BN

ଜଣେ ତାଡନାକାରୀର ପରିବର୍ତ୍ତନ

 ଜଣେ ତାଡନାକାରୀର ପରିବର୍ତ୍ତନ 

ଆଜିର ଚିନ୍ତା

ପ୍ରେରିତ ୯:୧-୧୯

ପ୍ରଭୁଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ


ଦମ୍ମେସକ ପଶ୍ଚିମ ଏସିଆର ଏକ ଅତି ପୁରାତନ ଜନବହୁଳ ନଗର ଥିଲା, ଶାଉଲଙ୍କ ସମୟରେ ଏହା ପାଲେଷ୍ଟାଇନ ଓ ଭୂମଧ୍ୟ ସାଗରୀୟ ଅଞ୍ଚଳ ମଧ୍ୟରେ ଏକ ପ୍ରଧାନ ବାଣିଜ୍ୟ ନଗର ଥିଲା । ଦମ୍ମେସକର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସିଧାସଳଖ ଏକ ଦୀର୍ଘ ପଥ ଲମ୍ବି ଯାଇଥିଲା । ତାହା ସଳଖ ନାମକ ପଥ ।  ଏହାର ଅନ୍ୟ ପଥ ସବୁ ସଂକୀର୍ଣ୍ଣ  ଓ ଅଙ୍କାବଙ୍କା । ତାର୍ଷ, ପର୍ବତମାଳା ଦେଇ ଯାଇଥିଲା ଏକ ବାଣିଜ୍ୟ ପଥ । ଗ୍ରୀସ୍ ର ଏଥେନ୍ସ ଓ ମିସରର ଆଲେକଜାଣ୍ଡିଆ ଭଳି ତାର୍ଷ ନଗରର ଏକ ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଥିଲା । ଶାଉଲଙ୍କ ଜନ୍ମ ସ୍ଥାନ ତାର୍ଷ । ତାହାଙ୍କ ଯିହୁଦୀ ନାମ ଶାଉଲ ଏବଂ ଗ୍ରୀକ୍ ନାମ ପାଉଲ । 


ଆଘାତ ଓ ଦର୍ଶନ : 

ଆଜିର ପଠିତାଶଂରେ ‌ରହିଛି, ଦମ୍ମେସକ ପଥରେ ଶାଉଲଙ୍କ ମନ ପରିବର୍ତ୍ତନ ଘଟଣା । ତାଡନାକାରୀ ଶାଉଲ ପ୍ରାଣଦାନକାରୀ ପାଉଲରେ ପରିଣତ ହେବ ବିଷୟ ଆଶ୍ଚର୍ଯ୍ୟ ନୁହେଁ କି ? ଦମ୍ମେସକ ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା । ସେ ଭୂମିରେ ପଡ଼ି ଯାଇଥିଲେ (୩-୪ ପଦ) । "ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ଠିଆ ହୋଇ ରହିଲେ "( ୮ ପଦ ) ।


ଆହ୍ୱାନ ଓ ମନୋନୟନ :

 ଏ ସଂପର୍କରେ ପାଉଲ ନିଜେ ପ୍ରକାଶ କରିଛନ୍ତି, "ଯେଉଁମାନେ ମୋ' ସାଙ୍ଗରେ ଥିଲେ, ସେମାନେ ସେ ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ୱର ଶୁଣିଲେ ନାହିଁ" (ପ୍ରେରିତ ୨୨:୯) । ଉପରୋକ୍ତ ପଦଦ୍ୱୟ ପରସ୍ପର ବିରୋଧାଭାଷ ପରି ମନେହୁଏ । 'ଶୁଣି' ଓ 'ଶୁଣିଲେ  ନାହିଁ' ଏପରି ବାକ୍ୟ ଉଲ୍ଲେଖ କରାଯାଇଛି । ପବିତ୍ରଆତ୍ମାଙ୍କ ଦ୍ଵାରା ଲିଖିତ ବାକ୍ୟରେ ବିରୋଧାଭାଷ ରହିବ କାହିଁକି ? ତେଣୁ ତାହା ଆଦୌ ବିରୋଧାଭାଷ ନୁହେଁ । ଯେଉଁମାନେ ଶାଉଲଙ୍କ ସାଙ୍ଗରେ ଯାତ୍ରା କରୁଥିଲେ ସେମାନେ କେବଳ ଶବ୍ଦ ଶୁଣିଥିଲେ, କିନ୍ତୁ ସ୍ୱର ନୁହେଁ, ସ୍ୱର ଶୁଣିଥିଲେ ଶାଉଲ । ଆମେ ଜାଣି ରଖିବା ଉଚିତ୍ ଯେ, ଈଶ୍ୱରଙ୍କ  ବାକ୍ୟ ଅବିଶ୍ବାସୀମାନଙ୍କ ନିମନ୍ତେ ଶବ୍ଦ, କିନ୍ତୁ ବିଶ୍ବାସୀମାନଙ୍କ  ନିମନ୍ତେ ତାହା ସ୍ୱର । ଯେଉଁମାନେ ପ୍ରକୃତ ମେଷ ସେମାନେ ତାହାଙ୍କର ସ୍ୱର ଶୁଣନ୍ତି ଓ ଚିହ୍ନନ୍ତି (ଯୋହନ ୧୦:୩-୪) । ଆଜି ଆମ ପାଇଁ ତାହାଙ୍କ ବାକ୍ୟ ଶବ୍ଦ ନା ସ୍ୱର? ପରବର୍ତ୍ତୀ ସମୟରେ ଶାଉଲ ପରିତ୍ରାଣକର୍ତ୍ତାଙ୍କର ପରିଚୟ ପାଇ, ତାଙ୍କ ଆହ୍ୱାନର ବାଧ୍ୟ ହୋଇଥିଲେ ।

1 comment:

Kindly give your suggestions or appreciation!!!