BN

ଜଣେ ତାଡନାକାରୀର ପରିବର୍ତ୍ତନ

 ଜଣେ ତାଡନାକାରୀର ପରିବର୍ତ୍ତନ 

ଆଜିର ଚିନ୍ତା

ପ୍ରେରିତ ୯:୧-୧୯

ପ୍ରଭୁଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ


ଦମ୍ମେସକ ପଶ୍ଚିମ ଏସିଆର ଏକ ଅତି ପୁରାତନ ଜନବହୁଳ ନଗର ଥିଲା, ଶାଉଲଙ୍କ ସମୟରେ ଏହା ପାଲେଷ୍ଟାଇନ ଓ ଭୂମଧ୍ୟ ସାଗରୀୟ ଅଞ୍ଚଳ ମଧ୍ୟରେ ଏକ ପ୍ରଧାନ ବାଣିଜ୍ୟ ନଗର ଥିଲା । ଦମ୍ମେସକର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସିଧାସଳଖ ଏକ ଦୀର୍ଘ ପଥ ଲମ୍ବି ଯାଇଥିଲା । ତାହା ସଳଖ ନାମକ ପଥ ।  ଏହାର ଅନ୍ୟ ପଥ ସବୁ ସଂକୀର୍ଣ୍ଣ  ଓ ଅଙ୍କାବଙ୍କା । ତାର୍ଷ, ପର୍ବତମାଳା ଦେଇ ଯାଇଥିଲା ଏକ ବାଣିଜ୍ୟ ପଥ । ଗ୍ରୀସ୍ ର ଏଥେନ୍ସ ଓ ମିସରର ଆଲେକଜାଣ୍ଡିଆ ଭଳି ତାର୍ଷ ନଗରର ଏକ ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଥିଲା । ଶାଉଲଙ୍କ ଜନ୍ମ ସ୍ଥାନ ତାର୍ଷ । ତାହାଙ୍କ ଯିହୁଦୀ ନାମ ଶାଉଲ ଏବଂ ଗ୍ରୀକ୍ ନାମ ପାଉଲ । 


ଆଘାତ ଓ ଦର୍ଶନ : 

ଆଜିର ପଠିତାଶଂରେ ‌ରହିଛି, ଦମ୍ମେସକ ପଥରେ ଶାଉଲଙ୍କ ମନ ପରିବର୍ତ୍ତନ ଘଟଣା । ତାଡନାକାରୀ ଶାଉଲ ପ୍ରାଣଦାନକାରୀ ପାଉଲରେ ପରିଣତ ହେବ ବିଷୟ ଆଶ୍ଚର୍ଯ୍ୟ ନୁହେଁ କି ? ଦମ୍ମେସକ ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା । ସେ ଭୂମିରେ ପଡ଼ି ଯାଇଥିଲେ (୩-୪ ପଦ) । "ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକି ନ ଦେଖିବାରୁ ଅବାକ୍ ହୋଇ ଠିଆ ହୋଇ ରହିଲେ "( ୮ ପଦ ) ।


ଆହ୍ୱାନ ଓ ମନୋନୟନ :

 ଏ ସଂପର୍କରେ ପାଉଲ ନିଜେ ପ୍ରକାଶ କରିଛନ୍ତି, "ଯେଉଁମାନେ ମୋ' ସାଙ୍ଗରେ ଥିଲେ, ସେମାନେ ସେ ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ୱର ଶୁଣିଲେ ନାହିଁ" (ପ୍ରେରିତ ୨୨:୯) । ଉପରୋକ୍ତ ପଦଦ୍ୱୟ ପରସ୍ପର ବିରୋଧାଭାଷ ପରି ମନେହୁଏ । 'ଶୁଣି' ଓ 'ଶୁଣିଲେ  ନାହିଁ' ଏପରି ବାକ୍ୟ ଉଲ୍ଲେଖ କରାଯାଇଛି । ପବିତ୍ରଆତ୍ମାଙ୍କ ଦ୍ଵାରା ଲିଖିତ ବାକ୍ୟରେ ବିରୋଧାଭାଷ ରହିବ କାହିଁକି ? ତେଣୁ ତାହା ଆଦୌ ବିରୋଧାଭାଷ ନୁହେଁ । ଯେଉଁମାନେ ଶାଉଲଙ୍କ ସାଙ୍ଗରେ ଯାତ୍ରା କରୁଥିଲେ ସେମାନେ କେବଳ ଶବ୍ଦ ଶୁଣିଥିଲେ, କିନ୍ତୁ ସ୍ୱର ନୁହେଁ, ସ୍ୱର ଶୁଣିଥିଲେ ଶାଉଲ । ଆମେ ଜାଣି ରଖିବା ଉଚିତ୍ ଯେ, ଈଶ୍ୱରଙ୍କ  ବାକ୍ୟ ଅବିଶ୍ବାସୀମାନଙ୍କ ନିମନ୍ତେ ଶବ୍ଦ, କିନ୍ତୁ ବିଶ୍ବାସୀମାନଙ୍କ  ନିମନ୍ତେ ତାହା ସ୍ୱର । ଯେଉଁମାନେ ପ୍ରକୃତ ମେଷ ସେମାନେ ତାହାଙ୍କର ସ୍ୱର ଶୁଣନ୍ତି ଓ ଚିହ୍ନନ୍ତି (ଯୋହନ ୧୦:୩-୪) । ଆଜି ଆମ ପାଇଁ ତାହାଙ୍କ ବାକ୍ୟ ଶବ୍ଦ ନା ସ୍ୱର? ପରବର୍ତ୍ତୀ ସମୟରେ ଶାଉଲ ପରିତ୍ରାଣକର୍ତ୍ତାଙ୍କର ପରିଚୟ ପାଇ, ତାଙ୍କ ଆହ୍ୱାନର ବାଧ୍ୟ ହୋଇଥିଲେ ।

ଈଶ୍ୱରଙ୍କ ଅସ୍ତିତ୍ଵରେ ବିଶ୍ଵାସ

 ଈଶ୍ୱରଙ୍କ ଅସ୍ତିତ୍ଵରେ ବିଶ୍ଵାସ

ଆଜିର ଚିନ୍ତା

ଗୀତ ୫୩:୧-୬

ପରମେଶ୍ବରଙ୍କ ଅସ୍ତିତ୍ବ ବିଷୟରେ ମୋର ବ୍ୟକ୍ତିଗତ ମତ କ'ଣ ?

ପୃଥିବୀରେ ଅନେକ ଲୋକ ଈଶ୍ୱରଙ୍କ ଅସ୍ତିତ୍ବକୁ ମାନନ୍ତି ନାହିଁ । ସେମାନଙ୍କୁ ନାସ୍ତିକ ବୋଲି କୁହାଯାଏ । କିନ୍ତୁ ବାଇବଲର ଭାଷାରେ ସେମାନଙ୍କୁ ମୂର୍ଖ ବୋଲି କୁହାଯାଏ (୧ପଦ) । ପରମେଶ୍ୱର ନାହାନ୍ତି ବୋଲି କହୁଥିବା ବ୍ୟକ୍ତିମାନଙ୍କ କର୍ମ ଓ ପ୍ରତିଫଳ ବିଷୟରେ ଆଜିର ଅଧ୍ୟାୟରେ ବର୍ଣ୍ଣିତ । ଆଜିର ବାକ୍ୟ ଆମକୁ ପ୍ରଭୁଙ୍କଠାରେ ବିଶ୍ଵାସ ଓ ଭରସା ରଖି ଉତ୍ତମ ଜୀବନ କାଟିବାକୁ ସାହାଯ୍ୟ କରିବ । 


ନାସ୍ତିକ ବ୍ୟକ୍ତିର କାର୍ଯ୍ୟ :

 (୧) ମୂର୍ଖ ମନେ ମନେ କୁହେ ପରମେଶ୍ୱର ନାହାନ୍ତି । 


(୨) ସେମାନେ ଈଶ୍ୱରଙ୍କ ଅସ୍ତିତ୍ଵକୁ ସ୍ବୀକାର ନ କରୁଥିବାରୁ ସେମାନେ ଭ୍ରଷ୍ଟ ହୁଅନ୍ତି ଏବଂ ନାନା ଘୃଣାଯୋଗ୍ୟ ଅଧର୍ମରେ ଲିପ୍ତ ରହନ୍ତି । 


(୩) କେହି ହେଲେ ସତ୍କର୍ମ କରନ୍ତି ନାହିଁ । 


(୪) ସେମାନେ ବିବେଚନା କରନ୍ତି ନାହିଁ । 


(୫) ସେମାନେ ବିପଥରେ ଗମନ କରନ୍ତି। 


(୬) ସେମାନେ ଜ୍ଞାନ ଶୂନ୍ୟ ହୋଇ ଖାଦ୍ୟ ଗ୍ରାସ କଲା ପରି ପରମେଶ୍ୱରଙ୍କ ଲୋକମାନଙ୍କୁ ଗ୍ରାସ କରନ୍ତି । 


(୭) ସେମାନେ ପରମେଶ୍ବରଙ୍କ ଠାରେ ପ୍ରାର୍ଥନା କରନ୍ତି ନାହିଁ । 


(୮) ଭୟ ନ ଥିବା ସ୍ଥାନରେ ସେମାନେ ଭୟଭୀତ ହୁଅନ୍ତି । 


ନାସ୍ତିକର ଫଳାଫଳ :


ପରମେଶ୍ୱର ନାହାନ୍ତି କହି ସମସ୍ତ ଅଧର୍ମ କାର୍ଯ୍ୟରେ ଲିପ୍ତ ଥିବା ପ୍ରତ୍ୟେକ ମୂର୍ଖ ବ୍ୟକ୍ତିର ଅସ୍ଥିସବୁ ପରମେଶ୍ୱର ଛିନ୍ନଭିନ୍ନ କରିବେ (୫ପଦ) ସେମାନଙ୍କୁ ଅଗ୍ରାହ୍ୟ କରିବେ ଏବଂ ସେମାନଙ୍କୁ ଲଜ୍ଜା ଦେବେ । 


ମାତ୍ର ପରମେଶ୍ୱର ଆପଣା ଲୋକମାନଙ୍କୁ ନିରୀକ୍ଷଣ କରନ୍ତି । ପରମେଶ୍ୱର ସିୟୋନଠାରୁ ପ୍ରକାଶିତ ହେବେ ଏବଂ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବେ । ଯାକୁବ (ଇସ୍ରାଏଲ) ସମ୍ପୂର୍ଣ୍ଣ ମୁକ୍ତ ହୋଇ ଉଲ୍ଲସିତ ହେବ। ଇସ୍ରାଏଲ ଆନନ୍ଦିତ ହେବ। 

ଜୀବନର ସମୀକ୍ଷା

 ଜୀବନର ସମୀକ୍ଷା 

ଆଜିର ଚିନ୍ତା

ଯାତ୍ରା ୩୯:୩୨-୪୩

ମୁଁ ସବୁ ଅବସ୍ଥାରେ ଆତ୍ମ ସମୀକ୍ଷା କରିଥାଏ କି ?


ଈଶ୍ଵର ଆପଣା ମନୋନୀତ ଆତ୍ମାଙ୍କ ଦ୍ଵାରା ଜ୍ଞାନ ଓ ବୁଦ୍ଧିପ୍ରାପ୍ତ, ପୁଣି ସମସ୍ତ ଆଜ୍ଞା  ପାଳନକାରୀ ଶିଳ୍ପଙ୍କ ଦ୍ଵାରା ସମାଗମ ତମ୍ବୁର ସମସ୍ତ କାର୍ଯ୍ୟ ସମାପ୍ତ କଲେ । ସମସ୍ତ ପ୍ରକାର କାର୍ଯ୍ୟ ସମାପ୍ତ ହେବା ପରେ ସେସମସ୍ତର ଏକ ସମୀକ୍ଷାର ଆବଶ୍ୟକତା ଥିଲା । ସେଥିନିମନ୍ତେ ସେମାନେ ତମ୍ବୁ ସହିତ ଯାଜକର ପୁତ୍ରମାନଙ୍କ ବସ୍ତ୍ର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଈଶ୍ଵରଙ୍କ ପ୍ରତିନିଧି ମୋଶାଙ୍କ ସମ୍ମୁଖରେ ତାହାଙ୍କର ନିରୀକ୍ଷଣ ନିମନ୍ତେ ରଖିଥିଲେ।  ମୋଶା ସେସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେମାନଙ୍କୁ ଆଶୀର୍ବାଦ କରୁଥିଲେ । ଈଶ୍ଵରଙ୍କ ଅନୁଗ୍ରହ ହେତୁ ଆମେ ତାହାଙ୍କ ମନୋନୀତ, ପରିତ୍ରାଣପ୍ରାପ୍ତ, ଆତ୍ମାରେ ପୂର୍ଣ୍ଣ ହେବ ପରେ ମଧ୍ୟ ଆମ୍ଭମାନଙ୍କ ଜୀବନକୁ ଈଶ୍ଵରଙ୍କ ନିକଟରେ ଆତ୍ମ ସମୀକ୍ଷା କରିବା ନିତାନ୍ତ ଆବଶ୍ୟକ ।


ମନୋଯୋଗୀ ଈଶ୍ଵର: 

ଈଶ୍ଵରଙ୍କ ଗୌରବ ହେଉ । ସେ ଆମ୍ଭମାନଙ୍କ ସହିତ ବାସ କରୁଥିବା ଈଶ୍ୱର । ସେ ଆମ୍ଭମାନଙ୍କ  ପ୍ରତି ମନୋଯୋଗୀ, ଉତ୍ସାହ ପ୍ରଦାନକାରୀ, ପୁଣି ଏକ ଯୋଜନା ପ୍ରସ୍ତୁତକାରୀ ଈଶ୍ୱର (ଯିରି ୨୯:୧୧) । ଏହି ସମସ୍ତ ସତ୍ୟତାର ଫଳସ୍ଵରୁପ ସେ ଆମ୍ଭମାନଙ୍କ ନିକଟରୁ ଏକ ପବିତ୍ର ଜୀବନ ଆଶା କରନ୍ତି ।  ସେଥିପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣ ଅନୁସନ୍ଧାନ ଏବଂ ମର୍ମର ପରୀକ୍ଷା କରିଥାନ୍ତି  (ଯିରି ୭ :୧୦) ଏବଂ ଆମ୍ଭମାନଙ୍କର କର୍ମ ଓ ଆଚରଣ ଅନୁସାରେ ଫଳ ପ୍ରଦାନ କରନ୍ତି ପୁଣି ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ( ଗୀତ ୧୧:୪) । 


ସମୀକ୍ଷାକାରୀ ଈଶ୍ଵର:

 ଆଜି ଆମ୍ଭମାନଙ୍କ ବ୍ୟକ୍ତିଗତ, ପୁଣି ପାରିବାରିକ ଜୀବନକୁ ଈଶ୍ଵରଙ୍କ ନିକଟରେ ସମୀକ୍ଷା କରୁ । ଏହି ବ୍ୟସ୍ତବହୁଳ ସଂସାରରେ ଆମେ ଅନେକ ସମୟରେ ଈଶ୍ଵରଙ୍କୁ ଦୁଃଖିତ କରିବସୁ । ପବିତ୍ରତାର ଜୀନବଯାପନ କରିବାରେ ବିଫଳ ହେଉ । ତେଣୁ ଈଶ୍ଵରଙ୍କୁ ପରିଦର୍ଶନ କାରିବାର ସୁଯୋଗ ଦେଲେ, ସେ ଆମର ଭୁଲସବୁ ଦେଖାଇ ଦେବେ । ସେହି ସତ୍ୟତାରେ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଦାଉଦ ନିଜ ଜୀବନର ସମୀକ୍ଷାର ଆବଶ୍ୟକତାର  ମୂଲ୍ୟ ବୁଝି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, "ହେ ପରମେଶ୍ବର ମୋହର ଅନୁସନ୍ଧାନ କର… ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ" (ଗୀତ ୧୩୯:୨୩-୨୪) । ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଏହି ପ୍ରାର୍ଥନା ହେବା ଆବଶ୍ୟକ ।

ଈଶ୍ୱର ନିର୍ଦ୍ଦେଶିତ ବସ୍ତ୍ର

 ଈଶ୍ୱର ନିର୍ଦ୍ଦେଶିତ ବସ୍ତ୍ର

ଆଜିର ଚିନ୍ତା

ଯାତ୍ରା ୩୯:୧-୩୧

ଈଶ୍ୱର ପ୍ରଦତ୍ତ ବସ୍ତ୍ରରେ ମୁଁ ବସ୍ତ୍ରାନ୍ଵୀତ ହୋଇଛି କି?


ଆବାସ ତମ୍ବୁ ନିର୍ମାଣ ଶେଷାଂଶରେ, ଯାଜକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବସ୍ତ୍ର ନିର୍ମିତ ହେଉଥିଲା । ଏହି ସମସ୍ତ ବସ୍ତ୍ର ପରିଧାନ ଦ୍ଵାରା ସମାଜ ଜନବୃନ୍ଦ ମଧ୍ୟରେ ସେମାନଙ୍କ ପରିଚୟର ସ୍ଵତନ୍ତ୍ରତା ପ୍ରକାଶିତ ହେବାର ଆବଶ୍ୟକତା ଥିଲା । ଏଥିପାଇଁ ବସ୍ତ୍ରସମୂହ ଉଜ୍ଜ୍ଵଳ ରଙ୍ଗରେ ଏବଂ ବିଭିନ୍ନ ଧରଣର ଉପକରଣ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଏହା ଈଶ୍ଵର ଏବଂ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥିତ ସତ୍ୟତା ସହ ପାପକ୍ଷମା ନିମନ୍ତେ ବଳିଦାନ ଉତ୍ସର୍ଗ କରୁଥିବା ଏକ ପବିତ୍ର ଏବଂ ଆତ୍ମାପୂର୍ଣ୍ଣ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥିଲେ । 


ଉତ୍ସର୍ଗୀକୃତ ଉପାସକ :

 ଈଶ୍ୱର ମାନବଜାତିକୁ ନିଜର ନିକଟତର କରିବା ନିମନ୍ତେ ପବିତ୍ର ଯାଜକବର୍ଗର ପ୍ରଥା ପ୍ରତିଷ୍ଠିତ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହାର ପବିତ୍ରତା ନଷ୍ଟ ହୋଇ ଅହଂଭାବ, ସ୍ଵଚ୍ଛାଚାରିତା, ସ୍ୱାର୍ଥବାଦୀତା ରୂପକ ବିଭିନ୍ନ ବିଷୟରେ କଳଙ୍କିତ ହୋଇଥିଲା । ଈଶ୍ୱର ସେମାନଙ୍କ ପ୍ରତି ଅସନ୍ତୋଷ ହୋଇ ସେମାନଙ୍କୁ ତୁଚ୍ଛ କରିଥିଲେ (ମଲାଖି ୧,୨) ଏବଂ ଏକ ନୂତନ ନିୟମ ସ୍ଥାପନ କରି ମାନବ ଜାତିର ପାପ କ୍ଷମା କରିବାର ପ୍ରତିଶ୍ରୁତି ଦେଇଥିଲେ (ଯିରିମିୟ ୩୧:୩୧-୩୪) । ଖ୍ରୀଷ୍ଟ ଯୀଶୁ ହିଁ ସେହି  ନୂତନ ନିୟମର ସ୍ଥାପନକାରୀ । ସେ ଏକ ସମୟରେ ମହାଯାଜକ ଏବଂ ନିର୍ଦ୍ଦୋଷ ମେଷ ଶାବକ ହୋଇ ସମସ୍ତ ମାନବ ଜାତିର ପାପର ପ୍ରାୟଶ୍ଚିତ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟ ସାର୍ବଜନୀନ ସମୟ ନିମନ୍ତେ ଶେଷ କରିଛନ୍ତି ଏବଂ ତାହାଙ୍କ ଏହି ମହାନ୍ ବଳିକୃତ କାର୍ଯ୍ୟର ବାସ୍ତବତା ହେତୁ ସମସ୍ତ ମାନବ ଜାତିର ପାପକ୍ଷମାର ସତ୍ୟତା ସଫଳ ହୋଇଛି। 


ଆତ୍ମିକ ବସ୍ତ୍ର: 

ବର୍ତ୍ତମାନ ସଂସାରରେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ବଳିକୃତ କର୍ମକୁ ଜୀବନରେ ବିଶ୍ଵାସ କରି, ତାହାଙ୍କୁ ମୁକ୍ତିଦାତାଭାବେ ହୃଦୟରେ ଗ୍ରହଣ କରିଛନ୍ତି, ସେମାନେ ସେହି ନୂତନ ନିୟମର ଅଂଶୀଦାର ହୋଇଛନ୍ତି (ରୋମୀୟ ୧:୧୬) ଏବଂ ତହିଁର ଅଂଶୀଦାରଭାବେ ସେହି ସତ୍ୟତାର ପ୍ରତୀକ ପରିତ୍ରାଣ ରୂପକ ବସ୍ତ୍ର ପାଇଛନ୍ତି । ଏହା ଈଶ୍ଵର ପ୍ରଦତ୍ତ, ଅଦୃଶ୍ୟ ବସ୍ତ୍ର । ମୁଁ ସେହି ବସ୍ତ୍ର  ପାଇଛି କି ? ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କ ପାପ କ୍ଷମା କରିବାକୁ…. ବିଶ୍ଵସ୍ତ ଓ ନ୍ୟାୟବାନ (୧ ଯୋହନ ୧:୯) । ଯଦି ତାହା ପରିଧାନ କରିଛୁ, ତେବେ ଗର୍ବିତ କିମ୍ବା ସ୍ୱେଚ୍ଛାଚାରୀ ନ ହୋଇ ସତର୍କ ରହୁ ଯେପରି ତାହା ଆଜିର ସାଂସାରିକ ସ୍ରୋତରେ ଅପରିଷ୍କୃତ କିମ୍ବା ନଷ୍ଟ ହୋଇ ନ ଯାଏ ।


ହୋମବେଦୀ

 ହୋମବେଦୀ 

ଆଜିର ଚିନ୍ତା

ଯାତ୍ରା ୩୮:୧-୨୦

ମୁଁ ଏକ ଅଦୃଶ୍ୟ ହୋମବେଦୀର ପରିଚୟ ପାଇଛି କି ?


ଈଶ୍ୱରଙ୍କ ଯୋଜନାରେ ସମାଗମ ତମ୍ବୁ ନିମନ୍ତେ ହୋମବେଦୀ, ପ୍ରକ୍ଷାଳନ ପତ୍ର ଏବଂ ପ୍ରାଙ୍ଗଣର ସ୍ଥାନ ନିର୍ମିତ ହୋଇଥିଲା । ପ୍ରାଙ୍ଗଣର ଦ୍ଵାର ଦେଶ ସମ୍ମୁଖରେ ହୋମବେଦୀ (ଲେବି ୪:୧୮) ସ୍ଥାପିତ ହୋଇଥିଲା । ବେଦୀ ଓ ସମାଗମ ତମ୍ବୁ ମଧ୍ୟ ସ୍ଥାନରେ ପ୍ରକ୍ଷାଳନ ପାତ୍ର ଥିଲା । ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ସମାଗମ ତମ୍ବୁ ମଧ୍ୟକୁ ପ୍ରବେଶ ପୂର୍ବରୁ ହସ୍ତ ଏବଂ ପାଦ ଧୌତ କରିବା ଏକ ପାଳନୀୟ ବିଧି ଥିଲା (ଯାତ୍ରା ୩୦:୧୮-୨୧) । 


ଉପାସନାରେ ବେଦୀର ସ୍ଥାନ: 

ପୂରାତନ ନିୟମ ସମୟରେ ବେଦି ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ବହୁଲଭାବେ ବ୍ୟବହୃତ ହେଉଥିଲା । ମାତ୍ର ଏହା କୌଣସି ନିର୍ଦ୍ଦିଷ୍ଟ ନିୟମ ମଧ୍ୟରେ ଆବଦ୍ଧ ନ ଥିଲା । ଭିନ୍ନ ଭିନ୍ନ ବ୍ୟକ୍ତି, ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ । ଈଶ୍ୱର ଆବାସରେ ଦୁଇଟି ବେଦୀ ରଖିଥିଲେ । ସେଗୁଡ଼ିକର ନିର୍ମାଣ ଏବଂ ବ୍ୟବହାର ଭିନ୍ନ ଥିଲା । ଏକ ବେଦୀ, ଯେଉଁଠାରେ ସର୍ବଦା ସୁଗନ୍ଧି ଧୂପ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉସର୍ଗୀକୃତ ହେଉଥିଲା । ଏହା ଧୂପ ବେଦୀ ନାମରେ ନାମିତ । ଅନ୍ୟ ବେଦି ହୋମବେଦୀ, ଯାହାକି ବଳିଦାନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ନିର୍ଦ୍ଦିଷ୍ଟଭାବେ ପାପର ପ୍ରାୟଶ୍ଚିତ ନିମନ୍ତେ ଏହି ବେଦୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ସେଠାରେ ହୋମବଳୀର ଖଣ୍ଡସକଳ ଯାଜକଙ୍କ ଦ୍ଵାରା ଦଗ୍ଧ କରାଯାଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେଉଥିଲା । 


ଖ୍ରୀଷ୍ଟିୟ ଉପାସନାରେ କ୍ରୁଶର ବେଦୀ:

ଆଜିର ଅନୁଗ୍ରହ ଯୁଗରେ କୌଣସି ବଳିର ଆବଶ୍ୟକତା ନାହିଁ । କାରଣ ଖ୍ରୀଷ୍ଟ ଯୀଶୁ ସର୍ବ ମାନବଜାତିର, ସମସ୍ତ ପ୍ରକାର ବଳିଦାନ ନିମନ୍ତେ ନିଜକୁ ଏକ ନିଖୁନ୍ତ ମେଷଶାବକଭାବେ ଉତ୍ସର୍ଗ କରିଅଛନ୍ତି । ତେଣୁ ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ବଳି ଏବଂ ଉତ୍ସର୍ଗ କରିବାର ବେଦୀ ଅଟନ୍ତି (ଏବ୍ରୀ ୧୩:୧୦) । ଆମ୍ଭମାନଙ୍କର ଈଶ୍ୱରଙ୍କର ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଧନ୍ୟବାଦ, ପ୍ରଶଂସା  ଏବଂ ଅନୁତାପର ବଳି, ପ୍ରାର୍ଥନା, ନିବେଦନ ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅର୍ପଣ କରିବା ଆବଶ୍ୟକ । 


ଆଜି ଆମ୍ଭେମାନେ ନିଜ ଜୀବନର ସମସ୍ତ ସମସ୍ୟା, ସଙ୍କଟ, ଦୁଃଖ, ଦୁର୍ଦ୍ଦଶାର ବୋଝରେ ବୋଝଗ୍ରସ୍ତ କି ? ଆଜି ସେହି ସମସ୍ତ ବିଷୟ ଖ୍ରୀଷ୍ଟ ଯୀଶୁଙ୍କ କ୍ରୁଶ ନିକଟରେ ଉତ୍ସର୍ଗ କରୁ । ତେବେ ଆମ ଜୀବନରେ ଶାନ୍ତି ଓ ମୁକ୍ତି ପ୍ରାପ୍ତ ହେବୁ ।