BN

ପାପ ସ୍ଵୀକାରର ଅଫୁରନ୍ତ ଆନନ୍ଦ

ଗୀତ ୩୨:୧-୧୧


ଆଜିର ଚିନ୍ତା


ଆମର ପାପକୁ ଗୁପ୍ତ ରଖି ଆମେ ନିଜକୁ ନଷ୍ଟ କରିବାକୁ ଚେଷ୍ଟା କରୁଛୁ କି?


     ଈଶ୍ଵରଙ୍କ ସଦୃଶ୍ୟରେ ସୃଷ୍ଟ ହୋଇଥିବା ସର୍ବୋତ୍ତମ ସୃଷ୍ଟି - ଆଦମ ଓ ହବା କେବଳ ନିଜର ପାପ ଯୋଗୁ ପ୍ରଭୁଦତ୍ତ ସୁଖ, ଶାନ୍ତି, ପ୍ରାଚୁର୍ଯ୍ୟ, ସୁରକ୍ଷା ହରାଇ ବସିଲେ । ଏଦନ ପରି ଉଦ୍ୟାନରୁ ବିତାଡିତ ହେଲେ। ପାପର ପରିଣତି ଓ କଷାଘାତ ସବୁ ଧ୍ଵଂସ କରିଦିଏ । ସବୁ ସରଳତାକୁ ଜଟିଳତାରେ ପରିବର୍ତ୍ତିତ କରିଦିଏ । ମଙ୍ଗଳମୟ, କୃପାବନ୍ ସୃଷ୍ଟିକର୍ତ୍ତା ତାଙ୍କର ହାତଗଢା ମଣିଷକୁ କେବେ ନଷ୍ଟଭ୍ରଷ୍ଟ ହେବାକୁ ଦେବେ ନାହିଁ । ସେଥିପାଇଁ ସେ ପଥ ମଧ୍ୟ ସ୍ଥିର କରିଛନ୍ତି। ଅବୁଝା ପାପୀ ଯଦି ତା'ର ପାପ ସ୍ଵୀକାର କରେ, ସେ ତା'ର ଅମାପ ପାପ କ୍ଷମା ଦେଇ ତାଙ୍କର ନିଜର ସନ୍ତାନର ଅଧିକାର ଦେଇଥାନ୍ତି। ତେଣୁ ସତର୍କ ହେବା ଯେପରି ପାପକ୍ଷମା ପରେ ଆଉ ପାପ ନ କରୁ।

ପାପ ସ୍ଵୀକାର (୧-୫): ଈଶ୍ଵରଙ୍କ ମନର ମତ ବ୍ୟକ୍ତି ରାଜା ଦାଉଦ ସାମାନ୍ୟ ସୁଖ ଉପଭୋଗ ଓ  ମାନସିକ ଅଭିଳାଷକୁ ଏଡାଇ ନ ପାରି ପାପର ଯନ୍ତା ମଧ୍ୟରେ ପଡିଗଲେ। କିନ୍ତୁ ଯେତେବେଳେ ସେ ପାପ ବୋଧ ପାଇ, ଅନୁତାପ କରି ପାପକୁ ସ୍ଵୀକାର କଲେ, ସେତେବେଳେ ସବୁ ହରାଇଥିବା ବିଷୟକୁ ଫେରାଇ ଦେଇ ପ୍ରଭୁ ପୁନଃ ପ୍ରତିଷ୍ଠିତ କରିଦେଲେ। ଆମେ କ'ଣ ପାପର ଭୟଙ୍କରତାରୁ ମୁକ୍ତ ହେବାକୁ ଇଛା କରୁଛୁ? ନମ୍ର ଓ ଖେଦିତ ମନରେ ପାପକୁ ସ୍ଵୀକାର କରୁ। ସବୁ ଅଧର୍ମର ଆରୋପରୁ ସବୁଦିନ ପାଇଁ ସେ ମୁକ୍ତ କରିଦେବେ ଖ୍ରୀଷ୍ଟ ପାପର ଦଣ୍ଡ ସମସ୍ତଙ୍କ ପାଇଁ ଭୋଗ କରି ପାପର ଅଧିନତାରୁ ଆମ୍ଭମାନଙ୍କୁ ସ୍ଵାଧୀନତା ଦେଇଛନ୍ତି। ପାପକ୍ଷମାର ଆନନ୍ଦ ଅନୁଭବ କରି ଅନ୍ୟମାନଙ୍କୁ ମଧ୍ୟ ତାହା ଉପଲବ୍ଧ କରାଉ।


କ୍ଷମାକାରୀ ଈଶ୍ଵର (୬-୧୧): ଈଶ୍ଵର ତାଙ୍କ ନିକଟରେ ପ୍ରାର୍ଥନାକାରୀ ସଦ୍ ଭକ୍ତମାନଙ୍କୁ ଉଛୁଳା ମହା ଜଳରାଶିକୁ ସ୍ପର୍ଶ କରିବାକୁ ଦେବେ ନାହିଁ। ସମସ୍ତ ସଙ୍କଟରୁ ଅନ୍ତର କରି ତାଙ୍କ ଗୁପ୍ତ ସ୍ଥାନରେ ଆମକୁ ସୁରକ୍ଷା କରିବେ। ସେ ଆମକୁ ପରାମର୍ଶ ଦେବେ - ଆମର ଗନ୍ତବ୍ୟ ମାର୍ଗ ଶିଖାଇବେ। ସର୍ବଦା ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଉର୍ଦ୍ଧ୍ବରୁ ଆମ ଉପରେ ରଖିବେ। ମହାନ ସୁରକ୍ଷାକାରୀଙ୍କ ଦ୍ଵାରା ରକ୍ଷାପ୍ରାପ୍ତ  ଲୋକମାନଙ୍କର ସତ୍ୟ ଜୀବନ୍ତ କାହାଣୀ ଈଶ୍ଵରଙ୍କ ବାକ୍ୟରୁ ଜାଣିଲା ପରେ ଆମେ କ'ଣ ଦ୍ଵନ୍ଦରେ ପଡ଼ିବା? ସଦାପ୍ରଭୁଙ୍କ ଦତ୍ତ ଆନନ୍ଦ ଉଲ୍ଲାସକୁ ପ୍ରତ୍ୟାଖାନ ନ କରୁ।


Source: Dainik Aahar

No comments:

Post a Comment

Kindly give your suggestions or appreciation!!!