ହୋମବେଦୀ
ଆଜିର ଚିନ୍ତା
ଯାତ୍ରା ୩୮:୧-୨୦
ମୁଁ ଏକ ଅଦୃଶ୍ୟ ହୋମବେଦୀର ପରିଚୟ ପାଇଛି କି ?
ଈଶ୍ୱରଙ୍କ ଯୋଜନାରେ ସମାଗମ ତମ୍ବୁ ନିମନ୍ତେ ହୋମବେଦୀ, ପ୍ରକ୍ଷାଳନ ପତ୍ର ଏବଂ ପ୍ରାଙ୍ଗଣର ସ୍ଥାନ ନିର୍ମିତ ହୋଇଥିଲା । ପ୍ରାଙ୍ଗଣର ଦ୍ଵାର ଦେଶ ସମ୍ମୁଖରେ ହୋମବେଦୀ (ଲେବି ୪:୧୮) ସ୍ଥାପିତ ହୋଇଥିଲା । ବେଦୀ ଓ ସମାଗମ ତମ୍ବୁ ମଧ୍ୟ ସ୍ଥାନରେ ପ୍ରକ୍ଷାଳନ ପାତ୍ର ଥିଲା । ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ସମାଗମ ତମ୍ବୁ ମଧ୍ୟକୁ ପ୍ରବେଶ ପୂର୍ବରୁ ହସ୍ତ ଏବଂ ପାଦ ଧୌତ କରିବା ଏକ ପାଳନୀୟ ବିଧି ଥିଲା (ଯାତ୍ରା ୩୦:୧୮-୨୧) ।
ଉପାସନାରେ ବେଦୀର ସ୍ଥାନ:
ପୂରାତନ ନିୟମ ସମୟରେ ବେଦି ଈଶ୍ୱରଙ୍କ ସେବା ଉଦ୍ଦେଶ୍ୟରେ ବହୁଲଭାବେ ବ୍ୟବହୃତ ହେଉଥିଲା । ମାତ୍ର ଏହା କୌଣସି ନିର୍ଦ୍ଦିଷ୍ଟ ନିୟମ ମଧ୍ୟରେ ଆବଦ୍ଧ ନ ଥିଲା । ଭିନ୍ନ ଭିନ୍ନ ବ୍ୟକ୍ତି, ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ । ଈଶ୍ୱର ଆବାସରେ ଦୁଇଟି ବେଦୀ ରଖିଥିଲେ । ସେଗୁଡ଼ିକର ନିର୍ମାଣ ଏବଂ ବ୍ୟବହାର ଭିନ୍ନ ଥିଲା । ଏକ ବେଦୀ, ଯେଉଁଠାରେ ସର୍ବଦା ସୁଗନ୍ଧି ଧୂପ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉସର୍ଗୀକୃତ ହେଉଥିଲା । ଏହା ଧୂପ ବେଦୀ ନାମରେ ନାମିତ । ଅନ୍ୟ ବେଦି ହୋମବେଦୀ, ଯାହାକି ବଳିଦାନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ନିର୍ଦ୍ଦିଷ୍ଟଭାବେ ପାପର ପ୍ରାୟଶ୍ଚିତ ନିମନ୍ତେ ଏହି ବେଦୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ସେଠାରେ ହୋମବଳୀର ଖଣ୍ଡସକଳ ଯାଜକଙ୍କ ଦ୍ଵାରା ଦଗ୍ଧ କରାଯାଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେଉଥିଲା ।
ଖ୍ରୀଷ୍ଟିୟ ଉପାସନାରେ କ୍ରୁଶର ବେଦୀ:
ଆଜିର ଅନୁଗ୍ରହ ଯୁଗରେ କୌଣସି ବଳିର ଆବଶ୍ୟକତା ନାହିଁ । କାରଣ ଖ୍ରୀଷ୍ଟ ଯୀଶୁ ସର୍ବ ମାନବଜାତିର, ସମସ୍ତ ପ୍ରକାର ବଳିଦାନ ନିମନ୍ତେ ନିଜକୁ ଏକ ନିଖୁନ୍ତ ମେଷଶାବକଭାବେ ଉତ୍ସର୍ଗ କରିଅଛନ୍ତି । ତେଣୁ ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କ ନିମନ୍ତେ ବଳି ଏବଂ ଉତ୍ସର୍ଗ କରିବାର ବେଦୀ ଅଟନ୍ତି (ଏବ୍ରୀ ୧୩:୧୦) । ଆମ୍ଭମାନଙ୍କର ଈଶ୍ୱରଙ୍କର ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଧନ୍ୟବାଦ, ପ୍ରଶଂସା ଏବଂ ଅନୁତାପର ବଳି, ପ୍ରାର୍ଥନା, ନିବେଦନ ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅର୍ପଣ କରିବା ଆବଶ୍ୟକ ।
ଆଜି ଆମ୍ଭେମାନେ ନିଜ ଜୀବନର ସମସ୍ତ ସମସ୍ୟା, ସଙ୍କଟ, ଦୁଃଖ, ଦୁର୍ଦ୍ଦଶାର ବୋଝରେ ବୋଝଗ୍ରସ୍ତ କି ? ଆଜି ସେହି ସମସ୍ତ ବିଷୟ ଖ୍ରୀଷ୍ଟ ଯୀଶୁଙ୍କ କ୍ରୁଶ ନିକଟରେ ଉତ୍ସର୍ଗ କରୁ । ତେବେ ଆମ ଜୀବନରେ ଶାନ୍ତି ଓ ମୁକ୍ତି ପ୍ରାପ୍ତ ହେବୁ ।