ବୃଥା ଆରାଧନା
ଆଜିର ଚିନ୍ତା
ଯିରିମିୟ ୭:୧-୨୦
ମୋର ଆତ୍ମ-ଧାର୍ମିକତା କ'ଣ ଆଜି ପ୍ରଭୁଙ୍କର କ୍ରୋଧ ଓ ବିରକ୍ତି ଜନ୍ମାଉ ଅଛି?
ଈଶ୍ୱରଙ୍କର ବିରୁଦ୍ଧାଚରଣ କରି, ଯାବତୀୟ ପାପକର୍ମରେ ଲିପ୍ତ ଥାଇ ଭାବବାଦୀମାନଙ୍କ ଦ୍ଵାରା କଥିତ ଈଶ୍ୱରଙ୍କ ଚେତନାକୁ ଯିହୁଦା ଅଗ୍ରାହ୍ୟ କଲା ଓ ଈଶ୍ୱରଙ୍କ ନିକଟକୁ ଫେରିବାକୁ ଚାହିଲେ ନାହିଁ । ଗୌରବମୟ ଓ ପ୍ରତିଷ୍ଠିତ ଯିରୁଶାଲମର ମନ୍ଦିର ପାଇଁ ସେମାନେ ଗର୍ବ କରିଥିଲେ, ତାହାକୁ ସୁରକ୍ଷାର ସ୍ଥାନ ବୋଲି ଭାବୁଥିଲେ । ସେହି ମନ୍ଦିରରେ ରୀତି ଅନୁଯାୟୀ ପ୍ରାର୍ଥନା ଓ ବଳିଦାନ ଉତ୍ସର୍ଗ କରି, ସେମାନେ ଆତ୍ମ ସନ୍ତୋଷ ଲାଭ କରୁଥିଲେ । ମାତ୍ର ସେମାନଙ୍କର ଖେଦ ବିହୀନ ଉପାସନା ଈଶ୍ୱରଙ୍କଠାରେ ଗ୍ରାହ୍ୟ ନ ଥିଲା । ପ୍ରଭୁ ଜଣାଇଲେ…
ଆରାଧନା ଗୃହ ଭଗ୍ନ ହେବ :
ମନ୍ଦିର ଥାଇ, ଉପାସକ ଥାଇ, ଯଦି ସତ୍ୟ ଓ ଆତ୍ମାରେ ଉପାସନା କରା ନଯାଏ, ତେବେ ଉପାସନା ବୃଥା ହୁଏ । ଯିରୁଶାଲମ ମନ୍ଦିରରେ ନିତ୍ୟ ଉପାସନା ହେଉଥିଲା, ମାତ୍ର ଯିହୁଦା ନିଜର ପାପ ଅର୍ଥାତ ଦେବପୂଜା ରୂପ ବ୍ୟଭିଚାର, ବିଦେଶୀ, ପିତୃହୀନ, ବିଧବା ପ୍ରତି ଅନ୍ୟାୟ, ଚୋରି, ମିଥ୍ୟା ଶପଥ, ନରହତ୍ୟା ଇତ୍ୟାଦି ଘୃଣାଜନକ କର୍ମ ଯୋଗୁ ଲଜ୍ଜିତ ବା ଅନୁତପ୍ତ ନ ହୋଇ, ପ୍ରଭୁଙ୍କ ମନ୍ଦିରରେ ଚିରାଚରିତ ଉପାସନା କରି ଗର୍ବ ଅନୁଭବ କରୁଥିଲା । ଲୋକମାନେ ମନ୍ଦିରରେ ଥିବା ପ୍ରଭୁଙ୍କର ଉପସ୍ଥିତିକୁ ଅବମାନନା କରି ମନ୍ଦିରକୁ ଗୌରବ ଦେଉଥିଲେ । ପ୍ରଭୁ ଇସ୍ରାଏଲ ଗୋଷ୍ଠୀ ଆରାଧନାର ସ୍ଥାନ ଶୀଲୋକୁ ଯେପରି ନଷ୍ଟ କରିଥିଲେ, ସେପରି ଯିରୁଶାଲମର ମନ୍ଦିରକୁ ଶତ୍ରୁ ଦ୍ଵାରା ବିନାଶ କରିବେ ବୋଲି ଜଣାଇଲେ (୧୨-୧୪) । ଆଗାମୀ ଖ୍ରୀଷ୍ଟ ମଣ୍ଡଳୀର ତାଡ଼ନା ସମୟରେ ଆମର ଭଜନାଳୟଗୁଡ଼ିକ ମଧ୍ୟ ସୁରକ୍ଷିତ ହେବ ନାହିଁ ବୋଲି ଆଜି ପବିତ୍ରତ୍ମା ମଧ୍ୟ ଚେତନା ଦେଇଛନ୍ତି ।
ପ୍ରାର୍ଥନା ଶୁଣାଯିବ ନାହିଁ :
ପ୍ରଭୁ ଯିରିମିୟଙ୍କୁ କହିଲେ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ…...କାରଣ ଆମ୍ଭେ ତୁମ୍ଭ କଥା (ପ୍ରାର୍ଥନା) ଶୁଣିବା ନାହିଁ (୧୬ପଦ) । ଯିହୁଦାର ସମସ୍ତ ଲୋକ, ବୟସ୍କ ଲୋକ, ପୁଅଝିଅ, ପିତାମାତା, ସ୍ବାମୀ ସ୍ତ୍ରୀ ପ୍ରତ୍ୟେକେ ପ୍ରଭୁଙ୍କୁ ପରିତ୍ୟାଗ କରି ଅନ୍ୟ ଦେବଗଣର ପୂଜା କରିବାରୁ (୧୮ପଦ), ପ୍ରଭୁ ସେମାନଙ୍କୁ ବିନାଶରେ ସମର୍ପଣ କଲେ । ମାତ୍ର ବିନାଶକାଳେ ସେମାନେ ପ୍ରାର୍ଥନା ଓ ଆର୍ତ୍ତସ୍ୱର କଲେ ପ୍ରଭୁ ମଧ୍ୟ ଶୁଣିବେ ନାହିଁ ବୋଲି କହିଲେ (୧୧:୧୧; ୧୪:୧୧, ୧୨) ।
ଯୁଗ ଶେଷରେ, ଆଜିବି ଆମେ କ'ଣ ଆତ୍ମସନ୍ତୁଷ୍ଟ ଓ ନିର୍ଲିପ୍ତ ?
ପରିତ୍ରାଣର ବାର୍ତ୍ତା ଆଉ କେତେ କାଳ ପ୍ରଚାରିତ ହେବ ?
ଆମେ କ'ଣ ଜାଗ୍ରତ ହେବା ନାହିଁ ?