BN

ମାନବୀୟ ଦୁର୍ବଳତା

ମାନବୀୟ ଦୁର୍ବଳତା

ଆଜିର ଚିନ୍ତା


ଲୁକ ୨୨:୫୪-୭୧


ମୁଁ ଯୀଶୁଙ୍କ ସର୍ବ ସମକ୍ଷରେ ସ୍ବୀକାର କରେ କି ? 


ପ୍ରାର୍ଥନା ଓ ବିଶ୍ଵାସର ଅଭାବ ଯୋଗୁଁ ଶୟତାନ ପ୍ରଲୋଭନକୁ ଏଡ଼ାଇ ଦେବା ପାଇଁ ଆମ ନିକଟରେ ପୂର୍ବ ପ୍ରସ୍ତୁତି ନ ଥାଏ । ଯୀଶୁଙ୍କର ଶିଷ୍ୟମାନଙ୍କ କ୍ଷେତ୍ରରେ ତାହା ହି ଘଟିଥିଲା । ନିଜ ଗୁରୁଙ୍କୁ ବନ୍ଦୀ ଭାବରେ ଦେଖି ସେମାନଙ୍କ ବିଶ୍ଵାସ ଟଳମଳ ହୋଇଥିଲା ଓ ସେମାନେ ତାଙ୍କୁ ପରିତ୍ୟାଗ କରି ଆତ୍ମ ଗୋପନ କରିଥିଲେ । 


ପିତରଙ୍କ ଅସ୍ୱୀକାର : 

ଅବଶ୍ୟ, ପିତର ଯୀଶୁଙ୍କ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରି ନ ଥିଲେ । ଗୁରୁଙ୍କର ଶେଷ ଦଶା କଣ ହେବ, ତାହା ଜାଣିବା ପାଇଁ ସେ ଆଗ୍ରହୀ ଥିଲେ । ସେ ଯୀଶୁଙ୍କର ଅତି ଘନିଷ୍ଟ ସହଯୋଗୀ ଥିଲେ ଓ ତାଙ୍କର ଅନେକ ଆଶ୍ଚର୍ଯ୍ୟ କର୍ମର ସାକ୍ଷୀ ଥିଲେ।  ସେ ଯୀଶୁଙ୍କ ସହିତ ମୃତ୍ୟୁବରଣ କରିବ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ଏପରିକି ଯୀଶୁଙ୍କୁ ବନ୍ଦୀ କରାଯିବା ସମୟରେ, ସେ ଜଣେ ବ୍ୟକ୍ତିର କାନ କାଟି ପକାଇଥିଲେ । ତେବେ ପିତର କାହିଁକି ଏତେ ଦୁର୍ବଳ ହୋଇ ତାଙ୍କୁ ଅସ୍ୱୀକାର କରିଥିଲେ ?  


ପ୍ରଥମତଃ,

ନିଜର ବିଶ୍ଵାସ ଓ ଦୃଢ଼ତା ବିଷୟରେ ତାଙ୍କର ଆତ୍ମା ପ୍ରତ୍ୟୟ ଥିଲା । ସେ ଯେ ତାଙ୍କୁ ଅସ୍ୱୀକାର କରିବେ, ଯୀଶୁଙ୍କର ଏହି ସତର୍କ ବାଣୀକୁ ସେ ଭୁଲି ଯାଇଥିଲେ । 


ଦ୍ୱିତୀୟତଃ 

ସେ ଖ୍ରୀଷ୍ଟଙ୍କଠାରୁ ଦୂରକୁ ଚାଲି ଯାଇଥିଲେ, 


ଅର୍ଥାତ୍ ଯୀଶୁଙ୍କ ପାଖରେ ନ ରହି ତାଙ୍କୁ ଦୂରରୁ ଅନୁସରଣ କରିଥିଲେ l ଆମେ ଯୀଶୁଙ୍କଠାରୁ ଯେତେ ଦୂରକୁ ଯିବା, ଶୟତାନ ଆମର ସେତିକି ନିକଟତର ହେବ । ଅନେକେ ଏହି କାରଣରୁ ନିଜ ନିଜ ମୁଖକୁ ବନ୍ଦ ରଖନ୍ତି ଓ ଚାପ ସମ୍ମୁଖରେ ତାଙ୍କୁ ଅସ୍ୱୀକାର କରନ୍ତି।  ପିତର ଯୀଶୁଙ୍କ ଠାରୁ ଦୂରକୁ ଚାଲିଯିବାରୁ ଶୟତାନର ଫାନ୍ଦରେ ପଡ଼ି ଯାଇଥିଲେ । କାରଣ ସେ ସତ୍ୟ ପରିତ୍ୟାଗ କରି ମିଥ୍ୟାର ଆଶ୍ରୟ ନେଇ ଥିଲେ । ଶୟତାନ ସମସ୍ତ ମିଥ୍ୟାର ଜନକ ଅଟେ (ଯୋହନ ୮:୪୪) । ତିନିଥର ଯୀଶୁଙ୍କୁ ଅସ୍ୱୀକାର କରିବା ପରେ (୫୦-୬୦), କୁକୁଡ଼ା ଡ଼ାକିଥିଲା, ଆଉ ପିତର ଚେତନା ପାଇ ଯୀଶୁଙ୍କ କଥା ସ୍ମରଣ କରିଥିଲେ।  ସେ ନିଜର ଭୁଲ ପାଇଁ କ୍ରନ୍ଦନ କରିଥିଲେ ।


ପିତରଙ୍କ ଅନୁତାପ : 

ପ୍ରକୃତ ଅନୁତାପରେ କ୍ରନ୍ଦନ ଓ ଅଶ୍ରୁ ଥାଏ । ଯିହୁଦାଠାରେ ଏହା ଦେଖାଯାଇ ନ ଥିଲା । ସେଥିପାଇଁ ଯିହୁଦା ପତିତ ହୋଇଥିଲା, ମାତ୍ର ଯୀଶୁ ପିତରଙ୍କୁ ଉଠାଇଥିଲେ ଓ ବଳିଷ୍ଠ ଭାବରେ ବ୍ୟବହାର କରିଥିଲେ । ମନୁଷ୍ୟ ଭାବରେ ଆମେ ସମସ୍ତେ ଦୁର୍ବଳ, ମାତ୍ର ଆମକୁ ଯିହୁଦା ଭଳି ନୁହେଁ, ମାତ୍ର ପିତରଙ୍କ ଭଳି ହେବାକୁ ପଡ଼ିବ । ଦୃଢ଼ ବିଶ୍ୱାସୀ ହେବା ପାଇଁ ଆମକୁ ବାରମ୍ବାର ତାଙ୍କ ନିକଟକୁ ଫେରି ଆସିବାକୁ ହେବ ଓ ତାଙ୍କ ସହିତ ସଂଯୁକ୍ତ ହୋଇ ରହିବାକୁ ହେବ ।




ବଡ଼ ହେବାର ଲାଳସା

 ବଡ଼ ହେବାର ଲାଳସା

ଆଜିର ଚିନ୍ତା

ଲୁକ ୨୨:୨୪-୩୮


ମୁଁ କିପରି ଈଶ୍ଵରଙ୍କ ଦୃଷ୍ଟିରେ ଶ୍ରେଷ୍ଠ ହୋଇପାରିବି ?


ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାଙ୍କ ପ୍ରତି ବିଶ୍ଵାସଘାତକତା କରିବ ବୋଲି ଯୀଶୁ କହିବା ପରେ, କିଏ ଏହିପରି ହୀନ କାର୍ଯ୍ୟ କରିପାରେ ବୋଲି ସେମାନଙ୍କ ମଧ୍ୟରେ ଏକ ଆଲୋଚନା ଆରମ୍ଭ ହେଲା । ଏହି ଆଲୋଚନା ଧୀରେ ଧୀରେ ଏକ ବିବାଦ ଦିଗକୁ ଗତି କଲା "ସେମାନଙ୍କ ଭିତରେ କିଏ ଶ୍ରେଷ୍ଠ" ମାତ୍ର ଯୀଶୁ ଏହାକୁ ଏକ ସୁଯୋଗ ଭାବରେ ଗ୍ରହଣ କରି ସେମାନଙ୍କୁ ପ୍ରକୃତ ଶ୍ରେଷ୍ଠତା ବିଷୟରେ ଶିକ୍ଷା  ଦେଇଥିଲେ ।


ଜଗତଠାରୁ ଭିନ୍ନ : 

ଶ୍ରେଷ୍ଠତା ବିଷୟରେ ଜଗତର ଲୋକମାନଙ୍କ ଦୃଷ୍ଟିକୋଣ ଈଶ୍ୱରଙ୍କ ଦୃଷ୍ଟିକୋଣଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ । ସେମାନେ ଉଚ୍ଚପଦ, ଶ୍ରେଷ୍ଠ ସ୍ଥାନ ଓ ଉତ୍ତମ ଆସନ ଅନ୍ଵେଷଣ କରନ୍ତି, ମାତ୍ର ତାଙ୍କର ଅନୁଗାମୀମାନେ ଏହି ଜଗତରେ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା ନ କରି ଈଶ୍ୱରଙ୍କ ରାଜ୍ୟରେ ଶ୍ରେଷ୍ଠତା ପାଇବା ପାଇଁ ଚେଷ୍ଟା କରିବା ଉଚିତ୍ । ଏଥିପାଇଁ ପ୍ରଥମେ ସେମାନଙ୍କୁ  ଏହି ଜଗତରେ ଦାସ ଓ ସେବକ ହେବାକୁ ପଡିବ । ସେବା ପାଇବାକୁ ନୁହେଁ, ମାତ୍ର ସେବା କରିବାକୁ ହେବ । ଯୀଶୁ ନିଜେ ସେମାନଙ୍କ ମଧ୍ୟରେ ସେବକ ପରି ଥିଲେ (୨୭ ପଦ, ଯୋହନ ୧୩:୧୨-୧୫) ।


ପିତରଙ୍କ ପ୍ରତି ନିର୍ଦ୍ଦେଶ :

 ଏହାପରେ ଯୀଶୁ ପିତରଙ୍କୁ ଶୟତାନର ପରୀକ୍ଷା ବିଷୟରେ ସତର୍କ କରି ଦେଇଥିଲେ । ମାତ୍ର ପତନରୁ ଉଠିବା ପରେ ଭାଇମାନଙ୍କୁ (ବିଶ୍ୱାସୀମାନଙ୍କୁ) ତାଙ୍କଠାରେ ସୁସ୍ଥିର କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯୀଶୁଙ୍କ ବାକ୍ୟ ସଫଳ ହୋଇଥିଲା । ପିତର ଯୀଶୁଙ୍କୁ ତିନିଥର ଅସ୍ୱୀକାର କରିଥିଲେ, ତାଙ୍କୁ ଅବିଶ୍ଵାସ କରିଥିଲେ ଓ ନିଜର ମାଛ ବ୍ୟବସାୟକୁ ଫେରି ଯାଇଥିଲେ । ମାତ୍ର ଯୀଶୁଙ୍କ ପୁନରୁତ୍ଥାନ ପରେ ପିତର ସଂପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇ ଏକ ଦୃଢ଼ ବିଶ୍ୱାସୀ ଓ ପ୍ରେରିତରେ ପରିଣତ ହୋଇଥିଲେ । ସେ ଆଦ୍ୟ ମଣ୍ଡଳୀର ଜଣେ ପ୍ରତିଷ୍ଠାତା ଥିଲେ ।


ଦୁଇଟି ଖଣ୍ଡା : 

ଏହି ଶେଷାଂଶଟି ବୁଝିବା ଅତି କଷ୍ଟକର ଅଟେ । କେତେକଙ୍କ ମତରେ, ଯୀଶୁଙ୍କ ପ୍ରସ୍ଥାନ ପରେ ଶିଷ୍ୟମାନେ ଶକ୍ତି ଓ ସୁରକ୍ଷା ଆବଶ୍ୟକ କରିବେ । ସେଥିପାଇଁ ଯେତେବେଳେ ସେମାନେ ଆକ୍ଷରିକ ଅର୍ଥରେ ଦୁଇଟି ଖଣ୍ଡା ଅଛି ବୋଲି କହିଲେ, ସେତେବେଳେ ଯୀଶୁ ଆତ୍ମିକ ଅର୍ଥରେ ସେହି ଦୁଇଟିକୁ ଆତ୍ମାଙ୍କ ଖଡ୍ଡ (ଶକ୍ତିଦାୟକ) (ଏଫିସୀୟ୬:୧୭) ଓ ଈଶ୍ୱରଙ୍କ ବାକ୍ୟ (ସୁରକ୍ଷାତ୍ମକ) ରୂପକ ଖଡ୍ଡ (ଏବ୍ରୀ ୪:୧୨) ବୋଲି ସୂଚିତ କରିଥିଲେ । ପ୍ରକୃତରେ ପରେ, ଏହି ଦୁଇ ଖଡ୍ଗ ବ୍ୟବହାର କରି ସେମାନେ ଅନେକ ରାଜ୍ୟ (ହୃଦୟ) ଜୟ କରିଥିଲେ ଓ ଆଜି ମଧ୍ୟ ଏହା ଅବ୍ୟାହତ ଅଛି । 



ସତର୍କବାଣୀ

 ସତର୍କବାଣୀ

ଆଜିର ଚିନ୍ତା


ଲୁକ ୨୧ : ୨୦-୩୮


ଯୀଶୁଙ୍କ ପୁନରାଗମନ ପାଇଁ ମୁଁ ପ୍ରସ୍ତୁତ ଅଟେ କି ?


ସତର୍କ ସୂଚନା :

 ୭୦ ଖ୍ରୀଷ୍ଟାବ୍ଦରେ ଯିରୁଶାଲମ ମନ୍ଦିର ଧ୍ଵଂସ ହୋଇଥିଲା । ଯୀଶୁ ବିଷଦଭାବେ ସେହି ବିଷୟ ବର୍ଣ୍ଣନା କରିଥିଲେ । ଯିହୁଦୀ ଏବଂ ରୋମୀୟମାନଙ୍କ ମଧ୍ୟରେ ଘଟିବାକୁ ଯାଉଥିବା ଆଗାମୀ ସଂଘର୍ଷ, ରକ୍ତପାତ ଏବଂ ମୃତ୍ୟୁ ସଂପର୍କରେ ଯୀଶୁ ସୂଚନା ଦେବା ସହିତ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ୨୪ ପଦ ରେ ଉଲ୍ଲେଖିତ "ଅଣଯିହୁଦୀମାନଙ୍କର କାଳ" ସେହି ସମୟକୁ ବୁଝାଏ ଯେତେବେଳେ ଇସ୍ରାଏଲ ଜାତି ଅଣଯିହୁଦୀମାନଙ୍କ ଶାସନ କିମ୍ବା ଅତ୍ୟାଚାର ଅଧିନରେ ରହିବ । ଏହାର ପ୍ରାରମ୍ଭ ସମୟ ଖ୍ରୀ:ପୂ: ୫୦୬ ରେ ବାବିଲୋନରେ ଇସ୍ରାଏଲୀୟମାନଙ୍କ ନିର୍ବାସନ ଅବସ୍ଥାକୁ ବୁଝାଏ । ମହା ଗୌରବରେ ଖ୍ରୀଷ୍ଟ ସମୁଦାୟ ଜଗତରେ ତାହାଙ୍କ ଶାସନ ଓ କର୍ତ୍ତୃତ୍ୱ ପ୍ରତିଷ୍ଠା ନ କରିବା ପର୍ଯ୍ୟନ୍ତ ଏହି କାଳ ବା ସମୟ ସଂପୂର୍ଣ୍ଣ ହେବ ନାହିଁ । 


ଆକାଶରେ ଅଦ୍ଭୁତ ଲକ୍ଷଣ :

 ଯୀଶୁଙ୍କ ପୁନରାଗମନ ପୁର୍ବରୁ ଆକାଶରେ ଅଦ୍ଭୁତ ଲକ୍ଷଣ ସବୁ ଦେଖାଯିବ । ସୂର୍ଯ୍ୟ, ଚନ୍ଦ୍ର ଏବଂ ନକ୍ଷତ୍ରମାଳାର ଗତି ପଥରେ ବିଚିତ୍ର ଲକ୍ଷଣ ଏବଂ ପରିବର୍ତ୍ତନ ପରିଲକ୍ଷିତ ହେବ । ନିଚ୍ଚସ୍ଥ ଜଗତରେ ମଧ୍ୟ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ଲୋକମାନେ ଭୀତଗ୍ରସ୍ତ, ଆତଙ୍କିତ ହେବେ ଏହି ପାଠ୍ୟାଂଶ ଲେଖିବା ସମୟରେ କୋଭିଡ୍ ୧୯ ମହମାରୀ ସାରା ବିଶ୍ବକୁ ଆତଙ୍କିତ କରିଛି । ଲକ୍ଷାଧିକ ଲୋକ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହା ମଧ୍ୟ ଅନ୍ତିମ ସମୟର ଏକ ସତର୍କବାଣୀ ନୁହେଁ କି ?


ପ୍ରସ୍ତୁତ ଜୀବନ :

 ଯୀଶୁ ତାଙ୍କ ଶିକ୍ଷାରେ ଆତ୍ମ ପରିଚୟ ପାଇଁ "ମନୁଷ୍ୟ ପୁତ୍ର" ନାମ ବ୍ୟବହାର କରୁଥିଲେ । ଈଶ୍ଵର ରୂପୀ ଯୀଶୁ ମନୁଷ୍ୟ ରୂପେ ଅବତରଣ କରି ଆମ ପାଇଁ ଯେଉଁ ଉଦ୍ଧାର ଓ ପରିତ୍ରାଣ କାର୍ଯ୍ୟ ସଂପାଦନ କଲେ, ତାହା ସାବ୍ୟସ୍ତ କରିବା ଦିଗରେ "ମନୁଷ୍ୟ ପୁତ୍ର" ଶବ୍ଦଟି ଅତ୍ୟନ୍ତ ତାପର୍ଯ୍ୟ ପୁର୍ଣ୍ଣ । ଯୀଶୁ ତାଙ୍କର ଭାବବାଣୀ ସମ୍ବଳିତ ସମ୍ବାଦ ମାଧ୍ୟମରେ ବିଶ୍ୱାସୀମାନଙ୍କୁ ଜାଗତିକ ସୁଖ - ସଂପଦ, ମତ୍ତତା, ମାଂସିକ ଅଭିଳାଷ ଏବଂ ମନ୍ଦତାରେ ମଜ୍ଜି ନ ରହି ଆତ୍ମିକ କ୍ଷେତ୍ରରେ ବିଶ୍ଵସ୍ତ ଜୀବନଯାପନ ପାଇଁ ପରାମର୍ଶ ଓ ଉତ୍ସାହ ପ୍ରଦାନ କରିଥିଲେ କାରଣ ଏକ ଅନପେକ୍ଷୀତ ମୁହୂର୍ତ୍ତରେ ତାଙ୍କର ପୁନରାଗମନ ହେବ । ସେଥିପାଇଁ ବିଶ୍ୱାସୀବର୍ଗ ସର୍ବଦା ଏହି ଶୁଭଦିନପାଇଁ ପ୍ରସ୍ତୁତ ଜୀବନ ଯାପନ କରିବା ଆବଶ୍ୟକ । ଏହି ସମସ୍ତ ଘଟଣାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ଈଶ୍ୱରଙ୍କ ସହ ନୀରବଚ୍ଛିନ୍ନ ସଂପର୍କ ରକ୍ଷା । 

ଯୁଗାନ୍ତ ସମୟ

 ଯୁଗାନ୍ତ ସମୟ

ଆଜିର ଚିନ୍ତା

ଲୁକ ୨୧:୫-୧୯


ଯୁଗାନ୍ତ ସମୟରେ ଆମର ଆଧ୍ୟାତ୍ମିକ ପ୍ରସ୍ତୁତି କିପରି ହେବା ଆବଶ୍ୟକ ?


ଲୋକମାନେ ତତ୍କାଳୀନ ଯିରୂଶାଲମ ମନ୍ଦିରର ବାହ୍ୟ ସୌନ୍ଦର୍ଯ୍ୟ, କଳା, ସ୍ଥାପତ୍ୟ ଏବଂ ଅପୂର୍ବ କାରୁକାର୍ଯ୍ୟ ବିଷୟରେ ଚମତ୍କୃତ ହେବା ସମୟରେ ଯୀଶୁ ଏହି ମନ୍ଦିରର ଆଗାମୀ ଧ୍ଵଂସ ଓ ପତନ ବିଷୟରେ ସୂଚନା ଦେଇ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଥିଲେ । ଯୀଶୁଙ୍କର ଏହି ଭାବବାଣୀ ୭୦ ଖ୍ରୀଷ୍ଟାବ୍ଦରେ ସଫଳ ହେଲା । ଯେତେବେଳେ ରୋମୀୟ ସେନାଧ୍ୟକ୍ଷ ଟାଇଟସ୍ ୧୩୪ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ଅବରୁଦ୍ଧ କରି ରଖିବା ପରେ ମନ୍ଦିରକୁ ଧ୍ଵଂସ କରିଥିଲେ । ଈଶ୍ୱରଙ୍କ ପରିତ୍ରାଣ କାର୍ଯ୍ୟକୁ ଇସ୍ରାଏଲ ଜାତି ପ୍ରତ୍ୟାଖ୍ୟାନ କରିଥିବାରୁ ସେମାନଙ୍କ ପ୍ରତି ଦଣ୍ଡ ସ୍ୱରୂପ ଏହି ମନ୍ଦିର ଧ୍ଵଂସ ହୋଇଥିଲା । 



କ୍ଲେଶ ଘଟିବାର ସମୟ : ଲୋକମାନଙ୍କ ପ୍ରଶ୍ନ ଥିଲା - ଏସବୁ କେବେ ଘଟିବ? ଯିରୂଶାଲମ ମନ୍ଦିର ଧ୍ଵଂସ ହେବାର ଘଟଣା ସହିତ ଯୀଶୁ ଜଗତକୁ ତାହଙ୍କ ପୁନରାଗମନ ସମ୍ପର୍କିତ ବିଷୟକୁ ପ୍ରକାଶ କରିଛନ୍ତି । ଯୀଶୁ ଲୋକମାନଙ୍କୁ ଯୁଦ୍ଧ ଓ ବିପ୍ଳବ ଘଟିବାର ପୂର୍ବେ ସୂଚନା ଦେଲେ । ଜାତି ଏବଂ ଗୋଷ୍ଠିଗତ କଳହ ଓ ସଂଘର୍ଷର ସୂତ୍ରପାତ ହେବ । ଅନେକଙ୍କୁ ବଧ କରାଯିବ । ପ୍ରାଚୀନ ଐତିହାସିକମାନଙ୍କ ମତରେ, ଯୋହନଙ୍କ ବ୍ୟତୀତ ଯୀଶୁଙ୍କର ପ୍ରେରିତ ଶିଷ୍ୟମାନେ ନିର୍ଯ୍ୟାତନାର ଶିକାର ହୋଇ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ସାକ୍ଷ୍ୟମର ହେଲେ । ପ୍ରାରମ୍ଭ ସମୟରେ ଏବଂ ଆଜି ମଧ୍ୟ ଅନେକ ବିଶ୍ଵାସୀବର୍ଗ ସେମାନଙ୍କ ସୁସମାଚାର ସେବାକାର୍ଯ୍ୟ ପାଇଁ ଦୁଃଖ, ନିନ୍ଦା, ଅପମାନ ସହ୍ୟ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ ।


ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ: ଏହା ଥିଲା ଯୀଶୁଙ୍କର ଉତ୍ସାହପୂର୍ଣ୍ଣ ଉପଦେଶ । ଏହା ବିଶ୍ୱାସୀମାନଙ୍କ ଶାରୀରିକ ନିରାପତ୍ତା ଅପେକ୍ଷା ଆତ୍ମିକ ସୁସ୍ଥିରତା ଓ ନିରାପତ୍ତା ପାଇଁ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି । ଯଦି ବିଶ୍ୱାସୀବର୍ଗ ଈଶ୍ୱରଙ୍କ ସେବାକାର୍ଯ୍ୟରେ ବିଶ୍ଵସ୍ତ ହୁଅନ୍ତି, ତେବେ ସମସ୍ତ ଘଟଣା ମିଳି ସେମାନଙ୍କର ମଙ୍ଗଳ ହେବ । ଖ୍ରୀଷ୍ଟଙ୍କ ପ୍ରେମରୁ କେହି ଆମକୁ ବିଚ୍ଛିନ୍ନ କରିବ ନାହିଁ (ରୋମୀ ୮:୩୫-୩୯) । 


ଧୈର୍ଯ୍ୟରଖ: ଏହି ସମସ୍ତ କାର୍ଯ୍ୟ ଧୈର୍ଯ୍ୟ ଦ୍ଵାରା ହିଁ ସଂପାଦିତ ହେବ । ଆମର ଖ୍ରୀଷ୍ଟୀୟ ଜୀବନରେ ଧୈର୍ଯ୍ୟ ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଦୁଃଖକଷ୍ଟ, ଯନ୍ତ୍ରଣା ଏବଂ ପ୍ରତିକୂଳ ପରିସ୍ଥିତିରେ ଈଶ୍ଵର ଆମର ଧୈର୍ଯ୍ୟ ପରୀକ୍ଷା କରନ୍ତି। ଜୀବନ ସଂଗ୍ରାମରେ ବିଶ୍ୱାସୀ/ବିଶ୍ୱାସିନୀ ଧର୍ଯ୍ୟ ସହିତ ପ୍ରାଣପଣ କରିବା ଦ୍ୱାରା ସବୁ ପରିସ୍ଥିତିର ମୁକାବିଲା ପାଇଁ ଈଶ୍ଵର ଶକ୍ତି ପ୍ରଦାନ କରନ୍ତି । 


ହବା ଏବଂ ଯୀଶୁଙ୍କ ପ୍ରତି ଶୟତାନର ପ୍ରଲୋଭନ


Satan's Temptation of Eve and Jesus
ପ୍ରଲୋଭନଆଦିପୁସ୍ତକ ୩ମାଥିଉ ୪୧ ଯୋହନ ୨
ଶାରୀରିକତୁମେ ଯେ କୌଣସି ବୃକ୍ଷର ଫଳ ଖାଇପାର (୩:୧)ଏହି ପଥରକୁ ରୋଟୀ କରି ଖାଅ (୪:୩)ଚକ୍ଷୁର ଅଭିଳାଷ (୨:୧୬)
ବ୍ୟକ୍ତିଗତ ଲାଭତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ (୩:୪)ତୁମ୍ଭ ପାଦ ପଥରରେ ବାଜିବ ନାହିଁ (୪:୬)ଶାରୀରିକ ଅଭିଳାଷ (୨:୧୬)
ଶକ୍ତିତୁମ୍ଭେ ପରମେଶ୍ଵରଙ୍କ ପରି ହୋଇଯିବ (୩:୫)ଜଗତର ସମସ୍ତ ରାଜ୍ୟ ତୁମ୍ଭର ହୋଇଯିବ (୪:୮-୯)ଲୌକିକ ଗର୍ବ (୨:୧୬)