BN

ଯୁଗାନ୍ତ ସମୟ

 ଯୁଗାନ୍ତ ସମୟ

ଆଜିର ଚିନ୍ତା

ଲୁକ ୨୧:୫-୧୯


ଯୁଗାନ୍ତ ସମୟରେ ଆମର ଆଧ୍ୟାତ୍ମିକ ପ୍ରସ୍ତୁତି କିପରି ହେବା ଆବଶ୍ୟକ ?


ଲୋକମାନେ ତତ୍କାଳୀନ ଯିରୂଶାଲମ ମନ୍ଦିରର ବାହ୍ୟ ସୌନ୍ଦର୍ଯ୍ୟ, କଳା, ସ୍ଥାପତ୍ୟ ଏବଂ ଅପୂର୍ବ କାରୁକାର୍ଯ୍ୟ ବିଷୟରେ ଚମତ୍କୃତ ହେବା ସମୟରେ ଯୀଶୁ ଏହି ମନ୍ଦିରର ଆଗାମୀ ଧ୍ଵଂସ ଓ ପତନ ବିଷୟରେ ସୂଚନା ଦେଇ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଥିଲେ । ଯୀଶୁଙ୍କର ଏହି ଭାବବାଣୀ ୭୦ ଖ୍ରୀଷ୍ଟାବ୍ଦରେ ସଫଳ ହେଲା । ଯେତେବେଳେ ରୋମୀୟ ସେନାଧ୍ୟକ୍ଷ ଟାଇଟସ୍ ୧୩୪ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ଅବରୁଦ୍ଧ କରି ରଖିବା ପରେ ମନ୍ଦିରକୁ ଧ୍ଵଂସ କରିଥିଲେ । ଈଶ୍ୱରଙ୍କ ପରିତ୍ରାଣ କାର୍ଯ୍ୟକୁ ଇସ୍ରାଏଲ ଜାତି ପ୍ରତ୍ୟାଖ୍ୟାନ କରିଥିବାରୁ ସେମାନଙ୍କ ପ୍ରତି ଦଣ୍ଡ ସ୍ୱରୂପ ଏହି ମନ୍ଦିର ଧ୍ଵଂସ ହୋଇଥିଲା । 



କ୍ଲେଶ ଘଟିବାର ସମୟ : ଲୋକମାନଙ୍କ ପ୍ରଶ୍ନ ଥିଲା - ଏସବୁ କେବେ ଘଟିବ? ଯିରୂଶାଲମ ମନ୍ଦିର ଧ୍ଵଂସ ହେବାର ଘଟଣା ସହିତ ଯୀଶୁ ଜଗତକୁ ତାହଙ୍କ ପୁନରାଗମନ ସମ୍ପର୍କିତ ବିଷୟକୁ ପ୍ରକାଶ କରିଛନ୍ତି । ଯୀଶୁ ଲୋକମାନଙ୍କୁ ଯୁଦ୍ଧ ଓ ବିପ୍ଳବ ଘଟିବାର ପୂର୍ବେ ସୂଚନା ଦେଲେ । ଜାତି ଏବଂ ଗୋଷ୍ଠିଗତ କଳହ ଓ ସଂଘର୍ଷର ସୂତ୍ରପାତ ହେବ । ଅନେକଙ୍କୁ ବଧ କରାଯିବ । ପ୍ରାଚୀନ ଐତିହାସିକମାନଙ୍କ ମତରେ, ଯୋହନଙ୍କ ବ୍ୟତୀତ ଯୀଶୁଙ୍କର ପ୍ରେରିତ ଶିଷ୍ୟମାନେ ନିର୍ଯ୍ୟାତନାର ଶିକାର ହୋଇ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ସାକ୍ଷ୍ୟମର ହେଲେ । ପ୍ରାରମ୍ଭ ସମୟରେ ଏବଂ ଆଜି ମଧ୍ୟ ଅନେକ ବିଶ୍ଵାସୀବର୍ଗ ସେମାନଙ୍କ ସୁସମାଚାର ସେବାକାର୍ଯ୍ୟ ପାଇଁ ଦୁଃଖ, ନିନ୍ଦା, ଅପମାନ ସହ୍ୟ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ ।


ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ: ଏହା ଥିଲା ଯୀଶୁଙ୍କର ଉତ୍ସାହପୂର୍ଣ୍ଣ ଉପଦେଶ । ଏହା ବିଶ୍ୱାସୀମାନଙ୍କ ଶାରୀରିକ ନିରାପତ୍ତା ଅପେକ୍ଷା ଆତ୍ମିକ ସୁସ୍ଥିରତା ଓ ନିରାପତ୍ତା ପାଇଁ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି । ଯଦି ବିଶ୍ୱାସୀବର୍ଗ ଈଶ୍ୱରଙ୍କ ସେବାକାର୍ଯ୍ୟରେ ବିଶ୍ଵସ୍ତ ହୁଅନ୍ତି, ତେବେ ସମସ୍ତ ଘଟଣା ମିଳି ସେମାନଙ୍କର ମଙ୍ଗଳ ହେବ । ଖ୍ରୀଷ୍ଟଙ୍କ ପ୍ରେମରୁ କେହି ଆମକୁ ବିଚ୍ଛିନ୍ନ କରିବ ନାହିଁ (ରୋମୀ ୮:୩୫-୩୯) । 


ଧୈର୍ଯ୍ୟରଖ: ଏହି ସମସ୍ତ କାର୍ଯ୍ୟ ଧୈର୍ଯ୍ୟ ଦ୍ଵାରା ହିଁ ସଂପାଦିତ ହେବ । ଆମର ଖ୍ରୀଷ୍ଟୀୟ ଜୀବନରେ ଧୈର୍ଯ୍ୟ ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଦୁଃଖକଷ୍ଟ, ଯନ୍ତ୍ରଣା ଏବଂ ପ୍ରତିକୂଳ ପରିସ୍ଥିତିରେ ଈଶ୍ଵର ଆମର ଧୈର୍ଯ୍ୟ ପରୀକ୍ଷା କରନ୍ତି। ଜୀବନ ସଂଗ୍ରାମରେ ବିଶ୍ୱାସୀ/ବିଶ୍ୱାସିନୀ ଧର୍ଯ୍ୟ ସହିତ ପ୍ରାଣପଣ କରିବା ଦ୍ୱାରା ସବୁ ପରିସ୍ଥିତିର ମୁକାବିଲା ପାଇଁ ଈଶ୍ଵର ଶକ୍ତି ପ୍ରଦାନ କରନ୍ତି । 


No comments:

Post a Comment

Kindly give your suggestions or appreciation!!!