BN

ପରିତ୍ରାଣର ଏକ ବାସ୍ତବ ଅନୁଭୂତିକୁ ଚିହ୍ନଟ କରିପାରିବା କି?

 ପରିତ୍ରାଣର ଏକ ବାସ୍ତବ ଅନୁଭୂତିକୁ ଚିହ୍ନଟ କରିପାରିବା କି?


ହଁ, ନିଶ୍ଚୟ ପାରିବା 


ପ୍ରଥମେ, ପବିତ୍ର ଆତ୍ମାଙ୍କ ଦ୍ଵାରା ହୃଦୟରେ ପ୍ରକୃତ ଶାନ୍ତି ଓ ଆନନ୍ଦ ଆସିଥାଏ।  ଈଶ୍ବରଙ୍କ ସହିତ ଆମମାନଙ୍କ ର ଶାନ୍ତି ସ୍ଥାପିତ ହେଲେ ଆମ୍ଭେମାନେ ଈଶ୍ବର ଙ୍କ ଶାନ୍ତି ଲାଭ କରୁ।  ଯୀଶୁ କହିଲେ, ଏହି ଶାନ୍ତି ଜଗତ ଦେଇପାରେ ନାହିଁ (ଯୋହନ ୧୪:୨୭) । ପାପର ଭାର ଚାଲିଯାଏ।  ଅପରାଧ ଦୋଷ ଦୂର ହୁଏ।  ପରିବର୍ତ୍ତିତ ଲୋକର ହୃଦୟ ଈଶ୍ବରଙ୍କ ପ୍ରତି କୃତଜ୍ଞତାରେ ପରିପୂର୍ଣ୍ଣ ହୋଇ ଉଠେ।  ସେ ଉଲ୍ଲାସିତ ହୋଇ ପ୍ରଶଂସା କରି କହେ "ଧନ୍ୟ,  ପ୍ରଭୁ ତୁମେ ଧନ୍ୟ"। ଜଣେ ପାପୀ ଅନୁତାପ କରି ହୃଦୟ ପରିବର୍ତ୍ତନ କଲେ ସ୍ଵର୍ଗରେ ଦୂତଗଣ ଯଦି ମହାନନ୍ଦ କରନ୍ତି, ତେବେ ପୃଥିବୀରେ ତାର ଚତୁର୍ଦ୍ଦିଗରେ ଥିବା ଦୂତଗଣ କ'ଣ ନୀରବ ରହିବେ (ଲୁକ ୧୫:୧୦) ???


ଦ୍ୱିତୀୟରେ, ପରିବର୍ତ୍ତିତ ବ୍ୟକ୍ତି ପାପ ଓ ସଂସାରର ସବୁ ମନ୍ଦ ପଥକୁ ଘୃଣା କରିବାକୁ ଆରମ୍ଭ କରେ।  ନିଜ ଇଚ୍ଛା ଅନୁସାରେ ସେ ଯେଉଁ ସମସ୍ତ ପାପ କର୍ମରେ ଆଗରୁ ଆସକ୍ତ ଥିଲା, ସେସବୁ ବର୍ତ୍ତମାନ ତାକୁ ଦୁର୍ଗନ୍ଧମୟ ଜଣାଯାଏ।  ପାପର କ୍ଷଣିକ ଆନନ୍ଦ ପରିବର୍ତ୍ତେ ସେ ପ୍ରଭୁଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୁଏ।  ଏହାର ଅର୍ଥ ନୁହେଁ ଯେ, ସେ କୌଣସି ପାପରେ ପଡିବ ନାହିଁ।  ପରିତ୍ରାଣ ପ୍ରାପ୍ତ ହେବା ପୂର୍ବରୁ ସେ ଏକ ଘୁଷୁରି ସଦୃଶ ଥିଲା, କାଦୁଅକୁ ସେ ପ୍ରିୟ ମଣୁଥିଲା! କିନ୍ତୁ ସେ ବର୍ତ୍ତମାନ ଏକ ମେଷ ତୁଲ୍ୟ ଅଟେ।  ଯଦ୍ୟପି କେହି ଏକ ମେଷ କୁ କାଦୁଅରେ ଠେଲି ଦିଏ, ମେଷ ଟି ଚିତ୍କାର କରି ବାହାରି ଆସିବ ଏବଂ ସେଠାରେ ରହିବ ନାହିଁ।  ଆପଣ ପ୍ରଭେଦ କଣ ବୁଝି ପାରୁଛନ୍ତି କି? ଈଶ୍ବରଙ୍କ ସନ୍ତାନ ପାପରେ "ବାସ" କରି ପାରିବ ନାହିଁ।  


ତୃତୀୟରେ, ପରିତ୍ରାଣ ପ୍ରାପ୍ତ ବ୍ୟକ୍ତିର ଜୀବନରେ ବାଇବେଲ ଅଧ୍ୟୟନ, ପ୍ରାର୍ଥନା ଏବଂ ପ୍ରଭୁଙ୍କ ଲୋକମାନଙ୍କର ସହଭାଗିତା ପାଇଁ ବିଶେଷ ପ୍ରେମ ଜାଗ୍ରତ ହୁଏ।  ଧର୍ମ ବିଧି ଅନୁସାରେ ଅଳ୍ପ ସମୟ ପାଇଁ ଗତାନୁଗତିକ ବାଇବେଲ ପାଠ ନକରି ବର୍ତ୍ତମାନ ଆନନ୍ଦ ଓ ସ୍ଵଇଚ୍ଛାରେ ସେ ଘଣ୍ଟା ଘଣ୍ଟା ଧରି ବାଇବେଲ ଅଧ୍ୟୟନ ଓ ଧ୍ୟାନରେ ସମୟ ଅତିବାହିତ କରେ (ଗୀତ ୧:୨)। ପ୍ରାର୍ଥନା ତାର ନିଶ୍ଵାସ ପ୍ରଶ୍ଵାସ ବାୟୁ ହୋଇଯାଏ।  ପ୍ରଥମରେ ସେ ଈଶ୍ବରଙ୍କୁ ଜାଣି ନଥିଲା । ବର୍ତ୍ତମାନ କିନ୍ତୁ ସେ ଈଶ୍ବରଙ୍କୁ ପିତା ବୋଲି ଜାଣିପାରିଛି।  ସେଥିପାଇଁ ତାହାଙ୍କ ସହିତ ଆଳାପ କରିବାକୁ ସେ ଏତେ ଆଗ୍ରହୀ ହୁଏ।  ଈଶ୍ବରଙ୍କ ପ୍ରେମ ଯାହାକି ତାକୁ ଉଦ୍ଧାର କରିଛି, ତାହା ବର୍ତ୍ତମାନ ସେ ଅନୁଭବ କରେ ଓ କୃତଜ୍ଞ ହୁଏ (ଯୋହନ ୩:୧) । ଈଶ୍ବରଙ୍କ ପ୍ରେମର ଦୈର୍ଘ୍ଯ, ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ଆମ୍ଭେମାନେ ସାଧୁମାନଙ୍କ ସହଭାଗୀତାରେ ହିଁ ବୁଝି ପାରିଥାଉ (ଏଫିସୀୟ ୩:୧୮)। 


ଚତୁର୍ଥରେ, ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ବିଶେଷ ଅନ୍ୟ ଲୋକମାନଙ୍କ ସହିତ ପ୍ରେମ ଓ ସ୍ନେହରେ ଆଚରଣ କରିଥାନ୍ତି (୧ ଯୋହନ ୩:୧୪)। ଯାହାର ସେ କ୍ଷତି କରିଥାଏ, ତାହାର କ୍ଷତି ପୂରଣ କରେ (ମାଥିଉ ୫:୨୩, ୨୪)। ଶତୃ, ତାଡନାକାରୀ ଓ ବିପକ୍ଷଗଣକୁ ମଧ୍ଯ ପ୍ରେମ କରିବା ଦ୍ୱାରା ଆମ୍ଭମାନେ ଯେ ପ୍ରେମମୟ ପିତାଙ୍କର ସନ୍ତାନ, ଏହା ପ୍ରମାଣିତ ହୁଏ (ମାଥିଉ ୫:୪୩-୪୮) । 


ପଞ୍ଚମରେ, ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ନିଜେ ଯେଉଁ ନୂତନ ପାଇଥାଏ, ଅନ୍ୟମାନଙ୍କୁ ତାର ଅଂଶୀ କରାଇବା ପାଇଁ ଇଚ୍ଛା କରିଥାଏ (ଯୋହନ ୪:୨୮, ୨୯; ମାର୍କ ୫:୧୯)। "ମୁଁ ଯେଉଁ ଆନନ୍ଦ ପାଇଅଛି ଏହି ଜଗତର ଲୋକମାନେ ମଧ୍ଯ ସେହି ଆନନ୍ଦ ପାଆନ୍ତୁ!" - ଏହା ହିଁ ତାହାର ଉଦ୍ଦେଶ୍ଯ ହୁଏ।  


No comments:

Post a Comment

Kindly give your suggestions or appreciation!!!