BN

ସମାଧି ଉପରେ ବିଜୟ

 ସମାଧି ଉପରେ ବିଜୟ

ଯୋହନ ୧୧:୨୫-୪୪


ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ' ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ । (ଯୋହନ ୧୧:୨୫)


ମୃତ୍ୟୁ ସେହି ଲୋକମାନଙ୍କୁ ଆମଠାରୁ ହରଣ କରିନିଏ, ଯେଉଁମାନଙ୍କୁ ଆମେ ଭଲ ପାଉ, ମାତ୍ର ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କ ପାଇଁ ଏହି ବିଚ୍ଛେଦ୍ୟ କ୍ଷଣକାଳସ୍ଥାୟୀ ଅଟେ । ଯୀଶୁଙ୍କର ପୁନରୁତ୍ଥାନ ଆମକୁ ଏହି ଭରସା ଦିଏ ଯେ ମୃତ୍ୟୁ ଯେପରି 'ତାଙ୍କୁ' ଧରି ରଖିପାରି ନ ଥିଲା, ସେହିପରି ସମାଧି ଆମ ପୁର୍ବରୁ ମୃତ୍ୟୁବରଣ କରିଥିବା ପିଲାମାନଙ୍କୁ, ପିତାମାତାମାନଙ୍କୁ, ବନ୍ଧୁ ଓ ସାଥୀମାନଙ୍କୁ ଧରି ରଖିପାରିବ ନାହିଁ। ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଆମ ଭରସାର ମୂଳଦୁଆ ଅଟେ


ଆମରିକୀୟ ସୁସମାଚାର ପ୍ରଚାରକ ଡି.ଏଲ୍. ମୁଡ୍ଡି ( ୧୮୩୭- ୧୮୯୯) ଇଙ୍କେରମ୍ୟାନ ଯୁଦ୍ଧ (କ୍ରିମିଆ ଯୁଦ୍ଧ - ୧୮୫୪) ର ଜଣେ ସୈନ୍ୟଙ୍କ ବିଷୟରେ କହିଥିଲେ, ଯିଏ ଗୁଳିବିଦ୍ଧ ହେବାପରେ କୌଣସି ପ୍ରକାରେ ନିଜର  ତମ୍ବୁକୁ ଗୁରୁଣ୍ଡି ଗୁରୁଣ୍ଡି ଆସିବାକୁ ସମର୍ଥ ହୋଇଥିଲେ । ପରେ ଯେତେବେଳେ ତାକୁ ଆବିଷ୍କାର କରାଗଲା, ସେତେବେଳେ ସେ ମୁଖ ମାଡ଼ି ପଡ଼ିଥିଲେ, ତାଙ୍କ ସମ୍ମୁଖରେ ବାଇବଲ ଉନ୍ମୁକ୍ତ ହୋଇପଡ଼ିଥିଲା, ତାଙ୍କ ହାତ ତାଙ୍କ ରକ୍ତ ଦ୍ଵାରା ଗୋଟିଏ ପୃଷ୍ଠା ଉପରେ ଲାଖି ରହିଥିଲା ଓ ସେହି ପୃଷ୍ଠାଟି ରକ୍ତରଞ୍ଜିତ ହୋଇଯାଇଥିଲା । ତାଙ୍କ ହାତକୁ ଟେକିବା ସମୟରେ, ଛାପାପୃଷ୍ଠାର କିଛି ବାକ୍ୟ ଏଥିରେ ସ୍ପଷ୍ଟ ଭାବରେ ଦୃଶ୍ୟ ହେଉଥିଲା । ପଦଟି ଏହିପରି ଥିଲା, "ମୁଁ ପୁନରୁତ୍ଥାନ ଓ ଜୀବନ । ଯେ ମୋ' ଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ବଞ୍ଚିବ" (ଯୋହନ ୧୧:୨୫) । ମୁଡ୍ଡି କହିଥିଲେ, "ମୁଁ ସେହିପରି ଏକ ଧର୍ମ ଚାହେଁ, ଯାହା ମୃତ୍ୟୁରେ ସୁଦ୍ଧା ମୋତେ ସାନ୍ତ୍ଵନା ଦେଇପାରେ ଓ ମୋର ପ୍ରିୟଜନଙ୍କ ସହିତ ମୋତେ ମିଳିତ କରିପାରେ ପୁନରୁତ୍ଥାନ ସମ୍ବନ୍ଧୀୟ ଗୌରବମୟ ମତବାଦ ନ ଥିଲେ ଏହି ଜଗତ ଉପରେ କିପରି ଦୁଃଖ ଓ ଅନ୍ଧକାର ରହିଥାନ୍ତା । "


ଯଦି ଆପଣ ଦୁଃଖ କରୁଛନ୍ତି, ତେବେ ଏଥିରେ ସାନ୍ତ୍ଵନା ପାଆନ୍ତୁ: ଯୀଶୁ ବଞ୍ଚିଥିବାରୁ, ଆମେ ମଧ୍ୟ ବଞ୍ଚିବା ।


ଈଶ୍ବରଙ୍କ ଯୋଗାଣ

 ଈଶ୍ବରଙ୍କ ଯୋଗାଣ


ଗୀତ ୧୪୫:୧୪-୨୧      

ସମସ୍ତଙ୍କ ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ….। (  ଗୀତ ୧୪୫:୧୫ )


ଦିନେ ସକାଳେ ମୁଁ ବଜାରରେ ସଉଦା କିଣୁଥିବାବେଳେ, ଜଣେ ଭଦ୍ର ମହିଳାଙ୍କର ସମ୍ମୁଖୀନ ହେଲି । ତାଙ୍କର କଥାବାର୍ତ୍ତାରୁ ସେ ଖ୍ରୀଷ୍ଟିୟାନ ବୋଲି ମୁଁ ଜାଣିବାକୁ ପାଇଲି । ତାଙ୍କ ସହିତ କଥାବାର୍ତ୍ତା ସମୟରେ ସେ ମୋତେ ଏପରି ଏକ ଘଟଣା ବର୍ଣ୍ଣନା କଲେ, ଯାହା ଈଶ୍ବରଙ୍କ ପ୍ରତି ମୋ 'ମନୋଭାବକୁ ସମ୍ପୂର୍ଣ ପରିବର୍ତ୍ତିତ କରିଦେଲା । ସେ କହିଲେ, "ମୋର  ଆୟ ଏତେ ଅଳ୍ପ ଯେ ତାହାର ପରିମାଣ କହିଲେ ଆପଣ ବିଶ୍ଵାସ କରିବେ ନାହିଁ। ଦିନେ ମୋ ପାଳକ ମୋତେ ପଚାରିଲେ ଯେ ଯଦି ମୋର କିଛି ଅଭାବ ରହିଛି, ସେହି ବିଷୟ ତାଙ୍କୁ ଜଣାଇଲେ, ସେ ସେଥିପାଇଁ ପ୍ରାର୍ଥନା କରିବେ । କିନ୍ତୁ ମୁଁ ତାଙ୍କୁ କହିଲି, ମୁଁ ଯେପରି ଖ୍ରୀଷ୍ଟଙ୍କୁ ଅଧିକ ଜାଣି ପାରିବି, ଏଥିପାଇଁ ପ୍ରାର୍ଥନା କରନ୍ତୁ, କାରଣ ତାଙ୍କ ଦ୍ଵାରା ହିଁ ମୁଁ ସମସ୍ତ ବିଷୟ ପାଇପାରିବି ।"


ଈଶ୍ବର ଯେ ଆମର ପ୍ରତ୍ୟେକ ଅଭାବର ଯୋଗାଣକର୍ତ୍ତା, ଏହା ସେହି ମହିଳା ପ୍ରକୃତ ରୂପେ ବୁଝି ପାରିଥିଲେ। ରାଜା ଦାଉଦ ଈଶ୍ବରଙ୍କ ପ୍ରଶଂସାରେ ଗୀତ ୧୪୫ ଅଧ୍ୟାୟ ଆରମ୍ଭ କଲେ (୧-୧୩ ପଦ) । ତା' ପରେ ସେ  ଆମର ପ୍ରକୃତ ଅଭାବ ସବୁ ବିଷୟ ଲେଖିଲେ ଏବଂ କିପରି ସେହି ଅଭାବ ସବୁ ଈଶ୍ବରଙ୍କ ପ୍ରଚୁର ଓ ମୁକ୍ତ ଯୋଗାଣ ଦ୍ୱାରା ପୂରଣ ହୁଏ, ତାହା ମଧ୍ୟ ଲେଖିଲେ (୧୪-୨୧ ପଦ ) ।


ଆମର ସମସ୍ୟା ହେଉଛି, ଆମେ ସର୍ବଦା  ଆତ୍ମ-ନିର୍ଭରଶୀଳ ଜୀବନଯାପନ କରିବାକୁ ଚାହୁଁ । କିନ୍ତୁ ଆମେ କଦାପି ଆତ୍ମ- ନିର୍ଭରଶୀଳ ହୋଇ ପାରିବୁ ନାହିଁ, ଏଣୁ ଏପରି  ଅନୁଭୂତି ମଧ୍ୟ ଦେଇ ଯିବା ଆମ ନିମନ୍ତେ ଅପରିହାର୍ଯ୍ୟ ,କାରଣ ଏହା ଆମକୁ ଈଶ୍ବରଙ୍କ ଉପରେ ନିର୍ଭରଶୀଳ ହେବାକୁ ଶିକ୍ଷା ଦିଏ । ସେ ଆଜି ଆପଣଙ୍କର  ପ୍ରତ୍ୟେକ ଅଭାବକୁ  ପୂରଣ କରିବା ଦାୟିତ୍ଵ ବହନ କରିବାକୁ ଇଚ୍ଛା କରନ୍ତି । ଆପଣ ସେହି ଦାୟିତ୍ଵ ତାଙ୍କୁ ଦେବେ କି ?

ବରଫ ତଳୁ ମାଛ ଧରିବା

 ବରଫ ତଳୁ ମାଛ ଧରିବା

ଗୀତ ୧୧୫:୧-୧୧


ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। (ଯାତ୍ରା ୨୦:୩)


ଟେକ୍ସାସ୍ ସହରରେ ଗୋଟିଏ ଦମ୍ପତି ଗୋଟିଏ  ଶୀତ ଦିନ ସକାଳେ ମାଛ ଧରିବା ନିମନ୍ତେ ବରଫାକୃତ ଏକ ଅଞ୍ଚଳରେ ପହଞ୍ଚିଲେ। ସେହି ଅଞ୍ଚଳରେ ବରଫ କାଟି ତା' ତଳୁ ମାଛ ଧରିବା ନିମନ୍ତେ ସେମାନେ ତାଙ୍କରଜାଲ ପ୍ରସ୍ତୁତ କଲେ। ଠିକ୍ ଏହି ସମୟରେ, ସେମାନେ ଏକ ଅଦ୍ଭୁତ ସ୍ଵର ଶୁଣିଲେ," ଏଠାରେ ବରଫ ତଳେ କୌଣସି ମାଛ ନାହିଁ"। ସେମାନେ ହତଚକିତ ହୋଇ ପଚାରିଲେ, ହେ ଈଶ୍ୱର ଏହା କ'ଣ ତୁମର ସ୍ଵର? ଉତ୍ତର ଆସିଲା "ନାହିଁ ମାତ୍ର ମୁଁ ଜାଣେ ଯେ ଏଠାରେ ବରଫ ତଳେ କୌଣସି ମାଛ ନାହିଁ। ଏହି ବରଫ ସ୍କେଟିଙ୍ଗ୍ ରୀଙ୍କ୍ ର ମାଲିକ।"


ଯେଉଁ ଲୋକମାନେ ଏକମାତ୍ର ସତ୍ୟ ପରମେଶ୍ଵରଙ୍କ ବ୍ୟତୀତ ଅନ୍ୟ ଦେବଦବୀମାନଙ୍କ ଉପାସନା କରନ୍ତି, ସେମାନେ ବରଫ ତଳୁ ମାଛ ଧରିବାକୁ ଚାହୁଁଥିବା ଏହି ଲୋକଙ୍କ ସଦୃଶ ଅଟନ୍ତି। ଯିଶାଇୟଙ୍କ ସମୟର ପ୍ରତିମା ପୂଜକମାନେ ସେମାନଙ୍କର ଧାର୍ମିକ ରୀତିନୀତି କରିବାକୁ ଅନେକ କଠିଣ ପରିଶ୍ରମ କରୁଥିଲେ। ନିଜ ଦ୍ବାରା ଖୋଦିତ ପ୍ରତିମଗୁଡ଼ିକୁ ଆଭୁସିତ କରିବା ପାଇଁ ସେମାନେ ଅନେକ ଅର୍ଥ ଖର୍ଚ୍ଚ କରି ସେଥିରେ ସୁନା ଓ ରୂପା ଛାଉଣୀ କରିଥଲେ। (ଯିଶାଇୟ ୪୦:୧୯-୨୦)। ସେମାନେ ନିଜ ହସ୍ତକୃତ ସ୍ଥାଣୁ ଓ ନିର୍ଜୀବ ପ୍ରତିମାଗୁଡ଼ିକର ପୂଜା ଓ ଉପାସନା କରୁଥିଲେ ଏବଂ ସେମାନଙ୍କ ସମ୍ମୁଖରେ ଆଣ୍ଠୁ ଭାଙ୍ଗୁଥିଲେ(ଗୀତ ୧୧୫:୪-୭)। ସେମାନେ ଈଶ୍ୱରଙ୍କ  ଉପାସନା କରୁଛନ୍ତି ବୋଲି ମନେ କରୁଥିଲେ, ମାତ୍ର ସେମାନଙ୍କର ଉପାସନା ଉପରୋକ୍ତ ମାଛ ଧରାଳିଙ୍କ ସଦୃଶ ବ୍ଯର୍ଥ ଥିଲା।


ଆମର ମହାନ୍ ପରମେଶ୍ବର କଦାପି ମନୁଷ୍ୟ ଦ୍ବାରା ନିର୍ମିତ ଏକ ପ୍ରତିକୃତିରେ ପରିଣତ ହୋଇପାରିବେ ନାହିଁ। ସେ 'ଅନନ୍ତ ପରମେଶ୍ବର ଓ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା' (ଯିଶାଇୟ ୪୦:୨୮)। ଆଉ ସେ ଚାହାନ୍ତି, ଯେପରି ଆମେ ଆତ୍ମାରେ ଓ ସତ୍ୟରେ ତାଙ୍କର ଉପାସନା କରୁ (ଯୋହନ ୪:୨୪)।

ଲଜ୍ଜିତ ନହେବା ପାଇଁ ତାହାଙ୍କଠାରେ ରୁହ

 ଲଜ୍ଜିତ ନହେବା ପାଇଁ ତାହାଙ୍କଠାରେ ରୁହ

୧ଯୋହନ ୨:୨୮-୩:୩

ତାହାଙ୍କଠାରେ ରୁହ, ଯେପରି… ତାହାଙ୍କ। ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ  ହୋଇ ସାହସ ପ୍ରାପ୍ତ ହେବା।  (୧ଯୋହନ ୨:୨୮)


ରାଜପଥରେ ସେଦିନ ଅସମ୍ଭବ ଜନଗହଳି ହୋଇଥାଏ। ମୋଟର ଗାଡିଗୁଡିକ ଲମ୍ବା ଧାଡ଼ି ଠିଆ ହୋଇଥା'ନ୍ତି। ଅନେକ ଜାଣି ନ ଥା'ନ୍ତି, କାହିଁକି ଏତେ ଜନଗହଳି ଏବଂ ଘଟଣା କ'ଣ ହୋଇଛି? କିନ୍ତୁ ଲୋକମାନଙ୍କ ମଧ୍ୟ ଏହି କଥା ପ୍ରଘଟ ହୋଇ ଯାଇଥାଏ ଯେ, ପାଖରେ ଥିବା ଏକ ଜଳାଶୟ ମଧ୍ୟରେ ଖ୍ରୀଷ୍ଟଙ୍କର ଛବି ପ୍ରତିଫଳିତ ହେଉଛି। ଅନେକ ଦେଖଣାହାରୀ ମତ ପ୍ରକାଶ କରି କହିଲେ ଯେ, ଏହି ଅପରିଷ୍କାର ଓ କଳଙ୍କିତ ଜଳାଶୟର ପୃଷ୍ଟ ଭାବାରେ ଏପରି ଏକ ପ୍ରତିଫଳିତ ସୃଷ୍ଟି ହୋଇଛି, ଯାହା କି ଯୀଶୁଙ୍କର ଆକୃତି ପରି ଦିଶୁଛି। ସେହି ଭିଡ଼ ଭିତରେ ଅଟକି ରହିଥିବା ଗୋଟିଏ ଗାଡି ଚାଳକର ମନ୍ତବ୍ୟ ସବୁଠାରୁ ଉଲ୍ଲେଖନୀୟ ଥିଲା। ଯେତେବେଳେ ସେ ନିଜ ଗାଡ଼ିର ଝରକା ବାଟେ ମୁଣ୍ଡ କାଢି ଅନ୍ୟ ଜଣେ ଲୋକକୁ ଘଟଣା କ'ଣ ବୋଲି ପଚାରିଲେ, ସେହି ଲୋକଟି ତା'ର ମୁଖକୁ ଅନେଇ କହିଲା, "ଯୀଶୁ ଏହିଠାରେ ଅଛନ୍ତି"! ଉକ୍ତ ଗାଡ଼ି ଚାଳକ ପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଲେ, "ପ୍ରଭୁ ଯୀଶୁ ଏହିଠାରେ ଅଛନ୍ତି" ଏହି କଥା ମୁଁ ପ୍ରଥମେ କିଛି ମୁହୂର୍ତ୍ତ ପାଇଁ ମୁଁ ଭୟଭୀତ ହୋଇ  ପଡ଼ିଲି। କାରଣ ଏତେ ଶୀଘ୍ର ବିଚାର ଦିନର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ନ ଥିଲି।"


ଉକ୍ତ ଗାଡ଼ି ଚାଳକଙ୍କର ପ୍ରତିକ୍ରିୟା ଆମ୍ଭମାନଙ୍କ ପାଇଁ ଅନେକ ପ୍ରଶ୍ନ ଉତ୍ଥାପନ କରେ । ପ୍ରଭୁ ଯୀଶୁ ଯେତେବେଳେ ବାସ୍ତବରେ ପୁନରାଗମନ କରିବେ, ଆମେ ସେତେବେଳେ କି ପ୍ରକାର ଅନୁଭବ କରିବୁ? ଆମ୍ଭେମାନେ ଆନନ୍ଦରେ ବିଭୋର ହେବୁ କିମ୍ବା ଭୟଭୀତ ହେବୁ? ପ୍ରେରିତ ଯୋହନ ତାଙ୍କ ପତ୍ରରେ ଦର୍ଶଯାଇଛନ୍ତି ଯେ, ଏହି ପ୍ରଶ୍ନ ଏକ ଭବିଷ୍ୟତର ପ୍ରଶ୍ନ ନୁହେଁ (୧ ଯୋହନ ୨:୨୮)। ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର କିପ୍ରକାର ସମ୍ପର୍କ ରହିଛି, ଏହି ପ୍ରଶ୍ନ  ତା' ସହିତ ଗଭୀର ଭାବେ ଜଡ଼ିତ। ଆମେ ବର୍ତ୍ତମାନ ତାହାଙ୍କୁ ପ୍ରେମ କରିବା, ତାହାଙ୍କ ଉପରେ ଭରସା ରଖିବା, ତାହାଙ୍କର ବାଧ୍ୟ ହେବା ଏବଂ ତାହାଙ୍କୁ ଅଗ୍ରାଧିକାର ଦେବା। ତା' ହେଲେ ତାହାଙ୍କ ଆଗମନ ସମୟରେ ଆମେ କେବେହେଲେ ଲଜ୍ଜିତ ହେବା ନାହିଁ।


ନିରବତାର ରବ

 ନିରବତାର ରବ

ଗୀତ ୪୬

କ୍ଷାନ୍ତ ହୁଅ  (ନିରବ ହୁଅ), ଆମ୍ଭେ ପରମେଶ୍ବର ଅଟୁ,ଏହା ଜାଣ । (ଗୀତ ୪୬:୧୦)


ଫେବୃୟାରୀ ୧୯୯୫ ରେ, ଆମେରିକାର ଡେନ୍ ଭର୍ ଆନ୍ତର୍ଜାତୀୟ  ବିମାନ ବନ୍ଦର ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉନ୍ମୁକ୍ତ  ହେବାର ତିନି ମାସ ପରେ ନିକଟବର୍ତ୍ତୀ ଅନ୍ୟ ଏକ ସହରର ହଜାର ହଜାର ଲୋକ ଏକତ୍ର ହୋଇ 'ନୀରବତା' ର ଏକ ଉତ୍ସବ ଆୟୋଜନ କଲେ  । କାରଣ ସେହି ସହର ଉପର ଦେଇଯାଇଥିବା ବିମାନ ପଥର ଦିଗ ପରିବର୍ତ୍ତନ ହୋଇଯାଇଥିଲା । ଏହା ଫଳରେ ବିମାନ ଇଞ୍ଜିନର ଅତି ଉଚ୍ଚ ଶବ୍ଦ ସେହି ଅଞ୍ଚଳରେ ଆଉ ଶୁଭୁ ନ ଥିଲା । ସେଠାରେ ନୀରବତା ରାଜତ୍ଵ କରୁଥିଲା ।


ସେଠାରେ ଉପସ୍ଥିତ ଜଣେ ଲୋକ କହିଲେ, "ମୋତେ ଲାଗୁଛି, ଯେପରି ମୁଁ ଆଉ ଏକ ସହରକୁ ଆସିଯାଇଛି l ଆଉ ଏଠାରେ ଆମେ ଅନାୟସରେ କଥାବାର୍ତ୍ତା କରିପାରୁଛୁ, ଟେଲିଭିଜନ ଦେଖିପାରୁଛୁ ଓ ନିଶବ୍ଦରେ ବଗିଚା କାମ କରିପାରୁଛୁ।"


ଆମେ ନିଜର ବ୍ୟକ୍ତିଗତ ବାଇବଲ ଅଧ୍ୟୟନ ଓ ପ୍ରାର୍ଥନା ସମୟକୁ ସାଧାରଣତଃ "ନିରବ ସମୟ" କହିଥାଉ । ପ୍ରତିଦିନ କିଛି ସମୟ, ଆମେ ସର୍ବଶକ୍ତିମାନଙ୍କ ରବ ଶୁଣିବା ନିମନ୍ତେ ଏ ଜଗତରେ ସମସ୍ତ ଶବ୍ଦ ପ୍ରତି ଆମର କର୍ଣ୍ଣରୁଦ୍ଧ କରିଥାଉ- "ନିରବ ହୁଅ, ଆମେ ପରମେଶ୍ବର ଅଟୁ, ଏହା ଜାଣ" (ଗୀତ ୪୬:୧୦) ।


ମାତ୍ର ଏହାପରେ ଆମେ ସେହି ଦିନର ଅବଶିଷ୍ଟ ସମୟ ଅନେକ ଅଯଥା କାର୍ଯ୍ୟରେ ମନିଯୋଗ କରି କାଟିଥାଉ । ଟି. ଏସ୍. ଏଲିୟଟ ଲେଖିଲେ, କେଉଁଠାରେ ସେହି ବାକ୍ୟ ମିଳିବ, କେଉଁଠାରେ ସେହି ବାକ୍ୟ ପ୍ରତିଧ୍ଵନିତ ହେବ? ଏଠାରେ ନୁହେଁ, ଏଠାରେ ତ ଯଥେଷ୍ଟ ନିରବତା ନାହିଁ।" 


ଆମେ ଏହି ଜଗତର ଜଞ୍ଜାଳକୁ ରୋକି ପରିବା ନାହିଁ। ମାତ୍ର ଈଶ୍ବରଙ୍କ ରବ ଯତ୍ନର ସହ ଆରାମରେ ଶୁଣିବା ନିମନ୍ତେ ଆମେ ଯେଉଁ ବିଷୟକୁ ବିରତ ରହିବା ଆବଶ୍ୟକ, ତାହା ଜାଣି ଆମେ ସେଥିରୁ ପ୍ରକୃତରେ ବିରତ ରହିଲେ, ଆମେ ତାହାଙ୍କ ରବ ଶୁଣି ଜ୍ଞାନ ପ୍ରାପ୍ତ ହେବା ଓ ତଦନୁଯାୟୀ କାର୍ଯ୍ୟ କରି ପ୍ରତ୍ୟେକ  ଆଶୀର୍ବାଦର ଭାଗୀ ହୋଇପାରିବା ।