BN

ସମାଧିର ଗୁରୁତ୍ୱ

 ସମାଧିର ଗୁରୁତ୍ୱ

ଆଜିର ଚିନ୍ତା


ଲୁକ ୨୩:୫୦-୫୬


"ଯୀଶୁଙ୍କ ସମାଧି ମୋ' ପାଇଁ ଗୁରୁତ୍ୱପୂର୍ଣ୍ଣ କି ?"


ଯୀଶୁଙ୍କ ସମାଧି ଯୀଶୁଙ୍କ ମୃତ୍ୟୁ ପରି ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଚାରୋଟି ସୁସମାଚାରରେ ଏହାର ଉଲ୍ଲେଖ ଅଛି । ଅନେକ ଏହା ଉପରେ ବିଶେଷ ଦୃଷ୍ଟି ଦେଉ ନ ଥିଲେ ସୁଦ୍ଧା ଏହା ସୁସମାଚାର ଅଂଶ ବିଶେଷ ଅଟେ (୧ କର ୧୫:୩-୪) । 


ସମାଧି ମୁତ୍ୟୁର ପ୍ରମାଣ :

 ସାଧାରଣ ଭାବରେ, କ୍ରୁଶାର୍ପିତ ବ୍ୟକ୍ତିମାନଙ୍କୁ ସମାଧି ଦିଆଯାଉ ନ ଥିଲା । ସେମାନଙ୍କ ଶରୀରକୁ ପଶୁପକ୍ଷୀଙ୍କ ଆହାର ନିମନ୍ତେ ଖୋଲା ସ୍ଥାନରେ ଫିଙ୍ଗିଦିଆ ଯାଉଥିଲା । ମାତ୍ର ପ୍ରଭୁ ଯୀଶୁଙ୍କ କ୍ଷେତ୍ରରେ ସେପରି ଘଟି ନ ଥିଲା । ଯୀଶୁଙ୍କୁ ସମାଧି ଦେବା ଓ ସମାଧିକୁ  ମୁଦ୍ରାଙ୍କିତ କରି ପ୍ରହରୀମାନଙ୍କ ଦ୍ଵାରା ଏହାକୁ ସୁରକ୍ଷିତ ରଖାଯିବା ସତ୍ତ୍ବେ ତାଙ୍କ ବିରୋଧୀମାନେ ତାଙ୍କର ମୃତ୍ୟୁ ଓ ଶିଷ୍ୟମାନଙ୍କ ଦ୍ଵାରା ତାଙ୍କ ଶରୀର ଅପହରଣ ବିଷୟରେ ସନ୍ଦେହ ପ୍ରକାଶ କରିଥିଲେ।  ତେବେ ଯଦି ତାଙ୍କୁ ସମାଧି ଦିଆଯାଇ ନ ଥାନ୍ତା, ତେବେ ସେମାନଙ୍କ ଦାବୀ କେତେ ବଲିଷ୍ଠ ହୋଇଥା' ନ୍ତା ତାହା ସହଜରେ ଅନୁମେୟ ଅଟେ । 


ଯୀଶୁଙ୍କର ଗୁପ୍ତ ଶିଷ୍ୟ :

 ଯୀଶୁଙ୍କ ପାଇଁ ହାରାମାଥୀୟ ଯୋଷେଫ ନାମକ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ନିଜର ସମାଧି ଦାନ କରିଥିଲେ । ତାଙ୍କ ବିଷୟରେ ଲେଖାଯାଏ…….


୧. ସେ ଯିରୁଶାଲମସ୍ଥିତ ମହାସଭାର ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ ।  


୨. ସେ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲେ । 


୩. ସେ ଯୀଶୁଙ୍କ ହତ୍ୟା କରିବା ଯୋଜନାରେ ସମ୍ମତ ନ ଥିଲେ । 


୪. ସେ ଈଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ । 


ଏଠାରେ ଲୁକ ନିକଦୀମ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରି ନାହାନ୍ତି (ଯୋହନ ୧୯:୩୯) । ଯୋଷେଫଙ୍କ ଭଳି ସେ ମଧ୍ୟ ଯୀଶୁଙ୍କର ଜଣେ ଗୁପ୍ତ ଶିଷ୍ୟ ଥିଲେ । ଭୟ ଯୋଗୁ ଉଭୟେ ପ୍ରକାଶ୍ୟରେ ଯୀଶୁଙ୍କୁ ସମର୍ଥନ କରି ନ ଥିଲେ । ମାତ୍ର ଯୀଶୁଙ୍କ ମୃତ୍ୟୁ କାଳୀନ ଘଟଣାଗୁଡ଼ିକ ସେମାନଙ୍କୁ ବିଚଳିତ କରିଥିଲା ଓ ସେମାନେ ସାହସୀ ହୋଇ ଯୀଶୁଙ୍କୁ ସମ୍ମାନର ସହିତ ସମାଧି ମଧ୍ୟରେ ରଖିଥିଲେ । 


କେତେଜଣ ସ୍ତ୍ରୀ ମଧ୍ୟ ଯୀଶୁଙ୍କ ସମାଧି କ୍ରିୟା ସମୟରେ ଉପସ୍ଥିତ ଥିଲେ । ସେମାନେ ଯୀଶୁଙ୍କର ଜୀବିତାସ୍ଥାରେ, ତାଙ୍କର ମୃତ୍ୟୁ ଯାତ୍ରା ପଥରେ, ତାଙ୍କର ମୃତ୍ୟୁ ସମୟରେ, ସମାଧି ସମୟରେ, ଏପରିକି ତାଙ୍କର ପୁନରୁତ୍ଥାନ ସମୟରେ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ନିକଟରେ ଭୟ ନ ଥିଲା, ସେମାନେ ଯୀଶୁଙ୍କର ପ୍ରକୃତ ଅନୁଗାମୀ ଥିଲେ । ଆମେ ଆମର ବିଶ୍ଵାସକୁ ଗୁପ୍ତ ନ ରଖି ପ୍ରକାଶ୍ୟରେ ତାଙ୍କୁ ସ୍ବୀକାର କରୁ ବୋଲି ଯୀଶୁ ଚାହାଁନ୍ତି । 

No comments:

Post a Comment

Kindly give your suggestions or appreciation!!!