ସେବକର ପ୍ରସ୍ତୁତି କରଣ
ଆଜିର ଚିନ୍ତା
ଯାତ୍ରା ୨୯:୧-୨୧
ମୁଁ ପ୍ରଭୁଙ୍କ ପ୍ରଦତ୍ତ ସେବା କାର୍ଯ୍ୟକୁ ହାଲୁକା ଭାବରେ ନେଉଛି କି ?
ଯାଜକ ଭାବରେ ପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଈଶ୍ଵର ଭ୍ରାତା ହାରୋଣ ଓ ତାହାଙ୍କର ପୁତ୍ରମାନଙ୍କୁ ମନୋନୀତ କରିଥିଲେ । ସେମାନେ ମଧ୍ୟ ଈଶ୍ଵରଙ୍କର ବାଧ୍ୟ ହୋଇ ପ୍ରଦତ୍ତ ସେବା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରୁଥିଲେ। ଈଶ୍ୱରଙ୍କର ମନୋନୀତ ସେବକ ହେବା ନିମନ୍ତେ ଯାଜକମାନଙ୍କୁ ପ୍ରସ୍ତୁତ କରାଯାଉଥିଲା । ସେହି ସେବକର ପ୍ରସ୍ତୁତିକରଣ ବିଷୟରେ ଆମେ ଆଜିର ଅଧ୍ୟାୟରେ ପାଠ କରୁ । ଆଜି ସେହି ବିଷୟରେ ସଂକ୍ଷେପରେ ଆଲୋଚନା କରିବା ।
ମାନୋନୟନ :
ଆମର ଈଶ୍ଵର ଶୃଙ୍ଖଳାର ଈଶ୍ଵର । ସେଥିପାଇଁ ସେ ହାରୋଣଙ୍କ ବଂଶକୁ ମାନୋନୟନ କଲେ । ଯଦି ଜଣେ ବ୍ୟକ୍ତି ଈଶ୍ୱରଙ୍କର ସେବକ ହେବାକୁ ଇଛା କରେ, ତେବେ ସେ ଜାଣିବା ଦରକାର ଯେ, ପ୍ରଭୁ ତାକୁ ସେହି ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଛନ୍ତି ନ ନାହିଁ । ଯଦି ସେ ତା'ର ଆହ୍ଵାନକୁ ଜାଣେ ଓ ମାନୋନୟନକୁ ସଠିକ୍ ଭାବରେ ବୁଝିଥାଏ, ତେବେ ସେ ତା'ର ସେବା କାର୍ଯ୍ୟରେ ସଫଳ ହୁଏ ଓ ତଦ୍ୱାରା ପ୍ରଭୁ ଗୌରବାନ୍ୱିିତ ହୁଅନ୍ତି ।
ଶୁଚିକରଣ :
୪ ପଦରେ ଲେଖାଯାଇଥାଏ, "ସେମାନଙ୍କୁ ସ୍ନାନ କରାଇବେ" । ଯାଜକମାନଙ୍କୁ ଜଳରେ ଧୌତ କାରିବାର ପ୍ରଥା ସ୍ୱୟଂ ଈଶ୍ଵର ପ୍ରଦାନ କରିଥିଲେ । ଏହି ସ୍ନାନ ବା ଜଳରେ ପ୍ରକ୍ଷାଳନ ବିଧି ଶୂଚିକରଣ ନିଦର୍ଶନ । ଯଦିବା ଏହା ଶରୀରର ବର୍ହିଭାଗକୁ ପରିଷ୍କୃତ କରୁଥିଲା, ତଥାପି ସ୍ୱଇଛାରେ ତାହା କରିବା ଦ୍ଵାରା ସେମାନେ ଈଶ୍ୱରଙ୍କ ବଶତାକୁ ସମ୍ମାନ ଜଣାଇ ଆନ୍ତରିକ ଭାବରେ ଶୂଚିକୃତ ହେଉଥିଲେ ।
ପାବିତ୍ରୀକରଣ :
ଆଜିର ପାଠରେ ଯାଜକମାନଙ୍କୁ ୩ଟି ପଶୁବଳୀ ମାଧ୍ୟମରେ ପବିତ୍ର କରାଯାଉଥିଲା । ପ୍ରଥମ ବଳିଟି ପାପାର୍ଥକ ବଳି (୧୪ପଦ) । ଜଣେ ବ୍ୟକ୍ତିର ପାପ କ୍ଷମାର ଅନୁଭୂତି ନ ଥିଲେ ସେ ସେବାକାର୍ଯ୍ୟ ନିମନ୍ତେ ଯୋଗ୍ୟ ନୁହେଁ । ୨ୟ ବଳିଟି ହୋମବଳି । ଏହା ଈଶ୍ୱରଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । ୩ୟ ବଳିଟି ପାବିତ୍ରୀକରଣ ନିମନ୍ତେ ଉଦ୍ଦିଷ୍ଟ ଥିଲା । ବାକ୍ୟରେ ଲେଖାଯାଏ, "ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ପବିତ୍ର ଅଟୁ" (ଲେବୀ ୧୧:୪୫)। ପବିତ୍ରତା ବିନା ଈଶ୍ୱରଙ୍କ ସନ୍ତୋଷଭାଜନ ହେବା କିଆବା ସେବା କରିବା ଅସମ୍ଭବ ।