BN

ଅନୁତାପବିହୀନ ଜୀବନ

 ଅନୁତାପବିହୀନ ଜୀବନ

ଆଜିର ଚିନ୍ତା

ଯିରିମିୟ ୫:୧-୧୩


ଈଶ୍ୱରଙ୍କୁ ପରିତ୍ୟାଗ କରିବାର ପରିଣାମ କ'ଣ, ତାହା ମୁଁ ଚିନ୍ତା କରିଛି କି ?


ବେଳେବେଳେ ଜଗତରେ ଶୟତାନର ଶକ୍ତି ଏତେ ପ୍ରବଳ ହୁଏ ଯେ, ତାହା ମନୁଷ୍ୟକୁ ପାପଗ୍ରସ୍ତ ଓ ଅନୁତାପ ରହିତ କରି ପକାଇ । ମନୋନୀତ ଜାତି ରୂପେ ଯିହୁଦା ଆପଣା ପରମେଶ୍ବରଙ୍କଠାରୁ ପ୍ରତ୍ୟକ୍ଷଭାବେ ଆହ୍ଵାନ ଓ ପରାମର୍ଶ ପାଇ ମଧ୍ୟ, ଚକ୍ଷୁ ଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧୀର ପରି ହେଲା, ମାତ୍ର ସର୍ବଦର୍ଶୀ ଈଶ୍ୱରଙ୍କ ଚକ୍ଷୁ ସେମାନଙ୍କ ପାପସବୁକୁ ନିରୀକ୍ଷଣ କରୁଥିଲା ।


ଅଧର୍ମାଚାରୀ ଯିହୁଦା : 

ଯିହୁଦା ସତ୍ୟ ପରମେଶ୍ୱରଙ୍କୁ ଜାଣି ସୁଦ୍ଧା, ଏପରି ପାପରେ ପ୍ରବୃତ୍ତ ହେଲା ଯେ, ଈଶ୍ଵର ଦୁଃଖିତ ହେଲେ । କ୍ଷମାଶୀଳ ପରମେଶ୍ୱର ସର୍ବଦା କିଛି ଧାର୍ମିକ ଲୋକର ଅନ୍ଵେଷଣ କରନ୍ତି, ମାତ୍ର ଯିହୁଦା ଓ ଯିରୁଶାଲମରେ ଜଣେ ହେଲେ ସୁକର୍ମକାରୀ ମନୁଷ୍ୟ ଦେଖାଗଲେ ନାହିଁ । ଲୋକମାନେ ଏତେ ଶକ୍ତଗ୍ରୀବ ଥିଲେ ଯେ, ଈଶ୍ୱରଙ୍କ ଦ୍ଵାରା ଦଣ୍ଡାଜ୍ଞା ପାଇଲେ ମଧ୍ୟ, ସେମାନେ ଭୟଭୀତ କି ଅନୁତପ୍ତ ହେଲେ ନାହିଁ (୧୨ପଦ), ପୁଣି ପ୍ରଭୁଙ୍କ ନିକଟକୁ ଫେରି ଆସିଲେ ନାହିଁ । ଦେଶର ଧନୀ ଓ ଦରିଦ୍ର ଉଭୟଠାରେ ପ୍ରଭୁ ବିଷୟକ ଜ୍ଞାନର ଅଭାବ ଥିବାରୁ, ସେମାନେ ପ୍ରଭୁଙ୍କ ପଥ ଓ ଶାସନ ବିଷୟରେ ମନୋଯୋଗୀ ହେଲେ ନାହିଁ । ସେମାନଙ୍କର ବହୁବିଧ ଅପରାଧ ହେତୁ, ଈଶ୍ଵର ସେମାନଙ୍କୁ ହିଂସ୍ର ପଶୁ ପରି (୬ପଦ, ୬:୨୩) ଶତ୍ରୁର କବଳିତ ହେବାକୁ ଦେଲେ । ଈଶ୍ୱରଙ୍କ ଦୃଷ୍ଟିରେ ସେମାନଙ୍କ ଶାରିରୀକ ପୁଣି ଆତ୍ମିକ ବ୍ୟଭିଚାର ଘୃଣ୍ୟ ଥିଲା, କାରଣ ସେମାନେ ଈଶ୍ୱରଙ୍କୁ ପରିତ୍ୟାଗ କରି ଅନ୍ୟ ଦେବଗଣର ଅନୁଗାମୀ ହୋଇଥିଲେ । 


ନ୍ୟାୟ ବିଚାରକର୍ତ୍ତା ପରମେଶ୍ୱର : 

ଈଶ୍ଵର ନ୍ୟାୟବାନ ହେବାରୁ, ଯିହୁଦାର ଘୃଣାଜନକ ଆଚରଣ ନିମନ୍ତେ ସେମାନଙ୍କୁ କ୍ଷମା ଦେଲେ ନାହିଁ ଅବା ପ୍ରତିଫଳ ଦେବାରୁ ବିରତ ହେଲେ ନାହିଁ । ତଥାପି ଆପଣାର ସତ୍ୟତା ଓ ମହାନତା ଯୋଗୁ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବେ ନାହିଁ ବୋଲି ପ୍ରତିଜ୍ଞା କଲେ (୧୦, ୧୮, ୪:୨୭) ।


ଆଜିର ଜଗତରେ, ସବୁ କ୍ଷେତ୍ରରେ ଅଧର୍ମ ବୃଦ୍ଧି ପାଇଥିଲେ ହେଁ, ପ୍ରେମକାରୀ ଓ ଧୈର୍ଯ୍ୟଶୀଳ ପ୍ରଭୁ ଆମକୁ ବିନାଶ ନ କରି ତାଙ୍କ ନିକଟକୁ ନିଜ ନିଜ ପାପ ସ୍ଵୀକାର କରି ନମ୍ର ଭାବରେ ଫେରି ଆସିବାକୁ ଆହ୍ଵାନ କରୁଛନ୍ତି (୨ବଂଶା ୭:୧୪) । ପ୍ରକୃତ ଅନୁତାପ, ପ୍ରଭୁଙ୍କଠାରୁ ପାପକ୍ଷମା ପାଇବାରେ ଆମକୁ ସାହାଯ୍ୟ କରେ ।

No comments:

Post a Comment

Kindly give your suggestions or appreciation!!!