BN

ସମାଧିର ଗୁରୁତ୍ୱ

 ସମାଧିର ଗୁରୁତ୍ୱ

ଆଜିର ଚିନ୍ତା


ଲୁକ ୨୩:୫୦-୫୬


"ଯୀଶୁଙ୍କ ସମାଧି ମୋ' ପାଇଁ ଗୁରୁତ୍ୱପୂର୍ଣ୍ଣ କି ?"


ଯୀଶୁଙ୍କ ସମାଧି ଯୀଶୁଙ୍କ ମୃତ୍ୟୁ ପରି ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଚାରୋଟି ସୁସମାଚାରରେ ଏହାର ଉଲ୍ଲେଖ ଅଛି । ଅନେକ ଏହା ଉପରେ ବିଶେଷ ଦୃଷ୍ଟି ଦେଉ ନ ଥିଲେ ସୁଦ୍ଧା ଏହା ସୁସମାଚାର ଅଂଶ ବିଶେଷ ଅଟେ (୧ କର ୧୫:୩-୪) । 


ସମାଧି ମୁତ୍ୟୁର ପ୍ରମାଣ :

 ସାଧାରଣ ଭାବରେ, କ୍ରୁଶାର୍ପିତ ବ୍ୟକ୍ତିମାନଙ୍କୁ ସମାଧି ଦିଆଯାଉ ନ ଥିଲା । ସେମାନଙ୍କ ଶରୀରକୁ ପଶୁପକ୍ଷୀଙ୍କ ଆହାର ନିମନ୍ତେ ଖୋଲା ସ୍ଥାନରେ ଫିଙ୍ଗିଦିଆ ଯାଉଥିଲା । ମାତ୍ର ପ୍ରଭୁ ଯୀଶୁଙ୍କ କ୍ଷେତ୍ରରେ ସେପରି ଘଟି ନ ଥିଲା । ଯୀଶୁଙ୍କୁ ସମାଧି ଦେବା ଓ ସମାଧିକୁ  ମୁଦ୍ରାଙ୍କିତ କରି ପ୍ରହରୀମାନଙ୍କ ଦ୍ଵାରା ଏହାକୁ ସୁରକ୍ଷିତ ରଖାଯିବା ସତ୍ତ୍ବେ ତାଙ୍କ ବିରୋଧୀମାନେ ତାଙ୍କର ମୃତ୍ୟୁ ଓ ଶିଷ୍ୟମାନଙ୍କ ଦ୍ଵାରା ତାଙ୍କ ଶରୀର ଅପହରଣ ବିଷୟରେ ସନ୍ଦେହ ପ୍ରକାଶ କରିଥିଲେ।  ତେବେ ଯଦି ତାଙ୍କୁ ସମାଧି ଦିଆଯାଇ ନ ଥାନ୍ତା, ତେବେ ସେମାନଙ୍କ ଦାବୀ କେତେ ବଲିଷ୍ଠ ହୋଇଥା' ନ୍ତା ତାହା ସହଜରେ ଅନୁମେୟ ଅଟେ । 


ଯୀଶୁଙ୍କର ଗୁପ୍ତ ଶିଷ୍ୟ :

 ଯୀଶୁଙ୍କ ପାଇଁ ହାରାମାଥୀୟ ଯୋଷେଫ ନାମକ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ନିଜର ସମାଧି ଦାନ କରିଥିଲେ । ତାଙ୍କ ବିଷୟରେ ଲେଖାଯାଏ…….


୧. ସେ ଯିରୁଶାଲମସ୍ଥିତ ମହାସଭାର ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ ।  


୨. ସେ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲେ । 


୩. ସେ ଯୀଶୁଙ୍କ ହତ୍ୟା କରିବା ଯୋଜନାରେ ସମ୍ମତ ନ ଥିଲେ । 


୪. ସେ ଈଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ । 


ଏଠାରେ ଲୁକ ନିକଦୀମ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରି ନାହାନ୍ତି (ଯୋହନ ୧୯:୩୯) । ଯୋଷେଫଙ୍କ ଭଳି ସେ ମଧ୍ୟ ଯୀଶୁଙ୍କର ଜଣେ ଗୁପ୍ତ ଶିଷ୍ୟ ଥିଲେ । ଭୟ ଯୋଗୁ ଉଭୟେ ପ୍ରକାଶ୍ୟରେ ଯୀଶୁଙ୍କୁ ସମର୍ଥନ କରି ନ ଥିଲେ । ମାତ୍ର ଯୀଶୁଙ୍କ ମୃତ୍ୟୁ କାଳୀନ ଘଟଣାଗୁଡ଼ିକ ସେମାନଙ୍କୁ ବିଚଳିତ କରିଥିଲା ଓ ସେମାନେ ସାହସୀ ହୋଇ ଯୀଶୁଙ୍କୁ ସମ୍ମାନର ସହିତ ସମାଧି ମଧ୍ୟରେ ରଖିଥିଲେ । 


କେତେଜଣ ସ୍ତ୍ରୀ ମଧ୍ୟ ଯୀଶୁଙ୍କ ସମାଧି କ୍ରିୟା ସମୟରେ ଉପସ୍ଥିତ ଥିଲେ । ସେମାନେ ଯୀଶୁଙ୍କର ଜୀବିତାସ୍ଥାରେ, ତାଙ୍କର ମୃତ୍ୟୁ ଯାତ୍ରା ପଥରେ, ତାଙ୍କର ମୃତ୍ୟୁ ସମୟରେ, ସମାଧି ସମୟରେ, ଏପରିକି ତାଙ୍କର ପୁନରୁତ୍ଥାନ ସମୟରେ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ନିକଟରେ ଭୟ ନ ଥିଲା, ସେମାନେ ଯୀଶୁଙ୍କର ପ୍ରକୃତ ଅନୁଗାମୀ ଥିଲେ । ଆମେ ଆମର ବିଶ୍ଵାସକୁ ଗୁପ୍ତ ନ ରଖି ପ୍ରକାଶ୍ୟରେ ତାଙ୍କୁ ସ୍ବୀକାର କରୁ ବୋଲି ଯୀଶୁ ଚାହାଁନ୍ତି । 

ଅନନ୍ୟ ସେବକ

 ଅନନ୍ୟ ସେବକ 

ଆଜିର ଚିନ୍ତା


ଲୁକ ୨୩:୨୬-୪୯


ଯୀଶୁଙ୍କ ବଳିଦାନ ପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞ ଅଟେ କି ?


ଯୀଶୁଙ୍କ ମୃତ୍ୟୁ ଏକ ହୃଦୟ ବିଦାରକ ଓ ଅତନ୍ତ୍ୟ ନିର୍ମମ ଘଟଣା ଥିଲା । ଜଣେ ସାହିତ୍ୟିକା ଡରୋଥି ସେୟର୍ଷ ଲେଖନ୍ତି ଯେ, ପ୍ରଭୁ ଯୀଶୁ ଗୋଟିଏ ଦୁର୍ନୀତିଗ୍ରସ୍ତ ମଣ୍ଡଳୀ (ଇସ୍ରାଏଲ), ଗୋଟିଏ ଭୟାଳୁ ରାଜନେତା ଓ ଅସ୍ଥିର ଜନତାଙ୍କ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିଲେ; ପୁଣି ଆଜି ଆମ ମଧ୍ୟରେ ସେହି ସମସ୍ତ ବିଷୟ ରହିଛି । ସେଥିପାଇଁ, ଆଜି ମଧ୍ୟ ଯୀଶୁ ଆମଠାରୁ ଠିକ୍ ସେହିପରି ବ୍ୟବହାର ପାଇଥାନ୍ତେ, ଯେପରି ଯେପରି ସେ ସେତେବେଳେ ପାଇଥିଲେ । 


କ୍ରୁଶୀୟ ପଥରେ ସେବାକାର୍ଯ୍ୟ : 

ପିଲାତଙ୍କ ରାଜ ପ୍ରସାଦରୁ ଗଲଗଥାକୁ ଯିବା ପଥରେ ଓ କ୍ରୁଶ ଉପରେ ଏପରି କିଛି ଘଟଣା ଘଟିଥିଲା, ଯେଉଁଗୁଡ଼ିକ ଗୁରୁତ୍ୱହୀନ ମନେ ହେଲେ ମଧ୍ୟ ଯୀଶୁ ସେଗୁଡିକୁ ଅର୍ଥପୁର୍ଣ୍ଣ କରିଥିଲେ । 


ପ୍ରଥମରେ, କିଛି ସମୟ ପାଇଁ ଶିମୋନ ନାମକ ଜଣେ କ୍ୱିରିଣୀୟ ବ୍ୟକ୍ତି ଯୀଶୁଙ୍କର କ୍ରୁଶ ବହନ କରିଥିଲେ । ଯୀଶୁଙ୍କର ଓ କ୍ରୁଶର ସ୍ପର୍ଶ ତାଙ୍କ ଜୀବନକୁ ଓ ତାଙ୍କ ପରିବାରକୁ ପରିବର୍ତ୍ତିତ କରିଥିଲେ । 


ଦ୍ଵିତୀୟରେ, କେତେ ଜଣ ସ୍ତ୍ରୀ ରୋଦନ କରୁ କରୁ ତାଙ୍କର ଅନୁଗମନ କରୁଥିଲେ । ଯୀଶୁ ସେମାନଙ୍କୁ କହିଥିଲେ ଯେ, ସେମାନେ ତାଙ୍କ ପାଇଁ ନୁହେଁ ମାତ୍ର ଆଗାମୀ ବିପତ୍ତି ନିମନ୍ତେ ନିଜ ପାଇଁ ଓ ନିଜ ନିଜ ସନ୍ତାନମାନଙ୍କ ପାଇଁ କ୍ରନ୍ଦନ କରିବା ଉଚିତ । ଏହା କହିବା ସମୟରେ, ଯୀଶୁ ଉଭୟ ଯିରୁଶାଲମ ଧ୍ଵଂସ (୭୦ ଖ୍ରୀ:ଅ) ଓ ଆଗାମୀ ମହାକ୍ଳେଶ କୁ ଦୃଷ୍ଟିରେ ରଖିଥିଲେ ।



କ୍ରୁଶ ଉପରେ ସେବାକାର୍ଯ୍ୟ :


 (୧) ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଲୋକମାନଙ୍କ କ୍ରୁରତା ଓ ଅପମାନ ତାଙ୍କୁ ଯେତିକି ବ୍ୟଥିତ କରି ନ ଥିଲା, ସେମାନଙ୍କ ଅଜ୍ଞାତ ତାଙ୍କୁ ସେତିକି ବ୍ୟଥିତ କରିଥିଲା । ସେଥିପାଇଁ ସେମାନଙ୍କୁ କ୍ଷମା କରିଦେବା ନିମନ୍ତେ ସେ ଈଶ୍ୱରଙ୍କ ପ୍ରାର୍ଥନା କରିଥିଲେ ।


 (୨) ତାଙ୍କର ଉଭୟ ପାର୍ଶ୍ଵରେ ଝୁଲୁଥିବା ଦୁଇ ଚୋରଙ୍କ ମଧ୍ୟରୁ ତାଙ୍କଠାରୁ ବିଶ୍ଵାସ କରିଥିବା ଚୋରକୁ ସେ ପରିତ୍ରାଣ ଦେଇଥିଲେ । 


(୩) ସେ ନିଜର ଆତ୍ମାକୁ ପିତା ଈଶ୍ୱରଙ୍କ ନିକଟରେ ସମର୍ପଣ କରି ପ୍ରାଣତ୍ୟାଗ କରିଥିଲେ । 


ଈଶ୍ୱରଙ୍କ ଆମର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମକୁ ପରିତ୍ରାଣ ଦେବା ପାଇଁ ଅପେକ୍ଷା କରନ୍ତି । ତେଣୁ ଆସନ୍ତୁ, କାଳ ବିଳମ୍ବ ନ କରି ଆଜିର ଏହି ବିଶେଷ ଦିନରେ ଆମେ ନିଜ ନିଜକୁ ପରୀକ୍ଷା କରୁ ଓ ପରିତ୍ରାଣ ନିମନ୍ତେ, ତାଙ୍କଠାରେ ନିଜକୁ ସମର୍ପଣ କରୁ, ସେ ଆମକୁ କ୍ଷମା ଦେବାକୁ ସର୍ବଦା ପ୍ରସ୍ତୁତ ଅଟନ୍ତି । 

ମାନବୀୟ ଦୁର୍ବଳତା

ମାନବୀୟ ଦୁର୍ବଳତା

ଆଜିର ଚିନ୍ତା


ଲୁକ ୨୨:୫୪-୭୧


ମୁଁ ଯୀଶୁଙ୍କ ସର୍ବ ସମକ୍ଷରେ ସ୍ବୀକାର କରେ କି ? 


ପ୍ରାର୍ଥନା ଓ ବିଶ୍ଵାସର ଅଭାବ ଯୋଗୁଁ ଶୟତାନ ପ୍ରଲୋଭନକୁ ଏଡ଼ାଇ ଦେବା ପାଇଁ ଆମ ନିକଟରେ ପୂର୍ବ ପ୍ରସ୍ତୁତି ନ ଥାଏ । ଯୀଶୁଙ୍କର ଶିଷ୍ୟମାନଙ୍କ କ୍ଷେତ୍ରରେ ତାହା ହି ଘଟିଥିଲା । ନିଜ ଗୁରୁଙ୍କୁ ବନ୍ଦୀ ଭାବରେ ଦେଖି ସେମାନଙ୍କ ବିଶ୍ଵାସ ଟଳମଳ ହୋଇଥିଲା ଓ ସେମାନେ ତାଙ୍କୁ ପରିତ୍ୟାଗ କରି ଆତ୍ମ ଗୋପନ କରିଥିଲେ । 


ପିତରଙ୍କ ଅସ୍ୱୀକାର : 

ଅବଶ୍ୟ, ପିତର ଯୀଶୁଙ୍କ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରି ନ ଥିଲେ । ଗୁରୁଙ୍କର ଶେଷ ଦଶା କଣ ହେବ, ତାହା ଜାଣିବା ପାଇଁ ସେ ଆଗ୍ରହୀ ଥିଲେ । ସେ ଯୀଶୁଙ୍କର ଅତି ଘନିଷ୍ଟ ସହଯୋଗୀ ଥିଲେ ଓ ତାଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମର ସାକ୍ଷୀ ଥିଲେ।  ସେ ଯୀଶୁଙ୍କ ସହିତ ମୃତ୍ୟୁବରଣ କରିବ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ଏପରିକି ଯୀଶୁଙ୍କୁ ବନ୍ଦୀ କରାଯିବା ସମୟରେ, ସେ ଜଣେ ବ୍ୟକ୍ତିର କାନ କାଟି ପକାଇଥିଲେ । ତେବେ ପିତର କାହିଁକି ଏତେ ଦୁର୍ବଳ ହୋଇ ତାଙ୍କୁ ଅସ୍ୱୀକାର କରିଥିଲେ ?  


ପ୍ରଥମତଃ,

ନିଜର ବିଶ୍ଵାସ ଓ ଦୃଢ଼ତା ବିଷୟରେ ତାଙ୍କର ଆତ୍ମା ପ୍ରତ୍ୟୟ ଥିଲା । ସେ ଯେ ତାଙ୍କୁ ଅସ୍ୱୀକାର କରିବେ, ଯୀଶୁଙ୍କର ଏହି ସତର୍କ ବାଣୀକୁ ସେ ଭୁଲି ଯାଇଥିଲେ । 


ଦ୍ୱିତୀୟତଃ 

ସେ ଖ୍ରୀଷ୍ଟଙ୍କଠାରୁ ଦୂରକୁ ଚାଲି ଯାଇଥିଲେ, 


ଅର୍ଥାତ୍ ଯୀଶୁଙ୍କ ପାଖରେ ନ ରହି ତାଙ୍କୁ ଦୂରରୁ ଅନୁସରଣ କରିଥିଲେ l ଆମେ ଯୀଶୁଙ୍କଠାରୁ ଯେତେ ଦୂରକୁ ଯିବା, ଶୟତାନ ଆମର ସେତିକି ନିକଟତର ହେବ । ଅନେକେ ଏହି କାରଣରୁ ନିଜ ନିଜ ମୁଖକୁ ବନ୍ଦ ରଖନ୍ତି ଓ ଚାପ ସମ୍ମୁଖରେ ତାଙ୍କୁ ଅସ୍ୱୀକାର କରନ୍ତି।  ପିତର ଯୀଶୁଙ୍କ ଠାରୁ ଦୂରକୁ ଚାଲିଯିବାରୁ ଶୟତାନର ଫାନ୍ଦରେ ପଡ଼ି ଯାଇଥିଲେ । କାରଣ ସେ ସତ୍ୟ ପରିତ୍ୟାଗ କରି ମିଥ୍ୟାର ଆଶ୍ରୟ ନେଇ ଥିଲେ । ଶୟତାନ ସମସ୍ତ ମିଥ୍ୟାର ଜନକ ଅଟେ (ଯୋହନ ୮:୪୪) । ତିନିଥର ଯୀଶୁଙ୍କୁ ଅସ୍ୱୀକାର କରିବା ପରେ (୫୦-୬୦), କୁକୁଡ଼ା ଡ଼ାକିଥିଲା, ଆଉ ପିତର ଚେତନା ପାଇ ଯୀଶୁଙ୍କ କଥା ସ୍ମରଣ କରିଥିଲେ।  ସେ ନିଜର ଭୁଲ ପାଇଁ କ୍ରନ୍ଦନ କରିଥିଲେ ।


ପିତରଙ୍କ ଅନୁତାପ : 

ପ୍ରକୃତ ଅନୁତାପରେ କ୍ରନ୍ଦନ ଓ ଅଶ୍ରୁ ଥାଏ । ଯିହୁଦାଠାରେ ଏହା ଦେଖାଯାଇ ନ ଥିଲା । ସେଥିପାଇଁ ଯିହୁଦା ପତିତ ହୋଇଥିଲା, ମାତ୍ର ଯୀଶୁ ପିତରଙ୍କୁ ଉଠାଇଥିଲେ ଓ ବଳିଷ୍ଠ ଭାବରେ ବ୍ୟବହାର କରିଥିଲେ । ମନୁଷ୍ୟ ଭାବରେ ଆମେ ସମସ୍ତେ ଦୁର୍ବଳ, ମାତ୍ର ଆମକୁ ଯିହୁଦା ଭଳି ନୁହେଁ, ମାତ୍ର ପିତରଙ୍କ ଭଳି ହେବାକୁ ପଡ଼ିବ । ଦୃଢ଼ ବିଶ୍ୱାସୀ ହେବା ପାଇଁ ଆମକୁ ବାରମ୍ବାର ତାଙ୍କ ନିକଟକୁ ଫେରି ଆସିବାକୁ ହେବ ଓ ତାଙ୍କ ସହିତ ସଂଯୁକ୍ତ ହୋଇ ରହିବାକୁ ହେବ ।




ବଡ଼ ହେବାର ଲାଳସା

 ବଡ଼ ହେବାର ଲାଳସା

ଆଜିର ଚିନ୍ତା

ଲୁକ ୨୨:୨୪-୩୮


ମୁଁ କିପରି ଈଶ୍ଵରଙ୍କ ଦୃଷ୍ଟିରେ ଶ୍ରେଷ୍ଠ ହୋଇପାରିବି ?


ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାଙ୍କ ପ୍ରତି ବିଶ୍ଵାସଘାତକତା କରିବ ବୋଲି ଯୀଶୁ କହିବା ପରେ, କିଏ ଏହିପରି ହୀନ କାର୍ଯ୍ୟ କରିପାରେ ବୋଲି ସେମାନଙ୍କ ମଧ୍ୟରେ ଏକ ଆଲୋଚନା ଆରମ୍ଭ ହେଲା । ଏହି ଆଲୋଚନା ଧୀରେ ଧୀରେ ଏକ ବିବାଦ ଦିଗକୁ ଗତି କଲା "ସେମାନଙ୍କ ଭିତରେ କିଏ ଶ୍ରେଷ୍ଠ" ମାତ୍ର ଯୀଶୁ ଏହାକୁ ଏକ ସୁଯୋଗ ଭାବରେ ଗ୍ରହଣ କରି ସେମାନଙ୍କୁ ପ୍ରକୃତ ଶ୍ରେଷ୍ଠତା ବିଷୟରେ ଶିକ୍ଷା  ଦେଇଥିଲେ ।


ଜଗତଠାରୁ ଭିନ୍ନ : 

ଶ୍ରେଷ୍ଠତା ବିଷୟରେ ଜଗତର ଲୋକମାନଙ୍କ ଦୃଷ୍ଟିକୋଣ ଈଶ୍ୱରଙ୍କ ଦୃଷ୍ଟିକୋଣଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ । ସେମାନେ ଉଚ୍ଚପଦ, ଶ୍ରେଷ୍ଠ ସ୍ଥାନ ଓ ଉତ୍ତମ ଆସନ ଅନ୍ଵେଷଣ କରନ୍ତି, ମାତ୍ର ତାଙ୍କର ଅନୁଗାମୀମାନେ ଏହି ଜଗତରେ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା ନ କରି ଈଶ୍ୱରଙ୍କ ରାଜ୍ୟରେ ଶ୍ରେଷ୍ଠତା ପାଇବା ପାଇଁ ଚେଷ୍ଟା କରିବା ଉଚିତ୍ । ଏଥିପାଇଁ ପ୍ରଥମେ ସେମାନଙ୍କୁ  ଏହି ଜଗତରେ ଦାସ ଓ ସେବକ ହେବାକୁ ପଡିବ । ସେବା ପାଇବାକୁ ନୁହେଁ, ମାତ୍ର ସେବା କରିବାକୁ ହେବ । ଯୀଶୁ ନିଜେ ସେମାନଙ୍କ ମଧ୍ୟରେ ସେବକ ପରି ଥିଲେ (୨୭ ପଦ, ଯୋହନ ୧୩:୧୨-୧୫) ।


ପିତରଙ୍କ ପ୍ରତି ନିର୍ଦ୍ଦେଶ :

 ଏହାପରେ ଯୀଶୁ ପିତରଙ୍କୁ ଶୟତାନର ପରୀକ୍ଷା ବିଷୟରେ ସତର୍କ କରି ଦେଇଥିଲେ । ମାତ୍ର ପତନରୁ ଉଠିବା ପରେ ଭାଇମାନଙ୍କୁ (ବିଶ୍ୱାସୀମାନଙ୍କୁ) ତାଙ୍କଠାରେ ସୁସ୍ଥିର କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯୀଶୁଙ୍କ ବାକ୍ୟ ସଫଳ ହୋଇଥିଲା । ପିତର ଯୀଶୁଙ୍କୁ ତିନିଥର ଅସ୍ୱୀକାର କରିଥିଲେ, ତାଙ୍କୁ ଅବିଶ୍ଵାସ କରିଥିଲେ ଓ ନିଜର ମାଛ ବ୍ୟବସାୟକୁ ଫେରି ଯାଇଥିଲେ । ମାତ୍ର ଯୀଶୁଙ୍କ ପୁନରୁତ୍ଥାନ ପରେ ପିତର ସଂପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇ ଏକ ଦୃଢ଼ ବିଶ୍ୱାସୀ ଓ ପ୍ରେରିତରେ ପରିଣତ ହୋଇଥିଲେ । ସେ ଆଦ୍ୟ ମଣ୍ଡଳୀର ଜଣେ ପ୍ରତିଷ୍ଠାତା ଥିଲେ ।


ଦୁଇଟି ଖଣ୍ଡା : 

ଏହି ଶେଷାଂଶଟି ବୁଝିବା ଅତି କଷ୍ଟକର ଅଟେ । କେତେକଙ୍କ ମତରେ, ଯୀଶୁଙ୍କ ପ୍ରସ୍ଥାନ ପରେ ଶିଷ୍ୟମାନେ ଶକ୍ତି ଓ ସୁରକ୍ଷା ଆବଶ୍ୟକ କରିବେ । ସେଥିପାଇଁ ଯେତେବେଳେ ସେମାନେ ଆକ୍ଷରିକ ଅର୍ଥରେ ଦୁଇଟି ଖଣ୍ଡା ଅଛି ବୋଲି କହିଲେ, ସେତେବେଳେ ଯୀଶୁ ଆତ୍ମିକ ଅର୍ଥରେ ସେହି ଦୁଇଟିକୁ ଆତ୍ମାଙ୍କ ଖଡ୍ଡ (ଶକ୍ତିଦାୟକ) (ଏଫିସୀୟ୬:୧୭) ଓ ଈଶ୍ୱରଙ୍କ ବାକ୍ୟ (ସୁରକ୍ଷାତ୍ମକ) ରୂପକ ଖଡ୍ଡ (ଏବ୍ରୀ ୪:୧୨) ବୋଲି ସୂଚିତ କରିଥିଲେ । ପ୍ରକୃତରେ ପରେ, ଏହି ଦୁଇ ଖଡ୍ଗ ବ୍ୟବହାର କରି ସେମାନେ ଅନେକ ରାଜ୍ୟ (ହୃଦୟ) ଜୟ କରିଥିଲେ ଓ ଆଜି ମଧ୍ୟ ଏହା ଅବ୍ୟାହତ ଅଛି । 



ସତର୍କବାଣୀ

 ସତର୍କବାଣୀ

ଆଜିର ଚିନ୍ତା


ଲୁକ ୨୧ : ୨୦-୩୮


ଯୀଶୁଙ୍କ ପୁନରାଗମନ ପାଇଁ ମୁଁ ପ୍ରସ୍ତୁତ ଅଟେ କି ?


ସତର୍କ ସୂଚନା :

 ୭୦ ଖ୍ରୀଷ୍ଟାବ୍ଦରେ ଯିରୁଶାଲମ ମନ୍ଦିର ଧ୍ଵଂସ ହୋଇଥିଲା । ଯୀଶୁ ବିଷଦଭାବେ ସେହି ବିଷୟ ବର୍ଣ୍ଣନା କରିଥିଲେ । ଯିହୁଦୀ ଏବଂ ରୋମୀୟମାନଙ୍କ ମଧ୍ୟରେ ଘଟିବାକୁ ଯାଉଥିବା ଆଗାମୀ ସଂଘର୍ଷ, ରକ୍ତପାତ ଏବଂ ମୃତ୍ୟୁ ସଂପର୍କରେ ଯୀଶୁ ସୂଚନା ଦେବା ସହିତ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ୨୪ ପଦ ରେ ଉଲ୍ଲେଖିତ "ଅଣଯିହୁଦୀମାନଙ୍କର କାଳ" ସେହି ସମୟକୁ ବୁଝାଏ ଯେତେବେଳେ ଇସ୍ରାଏଲ ଜାତି ଅଣଯିହୁଦୀମାନଙ୍କ ଶାସନ କିମ୍ବା ଅତ୍ୟାଚାର ଅଧିନରେ ରହିବ । ଏହାର ପ୍ରାରମ୍ଭ ସମୟ ଖ୍ରୀ:ପୂ: ୫୦୬ ରେ ବାବିଲୋନରେ ଇସ୍ରାଏଲୀୟମାନଙ୍କ ନିର୍ବାସନ ଅବସ୍ଥାକୁ ବୁଝାଏ । ମହା ଗୌରବରେ ଖ୍ରୀଷ୍ଟ ସମୁଦାୟ ଜଗତରେ ତାହାଙ୍କ ଶାସନ ଓ କର୍ତ୍ତୃତ୍ୱ ପ୍ରତିଷ୍ଠା ନ କରିବା ପର୍ଯ୍ୟନ୍ତ ଏହି କାଳ ବା ସମୟ ସଂପୂର୍ଣ୍ଣ ହେବ ନାହିଁ । 


ଆକାଶରେ ଅଦ୍ଭୁତ ଲକ୍ଷଣ :

 ଯୀଶୁଙ୍କ ପୁନରାଗମନ ପୁର୍ବରୁ ଆକାଶରେ ଅଦ୍ଭୁତ ଲକ୍ଷଣ ସବୁ ଦେଖାଯିବ । ସୂର୍ଯ୍ୟ, ଚନ୍ଦ୍ର ଏବଂ ନକ୍ଷତ୍ରମାଳାର ଗତି ପଥରେ ବିଚିତ୍ର ଲକ୍ଷଣ ଏବଂ ପରିବର୍ତ୍ତନ ପରିଲକ୍ଷିତ ହେବ । ନିଚ୍ଚସ୍ଥ ଜଗତରେ ମଧ୍ୟ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ଲୋକମାନେ ଭୀତଗ୍ରସ୍ତ, ଆତଙ୍କିତ ହେବେ ଏହି ପାଠ୍ୟାଂଶ ଲେଖିବା ସମୟରେ କୋଭିଡ୍ ୧୯ ମହମାରୀ ସାରା ବିଶ୍ବକୁ ଆତଙ୍କିତ କରିଛି । ଲକ୍ଷାଧିକ ଲୋକ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହା ମଧ୍ୟ ଅନ୍ତିମ ସମୟର ଏକ ସତର୍କବାଣୀ ନୁହେଁ କି ?


ପ୍ରସ୍ତୁତ ଜୀବନ :

 ଯୀଶୁ ତାଙ୍କ ଶିକ୍ଷାରେ ଆତ୍ମ ପରିଚୟ ପାଇଁ "ମନୁଷ୍ୟ ପୁତ୍ର" ନାମ ବ୍ୟବହାର କରୁଥିଲେ । ଈଶ୍ଵର ରୂପୀ ଯୀଶୁ ମନୁଷ୍ୟ ରୂପେ ଅବତରଣ କରି ଆମ ପାଇଁ ଯେଉଁ ଉଦ୍ଧାର ଓ ପରିତ୍ରାଣ କାର୍ଯ୍ୟ ସଂପାଦନ କଲେ, ତାହା ସାବ୍ୟସ୍ତ କରିବା ଦିଗରେ "ମନୁଷ୍ୟ ପୁତ୍ର" ଶବ୍ଦଟି ଅତ୍ୟନ୍ତ ତାପର୍ଯ୍ୟ ପୁର୍ଣ୍ଣ । ଯୀଶୁ ତାଙ୍କର ଭାବବାଣୀ ସମ୍ବଳିତ ସମ୍ବାଦ ମାଧ୍ୟମରେ ବିଶ୍ୱାସୀମାନଙ୍କୁ ଜାଗତିକ ସୁଖ - ସଂପଦ, ମତ୍ତତା, ମାଂସିକ ଅଭିଳାଷ ଏବଂ ମନ୍ଦତାରେ ମଜ୍ଜି ନ ରହି ଆତ୍ମିକ କ୍ଷେତ୍ରରେ ବିଶ୍ଵସ୍ତ ଜୀବନଯାପନ ପାଇଁ ପରାମର୍ଶ ଓ ଉତ୍ସାହ ପ୍ରଦାନ କରିଥିଲେ କାରଣ ଏକ ଅନପେକ୍ଷୀତ ମୁହୂର୍ତ୍ତରେ ତାଙ୍କର ପୁନରାଗମନ ହେବ । ସେଥିପାଇଁ ବିଶ୍ୱାସୀବର୍ଗ ସର୍ବଦା ଏହି ଶୁଭଦିନପାଇଁ ପ୍ରସ୍ତୁତ ଜୀବନ ଯାପନ କରିବା ଆବଶ୍ୟକ । ଏହି ସମସ୍ତ ଘଟଣାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ଈଶ୍ୱରଙ୍କ ସହ ନୀରବଚ୍ଛିନ୍ନ ସଂପର୍କ ରକ୍ଷା ।