BN

ସାର୍ବଭୌମ ସୁସନ୍ଦେଶ

 ସାର୍ବଭୌମ ସୁସନ୍ଦେଶ 

ଆଜିର ଚିନ୍ତା

ପ୍ରେରିତ ୧୧:୧୮


ଈଶ୍ଵର ଯେ ସମସ୍ତ ମାନବ ଜାତିଙ୍କ ପରିତ୍ରାଣକର୍ତ୍ତା ଏହା ମୁଁ ବିଶ୍ଵାସ କରୁଛି କି ? 


ବର୍ତ୍ତମାନ ପୃଥିବୀରେ ଅନେକ ଧର୍ମ ରହିଅଛି । ମାତ୍ର ଖ୍ରୀଷ୍ଟ ଧର୍ମ ଏକ ଏପରି ଧର୍ମ ଯାହା ଗୋଟିଏ ସଂପ୍ରଦାୟ ବା ଗୋଷ୍ଠୀ ମଧ୍ୟରେ ସୀମିତ ନ ରହି, ସାରା ବିଶ୍ଵର ସମସ୍ତ ମାନବ ଜାତିର ପରିତ୍ରାଣ ନିମନ୍ତେ ଉଦ୍ଦିଷ୍ଟ ।  କାରଣ ଯୀଶୁ ସମଗ୍ର ମାନବ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ଭାଷାବାଦୀଙ୍କ ନିମନ୍ତେ ପ୍ରାଣ ଦେଲେ ଏବଂ ପ୍ରତ୍ୟେକ ସୁସମାଚାରକୁ ଶ୍ରବଣ କରିବାକୁ ଯୋଗ୍ୟ ଅଟନ୍ତି । ଏହାକୁ ବୁଝିବାକୁ ଅନେକେ ଅସମର୍ଥ । 


ବିରୋଧର ସମ୍ମୁଖୀନ:

ସୁସମାଚାର ପ୍ରଚାର କାର୍ଯ୍ୟରେ ନିଜର ପ୍ରିୟଜନଙ୍କଠାରୁ ବିରୋଧର ସମ୍ମୁଖୀନ ହେବା ନିଶ୍ଚିତ ଏକ ଅଦ୍ଭୁତ ଘଟଣା। କିନ୍ତୁ ଏହା ପଛରେ ବର୍ଣ୍ଣ ଵୈଷମ୍ୟର ଏକ କ୍ରୂର କାରଣ ଅତ୍ୟନ୍ତ ନିନ୍ଦନୀୟ (୨,୩ପଦ) । ଈଶ୍ଵର ଏହି ସନ୍ଦେହକୁ ଦୂର କରିବା ନିମନ୍ତେ ସ୍ପଷ୍ଟ ଦର୍ଶନ ଦେଖାଇଲେ । ଏହି ଦର୍ଶନର ବର୍ଣ୍ଣନା ୧୦,୧୧ ପର୍ବ ରେ ୩ ଥର ଦେଖିବାକୁ ପାଉ । ଏହା ବର୍ତ୍ତମାନ ମଧ୍ୟ ପ୍ରଯୁଜ୍ୟ ଯେ, ଯଦି କେହି ମଣ୍ଡଳୀରେ ନିଜକୁ ଶ୍ରେଷ୍ଠ ମନେ କରେ, ତେବେ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ, କାରଣ କ୍ରୁଶ ତଳେ ସମସ୍ତେ ଏକ । ସେ କାହାର ମୁଖାପେକ୍ଷା କରନ୍ତି ନାହିଁ (ଏଫି ୬:୯) । 


ଈଶ୍ୱରଙ୍କ ବଦାନ୍ୟତା : 

ଈଶ୍ଵର ଆପଣା ପ୍ରିୟଜନଙ୍କୁ ଆପଣା ଆତ୍ମାଙ୍କ ଦାନ ଦେବାରେ କୁଣ୍ଠିତ ହୁଅନ୍ତି ନାହିଁ । କେତେଜଣ ତାହାଙ୍କ ପୁତ୍ରଙ୍କ ଠାରେ ବିଶ୍ଵାସ କରନ୍ତି, ସେ ସମସ୍ତଙ୍କୁ ପରିତ୍ରାଣ ଦାନ କରନ୍ତି । କେହି ମଧ୍ୟ ଈଶ୍ୱରଙ୍କ ଦ୍ଵାରା ଅବହେଳିତ ହେବେ ନାହିଁ । ସେ ସମସ୍ତଙ୍କୁ ସ୍ୱର୍ଗୀୟ ଭଣ୍ଡାର ଖୋଲି ଦେଇଥାନ୍ତି (୧୫,୧୬ପଦ) । ଏହି ବିଷୟକୁ ଠିକ୍ ରୂପେ ବୁଝିଥିବା ବିଶ୍ଵାସୀମାନେ ଅନେକ ଅନୂନ୍ନତ ଗୋଷ୍ଠୀ, ଅପହଞ୍ଚ ଇଲାକାରେ ମଧ୍ୟ ଖ୍ରୀଷ୍ଟଙ୍କ ସୁସମାଚାରକୁ ପହଞ୍ଚାଇ ଅଛନ୍ତି । ତେଣୁ ଖ୍ରୀଷ୍ଟ ସମସ୍ତଙ୍କର ଓ ପରିତ୍ରାଣ ପାଇବାର ଅଧିକାର, ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । 

ଫଳପ୍ରଦ ସେବାକାର୍ଯ୍ୟ

 ଫଳପ୍ରଦ ସେବାକାର୍ଯ୍ୟ

ଆଜିର ଚିନ୍ତା

ପ୍ରେରିତ ୧୦:୨୪-୪୮

ମୁଁ ଈଶ୍ୱରଙ୍କ ଇଚ୍ଛାକୁ ବୁଝି ତାଙ୍କର ସେବାକାର୍ଯ୍ୟ କରିଥାଏ କି ? 


ଦର୍ଶନ ମାଧ୍ୟମରେ ପ୍ରାପ୍ତ ଓ କାର୍ଯ୍ୟଭାରକୁ ମାନ୍ୟ କରିବା ଦ୍ୱାରା କିପରି ମହାନ୍ ସେବାକାର୍ଯ୍ୟର ଫଳପ୍ରାପ୍ତ ହୋଇଥାଏ, ତାହା ଆଜିର ବାକ୍ୟାଂଶରେ ଦେଖିପାରୁ । 


ସେବାକାର୍ଯ୍ୟରେ ଈଶ୍ୱରଙ୍କ ଗୌରବ:

ଈଶ୍ୱରଙ୍କ ଦର୍ଶନ ମାଧ୍ୟମରେ ଅନ୍ୟ ଜାତିର ଲୋକଙ୍କୁ ସୁସମାଚାର ପ୍ରଚାର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ପ୍ରାପ୍ତ ହୋଇ ଶିମୋନ ପିତର କର୍ଣ୍ଣଲୀୟଙ୍କୁ ଭେଟିବାକୁ ଗଲେ । ସେଠାରେ ତାହାଙ୍କୁ ଦେଖି କର୍ଣ୍ଣଲୀୟ ଭୁମିଷ୍ଠ ପ୍ରଣାମ କଲେ । ଏଥିରେ ପିତର ତତକ୍ଷଣାତ୍ ତାଙ୍କୁ ବାଧା ଦେଲେ, କାରଣ 

  • ସମସ୍ତ ଗୌରବ, ମହିମା, ସମ୍ଭ୍ରମ ପାଇବାର ଯୋଗ୍ୟ କେବଳ ଈଶ୍ୱର ଅଟନ୍ତି । ଏହା ସେ ଜଣାଇବାକୁ ଚାହୁଥିଲେ (ମାଥିଉ ୪:୧୦) । 


  • ଅନେକ ସନ୍ତ ବା ଧର୍ମଗୁରୁଙ୍କ ଭଳି ମନୁଷ୍ୟଠାରୁ ବନ୍ଦନା ପାଇ ଲକ୍ଷ୍ୟ ଭ୍ରଷ୍ଟ ହେବାକୁ ସେ ଚାହୁ ନ ଥିଲେ (ଯୋହନ ୫:୪୩) ।


ସେବାକାର୍ଯ୍ୟରେ ପବିତ୍ର ଆତ୍ମାଙ୍କ ସହାୟ : 

ପିତରଙ୍କୁ ସ୍ଵାଗତ କଲାପରେ, ସେ ପିତରଙ୍କଠାରୁ ସୁସମାଚାର ଶୁଣିବାକୁ ଆଗ୍ରହର ସହ ବସିଲେ । କେବଳ ସେ ନୁହନ୍ତି, ତାଙ୍କ ପରିବାର ଓ ଅନେକ ଲୋକଙ୍କୁ ସେ ଆମନ୍ତ୍ରଣ କରିଥିଲେ । ଆମେ ଦେଖୁ ଯେ, ବାକ୍ୟ ଶୁଣିବା ସମୟରେ ସମସ୍ତେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ । 

ଏହି ଘଟଣା ଖ୍ରୀଷ୍ଟୀୟ ସୁସମାଚାର ପ୍ରଚାର କାର୍ଯ୍ୟର ଏକ ଆଦର୍ଶ ଅଥବା ଅନୁକରଣୀୟ ଘଟଣା କହିଲେ ଭୁଲ ହେବ ନାହିଁ, କାରଣ ସୁସମାଚାର ପ୍ରଚାର କାର୍ଯ୍ୟରେ ନିମ୍ନୋକ୍ତ ସମ୍ବାଦ ସବୁ ରହିବ ନିତ୍ୟାନ୍ତ ଆବଶ୍ୟକ । ଯଥା:


  • ଯୀଶୁଙ୍କ ଜୀବନୀ, ମୃତ୍ୟୁ, ପୁନରୁତ୍ଥାନ ଓ ସ୍ଵର୍ଗାରୋହଣ ।

  • ଯୀଶୁଙ୍କୁ ଜାଣି ନ ଥିବା ଲୋକଙ୍କ ମଧ୍ୟରେ ସାକ୍ଷ୍ୟ ପ୍ରଦାନ ।

  • ସେମାନଙ୍କୁ ପାପକ୍ଷମା ଓ ପରିତ୍ରାଣ ସମ୍ପର୍କିତ ଶିକ୍ଷା ଦେବା ।

  • ଶେଷରେ ପ୍ରତ୍ୟେକ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ।

ଏହି ଘଟଣାର ଆରମ୍ଭରୁ ଶେଷ, ଏହା ପ୍ରକାଶ କରେ ଯେ, ପବିତ୍ର ଆତ୍ମାଙ୍କ ନିର୍ଦ୍ଦେଶ ପାଳନ କଲେ, ମହାନ୍ ସେବାକାର୍ଯ୍ୟରେ ପ୍ରଚୁର ଫଳ ଦେଖିପାରିବ ।

ଈଶ୍ୱରଙ୍କ ଦର୍ଶନ

 ଈଶ୍ୱରଙ୍କ ଦର୍ଶନ 

ଆଜିର ଚିନ୍ତା

ପ୍ରେରିତ ୧୦:୧-୨୩

ସେବା କାର୍ଯ୍ୟରେ ମୁଁ ପାତର ଅନ୍ତର କରୁଛି କି ? 


ବାଇବଲର ଅନେକ ଘଟଣା ଦର୍ଶନ ଅଥବା ସ୍ଵପ୍ନାଦେଶ ସହିତ ଜଡ଼ିତ । ଉଦାହରଣ ସ୍ଵରୂପେ- ଯୀଶୁଙ୍କ ପିତା ଯୋଷେଫ ମରିୟମଙ୍କ ସଙ୍ଗେ ବିବାହ, ମିସର ପଳାୟନ, ଯାକୁବଙ୍କ ସପ୍ନ, ଫାରୋଙ୍କ ସପ୍ନ ଇତ୍ୟାଦି । ଏହିପରି ଦୁଇଟି ଘଟଣା ଆଜିର ଶାସ୍ତ୍ରାଂଶରେ ବର୍ଣ୍ଣିତ । 


ପରିତ୍ରାଣ ପ୍ରାପ୍ତି ନିମନ୍ତେ ଦର୍ଶନ (୩-୬ ପଦ) :

ମନୁଷ୍ୟର ଆଚରଣ ଓ କାର୍ଯ୍ୟ ସିଦ୍ଧ ଥିଲେ ହେଁ, ସୁସମାଚାର ବା ଯୀଶୁଙ୍କ ପ୍ରଦତ୍ତ ପରିତ୍ରାଣ ଅପରିହାର୍ଯ୍ୟ ଅଟେ । ଶତସେନାପତି ଜଣକ କର୍ତ୍ତବ୍ୟ ପାଳନ ଓ ଧର୍ମକର୍ମରେ ସିଦ୍ଧ ଥିଲେ ଏବଂ ସେସବୁ ଈଶ୍ୱରଙ୍କ ଦ୍ଵାରା ଗ୍ରହଣୀୟ ଥିଲା (୪ପଦ) । ଅର୍ଥାତ୍ ତାହାଙ୍କ କାର୍ଯ୍ୟରେ କୌଣସି କପଟତା ଅଥବା ଅଭିନୟର ଚିହ୍ନ ନ ଥିଲା । ତଥାପି ତାହାଙ୍କୁ ସୁସମାଚାର ଗ୍ରହଣ କରି ଯୀଶୁଙ୍କ ଠାରେ ବିଶ୍ଵାସ ସ୍ଥାପନ କରିବା ନିତାନ୍ତ ଆବଶ୍ୟକ ଥିଲା । ଏଣୁ ମନୁଷ୍ୟ ପରିତ୍ରାଣ ନିମନ୍ତେ ଯୀଶୁଙ୍କ ସୁସମାଚାରକୁ ଶ୍ରବଣ, ବିଶ୍ଵାସ ଓ ଗ୍ରହଣ କରିବା ଜରୁରୀ ଅଟେ । ପରିତ୍ରାଣ ସାଧନ ନିମନ୍ତେ ଯୀଶୁଙ୍କ ନାମ ଛଡ଼ା ଅନ୍ୟ ନାମ ଦିଆଯାଇ ନାହିଁ (ପ୍ରେରିତ ୪:୧୨) । 


ପରିତ୍ରାଣର ସମ୍ବାଦ ପରିବେଷଣ ନିମନ୍ତେ ଦର୍ଶନ (୧୦-୧୬ପଦ) :

ଦ୍ଵିତୀୟ ଦର୍ଶନଟି ପ୍ରେରିତ ପିତର ଦେଖିଲେ । ସୁସମାଚାରରେ ବର୍ଣ୍ଣଵୈଷ୍ୟମତା ନାହିଁ । ସୁସମାଚାର ପ୍ରଚାର ପାଇଁ ଯେଉଁ ଅଭ୍ୟାନ୍ତରୀଣ ବାଧା ଥିଲା, ତାହାକୁ ଏହି ଦର୍ଶନ ଦୂରେଇ ଦେଇଥିଲା । ପିତରଙ୍କୁ ସ୍ବତନ୍ତ୍ର ଓ ସ୍ପଷ୍ଟ, ଏକ ବାର୍ତ୍ତା ଦେବା ପାଇଁ ସ୍ୱର୍ଗ ଦୂତ ଏକ ଅଦ୍ଭୁତ ଦର୍ଶନ ଦେଖାଇଥିଲେ । ଦର୍ଶନ ମଧ୍ୟରେ ପିତରଙ୍କ ନାସ୍ତିବାଣୀ ଯେତେ ଥିଲା ତା' ଠାରୁ ଅଧିକ ଦୃଢ଼ ଥିଲା ଏହା ସହିତ ଜଡ଼ିତ ବାର୍ତ୍ତା । ଅର୍ଥାତ୍ ସୁସମାଚାରର ସମସ୍ତ ଗୋଷ୍ଠୀ, ବର୍ଣ୍ଣ ଓ ଜାତିର ଲୋକଙ୍କୁ ନିକଟରେ ପ୍ରଚାର କରିବା ଆବଶ୍ୟକ ଥିଲା । କୌଣସି ନିର୍ଦ୍ଦିଷ୍ଟ ପୂର୍ବ ନିର୍ଦ୍ଧାରିତ ଗୋଷ୍ଠୀକୁ କେବଳ ନୁହେଁ । (ପ୍ରେରିତ ୧:୮, ମାଥିଉ ୧୮:୧୯) ।


ପ୍ରଥମ ଶତାବ୍ଦୀରେ ମଣ୍ଡଳୀର ବୃଦ୍ଧି ଏବଂ ସୁସମାଚାର ପ୍ରସାରଣ ଦିଗରେ ଏହି ଘଟଣା ଏକ ଭିନ୍ନ ମୋଡ଼ ଆଣି ଦେଇଥିଲା । ଯଦ୍ୱାରା ପିତର ଈଶ୍ୱରଙ୍କ ଠାରୁ ସ୍ପଷ୍ଟ ନିର୍ଦ୍ଦେଶ ପାଇଥିଲେ । କୌଣସି ବ୍ୟକ୍ତି ଯଦି ଆତ୍ମାରେ ତୃଷିତ ଓ କ୍ଷୁଧିତ ତାହାକୁ ଯୀଶୁଙ୍କ ସୁସମାଚାର ରୂପକ ଜୀବନ୍ତ ରୋଟିରୁ ବଞ୍ଚିତ କରା ନ ଯାଉ । 

ସେବାକାର୍ଯ୍ୟରେ ସହଭାଗୀ

 ସେବାକାର୍ଯ୍ୟରେ ସହଭାଗୀ

ଆଜିର ଚିନ୍ତା 

ପ୍ରେରିତ ୯:୩୨-୪୩

ମୋର ସେବାକାର୍ଯ୍ଯ ଦ୍ଵାରା ଲୋକମାନେ ପ୍ରଭୁଙ୍କଠାରେ ବିଶ୍ଵାସ କରିଛନ୍ତି କି ? 


ଶମଗରଙ୍କ ଗୋ କଣ୍ଟକ - ପାଞ୍ଚଣ, ଦାଉଦଙ୍କ ଛାଟେଣି, ସାମଶୋନଙ୍କ ଗଧ ଥୋମଣି, ହାରୋଣଙ୍କ ଯଷ୍ଟି, ମରିୟମଙ୍କ ଜଟାମାଂସୀ ତୈଳ, ଦର୍କାଙ୍କ ଛୁଞ୍ଚି ଇତ୍ୟାଦି କ୍ଷୁୁଦ୍ର ହେଲେ ହେଁ ଈଶ୍ୱରଙ୍କ ଦୃଷ୍ଟିରେ ମହାନ୍ ଅଟେ । ଅଧିକନ୍ତୁ ପିମ୍ପୁଡ଼ି, ଶାଫନ, ପଙ୍ଗପାଳ ଓ ବୁଢ଼ୀଆଣି କ୍ଷୁୁଦ୍ର ପ୍ରାଣୀ ହେଲେ ହେଁ ଜ୍ଞାନୀ ଶଲୋମନ ସେମାନଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଭୁଙ୍କ ଦୃଷ୍ଟିରେ କେହି ନଗଣ୍ୟ ନୁହନ୍ତି । 


ସେବାକାର୍ଯ୍ୟର ସହଭାଗୀ ଦର୍କା:


ପଠିତାଂଶର ମୁଖ୍ୟ ଆକଷର୍ଣ ଦର୍କା । ଗ୍ରୀକ ଭାଷାରେ 'ଦର୍କା' ଏବଂ ସିରିଆ ଭାଷାରେ 'ଟାବିଥା'। ଉଭୟ ଶବ୍ଦର ଅର୍ଥ ହରିଣୀ । ସେହି ସମୟରେ ପ୍ରାଚ୍ୟ ଭାଗର ଲୋକେ ଝିଅମାନଙ୍କୁ ଗେହ୍ଲାରେ ସୁନ୍ଦର ବନ୍ୟ ପ୍ରାଣୀମାନଙ୍କ ନାମ ଦେଇ ସ୍ନେହ ପ୍ରଦର୍ଶନ କରୁଥିଲେ । ଦର୍କା ନାନା ସତ୍କର୍ମ ଓ ନାନା ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲେ (୩୬ପଦ) । ତାଙ୍କଠାରେ ଥିଲା ସତ୍କର୍ମଦାନ କରିବା ଗୁଣ । ଆମେ ମଧ୍ୟ ସତ୍ କାର୍ଯ୍ୟ କରୁ ବୋଲି ଈଶ୍ଵର ଇଚ୍ଛା କରନ୍ତି ( ଏଫି ୨:୧୦) । ଏଣୁ ଆମେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ (ଗାଲା ୬:୯) । ଦର୍କା ନିଃସହାୟ ଓ ବିଧବାମାନଙ୍କ ପ୍ରତି ଦୟାରେ ବିଗଳିତ ହେଉ ଥିଲା । ତଦ୍ୱାରା ସେ ଈଶ୍ଵର ଓ ମନୁଷ୍ୟ ପ୍ରତି ପ୍ରେମ ପ୍ରକାଶ କରୁଥିଲେ । ଅଧିକନ୍ତୁ, ସେ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ । ଅନେକେ ଦାନ ପାଇବା ପାଇଁ ଆଗ୍ରହୀ ହୁଅନ୍ତି, କିନ୍ତୁ ଦାନ ଦେବାରେ କୁଣ୍ଠିତ ହୁଅନ୍ତି । ଦାନ ଦେବାରେ ଯେଉଁ ଆନନ୍ଦ ଥାଏ, ତାହା ଅନେକେ ଜାଣନ୍ତି ନାହିଁ । ଏହା ଏକାନ୍ତ ସତ୍ୟ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର' (ପ୍ରେରିତ ୨୦:୩୫) ।


ମୃତ୍ୟୁଞ୍ଜୟୀ ଦର୍କା:


ଦର୍କାଙ୍କ ମୃତ୍ୟୁରେ ବିଧବାମାନେ ବିଳାପ କରିଥିଲେ । ସେ ସେମାନଙ୍କ ସାଙ୍ଗରେ ଥିବା ବେଳେ ଯେଉଁସବୁ ଅଙ୍ଗରେଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ, ସେସବୁ ପିତରଙ୍କୁୁ ଦେଖାଇ ସେମାନେ ଆକୁଳ ଚିତ୍ତରେ କ୍ରନ୍ଦନ କରିଥିଲେ (୩୯ପଦ) । ପିତର ଆଣ୍ଠୁମାଡ଼ି ପ୍ରାର୍ଥନା କରିଥିଲେ ପୁଣି କହିଥିଲେ, ଟାବିଥା ଅର୍ଥାତ ଉଠ (୪୦ପଦ) । ସେହି କ୍ଷଣି ଦର୍କା ମୃତ୍ୟୁକୁ ଜୟ କରି ଜୀବିତ ହୋଇଥିଲେ । ସେଦିନ ପିତରଙ୍କ ଦ୍ଵାରା ଅନେକେ ପ୍ରଭୁଙ୍କଠାରେ ବିଶ୍ଵାସ କଲେ । (୪୨ପଦ) ଆଜି ଆମ ଦ୍ଵାରା କେତେଜଣ ପ୍ରଭୁଙ୍କୁ ବିଶ୍ଵାସ କରିଛନ୍ତି ? ସୁସମାଚାର କାର୍ଯ୍ୟ କେବଳ ପାଳକ, ପ୍ରଚାରକଙ୍କ କାର୍ଯ୍ୟ ନୁହେଁ, ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ଵାସୀର ଦାୟିତ୍ବ, ଏହା ଆମେ ଭୁଲି ନ ଯାଉ । 

ଜଣେ ତାଡନାକାରୀର ପରିବର୍ତ୍ତନ

 ଜଣେ ତାଡନାକାରୀର ପରିବର୍ତ୍ତନ 

ଆଜିର ଚିନ୍ତା

ପ୍ରେରିତ ୯:୧-୧୯

ପ୍ରଭୁଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ


ଦମ୍ମେସକ ପଶ୍ଚିମ ଏସିଆର ଏକ ଅତି ପୁରାତନ ଜନବହୁଳ ନଗର ଥିଲା, ଶାଉଲଙ୍କ ସମୟରେ ଏହା ପାଲେଷ୍ଟାଇନ ଓ ଭୂମଧ୍ୟ ସାଗରୀୟ ଅଞ୍ଚଳ ମଧ୍ୟରେ ଏକ ପ୍ରଧାନ ବାଣିଜ୍ୟ ନଗର ଥିଲା । ଦମ୍ମେସକର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସିଧାସଳଖ ଏକ ଦୀର୍ଘ ପଥ ଲମ୍ବି ଯାଇଥିଲା । ତାହା ସଳଖ ନାମକ ପଥ ।  ଏହାର ଅନ୍ୟ ପଥ ସବୁ ସଂକୀର୍ଣ୍ଣ  ଓ ଅଙ୍କାବଙ୍କା । ତାର୍ଷ, ପର୍ବତମାଳା ଦେଇ ଯାଇଥିଲା ଏକ ବାଣିଜ୍ୟ ପଥ । ଗ୍ରୀସ୍ ର ଏଥେନ୍ସ ଓ ମିସରର ଆଲେକଜାଣ୍ଡିଆ ଭଳି ତାର୍ଷ ନଗରର ଏକ ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଥିଲା । ଶାଉଲଙ୍କ ଜନ୍ମ ସ୍ଥାନ ତାର୍ଷ । ତାହାଙ୍କ ଯିହୁଦୀ ନାମ ଶାଉଲ ଏବଂ ଗ୍ରୀକ୍ ନାମ ପାଉଲ । 


ଆଘାତ ଓ ଦର୍ଶନ : 

ଆଜିର ପଠିତାଶଂରେ ‌ରହିଛି, ଦମ୍ମେସକ ପଥରେ ଶାଉଲଙ୍କ ମନ ପରିବର୍ତ୍ତନ ଘଟଣା । ତାଡନାକାରୀ ଶାଉଲ ପ୍ରାଣଦାନକାରୀ ପାଉଲରେ ପରିଣତ ହେବ ବିଷୟ ଆଶ୍ଚର୍ଯ୍ୟ ନୁହେଁ କି ? ଦମ୍ମେସକ ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା । ସେ ଭୂମିରେ ପଡ଼ି ଯାଇଥିଲେ (୩-୪ ପଦ) । "ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ଠିଆ ହୋଇ ରହିଲେ "( ୮ ପଦ ) ।


ଆହ୍ୱାନ ଓ ମନୋନୟନ :

 ଏ ସଂପର୍କରେ ପାଉଲ ନିଜେ ପ୍ରକାଶ କରିଛନ୍ତି, "ଯେଉଁମାନେ ମୋ' ସାଙ୍ଗରେ ଥିଲେ, ସେମାନେ ସେ ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ୱର ଶୁଣିଲେ ନାହିଁ" (ପ୍ରେରିତ ୨୨:୯) । ଉପରୋକ୍ତ ପଦଦ୍ୱୟ ପରସ୍ପର ବିରୋଧାଭାଷ ପରି ମନେହୁଏ । 'ଶୁଣି' ଓ 'ଶୁଣିଲେ  ନାହିଁ' ଏପରି ବାକ୍ୟ ଉଲ୍ଲେଖ କରାଯାଇଛି । ପବିତ୍ରଆତ୍ମାଙ୍କ ଦ୍ଵାରା ଲିଖିତ ବାକ୍ୟରେ ବିରୋଧାଭାଷ ରହିବ କାହିଁକି ? ତେଣୁ ତାହା ଆଦୌ ବିରୋଧାଭାଷ ନୁହେଁ । ଯେଉଁମାନେ ଶାଉଲଙ୍କ ସାଙ୍ଗରେ ଯାତ୍ରା କରୁଥିଲେ ସେମାନେ କେବଳ ଶବ୍ଦ ଶୁଣିଥିଲେ, କିନ୍ତୁ ସ୍ୱର ନୁହେଁ, ସ୍ୱର ଶୁଣିଥିଲେ ଶାଉଲ । ଆମେ ଜାଣି ରଖିବା ଉଚିତ୍ ଯେ, ଈଶ୍ୱରଙ୍କ  ବାକ୍ୟ ଅବିଶ୍ବାସୀମାନଙ୍କ ନିମନ୍ତେ ଶବ୍ଦ, କିନ୍ତୁ ବିଶ୍ବାସୀମାନଙ୍କ  ନିମନ୍ତେ ତାହା ସ୍ୱର । ଯେଉଁମାନେ ପ୍ରକୃତ ମେଷ ସେମାନେ ତାହାଙ୍କର ସ୍ୱର ଶୁଣନ୍ତି ଓ ଚିହ୍ନନ୍ତି (ଯୋହନ ୧୦:୩-୪) । ଆଜି ଆମ ପାଇଁ ତାହାଙ୍କ ବାକ୍ୟ ଶବ୍ଦ ନା ସ୍ୱର? ପରବର୍ତ୍ତୀ ସମୟରେ ଶାଉଲ ପରିତ୍ରାଣକର୍ତ୍ତାଙ୍କର ପରିଚୟ ପାଇ, ତାଙ୍କ ଆହ୍ୱାନର ବାଧ୍ୟ ହୋଇଥିଲେ ।