BN

ଚୁକ୍ତିର ନିଶ୍ଚିତତା

 ଚୁକ୍ତିର ନିଶ୍ଚିତତା


ଆଜିର ଚିନ୍ତା


ଯାତ୍ରା ୨୪:୧-୧୮


ମୁଁ ଯୀଶୁଙ୍କ ପବିତ୍ର ରକ୍ତରେ ନିଜକୁ ଧୌତ ଓ ପରିଷ୍କୃତ କରିଛି କି ? 


ସଦାପ୍ରଭୁ ମୋଶାଙ୍କୁ ପର୍ବତ ଉପରକୁ ଡାକି ଇସ୍ରାଏଲ ଲୋକମାନଙ୍କୁ ଜଣାଇବା ନିମନ୍ତେ ଅନେକ ବାକ୍ୟ ଓ ଶାସନର ବିଷୟ ପ୍ରକାଶ କଲେ । ମୋଶା ଲୋକମାନଙ୍କୁ ତାହା ଜଣାଇବାରୁ ସେମାନେ ତାହା ପାଳନ କରିବା ପାଇଁ ନିଜର ସ୍ଵୀକୃତି ପ୍ରକାଶ କଲେ । ପୁଣି ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟକୁ ଲେଖି ରଖିଲେ । 


ନିୟମର ରକ୍ତ : 

ମୋଶା ପର୍ବତ ତଳେ ଗୋଟିଏ ଯଜ୍ଞ ବେଦି ନିର୍ମାଣ କରି ଯୁବାମାନଙ୍କୁ ପଠାଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ । ସେହି ବଳିର ରକ୍ତ ନେଇ ସେ ଲୋକମାନଙ୍କ ଉପରେ ଛିଞ୍ଚି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ ବା ଚୁକ୍ତି କରିଛନ୍ତି, ସେହି ନିୟମର ରକ୍ତ ଏହି । ରକ୍ତପାତ ବିନା ପାପମୋଚନ ହୁଏ ନାହିଁ (ଏବ୍ରୀ ୯:୧୯-୨୨) । ପୁରାତନ ନିୟମରେ ଯେପରି ଗୋଟିଏ ନିଖୁନ୍ତ ପଶୁର ବଳିଦାନଦ୍ଵାରା ଜଣେ ବ୍ୟକ୍ତିର ପାପମୋଚନ ହୁଏ,ସେହିପରି ଯୀଶୁଖ୍ରୀଷ୍ଟ ନିଖୁନ୍ତ ମେଷଶାବକ ସଦୃଶ୍ୟ ଆମ୍ଭମାନଙ୍କର ପାପ ନିମନ୍ତେ କ୍ରୁଶ ଉପରେ ଆପଣାର ରକ୍ତ ଢାଳି ଦେଇ ଆମ୍ଭମାନଙ୍କୁ ପାପରୁ କ୍ଷମା ପ୍ରଦାନ କଲେ ଓ ପିତାଙ୍କ ସହିତ ଆମ୍ଭମାନଙ୍କୁ ପୁନଃମିଳିତ କଲେ । ସେ ଆମ୍ଭମାନଙ୍କ ସହିତ ଏକ ନିୟମ ବା ଚୁକ୍ତି କଲେ । ଯେତେବେଳେ ଜଣେ ପାପୀ ଅନୁତାପ ସହ ନିଜର ପାପକୁ ଯୀଶୁଙ୍କ ନିକଟରେ ସ୍ବୀକାର କରେ, ସେତେବେଳେ ସେ ପରିତ୍ରାଣ ପାଏ । 


ନିୟମ ପୁସ୍ତକ :

 ସଦାପ୍ରଭୁଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ଆଜ୍ଞା, ବିଧି ଓ ଶାସନ ସମ୍ବନ୍ଧୀୟ ବାକ୍ୟକୁ ମୋଶା ଲୋକମାନଙ୍କ ନିକଟରେ ନିୟମ ପୁସ୍ତକରୁ ପାଠ କରି ଶୁଣାଇବା ପରେ ଲୋକମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଛନ୍ତି ଆମ୍ଭେମାନେ ତାହା ପାଳନ କରିବା ଓ ଆଜ୍ଞାବହ ହେବା । ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ପାଇଁ ଶପଥ କରିବା ପରେ, ସେହି ଉତ୍ସର୍ଗୀକୃତ ରକ୍ତ ଦ୍ଵାରା ଈଶ୍ୱରଙ୍କ ସହ ସେମାନଙ୍କ ନିୟମ ବା ଚୁକ୍ତିକୁ  ମୁଦ୍ରାଙ୍କିତ କରାଗଲା । ଈଶ୍ଵର ଆମ୍ଭମାନଙ୍କୁ ପାପର ଅନନ୍ତ ବିନାଶରୁ ମୁକ୍ତ କରି ରକ୍ଷା କରିବା ଲାଗି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଭଗ୍ନ ହୋଇଥିବା ସମ୍ପର୍କକୁ ପୁନଃସ୍ଥାପନ କରିବା ଲାଗି, ନୂତନ ଚୁକ୍ତି ବା ନିୟମ ଅନୁସାରେ ଈଶ୍ଵର ତାଙ୍କର ବ୍ୟବସ୍ଥା ଗୁଡିକୁ ଆମ୍ଭମାନଙ୍କ ମନ ଓ ହୃଦୟରେ ସ୍ଥାନିତ କରିବାକୁ ପ୍ରତିଜ୍ଞା ଦେଇଛନ୍ତି । ଆଜି ଆମ୍ଭେମାନେ ତାଙ୍କର ସେହି ଚୁକ୍ତିରେ ନିଜକୁ ସାମିଲ କରି, ତାଙ୍କର ଆଜ୍ଞାଗୁଡ଼ିକ ପାଳନ କରିବାକୁ ମନୋଯୋଗୀ ହୋଇଛୁ କି ? 

No comments:

Post a Comment

Kindly give your suggestions or appreciation!!!