BN

ପ୍ରଭୁଙ୍କ ବାକ୍ୟର ଅଭିବୃଦ୍ଧି

 ପ୍ରଭୁଙ୍କ ବାକ୍ୟର ଅଭିବୃଦ୍ଧି

ଆଜିର ଚିନ୍ତା

ପ୍ରେରିତ ୧୯:୧୧-୨୦

ମୋର ଜୀବନ ଶୈଳୀ ପ୍ରଭୁଙ୍କ ବାକ୍ୟ ବୃଦ୍ଧିର ସହାୟକ ହେଉଛି କି ?


ଅନେକ ଏଫିସୀୟ ଭୂତ ପ୍ରେତ ଦୂରୀକରଣ ଏବଂ କୁହୁକ କର୍ମରେ ନିଜକୁ ନିଯୋଗ କରି ଲୋକମାନଙ୍କଠାରୁ ଭୂତ ଆତ୍ମା ବାହାର କରିବା ଦ୍ୱାରା ଟଙ୍କା ଉପାର୍ଜନ କରୁଥିଲେ ।


ମନ୍ଦ କାର୍ଯ୍ୟର ପ୍ରତିକ୍ରିୟା :

ସ୍କେବା ନାମକ ଜଣେ ଯିହୁଦୀୟ ପ୍ରଧାନ ଯାଜକ ଥିଲେ । ତାଙ୍କର ସାତୋଟି ପୁଅ ଏହିପରି କାର୍ଯ୍ୟ କରୁଥିଲେ । ସେହିପରି ସମୟରେ ଈଶ୍ଵର ପାଉଲଙ୍କ ଦ୍ଵାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ କଲେ । ଏହା ଦେଖି ଈଶ୍ୱରଙ୍କଠାରୁ ଆଗତ ପବିତ୍ର ଆତ୍ମା ଯେ ଅଧିକ ଶକ୍ତିଶାଳୀ ଅଟନ୍ତି, ତାହା ସେମାନେ ଜାଣିପାରିଲେ । କାରଣ ପାଉଲଙ୍କଠାରୁ ଅଣା ଯାଇଥିବା ରୁମାଲ୍ କିମ୍ବା ଗାମୁଛା ଦ୍ଵାରା ରୋଗୀମାନେ ସୁସ୍ଥ ହେଉଥିଲେ ଓ ଦୁଷ୍ଟ ଆତ୍ମାଗୁଡ଼ିକ ବାହାରି ଯାଉଥିଲେ । ଯୀଶୁଙ୍କୁ ନ ଜାଣି ତାଙ୍କର ନାମକୁ ବ୍ୟବହାର କରିବା ଅତି ମାରାତ୍ମକ ବିଷୟ ଅଟେ । ତେଣୁ ସେହି ଭୂତିଡ଼ିଆମାନଙ୍କୁ ଦୁଷ୍ଟତା କହିଲା, ଆମେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଜାଣୁ, ମାତ୍ର ତୁମ୍ଭେମାନେ କିଏ ? ମନୁଷ୍ୟକୁ ପରିବର୍ତ୍ତନ କରିବାର ଶକ୍ତି କେବଳ ଯୀଶୁଙ୍କଠାରେ ଅଛି । ତେଣୁ ତାଙ୍କୁ ବିଶ୍ଵାସ କରି ନିଜକୁ ତାଙ୍କଠାରେ ସମର୍ପଣ କଲେ, ଆମର ଜୀବନ ଶୈଳୀ ପରିବର୍ତ୍ତିତ ହୋଇଯିବ ଏବଂ ଆମେ ପ୍ରଭୁଙ୍କ ହାତରେ ବ୍ୟବହାର ଉପଯୋଗୀ ଜଣେ ବ୍ୟକ୍ତି ହୋଇପାରିବା । 


ମନ୍ଦରୁ ପୃଥକ ରହିବା :

ଏଫିସ ନଗର ଯାଦୁବିଦ୍ୟା, କୁହୁକକର୍ମ ଏବଂ ଭୂତ ଦୂରୀକରଣର କେନ୍ଦ୍ରସ୍ଥଳୀ ଥିଲା । ଏହା ଅର୍ଥ ଉପାର୍ଜନର ଏକ ଉପାୟ ଥିଲା । ମାତ୍ର ଈଶ୍ଵର ଏହିସବୁ ବିଷୟକୁ ସ୍ପଷ୍ଟ ଭାବରେ ବାରଣ କରିଛନ୍ତି (୨ବିବ ୨୮:୯-୧୩) । ଜଣେ ବିଶ୍ବାସୀ ଏହିସବୁରୁ ସମ୍ପୂର୍ଣ୍ଣ ପୃଥକ ରହିବା ଅତି ଜରୁରୀ ଅଟେ । ମାତ୍ର ଏବେ ମଧ୍ୟ ଖ୍ରୀଷ୍ଟୀୟ ପରିବାରଗୁଡ଼ିକରେ ନାନା ପ୍ରକାର ଅନ୍ଧ ବିଶ୍ଵାସର ପ୍ରଚଳନ ପରିଲକ୍ଷିତ ହୁଏ । ତେଣୁ ସେମାନେ ସୂତା, ଫିତା, କନା ଆଦି ଚିହ୍ନକୁ ବ୍ୟବହାର କରନ୍ତି । ଶୟତାନ ଅତି ଚତୁର ଓ ଶକ୍ତିଶାଳୀ ଅଟେ । ତେଣୁ ସେ ଏହିସବୁ ଦ୍ଵାରା ବିଶ୍ବାସୀମାନଙ୍କ ଜୀବନରେ ପରୋକ୍ଷ ଭାବରେ କାର୍ଯ୍ୟ କରି ସେମାନଙ୍କୁ ପ୍ରଭୁଙ୍କଠାରୁ ଦୂରେଇ ରଖେ । ମାତ୍ର ଈଶ୍ୱରଙ୍କର ଶକ୍ତି ସବୁଠାରୁ ମହାନ୍ ଅଟେ । (୧ଯୋହନ ୪:୪, ପ୍ରକାଶିତ ୨୦:୧୦) । ତେଣୁ ଆମେ ଏହିସବୁ ଦୁର୍ବଳତାର ବନ୍ଧନରୁ ମୁକ୍ତ ହେବା ଅତି ଜରୁରୀ ଅଟେ । ତାହା କଲେ ଆମର ଜୀବନ ଦ୍ଵାରା ପ୍ରଭୁଙ୍କ ବାକ୍ୟର ବୃଦ୍ଧି ହେବ ଏବଂ ଆମ ଜୀବନର ସାକ୍ଷ୍ୟ ଓ ବାକ୍ୟ ଅନେକଙ୍କ ଜୀବନରେ ବିଜୟର ଆନନ୍ଦ ଆଣିଦେବ । 

ସୁସମାଚାରର କାର୍ଯ୍ୟ

 ସୁସମାଚାରର କାର୍ଯ୍ୟ

ପ୍ରେରିତ ୧୮:୧୭-୨୮

ଆଜିର ଚିନ୍ତା

ଅନ୍ୟମାନଙ୍କୁ ସୁସମାଚାର ଦେବାକୁ ମୁଁ ପଛଘୁଞ୍ଚା ଦେଉଛି କି ? 


ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ସଙ୍ଗରେ ନେଇ ପାଉଲ ଏଫୀସକୁ ଗଲେ । ସେଠାରେ ସେମାନଙ୍କୁ ଛାଡ଼ି ଦେଇ ସେ ସମାଜ ଗୃହରେ ଯିହୁଦୀମାନଙ୍କୁ ଉପଦେଶ ଦେବା ପରେ ଏଫୀସରୁ ବିଦାୟ ନେଲେ । ଏହିଠାରେ ତାଙ୍କର ଦ୍ଵିତୀୟ ମିଶନାରୀ ଯାତ୍ରା ଶେଷ ହେଲା ଏବଂ ତୃତୀୟ ମିଶନାରୀ ଯାତ୍ରା ଆରମ୍ଭ ହେଲା । 


ଆତ୍ମିକ ସମ୍ପର୍କ : 

ବିଶ୍ବାସୀମାନଙ୍କ ପ୍ରତି କର୍ତ୍ତବ୍ୟ କରିବାରେ ସେ ଖୁବ୍ ଉଦଯୋଗୀ ଥିଲେ । ତେଣୁ ସେମାନଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଉପଦେଶ ଓ ଶିକ୍ଷା ଦେବା ସହିତ ସାନ୍ତ୍ଵନା, ପ୍ରେରଣା ଓ ଉତ୍ସାହ ଦେବାକୁ ପାଉଲ ଚେଷ୍ଟା କରୁଥିଲେ । ନାନା ପ୍ରକାର ଅସୁବିଧା ସତ୍ତ୍ୱେ ସେ ଯାତ୍ରା ପଥରେ ସେମାନଙ୍କୁ ଭେଟି, ସେମାନଙ୍କ ସହିତ ସହଭାଗିତା କରିବା ନିମନ୍ତେ କେତେଗୁଡ଼ିଏ ମଣ୍ଡଳୀକୁ ଯାଇଥିଲେ । ତାହା  ସେମାନଙ୍କୁ ପ୍ରଭୂରେ ସ୍ଥିର ରହି ବୃଦ୍ଧି ପାଇବାକୁ ସାହାଯ୍ୟ କରୁଥିଲା । ବିଶ୍ବାସୀମାନେ ପରସ୍ପର ସହିତ ସହଭାଗିତା କରିବା ଅତି ଜରୁରୀ ଅଟେ । କାରଣ ଆତ୍ମିକ ଜୀବନର ଅଭିବୃଦ୍ଧି ସହାୟକ ଅଟେ । 


ଉପଯୁକ୍ତଶିକ୍ଷା :

ଆପଲ୍ଲ ଜଣେ ସୁବକ୍ତା ଓ ଧର୍ମ ଶାସ୍ତ୍ରରେ ନିପୁଣ ଥିଲେ । ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ । ତେଣୁ ପ୍ରୀସ୍କିଲା ଓ ଆକ୍ଵିଲା ତାଙ୍କୁ ସାଙ୍ଗରେ ରଖି ଅଧିକ ସୁକ୍ଷ୍ମ ରୂପେ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଲେ । ତତ୍ପରେ ଆପଲ୍ଲ ଯିହୁଦୀମାନଙ୍କୁ, ଯୀଶୁ ଯେ ଖ୍ରୀଷ୍ଟ, ଏହାର ପ୍ରମାଣ ଦେଇ ଦୃଢ଼ ଭାବରେ ଶିକ୍ଷା ଦେବାକୁ ଲାଗିଲେ । ବାକ୍ୟର ଜ୍ଞାନରେ ଉପଯୁକ୍ତ ଭାବରେ ଶିକ୍ଷିତ ପୁଣି ଅନୁଭୂତି ପ୍ରାପ୍ତ ନ ହେଲେ ଆମେ ସଠିକ୍ ଭାବରେ, ପୁଣି ଦୃଢତାର ସହିତ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିପାରିବା ନାହିଁ । 


ଫଳାଫଳ : 

ସୁସମାଚାର ପ୍ରଚାର ଏକ ନିକୃଷ୍ଟ ଅଥବା କଷ୍ଟକର କାର୍ଯ୍ୟ ନୁହେଁ । ଏହା ଅନ୍ୟମାନଙ୍କ ଜୀବନରେ ବିଜୟର ଆନନ୍ଦ ଆଣିଦିଏ । ଏତଦ୍ଵାରା ଆକ୍ଵିଲା ଓ ପ୍ରୀସ୍କିଲା ଏବଂ ଆପଲ୍ଲଙ୍କ ପରି ଉଦଯୋଗୀ ଓ ପ୍ରଭାବଶାଳୀ ନେତାମାନଙ୍କୁ ପ୍ରସ୍ତୁତ କରାଯାଇପାରେ । ପ୍ରଭୁ ବିଶ୍ବାସୀକୁ ବ୍ୟବହାର କରି ଅନ୍ୟମାନଙ୍କ ଜୀବନରେ ବିଜୟର ଆନନ୍ଦ ଆଣି ଦିଅନ୍ତି । ତେଣୁ ଆମେ ବିପରୀତ ଭାବରେ ଚିନ୍ତା କରି ଭୟଭୀତ ହେବା ଅନୁଚିତ୍  ।

ସୁସମାଚାର ପ୍ରଚାରରେ ଏକାଗ୍ରତା

 ସୁସମାଚାର ପ୍ରଚାରରେ ଏକାଗ୍ରତା 

ଆଜିର ଚିନ୍ତା

ପ୍ରେରିତ ୧୮:୧-୧୭

ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାକୁ ମୁଁ  ଆଗ୍ରହୀ କି ?

କ୍ଲାଉଦିଅ ଯିହୁଦୀମାନଙ୍କୁ ରୋମରୁ ତଡ଼ି ଦେବାରୁ ସେମାନେ  କରିନ୍ଥିକୁ ଆସି ସେଠାରେ ବାସ କଲେ । ସେଥିପାଇଁ ତମ୍ବୁ ନିର୍ମାଣକାରୀ ଆକ୍ଵିଲା ଓ ପ୍ରୀସ୍କିଲା ଆସି କରିନ୍ଥିରେ ବାସ କରୁଥିଲେ । ଯେତେବେଳେ ପାଉଲ କରିନ୍ଥିକୁ ଆସିଲେ, ସେ ମଧ୍ୟ ତମ୍ବୁ ନିର୍ମାଣକାରୀ ଥିବାରୁ ଆକ୍ଵିଲା ଓ ପ୍ରୀସ୍କିଲାଙ୍କୁ ଭେଟି ତାଙ୍କ ସହିତ ରହିଲେ ।


ସାହସର ସହ କାର୍ଯ୍ୟ : 

କରିନ୍ଥି ଏକ ରାଜନୈତିକ ଓ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଥିଲା । ତାହା ମଧ୍ୟ ପାପାଚରଣ ଓ ଅନୈତିକତାର ପେଣ୍ଠସ୍ଥଳୀ ଥିଲା । ଏହିପରି ଏକ ଭୟଙ୍କର ସ୍ଥାନରେ ପାଉଲ ସୁସମାଚାର ପ୍ରଚାର କରିବାକୁ ପଛଘୁଞ୍ଚା ନ ଦେଇ ବରଂ ତାଙ୍କର ରହଣୀ ସମୟକୁ ସୁସମାଚାର ପ୍ରଚାର କରିବାର ଏକ ସୁଯୋଗ ବୋଲି ମନେ କଲେ । ତେଣୁ ସେ ପ୍ରତି ବିଶ୍ରାମବାରରେ ସମାଜ ଗୃହରେ  ପ୍ରବେଶ କରି ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହି ସାକ୍ଷ୍ୟ ଦେଇ ଯିହୁଦୀ ଓ ଗ୍ରୀକମାନଙ୍କୁ  ଶିକ୍ଷା ଦେବାକୁ ଲାଗିଲେ  । ଲୋକମାନେ ଯୀଶୁଙ୍କର ପରିଚୟ ପାଇ ପରିତ୍ରାଣ ପାଆନ୍ତୁ ଏହି ଲକ୍ଷ୍ୟ ନେଇ ସେ ସୁସମାଚାର ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ନିବିଷ୍ଟ ହୋଇ ରହିଲେ । ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ ଜଣାଇବାର ଦାୟିତ୍ବ ପ୍ରତି ବିଶ୍ଵାସୀକୁ ଦିଆଯାଇଛି । ଆଜି ସେ ଦିଗରେ ଆମେ ବ୍ୟକ୍ତିଗତ, ପାରିବାରିକ ଓ ମଣ୍ଡଳୀଗତ ଭାବରେ ଉଦ୍ଯୋଗୀ ହେବା ଅତି ଜରୁରୀ ଅଟେ ।


କ୍ରମାଗତ ଭାବରେ କାର୍ଯ୍ୟ :

 ଯିହୁଦୀମାନେ ତାଙ୍କୁ ଅଗ୍ରାହ୍ୟ କଲେ ମଧ୍ୟ ପାଉଲ କାର୍ଯ୍ୟ କରିବାରୁ କ୍ଷାନ୍ତ ନ ହୋଇ, ଅନାଯିହୁଦୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । ସମାଜ ଗୃହ ନିକଟରେ ବାସ କରୁଥିବା ଯୂସ୍ତଙ୍କ ଗୃହରେ ରହି ପ୍ରଚାର କଲେ । ତାହା ଶୁଣି ସମାଜ ଗୃହର ଅଧ୍ୟକ୍ଷ, କ୍ରୀଷ୍ପ ସପରିବାରରେ ବିଶ୍ଵାସ କଲେ । କେବଳ ସେତିକି ନୁହେଁ, କରିନ୍ଥିୟମାନଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କୁ ବିଶ୍ଵାସ କରି ବାପ୍ତିଜିତ ହେଲେ । ତାଙ୍କର ବିଶ୍ଵସ୍ତତା ଓ ଉଦ୍ଯୋଗ ହେତୁ ପ୍ରଭୁ ତାଙ୍କୁ ଦର୍ଶନ ଦେଇ କାର୍ଯ୍ୟ କରିବାକୁ ଉତ୍ସାହ ଦେଲେ । ଏତଦ୍ଵାରା ନୂତନ ବିଶ୍ବାସୀମାନେ ବିଶ୍ଵାସରେ ବଳିଷ୍ଠ ହେଲେ । ପ୍ରଚାର କରିବ ଯେତିକି ଗୁରୁତ୍ଵପୂର୍ଣ୍ଣ, ନୂତନ ବିଶ୍ବାସୀମାନଙ୍କର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ଅଟେ, ଏହା ପାଉଲ ଉତ୍ତମ ରୂପେ ବୁଝିଥିଲେ ।

ସତ୍ୟ ପରମେଶ୍ୱର

ସତ୍ୟ ପରମେଶ୍ୱର 

ଆଜିର ଚିନ୍ତା

ପ୍ରେରିତ ୧୭:୧୬-୩୪

ବ୍ୟକ୍ତିଗତ ଜୀବନରେ ମୁଁ ସତ୍ୟ ପରମେଶ୍ବରଙ୍କର ପରିଚୟ ପାଇଛି କି ? 

ଆଥୀନୀ ଗ୍ରୀକ୍ ସଭ୍ୟତାର ଏକ ପେଣ୍ଠସ୍ଥଳ । ଏଠାକାର ଆଦିବାସୀମାନେ ଅତି ଉଚ୍ଚ ଶିକ୍ଷିତ ଓ ଜିଜ୍ଞାସୀ । ସେମାନେ କେବଳ ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳ କ୍ଷେପଣ କରୁ ନ ଥିଲେ । ମାତ୍ର ଆଥୀନୀ ନିବାସୀମାନେ ଏକ ଅଜ୍ଞାତ ଦେବତାର ସେବା କରୁଥିଲେ ଓ ତାଙ୍କର ଦେଶ ଅନେକ ପ୍ରତିମାରେ ପରିପୂର୍ଣ୍ଣ ଥିଲା । ଆଥୀନୀବାସୀଙ୍କର ଜୀବନ ଶୈଳୀକୁ ଦେଖି ପାଉଲ ଅତି ଉଦବିଗ୍ନ ହେଲେ ସତ ମାତ୍ର ସେ ବହୁତ  ଧୈର୍ଯ୍ୟ ଓ  ଜ୍ଞାନର ସହ  ସେମାନଙ୍କ ନିକଟରେ ସତ୍ୟ ଜୀବିତ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରକାଶ କଲେ ।

ସୃଷ୍ଟିକର୍ତ୍ତା ଈଶ୍ଵର  : 

ଈଶ୍ଵର ନିଜେ ସ୍ଵୟଂ ସୃଷ୍ଟିକର୍ତ୍ତା । ସେ ସାରା ବ୍ରହ୍ମାଣ୍ଡ ଓ ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସଜୀବ ଓ ନିର୍ଜୀବ ବସ୍ତୁର ସୃଷ୍ଟିକର୍ତ୍ତା ଅଟନ୍ତି । ସେ ମନୁଷ୍ୟକୁ ନିଜ ସ୍ୱରୂପରେ ସୃଷ୍ଟି କରି ଏହି ପୃଥିବୀକୁ ପୂର୍ଣ୍ଣ କରିବାକୁ ଆଜ୍ଞା ଦେଇଛନ୍ତି । ଏହି କଥା ଆଥୀନୀ ନିବାସୀମାନଙ୍କୁ ବୁଝାଇବା ପରେ ପାଉଲ କହନ୍ତି ଯିଏ ମନୁଷ୍ୟକୁ ଜୀବନ ଓ ନିଃଶ୍ୱାସ ପ୍ରଦାନ କରିଅଛନ୍ତି, ସେ ନିଜେ କିପରି ନିର୍ଜୀବ ବସ୍ତୁ ବା ପ୍ରତିମାରେ ବସବାସ କରିବେ । ମନୁଷ୍ୟର ଗତି, ସ୍ଥିତି ସବୁ ତାଙ୍କର ହସ୍ତଗତ । ତେଣୁ ଗୀତରଚକ ଲେଖିଲେ, "ପ୍ରଭୁଙ୍କ ଦ୍ଵାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି" (ଗୀତ  ୩୭:୨୩)  । ବ୍ୟକ୍ତିଗତ ଜୀବନରେ ଆମେ ତାଙ୍କୁ ନିଜର ସୃଷ୍ଟିକର୍ତ୍ତା ଓ ଆମର ପଥ ପ୍ରଦର୍ଶକ ଭାବରେ ଗ୍ରହଣ କରିଛୁ କି ? 

ଜୀବିତ ଈଶ୍ୱର : 

ପାଉଲ ତାଙ୍କର ପ୍ରଚାରରେ ସର୍ବଦା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଠାରୁ ପୁନରୁତ୍ଥାନ ବିଷୟରେ ବର୍ଣ୍ଣନା କରୁଥିଲେ । ପାଉଲ ପୁନରୁତ୍ଥାନ ବିଷୟରେ ପ୍ରଚାର କରି ଏହା ପ୍ରକାଶ କରିବାକୁ ଚାହୁଁଥିଲେ ଯେ ଆମର ପରମେଶ୍ୱର ଜୀବିତ ଅଟନ୍ତି । ମାତ୍ର ତାଙ୍କର ଏହି ବାକ୍ୟ ପାଇଁ ମିଶ୍ର ପ୍ରତିକ୍ରିୟା ମିଳିଥିଲା । ୩୨ ଓ ୩୩ ପଦ ପ୍ରକାଶ କରେ, କିଛି ଲୋକ ଏହା ଶୁଣି ପରିହାସ କଲେ, ଅନ୍ୟ କେତେକ ଲୋକ ଏହି କଥାକୁ ପୁନଃ ପରୀକ୍ଷା କରିବାକୁ ଚାହିଁଲେ, ମାତ୍ର ଅଳ୍ପ କେତେଜଣ ସେହି ବାକ୍ୟରେ ବିଶ୍ଵାସ କଲେ । ସତ୍ୟ ସମସ୍ତଙ୍କ ନିକଟରେ ପ୍ରଚାରିତ, ମାତ୍ର ଅଳ୍ପ କେତେକଙ୍କ ଦ୍ଵାରା ଗୃହୀତ । ମୋର ସୃଷ୍ଟିକର୍ତ୍ତା ଯେ ସତ୍ୟ ଓ ଜୀବିତ, ମୋର ଏହି ଦୃଢ଼ ବିଶ୍ଵାସ ଅଛି କି ? ଏହା ସମୟ ପ୍ରମାଣିତ କରିବ । 

ସଜାଗ ଶ୍ରୋତା

 ସଜାଗ ଶ୍ରୋତା

ପ୍ରେରିତ ୧୭:୧-୧୫

ଆଜିର ଚିନ୍ତା

ଖ୍ରୀଷ୍ଟଙ୍କ ବାକ୍ୟ ଶ୍ରବଣ କରିବାରେ ମୁଁ ଜଣେ ଉତ୍ତମ ଶ୍ରୋତା ଅଟେ କି ? 


ଥେସଲନୀକୀ ଫିଲିସ୍ପ ଠାରୁ ପ୍ରାୟ ୧୦୦ ମାଇଲ୍ ଦୂରରେ ଅବସ୍ଥିତ । ପାଉଲ ଓ ଶୀଲା ପ୍ରଥମେ ୩ ବିଶ୍ରାମବାର ପର୍ଯ୍ୟନ୍ତ ଏଠାରେ ପ୍ରଚାର କରି ତା' ପରେ ୫୦ ମାଇଲ୍ ଦୂରରେ ଅବସ୍ଥିତ ବେରୟାରେ ମଧ୍ୟ ବାକ୍ୟ ପ୍ରଚାର କଲେ । 


ସକାରତ୍ମକ ଶ୍ରବଣ :

ଉଭୟ ଥେସଲନୀକୀ ଓ ବେରୟାରେ ଅନେକ ଯିହୁଦୀ ମତାବଲମ୍ବି ଗ୍ରୀକ୍ ଓ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ପାଉଲ ଓ ଶୀଲାଙ୍କର ବାକ୍ୟ ଶୁଣିବାକୁ ଆସିଲେ । ଯେପରି (ରୋମୀ ୧୦:୧୭) ରେ ଲେଖାଅଛି, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ । ପାଉଲ ଓ ଶୀଲା ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ବାକ୍ୟ ସେମାନଙ୍କ ନିକଟରେ ପ୍ରଚାର କଲେ ଓ ସେମାନେ ଶୁଣି ବିଶ୍ଵାସ କଲେ । ପୁଣି ବେରୟାର ବିଶ୍ବାସୀମାନେ ଆଗ୍ରହର ସହ ତାହା ଗ୍ରହଣ କରି ତାହା ସତ୍ୟ କି ମିଥ୍ୟା ତାହା ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରି ଜାଣିବାକୁ ଚାହିଁଲେ । ଏଠାରେ ୨ ଟି କଥା ପ୍ରକାଶିତ ହୁଏ । ଖ୍ରୀଷ୍ଟଙ୍କର ବାକ୍ୟ ପ୍ରମାଣସିଦ୍ଧ ଓ ଆମକୁ ତାହା ଅନୁସନ୍ଧାନ କରି ନିଜ ଜୀବନରେ ଗ୍ରହଣ କରିବାକୁ ହେବ । କାରଣ ଦୁଃସମୟ ଆସୁଅଛି, ଯେତେବେଳେ ଅନେକ ଭଣ୍ଡ ଭାବବାଦୀ ଓ ଭଣ୍ଡ ଖ୍ରୀଷ୍ଟଙ୍କର ସମ୍ମୁଖୀନ ହେବାକୁ ପଡିବ ।  ତେଣୁ ଆମେ ଏକ ସଜାଗ ଓ ସକାରତ୍ମକ ଶ୍ରୋତା ହେବା ଆବଶ୍ୟକ । 


ନକାରତ୍ମକ ଶ୍ରବଣ :

ପାଉଲ ଓ ଶୀଲାଙ୍କ ବାକ୍ୟ ଦ୍ଵାରା ଅନେକେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ସମୟରେ ଯିହୁଦୀମାନେ ଈର୍ଷାରେ ଜଳି ଉଠିଲେ ଓ ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇ ଦେଲେ । ପୁଣି ସେମାନେ, ପାଉଲ ଓ ଶୀଲା ବେରୟାରେ ପ୍ରଚାର କରୁଅଛନ୍ତି ବୋଲି ଶୁଣି ସେଠାରେ ମଧ୍ୟ ଉପସ୍ଥିତ ହୋଇ ଲୋକସମୂହକୁ ଉତ୍ତେଜିତ ଓ ଉଦବିଗ୍ନ କଲେ । (ଯାକୁବ ୧:୧୯) ରେ ଲେଖାଅଛି, ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର ଓ କହିବାରେ ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ, କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । ଯିହୁଦୀମାନଙ୍କର ଈର୍ଷା ଓ କ୍ରୋଧ ସେଦିନ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନରେ ବାଧା ସୃଷ୍ଟି କଲା । ଆଜି ଆମେ ଜାଣତରେ କିମ୍ବା ଅଜାଣତରେ ଈଶ୍ୱରଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରୁ ନାହୁ ତ ?