ବିଜୁଳି ଓ ଘଡ଼ଘଡ଼ି
ଯାକୁବ ୨:୧୪-୨୬
ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ଵାସ ଦେଖାଇବି ।
(ଯାକୁବ ୨:୧୮)
ଆକାଶରେ ବିଜୁଳି ମାରିଲେ ତା'ପରେ ପରେ ଘଡ଼ଘଡ଼ି ଶବ୍ଦ ଶୁଭିବ ବୋଲି ଆମେ ଜାଣୁ । ବିନା ବିଜୁଳିରେ ଘଡ଼ଘଡ଼ି ଶବ୍ଦ ଆଦୌ ଶୁଭିବ ନାହିଁ । କାରଣ ଗୋଟିଏ ଅନ୍ୟଟିକୁ ଉତ୍ପନ୍ନ କରିଥାଏ ।
ବିଶ୍ଵାସ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି । ଯେପରି ବିଜୁଳି ମାରିବା ଦ୍ୱାରା ଘଡ଼ଘଡ଼ି ଶବ୍ଦ ଉତ୍ପନ୍ନ ହୁଏ, ଠିକ୍ ସେହିପରି ପ୍ରକୃତ ବିଶ୍ଵାସରୁ ଉତ୍ତମ ଆଚରଣ ଓ ଉତ୍ତମ କାର୍ଯ୍ୟ ପ୍ରକାଶିତ ହୁଏ । ଏଫିସୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରରେ ପାଉଲ ଦୃଢ଼ଭାବେ କହନ୍ତି, "ଅନୁଗ୍ରହରେ ବିଶ୍ଵାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, କ୍ରିୟାକର୍ମ ହେତୁ ନୁହେଁ" (ଏଫି ୨:୮,୯)
କିନ୍ତୁ ଯାକୁବ କହନ୍ତି, "ମନୁଷ୍ୟ କେବଳ ବିଶ୍ଵାସ ଦ୍ୱାରା ଧାର୍ମିକ ଗଣିତ ହୁଏ ନାହିଁ, ମାତ୍ର କର୍ମ ଦ୍ୱାରା ମଧ୍ୟ ଧାର୍ମିକ ଗଣିତ ହୁଏ" (ଯାକୁବ ୨:୨୪) । କିନ୍ତୁ ଏହା ଦ୍ୱାରା ସେ ଆଦୌ ଅସ୍ବୀକାର କରୁ ନାହାନ୍ତି ଯେ, ବିଶ୍ଵାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇଥାଉ, କାରଣ ସେ ଅବ୍ରହାମଙ୍କ ବିଷୟ ଉଲ୍ଲେଖ କରି କହନ୍ତି ଯେ, "ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ଵାସ କଲେ ଓ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା" (୨୧ ପଦ ) ।
ପାଉଲ ମଧ୍ୟ କାର୍ଯ୍ୟର ଗୁରୁତ୍ୱକୁ ଅସ୍ବୀକାର କରି ନାହାନ୍ତି, କାରଣ ଏଫିସୀ ୨:୧୦ ରେ ସେ କହନ୍ତି, "ସମସ୍ତ ପ୍ରକାରର ସତ୍ କାର୍ଯ୍ୟ" କରିବା ନିମନ୍ତେ ଆମେ ପରିତ୍ରାଣ ପାଇଅଛୁ । ଆପଣଙ୍କ ଜୀବନରେ 'ବିଜୁଳି' ସ୍ଵରୂପ ବ୍ୟକ୍ତିଗତ ବିଶ୍ଵାସ କ'ଣ ଘଡ଼ଘଡ଼ିରୂପକ 'ଉତ୍ତମ କାର୍ଯ୍ୟ' ଉତ୍ପନ୍ନ କରୁଅଛି ? କାରଣ ଏକର ବିନା ଆନର ସ୍ଥିତି ହିଁ ନାହିଁ, ଯେହେତୁ "କର୍ମ ବିନା ବିଶ୍ଵାସ ମୃତ" (ଯାକୁବ ୨:୨୬) ।