BN

ଧ୍ଵଂସରୁ ସୁରକ୍ଷା

 ଧ୍ଵଂସରୁ ସୁରକ୍ଷା


ଆଜିର ଚିନ୍ତା


ଗୀତ ୩୭:୨୫-୪୦


ନିଜେ ସୁରକ୍ଷିତ ହୋଇ ଆତ୍ମ ସନ୍ତୋଷ ଲାଭ କରୁଛି କି?


ଦାଉଦ ଅନେକ ସୁଖଦ ଓ ଦୁଃଖଦ ଅନୁଭୂତିକୁ ନିଜ ଜୀବନରେ ଅଙ୍ଗେ ନିଭେଇ ବୃଦ୍ଧ ସମୟରେ ଏହି ଗୀତ ରଚନା କରିଛନ୍ତି । ଅନେକ ଆଶିର୍ବାଦର ଅଧିକାରୀ ହେବା ସତ୍ତ୍ୱେ ଯଦି ଦୁଷ୍କର୍ମକାରୀମାନେ ତାଙ୍କର ଏତେ ଅପକାର କରିପାରିଲେ ତେବେ ସାଧାରଣ ସରଳମନା ପ୍ରଭୁ ବିଶ୍ୱାସୀମାନଙ୍କର ସେମାନେ କେତେ କ୍ଷତି ସାଧନ ନ କରିବେ । ସେଥିପାଇଁ ଏହି ୩୭ ଗୀତର ଅଧ୍ୟୟନ ଓ ଅନୁଶୀଳନ ପ୍ରଭୁ ନିର୍ଭରକାରୀଙ୍କୁ ଅନେକ ବଳ ଓ ଦୃଢ଼ ବିଶ୍ବାସ ଦେବ । ଏହି ଗୀତ ସଂପୂର୍ଣ୍ଣ ବ୍ୟବହାରିକ ଓ ଅନୁଭୁତି ଜନ୍ମିତ ହୋଇଥିବାରୁ ଆମ ସମସ୍ତଙ୍କର ପାଥେୟ ହୋଇପାରିବ ।


ଦୟାପ୍ରାପ୍ତ ଧାର୍ମିକ ବ୍ୟକ୍ତି: ଦାଉଦ ରାଜା କହନ୍ତି, "ମୁଁ ଯୁବା ଥିଲି,ଏବେ ବୃଦ୍ଧ ହୋଇଅଛି ମାତ୍ର ଧାର୍ମିକକୁ ପରିତ୍ୟକ୍ତ ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ" (୨୫ ପଦ) । କେତେ ଆକାଟ୍ୟ ପ୍ରମାଣ ପତ୍ର ଜଣେ ପ୍ରଭୁ ନିର୍ଭରକାରୀ ରାଜାଙ୍କର । ଧାର୍ମିକ ଦୟା ପାଇ ଅନ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇଥାଏ । ତା'ର ବଂଶ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ (୨୬ପଦ) ସଦାପ୍ରଭୁ ସଦଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ (୨୮ପଦ) । ପରମେଶ୍ଵରଙ୍କ  ବ୍ୟବସ୍ଥା ସେ ଅନ୍ତରରେ ସାଇତି ରଖି, ତାକୁ ବ୍ୟବହାର କରେ ତେଣୁ ତା'ର ପାଦ ଖସିଯିବ ନାହିଁ । ତାର ମୁଖ ଜ୍ଞାନ ଓ ଜିହ୍ୱା ନ୍ୟାୟ ଓ ନିରପେକ୍ଷ କଥା କହିବ (୩୦,୩୧) । ସେ ଈଶ୍ଵରଙ୍କ ଶରଣାଗତ ହୋଇ ପରିତ୍ରାଣ ଲଭିବ, ସଂକଟ ସମୟ ଓ ଦୁଷ୍ଟମାନଙ୍କ ହସ୍ତରୁ ରକ୍ଷା ପାଇବ (୩୯,୪୦) । ଦାଉଦଙ୍କ ଜୀବନରଅନେକ ଘଟଣା ପ୍ରମାଣିତ କରିଛି ଯେ ଧର୍ମିକର ବଳିଷ୍ଟ ଜୀବନ ଦୁଷ୍ଟକୁ ଧିକ୍କାର ଓ ଅଧମୁଖ କରାଇଛି । ମୋଶା ଓ ଇସ୍ରାଏଲର ବିଶାଳ ଜନତାର ସୁଫସାଗର ମଧ୍ୟରେ ଶୁଷ୍କ ପଥର ସୁରକ୍ଷିତ ଯାତ୍ରା ଓ ଦୁଷ୍ଟ ପ୍ରତିହିଂସା ପରାୟଣ ଶକ୍ତିଶାଳୀ ମିସର ରାଜା ଓ ଏହାର ବଳିଷ୍ଠ  ସୌନ୍ୟ ଶ୍ରେଣୀର ସଲିଳ ସମାଧି- ଏକଥା ପ୍ରମାଣିତ କରେ ନାହିଁ କି ? 



ଧ୍ଵଂସମୁଖୀ ଅଧର୍ମାଚାରି: ଦୟାବାନ୍ ଈଶ୍ବର ଦୁଷ୍ଟର ମରଣରେ ସନ୍ତୋଷ ପାଆନ୍ତି ନାହିଁ କାରଣ ସେ ଦୁଷ୍ଟ ଓ ଶିଷ୍ଟ କରି ମଣିଷକୁ ଏହି ପୃଥିବୀକୁ ପ୍ରେରଣ କରି ନାହାନ୍ତି। ଏହା ମଣିଷର ସ୍ୱଅର୍ଜୀତ। ଯୀଶୁ ଦୁଷ୍ଟ, ପାପୀକୁ ଉଦ୍ଧାର କରି ସ୍ବର୍ଗ ରାଜ୍ୟରେ ସ୍ଥାନିତ କରିବା ପାଇଁ ନିଜର ପବିତ୍ର ପ୍ରାଣ ଦେଲେ। ତାଙ୍କଠାରେ ନିଜ ନିଜକୁ ସମର୍ପଣ କରିବା କି? ସେ ହିଁ ଆମକୁ ଉଦ୍ଧାର କରିବେ ଓ ଶକ୍ତି ଦେବେ । 

ପ୍ରେମିକ ଓ ନ୍ୟାୟବାନ୍ ଈଶ୍ବର

 ପ୍ରେମିକ ଓ ନ୍ୟାୟବାନ୍ ଈଶ୍ବର

ଆଜିର ଚିନ୍ତା

ଗୀତ ୩୫:୧-୨୮


ପ୍ରତିକୂଳ ପରିସ୍ଥିତିରେ ମୁଁ ଈଶ୍ୱରଙ୍କ ନିକଟରେ ଆର୍ତ୍ତସ୍ୱର କରୁଛି ନା ବଚସା କରୁଛି?


ଦାଉଦଙ୍କର ସମସ୍ୟା ତାଙ୍କର ଶକ୍ତିର ବର୍ହିଭୂତ ହୋଇଯାଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନାହାଁନ୍ତି ବରଂ ଉଦ୍ଧାର ପାଇବା ନିମନ୍ତେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଛନ୍ତି ।


ଈଶ୍ବରଙ୍କଠାରେ ସମସ୍ତଭାର ଅର୍ପଣ କର: ଅନ୍ୟାୟରେ ଦାଉଦଙ୍କର ଶତ୍ରୁମାନେ ତାଙ୍କୁ ବଧ କରିବା ପାଇଁ ତାଙ୍କ ପଛରେ ଧାବମାନ ହେଲେ। ଫଳରେ ତାଙ୍କ ମନରେ ନାନାପ୍ରକାର ବ୍ୟବସ୍ତା ଆସିଲା। କିନ୍ତୁ ସେହି ସମୟରେ ସେ ଈଶ୍ୱରଙ୍କଠାରେ ସମସ୍ତଭାର ଅର୍ପଣ କରି ତାଙ୍କଠାରୁ ସାହାଯ୍ୟ ଭିକ୍ଷା କରୁଛନ୍ତି। ଈଶ୍ୱର ସେହି ଦେଶରୁ ଦୁଷ୍ଟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ନିମନ୍ତେ ତାଙ୍କୁ ରାଜାଭିଷିକ୍ତ କରିଥିଲେ। କିନ୍ତୁ ସମସ୍ୟାର ଜଟିଳତା ତାଙ୍କୁ ବିଚଳିତ କରି ଦେଉଥିଲା। ବେଳେ ବେଳେ ଆମେ ଏହିପରି ଅନୁଭୁତି ଭିତରେ ଦେଇ ଯାଇଥାଉ। କୌଣସି ବିଷୟରେ ଚିନ୍ତିତ କିମ୍ବା ବ୍ୟସ୍ତ ନ ହୋଇ ପ୍ରଭୁଙ୍କଠାରେ ସମସ୍ତ ଭାର ଅର୍ପଣ କଲେ ସେ ଆମକୁ ସାହାଯ୍ୟ କରିବେ।


ଅନ୍ତର ସହ ପ୍ରାର୍ଥନା କର: ଦାଉଦ ମନୁଷ୍ୟମାନଙ୍କ ସାହାଯ୍ୟ ନ ଲୋଡ଼ି ଈଶ୍ୱରଙ୍କର ନ୍ୟାୟକୁ କାମନା କଲେ। ଶତ୍ରୁମାନଙ୍କ ଠାରୁ ପ୍ରତିଶୋଧ ନେଲେ ନାହିଁ। ମାତ୍ର ଈଶ୍ଵରଙ୍କ ମନର ମତ ଏକ ଦେଶ ହେବ ଏଥିପାଇଁ ଆର୍ତ୍ତସ୍ୱର କଲେ। ଦେଶରୁ ଅନ୍ୟାୟ ଦୂରୀଭୂତ ହୋଇ ନ୍ୟାୟ ପ୍ରତିଷ୍ଠିତ ହେଉ ବୋଲି ଆମେ ଅନ୍ତର ସହ ପ୍ରାର୍ଥନା କରିବା ଉଚିତ।


ଈଶ୍ୱରଙ୍କ ଇଛା ପୂରଣ କର: ଦାଉଦ ସବୁଭାର କେବଳ ପ୍ରଭୁଙ୍କଠାରେ ଅର୍ପଣ କଲେ ତାହା ନୁହେଁ, ମାତ୍ର ସେ ତାଙ୍କର ଇଚ୍ଛାକୁ ମଧ୍ୟ ପ୍ରଭୁଙ୍କଠାରେ ସମର୍ପଣ କଲେ। ଈଶ୍ୱର ତାଙ୍କ ଇଛାନୁସାରେ ଆମ ଜୀବନରେ କାର୍ଯ୍ୟ କରନ୍ତୁ ବୋଲି ଆମେ ନିବେଦନ କରିବା ଆବଶ୍ୟକ। ଏହି ଗୀତ ମାଧ୍ୟମରେ ଦାଉଦ ପାପ ବିରୁଦ୍ଧରେ ଦୃଢଭାବରେ ଠିଆ ହେବା ନିମନ୍ତେ ପ୍ରେରଣା ଯୋଗାଇଛନ୍ତି। ଈଶ୍ୱର ଦୁଃଖୀଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରିଛନ୍ତି, ମାତ୍ର ଯେଉଁମାନେ ମନ୍ଦରୁ ବିମୁଖ ହୁଅନ୍ତି ନାହିଁ, ସେମାନଙ୍କର ସେ ନିତାନ୍ତ ବିଚାର କରିବେ।


ବିଶ୍ୱାସୀର ଉଦ୍ଧାର

 ବିଶ୍ୱାସୀର ଉଦ୍ଧାର

ଆଜିର ଚିନ୍ତା

ଗୀତ ୩୪:୧-୨୨


ଅନିଶ୍ଚିତ, ଅଶାନ୍ତ ପୃଥିବୀରେ ମତେ କିଏ ଉଦ୍ଧାର କରିବ?


ଶାଉଲ ରାଜାଙ୍କର ଆକ୍ରମଣରୁ, ଦାଉଦ ଓ ତାଙ୍କର ଅନୁଗାମୀ ମାନେ ରକ୍ଷା ପାଇବା ପାଇଁ ଲୁଚି ଲୁଚି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। ଭୟାତୁର, ପ୍ରାଣହାନି ଆଶଙ୍କା ମଧ୍ୟରେ, ଗତି କରୁଥିବା ମଣିଷ ପରି ଦାଉଦ ତାଙ୍କର ଦୁଃଖଦ ଅନୁଭୁତିକୁ ଏହି ଗୀତରେ ବର୍ଣ୍ଣନା କରିଛନ୍ତି। ଏତଦ୍ ବ୍ୟତୀତ ଈଶ୍ବର ଯେ କେବଳ ଏ ସମସ୍ତ ବିପଦ ମଧ୍ୟରୁ ରକ୍ଷା ପାଇପାରିବେ ଏ ବିଷୟରେ ଜନ୍ମିଥିବା ତାଙ୍କର ଦୃଢ଼ ଧାରଣାକୁ ଉପସ୍ଥାପନ କରିଛନ୍ତି ।

ସଦାପ୍ରଭୁଙ୍କ ଉଦ୍ଧାର (୧-୭): ଜଣେ କ୍ଷମତାଶାଳୀ ରାଜା ଜଣେ ସାଧାରଣ ମଣିଷର ଜୀବନ ଶିକାରରେ ଲିପ୍ତ ରହିଛି। ଅନପେକ୍ଷିତ ଭାବେ ମୃତ୍ୟୁ ଭୟ ତା'ର ସମ୍ପୁର୍ଣ୍ଣ ଜୀବନକୁ ଆଶାଶୂନ୍ୟ ଓ ଭୟଗ୍ରସ୍ତ କରି ଧ୍ଵଂସାଭିମୁଖୀ କରାଇଛି ଦାଉଦ ଜୀବନରେ ଘଟିଯାଇଥିବା ଏହି ପ୍ରକାର ଏକ ବାସ୍ତବ ଅନୁଭୂତିକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସଦାପ୍ରଭୁଙ୍କ ଅଲୌକିକ ଉଦ୍ଧାରର କାର୍ଯ୍ୟକୁ ଭୁରି ଭୁରି  ପ୍ରଶଂସା କରି ତାଙ୍କର ନାମକୁ ପ୍ରତିଷ୍ଠା କରିବା ପାଇଁ ଆହ୍ବାନ କରିଛନ୍ତି । ତାଙ୍କର ଉକ୍ତି ଯେ ମୋହର ସବୁ ଭୟରୁ ଈଶ୍ୱର ହିଁ ଉଦ୍ଧାର କଲେ(୪ପଦ)। ସବୁ ସଙ୍କଟରୁ ସେ ଉଦ୍ଧାର କଲେ (୬,୭,୧୭)। ଦାଉଦଙ୍କ ପ୍ରଶଂସା ଆମ୍ଭମାନଙ୍କୁ କହେ ଆମର ପ୍ରଭୁ କେତେ ଶକ୍ତିମାନ ପୁଣି ସେ ତାଙ୍କ ଭୟକାରୀଙ୍କ  ନିମନ୍ତେ ଆପଣା ଦୂତମାନଙ୍କୁ ଉଦ୍ଧାର ପାଇଁ ଆଦେଶ ଦେଇପାରନ୍ତି।

 

ସଦାପ୍ରଭୁଙ୍କ ପ୍ରତି ଭୟ (୮-୧୧,୧୬-୨୨): ଦୁଷ୍ଟ, ଆତଙ୍କବାଦୀ, କ୍ଷମତସମ୍ପନ ବିପକ୍ଷ ବଳବାନମାନଙ୍କୁ ଜଣେ ମଣିଷ ସ୍ଵାଭାବିକ ଭାବେ ଭୟ କରିଥାଏ। ଏପରି ପରିସ୍ଥିତିରେ ଜଣେ ବଳବାନ ଈଶ୍ବର ଅଛନ୍ତି, ଏହା ଭାବି ଆମେ ବିସ୍ମିତ ହୋଇଯାଉ। ନିଜର ସମର୍ଥ, ବଳ, ଜ୍ଞାନ ଉପରେ ଅତ୍ୟଧିକ ନିର୍ଭର କରି ଶେଷରେ ବିଫଳ ହୋଇଯାଉ। ମାତ୍ର ସଦାପ୍ରଭଙ୍କ ଭୟ ସମସ୍ତ ଅଭାବ ଦୂର କରିଦେବା ସଙ୍ଗେ ସଙ୍ଗେ ମଙ୍ଗଳ ବିଷୟରେ ଭରପୁର କରିଦେବ। ବିପଦଗ୍ରସ୍ତ ଧାର୍ମିକମାନଙ୍କୁ ସେ ଉଦ୍ଧାର କରିବେ (୧୯) ଓ ଖଣ୍ଡେ ହେଲେ ଅସ୍ଥି ଭଗ୍ନ ହେବାକୁ ଦେବେ ନାହିଁ (୨୦ ପଦ)। ଧାର୍ମିକର ଘୃଣାକାରୀକୁ ଦୋଷୀକୃତ କରିବେ। ମାତ୍ର ତାଙ୍କର ଭୟକାରୀ ଶରଣାଗତ ଆଦୌ ଦୋଷୀକୃତ ହେବେ ନାହିଁ। ବିଶ୍ଵାସ କରୁଥିବା ତାଙ୍କର ଭୟକାରୀମାନଙ୍କ ଉପରେ ତାଙ୍କର ଯେ ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପାଇଁ ସେ କର୍ଣ୍ଣ ଡେରିଥାନ୍ତି (୧୫,୧୭) ଏହା ସର୍ବଦା ସ୍ମରଣ ରଖିବା ।


ମହାପରକ୍ରମୀ ଈଶ୍ଵରଙ୍କ ସ୍ତୁତି

 ମହାପରକ୍ରମୀ ଈଶ୍ଵରଙ୍କ ସ୍ତୁତି

ଆଜିର ଚିନ୍ତା

ଗୀତ ୩୩:୧-୨୨

ମୋର ଓଷ୍ଠାଧର ଓ ହୃଦୟର ପ୍ରଶଂସା କ'ଣ ଯୁକ୍ତିଯୁକ୍ତ?


 ଈଶ୍ୱରଙ୍କ ପ୍ରଶଂସା ଓ ସ୍ତୁତି କଲାବେଳେ ଈଶ୍ୱରଙ୍କ ପ୍ରକୃତ ପରିଚୟ ଓ ତାଙ୍କର କାର୍ଯ୍ୟ ଯଦି ହୃଦୟରୁ ବର୍ଣ୍ଣନା କରାଯାଏ ତାହାହେଲେ ତାହା ପ୍ରକୃତ ସ୍ତୁତି ଭଳି ଈଶ୍ଵରଙ୍କ ସମ୍ମୁଖରେ ଗୃହୀତ ହୁଏ। ଏହି ଗୀତରେ ଈଶ୍ଵର ଯେ, ସୃଷ୍ଟିକର୍ତ୍ତା, ସର୍ବଭୌମକର୍ତ୍ତା, ବିଚାରପତି, ପରିତ୍ରାଣକର୍ତ୍ତା ତାହାର ଆକାଟ୍ୟ ପ୍ରମାଣ ରହିଛି।


ପ୍ରଭୂରେ ଉଲ୍ଲାସ (୧-୩): ଖ୍ରୀଷ୍ଟ ବିଶ୍ୱାସୀ ସରଳାନ୍ତଃକରଣରେ ଆନନ୍ଦିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରିବା ଶୋଭନୀୟ ଅଟେ, ଏହାର ପ୍ରକାଶ ବାଦ୍ୟଯନ୍ତ୍ର ସହ ଉଚ୍ଚଧ୍ଵନିରେ ହେବା ବିଧେୟ । ଯାଜକମାନଙ୍କର ତୂରୀଧ୍ଵନି ଶୁଣିବାମାତ୍ରେ ଇସ୍ରାଏଲୀୟମାନେ ଉଚ୍ଚଧ୍ଵନୀ କଲେ ଓ ଯିରୀହୋର ବଲିଷ୍ଠ ପ୍ରାଚୀର ଧୂଳିସାତ ହେଲା (ଯିହୋଶୂୟ ୬:୨୦)। ଏହି ଉଚ୍ଚଧ୍ଵନୀ ସାକ୍ଷ୍ୟ ବହନ କରେ ଯେ ସଦାପ୍ରଭୁ ରାଜାମାନଙ୍କର ରାଜା, ପ୍ରଶଂସା ପାଇବାର ଯୋଗ୍ୟ ପରମେଶ୍ଵର (୧ମ ତୀମଥି ୬:୧୫)। ଆମର ପ୍ରଶଂସା ସ୍ତୁତି କ'ଣ ଚିରାଚରିତ?


ସୃଜନକାରୀ ବାକ୍ୟ (୪-୯):ଈଶ୍ୱରଙ୍କ ଉଚ୍ଚାରିତ ବାକ୍ୟ ଓ ତାହାଙ୍କର କାର୍ଯ୍ୟକୁ ପୃଥକ କରାଯାଇ ପାରେ ନାହିଁ। ସାରା ବିଶ୍ବ ତାଙ୍କର ବାକ୍ୟ ପ୍ରମାଣେ ରୂପ ପାଇଛି। ସେ ବାକ୍ୟରୂପୀ ପରମେଶ୍ଵର। ତାଙ୍କର ସମସ୍ତ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ (ଏବ୍ରୀ ୪:୧୨)। ଗଗନମଣ୍ଡଳ, ପ୍ରକାଣ୍ଡ ବରିଧି ଉଚ୍ଚାରିତ ବାକ୍ୟ ଦ୍ଵାରା ସୃଷ୍ଟ (କଲସୀ ୧:୧୬,୧୭)। ସେହି ବଳିଷ୍ଠ ବାକ୍ୟ ଅନ୍ତରରେ  ସାଇତି ରଖୁ। ଜୀବନର ପ୍ରତ୍ୟକ ପରିସ୍ଥିତିରେ ତାଙ୍କୁ ବ୍ୟବହାର କରି ତାଙ୍କର ଉପସ୍ଥିତି ଓ ଶକ୍ତିକୁ ଅନୁଭବ କରୁ।


ରକ୍ଷାକାରୀ ଶକ୍ତି (୧୦-୨୨): ଈଶ୍ୱରଙ୍କ ମନ୍ତ୍ରଣା ନିତ୍ୟସ୍ଥାୟୀ । ସବୁ ପରକ୍ରମୀଙ୍କର ମନ୍ତ୍ରଣା ସେ ବ୍ୟର୍ଥ କରିଦିଅନ୍ତି (ଯାତ୍ରା ୧୫:୪-୧୦)। ଈଶ୍ୱରଙ୍କ ସର୍ବଭୌମ ଇଚ୍ଛାକୁ କେହି ପରାଜିତ କରିପାରେ ନାହିଁ।ନିଜର ସୁବିବେଚନାରୁ ବାହାରି ଆସୁ। ତାଙ୍କର ଅଦମ୍ୟ, ଅବିଚଳିତ ଇଚ୍ଛା ନିକଟରେ ସମର୍ପିତ ହେଲେ ଆମେ ବିଜୟୀ ଜୀବନ କାଟିପରିବା। ବହୁ ପରକ୍ରମୀ ନିଜକୁ ରକ୍ଷା କରିପାରି ନାହାନ୍ତି। ସେମାନଙ୍କର ସାମର୍ଥ ଗୌଣ ଦେଖାଯାଇଛି। ଏପରିକି ସେମାନେ ମଧ୍ଯ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହୋଇଯାଇଛନ୍ତି। ସଦାପ୍ରଭୁଙ୍କ ଭୟକାରୀ ମାନଙ୍କର ପ୍ରାଣକୁ ରକ୍ଷା କରିବା ପାଇଁ ସେ କେବଳ ସମର୍ଥ। ସେଇ ଈଶ୍ୱର ଆମର ଅନନ୍ତ ରକ୍ଷାକାରୀ।


ପାପ ସ୍ଵୀକାରର ଅଫୁରନ୍ତ ଆନନ୍ଦ

ଗୀତ ୩୨:୧-୧୧


ଆଜିର ଚିନ୍ତା


ଆମର ପାପକୁ ଗୁପ୍ତ ରଖି ଆମେ ନିଜକୁ ନଷ୍ଟ କରିବାକୁ ଚେଷ୍ଟା କରୁଛୁ କି?


     ଈଶ୍ଵରଙ୍କ ସଦୃଶ୍ୟରେ ସୃଷ୍ଟ ହୋଇଥିବା ସର୍ବୋତ୍ତମ ସୃଷ୍ଟି - ଆଦମ ଓ ହବା କେବଳ ନିଜର ପାପ ଯୋଗୁ ପ୍ରଭୁଦତ୍ତ ସୁଖ, ଶାନ୍ତି, ପ୍ରାଚୁର୍ଯ୍ୟ, ସୁରକ୍ଷା ହରାଇ ବସିଲେ । ଏଦନ ପରି ଉଦ୍ୟାନରୁ ବିତାଡିତ ହେଲେ। ପାପର ପରିଣତି ଓ କଷାଘାତ ସବୁ ଧ୍ଵଂସ କରିଦିଏ । ସବୁ ସରଳତାକୁ ଜଟିଳତାରେ ପରିବର୍ତ୍ତିତ କରିଦିଏ । ମଙ୍ଗଳମୟ, କୃପାବନ୍ ସୃଷ୍ଟିକର୍ତ୍ତା ତାଙ୍କର ହାତଗଢା ମଣିଷକୁ କେବେ ନଷ୍ଟଭ୍ରଷ୍ଟ ହେବାକୁ ଦେବେ ନାହିଁ । ସେଥିପାଇଁ ସେ ପଥ ମଧ୍ୟ ସ୍ଥିର କରିଛନ୍ତି। ଅବୁଝା ପାପୀ ଯଦି ତା'ର ପାପ ସ୍ଵୀକାର କରେ, ସେ ତା'ର ଅମାପ ପାପ କ୍ଷମା ଦେଇ ତାଙ୍କର ନିଜର ସନ୍ତାନର ଅଧିକାର ଦେଇଥାନ୍ତି। ତେଣୁ ସତର୍କ ହେବା ଯେପରି ପାପକ୍ଷମା ପରେ ଆଉ ପାପ ନ କରୁ।

ପାପ ସ୍ଵୀକାର (୧-୫): ଈଶ୍ଵରଙ୍କ ମନର ମତ ବ୍ୟକ୍ତି ରାଜା ଦାଉଦ ସାମାନ୍ୟ ସୁଖ ଉପଭୋଗ ଓ  ମାନସିକ ଅଭିଳାଷକୁ ଏଡାଇ ନ ପାରି ପାପର ଯନ୍ତା ମଧ୍ୟରେ ପଡିଗଲେ। କିନ୍ତୁ ଯେତେବେଳେ ସେ ପାପ ବୋଧ ପାଇ, ଅନୁତାପ କରି ପାପକୁ ସ୍ଵୀକାର କଲେ, ସେତେବେଳେ ସବୁ ହରାଇଥିବା ବିଷୟକୁ ଫେରାଇ ଦେଇ ପ୍ରଭୁ ପୁନଃ ପ୍ରତିଷ୍ଠିତ କରିଦେଲେ। ଆମେ କ'ଣ ପାପର ଭୟଙ୍କରତାରୁ ମୁକ୍ତ ହେବାକୁ ଇଛା କରୁଛୁ? ନମ୍ର ଓ ଖେଦିତ ମନରେ ପାପକୁ ସ୍ଵୀକାର କରୁ। ସବୁ ଅଧର୍ମର ଆରୋପରୁ ସବୁଦିନ ପାଇଁ ସେ ମୁକ୍ତ କରିଦେବେ ଖ୍ରୀଷ୍ଟ ପାପର ଦଣ୍ଡ ସମସ୍ତଙ୍କ ପାଇଁ ଭୋଗ କରି ପାପର ଅଧିନତାରୁ ଆମ୍ଭମାନଙ୍କୁ ସ୍ଵାଧୀନତା ଦେଇଛନ୍ତି। ପାପକ୍ଷମାର ଆନନ୍ଦ ଅନୁଭବ କରି ଅନ୍ୟମାନଙ୍କୁ ମଧ୍ୟ ତାହା ଉପଲବ୍ଧ କରାଉ।


କ୍ଷମାକାରୀ ଈଶ୍ଵର (୬-୧୧): ଈଶ୍ଵର ତାଙ୍କ ନିକଟରେ ପ୍ରାର୍ଥନାକାରୀ ସଦ୍ ଭକ୍ତମାନଙ୍କୁ ଉଛୁଳା ମହା ଜଳରାଶିକୁ ସ୍ପର୍ଶ କରିବାକୁ ଦେବେ ନାହିଁ। ସମସ୍ତ ସଙ୍କଟରୁ ଅନ୍ତର କରି ତାଙ୍କ ଗୁପ୍ତ ସ୍ଥାନରେ ଆମକୁ ସୁରକ୍ଷା କରିବେ। ସେ ଆମକୁ ପରାମର୍ଶ ଦେବେ - ଆମର ଗନ୍ତବ୍ୟ ମାର୍ଗ ଶିଖାଇବେ। ସର୍ବଦା ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଉର୍ଦ୍ଧ୍ବରୁ ଆମ ଉପରେ ରଖିବେ। ମହାନ ସୁରକ୍ଷାକାରୀଙ୍କ ଦ୍ଵାରା ରକ୍ଷାପ୍ରାପ୍ତ  ଲୋକମାନଙ୍କର ସତ୍ୟ ଜୀବନ୍ତ କାହାଣୀ ଈଶ୍ଵରଙ୍କ ବାକ୍ୟରୁ ଜାଣିଲା ପରେ ଆମେ କ'ଣ ଦ୍ଵନ୍ଦରେ ପଡ଼ିବା? ସଦାପ୍ରଭୁଙ୍କ ଦତ୍ତ ଆନନ୍ଦ ଉଲ୍ଲାସକୁ ପ୍ରତ୍ୟାଖାନ ନ କରୁ।


Source: Dainik Aahar