୀ ପରସ୍ପରର ସମ୍ମୁଖୀନ ହେଲେ, ସେତେବେଳେ ଶାଉଲ ଯୁଦ୍ଧାସ୍ତ୍ରରେ ସୁସଜ୍ଜିତ ପଲେଷ୍ଟୀୟମାନଙ୍କର ବିଶାଳ ସୈନ୍ୟବାହିନୀକୁ ଦେଖି ଭୟଭୀତ ହୋଇ ସଦାପ୍ରଭୁଙ୍କୁ ପରାମର୍ଶ ମାଗିଲେ । ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ବାରମ୍ବାର ସଦାପ୍ରଭୁଙ୍କର ଆଜ୍ଞାକୁ ସେ ଅବଜ୍ଞା କରିସାରିଥିଲେ । ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କରି ନ ଥିଲେ । ସଦାପ୍ରଭୁଙ୍କର ଅଭିଷିକ୍ତ ଯାଜକମାନଙ୍କୁ ହତ୍ୟା କରିଥିଲେ।  ସଦାପ୍ରଭୁ ଆଉ ତାଙ୍କର ନିବେଦନ ପ୍ରତି ମନୋଯୋଗ କଲେ ନାହିଁ । ସପ୍ନ କି ଦର୍ଶନରେ ସୁଦ୍ଧା ତାଙ୍କୁ କୌଣସି ମନ୍ତ୍ରଣା ଅବା ଚାଳନା ପ୍ରଦାନ କଲେ ନାହିଁ । ଆମେ ଯଦି ନିଜ ଇଚ୍ଛାନୁଯାୟୀ ଜୀବନ କାଟିବା, ତେବେ ସଦାପ୍ରଭୁ ପରମେଶ୍ୱର ଆମର ପ୍ରାର୍ଥନାରେ ମଧ୍ୟ ମନୋଯୋଗ କରିବେ ନାହିଁ । 


ଭୁଲ୍ ନିଷ୍ପତି :

ଶାଉଲ ବ୍ୟବସ୍ଥା ଲଂଘନ ପରି ଏକ ଭୁଲ୍ ନିଷ୍ପତି ନେଇ, ଅନ୍ୟ ଏକ ଜଘନ୍ୟ ପାପ କରି ବସିଲେ । ଯେଉଁ ଭୂତୁଡ଼ିଆମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ଶରଣାପନ୍ନ ହେଲେ । ଛଦ୍ମ ବେଶରେ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଲୋକ ନିକଟକୁ ଯିବା ଦ୍ଵାରା ନିଜକୁ ତଥା ସଦାପ୍ରଭୁଙ୍କୁ ଅସ୍ବୀକାର କଲେ । ଭବିଷ୍ୟତବକ୍ତାଙ୍କର ଆତ୍ମାକୁ ଉଠାଇ ଆଣି, ପରମେଶ୍ୱରଙ୍କ ଇଛା ଜାଣିବା ପାଇଁ ମନସ୍ଥ କଲେ । ସଦାପ୍ରଭୁ ଶାମୁୟେଲଙ୍କ ଆତ୍ମା ଦ୍ଵାରା ସଦାପ୍ରଭୁ ଯେ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଓ ତାଙ୍କର ରାଜ୍ୟ ଦାଉଦଙ୍କୁ ଦେଇଅଛନ୍ତି ବୋଲି ଜଣାଇଲେ । ଏହା ଶୁଣି ସେ ଭୟଭୀତ ହୋଇପଡ଼ିଲେ ଓ ତାଙ୍କର ବଳ କ୍ଷୀଣ ହେବାକୁ ଲାଗିଲା । ବାରମ୍ବାର ଆଜ୍ଞା ଲଂଘନ ହିଁ ତାଙ୍କ ମୃତ୍ୟୁର କାରଣ ହେଲା । ଶାମୁୟେଲ ଓ ଦାଉଦ ତାଙ୍କୁ ସଚେତନ କରାଇଥିଲେ । ସଦାପ୍ରଭୁ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଏବଂ ଉତ୍ତର ଦେଉନାହାନ୍ତି ଏହା ସେ ନିଜେ ସ୍ଵୀକାର କରୁଥିଲେ, ତଥାପି ଭୁଲ୍ ପଥରୁ ଫେରି ଆସିପାରିଲେ ନାହିଁ ।

ଦୁର୍ବଳ ବିଶ୍ଵାସ

 ଦୁର୍ବଳ ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୭:୧-୧୨


ମୋର ଦୁର୍ବଳ ବିଶ୍ଵାସ ମତେ ପଥଭ୍ରଷ୍ଟ କରୁଅଛି କି ?


ସଦାପ୍ରଭୁ ଆମର ସୁରକ୍ଷାର ଭାର ବହନ କରିଛନ୍ତି । ଏହି ସତ୍ୟ ଆମ୍ଭମାନଙ୍କୁ ଜ୍ଞାତ ଅଛି; ତଥାପି ଶୟତାନ ଆମ୍ଭମାନଙ୍କ ହୃଦୟରେ ଭୟ ସୃଷ୍ଟି କରିଥାଏ । ଆମର ବିଶ୍ବାସ ଦୁର୍ବଳ ହୋଇଯାଏ । ଆମେ ଭୟରେ ଭୁଲ୍ ସିଦ୍ଧାନ୍ତ ଗ୍ରହଣ କରି ଦୁଖଃଭୋଗ କରିଥାଉ । ପରମେଶ୍ବରଙ୍କ ଦ୍ଵାରା ମନୋନୀତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ସେ କେବେ ହେଁ ପରିତ୍ୟାଗ କରନ୍ତି ନାହିଁ ।


ଦାଉଦଙ୍କ ଦୁର୍ବଳତା :

ଶାଉଲଙ୍କ କବଳରୁ ରକ୍ଷା ପାଇବା ପାଇଁ, ଦାଉଦଙ୍କୁ ବହୁ ଘାତପ୍ରତିଘାତ ମଧ୍ୟରେ ଯିବାକୁ ପଡ଼ିଥିଲା । ସଦାପ୍ରଭୁ କିନ୍ତୁ ସମସ୍ତ ପରିସ୍ଥିତିରେ ତାଙ୍କର ସହବର୍ତ୍ତୀ ହୋଇଥିଲେ । ଭୁଲ୍ ପଦକ୍ଷେପ ନେବାକୁ ବାରଣ କରୁଥିଲେ । ଅବୀଗଲଙ୍କ ମାଧ୍ୟମରେ ମଧ୍ୟ ଏହି ବିଷୟରେ ସଚେତନ କରାଇ ଦେଇଥିଲେ । ଶାଉଲଙ୍କ ଦ୍ଵାରା ବିନଷ୍ଟ ହେବାର ଭୟକୁ ପ୍ରାଧlନ୍ୟ ଦେଇ ଦାଉଦ ପଲେଷ୍ଟୀୟ ରାଜା ଆଖୀଶଙ୍କର ଶରଣାଗତ ହେଲେ । ଈଶ୍ଵର ଯେ ତାଙ୍କୁ ମନୋନୀତ କରିଛନ୍ତି ଓ ତାଙ୍କୁ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରିଅଛନ୍ତି, ଏହା ଭୁଲିଗଲେ । ତାଙ୍କର ଏହି ସିଦ୍ଧାନ୍ତରେ ସେ ଓ ତାଙ୍କର ସଙ୍ଗୀମାନେ ଶତ୍ରୁମାନଙ୍କ ରାଜ୍ୟରେ ଶରଣାର୍ଥି ହୋଇ ରହିଲେ। 


ଦାଉଦଙ୍କ ଚତୁରତା :

ସଦାପ୍ରଭୁଙ୍କଠାରୁ ଆମେ ଯେତେ ଦୂରକୁ ଗଲେ ମଧ୍ୟ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ । ଆମର ଦୁର୍ବଳତାରେ ତାଙ୍କର ବଳ ସିଦ୍ଧ ହୁଏ । ଶତ୍ରୁ ରାଜ୍ୟରେ ସେ ଦାଉଦଙ୍କୁ ଇସ୍ରାଏଲ ନିମନ୍ତେ ବିନିଯୋଗ କଲେ । ରାଜା ଆଖୀଶଙ୍କୁ ଅନୁରୋଧ କରି ଦାଉଦ ପଲେଷ୍ଟୀୟ ରାଜଧାନୀ ଗାଥରେ ନ ରହି, ଯିହୂଦୀୟମାନଙ୍କର ପୂର୍ବେ ଅଧିକୃତ ସିକ୍ଲଗରେ ରହିଲେ ।  ଯୋଜନା କରି ଇସ୍ରାଏଲର ଶତ୍ରୁ ଦେଶଗୁଡ଼ିକୁ ଆକ୍ରମଣ କରି ଅଧିକାର କରିବାକୁ ଲାଗିଲେ । ପ୍ରମାଣ ଲୋପ କରିବା ପାଇଁ ଯିହୂଦୀ ଲୋକମାନଙ୍କୁ ରକ୍ଷା କରି ସେମାନଙ୍କ ସହିତ ରହୁଥିବା ଅନ୍ୟ ଜାତିର ଲୋକମାନଙ୍କୁ ସଂପୂର୍ଣ୍ଣ ରୂପେ ମାରି ଦେଇଥିଲେ । ସାବଧାନତାର ସହିତ ଆଖୀଶଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ଇସ୍ରାଏଲୀୟ ସହରଗୁଡ଼ିକୁ ଆକ୍ରମଣ କରି ଅବରୋଧ କରୁଛନ୍ତି ବୋଲି କହି ଆଖୀଶଙ୍କର ପ୍ରିୟଭୋଜନ ହେବାକୁ ଲାଗିଲେ । 


ପରିସ୍ଥିତିକୁ ଭୟ ନ କରି, ପରମେଶ୍ବରଙ୍କ ଉପରେ ଦୃଢ଼ ବିଶ୍ଵାସ ସ୍ଥାପନ କଲେ, କେହି ଆମକୁ ବିନଷ୍ଟ କରିପାରିବ ନାହିଁଈଶ୍ଵର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି (୨ତିମଥି ୧:୭) । ତେଣୁ ଆମର ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ ରଖି ଗନ୍ତବ୍ୟ ପଥରେ ଧାବମାନ ହେଉ ।