BN

ସେବାକାର୍ଯ୍ୟରେ ସହଭାଗୀ

 ସେବାକାର୍ଯ୍ୟରେ ସହଭାଗୀ

ଆଜିର ଚିନ୍ତା 

ପ୍ରେରିତ ୯:୩୨-୪୩

ମୋର ସେବାକାର୍ଯ୍ଯ ଦ୍ଵାରା ଲୋକମାନେ ପ୍ରଭୁଙ୍କଠାରେ ବିଶ୍ଵାସ କରିଛନ୍ତି କି ? 


ଶମଗରଙ୍କ ଗୋ କଣ୍ଟକ - ପାଞ୍ଚଣ, ଦାଉଦଙ୍କ ଛାଟେଣି, ସାମଶୋନଙ୍କ ଗଧ ଥୋମଣି, ହାରୋଣଙ୍କ ଯଷ୍ଟି, ମରିୟମଙ୍କ ଜଟାମାଂସୀ ତୈଳ, ଦର୍କାଙ୍କ ଛୁଞ୍ଚି ଇତ୍ୟାଦି କ୍ଷୁୁଦ୍ର ହେଲେ ହେଁ ଈଶ୍ୱରଙ୍କ ଦୃଷ୍ଟିରେ ମହାନ୍ ଅଟେ । ଅଧିକନ୍ତୁ ପିମ୍ପୁଡ଼ି, ଶାଫନ, ପଙ୍ଗପାଳ ଓ ବୁଢ଼ୀଆଣି କ୍ଷୁୁଦ୍ର ପ୍ରାଣୀ ହେଲେ ହେଁ ଜ୍ଞାନୀ ଶଲୋମନ ସେମାନଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ପ୍ରଭୁଙ୍କ ଦୃଷ୍ଟିରେ କେହି ନଗଣ୍ୟ ନୁହନ୍ତି । 


ସେବାକାର୍ଯ୍ୟର ସହଭାଗୀ ଦର୍କା:


ପଠିତାଂଶର ମୁଖ୍ୟ ଆକଷର୍ଣ ଦର୍କା । ଗ୍ରୀକ ଭାଷାରେ 'ଦର୍କା' ଏବଂ ସିରିଆ ଭାଷାରେ 'ଟାବିଥା'। ଉଭୟ ଶବ୍ଦର ଅର୍ଥ ହରିଣୀ । ସେହି ସମୟରେ ପ୍ରାଚ୍ୟ ଭାଗର ଲୋକେ ଝିଅମାନଙ୍କୁ ଗେହ୍ଲାରେ ସୁନ୍ଦର ବନ୍ୟ ପ୍ରାଣୀମାନଙ୍କ ନାମ ଦେଇ ସ୍ନେହ ପ୍ରଦର୍ଶନ କରୁଥିଲେ । ଦର୍କା ନାନା ସତ୍କର୍ମ ଓ ନାନା ଦାନ କ୍ରିୟାରେ ପରିପୂର୍ଣ୍ଣ ଥିଲେ (୩୬ପଦ) । ତାଙ୍କଠାରେ ଥିଲା ସତ୍କର୍ମଦାନ କରିବା ଗୁଣ । ଆମେ ମଧ୍ୟ ସତ୍ କାର୍ଯ୍ୟ କରୁ ବୋଲି ଈଶ୍ଵର ଇଚ୍ଛା କରନ୍ତି ( ଏଫି ୨:୧୦) । ଏଣୁ ଆମେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ (ଗାଲା ୬:୯) । ଦର୍କା ନିଃସହାୟ ଓ ବିଧବାମାନଙ୍କ ପ୍ରତି ଦୟାରେ ବିଗଳିତ ହେଉ ଥିଲା । ତଦ୍ୱାରା ସେ ଈଶ୍ଵର ଓ ମନୁଷ୍ୟ ପ୍ରତି ପ୍ରେମ ପ୍ରକାଶ କରୁଥିଲେ । ଅଧିକନ୍ତୁ, ସେ ଦାନକ୍ରିୟାରେ ପୂର୍ଣ୍ଣ ଥିଲେ । ଅନେକେ ଦାନ ପାଇବା ପାଇଁ ଆଗ୍ରହୀ ହୁଅନ୍ତି, କିନ୍ତୁ ଦାନ ଦେବାରେ କୁଣ୍ଠିତ ହୁଅନ୍ତି । ଦାନ ଦେବାରେ ଯେଉଁ ଆନନ୍ଦ ଥାଏ, ତାହା ଅନେକେ ଜାଣନ୍ତି ନାହିଁ । ଏହା ଏକାନ୍ତ ସତ୍ୟ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର' (ପ୍ରେରିତ ୨୦:୩୫) ।


ମୃତ୍ୟୁଞ୍ଜୟୀ ଦର୍କା:


ଦର୍କାଙ୍କ ମୃତ୍ୟୁରେ ବିଧବାମାନେ ବିଳାପ କରିଥିଲେ । ସେ ସେମାନଙ୍କ ସାଙ୍ଗରେ ଥିବା ବେଳେ ଯେଉଁସବୁ ଅଙ୍ଗରେଖା ଓ ବସ୍ତ୍ରଗୁଡ଼ିକ ବନାଇଥିଲେ, ସେସବୁ ପିତରଙ୍କୁୁ ଦେଖାଇ ସେମାନେ ଆକୁଳ ଚିତ୍ତରେ କ୍ରନ୍ଦନ କରିଥିଲେ (୩୯ପଦ) । ପିତର ଆଣ୍ଠୁମାଡ଼ି ପ୍ରାର୍ଥନା କରିଥିଲେ ପୁଣି କହିଥିଲେ, ଟାବିଥା ଅର୍ଥାତ ଉଠ (୪୦ପଦ) । ସେହି କ୍ଷଣି ଦର୍କା ମୃତ୍ୟୁକୁ ଜୟ କରି ଜୀବିତ ହୋଇଥିଲେ । ସେଦିନ ପିତରଙ୍କ ଦ୍ଵାରା ଅନେକେ ପ୍ରଭୁଙ୍କଠାରେ ବିଶ୍ଵାସ କଲେ । (୪୨ପଦ) ଆଜି ଆମ ଦ୍ଵାରା କେତେଜଣ ପ୍ରଭୁଙ୍କୁ ବିଶ୍ଵାସ କରିଛନ୍ତି ? ସୁସମାଚାର କାର୍ଯ୍ୟ କେବଳ ପାଳକ, ପ୍ରଚାରକଙ୍କ କାର୍ଯ୍ୟ ନୁହେଁ, ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ଵାସୀର ଦାୟିତ୍ବ, ଏହା ଆମେ ଭୁଲି ନ ଯାଉ । 

1 comment:

Kindly give your suggestions or appreciation!!!