ବ୍ୟବହାର ଯୋଗ୍ୟ
ଆଜିର ଚିନ୍ତା
ଯାତ୍ରା ୩୭:୧-୨୯
ମୁଁ ଈଶ୍ୱରଙ୍କ ଗୌରବ ନିମନ୍ତେ ଏକ ବ୍ୟବହାର ଯୋଗ୍ୟ ପାତ୍ର ହୋଇଛି କି?
ଈଶ୍ୱର ନିଜ ଆବାସ ନିଜ ଗୌରବମୟ ସୌନ୍ଦର୍ଯ୍ୟରେ ସୁସଜ୍ଜିତ କରାଇ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥାପିତ କରିଥିଲେ । ପୁଣି ଇସ୍ରାଏଲୀୟଙ୍କ ମହା ଉଦ୍ଧାରର ସ୍ମରଣାର୍ଥେ କେତେକ ବସ୍ତୁ ପ୍ରତୀକ ଭାବେ ଏହା ମଧ୍ୟରେ ସଂରକ୍ଷିତ କରିଥିଲେ । ଏହି ସମସ୍ତ ବସ୍ତୁ ଉପାସକ ମଣ୍ଡଳୀ ନିମନ୍ତେ ଏକ ପ୍ରକାର ସଚେତନ, ସଂଶୋଧନ ପୁଣି ଉତ୍ସାହର ପ୍ରତୀକ ଥିଲା ।
ସିନ୍ଦୁକ:
ଏହା ଈଶ୍ୱରଙ୍କ କର୍ତ୍ତାପଣ ୩ଟି ସ୍ମୃତିକୁ ସାକ୍ଷ୍ୟଭାବେ ଧାରଣ କରିଥିଲା ।
(୧) ଈଶ୍ୱର ଦତ୍ତ ଦଶ ଆଜ୍ଞାର ଦୁଇ ପଥର ଫଳକ,
(୨) ଏକ ସୁବର୍ଣ୍ଣ ପାତ୍ରରେ ଏକ ଓମର ପରିମାଣର ମାନ୍ନା
(୩) ହୋରୋଣଙ୍କ ଯଷ୍ଟି, ଯାହା ଅଙ୍କୁରିତ ହୋଇ ପୁଷ୍ପ ଫୁଟି,
ପକ୍ବ ବାଦାମ ଫଳିଥିଲା ( ଏବ୍ରୀ ୯:୪) ।
ଆଜି ଆମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମହାବଳିକୃତ କାର୍ଯ୍ୟର ସତ୍ୟତା ହେତୁ ପାପରୁ ଶୁଚିକୃତ ହୋଇଥିବାରୁ, ଆମ ଜୀବନ ଯୀଶୁଙ୍କର ସତ୍ୟ ସାକ୍ଷ୍ୟ ବହନ କରିବା ଆବଶ୍ୟକ ।
ମେଜ:
ଏହା ଦର୍ଶନୀୟ ରୋଟି ଉତ୍ସର୍ଗୀକୃତ ହେବା ନିମନ୍ତେ ବ୍ୟବହୃତ ହେଉଥିଲା । ଏହି ରୋଟି ନିରନ୍ତର ଯିହୋବାଙ୍କ ଉଦ୍ଦେଶ୍ୟରେ, ଇସ୍ରାଏଲ ଜାତି ଦ୍ଵାରା ପ୍ରଦତ୍ତ ଖାଦ୍ୟ ଉପହାର । ଏହା ଈଶ୍ଵରଙ୍କ ପ୍ରତିପାଳନର ସତ୍ୟତାକୁ ପ୍ରକାଶ କରୁଥିଲା । ଆଜି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କର ଜୀବନ ଦାୟକ ଆହାର । ଆମ ଜୀବନ ରୂପକ ମେଜରେ ତାହାଙ୍କୁ ପ୍ରକାଶ କରିବା ଆବଶ୍ୟକ ।
ଦୀପବୃକ୍ଷ:
ଏହା ସପ୍ତ ପ୍ରଦୀପକୁ ବହନ କରୁଥିଲା । ଏହି ସମସ୍ତ ପ୍ରଜ୍ଜ୍ୱଳନ ଦ୍ଵାରା ଅନ୍ଧକାର ଦୁରୀକୃତ ହେଉଥିଲା । ଈଶ୍ୱରଙ୍କ ଉପସ୍ଥିତିରେ ଅନ୍ଧକାରର ସ୍ଥାନ ନାହିଁ । ଖ୍ରୀଷ୍ଟ ଯୀଶୁ ସେହି ଜ୍ୟୋତିଃ, ତାହାଙ୍କୁ ଆମ ଜୀବନରେ ରଖିଲେ, ଆମେ ଜଗତର ଜ୍ୟୋତିଃ ହେବୁ ।
ଧୂପ ବେଦି :
ଏଥିରେ ଯାଜକ ପ୍ରଭାତ ଏବଂ ସନ୍ଧ୍ୟା ସମୟରେ ସୁଗନ୍ଧି ଧୂପ ଜଳାଉଥିଲେ । ଅନ୍ୟ କୌଣସି ବିଷୟ ଏଥିରେ ଉତ୍ସର୍ଗୀକୃତ ହେଉ ନ ଥିଲା । ଆଜି ବିଶ୍ବାସୀଙ୍କ ପ୍ରାର୍ଥନା ଏବଂ ଆରାଧନା ଈଶ୍ୱରଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ସଦୃଶ ।
ଆମେ ଈଶ୍ୱରଙ୍କ ଆବାସ ହୋଇଥିବା ହେତୁ, ଆମେ ଈଶ୍ୱରଙ୍କ ଗୌରବର ସାକ୍ଷ୍ୟ ବହନକାରୀ, ବାକ୍ୟପାଳନକାରୀ, ଆଲୋକ ପ୍ରଦାନକାରୀ ପୁଣି ପ୍ରାର୍ଥନା ସଂଗ୍ରାମୀଭାବୀ ବ୍ୟବହୃତ ହେବା ଆବଶ୍ୟକ ।
Amen 🙏
ReplyDelete