BN

ଜୀବନର ସମୀକ୍ଷା

 ଜୀବନର ସମୀକ୍ଷା 

ଆଜିର ଚିନ୍ତା

ଯାତ୍ରା ୩୯:୩୨-୪୩

ମୁଁ ସବୁ ଅବସ୍ଥାରେ ଆତ୍ମ ସମୀକ୍ଷା କରିଥାଏ କି ?


ଈଶ୍ଵର ଆପଣା ମନୋନୀତ ଆତ୍ମାଙ୍କ ଦ୍ଵାରା ଜ୍ଞାନ ଓ ବୁଦ୍ଧିପ୍ରାପ୍ତ, ପୁଣି ସମସ୍ତ ଆଜ୍ଞା  ପାଳନକାରୀ ଶିଳ୍ପଙ୍କ ଦ୍ଵାରା ସମାଗମ ତମ୍ବୁର ସମସ୍ତ କାର୍ଯ୍ୟ ସମାପ୍ତ କଲେ । ସମସ୍ତ ପ୍ରକାର କାର୍ଯ୍ୟ ସମାପ୍ତ ହେବା ପରେ ସେସମସ୍ତର ଏକ ସମୀକ୍ଷାର ଆବଶ୍ୟକତା ଥିଲା । ସେଥିନିମନ୍ତେ ସେମାନେ ତମ୍ବୁ ସହିତ ଯାଜକର ପୁତ୍ରମାନଙ୍କ ବସ୍ତ୍ର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଈଶ୍ଵରଙ୍କ ପ୍ରତିନିଧି ମୋଶାଙ୍କ ସମ୍ମୁଖରେ ତାହାଙ୍କର ନିରୀକ୍ଷଣ ନିମନ୍ତେ ରଖିଥିଲେ।  ମୋଶା ସେସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେମାନଙ୍କୁ ଆଶୀର୍ବାଦ କରୁଥିଲେ । ଈଶ୍ଵରଙ୍କ ଅନୁଗ୍ରହ ହେତୁ ଆମେ ତାହାଙ୍କ ମନୋନୀତ, ପରିତ୍ରାଣପ୍ରାପ୍ତ, ଆତ୍ମାରେ ପୂର୍ଣ୍ଣ ହେବ ପରେ ମଧ୍ୟ ଆମ୍ଭମାନଙ୍କ ଜୀବନକୁ ଈଶ୍ଵରଙ୍କ ନିକଟରେ ଆତ୍ମ ସମୀକ୍ଷା କରିବା ନିତାନ୍ତ ଆବଶ୍ୟକ ।


ମନୋଯୋଗୀ ଈଶ୍ଵର: 

ଈଶ୍ଵରଙ୍କ ଗୌରବ ହେଉ । ସେ ଆମ୍ଭମାନଙ୍କ ସହିତ ବାସ କରୁଥିବା ଈଶ୍ୱର । ସେ ଆମ୍ଭମାନଙ୍କ  ପ୍ରତି ମନୋଯୋଗୀ, ଉତ୍ସାହ ପ୍ରଦାନକାରୀ, ପୁଣି ଏକ ଯୋଜନା ପ୍ରସ୍ତୁତକାରୀ ଈଶ୍ୱର (ଯିରି ୨୯:୧୧) । ଏହି ସମସ୍ତ ସତ୍ୟତାର ଫଳସ୍ଵରୁପ ସେ ଆମ୍ଭମାନଙ୍କ ନିକଟରୁ ଏକ ପବିତ୍ର ଜୀବନ ଆଶା କରନ୍ତି ।  ସେଥିପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣ ଅନୁସନ୍ଧାନ ଏବଂ ମର୍ମର ପରୀକ୍ଷା କରିଥାନ୍ତି  (ଯିରି ୭ :୧୦) ଏବଂ ଆମ୍ଭମାନଙ୍କର କର୍ମ ଓ ଆଚରଣ ଅନୁସାରେ ଫଳ ପ୍ରଦାନ କରନ୍ତି ପୁଣି ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ( ଗୀତ ୧୧:୪) । 


ସମୀକ୍ଷାକାରୀ ଈଶ୍ଵର:

 ଆଜି ଆମ୍ଭମାନଙ୍କ ବ୍ୟକ୍ତିଗତ, ପୁଣି ପାରିବାରିକ ଜୀବନକୁ ଈଶ୍ଵରଙ୍କ ନିକଟରେ ସମୀକ୍ଷା କରୁ । ଏହି ବ୍ୟସ୍ତବହୁଳ ସଂସାରରେ ଆମେ ଅନେକ ସମୟରେ ଈଶ୍ଵରଙ୍କୁ ଦୁଃଖିତ କରିବସୁ । ପବିତ୍ରତାର ଜୀନବଯାପନ କରିବାରେ ବିଫଳ ହେଉ । ତେଣୁ ଈଶ୍ଵରଙ୍କୁ ପରିଦର୍ଶନ କାରିବାର ସୁଯୋଗ ଦେଲେ, ସେ ଆମର ଭୁଲସବୁ ଦେଖାଇ ଦେବେ । ସେହି ସତ୍ୟତାରେ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଦାଉଦ ନିଜ ଜୀବନର ସମୀକ୍ଷାର ଆବଶ୍ୟକତାର  ମୂଲ୍ୟ ବୁଝି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, "ହେ ପରମେଶ୍ବର ମୋହର ଅନୁସନ୍ଧାନ କର… ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ" (ଗୀତ ୧୩୯:୨୩-୨୪) । ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଏହି ପ୍ରାର୍ଥନା ହେବା ଆବଶ୍ୟକ ।

ଈଶ୍ୱର ନିର୍ଦ୍ଦେଶିତ ବସ୍ତ୍ର

 ଈଶ୍ୱର ନିର୍ଦ୍ଦେଶିତ ବସ୍ତ୍ର

ଆଜିର ଚିନ୍ତା

ଯାତ୍ରା ୩୯:୧-୩୧

ଈଶ୍ୱର ପ୍ରଦତ୍ତ ବସ୍ତ୍ରରେ ମୁଁ ବସ୍ତ୍ରାନ୍ଵୀତ ହୋଇଛି କି?


ଆବାସ ତମ୍ବୁ ନିର୍ମାଣ ଶେଷାଂଶରେ, ଯାଜକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବସ୍ତ୍ର ନିର୍ମିତ ହେଉଥିଲା । ଏହି ସମସ୍ତ ବସ୍ତ୍ର ପରିଧାନ ଦ୍ଵାରା ସମାଜ ଜନବୃନ୍ଦ ମଧ୍ୟରେ ସେମାନଙ୍କ ପରିଚୟର ସ୍ଵତନ୍ତ୍ରତା ପ୍ରକାଶିତ ହେବାର ଆବଶ୍ୟକତା ଥିଲା । ଏଥିପାଇଁ ବସ୍ତ୍ରସମୂହ ଉଜ୍ଜ୍ଵଳ ରଙ୍ଗରେ ଏବଂ ବିଭିନ୍ନ ଧରଣର ଉପକରଣ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଏହା ଈଶ୍ଵର ଏବଂ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥିତ ସତ୍ୟତା ସହ ପାପକ୍ଷମା ନିମନ୍ତେ ବଳିଦାନ ଉତ୍ସର୍ଗ କରୁଥିବା ଏକ ପବିତ୍ର ଏବଂ ଆତ୍ମାପୂର୍ଣ୍ଣ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥିଲେ । 


ଉତ୍ସର୍ଗୀକୃତ ଉପାସକ :

 ଈଶ୍ୱର ମାନବଜାତିକୁ ନିଜର ନିକଟତର କରିବା ନିମନ୍ତେ ପବିତ୍ର ଯାଜକବର୍ଗର ପ୍ରଥା ପ୍ରତିଷ୍ଠିତ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହାର ପବିତ୍ରତା ନଷ୍ଟ ହୋଇ ଅହଂଭାବ, ସ୍ଵଚ୍ଛାଚାରିତା, ସ୍ୱାର୍ଥବାଦୀତା ରୂପକ ବିଭିନ୍ନ ବିଷୟରେ କଳଙ୍କିତ ହୋଇଥିଲା । ଈଶ୍ୱର ସେମାନଙ୍କ ପ୍ରତି ଅସନ୍ତୋଷ ହୋଇ ସେମାନଙ୍କୁ ତୁଚ୍ଛ କରିଥିଲେ (ମଲାଖି ୧,୨) ଏବଂ ଏକ ନୂତନ ନିୟମ ସ୍ଥାପନ କରି ମାନବ ଜାତିର ପାପ କ୍ଷମା କରିବାର ପ୍ରତିଶ୍ରୁତି ଦେଇଥିଲେ (ଯିରିମିୟ ୩୧:୩୧-୩୪) । ଖ୍ରୀଷ୍ଟ ଯୀଶୁ ହିଁ ସେହି  ନୂତନ ନିୟମର ସ୍ଥାପନକାରୀ । ସେ ଏକ ସମୟରେ ମହାଯାଜକ ଏବଂ ନିର୍ଦ୍ଦୋଷ ମେଷ ଶାବକ ହୋଇ ସମସ୍ତ ମାନବ ଜାତିର ପାପର ପ୍ରାୟଶ୍ଚିତ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟ ସାର୍ବଜନୀନ ସମୟ ନିମନ୍ତେ ଶେଷ କରିଛନ୍ତି ଏବଂ ତାହାଙ୍କ ଏହି ମହାନ୍ ବଳିକୃତ କାର୍ଯ୍ୟର ବାସ୍ତବତା ହେତୁ ସମସ୍ତ ମାନବ ଜାତିର ପାପକ୍ଷମାର ସତ୍ୟତା ସଫଳ ହୋଇଛି। 


ଆତ୍ମିକ ବସ୍ତ୍ର: 

ବର୍ତ୍ତମାନ ସଂସାରରେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ବଳିକୃତ କର୍ମକୁ ଜୀବନରେ ବିଶ୍ଵାସ କରି, ତାହାଙ୍କୁ ମୁକ୍ତିଦାତାଭାବେ ହୃଦୟରେ ଗ୍ରହଣ କରିଛନ୍ତି, ସେମାନେ ସେହି ନୂତନ ନିୟମର ଅଂଶୀଦାର ହୋଇଛନ୍ତି (ରୋମୀୟ ୧:୧୬) ଏବଂ ତହିଁର ଅଂଶୀଦାରଭାବେ ସେହି ସତ୍ୟତାର ପ୍ରତୀକ ପରିତ୍ରାଣ ରୂପକ ବସ୍ତ୍ର ପାଇଛନ୍ତି । ଏହା ଈଶ୍ଵର ପ୍ରଦତ୍ତ, ଅଦୃଶ୍ୟ ବସ୍ତ୍ର । ମୁଁ ସେହି ବସ୍ତ୍ର  ପାଇଛି କି ? ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ବୀକାର କରୁ, ତେବେ ସେ ଆମ୍ଭମାନଙ୍କ ପାପ କ୍ଷମା କରିବାକୁ…. ବିଶ୍ଵସ୍ତ ଓ ନ୍ୟାୟବାନ (୧ ଯୋହନ ୧:୯) । ଯଦି ତାହା ପରିଧାନ କରିଛୁ, ତେବେ ଗର୍ବିତ କିମ୍ବା ସ୍ୱେଚ୍ଛାଚାରୀ ନ ହୋଇ ସତର୍କ ରହୁ ଯେପରି ତାହା ଆଜିର ସାଂସାରିକ ସ୍ରୋତରେ ଅପରିଷ୍କୃତ କିମ୍ବା ନଷ୍ଟ ହୋଇ ନ ଯାଏ ।


ହୋମବେଦୀ

 ହୋମବେଦୀ 

ଆଜିର ଚିନ୍ତା

ଯାତ୍ରା ୩୮:୧-୨୦

ମୁଁ ଏକ ଅଦୃଶ୍ୟ ହୋମବେଦୀର ପରିଚୟ ପାଇଛି କି ?


ଈଶ୍ୱରଙ୍କ ଯୋଜନାରେ ସମାଗମ ତମ୍ବୁ ନିମନ୍ତେ ହୋମବେଦୀ, ପ୍ରକ୍ଷାଳନ ପତ୍ର ଏବଂ ପ୍ରାଙ୍ଗଣର ସ୍ଥାନ ନିର୍ମିତ ହୋଇଥିଲା । ପ୍ରାଙ୍ଗଣର ଦ୍ଵାର ଦେଶ ସମ୍ମୁଖରେ ହୋମବେଦୀ (ଲେବି ୪:୧୮) ସ୍ଥାପିତ ହୋଇଥିଲା । ବେଦୀ ଓ ସମାଗମ ତମ୍ବୁ ମଧ୍ୟ ସ୍ଥାନରେ ପ୍ରକ୍ଷାଳନ ପାତ୍ର ଥିଲା । ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ସମାଗମ ତମ୍ବୁ ମଧ୍ୟକୁ ପ୍ରବେଶ ପୂର୍ବରୁ ହସ୍ତ ଏବଂ ପାଦ ଧୌତ କରିବା ଏକ ପାଳନୀୟ ବିଧି ଥିଲା (ଯାତ୍ରା ୩୦:୧୮-୨୧) । 


ଉପାସନାରେ ବେଦୀର ସ୍ଥାନ: 

ପୂରାତନ ନିୟମ ସମୟରେ ବେଦି ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ବହୁଲଭାବେ ବ୍ୟବହୃତ ହେଉଥିଲା । ମାତ୍ର ଏହା କୌଣସି ନିର୍ଦ୍ଦିଷ୍ଟ ନିୟମ ମଧ୍ୟରେ ଆବଦ୍ଧ ନ ଥିଲା । ଭିନ୍ନ ଭିନ୍ନ ବ୍ୟକ୍ତି, ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ । ଈଶ୍ୱର ଆବାସରେ ଦୁଇଟି ବେଦୀ ରଖିଥିଲେ । ସେଗୁଡ଼ିକର ନିର୍ମାଣ ଏବଂ ବ୍ୟବହାର ଭିନ୍ନ ଥିଲା । ଏକ ବେଦୀ, ଯେଉଁଠାରେ ସର୍ବଦା ସୁଗନ୍ଧି ଧୂପ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉସର୍ଗୀକୃତ ହେଉଥିଲା । ଏହା ଧୂପ ବେଦୀ ନାମରେ ନାମିତ । ଅନ୍ୟ ବେଦି ହୋମବେଦୀ, ଯାହାକି ବଳିଦାନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ନିର୍ଦ୍ଦିଷ୍ଟଭାବେ ପାପର ପ୍ରାୟଶ୍ଚିତ ନିମନ୍ତେ ଏହି ବେଦୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ସେଠାରେ ହୋମବଳୀର ଖଣ୍ଡସକଳ ଯାଜକଙ୍କ ଦ୍ଵାରା ଦଗ୍ଧ କରାଯାଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେଉଥିଲା । 


ଖ୍ରୀଷ୍ଟିୟ ଉପାସନାରେ କ୍ରୁଶର ବେଦୀ:

ଆଜିର ଅନୁଗ୍ରହ ଯୁଗରେ କୌଣସି ବଳିର ଆବଶ୍ୟକତା ନାହିଁ । କାରଣ ଖ୍ରୀଷ୍ଟ ଯୀଶୁ ସର୍ବ ମାନବଜାତିର, ସମସ୍ତ ପ୍ରକାର ବଳିଦାନ ନିମନ୍ତେ ନିଜକୁ ଏକ ନିଖୁନ୍ତ ମେଷଶାବକଭାବେ ଉତ୍ସର୍ଗ କରିଅଛନ୍ତି । ତେଣୁ ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ବଳି ଏବଂ ଉତ୍ସର୍ଗ କରିବାର ବେଦୀ ଅଟନ୍ତି (ଏବ୍ରୀ ୧୩:୧୦) । ଆମ୍ଭମାନଙ୍କର ଈଶ୍ୱରଙ୍କର ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଧନ୍ୟବାଦ, ପ୍ରଶଂସା  ଏବଂ ଅନୁତାପର ବଳି, ପ୍ରାର୍ଥନା, ନିବେଦନ ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅର୍ପଣ କରିବା ଆବଶ୍ୟକ । 


ଆଜି ଆମ୍ଭେମାନେ ନିଜ ଜୀବନର ସମସ୍ତ ସମସ୍ୟା, ସଙ୍କଟ, ଦୁଃଖ, ଦୁର୍ଦ୍ଦଶାର ବୋଝରେ ବୋଝଗ୍ରସ୍ତ କି ? ଆଜି ସେହି ସମସ୍ତ ବିଷୟ ଖ୍ରୀଷ୍ଟ ଯୀଶୁଙ୍କ କ୍ରୁଶ ନିକଟରେ ଉତ୍ସର୍ଗ କରୁ । ତେବେ ଆମ ଜୀବନରେ ଶାନ୍ତି ଓ ମୁକ୍ତି ପ୍ରାପ୍ତ ହେବୁ । 

ବ୍ୟବହାର ଯୋଗ୍ୟ

 ବ୍ୟବହାର ଯୋଗ୍ୟ

ଆଜିର ଚିନ୍ତା

ଯାତ୍ରା ୩୭:୧-୨୯

ମୁଁ ଈଶ୍ୱରଙ୍କ ଗୌରବ ନିମନ୍ତେ ଏକ ବ୍ୟବହାର ଯୋଗ୍ୟ ପାତ୍ର ହୋଇଛି କି? 


ଈଶ୍ୱର ନିଜ ଆବାସ ନିଜ ଗୌରବମୟ ସୌନ୍ଦର୍ଯ୍ୟରେ ସୁସଜ୍ଜିତ କରାଇ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥାପିତ କରିଥିଲେ । ପୁଣି ଇସ୍ରାଏଲୀୟଙ୍କ ମହା ଉଦ୍ଧାରର ସ୍ମରଣାର୍ଥେ କେତେକ ବସ୍ତୁ ପ୍ରତୀକ ଭାବେ ଏହା ମଧ୍ୟରେ ସଂରକ୍ଷିତ କରିଥିଲେ । ଏହି ସମସ୍ତ ବସ୍ତୁ ଉପାସକ ମଣ୍ଡଳୀ ନିମନ୍ତେ ଏକ ପ୍ରକାର ସଚେତନ, ସଂଶୋଧନ ପୁଣି ଉତ୍ସାହର ପ୍ରତୀକ ଥିଲା । 


ସିନ୍ଦୁକ:

 ଏହା ଈଶ୍ୱରଙ୍କ କର୍ତ୍ତାପଣ ୩ଟି ସ୍ମୃତିକୁ ସାକ୍ଷ୍ୟଭାବେ ଧାରଣ କରିଥିଲା । 

(୧) ଈଶ୍ୱର ଦତ୍ତ ଦଶ ଆଜ୍ଞାର ଦୁଇ ପଥର ଫଳକ, 


(୨) ଏକ ସୁବର୍ଣ୍ଣ ପାତ୍ରରେ ଏକ ଓମର ପରିମାଣର ମାନ୍ନା


 (୩) ହୋରୋଣଙ୍କ ଯଷ୍ଟି, ଯାହା ଅଙ୍କୁରିତ ହୋଇ ପୁଷ୍ପ ଫୁଟି, 

ପକ୍ବ ବାଦାମ ଫଳିଥିଲା ( ଏବ୍ରୀ ୯:୪) । 


ଆଜି ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମହାବଳିକୃତ କାର୍ଯ୍ୟର ସତ୍ୟତା ହେତୁ ପାପରୁ ଶୁଚିକୃତ ହୋଇଥିବାରୁ, ଆମ ଜୀବନ ଯୀଶୁଙ୍କର ସତ୍ୟ ସାକ୍ଷ୍ୟ ବହନ କରିବା ଆବଶ୍ୟକ । 

 

ମେଜ:

ଏହା ଦର୍ଶନୀୟ ରୋଟି ଉତ୍ସର୍ଗୀକୃତ ହେବା ନିମନ୍ତେ ବ୍ୟବହୃତ ହେଉଥିଲା । ଏହି ରୋଟି ନିରନ୍ତର ଯିହୋବାଙ୍କ ଉଦ୍ଦେଶ୍ୟରେ, ଇସ୍ରାଏଲ ଜାତି ଦ୍ଵାରା ପ୍ରଦତ୍ତ ଖାଦ୍ୟ ଉପହାର । ଏହା ଈଶ୍ଵରଙ୍କ ପ୍ରତିପାଳନର ସତ୍ୟତାକୁ ପ୍ରକାଶ କରୁଥିଲା । ଆଜି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ଜୀବନ ଦାୟକ ଆହାର । ଆମ ଜୀବନ ରୂପକ ମେଜରେ ତାହାଙ୍କୁ ପ୍ରକାଶ କରିବା ଆବଶ୍ୟକ । 


ଦୀପବୃକ୍ଷ:

ଏହା ସପ୍ତ ପ୍ରଦୀପକୁ ବହନ କରୁଥିଲା । ଏହି ସମସ୍ତ  ପ୍ରଜ୍ଜ୍ୱଳନ ଦ୍ଵାରା ଅନ୍ଧକାର ଦୁରୀକୃତ ହେଉଥିଲା । ଈଶ୍ୱରଙ୍କ ଉପସ୍ଥିତିରେ ଅନ୍ଧକାରର ସ୍ଥାନ ନାହିଁ । ଖ୍ରୀଷ୍ଟ ଯୀଶୁ ସେହି ଜ୍ୟୋତିଃ, ତାହାଙ୍କୁ ଆମ ଜୀବନରେ ରଖିଲେ, ଆମେ ଜଗତର ଜ୍ୟୋତିଃ ହେବୁ ।


 ଧୂପ ବେଦି : 

ଏଥିରେ ଯାଜକ ପ୍ରଭାତ ଏବଂ ସନ୍ଧ୍ୟା ସମୟରେ ସୁଗନ୍ଧି ଧୂପ ଜଳାଉଥିଲେ । ଅନ୍ୟ କୌଣସି ବିଷୟ ଏଥିରେ ଉତ୍ସର୍ଗୀକୃତ ହେଉ ନ ଥିଲା । ଆଜି ବିଶ୍ବାସୀଙ୍କ ପ୍ରାର୍ଥନା ଏବଂ ଆରାଧନା ଈଶ୍ୱରଙ୍କ  ସମ୍ମୁଖରେ ସୁଗନ୍ଧି ଧୂପ ସଦୃଶ । 

 

ଆମେ ଈଶ୍ୱରଙ୍କ ଆବାସ ହୋଇଥିବା ହେତୁ, ଆମେ  ଈଶ୍ୱରଙ୍କ ଗୌରବର ସାକ୍ଷ୍ୟ  ବହନକାରୀ, ବାକ୍ୟପାଳନକାରୀ, ଆଲୋକ ପ୍ରଦାନକାରୀ ପୁଣି ପ୍ରାର୍ଥନା ସଂଗ୍ରାମୀଭାବୀ ବ୍ୟବହୃତ ହେବା ଆବଶ୍ୟକ । 

ଈଶ୍ୱରଙ୍କ ଆବାସ

ଈଶ୍ୱରଙ୍କ ଆବାସ

ଆଜିର ଚିନ୍ତା

ଯାତ୍ରା - ୩୬:୧-୩୮

ମୁଁ ଈଶ୍ୱରଙ୍କ ଆବାସସ୍ଥାନ ହୋଇପାରିଛି କି ? 


ଈଶ୍ଵର ମନୁଷ୍ୟର ସହଭାଗୀତା ବାଞ୍ଛା କରନ୍ତି :

ସୃଷ୍ଟିକର୍ତ୍ତା ଈଶ୍ଵର ସୃଷ୍ଟି ଆରମ୍ଭରୁ ମନୁଷ୍ୟ ସହିତ ସହଭାଗୀତାରେ ଅଂଶୀ ହେବା ପାଇଁ ଆଗ୍ରହୀ । ଏଦନ ଉଦ୍ୟାନର ଦିନାବସାନର ସମୟରେ ସେ ଉପସ୍ଥିତ ହୋଇ ଆଦମ ଏବଂ ହବା ସହିତ ସହଭାଗୀତା ସ୍ଥାପନ କରିଥିଲେ (ଆଦି ୩:୮) । ପରବର୍ତ୍ତୀ ସମୟରେ ସହଜରେ ପ୍ରାପ୍ୟ ସହଭାଗୀତାର ସୁଯୋଗ ଦୂରୀକୃତ ହୋଇ, ଈଶ୍ୱରଙ୍କ ସ୍ବତନ୍ତ୍ର ନିୟନ୍ତ୍ରଣ ମଧ୍ୟରେ ତାହା ଆବଦ୍ଧ ଥିଲା । ମାତ୍ର ଦ୍ୱିତୀୟ ଆଦମ ଖ୍ରୀଷ୍ଟ ଯୀଶୁଙ୍କ ତ୍ୟାଗପୂର୍ଣ୍ଣ ବଳିକୃତ କାର୍ଯ୍ୟ ଦ୍ଵାରା ଈଶ୍ୱରଙ୍କ ଉପସ୍ଥିତିର ସହଭାଗୀତା ସର୍ବ ସ୍ଥାନରେ, ସମସ୍ତ ସମୟରେ ଉପଲବ୍ଧ କରିବାର ସୁଯୋଗ ଆମ୍ଭେମାନେ ପ୍ରାପ୍ତ ହୋଇଛୁ ଏବଂ ସେ ଆମ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ମଧ୍ୟରେ ବାସ କରିବା ପାଇଁ ଆଗ୍ରହୀ । 


ଉପାସନା ନିମନ୍ତେ ଉପାସନା ପୀଠର ଆବଶ୍ୟକତା : 

ଇସ୍ରାଏଲୀୟ ସନ୍ତାନଗଣ ସୀନୟ ପ୍ରନ୍ତରରେ ଉପସ୍ଥିତ ହୋଇଥିବା ସମୟରେ, ଈଶ୍ବର ଏକ ଆବାସର ନିର୍ମାଣ ନିମନ୍ତେ ଆଦେଶ ଦେଇଥିଲେ (ଯାତ୍ରା ୨୫:୮) ଯେଉଁ ସ୍ଥାନରେ ସେମାନେ ଈଶ୍ଵରଙ୍କ ଉପସ୍ଥିତି ଓ ସହଭାଗୀତାର ଅଂଶୀ ହେବା ସହିତ ସମସ୍ତ ପ୍ରକାର ଦାନ ଏବଂ ବଳିଦାନ ଉତ୍ସର୍ଗ କରିବେ ପୁଣି ଈଶ୍ଵର ନିର୍ଦ୍ଦେଶିତ ସମସ୍ତ ପର୍ବପାଳନ କରିପାରିବେ । ଈଶ୍ଵର ଆପଣା ମନୋନୀତ ୪୦ ଜଣ ଶିଳ୍ପକାରୀଙ୍କୁ ଆବାସର ଆକାର ଓ ନିର୍ମାଣ ଶୈଳ ଜ୍ଞାତ କରାଇ କାର୍ଯ୍ୟ ନିମନ୍ତେ ଆବଶ୍ୟକ ବୁଦ୍ଧି, ଜ୍ଞାନ, ସାମର୍ଥ୍ୟ ଏବଂ ଶକ୍ତି ପ୍ରଦାନ କରିଥିଲେ । ଏହି ଆବାସ ସମାଗମ ତମ୍ବୁ, ସାକ୍ଷ୍ୟ ତମ୍ବୁ, ନାମରେ ପରିଚିତ ଏକ ପବିତ୍ର ଉପାସନା ସ୍ଥଳ ଥିଲା । ପ୍ରାନ୍ତରରେ ଭ୍ରମଣକାରୀ ଇସ୍ରାଏଲୀୟମାନେ ନିଜର ବସତି ସ୍ଥାନ ପରିବର୍ତ୍ତନ ସମୟରେ, ଆଦେଶ ପ୍ରାପ୍ତ ଯାଜକମାନେ ଏହି ତମ୍ବୁ ବହନ କରୁଥିଲେ । ଏହା ଈଶ୍ଵରଙ୍କ ପବିତ୍ର ଉପସ୍ଥିତି, ଚିର ସୁରକ୍ଷା, ମହା ଉଦ୍ଧାର ଏବଂ ସଦା ପ୍ରତିପାଳନର ପ୍ରତୀକଭାବେ ସ୍ଥାପିତ ହୋଇଥିଲା । 


ଆଜିର ଅନୁଗ୍ରହ ଦିନରେ ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ଚିରକାଳସ୍ଥାୟୀ ମହାଯାଜକ, ଯିଏକି ସ୍ୱର୍ଗୀୟ ସମାଗମ ତମ୍ବୁରେ ପିତା ଈଶ୍ୱରଙ୍କଠାରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଛନ୍ତି (ଏବ୍ରୀ ୯:୧୧-୧୨,୨୪-୨୪) । ତେଣୁ ଖ୍ରୀଷ୍ଟ ବିଶ୍ବାସୀଙ୍କ ଉପାସନାର କେନ୍ଦ୍ରସ୍ଥଳ ଖ୍ରୀଷ୍ଟ ଅଟନ୍ତି । ଆଜି ଆମେ ନିଜ ନିଜକୁ ପଚାରୁ, ମୋର ଶରୀର ଈଶ୍ୱରଙ୍କ ମନ୍ଦିର ହୋଇଛି କି ? ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ଆବାସ ଭାବରେ ଦେଖିବା ପାଇଁ ଚାହାଁନ୍ତି ।