BN

ସୁସମାଚାରର କେନ୍ଦ୍ରବିନ୍ଦୁ

 ସୁସମାଚାରର କେନ୍ଦ୍ରବିନ୍ଦୁ 

ଆଜିର ଚିନ୍ତା

ପ୍ରେରିତ ୧୩:୧୩-୪୧


ସୁସମାଚାର କହିଲେ ମୁ କ'ଣ ବୁଝେ ? 


ଯେତେବେଳେ କୌଣସି ସ୍ଥାନରେ ବାକ୍ୟ କିମ୍ବା ଈଶ୍ୱର- ବିଷୟକ ଚର୍ଚ୍ଚା ନିମନ୍ତେ ସୁଯୋଗ ମିଳେ, ସେତେବେଳେ ଖ୍ରୀଷ୍ଟ ବିଶ୍ବାସୀ କାଳବିଳମ୍ବ ନ କରି ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଚାର କରିଥାଏ । ମାତ୍ର ପାଉଲଙ୍କ ସୁସମାଚାର ଶିକ୍ଷାର ମୌଳିକ ବିଷୟ କ'ଣ ଥିଲା ତାହା ଆଜିର  ବାକ୍ୟାଂଶରେ ବର୍ଣ୍ଣିତ।


ପିତୃପୁରଷମାନଙ୍କ ବିଫଳତା (୧୭-୨୨ ପଦ) : 

ଯଦ୍ୟପି ଈଶ୍ୱର ଇସ୍ରାଏଲକୁ ମନୋନୀତ କରିଥିଲେ, ତଥାପି ପିତୃପୁରୁଷଗଣ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ । ବ୍ୟବସ୍ଥା ଦ୍ଵାରା ଧାର୍ମିକ ଗଣିତ ହେବାର କେବଳ ବୃଥା ପ୍ରୟାସ କରିଥିଲେ ।


ଯୀଶୁ ଏକମାତ୍ର ତ୍ରାଣକର୍ତ୍ତା (୨୩ ପଦ): 

ପ୍ରତିଜ୍ଞାନୁସାରେ ଦାଉଦଙ୍କ ବଂଶରୁ ତ୍ରାଣକର୍ତ୍ତା ଯୀଶୁ ଜଗତକୁ ଆସିଲେ । ଯୀଶୁ ଯେ ଏକମାତ୍ର ଉଦ୍ଧାରକର୍ତ୍ତା ଏବଂ ପରିତ୍ରାଣ କର୍ତ୍ତା, ଏହା ସୁସମାଚାରର ମୂଳ ବିଷୟ ଅଟେ ।


ମନପରିବର୍ତ୍ତନର ଶିକ୍ଷା (୨୪ ପଦ) : 

ସୁସମାଚାର ଜଣେ ବ୍ୟକ୍ତିକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ସାହାଯ୍ୟ କରିଥାଏ । ଯାହାର ବାହ୍ୟିକ ପ୍ରକାଶନ ବାପ୍ତିସ୍ମ ଅଟେ ।


ଯୀଶୁଙ୍କ କୃଶୀୟ ମୃତ୍ୟୁ (୨୮ ପଦ) :

 ଖ୍ରୀଷ୍ଟୀୟ ଶିକ୍ଷାରେ ଯୀଶୁଙ୍କ କୃଶୀୟ ମୃତ୍ୟୁର ବର୍ଣ୍ଣନା ଅପରିହାର୍ଯ୍ୟ । କାରଣ ସେ ଆମ ଲାଗି ପାପର ବେତନକୁ ଶୁଝିଲେ ।


ଯୀଶୁଙ୍କ ପୁନରୁତ୍ଥାନ (୩୦,୩୪,୩୭ ପଦ) :

 ଯୀଶୁଙ୍କ ପୁନରୁତ୍ଥାନ ବିନା ଖ୍ରୀଷ୍ଟୀୟ ସୁସମାଚାର ଅସମ୍ପୂର୍ଣ୍ଣ  । ଖ୍ରୀଷ୍ଟ ବିଶ୍ବାସର ଭରସା ପୁନରୁତ୍ଥାନ ଉପରେ ପର୍ଯ୍ୟବେସିତ  । ତେଣୁ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ଈଶ୍ଵର କଦାପି କ୍ଷୟ ହେବାକୁ ଦେବେ ନାହିଁ (୩୫ ପଦ ) । 


ପାପ ମୋଚନର ଶିକ୍ଷା (୩୮ ପଦ): 

ବ୍ୟକ୍ତିଗତ ସ୍ତରରେ ସୁସମାଚାର ଶିକ୍ଷା ଜଣେ ବ୍ୟକ୍ତିର ପାପ କିପରି ମୋଚନ ହେବ, ତାହା ଜ୍ଞାତ କରାଏ । କାରଣ ଆମର ବାହ୍ୟିକ ପ୍ରଚେଷ୍ଟା କିମ୍ବା ବ୍ୟବସ୍ଥାର କଠୋର ଅନୁଶାସନ ଦ୍ଵାରା ମଧ୍ୟ ଧାର୍ମିକ ଗଣିତ ହେବା ଅସମ୍ଭବ । ତେଣୁ ଖ୍ରୀଷ୍ଟଙ୍କ ଠାରେ ନିଜକୁ ସମର୍ପଣ କରି ନିଜର ବ୍ୟକ୍ତିଗତ ପାପସ୍ଵୀକାର ପୂର୍ବକ ଯୀଶୁଙ୍କଠରେ ବିଶ୍ଵାସ କରି କ୍ଷମା ମାଗିଲେ, ଆମେ କ୍ଷମା ପାଇବା ଓ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେବା (୩୮ ପଦ) ।

ପଥଚାରୀ ଏବଂ ପଥରୋଧୀ

  ପଥଚାରୀ  ଏବଂ ପଥରୋଧୀ 

ଆଜିର ଚିନ୍ତା

ପ୍ରେରିତ ୧୩:୧-୧୨


ସୁସମାଚାର ପ୍ରଚାର ଓ ପ୍ରସାରରେ ମୋର ଭୂମିକା କ'ଣ ଅଛି ?

ପ୍ରଭୁ ଯୀଶୁ ତାଙ୍କ ସ୍ଵର୍ଗାରୋହଣ ସମୟରେ କହିଥିବା ଆଦେଶ ଅନୁଯାୟୀ ପ୍ରଥମ ଶତାବ୍ଦୀ ମଣ୍ଡଳୀର ବିଶ୍ବାସୀ ତଥା ପ୍ରଭୁଙ୍କ ଦାସମନେ ସୁସମାଚାରକୁ ବହୁଳ ଭାବରେ ପ୍ରଚାର କରୁଥିଲେ । କେବଳ ସାଧାରଣ ବର୍ଗଙ୍କ ମଧ୍ୟରେ ନୁହେଁ, ମାତ୍ର ସମ୍ଭ୍ରାନ୍ତ, ଧନୀ ଏବଂ ଶାସନକର୍ତ୍ତାମାନଙ୍କୁ ମଧ୍ୟ ନିର୍ଭୀକ ଭାବରେ ସୁସମାଚାର କହୁଥିଲେ ।


ସୁସମାଚାରର ପଥଚାରୀ:

 ଏଫିସ ୪:୧ ଅନୁଯାୟୀ ପ୍ରତ୍ୟକେ ଆପଣା ଆପଣା ଆହ୍ୱାନର ଯୋଗ୍ୟ ଆଚରଣ କରିବା ଆବଶ୍ୟକ । ତଦନୁଯାୟୀ ଶାଉଲ ଓ ବର୍ଣ୍ଣବବା ଆହ୍ୱାନର ଅନୁପାଳନ କରି ପ୍ରଚାର କରିବ ନିମନ୍ତେ ବାହାରି ଗଲେ । ସେମାନେ ଲକ୍ଷ୍ୟହୀନ କିମ୍ବା ଶକ୍ତିହୀନ ହୋଇ ଯାଇ ନ ଥିଲେ ବରଂ


1. ସେମାନେ ଉପବାସ ଓ ପ୍ରାର୍ଥନା କଲେ (୩ ପଦ)


2.ମଣ୍ଡଳୀର ବିଶ୍ବାସୀ ଓ ଅଭିଷିକ୍ତଗଣ ହସ୍ତାର୍ପଣ କରି ସେମାନଙ୍କୁ ପ୍ରେରଣ କଲେ (୩ ପଦ)


3.ସେମାନେ ପବିତ୍ର ଆତ୍ମାଙ୍କ ଦ୍ଵାରା ପ୍ରେରିତ ହୋଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ (୪ପଦ) ।


ବର୍ଣ୍ଣବବା ଓ ଶାଉଲ ସୁସମାଚାର ପ୍ରଚାର କାର୍ଯ୍ୟରେ ଅଗ୍ରସର ହେଲେ ପୁଣି ମାର୍କ ମଧ୍ୟ ସହଭାଗୀ ଅର୍ଥାତ୍ ପରିଚାରକ ହୋଇ ସାଙ୍ଗରେ ଥିଲେ । ମାର୍କଙ୍କ ଭୂମିକା ଅନ୍ୟଦ୍ୱୟଙ୍କ ତୁଳନାରେ ସାମାନ୍ୟ ନ ଥିଲା । 


ସୁସମାଚାରର ପଥରୋଧୀ: 

ସୁସମାଚାର ଯଦି ବାସ୍ତବରେ ପ୍ରଚାରିତ ହୁଏ, ତେବେ ଏହାର ବିରୋଧୀ ଓ ପଥରୋଧକ ମଧ୍ୟ ଯେ ଆସିବେ ଏହା ନିଶ୍ଚିତ । ଶାସନକର୍ତ୍ତା ସେର୍ଗିୟ  ପାଉଲଙ୍କୁ ସୁସମାଚାରରୁ ବିମୁଖ କରିବାକୁ ମାୟାବୀ ଅଲ୍ଲୀମା ପ୍ରତିରୋଧ କରିଥିଲା । ମାତ୍ର ଶାଉଲ ସେହି ସମୟରେ କୌଣସି ମନୁଷ୍ୟ କ୍ରୋଧରେ ପ୍ରତିକ୍ରିୟା କରି ନ ଥିଲେ ବରଂ ଲେଖାଅଛି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେହି ମାୟାବୀକୁ ଧମକ ଦେଲେ (୯,୧୦ ପଦ) । ତାହାର ଆନ୍ତରିକ କୁତ୍ସିତ ଉଦ୍ଦେଶ୍ୟସବୁକୁ ପଦାରେ ପକାଇଦେଲେ । ତାହାକୁ ଅନ୍ଧ କରାଇଲେ ।  

ଈଶ୍ୱରଙ୍କ ସୁସମାଚାରକୁ  କେହି ମଧ୍ୟ ପ୍ରତିରୋଧ କରି ନ ପାରେ । ଯଦି କେହି ପଥରୋଧ କରେ, ଈଶ୍ୱର ତାହାର ବିଚାର କରିବେ । ସେହି ଘଟଣାରେ ଈଶ୍ୱର ଗୌରବ ପାଇବା ସହ ଶାସନକର୍ତ୍ତା ଜଣକ ଶିକ୍ଷାରେ ବିଶ୍ଵାସ କଲେ ।

ଭୟାବହ ପରିସମାପ୍ତି

 ଭୟାବହ ପରିସମାପ୍ତି

ଆଜିର ଚିନ୍ତା

ପ୍ରେରିତ ୧୨:୧୮-୨୫

ଈଶ୍ୱରଙ୍କ ଗୌରବ ଦେବାରେ ମୁଁ ବିଫଳ ହୋଇଛି କି ?


ପୂର୍ବବର୍ତ୍ତୀ ପର୍ବମାନଙ୍କରେ ସ୍ୱର୍ଗଦୂତମାନେ କିପରି ଭିନ୍ନ ଭିନ୍ନ କାର୍ଯ୍ୟ ସାଧନ କରିଥିବା ବିଷୟ ପାଠ କରିଅଛୁ । ଆଜିର ଶାସ୍ତ୍ରାଂଶରେ ଜଣେ ସଂହାରକ ଦୂତ କିପରି ଦୁଷ୍ଟ ରାଜାଙ୍କୁ ଆଘାତ କରି ଭୟାବହ ଅନ୍ତିମ ଦଶା ଭୋଗ କରାଇଥିଲେ, ତାହା ଦେଖିବାକୁ ପାଉ । 


ହେରୋଦଙ୍କ କ୍ରୁରତା :

 ପିତରଙ୍କୁ ଯାକୁବଙ୍କ ପରି ବଧ କରିବାର ଅଭିପ୍ରାୟରେ ବିଫଳ ହେବା ପରେ ଅତ୍ୟନ୍ତ କ୍ରୋଧୀ ହେରୋଦ କାରବାର ସୈନ୍ୟଦଳଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ (୧୯ ପଦ) । ପୁଣି କାରଣ ଉଲ୍ଲେଖ ନ ଥିଲେ ହେଁ, ସୋର, ସୀଦୋନର ଲୋକଙ୍କ ଉପରେ ଭୟଙ୍କର ଭାବେ ଅସନ୍ତୁଷ୍ଟ ହେବା ତାଙ୍କର କ୍ରୂର ସ୍ୱଭାବର ପରିଚୟ ଦିଏ । ମନୁଷ୍ୟ କ୍ରୋଧାନ୍ଧ ହେଲେ ନିଜର ମାନସିକ ଭାରସାମ୍ୟ ହରାଇ ବସେ । ଫଳତଃ କ'ଣ ଠିକ୍ ଓ କ'ଣ ଭୁଲ୍  ତାହା ସେ ବୁଝି ନ ଥାଏ । ସେହି ଭୁଲ୍ ଆମେ ରାଜା ହେରୋଦଙ୍କ ଜୀବନରେ ଦେଖିବାକୁ ପାଉ । ଆମେ କ'ଣ କ୍ରୋଧାନ୍ଧ ହୋଇ ନିଜର ବିବେଚନା ଶକ୍ତି ହରାଉଛୁ କି ? ଏହା ଖ୍ରୀଷ୍ଟ ବିଶ୍ଵାସୀର ଜୀବନରେ ଶୋଭା ଦିଏ ନାହିଁ ।

 

ହେରୋଦଙ୍କ ଆତ୍ମବଢ଼ିମା: 

ହିତୋପଦେଶ ୨୧:୪ ରେ ଲେଖାଯାଏ, ଦୁଷ୍ଟ ଲୋକଙ୍କ ନିମନ୍ତେ ଅହଂକାର ଦୃଷ୍ଟି ଓ ଗର୍ବିତ ମନ ସେମାନଙ୍କ ପ୍ରଦୀପ ସ୍ୱରୂପ । ଗୀତ ୧୩୮:୬ ଲେଖାଯାଏ ,ସଦାପ୍ରଭୁ ଗର୍ବୀକି ଦୂରରୁ ଚିହ୍ନନ୍ତି । ଏକ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ରରେ ସଜ୍ଜିତ ହୋଇ ସିଂହାସନରେ ବସି ବକ୍ତୃତା ଦେବାବେଳେ ସେ ଚଟୁକାର ଲୋକଙ୍କଠାରୁ ପରୋକ୍ଷରେ ଈଶ୍ୱର  ତୁଲ୍ୟ ଗୌରବ ପାଇବାକୁ ମନ ବଳାଇଲେ । ସେତେବେଳେ ଦୂତ ତାଙ୍କୁ ଆଘାତ କରନ୍ତେ, ସେ ମୃତ୍ୟୁଶଯ୍ୟାରେ ପଡ଼ିଲେ । ଐତିହାସିକମାନେ ମତ ଦିଅନ୍ତି ଯେ, ସେହି ଦିନରେ ସେ ଏକ ଦୂରାରୋଗ୍ୟରେ  ପୀଡ଼ିତ ହୋଇ କୀଟ ଦ୍ଵାରା ତାଙ୍କର ଶରୀର କ୍ଷୟ ପାଇଲା ଓ ତାଙ୍କର ମୃତ୍ୟୁ ଭୟାବହ ହୋଇଥିଲା । ଈଶ୍ୱରଙ୍କୁ ତାଙ୍କର ପ୍ରାପ୍ୟ ଗୌରବ ଦେବାକୁ ବିଫଳ ହେଲେ , ମନୁଷ୍ୟମାନେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବେ । 

ଏହିପରି କଠିନ ଓ ଘଡିସନ୍ଧି ସମୟରେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ବନ୍ୟା ପ୍ଲାବିତ ନଦୀ ତୁଲ୍ୟ ଅଧିକ ବୃଦ୍ଧି ପାଇଥିଲା (୨୪ ପଦ) ।

ଅବିଶ୍ରାନ୍ତ ପ୍ରଚାର କାର୍ଯ୍ୟ

 ଅବିଶ୍ରାନ୍ତ ପ୍ରଚାର କାର୍ଯ୍ୟ

ଆଜିର ଚିନ୍ତା

ପ୍ରେରିତ ୧୧: ୧୯-୩୦

ଈଶ୍ୱରଙ୍କ ରାଜ୍ୟର ବୃଦ୍ଧିରେ ମୁଁ ସହାୟକ ଅଟେ କି ? 


ସୁସମାଚାରର ଶ୍ରୋତାମାନଙ୍କ ନିମନ୍ତେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଈଶ୍ୱର ସ୍ପଷ୍ଟ ଭାବେ ମଣ୍ଡଳୀର ଅଗ୍ରଗଣ୍ୟଙ୍କୁ ଜଣାଇଲେ; ତାହାର ଫଳାଫଳ ଅଦ୍ଭୁତ ଓ ସୁଦୂରପ୍ରସାରୀ ଥିଲା।  

ସଦାପ୍ରଭୁଙ୍କ ହସ୍ତ:

  ଯେତେବେଳେ ବିଶ୍ବାସୀମାନେ ପ୍ରବଳ ତାଡନା ହେତୁ ଅନ୍ୟତ୍ର ପଳାୟନ କରି ଯେଉଁ ସ୍ଥାନକୁ ଗଲେ ସେଠାରେ ପ୍ରଚାର କରିବାକୁ ଲାଗିଲେ, ସେତେବେଳେ ପ୍ରଭୁଙ୍କ ହସ୍ତ ସେମାନଙ୍କ ସହବର୍ତ୍ତୀ ଥିଲା (୧୯-୨୧ ପଦ) । ପ୍ରଥମେ ସେମାନେ କେବଳ ଯିହୁଦୀମାନଙ୍କ ନିକଟରେ ପ୍ରଚାର କରୁଥିଲେ, କିନ୍ତୁ ଆସ୍ତେ ଆସ୍ତେ ଅନ୍ୟ ଗୋଷ୍ଠୀ ଯଥା ଗ୍ରୀକ୍ ମାନଙ୍କ ମଧ୍ୟରେ ମଧ୍ୟ ସୁସମାଚାର ପ୍ରଚାର କଲେ । ତାଡନା ସମୟରେ ବା ଅନ୍ଯ ଗୋଷ୍ଠୀୟ ମଧ୍ୟରେ ସୁସମାଚାର ପ୍ରଚାର କରିବ ସମୟରେ, ବିଶ୍ବାସୀମାନଙ୍କ ଉପରେ ତଥା ସୁସମାଚାର ପ୍ରଚାରକମାନଙ୍କ ଉପରେ ଈଶ୍ୱରଙ୍କ ହସ୍ତ ରହିବା ନିତାନ୍ତ ଜରୁରୀ । ଏପରି ହେଲେ ପ୍ରଚାର କାର୍ଯ୍ୟରେ ବହୁଗୁଣ ଫଳ ଦେଖିପାରିବା । 


ପ୍ରଚାର କାର୍ଯ୍ୟର ତଦାରଖ :

ସୁସମାଚାର କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ତଥା ନୂତନ ବିଶ୍ବାସୀମାନଙ୍କୁ ଖ୍ରୀଷ୍ଟୀୟ ନେତାଙ୍କ ପରିଦର୍ଶନ ଓ ସେମାନଙ୍କ ଉପସ୍ଥିତି ଅନେକ ଉତ୍ସାହ, ସାହସ ପ୍ରଦାନ କରିଥାଏ । ବର୍ଣ୍ଣବାଙ୍କ ଉପସ୍ଥିତି ମଧ୍ୟ ବିଶ୍ବାସୀଙ୍କ ପାଇଁ ଉତ୍ସାହଜନକ ଥିଲା  । ଏହାଦ୍ବାରା ନିଜେ  ବର୍ଣ୍ଣବା ମଧ୍ୟ ଆନନ୍ଦିତ ହେଲେ (୨୩ ପଦ)  ।


ଉପରୋକ୍ତ ଦୁଇଟି ଫଳାଫଳ ଏକ ମହା ଉଦ୍ଦୀପନା  ଆଭାସ ଦିଏ । ଖ୍ରୀଷ୍ଟିୟାନର ପରିଚୟ ପ୍ରକୃତରେ ସେମାନଙ୍କର କାର୍ଯ୍ୟ ଶୈଳୀରୁ ଜଣାପଡେ ( ୨୬ ପଦ ) । ପରିବର୍ତ୍ତିତ ବିଶ୍ବାସୀ  ଓ ଶିଷ୍ୟମାନଙ୍କର ଅଭିବୃଦ୍ଧି ସୁସମାଚାର  କାର୍ଯ୍ୟ ନିମନ୍ତେ ଉତ୍ସାହ ଓ ଉଦ୍ଦୀପନା ଆଣିଦିଏ ।

ସାର୍ବଭୌମ ସୁସନ୍ଦେଶ

 ସାର୍ବଭୌମ ସୁସନ୍ଦେଶ 

ଆଜିର ଚିନ୍ତା

ପ୍ରେରିତ ୧୧:୧୮


ଈଶ୍ଵର ଯେ ସମସ୍ତ ମାନବ ଜାତିଙ୍କ ପରିତ୍ରାଣକର୍ତ୍ତା ଏହା ମୁଁ ବିଶ୍ଵାସ କରୁଛି କି ? 


ବର୍ତ୍ତମାନ ପୃଥିବୀରେ ଅନେକ ଧର୍ମ ରହିଅଛି । ମାତ୍ର ଖ୍ରୀଷ୍ଟ ଧର୍ମ ଏକ ଏପରି ଧର୍ମ ଯାହା ଗୋଟିଏ ସଂପ୍ରଦାୟ ବା ଗୋଷ୍ଠୀ ମଧ୍ୟରେ ସୀମିତ ନ ରହି, ସାରା ବିଶ୍ଵର ସମସ୍ତ ମାନବ ଜାତିର ପରିତ୍ରାଣ ନିମନ୍ତେ ଉଦ୍ଦିଷ୍ଟ ।  କାରଣ ଯୀଶୁ ସମଗ୍ର ମାନବ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ଭାଷାବାଦୀଙ୍କ ନିମନ୍ତେ ପ୍ରାଣ ଦେଲେ ଏବଂ ପ୍ରତ୍ୟେକ ସୁସମାଚାରକୁ ଶ୍ରବଣ କରିବାକୁ ଯୋଗ୍ୟ ଅଟନ୍ତି । ଏହାକୁ ବୁଝିବାକୁ ଅନେକେ ଅସମର୍ଥ । 


ବିରୋଧର ସମ୍ମୁଖୀନ:

ସୁସମାଚାର ପ୍ରଚାର କାର୍ଯ୍ୟରେ ନିଜର ପ୍ରିୟଜନଙ୍କଠାରୁ ବିରୋଧର ସମ୍ମୁଖୀନ ହେବା ନିଶ୍ଚିତ ଏକ ଅଦ୍ଭୁତ ଘଟଣା। କିନ୍ତୁ ଏହା ପଛରେ ବର୍ଣ୍ଣ ଵୈଷମ୍ୟର ଏକ କ୍ରୂର କାରଣ ଅତ୍ୟନ୍ତ ନିନ୍ଦନୀୟ (୨,୩ପଦ) । ଈଶ୍ଵର ଏହି ସନ୍ଦେହକୁ ଦୂର କରିବା ନିମନ୍ତେ ସ୍ପଷ୍ଟ ଦର୍ଶନ ଦେଖାଇଲେ । ଏହି ଦର୍ଶନର ବର୍ଣ୍ଣନା ୧୦,୧୧ ପର୍ବ ରେ ୩ ଥର ଦେଖିବାକୁ ପାଉ । ଏହା ବର୍ତ୍ତମାନ ମଧ୍ୟ ପ୍ରଯୁଜ୍ୟ ଯେ, ଯଦି କେହି ମଣ୍ଡଳୀରେ ନିଜକୁ ଶ୍ରେଷ୍ଠ ମନେ କରେ, ତେବେ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ, କାରଣ କ୍ରୁଶ ତଳେ ସମସ୍ତେ ଏକ । ସେ କାହାର ମୁଖାପେକ୍ଷା କରନ୍ତି ନାହିଁ (ଏଫି ୬:୯) । 


ଈଶ୍ୱରଙ୍କ ବଦାନ୍ୟତା : 

ଈଶ୍ଵର ଆପଣା ପ୍ରିୟଜନଙ୍କୁ ଆପଣା ଆତ୍ମାଙ୍କ ଦାନ ଦେବାରେ କୁଣ୍ଠିତ ହୁଅନ୍ତି ନାହିଁ । କେତେଜଣ ତାହାଙ୍କ ପୁତ୍ରଙ୍କ ଠାରେ ବିଶ୍ଵାସ କରନ୍ତି, ସେ ସମସ୍ତଙ୍କୁ ପରିତ୍ରାଣ ଦାନ କରନ୍ତି । କେହି ମଧ୍ୟ ଈଶ୍ୱରଙ୍କ ଦ୍ଵାରା ଅବହେଳିତ ହେବେ ନାହିଁ । ସେ ସମସ୍ତଙ୍କୁ ସ୍ୱର୍ଗୀୟ ଭଣ୍ଡାର ଖୋଲି ଦେଇଥାନ୍ତି (୧୫,୧୬ପଦ) । ଏହି ବିଷୟକୁ ଠିକ୍ ରୂପେ ବୁଝିଥିବା ବିଶ୍ଵାସୀମାନେ ଅନେକ ଅନୂନ୍ନତ ଗୋଷ୍ଠୀ, ଅପହଞ୍ଚ ଇଲାକାରେ ମଧ୍ୟ ଖ୍ରୀଷ୍ଟଙ୍କ ସୁସମାଚାରକୁ ପହଞ୍ଚାଇ ଅଛନ୍ତି । ତେଣୁ ଖ୍ରୀଷ୍ଟ ସମସ୍ତଙ୍କର ଓ ପରିତ୍ରାଣ ପାଇବାର ଅଧିକାର, ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ।