BN

ଖ୍ରୀଷ୍ଟଙ୍କ ସହିତ ଜୀବନ

 ଖ୍ରୀଷ୍ଟଙ୍କ ସହିତ ଜୀବନ 

ଆଜିର ଚିନ୍ତା

ରୋମୀୟ ୮:୧୮-୩୯

ଜଣେ ଖ୍ରୀଷ୍ଟ ବିଶ୍ବାସୀ ଭାବରେ ମୋର ଜୀବନର ଅବସ୍ଥା ଆଜି କିପରି ?


ରୋମୀୟ ୮ ପର୍ବରେ ପାଉଲ ମନୁଷ୍ୟର ନିତାନ୍ତ ଦୟନୀୟ ଅବସ୍ଥାରୁ ଉଦ୍ଧାର କରି ଈଶ୍ଵର କିପରି ତାହାକୁ ତାଙ୍କର ମହାନ୍ ଯୋଜନାର ଏକ ଅଂଶବିଶେଷ କରିଛନ୍ତି, ତାହା ବର୍ଣ୍ଣନା କରିଛନ୍ତି ।

 

କ୍ଷଣସ୍ଥାୟୀ ଦୁଃଖଭୋଗ : 

ଏ ପୃଥିବୀରେ ଖ୍ରୀଷ୍ଟଙ୍କ ନିମନ୍ତେ ଦୁଃଖଭୋଗ କରିବା ଏକ ଆଶ୍ଚର୍ଯ୍ୟର ବିଷୟ ନୁହେଁ । ପ୍ରଭୁ ଯୀଶୁ ନିଜେ ଜଗତରେ ଥିଲାବେଳେ କହିଥିଲେ, ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ (ଯୋହନ ୧୫:୧୭-୧୯) । ଦିନ ଆସିବ ଯେତେବେଳେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମହାଗୌରବରେ ଜୀବନ କାଟିବୁ, ତାହାଙ୍କ ସହିତ ରାଜତ୍ଵ କରିବୁ । ଭବିଷ୍ୟତର ସେହି ଗୌରବକୁ ଲକ୍ଷ୍ୟ କଲେ, ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ (୧ ପିତର ୪:୧୨-୧୪) । 


ମୁକ୍ତ ଶରୀର : 

ଗୋଟିଏ ଦିନ ଆସିବ ଯେତେବେଳେ ବିଶ୍ବାସୀ ଶରୀରର ବନ୍ଧନରୁ ଓ ଏହାର କ୍ଷୟତ୍ଵରୁ ମୁକ୍ତ ହେବ । ଏହିଦିନ ନିମନ୍ତେ ପ୍ରତ୍ୟେକ ବିଶ୍ବାସୀ ଅପେକ୍ଷାରତ । ଯେତେଦିନ ପର୍ଯ୍ୟନ୍ତ ସେ ପାପର ଅଧୀନରେ ଥାଇ ଜୀବନ କାଟୁଥିଲା, ସେପର୍ଯ୍ୟନ୍ତ ସେ ସବୁ କିଛି ଅତି ସହଜ ଓ ସାବଲୀଳ ଭାବରେ କରି ଚାଲୁଥିଲା । ମାତ୍ର ପାପ କ୍ଷମା ପାଇ ନୂତନ ଜୀବନ ପାଇବା ଦିନଠାରୁ ଈଶ୍ୱରଙ୍କର ଆତ୍ମା ତା' ଜୀବନରେ ବାସ କଲେ ପୁଣି ସେ କିଭଳି ଏହି ପାର୍ଥିବ ଜଗତର ମନ୍ଦ ପରିବେଶରୁ ମୁକ୍ତ ହୋଇ, ତା' ପାଇଁ ସୁରକ୍ଷିତ ଗୌରବମୟ ରାଜ୍ୟକୁ ଯାଇପାରିବ, ଏହି ଆଶାରେ ସେ ଆନ୍ତରିକ ଭାବରେ ଆର୍ତ୍ତନାଦ କରୁଅଛି (୨୩ପଦ) । ଏହି ରାଜ୍ୟ ସେ ଦେଖିନାହିଁ, ମାତ୍ର ତହିଁ ନିମନ୍ତେ ଭରସାର ସହିତ ଅପେକ୍ଷା କରୁଛି ।


ନିରବଚ୍ଛିନ୍ନ ସହଭାଗିତା : 

ପୁଣି ବିଶ୍ବାସୀ ଈଶ୍ୱରଙ୍କର ସଂକଳ୍ପ ଅନୁସାରେ ଆହୂତ ହୋଇଥିବା ହେତୁ, ପୂର୍ବରୁ ନିରୂପିତ ହୋଇଥିବାରୁ ଓ ଧାର୍ମିକ ବୋଲି ଗଣିତ ହୋଇଥିବାରୁ, ଈଶ୍ଵର ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରିବେ । ଏହି ମଙ୍ଗଳ ଧନଲାଭ ବା ପଦବୀ ଲାଭକୁ ବୁଝାଏ ନାହିଁ, ବରଂ ଈଶ୍ୱରଙ୍କର ସହଭାଗିତାରେ ସୁରକ୍ଷିତ ଜୀବନକୁ ବୁଝାଏ । ଯେଉଁ ଈଶ୍ଵର ବିଶ୍ୱାସୀ ନିମନ୍ତେ ଆପଣା ପୁତ୍ରଙ୍କୁ ମଧ୍ୟ ଦେବାରେ ଅବହେଳା କଲେ ନାହିଁ, ସେ ଅନୁଗ୍ରହରେ ସମସ୍ତ ବିଷୟ ଦେବେ । ତେଣୁ କୌଣସି ପରିସ୍ଥିତି ଆମକୁ ତାଙ୍କଠାରୁ ବିଚ୍ଛିନ୍ନ କରିପାରିବ ନାହିଁ (୩୧-୩୯ପଦ) ।

No comments:

Post a Comment

Kindly give your suggestions or appreciation!!!